ନିନ୍ଦନୀୟ ଅପପ୍ରଚାର
ପହଲଗାମ ଆତଙ୍କବାଦୀ ଆକ୍ରମଣର ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ଏହି ଆକ୍ରମଣ କେବଳ ଅମାନୁଷିକ କାଣ୍ଡ ନୁହେଁ, ଏହା ଥିଲା ମାନବିକତାର ହତ୍ୟା। ଏହାକୁ ଦେଶବିଦେଶରେ ଏକ ସ୍ୱରରେ ନିନ୍ଦା କରାଯାଇଛି। ଭାରତରେ ମଧ୍ୟ ସମସ୍ତ ଲୋକ ରାଜନୀତିରୁ ଊର୍ଦ୍ଧ୍ବରେ ଏହାର କେବଳ ନିନ୍ଦା କରି ନାହାନ୍ତି, ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି। ସେମାନେ ଜଣାଇଛନ୍ତି ଯେ ସରକାର ଏ ଦିଗରେ ଯାହା କାର୍ଯ୍ୟାନୁଷ୍ଠାନ […]
ପହଲଗାମ ଆତଙ୍କବାଦୀ ଆକ୍ରମଣର ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ଏହି ଆକ୍ରମଣ କେବଳ ଅମାନୁଷିକ କାଣ୍ଡ ନୁହେଁ, ଏହା ଥିଲା ମାନବିକତାର ହତ୍ୟା। ଏହାକୁ ଦେଶବିଦେଶରେ ଏକ ସ୍ୱରରେ ନିନ୍ଦା କରାଯାଇଛି। ଭାରତରେ ମଧ୍ୟ ସମସ୍ତ ଲୋକ ରାଜନୀତିରୁ ଊର୍ଦ୍ଧ୍ବରେ ଏହାର କେବଳ ନିନ୍ଦା କରି ନାହାନ୍ତି, ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି। ସେମାନେ ଜଣାଇଛନ୍ତି ଯେ ସରକାର ଏ ଦିଗରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାହାକୁ ସେମାନେ ସମର୍ଥନ କରିବେ। ଦେଶସାରା ମଧ୍ୟ ସେହି ଗୋଟିଏ ସ୍ୱର – ପାକିସ୍ତାନକୁ ଠିକଣା ଜବାବ ଦରକାର।
ଶ୍ରୀନଗରଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ପହଲଗାମ ଘଟଣାରେ ମର୍ମାହତ ଲୋକମାନଙ୍କ ମଧ୍ୟରେ କ୍ରୋଧର ନିଅାଁ ଜଳୁଛି। ଭାରତ ସରକାର ମଧ୍ୟ ପାକିସ୍ତାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପହଲଗାମ ଆକ୍ରମଣ ବେଳେ ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଗସ୍ତକୁ କାଟଛାଣ୍ଟ କରି ଭାରତ ଫେରି ଆସିଥିଲେ। ନୂଆଦିଲ୍ଲୀ ଫେରିବା ପରେ ସେ ପାକିସ୍ତାନ ଉଦ୍ଦେଶ୍ୟରେ କଡ଼ା ବାର୍ତ୍ତା ଦେଇ କହିଥିଲେ ଯେ ପହଲଗାମ ଆକ୍ରମଣକାରୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କୁ ଏଭଳି ଦଣ୍ଡିତ କରାଯିବ ଯେ ଭବିଷ୍ୟତରେ ଏଭଳି କାଣ୍ଡ ଘଟାଇବାକୁ ସାହସ କରିବେ ନାହିଁ। ଭାରତ-ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭାରତ ବାତିଲ କରିବା ସହିତ ଭାରତ ଗସ୍ତରେ ଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତରେ ଥିବା ପାକିସ୍ତାନୀ ସାମରିକ ଉପଦେଷ୍ଟାଙ୍କୁ ବହିଷ୍କାର କରାଯିବା ସହିତ ସେଠାକାର କାର୍ଯ୍ୟାଳୟର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପକୁ ଉଚିତ ଜବାବ ଦେବା ଲାଗି ତିନି ସେନାବାହିନୀ ପକ୍ଷରୁ ସମରାଭ୍ୟାସ ଜାରି ରହିଛି। ଭାରତ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହାକୁ ଦେଶବାସୀ ଉତ୍ସୁକୁତାର ସହ ଅପେକ୍ଷା କରିଛନ୍ତି।
ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜାମ୍ମୁ-କାଶ୍ମୀରରୁ ଯେଉଁ ଖବର ଆସିଛି, ତାହା ନିଶ୍ଚିତ ରୂପେ ଉତ୍ସାଜନକ। ଯାହା ପୂର୍ବରୁ ଦେଖିବାକୁ ମିଳିନଥିଲା, ତାହା ଏବେ ଦେଖିବାକୁ ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ସମଗ୍ର କାଶ୍ମୀର ଶୋକରେ ବୁଡ଼ି ରହିଛି। କାଶ୍ମୀରରେ ବନ୍ଦ ପାଳନ କରାଯିବା ସହିତ ଲୋକେ ରାସ୍ତା ଉପରକୁ ଆସି ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଭର୍ତ୍ସନା କରିଛନ୍ତି। ଆତଙ୍କବାଦୀ ଆକ୍ରମଣକୁ କଶ୍ମୀରିୟତ୍ ଓ ମାନବିକତାର ହତ୍ୟା ବୋଲି କହିଛନ୍ତି। ରାଜ୍ୟର ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ଆୟୋଜିତ ରାଲିରେ ଭାରତର ଜାତୀୟ ପତାକା ଧରି ହିନ୍ଦୁସ୍ତାନ ଜିନ୍ଦାବାଦର ନାରା ଦେଇଛନ୍ତି। ସବୁଠାରୁ ଉଲ୍ଳେଖନୀୟ ବିଷୟ ହେଉଛି ଯେ ଅତୀତରେ କାଶ୍ମୀରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିନଥିଲା। ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରୀମାନେ ମଧ୍ୟ ଶୋଭାଯାତ୍ରା ବାହାର କରି ପାକିସ୍ତାନ ଓ ଆତଙ୍କବାଦର ନିନ୍ଦା କରିଛନ୍ତି। କେବଳ ଏତିକି ନୁହେଁ, ପହଲଗାମ ଆକ୍ରମଣ ବେଳେ କାଶ୍ମୀର ବାସିନ୍ଦା ପର୍ଯ୍ୟଟକମାନଙ୍କୁ ରକ୍ଷା କରିବା ଲାଗି ନିଜର ଜୀବନକୁ ବାଜିରେ ଲଗାଇଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆଦିଲ ଶାହ ହୁସେନ୍, ନଜାକତ ଅଲ୍ଲୀ, ରୁବିନା, ମୁମତାଜ ଏବଂ ଏମିତି ଅନେକ ସ୍ଥାନୀୟ ବାସିନ୍ଦା। ପର୍ଯ୍ୟଟକଙ୍କ ସୁରକ୍ଷା କରିବା ଲାଗି ଆଦିଲ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରି ସେମାନଙ୍କଠାରୁ ରାଇଫଲ ଛଡ଼ାଇବାକୁ ସାହସ କରିଥିଲେ। ଆତଙ୍କବାଦୀଙ୍କ ସହ ଲଢ଼େଇରେ ସେ ସହିଦ ହୋଇଛନ୍ତି। ଅନ୍ୟମାନେ ମଧ୍ୟ ପର୍ଯ୍ୟଟକମାନଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରି ସେମାନଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ସୁରକ୍ଷା ଦେଇଥିଲେ। କାଶ୍ମୀରରୁ ଫେରିଥିବା ଅନେକ ପର୍ଯ୍ୟଟକଙ୍କ ପରିବାର ଏହି ଲୋମଟାଙ୍କୁରା ଓ ହୃଦୟବିଦାରକ ଘଟଣା ବର୍ଣ୍ଣନା କରିବା ସହିତ କାଶ୍ମୀରବାସୀଙ୍କର ପ୍ରଶଂସା କରିଛନ୍ତି।
ଦୁର୍ଭାଗ୍ୟର ବିଷୟ ହେଉଛି ଯେ ସାମାଜିକ ଗଣମାଧ୍ୟମରେ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ପରିସ୍ଥିତିକୁ ଭିନ୍ନ ରୂପେ ଚିତ୍ରଣ କରାଯାଉଛି। ହିନ୍ଦୁ-ମୁସଲମାନ ନାମରେ ବିଷାକ୍ତ ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ ଚାଲିଛି। ଏଥିରେ କେତେକ ଜାତୀୟ ଗଣମାଧ୍ୟମ ମଧ୍ୟ ସାମିଲ ହୋଇଛନ୍ତି। ଏହା ନିନ୍ଦନୀୟ ନିଶ୍ଚୟ। କେତେକ ରାଜ୍ୟରେ କାଶ୍ମୀରୀ ଛାତ୍ରଙ୍କ ଉପରେ ଆକ୍ରମଣ କରାଯାଇଥିବାର ମଧ୍ୟ ଖବର ଆସିବାରେ ଲାଗିଛି। ଆତଙ୍କବାଦ ଓ ଏହାର ଆଡ଼ା ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦେଶବାସୀ ଏକ ହୋଇଥିବା ବେଳେ ଧର୍ମ ନାମରେ ଏଭଳି ଉତ୍ତେଜନା ଆଦୌ ଗ୍ରହଣୀୟ ନୁହେଁ। ଏଭଳି ପରିବେଶ ସୃଷ୍ଟି କରି ସେମାନେ ପରୋକ୍ଷରେ ପାକିସ୍ତାନ ଷଡ଼ଯନ୍ତ୍ରକୁ ଚରିତାର୍ଥ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ପାକିସ୍ତାନର ଏକମାତ୍ର ଉଦ୍ଦେଶ୍ୟ ହଉଛି ଏଭଳି ହିଂସାକାଣ୍ଡ ଘଟାଇ ଭାରତକୁ ଅଶାନ୍ତ ଓ ଦୁର୍ବଳ କରିବା। ଏଭଳି ସ୍ଥିତିରୁ ରକ୍ଷା କରିବା ଲାଗି ଆମ ନେତାମାନେ ଆଗେଇ ଆସିବା ଉଚିତ। ଧର୍ମ ନାମରେ ଅଶାନ୍ତ ପରିବେଶ ସୃଷ୍ଟି ନ କରି ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ ଲଢ଼େଇକୁ ଜୋରଦାର କରିବା ଲାଗି ସବୁ ରାଜନୈତିକ ଦଳ ମିଳିତ ବିବୃତି ଜାରି କରନ୍ତୁ। ଏଥିସହିତ ସେମାନେ ନିଜ ନିଜ ଗଣମାଧ୍ୟମ ସେଲ୍ଗୁଡ଼ିକ ଉପରେ ଅଙ୍କୁଶ ଜାରି କରିବା ନିହାତି ଆବଶ୍ୟକ। ସରକାରଙ୍କ ସମ୍ପୃକ୍ତ ମନ୍ତ୍ରଣାଳୟ ମଧ୍ୟ ଏଭଳି ନିନ୍ଦନୀୟ ଅପପ୍ରଚାର କରୁଥିବା ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ ତତ୍କାଳ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।






