ମନୋରଞ୍ଜନ
ପୁଲିସ ଏସ୍ଆଇ ପରୀକ୍ଷା ବାତିଲ ନେଇ ଆଶ୍ଚର୍ଯ୍ୟ ପ୍ରକଟ କଲେ ବିରୋଧୀ ଦଳ ନେତା

ଭୁବନେଶ୍ବର : ପୁଲିସ ଏସଆଇ ପରୀକ୍ଷା ସ୍ଥଗିତ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓପିଆରବି ଦ୍ବାରା ପରିଚାଳିତ ସିପିଏସଇ-୨୦୨୪ର ସବ-ଇନସପେକ୍ଟର ପରୀକ୍ଷା ଆସନ୍ତା ୫ ଓ ୬ ତାରିଖରେ ହେବାର ଥିଲା । କିନ୍ତୁ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଯେ, ପରୀକ୍ଷା ପୂର୍ବରୁ ତାହା ରଦ୍ଦ କରିବାକୁ ପଡିଲା ? ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା କେବଳ ଗୋଟିଏ ଘଟଣା ନୁହେଁ । କେଳେଙ୍କାରୀର ଲମ୍ବା ତାଲିକା ଦର୍ଶାଇଛନ୍ତି ନବୀନ ।
ଉଦାହାରଣ ଦେଇ ନବୀନ ପଟ୍ଟନାୟକ ଏହି ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଗତ ଜୁଲାଇ ମାସ ଠାରୁ ୪ଥର ପରୀକ୍ଷା ବାତିଲ କରାଯାଇଛି। ୨୦୨୫ ଜୁଲାଇରେ ସମାନ ସ୍ଥିତିରେ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା । ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଆରମ୍ଭ ହେବାର ମାତ୍ର କେଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଯୋଗୁଁ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେଲା ଏବଂ ପରୀକ୍ଷା ରଦ୍ଦ ହେଲା ।
ସେହିପରି ଜୁଲାଇ ୩୦ ଓ ୩୧ ତାରିଖରେ ଓଡ଼ିଶା ସବ ଅର୍ଡିନେଟ ଷ୍ଟାଫ ସିଲେକସନ କମିଶନ ଦ୍ବାରା ପରିଚାଳିତ RI, ARI, ଅମୀନ, ଅଙ୍ଗନବାଡି କେନ୍ଦ୍ରର ସୁପରଭାଇଜର, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅଧିକାରୀ ନିଯୁକ୍ତି ନେଇ ହେବାକୁ ଥିବା ମିଳିତ ନିଯୁକ୍ତି ପରୀକ୍ଷା ରଦ୍ଦ ହୋଇଥିଲା । ଅଗଷ୍ଟ ୨୨ରେ ଓଟିଇଟି ପରୀକ୍ଷା ଲାଗି ପୁନଃ ତାରିଖ ଘୋଷଣା ହେଲା । ହେଲେ ତାହା ମଧ୍ୟ ସ୍ଥଗିତ ହେଲା । ଏହାପରେ ଆଶାୟୀ ପରୀକ୍ଷାର୍ଥୀ ହତାଶ ହୋଇଥିଲେ । ଏହା ଦର୍ଶାଉଛି ଓଡିଶା ସରକାରଙ୍କର ନିଯୁକ୍ତି ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା, ବିଶ୍ବସନୀୟତାର ଘୋର ଅଭାବ ରହିଛି । ଯାହାକି ଲକ୍ଷାଧିକ ଚାକିରି ଆଶାୟୀଙ୍କୁ ଭୀଷଣ ମାତ୍ରାରେ ପ୍ରଭାବିତ କରୁଛି । ବିଜେପି ସରକାରଙ୍କ ବ୍ୟବସ୍ଥାଗତ ବିଫଳତା ବୋଲି ଏହା ସୂଚାଇ ଦେଉଛି । ଯଦି ଲୋକଙ୍କ ବିଶ୍ବାସ ଜିତିବାକୁ ଚାହୁଁଛନ୍ତି ଯେଉଁମାନେ ଏଥିଲାଗି ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ନବୀନ ସୋସିଆଲ ମିଡିଆ ଏକ୍ସରେ ପରାମର୍ଶ ଦେଇଛନ୍ତି ।
https://twitter.com/Naveen_Odisha/status/1973016682370073068