ମନୋରଞ୍ଜନ
୪୦ ବର୍ଷ ହେଲା ରାବଣ ଦେଇଛି ରୋଜଗାର

ଭୁବନେଶ୍ଵର: ରାବଣକୁ ଏକ ନକରାତ୍ମକ ଭାବେ ବିବେଚନା କରାଯାଏ | କିନ୍ତୁ ସେ ରାବଣ ପୋଡ଼ି ଯେ ଅନେକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି। ରାବଣ ପ୍ରତିକୃତି ନିର୍ମାଣ କରି ଭୁବନେଶ୍ବରରେ ପରିବାର ପ୍ରତିପୋଷଣ କରିବାସହ ଆଉ ୮ ଟି ପରିବାରପାଇଁ ଆୟର ବାଟ ଖୋଲିଛନ୍ତି ପୁରୁଣା ଭୁବନେଶ୍ବରର ଜଣେ ମହିଳା | ରାଜଧାନୀ ହେଉ ବା ରାଜ୍ୟର ଅନ୍ୟ ଅଞ୍ଚଳରେ ରାବଣପୋଡ଼ି ପାଇଁ ପ୍ରସ୍ତୁତି ଜୋର୍ଦାର୍ ଚାଲିଥିବା ବେଳେ ଏହି ରାବଣଗୁଡ଼ିକ ପ୍ରତିକୃତି ନିର୍ମାଣରେ ଲାଗିଛନ୍ତି କାରିଗର। କାର୍ଡବୋର୍ଡ, ଅଠା, କାଗଜ ଓ ରଙ୍ଗରେ ଏହି ପ୍ରତିକୃତି ଦୀର୍ଘ ୪୦ ବର୍ଷ ଧରି ନିର୍ମାଣ କରି ଆସୁଛନ୍ତି ରାଜଧାନୀ ପୁରୁଣା ଭୁବନେଶ୍ଵର ଅଞ୍ଚଳର ଶୋଭରାଣୀ ମହାପାତ୍ରଙ୍କ ପରିବାର | ତାଙ୍କ ତାଙ୍କ ସ୍ବାମୀଙ୍କ ସମେତ ଝିଅ ଏଥିରେ ସହଯୋଗ କରୁଛନ୍ତି | ଏଥ୍ ସହିତ ରାବଣ ନିର୍ମାଣ ପୂର୍ବରୁ ୭ରୁ ୮ ଜଣ ବାହାର କାରିଗରକୁ ଏହି କାମରେ ନିୟୋଜିତ କରି ଆସୁଛନ୍ତି ଶୋଭାରାଣୀ।
ଏଥର ବରମୁଣ୍ଡା, ନହରକଣ୍ଟା, ବଙ୍କୁଆଳ, ଜଟଣୀ, ନାଲକୋନଗର (ଅନୁଗୁଳ), ଖୋର୍ଦ୍ଧା ହଳଦିଆ ଅଞ୍ଚଳକୁ ମିଶାଇ ମୋଟ ୮ଟି ରାବଣ ମୂର୍ତ୍ତି ନିର୍ମାଣ କରୁଛନ୍ତି ଶୋଭାରାଣୀ ଏବଂ ତାଙ୍କ ପରିବାର | ଏଥର ବରମୁଣ୍ଡା ପାଇଁ ୮୦ ଫୁଟ୍ ଉଚ୍ଚତାର ପ୍ରତିକୃତି ନିର୍ମାଣ ଚାଲିଥିବା ବେଳେ ଅନ୍ୟ ଅଞ୍ଚଳରେ ୩ରୁ ୭୦ ଫୁଟ୍ର ରାବଣ ପ୍ରତିକୃତି ନିର୍ମାଣ କରାଯାଉଛି।
ଏଥିପାଇଁ ଦୁଇମାସ ଆଗରୁ କାର୍ଯ୍ୟରେ ଲାଗିପଡ଼ିଛନ୍ତି ଶୋଭାରାଣୀଙ୍କ ପରିବାର। ପାରିଶ୍ରମିକ କହିଲେ ପ୍ରତି ଫୁଟ୍ ପ୍ରତିକୃତି ପାଇଁ ହଜାରେ ଟଙ୍କା ଲେଖାଏ ନେଇଥାନ୍ତି। ଏହିଭଳି ଗୋଟିଏ ଗୋଟିଏ ଦୁର୍ଗାପୂଜାରେ ୪ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କଲେ ମଧ୍ୟ କାରିଗରଙ୍କୁ ଦେୟ ଦେବା ପରେ ଆଶାଜନକ ଭାବେ ଲାଭ ମିଳେନାହିଁ ବୋଲି କୁହନ୍ତି ଶୋଭରାଣୀ । କିନ୍ତୁ ଗୋଟିଏ କଳା ସଂସ୍କୃତି ବଞ୍ଚାଇ ରଖିବା ଏବଂ ପରମ୍ପରା ବଜାର ରଖୁବା ପାଇଁ ଦୀର୍ଘ ୪୦ ବର୍ଷ ଧରି ଏଭଳି କରି ଆସୁଛନ୍ତି ବୋଲି କୁହନ୍ତି ସେ |