ମନୋରଞ୍ଜନ
ଓଡ଼ିଶା
ସୁରଭି କାର୍ଯ୍ୟକ୍ରମରେ ପିଲାଙ୍କ ସୁରକ୍ଷାକୁ ଅଣଦେଖା!
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ର ନାରାୟଣ ବିଦ୍ୟାପୀଠ ପରିସରରେ ଚାଲିଥିବା ବ୍ଲକ୍ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଅବ୍ୟବସ୍ଥାର ଚିତ୍ର। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଏବଂ କଳାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ଏଠାରେ ପିଲାଙ୍କ ସୁରକ୍ଷା ଓ ସୁବିଧାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଦ୍ୟୁତ୍ ତାର ଉପରେ ନିଜର କଳାକୌଶଳ ପ୍ରଦର୍ଶନ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏଭଳି ବିପଜ୍ଜନକ ପ୍ରଦର୍ଶନ ପାଇଁ ଅନୁମତି କିଏ ଦେଲା? ଯଦି କୌଣସି ଛାତ୍ରଛାତ୍ରୀଙ୍କର ଅଘଟଣ ଘଟେ, ତେବେ ଏଥିପାଇଁ ଦାୟୀ କିଏ ରହିବ? ଏହା ଏବେ ଏକ ବଡ଼ ପ୍ରଶ୍ନବାଚୀ।
ଅନ୍ୟପଟେ, ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚକୁ ଅଧିକାରୀମାନେ ନିଜ ବ୍ୟବହାରରେ ଲଗାଇ ବସିଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଏଭଳି ଅଣଦେଖା କରାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ପିଲାମାନଙ୍କୁ ଖାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଓ ସୁବ୍ୟବସ୍ଥିତ ସ୍ଥାନ ଯୋଗାଇ ଦିଆଯାଇନାହିଁ। ବରଂ ସ୍କୁଲ ପରିସରରେ ଥିବା ଛୋଟ କାନ୍ଥ ଉପରେ ଏବଂ ଏଣୁତେଣୁ ସ୍ଥାନରେ ବସି ପିଲାମାନେ ଖାଦ୍ୟ ଖାଉଥିବା ଅଭିଯୋଗ ହୋଇଛି।
ଗଛ ତଳେ ଖାଦ୍ୟ ଖାଇବା ସମୟରେ ଯଦି କୌଣସି ବିଷାକ୍ତ ପୋକ କିମ୍ବା ଅନ୍ୟ କୌଣସି କ୍ଷତିକାରକ ଦ୍ରବ୍ୟ ଖାଦ୍ୟରେ ମିଶିଯାଏ ଏବଂ ଏଥିଯୋଗୁଁ କୌଣସି ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ, ତେବେ ଏଥିପାଇଁ ଦାୟୀ କିଏ ରହିବ? ପିଲାମାନଙ୍କ ସୁରକ୍ଷା ପ୍ରତି ଏଭଳି ଅବହେଳା କାହିଁକି? ଖାଦ୍ୟର ମାନକୁ ନେଇ ମଧ୍ୟ ଅସନ୍ତୋଷ ଦେଖାଦେଇଛି। ବ୍ଲକ୍ସ୍ତରୀୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ କେବଳ ଭାତ, ଡାଲି ଓ ଖଟା ପରିବେଷଣ କରାଯାଇଥିବା ଅଭିଯୋଗ ହୋଇଛି। ଏତେ ବଡ଼ କାର୍ଯ୍ୟକ୍ରମରେ ପିଲାମାନଙ୍କ ପାଇଁ ଏଭଳି ଖାଦ୍ୟ ବ୍ୟବସ୍ଥା କାହିଁକି?
ଏହି କାର୍ଯ୍ୟକ୍ରମଟି ABEO ସିଦ୍ଧେଶ୍ୱର କରଣଙ୍କ ଅଧ୍ୟକ୍ଷତାରେ ଚାଲିଥିବାବେଳେ ଛାତ୍ରଛାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିବା ଅଭିଯୋଗ ଉଠିଛି।ସେହିପରି, କୃଷ୍ଣପ୍ରସାଦ ବ୍ଲକ୍ରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସ୍ଥାୟୀ BEO ଅଧିକାରୀ ନିଯୁକ୍ତ ହୋଇପାରୁନଥିବା ମଧ୍ୟ ଅଭିଯୋଗ ହେଉଛି। BEOଙ୍କ ଅନୁପସ୍ଥିତିରେ BRCC ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ ଚଳାଉଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଓ ଉତ୍ସାହ ବୃଦ୍ଧି ପାଇଁ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ଯଦି ପିଲାମାନଙ୍କ ସୁରକ୍ଷା, ଖାଦ୍ୟ ଓ ମୌଳିକ ସୁବିଧାକୁ ହିଁ ଗୁରୁତ୍ୱ ଦିଆଯିବ ନାହିଁ, ତେବେ ଏଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କ'ଣ? ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରିବା ସହ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଜବାବଦେହିତା ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ହେଉଛି।






