ବାୟୁ ଓ ଶବ୍ଦ ପ୍ରଦୂଷଣକୁ ପ୍ରତିହତ କରିବା ଦିଗରେ ଇଲେକ୍ଟ୍ରି ଗାଡ଼ି(ଇଭି)ର ବଜାର ପ୍ରବେଶ ଆଣିଛି ଆଶ୍ବସ୍ତି

The Sakala Picture
Published On

ଭୁବନେଶ୍ୱର(ଦେବାଶିଷ): ଆଜିର ଦିନରେ ‘ଜଳବାୟୁ ପରିବର୍ତ୍ତନ’ରେ ପରିଲକ୍ଷିତ ହେଉଥିବା ଅସଙ୍ଗତି ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି। ବାୟୁ ଓ ଶବ୍ଦ ପ୍ରଦୂଷଣ ପରିବେଶରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରୁଥିବାବେଳେ ଏହାକୁ ପ୍ରତିହତ କରିବା ଦିଗରେ ଇଲେକ୍ଟ୍ରି ଗାଡ଼ି(ଇଭି)ର ବଜାର ପ୍ରବେଶ ଏକ ପ୍ରକାର ଆଶ୍ବସ୍ତି ଆଣିଦେଇଛି। ସାରା ବିଶ୍ବ ଇଭିକୁ ଆପଣାଉଥିବା ବେଳେ ଭାରତ ତଥା ଆମ ରାଜ୍ୟ ବି ପଛରେ ପଡ଼ିନି। ସାଧାରଣତଃ ରାସ୍ତାରେ ଗଲାବେଳେ ଏବେ ପ୍ରତି ୧୦ଟି ଯାନ ଭିତରେ […]

ଭୁବନେଶ୍ୱର(ଦେବାଶିଷ): ଆଜିର ଦିନରେ ‘ଜଳବାୟୁ ପରିବର୍ତ୍ତନ’ରେ ପରିଲକ୍ଷିତ ହେଉଥିବା ଅସଙ୍ଗତି ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି। ବାୟୁ ଓ ଶବ୍ଦ ପ୍ରଦୂଷଣ ପରିବେଶରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରୁଥିବାବେଳେ ଏହାକୁ ପ୍ରତିହତ କରିବା ଦିଗରେ ଇଲେକ୍ଟ୍ରି ଗାଡ଼ି(ଇଭି)ର ବଜାର ପ୍ରବେଶ ଏକ ପ୍ରକାର ଆଶ୍ବସ୍ତି ଆଣିଦେଇଛି। ସାରା ବିଶ୍ବ ଇଭିକୁ ଆପଣାଉଥିବା ବେଳେ ଭାରତ ତଥା ଆମ ରାଜ୍ୟ ବି ପଛରେ ପଡ଼ିନି। ସାଧାରଣତଃ ରାସ୍ତାରେ ଗଲାବେଳେ ଏବେ ପ୍ରତି ୧୦ଟି ଯାନ ଭିତରେ ଗୋଟିଏ ଦୁଇଟି ଇଭି ନଜରକୁ ଆସୁଛି। ପ୍ରଥମେ ପ୍ରଥମେ କେବଳ ଦୁଇଚକିଆ ଦେଖିବାକୁ ମିଳୁଥିବାବେଳେ ଏବେ ତିନିଚକିଆ, ଚାରିଚକିଆ ସାଙ୍ଗକୁ ସାଧାରଣ ପରିବହନ ସେବା(ବସ୍‌)ରେ ମଧ୍ୟ ଇଭିକୁ ଦେଖିବାକୁ ମିଳୁଛି। ଯାହା ବିଶ୍ବରେ ଅଟୋ-ମୋବାଇଲ୍ସ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ଆଭାସ ମିଳୁଛି। ସାରା ବିଶ୍ବ ଏବେ ଅଧିକରୁ ଅଧିକ ଇଭିର ଉତ୍ପାଦନ ଓ ବ୍ୟବହାର ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଦେଶର ବଡ଼ ବଡ଼ ଅଟୋ-‌‌ମୋବାଇଲ୍ସ କମ୍ପାନିଗୁଡ଼ିକ ଇଭି ଗାଡ଼ି ଉତ୍ପାଦନ କ୍ଷେତ୍ର‌ରେ ଅଧିକ ଧ୍ୟାନକେନ୍ଦ୍ରିତ କରୁଛନ୍ତି। ଭାରତବର୍ଷରେ ଏବେ ଇଭିର କ୍ରେଜ୍‌ ବଢ଼ୁଥିବାବେଳେ ଭୁବନେଶ୍ୱର ବି ପଛରେ ପଡ଼ିଯାଇନି। ଦୁଇଚକିଆ ସ୍କୁଟର୍‌ଠାରୁ ଆରମ୍ଭ କରି ୩ଚକିଆ ଇ-ରିକ୍ସା ଓ ସୌଖିନ କାର୍‌ ସାଙ୍ଗକୁ ସାଧାରଣ ପରିବହନରେ ବ୍ୟବହାର ହେଉଥିବା ଇଭି ବସ୍‌ ରାସ୍ତାକୁ ଆସିଲାଣି। ଏଥର ଇଭିକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା…

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

କବ୍‌ଜା କଲାଣି ସ୍କୁଟର୍‌ ବଜାର
ବର୍ତ୍ତମାନ ରାଜଧାନୀ ବଜାରରେ ଉପଲବ୍ଧ ହେଉଥିବା ଇଭି ଗାଡ଼ିଗୁଡ଼ିକର ମୂଲ୍ୟ ୫୨ହଜାରରୁ ଆରମ୍ଭ କରି ପାଖାପଖି ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଟିଭିଏସ୍‌ ଆଇକ୍ୟୁବ୍‌, ଓଲା, ଇ-ପ୍ଲୁଟୋ, ସୁପରଇକୋ, ବଜାଜ, ହିରୋ, ଓନ୍‌ଜୋ, ଡ୍ରିକ୍ସ, ଇଭି, ଏସ୍‌ଏଲ୍‌ଆର, ଡାଇନାମୋ, ୟୁନିନର୍‌, ମ୍ୟାକ୍ସ, ଡେଲ୍ଟି ଓ ଜେଲିଓ ଆଦି କମ୍ପାନିର ଦୁଇଚକିଆ ସ୍କୁଟର ସବୁ ରାଜଧାନୀ ବଜାରକୁ କବ୍‌ଜା କରି ରଖିଛନ୍ତି। ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ଦୈନିକ ହାରାହାରି ଶହେଟି ପେଟ୍ରୋଲ୍‌ ସ୍କୁଟର ବିକ୍ରି ହେଉଥିଲେ, ୧୦ଟି ଇଭି ସ୍କୁଟର ବିକ୍ରି ହେବା ଆରମ୍ଭ ହେଲାଣି। ଅର୍ଥାତ୍‌ ଇଭିଗୁଡ଼ିକ ୧୦ପ୍ରତିଶତ ବଜାର ଚାହିଦା ଅକ୍ତିଆର କରିବାକୁ ସକ୍ଷମ ହେଲେଣି। ଏସବୁ ଗାଡ଼ିଗୁଡ଼ିକ ଭିତରେ ସବୁଠାରୁ ଓଲାର ବିଭିନ୍ନ ମଡେଲର ଗାଡ଼ି ଚାହିଦାରେ ଥିବାବେଳେ ଇ-ପ୍ଲୁଟୋ, ଆଥର୍‌, ସୁପର୍‌ ଇକୋ ଓ ବଜାଜ ଚେତକ ଗାଡ଼ିଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ଏସବୁ ଗାଡ଼ି ଗୁଡ଼ିକୁ ଥରେ ୭ରୁ ୮ଘଣ୍ଟା ଚାର୍ଜ କଲେ ପାଖାପାଖି ୨ଶହ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଉଥିବାରୁ ଲୋକମାନେ ସହର ଭିତରେ ଓ ବାହାରେ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ସହର ଭିତରେ ମାର୍କେଟିଂ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ଇଭି ଗାଡ଼ି ବେଶ୍‌ ପ୍ରିୟ ହୋଇପାରିଛି। କାହିଁକି ନା ପେଟ୍ରୋଲ୍‌ ଚାଳିତ ଗାଡ଼ି ଭଳି ଖୁବ୍‌ ଦ୍ରୁତ ଗତିରେ ଏହା ଯାଇପାରୁଛି। ଗଳିକନ୍ଦି ସବୁ ଜାଗାରେ ପହଞ୍ଚିପାରୁଛି। ରାତିରେ ଥରେ ଚାର୍ଜରେ ବସାଇଦେଲେ ଦିନସାରା ଆଉ ଝିନଝଟ୍‌ ରହୁନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହା ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କ ପକେଟ୍‌କୁ ବେଶ ସୁହାଉଛି।

ଲାଇସେନ୍ସ, ହେଲ୍‌ମେଟ୍‌, ପଞ୍ଜୀକରଣର ଚିନ୍ତା ନାହିଁ
ବରିଷ୍ଠ ନାଗରିକ, ମହିଳା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଯାତାୟାତରେ ନୂଆ ମାଇଲଖୁଣ୍ଟ ଯୋଡ଼ିଛି ଇଭି। ୨୫୦ୱାଟ୍‌ର ବ୍ୟାଟେରୀରେ ଘଣ୍ଟା ପ୍ରତି ୩୦ କିମି ବେଗରେ ଦୌଡ଼ୁଥିବା ସ୍କୁଟରଗୁଡ଼ିକୁ ନେଇ ସେମାନେ ବଜାର, ଅଫିସ୍‌ ଓ ସ୍କୁଲ କଲେଜକୁ ସହଜରେ ଯାଇପାରୁଛନ୍ତି। ସବୁଠାରୁ ବଡ଼କଥା ହେଉଛି ଏଥିପାଇଁ ହେଲମେଟ୍‌, ଡ୍ରାଇଭିଂ ଲାଇସେନ୍ସ ଓ ପଞ୍ଜୀକରଣର ଆବଶ୍ୟକତା ପଡ଼ୁନି। ଫଳରେ ଥରେ ରାତିରେ ୬ରୁ ୮ଘଣ୍ଟା ଚାର୍ଜ କରିଦେଲେ, ଦିନରେ ଛୋଟ ବଡ଼ କାମ କରିବା ପାଇଁ ଏହା ବେଶ ସହାୟକ ହେଉଛି। ଓଲା ଓ ଏଥର୍‌କୁ ଛାଡ଼ିଦେଲେ ଓନଜ୍‌ ଓ ଲିଜିୟନ୍‌ ଭଳି ଅଧିକାଂଶ କମ୍ପାନୀର ଏହି ଛୋଟ ସେଗମେଣ୍ଟ୍‌ର ଗାଡ଼ି ବିକ୍ରି କରୁଛନ୍ତି। ଏହାର ବଜାର ମୂଲ୍ୟ ୫୯ହଜାରରୁ ୬୭ହଜାର ଟଙ୍କା ମଧ୍ୟରେ ରହିଥିବାବେଳେ କଟକ ରୋଡସ୍ଥିତ ଏକ ଇଭି ସୋ’ ରୁମ୍‌ର କର୍ମଚାରୀ ପ୍ରଭାସ ବେଉରିଆ କହିଛନ୍ତି, ଏବେ ତାଙ୍କ ସୋ’ରୁମ୍‌ରୁ ପ୍ରତି ମାସରେ ଏଭଳି ପ୍ରାୟ ୧୦୦ରୁ ୧୫୦ଟି ଗାଡ଼ି ବକ୍ରି ହେଉଛି।

ଇଭି ବାଇକ୍‌ ମୁହାଁ ଗ୍ରାହକ
ଅଧିକାଂଶ ଦୁଇଚକିଆ ଯାନ ବ୍ୟବହାରକାରୀ ବଜାରରେ ଇଭିର ମଟର୍‌ ସାଇକଲ ନ ଥିବାରୁ ମନ ଊଣା କରୁଥିଲେ। ଇଭି ପ୍ରତି ଇଚ୍ଛା ଥିଲେ ହେଁ ସ୍କୁଟର ପ୍ରତି ଅନାଗ୍ରହ ପ୍ରକାଶ କରୁଥିଲେ। ହେଲେ ହିରୋ ଇଲେକ୍ଟ୍ରି ଆଟ୍ରିଆ, ମୋଟୋଭୋଲ୍ଟ ଅର୍ବାନ ଇ-ବାଇକ, ଆମ୍ପେରିଆ ମାଗନସ୍‌ ଭଳି ବାଇକ୍‌ ମଧ୍ୟ ପ୍ରାୟ ସ୍କୁଟର ଭଳି ସମାନ ଦାମରେ ବଜାରରେ ଉପଲବ୍ଧ ହେଉଛି। ସମ୍ପୂର୍ଣ୍ଣ ବାଇକର ଗଢ଼ଣ ଥିବା ଏହି ଗାଡ଼ିଗୁଡ଼ିକରେ କିନ୍ତୁ ଗିୟର୍‌ ଓ କ୍ଲଜ୍‌ର ବ୍ୟବସ୍ଥା ନାହିଁ। ଏହାକୁ ସ୍କୁଟର ଚଲାଇବା ଭଳି କେବଳ ଏକ୍ସିଲେଟର୍‌ ମାଧ୍ୟମରେ ଚଲାଇବାକୁ ପଡ଼ୁଛି। ଖୁବ୍‌ଶୀଘ୍ର ଗିୟର୍‌ଥିବା ବାଇକ୍‌ ବଜାରକୁ ଆସିବାକୁ ଥିବା କହିଛନ୍ତି ହିରୋ ଇଲେକ୍ଟ୍ରିର କର୍ମଚାରୀ ନିଗମ ଜେନା। ତାଙ୍କ କହିବାନୁସାରେ, ଉଚ୍ଚା ଗାଡ଼ି ଚଳାଇବାରେ ଅଭ୍ୟସ୍ତ ଥିବା ବ୍ୟକ୍ତିମାନେ ବାଇକ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ଗିୟର୍‌ ନଥିବାରୁ ଅଧିକାଂଶ ଗ୍ରାହକ ମୁହଁ ଫେରାଇ ନେଉଛନ୍ତି। ହେଲେ ଅଧିକାଂଶ ଗ୍ରାହକ ଏହି ବାଇକ୍‌କୁ ବି ନେଉଛନ୍ତି। ଏହାର ଏକ୍ସ‌ ସୋ’ ରୁମ୍‌ ଦାମ୍‌ ୮୦ହଜାରରୁ ଏକ ଲକ୍ଷ ଟଙ୍କା ଭିତରେ ରହୁଛି।

ବଢ଼ୁଛି ଇ-ରିକ୍ସାର ଚାହିଦା
ମହିନ୍ଦ୍ରା ଟ୍ରିଓ ଓ ବଜାଜ୍‌, ଓମେଗା ସିଟି ମୋବିଲିଟି ବାଣିଜ୍ୟିକ ପରିବହନକାରୀ କମ୍ପାନୀମାନେ ଇ-ରିକ୍ସା ଓ ଡାଲା ଅଟୋ ବଜାରକୁ ଛାଡ଼ିଛନ୍ତି। ଇ-ରିକ୍ସା ଗୁଡ଼ିକରେ ପାଖାପାଖି ୫ଜଣ ଲୋକ ଏକା ସାଙ୍ଗରେ ଯିବା ପାଇଁ ସୁବିଧା ଥିବାବେଳେ ଡାଲା ଗାଡ଼ି ଗୁଡ଼ିକରେ ମଧ୍ୟ ମାଲ୍‌ ପରିବହନ ସମ୍ଭବ ହୋଇପାରୁଛି। ପ୍ରଥମକରି ‘କ୍ରୁଟ୍‌’ ପକ୍ଷରୁ ଇ-ରିକ୍ସାଗୁଡ଼ିକରେ ମୋ ରାଇଡ୍‌ ସୁବିଧା ଉପଲବ୍ଧ କରାଯାଉଥିବାବେଳେ ଏବେ ସାଧାରଣ ପରିବହନ ସେବାରେ ମଧ୍ୟ ଏହି ରିକ୍ସା ସାମିଲ ହୋଇପାରିଛି। ସେହଭଳି କମ୍ପାନୀ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅଥବା ଭୁବନେଶ୍ବର ଭିତରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ କୌଣସି ଜିନିଷ ସ୍ଥାନାନ୍ତର କରିବା ପାଇଁ ଏହି ଡାଲା ଅଟୋକୁ ବ୍ୟବହାର କରାଯାଉଛି। ପାଖାପାଖି ୩ଲକ୍ଷରୁ ସାଢ଼େ ୩ଲକ୍ଷ ଟଙ୍କା ଭିତରେ ଏହି ଗାଡ଼ିଗୁଡ଼ିକ ଆସୁଥିବାବେଳେ ଏଥିରେ ୩୫୦ରୁ ୪ଶହ କିଲୋର ଜିନିଷ ରପ୍ତାନି କରି ହେଉଛି। ତେଣୁ ଲୋକମାନଙ୍କ ଭିତରେ ଏହା ବିଶେଷ ଗ୍ରହଣୀୟତା ହାସଲ କରିପାରିନାହିଁ। ଇ-ରିକ୍ସା ଗୋଟେ ପ୍ରକାର ସଫଳ ହୋଇଥିବାବେଳେ ଡାଲା ଗାଡ଼ିର ବଜାର ଚାହିଦା ବଢ଼ିବାକୁ ଆଉ କିଛି ସମୟ ଲାଗିବ ବୋଲି ଜଣାପଡ଼ିଛି।

ସାଧାରଣ ପରିବହନରେ ଇ-ବସ୍‌
ରାଜଧାନୀ ରାଜରାସ୍ତାରେ ଚାଲୁଥିବା ମୋ’ ବସ୍‌ଗୁଡ଼ିକ ଭିତରେ ‘ଇଭି’ର ଶୀତତାପ ନିୟନ୍ତ୍ରିତ ବସ୍‌ଗୁଡ଼ିକୁ ଦେଖିବାକୁ ମିଳୁଛି। ଜୀବାଶ୍ମ ଇନ୍ଧନ ଚାଳିତ ବସ୍‌ ଭଳି ଏହା ମଧ୍ୟ ଲୋକମାନଙ୍କୁ ପରିବହନ ସେବା ଯୋଗାଇ ଦେଉଛି। ବର୍ତ୍ତମାନ୍‌ ‘କ୍ରୁଟ୍‌’ ପକ୍ଷରୁ ରାଜଧାନୀରେ ୫୦ଟି ଇ-ବସ୍‌ ଚାଲିଛି। ଏଥିରେ ୩୫ଜଣ ଲୋକ ସିଟ୍‌ରେ ବସି ଯିବାର କ୍ଷମତା ରଖୁଥିବାବେଳେ ୧୨ଜଣ ଛିଡ଼ା ହୋଇ ଯାଇ ପାରୁଛନ୍ତି। ବସ୍‌ ଗୁଡ଼ିକରେ ସବୁ ଫାଷ୍ଟ ଚାର୍ଜିଂ ବ୍ୟବସ୍ଥା ରହିଛି। ଚନ୍ଦ୍ରଶେଖରପୁରରେ ଥିବା ବସ୍‌ ଡିପୋରେ ଏହି ସବୁ ବସ୍‌ ଚାର୍ଜ ହେଉଥିବାବେଳେ ମାତ୍ର ଅଧ ଘଣ୍ଟାଏରେ ଗୋଟେ ବସ୍‌ ଫୁଲ ଚାର୍ଜ ହୋଇଯାଉଥିବା ଜଣାପଡ଼ିଛି। ସେହିଭଳି ଡିଜେଲ ଚାଳିତ ବସ୍‌ ଭଳି ମଧ୍ୟ ଏହି ବସ୍‌ ସମାନ ବେଗରେ ରାସ୍ତାରେ ଦୌଡ଼ିପାରୁଥିବା ବସ୍‌ ଡ୍ରାଇଭର୍‌ ନୀଳକଣ୍ଠ ସାହୁ କହିଛନ୍ତି।

କାର୍‌ ବଜାରରେ ଟିଆଗୋ, ଏମ୍‌ଜି କମେଟ୍‌
ଓଡ଼ିଶା କାର୍‌ ବଜାରରେ ଇଭି ପ୍ରବେଶ କରିସାରିଛି। ବିଶେଷକରି ଟାଟା କମ୍ପାନୀର ନେକ୍ସନ୍‌, ଟିଗର୍‌ ଓ ଟିଆଗୋ ଭଳି କାର୍‌ ବଜାରରେ ଦେଖିବାକୁ ମିଳୁଛି। ଏହି ଗାଡ଼ି ଗୁଡ଼ିକର ବଜାର ମୂଲ୍ୟ ୧୦ଲକ୍ଷରୁ ଆରମ୍ଭ ହୋଇ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ୨୫୦ କିମିରୁ ୩୮୭କିମି ପର୍ଯ୍ୟନ୍ତ ଚାଲିବାର କ୍ଷମତା ରଖୁଛି। ଏବେ ସାଧାରଣତ ଟାଟା ଟିଆଗୋ ଗାଡ଼ିକୁ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଚାକିରି କରିଥିବା ଲୋକମାନେ କିଣୁଛନ୍ତି। କାରଣ ଥରେ ଚାର୍ଜ କରିଦେଲେ ସେମାନଙ୍କର ଦୁଇରୁ ତିନି ଦିନ ଯିବା ଆସିବା ହୋଇଯାଇଥିବା ଟାଟା କମ୍ପାନୀର କର୍ମଚାରୀ କହିଛନ୍ତି। ଏହାସହ ଏମ୍‌ଜି କମେଟ୍‌ ଓ ହେକ୍ଟର ଭଳି ଇଲେକ୍ଟ୍ରି ଗାଡ଼ି ମଧ୍ୟ ବଜାରରେ ଦେଖିବାକୁ ମିଳୁଛି। ଏହାର ଅନ୍‌ ରୋଡ ପ୍ରାଇସ୍‌ ୮ଲକ୍ଷ ୪୦ହଜାରରୁ ଆରମ୍ଭ କରି ୨୦ଲକ୍ଷ ପର୍ଯ୍ୟନ୍ତ ରହିଛି। ଥରେ ଚାର୍ଜ କଲେ ୨୩୦ କିମିରୁ ୩୫୦ କିମି ଭିତରେ ଯାତ୍ରା କରିପାରୁଛି। ଚାରିଜଣ ବସିବାର କ୍ଷମତା ରଖୁଥିବା ଏହି ଗାଡ଼ିଗୁଡ଼ିକର ବ୍ୟାଟେରୀ କ୍ଷମତା ୧୭.୩ କିଲୋ ୱାଟ୍‌ରୁ ଆରମ୍ଭ ହୋଇ ୨୫କିଲୋ ୱାଟ୍‌ ପର୍ଯ୍ୟନ୍ତ ରହୁଛି।

ଦୁଇଚକିଆରେ ସରକାରୀ ରିଆତି ୨୦ହଜାର
ଇଭି ଗାଡ଼ିଗୁଡ଼ିକ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ପଞ୍ଜୀକରଣ ଓ ଟ୍ୟାକ୍ସ ମୁକ୍ତ। ଦୁଇଚକିଆ ଗାଡ଼ି ପାଇଁ କିଲୋ ୱାଟ୍‌ ପିଛା ୫ହଜାର ଟଙ୍କାର ରିଆତି ମିଳୁଥିବାବେଳେ ସର୍ବାଧିକ ଗୋଟିଏ ଗାଡ଼ିରେ ସର୍ବାଧିକ ୨୦ହଜାର ଟଙ୍କାର ସରକାରୀ ସହାୟତା ମିଳିପାରୁଛି। ସେହିଭଳି ତିନିଚକିଆ ଯାନ ପାଇଁ ୩୦ହଜାର ଟଙ୍କାର ରିଆତି ମିଳୁଥିବାବେଳେ ଚାରିଚକିଆ ଗାଡ଼ି ପାଇଁ କିଲୋ ୱାଟ୍‌ ପିଛା ୧୦ହଜାର ମିଳୁଛି। ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ରିଆତି ମିଳିପାରୁଛି। ଗାଡ଼ି କିଣିଲାବେଳେ ସୋ’ ରୁମ୍‌ରେ ସମସ୍ତ ଟଙ୍କା ପୈଠ କରି ଗ୍ରାହକ ଗାଡ଼ି କିଣିବେ। ତା’ ପରେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରି ଏହି ଟଙ୍କାକୁ ୭ଦିନ ଭିତରେ ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟରେ ପାଇପାରିବେ।

ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ଇଭି
ପେଟ୍ରୋଲ୍‌, ଡିଜେଲ ଭଳି ଜୀବାଶ୍ମ ଜାଳେଣିର ବ୍ୟବହାର ହେବା ଦ୍ବାରା ବାୟୁମଣ୍ଡଳକୁ ମାତ୍ରାଧିକ ଅଙ୍ଗାରକାମ୍ଲ ନିର୍ଗମନ ହେଉଛି। ଏହା ହିଁ ପରିବେଶ ଓ ପ୍ରାଣୀ ଜଗତ ପାଇଁ ନାନା ବିପଦକୁ ଡାକି ଆଣୁଛି। ଏଭଳି କ୍ଷେତ୍ରରେ ବିଦ୍ୟୁତ୍‌ ଚାଳିତ ଯାନର ବ୍ୟବହାର ବେଶ୍‌ ଉପାଦେୟ ସାବ୍ୟସ୍ତ ହୋଇପାରିବ। ସରକାର ଏହାକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଆବଶ୍ୟକ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏବେ ଯେଉଁ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ତା’ର ଉତ୍ସ ସୌରଶକ୍ତି କିମ୍ବା ଜଳବିଦ୍ୟୁତ୍‌ ଶକ୍ତି ହେଲେ ଭଲ। ନଚେତ୍‌ ତାପଜ ଶକ୍ତି (କୋଇଲା)ର ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ କରାଗଲେ, ଏହାର କିଛି ମୂଲ୍ୟ ରହିବ ନାହିଁ। ତେଣୁ ସରକାର ବ୍ୟାଟେରୀ ଚାଳିତ ଗାଡ଼ି ସହ ପ୍ରାକୃତିକ ଉତ୍ସର ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଧ୍ୟାନ ଦେବା ଉଚିତ।
– ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ୍‌

ଥରେ ଚାର୍ଜ କଲେ ଦୁଇଦିନ
ଇଭି ସ୍କୁଟରକୁ ଥରେ ଚାର୍ଜ କଲେ, ସାଧାରଣ ବୁଲାବୁଲି କରିବା ଓ ଅଫିସ୍‌ ଯିବା ଆସିବା କରିବା ପାଖାପାଖି ଦୁଇ ଦିନ ହୋଇଯାଉଛି। ଯେକୌଣସି ସ୍ଥାନରେ ବି ବେଶ ସହଜରେ ଚାର୍ଜ କରି ହେଉଛି। ତେଣୁ ପେଟ୍ରୋଲ୍‌ ତୁଳନାରେ ଏହା ପକେଟ୍‌କୁ ବେଶ ଭଲ ସୁହାଉଛି। ମୋର ଦୈନିକ ୪୦କିମି ଯାତାୟାତ ପାଇଁ ଏହି ଗାଡ଼ି ବେଶ ସହାୟ ହେଉଥିବାବେଳେ ପକେଟ୍‌କୁ ଆଦୌ ବାଧୁନି।
– ପ୍ରକାଶ ବିଶ୍ବାଳ, ଇଭି ବ୍ୟବହାରକାରୀ

ବ୍ୟବହାରକୁ ନେଇ ଯତ୍ନବାନ ହେବା ଜରୁରୀ
ଇଭି ଗାଡ଼ି ଜଳିଯିବା ନେଇ ଯେଉଁ ଗୁଜବ ସୃଷ୍ଟି ହେଉଛି, ତା’ ସମ୍ପୂର୍ଣ୍ଣ ଅମୂଳକ। ଆମେ ଯଦି ଗାଡ଼ିକୁ ନିୟମିତ ଚାର୍ଜ କରିବାରୁ ନିବୃତ୍ତ ରଖିବା, ଖରାରେ କମ୍‌ ସମୟ ବ୍ୟବହାର କରିବା ଓ ଚାର୍ଜ ସମ୍ପୂର୍ଣ୍ଣ ଶେଷ ହେବା ପରେ ପୁନଃ ଚାର୍ଜ କରିବା, ତେବେ ଗାଡ଼ି ଆଦୌ ଜଳିବନି। ପୂର୍ବରୁ କିଛି ବ୍ୟାଟେରୀ ଦୁର୍ବଳମାନର ଆସୁଥିଲା। ଯାହା ନିର୍ଦ୍ଧାରିତ ତାପମାତ୍ରାରୁ ଅଧିକ ହେଲେ ହିଟ୍ ହୋଇ ଜଳି ଯାଉଥିଲା। ଏବେ ତା’ ଉପରେ କମ୍ପାନୀ ଅନେକ ପରୀକ୍ଷା ନିରୀକ୍ଷା କରି ଭାରତୀୟ ଜଳବାୟକୁ ସୁହାଇଲା ଭଳି ବ୍ୟାଟେରୀ ପ୍ରସ୍ତୁତି କରୁଛି। ହେଲେ ଗ୍ରାହକମାନେ ମଧ୍ୟ ବ୍ୟବହାର କରିବା ଦିଗରେ ଯତ୍ନବାନ ହେବା ଆବଶ୍ୟକ।
– ମାନସ ମଲ୍ଲିକ, ଡମଣାସ୍ଥିତ ଏକ ଇଭି ସୋ’ରୁମ୍‌ର ମେକାନିକ୍‌

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର