ମନୋରଞ୍ଜନ
ଅତର ପ୍ରସ୍ତୁତି ପାଇଁ ଗଞ୍ଜାମ କିଆଫୁଲର ଚାହିଦା ବିଶ୍ୱ ଦରବାରରେ ସର୍ବାଧିକ

ଗଞ୍ଜାମ(କ୍ଷୀରସିନ୍ଧୁ ମହାନ୍ତି): ରାଜ୍ୟରେ ଚାଷ କ୍ଷେତ୍ରରେ ସ୍ୱତନ୍ତ୍ର ଭୂମିକା ବହନ କରିଛି ଗଞ୍ଜାମ ଜିଲ୍ଲା। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଶସ୍ୟ, ଫୁଲ ଓ ଖାଦ୍ୟଶସ୍ୟ ଉତ୍ପାଦନରେ ଏଠାକାର ଚାଷୀ ସିଦ୍ଧହସ୍ତ। ଗଞ୍ଜାମର ଚାଷ ମଧ୍ୟରେ କିଆଫୁଲର ସ୍ୱତନ୍ତ୍ର ସ୍ଥାନ ରହିଛି; ଯାହା ଚାଷୀଙ୍କ ଜୀବନଜୀବିକା ସହିତ ଜଡ଼ିତ। ଏହି ଫୁଲ ଏବେ ସମଗ୍ର ବିଶ୍ୱକୁ ମହକ ଯୋଗାଉଛି। ଅତର ପ୍ରସ୍ତୁତି ପାଇଁ ଗଞ୍ଜାମ କିଆଫୁଲର ଚାହିଦା ବିଶ୍ୱ ଦରବାରରେ ସର୍ବାଧିକ ରହିଛି। ଯାହା ଉପରେ କେବଳ […]
ଗଞ୍ଜାମ(କ୍ଷୀରସିନ୍ଧୁ ମହାନ୍ତି): ରାଜ୍ୟରେ ଚାଷ କ୍ଷେତ୍ରରେ ସ୍ୱତନ୍ତ୍ର ଭୂମିକା ବହନ କରିଛି ଗଞ୍ଜାମ ଜିଲ୍ଲା। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଶସ୍ୟ, ଫୁଲ ଓ ଖାଦ୍ୟଶସ୍ୟ ଉତ୍ପାଦନରେ ଏଠାକାର ଚାଷୀ ସିଦ୍ଧହସ୍ତ। ଗଞ୍ଜାମର ଚାଷ ମଧ୍ୟରେ କିଆଫୁଲର ସ୍ୱତନ୍ତ୍ର ସ୍ଥାନ ରହିଛି; ଯାହା ଚାଷୀଙ୍କ ଜୀବନଜୀବିକା ସହିତ ଜଡ଼ିତ। ଏହି ଫୁଲ ଏବେ ସମଗ୍ର ବିଶ୍ୱକୁ ମହକ ଯୋଗାଉଛି। ଅତର ପ୍ରସ୍ତୁତି ପାଇଁ ଗଞ୍ଜାମ କିଆଫୁଲର ଚାହିଦା ବିଶ୍ୱ ଦରବାରରେ ସର୍ବାଧିକ ରହିଛି। ଯାହା ଉପରେ କେବଳ ଜିଲ୍ଲାବାସୀଙ୍କ ଜୀବନଜୀବିକା ନିର୍ଭର କରୁନାହିଁ; ବରଂ କିଆଫୁଲ ଏବେ ଗଞ୍ଜାମକୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ସମୂଦ୍ର ଉପକୂଳିଆ ଏହି ଚାଷ ଜିଲ୍ଲାର ଋଷିକୂଲ୍ୟା ମୁହାଁଣଠାରୁ ଆରମ୍ଭ ହୋଇ ବାହୁଦା ନଦୀ ଯାଏଁ ଲମ୍ୱିଛି। ଜିଲ୍ଲାର ପ୍ରଥମ ଉତ୍ପାଦ ଭାବେ କିଆଫୁଲରୁ ଅତର ପ୍ରସ୍ତୁତି କ୍ଷେତ୍ରରେ ଜିଆଇ ଟ୍ୟାଗ୍ ମିଳିଛି। ‘ଗଞ୍ଜାମ କେୱଡା ଫୁଲ ଓ ଅତର ଏକ ସ୍ୱତନ୍ତ୍ର ଉତ୍ପାଦ। କେୱଡା ତେଲ ଡିଷ୍ଟିଲେସନ୍ ପ୍ରକ୍ରିୟା ଦ୍ୱାରା ପ୍ରସ୍ତୁତ। ପ୍ରସାଧନ ସାମଗ୍ରୀ, ସାବୁନ୍, କେଶ ତେଲ, ଅଗରବତି ଇତ୍ୟାଦିରେ ବ୍ୟବହାର ଏବଂ ସୁଗନ୍ଧିତ ଖାଦ୍ୟ ପାଇଁ ଏହା ଅତର ତିଆରିରେ ବ୍ୟବହୃତ ହୁଏ। ସେହିଭଳି କିଆ ଫୁଲ ଜିଆଇ ଆବେଦନ ନମ୍ୱର -୨୨୯ ପ୍ରକାରନ୍ତେ ଏକ ସ୍ୱତନ୍ତ୍ର ଚାଷ ହୋଇଥିବା ବେଳେ ଏହାକୁ ୨୦୧୨ମସିହା ମାର୍ଚ୍ଚ ୧୯ ତାରିଖରେ ଜିଆଇ ଟ୍ୟାଗ୍ ସାର୍ଟିଫିକେଟ ମିଳିଛି।
ବୈଷୟିକ ସହାୟତା
କିଆଫୁଲ ଚାଷୀଙ୍କୁ ବୈଷୟିକ ସହାୟତା ଯୋଗାଇଦେବା ପାଇଁ ବ୍ରହ୍ମପୁରଠାରେ କିଆଫୁଲ ଉଦ୍ୟୋଗ ସହାୟତା କେନ୍ଦ୍ର କାର୍ଯ୍ୟ କରୁଛି, ଯାହା ରାଜ୍ୟ ସରକାରଙ୍କ ଅଧୀନରେ କାମ ରହିଛି। ପୂର୍ବରୁ ଚାଷୀ ଫୁଲର ଟେଷ୍ଟିଂ ଓ ବିଭିନ୍ନ ଯାବତୀୟ ଆବଶ୍ୟକତା ବିଷୟରେ ତଥ୍ୟ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଥିଲେ। ଏହି ସହାୟତା କେନ୍ଦ୍ର ଏବେ ଚାଷୀଙ୍କୁ ଏସବୁ କ୍ଷେତ୍ରରେ ସହଯୋଗ କରୁଛି। ସେହିଭଳି କିଆଫୁଲ ଚାଷୀଙ୍କ ଲାଗି ରାଜ୍ୟ ସରକାର ପୂର୍ବରୁ ସହାୟତା ମଧ୍ୟ ଦେଇଛନ୍ତି।
ବୟସ ବଢ଼ିଲେ ଅଧିକ ଫୁଲ
କିଆଫୁଲ ଚାଷରେ ବିଶେଷ ଭାବେ ପାଣିର ଆବଶ୍ୟକତା ହେଉଥିଲେ ହେଁ କିଛି ସ୍ଥାନରେ ଏହାର ଆବଶ୍ୟକତା ଏତେଟା ନ ଥିବା ଲକ୍ଷ୍ୟ କରାଯାଇଛି। ଭଲ ଉତ୍ପାଦନ ଲକ୍ଷ୍ୟରେ ଚାଷୀ କ୍ଷେତରେ ଖତ ବା କମ୍ପୋଷ୍ଟ ପକାଇଥାନ୍ତି। ବର୍ତ୍ତମାନ ୧୮ରୁ ୨୦ବର୍ଷର ଗଛ ସିଜନ୍ରେ ୪୦ଟି ଫୁଲ ଦେଇପାରୁଥିବା ବେଳେ ୪୦ରୁ ୪୫ ବର୍ଷର ଗଛରେ ୪୫ରୁ ଅଧିକ ଫୁଲ ହୋଇଥାଏ। ଅର୍ଥାତ୍ ଗଛ ପରିପକ୍ୱ ହେଲେ ଏହାର ଫୁଲ ଉତ୍ପାଦ ଅଧିକ ହୋଇଥାଏ। ଏହି ଚାଷ ପାଇଁ ଅଧିକ ସରକାରୀ ସହାୟତା ମଧ୍ୟ ଆବଶ୍ୟକତା ଥିବା କିଛିଚାଷୀ ମତବ୍ୟକ୍ତ କରିଛନ୍ତି।
ବାର୍ଷିକ ୫୦ କୋଟିର ବେପାର
କିଆଫୁଲରୁ ଅତର, ତେଲ ଓ ଅର୍କ ପ୍ରସ୍ତୁତ ହୋଇଥାଏ। ବାହାର ରାଜ୍ୟରେ ଏହାର ବିଶେଷ ଚାହିଦା ରହିଛି। ୨୦୦୪-୦୫ ମସିହା ବେଳକୁ ଜିଲ୍ଲାରେ ବାର୍ଷିକ ୨ କୋଟି କିଆଫୁଲ ଉତ୍ପାଦନ ହେଉଥିଲା। ଫାଇଲିନ୍ ବାତ୍ୟା ସମୟରେ ୩୦ ପ୍ରତିଶତ ଗଛ ନଷ୍ଟ ହୋଇଗଲା। ପରବର୍ତ୍ତୀ ସମୟରେ ଚାଷୀ ପୁଣି ଗଛ ଲଗାଇଥିଲେ ଓ ଚାଷ ପ୍ରତି ଗୁରୁତ୍ୱ ଦେଇଥିଲେ। ଯାହାଦ୍ୱାରା ୨୦୧୭-୧୮ ମସିହା ବେଳକୁ ଏହାର ନୂଆ ଉତ୍ପାଦନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ୫ କୋଟିରୁ ଅଧିକ ଫୁଲ ଉତ୍ପାଦନ ହେଉଥିବା ଜଣାପଡ଼ିଛି। ପ୍ରତିବର୍ଷ ୪୦-୫୦ କୋଟି ଟଙ୍କାର ବ୍ୟବସାୟ ହେଉଥିବା କିଆଫୁଲ ଉଦ୍ୟୋଗ ସହାୟତା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଅତର ବାହାରିବା ପରେ ନଷ୍ଟ ହୋଇଯାଉଥିବା କିଆଫୁଲକୁ ବିଭିନ୍ନ ଖାଦ୍ୟ ସାମଗ୍ରୀରେ ବାସ୍ନା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ପାନ ମସଲା ଓ ଗୁଟ୍ଖାରେ ମଧ୍ୟ କିଆ ବର୍ଜ୍ୟ ବ୍ୟବହୃତ ହେଉଥିବା ଜଣାପଡ଼ିଛି। କିଆଫୁଲ ତେଲର ଦର କିଲୋ ପିଛା ୪ ଲକ୍ଷରୁ ଅଧିକ ଟଙ୍କା ଥିବାବେଳେ ଅତର ଲିଟର ପିଛା ୧୦ହଜାରରୁ ୫୦ ହଜାର ଟଙ୍କା ଯାଏଁ ରହିଥିବା କିଆଫୁଲ ଉଦ୍ୟୋଗ ସହାୟତା କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଖାଦ୍ୟରେ କିଆଜଳ
ସୁଗନ୍ଧିତ କିଆ ଫୁଲର ଜଳ ବିରିୟାନି ଭଳି ଖାଦ୍ୟ ପଦାର୍ଥରେ ବ୍ୟବହାର କରାଯାଇଥାଏ। ବର୍ତ୍ତମାନ ବଜାରରେ କିଆ ଜଳର ଦର ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ରହିଛି। ଏହି ଦର ଅନ୍ୟ ରାଜ୍ୟରେ ବେଶ ଅଧିକ ବି ରହିଛି। ବିଶେଷ ଭାବେ କହିବାକୁ ଗଲେ ଦେଶ ବିଦେଶରେ କିଆଫୁଲ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।
ବିଦେଶକୁ ଯାଏ ଅତର
କିଆଫୁଲର ବାସ୍ନା ନିଆରା। ଏହାର ସୁଗନ୍ଧ ମଧ୍ୟ ସ୍ୱତନ୍ତ୍ର। ଏଣୁ କୋଣ ଅନୁକୋଣରେ ଧନୀବ୍ୟକ୍ତିମାନେ ଏହାର ବିପୁଳ ବ୍ୟବହାର କରିଥାନ୍ତି। ଏଣେ କିଆଫୁଲ ଭାଟି କରିଥିବା ମାଲିକମାନେ ପ୍ରାୟତଃ ଅନ୍ୟରାଜ୍ୟର ହୋଇଥିବା ବେଳେ ସେମାନେ ଏଠାରେ ପ୍ରସ୍ତୁତ ଅତର ଓ ଅର୍କ ଅନ୍ୟ ରାଜ୍ୟ ଓ ବିଦେଶକୁ ପଠାଇ ବିଶେଷ ଲାଭବାନ ହୋଇଥାନ୍ତି। ସ୍ଥାନୀୟ ଉଦ୍ୟୋଗୀମାନେ ଏଥିରେ ସାମିଲ ହେଲେ ରାଜ୍ୟର ଅର୍ଥନୀତିରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।
କରୋନାରେ ଥିଲା ମଜ୍ଭୁତ ସ୍ଥିତି
କରୋନା ସମୟରେ ଜୀବନଜୀବିକା ହାହାକାର ପରିସ୍ଥିତି ଦେଖା ଦେଇଥିଲା। କିନ୍ତୁ ଏହି ସମୟରେ କିଆଫୁଲ ତାର ସ୍ଥିତି ମଜଭୁତ ରଖିଥିବା କୁହାଯାଏ। କରୋନା ସମୟରେ ବିଭିନ୍ନ ବ୍ୟବସାୟ ଓ ଚାଷ କିଛିମାତ୍ରାରେ ବାଧାପ୍ରାପ୍ତ ହୋଇଥିଲେ ହେଁ କିଆଫୁଲ ତାର ସ୍ଥିତି ବଜାୟ ରଖିଥିଲା।
ଗାଁ ଗାଁରେ କିଆ ଭାଟି
କିଆ ଚାଷ ହେଉଥିବା ଅଞ୍ଚଳରେ କିଆ ତୈଳ ବା ଅତର ଅର୍କ ପ୍ରସ୍ତୁତି ପାଇଁ ଜିଲ୍ଲାରେ ୧୪୦ରୁ ଅଧିକ କିଆଫୁଲ ଭାଟି ରହିଛି। ଚାଷୀ ଫୁଲ ଅମଳ କଲାପରେ ଏଜେଣ୍ଟ ଜରିଆରେ ଅଥବା ସିଧାସଳଖ ଭାଟିରେ ଆଣି ଫୁଲ ଦେଇଥାନ୍ତି। ଏଠାରେ କିଆଫୁଲରୁ ଅତର ଅର୍କ ପ୍ରସ୍ତୁତ କରାଯାଇଥାଏ। ଏଥିଦ୍ୱାରା ବାର୍ଷିକ ୨ଲକ୍ଷ ଲୋକ ରୋଜଗାର ପାଉଛନ୍ତି। ଏଥିରେ ଚାଷୀ, ଭାଟି କର୍ମଚାରୀ, ଶ୍ରମିକ, ମାଲିକ ପ୍ରମୁଖ ସାମିଲ ଅଛନ୍ତି। ବର୍ତ୍ତମାନ ଗୋଟିଏ କିଆଫୁଲର ଦର ୮.୫୦ଟଙ୍କାରୁ ଆରମ୍ଭ ହୋଇ ୧୨ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ଦିନକୁ ଦିନ ବୃଦ୍ଧି ମଧ୍ୟ ପାଉଛି। ସିଜନ୍ ଦେଖି ଏହାର ଦରବୃଦ୍ଧି ଘଟୁଛି।
ସୁଗନ୍ଧିତ କେୱଡ଼ା: ପ୍ରତିବର୍ଷ ବଢୁଛି ୧୦ ପ୍ରତିଶତ
ଦୁନିଆର ସବୁଠାରୁ ସୁଗନ୍ଧିତ ‘ଗଞ୍ଜାମ କେୱଡ଼ା ଫୁଲ’। ଏହାର ସୁଗନ୍ଧ ସମଗ୍ର ବିଶ୍ୱରେ ସର୍ବାଗେ ରହିଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର ଓ ଚିକିଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଏହି ଚାଷ ହୋଇଥାଏ। ୨୦୦ରୁ ଅଧିକ ଗ୍ରାମର ଲୋକେ କିଆଫୁଲ ଚାଷ ଉପରେ ନିର୍ଭରଶୀଳ। ଏହା କେବଳ ଚାଷ ନୁହେଁ ବରଂ ଅନେକ ପରିବାରର ଜୀବନଜୀବିକାର ମୁଖ୍ୟ ରାହା ମଧ୍ୟ। କିଆଫୁଲ ବର୍ଷକୁ ଦୁଇଥର ଫୁଟିଥାଏ। ଦୁଇଟି ସିଜନ୍ରେ ଏହା ଆଦାୟ ହୋଇ ବାହାରକୁ ଚାଲାଣ ହୋଇଥାଏ। ଧାନ ଚାଷଠାରୁ ଏହାର ଅଧିକ ଲାଭଦାୟକ। ସାଧାରଣତଃ ସମୁଦ୍ର ଉପକୂଳବର୍ତ୍ତୀ ଇଲାକାରେ ଏହା ବ୍ୟାପକ ମାତ୍ରାରେ ଚାଷ ହେଉଛି। ଜିଲ୍ଲାରେ ବାଲିଆ ମାଟିଥିବା ଅଞ୍ଚଳରେ ଏହି ଚାଷ ବିଶେଷ ଭାବରେ ହୋଇଥାଏ। ଭୌଗୋଳିକ ଦୃଷ୍ଟିକୋଣରୁ ଜିଲ୍ଲାରେ ୬ ହଜାରରୁ ଅଧିକ ହେକ୍ଟର ଜମିରେ କିଆଫୁଲ ଚାଷ ହେଉଛି। ପ୍ରତିବର୍ଷ କିଆ ଚାଷ ୧୦ପ୍ରତିଶତ ବଢ଼଼ିବା ସହ ଉତ୍ପାଦନ ମଧ୍ୟ ବଢୁଛି।
ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସହାୟତା
ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତତ୍କାଳୀନ ‘୫-ଟି’ ସଚିବ ତଥା ବର୍ତ୍ତମାନ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ କିଆ ଫୁଲ ଚାଷୀମାନଙ୍କ ପକ୍ଷରୁ ବିଭିନ୍ନ ଆପତ୍ତି ଅଭିଯୋଗ ଆସିଥିଲା। ସେ ସବୁର ସମାଧାନ ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା କରିଥିଲେ। ଏହିକ୍ରମରେ ଗଞ୍ଜାମର କିଆଫୁଲ ଚାଷୀଙ୍କୁ ମଧ୍ୟ ଜାତୀୟ ଉଦ୍ୟାନ କୃଷି ଅଧୀନରେ ପ୍ରୋତ୍ସାହନ ଦିଆଯାଉଛି। ଉଦ୍ୟାନ କୃଷି ମିଶନର ସହାୟତା ସହିତ ରାଜ୍ୟ ବଜେଟରୁ କିଆଫୁଲ ଚାଷ ପାଇଁ ଅତିରିକ୍ତ ସହାୟତା ମଧ୍ୟ ଦିଆଯିବାକୁ ନିଷ୍ପତ୍ତି ହୋଇଛି। କିଆଫୁଲ ଚାଷ ସ୍ଥାନଗୁଡ଼ିକର ସାଇଣ୍ଟିଫିକ୍ ମେପିଂ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏହିକ୍ରମରେ ଅନେକ ଉପକୃତ ମଧ୍ୟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିଆଫୁଲ ପ୍ରକ୍ରିୟାକରଣ ୟୁନିଟ୍କୁ ସାମିଲ କରିବା ପାଇଁ ଯୋଜନାର ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଗଞ୍ଜାମ ଜିଲ୍ଲାରେ କିଆଫୁଲ ଚାଷକୁ ପ୍ରୋତ୍ସାହିତ କରିବାକୁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କିମ୍ୱା ଅନ୍ୟ କୌଣସି ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ସହାୟତା ନିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।