ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କାର୍ଯ୍ୟରେ ଅନୁଗୋଳର ‘ସାଥୀ ପରିବାର’

The Sakala Picture
Published On

ଅନୁଗୋଳ(ସଂଗ୍ରାମ ଦାସ): ଆଧୁନୀକରଣ ବିସ୍ଫୋରଣ, ବ୍ୟାପକ ପ୍ରାକୃତିକ ସମ୍ପଦ ଧ୍ୱଂସ ଏବଂ ଦ୍ରୁତ ଶିଳ୍ପାୟନ ଯୋଗୁଁ ପରିବେଶ ଆଜି ଅସନ୍ତୁଳିତ ଓ ଧ୍ୱଂସାଭିମୁଖୀ। ଏଭଳି ସଂଗୀନ ପରିସ୍ଥିତିରେ ମଧ୍ୟ ମାନବ ସମାଜ ବ୍ୟକ୍ତିଗତ ବିଳାସପୂର୍ଣ୍ଣ ଜୀବନଯାପନ ଓ ନିଜ ପ୍ରତିଷ୍ଠିତ ପ୍ରତି ଅଧିକ ଗମ୍ଭୀର। କିନ୍ତୁ ଅନ୍ୟପକ୍ଷରେ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ, ଏ କଥାକୁ ‘ସାଥୀ ପରିବାର’କେବଳ ବୁଝି ନାହାନ୍ତି; ବରଂ ନିଜ କର୍ମରେ ଏହାର ଯଥାର୍ଥତା ପ୍ରତିପାଦନ କରି ଦେଖାଇଛନ୍ତି। ୨୦୧୭ ମସିହାରୁ […]

ଅନୁଗୋଳ(ସଂଗ୍ରାମ ଦାସ): ଆଧୁନୀକରଣ ବିସ୍ଫୋରଣ, ବ୍ୟାପକ ପ୍ରାକୃତିକ ସମ୍ପଦ ଧ୍ୱଂସ ଏବଂ ଦ୍ରୁତ ଶିଳ୍ପାୟନ ଯୋଗୁଁ ପରିବେଶ ଆଜି ଅସନ୍ତୁଳିତ ଓ ଧ୍ୱଂସାଭିମୁଖୀ। ଏଭଳି ସଂଗୀନ ପରିସ୍ଥିତିରେ ମଧ୍ୟ ମାନବ ସମାଜ ବ୍ୟକ୍ତିଗତ ବିଳାସପୂର୍ଣ୍ଣ ଜୀବନଯାପନ ଓ ନିଜ ପ୍ରତିଷ୍ଠିତ ପ୍ରତି ଅଧିକ ଗମ୍ଭୀର। କିନ୍ତୁ ଅନ୍ୟପକ୍ଷରେ ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ, ଏ କଥାକୁ ‘ସାଥୀ ପରିବାର’କେବଳ ବୁଝି ନାହାନ୍ତି; ବରଂ ନିଜ କର୍ମରେ ଏହାର ଯଥାର୍ଥତା ପ୍ରତିପାଦନ କରି ଦେଖାଇଛନ୍ତି।

୨୦୧୭ ମସିହାରୁ ଅନୁଗୋଳ ଜିଲ୍ଲାର ୧୩ ଜଣ ସଦସ୍ୟ ନିଜର ବର୍ଷତମାମ ଶ୍ରମ, ସମୟ ଓ ସଞ୍ଚୟ ଦାନ କରି ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କାର୍ଯ୍ୟକରି ଗଢିଛନ୍ତି ‘ସାଥୀ ପରିବାର’ ନାମକ ଏକ ପରିବେଶଧର୍ମୀ ସାମାଜିକ ଅନୁଷ୍ଠାନ। ଅନୁଗୋଳ ସହରର ରାଜରାସ୍ତା କଡରେ ଥିବା କଣ୍ଟାବିଦ୍ଧ ବୃକ୍ଷଗୁଡିକୁ କଣ୍ଟାମୁକ୍ତ କରିବା କାର୍ଯ୍ୟରୁ ପରିକଳ୍ପନା ହୁଏ ‘ସାଥୀ ପରିବାର’ ଅନୁଷ୍ଠାନ। ପରବର୍ତ୍ତୀ ସମୟରେ ପ୍ରତ୍ୟେକ ବର୍ଷ ବର୍ଷା ଦିନେ ବିଭିନ୍ନ ଗ୍ରାମର ଖୋଲା ସରକାରୀ ଜାଗାରେ ବୃକ୍ଷରୋପଣ କରାଯାଏ ଏବଂ ବର୍ଷତମାମ ପ୍ରତି ବୃକ୍ଷକୁ ନିଜ ସନ୍ତାନ ଭଳି ଯତ୍ନ କରାଯାଏ। ଅନୁଷ୍ଠାନର କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୦, ୦୦୦ରୁ ଅଧିକ ଗଛ ଲଗାଯାଇଛି। ଗ୍ରୀଷ୍ମ ଦିନରେ ବୃକ୍ଷରୋପଣ କ୍ଷେତ୍ରଗୁଡିକରେ ଜଳ ସିଞ୍ଚନ ପାଇଁ ୨ଟି ବଡ ପାଣି ପମ୍ପର ବନ୍ଦୋବସ୍ତ କରାଯାଇଛି। ସାଥୀ ପରିବାର ଗତ ୮ ବର୍ଷ ମଧ୍ୟରେ ଅନୁଗୋଳ ଜିଲ୍ଲାର ପ୍ରାୟ ୨୦୦ ରୁ ଅଧିକ ଗ୍ରାମ ଓ ୫୦ରୁ ଅଧିକ ବିଦ୍ୟାଳୟ ସହ ମିଶି ଅନେକ ପରିବେଶଧର୍ମୀ ସଚେତନତା କାର୍ଯ୍ୟକ୍ରମ ଓ ତାମିଲ ଶିବିରର ଆୟୋଜନ କରିବାରେ ସକ୍ଷମ ହୋଇପାରିଛି।

ଜଙ୍ଗଲ ନିଆଁ ରୋକିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ପ୍ରତି ବର୍ଷ ୫୦୦ କିଲୋମିଟର ସାଇକଲ ଯାତ୍ରା କରି ବିଭିନ୍ନ ଗ୍ରାମର ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜଙ୍ଗଲ ନିଆଁ ନିବାରଣ ବାବଦରେ ସଚେତନ କରି ଆସୁଛନ୍ତି। ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ପରିବେଶ ଅନୁକୂଳ ଅଭ୍ୟାସ ବାବଦରେ ସଚେତନ କରାଯାଉଛି। ଅଳ୍ପ ବ୍ୟବହାର କରିବା, ପୁନଃ ବ୍ୟବହାର କରିବା ଏବଂ ନିଜ ଜୀବନଶୈଳୀକୁ ପ୍ରକୃତି ସପକ୍ଷବାଦୀ କରିବା ପାଇଁ ଛାତ୍ରଛାତ୍ରୀଙ୍କ ପରାମର୍ଶ ଦିଆ ହେଉଛି। ସ୍ଥାନୀୟ ଜୈବବିବିଧତା ସୁରକ୍ଷା ପାଇଁ ଅନୁଷ୍ଠାନ ପକ୍ଷରୁ ଆଖପାଖ ଗ୍ରାମରୁ ଜଙ୍ଗଲୀ ଫଳଗଛର ମଞ୍ଜି ସଂଗ୍ରହ କରାଯାଇ ପ୍ରତି ବର୍ଷ ୩୦୦୦ ବେଡ ବିଶିଷ୍ଟ ନର୍ସରୀ ପ୍ରସ୍ତୁତ କରାଯାଉଛି। ବର୍ଷା ଦିନ ଆରମ୍ଭରେ ଚାରା ବଣ୍ଟା ଯିବା ସହ ବିଭିନ୍ନ ଖୋଲା ପଡ଼ିଆରେ ରୋପଣ କରାଯାଉଛି। ଏହା ବ୍ୟତୀତ ଛୋଟ ଆର୍ଦ୍ରଭୂମି ନିର୍ମାଣ ଓ ସଂରକ୍ଷଣ, ପ୍ଲାଷ୍ଟିକ ପ୍ରଦୂଷଣ ପାଇଁ ଇକୋ ବ୍ରିକ୍ସ ପ୍ରସ୍ତୁତ କାର୍ଯ୍ୟକ୍ରମ, ଡେରଜାଙ୍ଗ ଜଳଭଣ୍ଡାର ଓ ସାତକୋଶିଆ ଭଙ୍ଗାକାଚ ମୁକ୍ତ ଅଭୟାରଣ୍ୟ, ତାଳଗଛ ରୋପଣ ଓ ସଂରକ୍ଷଣ ଅଭିଯାନ, ଘରଚଟିଆ ସଂରକ୍ଷଣ ଅଭିଯାନ, ଯୁବ ଜଳବାୟୁ ସାକ୍ଷାତ ଅଭିଯାନ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷା ଆନ୍ଦୋଳନକୁ ବ୍ୟାପକ କରାଯିବାକୁ ସାଥୀ ପରିବାର ଅନୁଷ୍ଠାନ ପକ୍ଷରୁ ଅବିଶ୍ରାମ ପ୍ରଚେଷ୍ଟା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର