ନିର୍ଣ୍ଣାୟକ ଲଢ଼େଇର ବେଳ
ଭୂସ୍ୱର୍ଗ କାଶ୍ମୀରର ଅମରାବତୀ ଭାବେ ପରିଚିତ ଶାନ୍ତ, ସୁନ୍ଦର ଏବଂ ଐତିହାସିକ-ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରୁଥିବା ପହେଲ୍ଗାମ୍ ନିକଟସ୍ଥ ବୈସରନ୍ରେ ନାରକୀୟ ନରସଂହାର ଶୁଭ୍ର ବରଫାବୃତ୍ତ ମାଟି ରକ୍ତରେ ଭିଜିଛି। ଏହି ଘୃଣ୍ୟ କାପୁରୁଷୋଚିତ କାଣ୍ଡ ସମଗ୍ର ଭାରତର ଆତ୍ମାକୁ ଦୋହଲାଇ ଦେଇଛି। ବିଶ୍ୱବ୍ୟାପୀ ନିନ୍ଦା ଓ ମୃତାହତଙ୍କ ପରିବାର ପ୍ରତି ସମବେଦନାର ବାର୍ତ୍ତାମାନ ପହଞ୍ଚିବାରେ ଲାଗିଛି। ଏପରିକି ଚୀନ୍ ଓ ବାଂଲାଦେଶର କୁମ୍ଭୀରକାନ୍ଦଣା ମଧ୍ୟ ଶୁଣିବାକୁ ମିଳିଛି। ସ୍ୱାଭାବିକ ଭାବରେ ପାକିସ୍ତାନ ସହିତ ସମସ୍ତ କୂଟନୈତିକ-ବାଣିଜ୍ୟିକ […]
ଭୂସ୍ୱର୍ଗ କାଶ୍ମୀରର ଅମରାବତୀ ଭାବେ ପରିଚିତ ଶାନ୍ତ, ସୁନ୍ଦର ଏବଂ ଐତିହାସିକ-ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରୁଥିବା ପହେଲ୍ଗାମ୍ ନିକଟସ୍ଥ ବୈସରନ୍ରେ ନାରକୀୟ ନରସଂହାର ଶୁଭ୍ର ବରଫାବୃତ୍ତ ମାଟି ରକ୍ତରେ ଭିଜିଛି। ଏହି ଘୃଣ୍ୟ କାପୁରୁଷୋଚିତ କାଣ୍ଡ ସମଗ୍ର ଭାରତର ଆତ୍ମାକୁ ଦୋହଲାଇ ଦେଇଛି। ବିଶ୍ୱବ୍ୟାପୀ ନିନ୍ଦା ଓ ମୃତାହତଙ୍କ ପରିବାର ପ୍ରତି ସମବେଦନାର ବାର୍ତ୍ତାମାନ ପହଞ୍ଚିବାରେ ଲାଗିଛି। ଏପରିକି ଚୀନ୍ ଓ ବାଂଲାଦେଶର କୁମ୍ଭୀରକାନ୍ଦଣା ମଧ୍ୟ ଶୁଣିବାକୁ ମିଳିଛି। ସ୍ୱାଭାବିକ ଭାବରେ ପାକିସ୍ତାନ ସହିତ ସମସ୍ତ କୂଟନୈତିକ-ବାଣିଜ୍ୟିକ ସମ୍ପର୍କକୁ ଭାରତ ଛିନ୍ନ କରିବା ସହିତ ବହୁଚର୍ଚ୍ଚିତ ସିନ୍ଧୁ ନଦୀ ଜଳ ଚୁକ୍ତିରୁ ଓହରି ଆସିଛି। ପାକିସ୍ତାନ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇ ଏହାକୁ ଯୁଦ୍ଧ ଘୋଷଣା ରୂପେ ଅଭିହିତ କରିଛି ଏବଂ ପାଲଟା ପଦକ୍ଷେପ ସ୍ୱରୂପ ସିମ୍ଲା ଚୁକ୍ତିରୁ ଓହରି ଆସିବା ସହିତ ନିଜର ଆକାଶ ସୀମାରେ ଭାରତର ପ୍ରବେଶକୁ ନିଷେଧ କରିଛି। ଉଭୟ ଦେଶ ଉଚ୍ଚାୟୁକ୍ତ ଅଧିକାରୀମାନଙ୍କୁ ନିଜ ନିଜ ଦେଶକୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଉଭୟ ଦେଶର ନାଗରିକଙ୍କ ବିଦେଶ ଭ୍ରମଣ ଉପରେ କଟକଣା ଜାରି କରାଯାଇଛି।
ଏହି ନାରକୀୟ ନରସଂହାର ସହିତ ସମ୍ପୃକ୍ତ ଯେକୌଣସି ପକ୍ଷଙ୍କୁ କଡ଼ା ଦଣ୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ବେଳେ ଭାରତ ପାଖରେ ପ୍ରତିଶୋଧ ଓ ପାଲଟା ପଦକ୍ଷେପର ବିକଳ୍ପ କ’ଣ ରହିଛି ସେ ବିଷୟରେ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇସାରିଛି। ୨୦୧୯ପୂର୍ବରୁ ପାକିସ୍ତାନ ସୀମାନ୍ତରେ ଭାରତ ଏକାଧିକ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ ମଧ୍ୟ ସେଗୁଡ଼ିକୁ ଯଥାସମ୍ଭବ ଗୁପ୍ତ ରଖାଯାଇଥିଲା। କିନ୍ତୁ ୨୦୧୯ ଫେବୃଆରୀରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ କରିଥିବା ସର୍ଜିକାଲ୍ ଷ୍ଟ୍ରାଇକ୍କୁ ଆସନ୍ନ ସାଧାରଣ ନିର୍ବାଚନର ପୃଷ୍ଠଭୂମିରେ ଯେଭଳି ଦେଶାତ୍ମବୋଧର ପୁଟ ଦେଇ ନିର୍ବାଚନ ରଣନୀତିର ଅଂଶବିଶେଷ ଓ ପ୍ରଚାରସର୍ବସ୍ୱ କରିଦିଆଗଲା ସେଥିରେ ଭାରତୀୟଙ୍କ ଭାବାବେଗ ଭୋଟରେ ରୂପାନ୍ତରିତ ତ ହୋଇଗଲା, କିନ୍ତୁ ସର୍ଜିକାଲ୍ ଷ୍ଟ୍ରାଇକ୍ ସମ୍ଭାବନା ଆପାତତଃ ସମାପ୍ତ ହୋଇଗଲା। ଏବେ ପାକିସ୍ତାନ ସେନାବାହିନୀ ଅଧିକ ସଜାଗ ଓ ତତ୍ପର ଥିବାରୁ ପୁଣି ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ଦୁଇ ଦେଶ ମଧ୍ୟରେ ଆନୁଷ୍ଠାନିକ ଯୁଦ୍ଧକୁ ଜନ୍ମ ଦେଇପାରେ। ତେଣୁ ଭାରତ ସେଭଳି ପଦକ୍ଷେପ ନେବା ପୂର୍ବରୁ ଯଥାସମ୍ଭବ ସଂଯମ ରକ୍ଷା କରିପାରେ।
ଇତିମଧ୍ୟରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇସାରିଛି। ଏହାପରେ ଭାରତ ପାଖରେ ପାକିସ୍ତାନ ବିରୋଧରେ ପ୍ରତ୍ୟକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନକୁ ବାଦ୍ ଦେଲେ କେବଳ ବାଣିଜ୍ୟ-ଅର୍ଥନୈତିକ ଯୁଦ୍ଧ ହିଁ ଏକମାତ୍ର ବିକଳ୍ପ। ତେଣୁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଭାରତ ଜି-୨୦ ସଦସ୍ୟ ରାଷ୍ଟ୍ର ଉଚ୍ଚାୟୁକ୍ତଙ୍କ ବୈଠକ ଡାକିଛି। ପାକିସ୍ତାନରେ ପରିପୁଷ୍ଟ ହେଉଥିବା ଆତଙ୍କବାଦୀଙ୍କୁ ସମୂଳେ ନିପାତ କରିବାକୁ ଯଦି ଭାରତ ଇସ୍ରାଏଲ୍ ସଦୃଶ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଥାଏ କିମ୍ବା ଦୀର୍ଘକାଳୀନ ଭିତ୍ତିରେ ଅର୍ଥନୈତିକ ଯୁଦ୍ଧର ଯୋଜନା କରିଥାଏ, ସେଥିପ୍ରତି ସମଗ୍ର ବିଶ୍ୱର ସମର୍ଥନ ଏକଜୁଟ କରିବାର ଏହା ଏକ ପ୍ରୟାସ ହୋଇପାରେ, ଯାହା ସ୍ୱାଗତଯୋଗ୍ୟ ଓ ସମୟୋପଯୋଗୀ। ଆତଙ୍କବାଦର ସମ୍ପୂର୍ଣ୍ଣ ବିଲୋପ ଲକ୍ଷ୍ୟ ବିଶ୍ୱର ସମ୍ମିଳିତ ଉଦ୍ୟମ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ବିନା ସମ୍ଭବ ନୁହେଁ।
କେବଳ ଭାରତ ପାଇଁ ନୁହେଁ, ଆତଙ୍କବାଦ ପୀଡ଼ିତ ସବୁଦେଶ ପାଇଁ ଏହା ହିଁ ନିର୍ଣ୍ଣାୟକ ଅଭିଯାନ ଆରମ୍ଭ କରିବାର ବେଳ। ଘୋଷଣା, କଟକଣା ଓ ନିନ୍ଦା ଆଦି ଦ୍ୱାରା ଏହି ଅଭିଯାନ ସଫଳ ହେବ ନାହିଁ। ଭିସା କଟକଣା, ଉଚ୍ଚାୟୁକ୍ତ ପ୍ରତ୍ୟାହାର, ଜଳ-ସ୍ଥଳ-ଆକାଶ ସୀମା ସିଲ୍, କୂଟନୈତିକ ସମ୍ପର୍କ ଛିନ୍ନ ପରି ଘଟଣା ଓ ଘୋଷଣାଗୁଡ଼ିକ ସାମ୍ପ୍ରତିକ ପରିସ୍ଥିତିରେ ସାଧାରଣ ହୋଇଗଲାଣି। ଭାରତ ସମେତ ବିଶ୍ୱ ଇତିହାସରେ ଏଭଳି ଘଟଣା ଅନେକ ଥର ଘଟିଛି, କିନ୍ତୁ ଅସଲ ସମସ୍ୟାର ସମାଧାନ ସୁଦୂର ପରାହତ ହୋଇ ରହିଯାଇଛି। ତେଣୁ ଏଭଳି ପ୍ରଚାରସର୍ବସ୍ୱ ପଦକ୍ଷେପରୁ ଊର୍ଦ୍ଧ୍ବକୁ ଯାଇ ନିର୍ଣ୍ଣାୟକ, ପ୍ରଭାବଶାଳୀ ଓ ଦୀର୍ଘସ୍ଥାୟୀ ଅଭିଯାନ ଭାରତ ମାଟିରୁ ହିଁ ଆରମ୍ଭ ହେଉ। ପାକିସ୍ତାନ ଯେ ଆତଙ୍କବାଦୀଙ୍କ ଚରାଭୂଇଁ ଏହା ସମଗ୍ର ବିଶ୍ୱ ଅବଗତ। କିନ୍ତୁ ଦୃଢ଼ ଓ ପ୍ରତ୍ୟକ୍ଷ ପ୍ରମାଣ ଅଭାବରୁ ଏବଂ ଭୂ-ରାଜନୈତିକ ବାଧ୍ୟବାଧକତାରୁ ପାକିସ୍ତାନ ଭୂମିରୁ ଆତଙ୍କବାଦର ସମ୍ପୂର୍ଣ୍ଣ ବିଲୋପ ସାଧନ ପାଇଁ ନିର୍ଣ୍ଣାୟକ ଅଭିଯାନ ଆରମ୍ଭ ହୋଇପାରୁନାହିଁ। ଏହି ପୃଷ୍ଠଭୂମିରେ ପାକିସ୍ତାନ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପୂର୍ବରୁ ଭାରତ ପହେଲଗାମ୍ ଘଟଣାରେ ପାକିସ୍ତାନର ପ୍ରଚ୍ଛନ୍ନ ସମ୍ପୃକ୍ତି ବିଷୟରେ ସବିଶେଷ ଅକାଟ୍ୟ ପ୍ରମାଣ ଯୋଗାଡ଼ କରି ବିଶ୍ୱ ଦରବାରରେ ଉପସ୍ଥାପନ କରିବାକୁ ପଡ଼ିବ। ଏହା ବିନା ପାକିସ୍ତାନକୁ ଅର୍ଥନୈତିକ-କୂଟନୈତିକ ସ୍ତରରେ ବାସନ୍ଦ କରିବାରେ ଭାରତର ପ୍ରୟାସ ପ୍ରଭାବଶାଳୀ ହୋଇପାରିବ ନାହିଁ। ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ୍ ପରେ ଭାରତର ଭାବମୂର୍ତ୍ତିରେ ଲାଗିଥିବା ଦାଗ ମଧ୍ୟ ଧୋଇବାକୁ ହେବ।
ଏଠାରେ ଆଉ ଏକ ବିଷୟ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ। କାଶ୍ମୀରରେ ବାରମ୍ବାର ଘଟୁଥିବା ଏଭଳି ଘଟଣା ପଛରେ ଥିବା ଆମ ନିଜ ଦୋଷତ୍ରୁଟି ଉପରୁ ଭାବପ୍ରବଣ ଭାରତୀୟଙ୍କ ଧ୍ୟାନ ହଟାଇବା ପାଇଁ ଯଦି ପାକିସ୍ତାନକୁ ଘୋଷଣାସର୍ବସ୍ୱ ଆକ୍ରମଣ ଉଦ୍ୟମ ହେଉଥାଏ ତେବେ ତାହା ପ୍ରଭାବଶାଳୀ ହେବ ନାହିଁ। ପ୍ରାପ୍ତ ସୂଚନା ଅନୁଯାୟୀ କାଶ୍ମୀରରେ ନିକଟ ଭବିଷ୍ୟତରେ(ଗ୍ରୀଷ୍ମଋତୁରେ) ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଗୁଇନ୍ଦା ସୂଚନା ଥିଲା। ଜାମ୍ମୁକାଶ୍ମୀରର ଶାନ୍ତି ଓ ସୁରକ୍ଷା ସମ୍ପର୍କରେ ଦୁଇଦୁଇଥର ଉଚ୍ଚ କ୍ଷମତାସମ୍ପନ୍ନ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏହି ଗୁଇନ୍ଦା ସୂଚନାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିବା ପରି ମନେ ହେଉନାହିଁ। ୩୭୦ ଧାରା ଉଚ୍ଛେଦ ଓ ଜାମ୍ମୁକାଶ୍ମୀର ରାଜ୍ୟ ବିଧାନସଭା ନିର୍ବାଚନ ପରେ ଯେ ପାକିସ୍ତାନ ଓ ଚୀନ୍ ପ୍ରାୟୋଜିତ ଆତଙ୍କବାଦୀମାନେ ଅଧିକ କ୍ଷୁବ୍ଧ ହୋଇଥିବେ ଏବଂ କିଛି ବଡ଼ଧରଣର ଯୋଜନା କରୁଥିବେ ତାହା ଅନୁମାନ କରିବାରେ ଆମେ ଯେ ବିଫଳ ହୋଇଛୁ ଏହା ସ୍ୱୀକାର କରିବାକୁ ପଡ଼ିବ। ଗୁଇନ୍ଦା ସୂଚନାକୁ ହେୟ ମନେ କରିବାର ପରିଣାମ କାରଗିଲ୍ ଯୁଦ୍ଧରେ ପ୍ରତିଫଳିତ ହେଉଥÒଲା ଯେଉଁଥÒରେ ୫୨୭ ଭାରତୀୟ ଯବାନ ସହିଦ ଓ ୧୩୬୩ କ୍ଷତାକ୍ତ ହୋଇଥିଲେ। ପୁଣି ଥରେ ଏଭଳି ମାତ୍ରାଧିକ ଆତ୍ମବିଶ୍ୱାସର ପରିଣାମ ୨୮ ନିରୀହ ନାଗରିକଙ୍କ ଜୀବନ ନେଇଛି। ସଦ୍ୟତମ ଆତଙ୍କବାଦ ଘଟଣା ସହିତ ‘ଧର୍ମ’ ଭଳି ସ୍ପର୍ଶକାତର ପ୍ରସଙ୍ଗ ଯୋଡ଼ି ହୋଇଯାଇଥିବାରୁ ଆଗାମୀ ଦିନରେ ଭାରତରେ ଆଭ୍ୟନ୍ତରୀଣ ସାମ୍ପ୍ରଦାୟିକ ଉତ୍ତେଜନା ଓ ହିଂସା ଅଧିକ ଉଗ୍ର ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇହେବ ନାହିଁ। ତେଣୁ ଭାରତ ସରକାର ଦୁଷ୍ଟ ପଡ଼ୋଶୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ନିଜ ଘରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରନ୍ତୁ। ସରକାରଙ୍କ ଦ୍ବାରା ଆହୂତ ସର୍ବଦଳୀୟ ବୈଠକର ନିଷ୍କର୍ଷ ଜାତି-ଧର୍ମ-ଦଳୀୟ ଆଦର୍ଶରୁ ଊର୍ଦ୍ଧ୍ବରେ ମହତ୍ତର ଜାତୀୟ ସ୍ବାର୍ଥ ସମର୍ପିତ ହେଉ ।






