ମନୋରଞ୍ଜନ
କାହିଁକି ହୁଏ ସୁନାମୀ? ଜାଣନ୍ତୁ… ବିଶ୍ୱର ସବୁଠାରୁ ବୃହତ୍ ତଥା ବିଧ୍ୱଂସକାରୀ ୫ ସୁନାମୀ
ବର୍ଷା, ବନ୍ୟା, ଝଡ଼ତୋଫାନ, ବାତ୍ୟା, ବଜ୍ରପାତ, ଭୂସ୍ଖଳନ, ଆଗ୍ନେୟଗିରି ଉଦ୍ଗୀରଣ ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ବିଶ୍ବବ୍ୟାପୀ ହଜାର ହଜାର ଲୋକଙ୍କ ଜୀବନ ନେଉଛି ଏବଂ ଧନସମ୍ପତ୍ତିର ମଧ୍ୟ ବ୍ୟାପକ କ୍ଷତି ଘଟାଉଛି। ତେବେ ଏହିସବୁ ବିପର୍ଯ୍ୟୟର ଆଗୁଆ ସୂଚନା ମିଳୁଥିବାରୁ ଜୀବନ ହାନୀ ଓ କ୍ଷୟକ୍ଷତି ପରିମାଣ କମିକମି ଯାଉଛି। କିନ୍ତୁ ଭୂମିକମ୍ପ କେଉଁଠି ଏବଂ କେବେ ହେବ, ତାହାର ଆଗୁଆ ସୂଚନା ପାଇବା ଲାଗି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ ହୋଇପାରି ନାହିଁ। […]
ବର୍ଷା, ବନ୍ୟା, ଝଡ଼ତୋଫାନ, ବାତ୍ୟା, ବଜ୍ରପାତ, ଭୂସ୍ଖଳନ, ଆଗ୍ନେୟଗିରି ଉଦ୍ଗୀରଣ ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବର୍ଷ ବିଶ୍ବବ୍ୟାପୀ ହଜାର ହଜାର ଲୋକଙ୍କ ଜୀବନ ନେଉଛି ଏବଂ ଧନସମ୍ପତ୍ତିର ମଧ୍ୟ ବ୍ୟାପକ କ୍ଷତି ଘଟାଉଛି। ତେବେ ଏହିସବୁ ବିପର୍ଯ୍ୟୟର ଆଗୁଆ ସୂଚନା ମିଳୁଥିବାରୁ ଜୀବନ ହାନୀ ଓ କ୍ଷୟକ୍ଷତି ପରିମାଣ କମିକମି ଯାଉଛି। କିନ୍ତୁ ଭୂମିକମ୍ପ କେଉଁଠି ଏବଂ କେବେ ହେବ, ତାହାର ଆଗୁଆ ସୂଚନା ପାଇବା ଲାଗି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ ହୋଇପାରି ନାହିଁ। ତେଣୁ ଭୂମିକମ୍ପ ଏବଂ ଏହି କାରଣରୁ ସମୁଦ୍ର ଉପକୂଳରେ ଆସୁଥିବା ସୁନାମୀ ଯୋଗୁଁ ଧନଜୀବନ କ୍ଷତି ବଢ଼ିବାରେ ଲାଗିଛି। ପ୍ରକୃତିର ଏହି ପ୍ରକୋପ ସଂପର୍କରେ ସ୍ବତନ୍ତ୍ର ବିଶ୍ଳେଷଣ।
ମହାସାଗର ଭିତରେ ଭୂକମ୍ପ ଯୋଗୁଁ ବହୁ ପରିମାଣରେ ଜଳ ବିସ୍ଥାପନ ଯୋଗୁଁ ସୁନାମୀ ହୋଇଥାଏ। ଭୂକମ୍ପକୁ ବାଦ୍ ଦେଲେ ଆଗ୍ନେୟଗିରି ବିସ୍ଫୋରଣ, ଭୂସ୍ଖଳନ ଏବଂ ପୃଥିବୀ ଉପରେ ଗ୍ରହାଣୁ ତଥା ଧୂମକେତୁ ମାଡ ହେବା ଫଳରେ ମଧ୍ୟ ସୁନାମୀ ସୃଷ୍ଟି ହୋଇଥାଏ। ସୁନାମୀର ମୁଖ୍ୟ କାରଣଗୁଡିକ ନେଇ ଆଲୋଚନା କରିବା।
ଭୂକମ୍ପ
ଭୂକମ୍ପ ଯୋଗୁଁଁ ଅଧିକାଂଶ ସୁନାମୀ ଆସିଥାଏ। ପୃଥିବୀର ଟେକ୍ଟୋନିକ ପ୍ଲେଟ ବାଉଣ୍ଡାରୀରେ ସଂଘର୍ଷ ଯୋଗୁଁଁ ହିଁ ଭୂକମ୍ପ ସୃଷ୍ଟି ହୋଇଥାଏ। ଏହା ଯୋଗୁଁ ହେଉଥିବା ଭୂକମ୍ପଗୁଡିକ ୭.୦ ତୀବ୍ରତାଠାରୁ ଅଧିକ। ଏହାଦ୍ୱାର ସମୁଦ୍ର ତଳରେ ଜଳ ସ୍ତର ଉପରକୁ ସିଧା ଉତ୍ତାନ୍ ହୋଇଥାଏ। ଏହା ଦ୍ୱାରା ବହୁ ପରିମାଣରେ ଜଳ ବିସ୍ଥାପନ ହୋଇଥାଏ। ଫଳରେ ଦୀର୍ଘ ଓ ଉଚ୍ଚ ଲହଡି ସୃଷ୍ଟି ହୋଇଥାଏ। ତେବେ ସବୁ ଭୂକମ୍ପ ସୁନାମୀ ସୃଷ୍ଟି କରି ନଥାଏ। କେବଳ ସମୁଦ୍ର ତଳରେ ୭.୦ କିମ୍ବା ତା’ଠାରୁ ଅଧିକ ତୀବ୍ର ଭୂକମ୍ବ ହେଲେ ସୁନାମୀ ଆସିଥାଏ।
ଆଗ୍ନେୟଗିରି ବିସ୍ଫୋରଣ
ଆଗ୍ନେୟଗିରି ବିସ୍ଫୋରଣ ତଥା ଆଗ୍ନେୟ ଉଦଗିରଣ ଯୋଗୁଁ ମଧ୍ୟ ସୁନାମୀ ସୃଷ୍ଟି ହୋଇଥାଏ। ତେବେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଆଗ୍ନେୟ ଉଦ୍ଗିରଣ ହେଲେ ବହୁ ପରିମାଣରେ ଜଳ ବିସ୍ଥାପିତ ହୋଇଥାଏ। କାରଣ ଆଗ୍ନେୟ ଉଦ୍ଗିରଣ କାରଣରୁ ବହୁ ପରିମାଣରେ ପଥର ଓ ପାଉଁଷ ସମୁଦ୍ରରେ ପଡ଼ିବା ଫଳରେ ଜଳ ବିସ୍ଥାପନ ହୋଇ ସୁନାମୀ ସୃଷ୍ଟି ହୋଇଥାଏ। ଉଦାହରଣ ସ୍ୱରୂପ ୧୯୮୮ରେ ପାପୁଆ ନ୍ୟୁଗିନିରେ ଆଗ୍ନେୟ ଉଦ୍ଗିରଣ ଯୋଗୁଁ ସୁନାମୀ ଆସିଥିଲା ଓ ଏଥିରେ ବହୁ ଧନଜୀବନ ହାନି ହୋଇଥିଲା।
ଭୂସ୍ଖଳନ
ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ମଧ୍ୟ ସମୁଦ୍ରରେ ବହୁ ପରିମାଣରେ ଜଳ ବିସ୍ଥାପିତ ହେବା ଫଳରେ ସୁନାମୀ ଆସିଥାଏ। ଅବଶ୍ୟ ଏହି ଭୂସ୍ଖଳନ ଭୂକମ୍ପ କିମ୍ବା ଭୁଗର୍ଭୀୟ ଗତିବିଧି କାରଣରୁ ସୃଷ୍ଟି ହୋଇଥାଏ। ଭୂସ୍ଖଳନ ଯୋଗୁଁ ବହୁ ପରିମାଣରେ ମାଟି କିମ୍ବା ପଥର ସମୁଦ୍ରରେ ପଡ଼ିବା ଯୋଗୁଁ ଏପରି ହୋଇଥାଏ।
ଅନ୍ୟ ସମ୍ଭାବ୍ୟ କାରଣ
ଅନ୍ୟ କାରଣ ଯୋଗୁଁ ମଧ୍ୟ ସୁନାମୀ ହୋଇଥାଏ। ସମୁଦ୍ରରେ ଉଲକା ପିଣ୍ଡ କିମ୍ବା ଗ୍ରହାଣୁ ପୁଞ୍ଜ ମାଡ ହେଲେ ମଧ୍ୟ ବହୁ ପରିମାଣରେ ଜଳ ବିସ୍ଥାପନ ହୋଇ ସୁନାମୀ ଆସିଥାଏ। ସେହିପରି ସମୁଦ୍ର ଉପକୂଳରେ ବିସ୍ଫାରଣ ଜନିତ ପରୀକ୍ଷା ମଧ୍ୟ ସୁନାମୀ ସୃଷ୍ଟି କରିଥାଏ। ଉଦାହରଣ ସ୍ୱରୂପ ଯଦି ସମୁଦ୍ରରେ ଆଣବିକ ପରୀକ୍ଷଣ କରାଗଲେ ମଧ୍ୟ ସୁନାମୀ ଆସିବାର ଆଶଙ୍କା ରହିଥାଏ। ସେହିପରି ହିମସ୍ଖଳନ କାରଣରୁ ବଡ଼ ବଡ଼ ବରଫ ଖଣ୍ଡ ସମୁଦ୍ରରେ ପଡ଼ିଲେ ସୁନାମୀ ଭଳି ବିପର୍ଯ୍ୟୟ ସୃଷ୍ଟି ହୋଇଥାଏ।
ଭାରତରେ ଅତିକମ୍ରେ ୮ ସୁନାମୀ ଆସିଛି
୧୭୬୨ ପରେ ଭାରତ ଅତିକମ୍ରେ ୮ଥର ସୁନାମୀ ଆସିଛି। ୧୭୬୨ରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଓ ବଙ୍ଗୋପ ସାଗରେରେ ଭୂମକମ୍ପ କାରଣରୁ ଭାରତରେ ସୁନାମୀ ଆସିଥିଲା। ତେବେ ୨୦୦୪ରେ ଆସିଥିବା ସୁନାମୀ ସବୁଠାରୁ ବୃହତ୍ ତଥା ବିଧ୍ୱଂସକାରୀ ଥିଲା। ଆଣ୍ଡାମାନ ନିକୋବର ଦୀପପୁଞ୍ଜ ସମେତ ଦକ୍ଷିଣ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ଦ୍ୱାରା ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା। ଏଥିରେ ୧୦, ୭୪୯ ଲୋକ ପ୍ରାଣ ହରାଇଥିଲେ ଓ ୫, ୬୪୦ ନିଖୋଜ ହୋଇଥିଲେ। ଏହାପୂର୍ବରୁ ୧୮୮୧ ଓ ୧୯୪୧ରେ ବଙ୍ଗୋପସାଗରେ ଭୂକମ୍ପ କାରଣରୁ ମଧ୍ୟ ଭାରତରେ ସୁନାମୀ ପରିଲକ୍ଷିତ ହୋଇଥିଲା। ସେହିପରି ୧୯୪୧ରେ ଆଣ୍ଡାମାନ ଦୀପପୁଞ୍ଜରେ ଭୂକମ୍ପ କାରଣରୁ ମଧ୍ୟ ସୁନାମୀ ଆସିଥିଲା।
ବିଶ୍ୱର ସବୁଠାରୁ ବୃହତ୍ ତଥା ବିଧ୍ୱଂସକାରୀ ୫ ସୁନାମୀ
ଭାରତୀୟ ମହାସାଗରରେ ଭୂକମ୍ପ ଓ ସୁନାମୀ
ତାରିଖ: ୧୬ ଡିସେମ୍ବର ୨୦୦୪
ତୀବ୍ରତା: ୯.୧ – ସମୁଦ୍ର ଢେଉ ଉଚ୍ଚତା ୧୫୦ ଫୁଟ୍
୧୩ ଦେଶ କ୍ଷତିଗ୍ରସ୍ତ , ମୃତ୍ୟୁସଂଖ୍ୟା ୨ ଲକ୍ଷ ୩୦ ହଜାର
ୟୁରାପର ଲିସ୍ବନ ଭୂକମ୍ପ ଓ ସୁନାମୀ
ତାରିଖ: ୧ ନଭେମ୍ବର ୧୭୫୫
ତୀବ୍ରତା: ୮.୫ – ସମୁଦ୍ର ଢେଉ ଉଚ୍ଚତା ୫୦ ଫୁଟ୍
ମୃତ୍ୟୁସଂଖ୍ୟା: ୬୦ ହଜାରରୁ ଏକ ଲକ୍ଷ
ଇଣ୍ଡୋନେସିଆର କ୍ରକାତାଉ
ଆଗ୍ନୟଗିରି ବିସ୍ଫୋରଣ ଓ ସୁନାମୀ
ତାରିଖ: ୨୭ ଅଗଷ୍ଟ ୨୭ ୧୮୮୩
ସମୁଦ୍ର ଢେଉ ଉଚ୍ଚତା ୧୦୦ ଫୁଟ୍
ମୃତ୍ୟୁସଂଖ୍ୟା: ୩୬ ହଜାର
ଆଫ୍ରିକା ଭୂକମ୍ପ ଓ ସୁନାମୀ
ତାରିଖ: ୧୩ ଅଗଷ୍ଟ ୧୮୬୮
ତୀବ୍ରତା: ୮.୫ – ସମୁଦ୍ର ଢେଉ ଉଚ୍ଚତା ୯୦ ଫୁଟ୍
ମୃତ୍ୟୁସଂଖ୍ୟା: ୨୫ ହଜାର
ଜାପାନର ତୋହୋକୁ ଭୂକମ୍ପ ଓ ସୁନାମୀ
ତାରିଖ : ୧୧ ମାର୍ଚ୍ଚ ୨୦୧୧
ତୀବ୍ରତା: ୯.୧ – ସମୁଦ୍ର ଢେଉ ଉଚ୍ଚତା ୧୩୦ ଫୁଟ୍
ମୃତ୍ୟୁସଂଖ୍ୟା: ୧୫ ହଜାର ୫୫୦






