ଯୁଦ୍ଧଂଦେହି!
କେନ୍ଦ୍ରର ଏନ୍ଡିଏ ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିବା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ସୁପ୍ରିମୋ ଏମ କେ ଷ୍ଟାଲିନ୍ ଏକ ଆକସ୍ମିକ ଘଟଣାକ୍ରମେ ସଂଘୀୟ ବ୍ୟବସ୍ଥା ବା କେନ୍ଦ୍ର-ରାଜ୍ୟ ସମ୍ପର୍କର ସମୀକ୍ଷା ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି। ଜାତୀୟ ଶିକ୍ଷାନୀତିରେ ହିନ୍ଦୀ ଭାଷାର ବାଧ୍ୟତାମୂଳକ ପ୍ରଚଳନ, ସଂସଦୀୟ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ, ଟିକସରେ କେନ୍ଦ୍ରୀୟ ଭାଗ, ରାଜ୍ୟପାଳଙ୍କ ଅତିକ୍ରିୟା ଆଦି ପ୍ରସଙ୍ଗରେ କେନ୍ଦ୍ର ସହିତ ଏକପ୍ରକାର ମୁକାବିଲା ସ୍ଥିତିରେ […]
କେନ୍ଦ୍ରର ଏନ୍ଡିଏ ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିବା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ସୁପ୍ରିମୋ ଏମ କେ ଷ୍ଟାଲିନ୍ ଏକ ଆକସ୍ମିକ ଘଟଣାକ୍ରମେ ସଂଘୀୟ ବ୍ୟବସ୍ଥା ବା କେନ୍ଦ୍ର-ରାଜ୍ୟ ସମ୍ପର୍କର ସମୀକ୍ଷା ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି। ଜାତୀୟ ଶିକ୍ଷାନୀତିରେ ହିନ୍ଦୀ ଭାଷାର ବାଧ୍ୟତାମୂଳକ ପ୍ରଚଳନ, ସଂସଦୀୟ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ, ଟିକସରେ କେନ୍ଦ୍ରୀୟ ଭାଗ, ରାଜ୍ୟପାଳଙ୍କ ଅତିକ୍ରିୟା ଆଦି ପ୍ରସଙ୍ଗରେ କେନ୍ଦ୍ର ସହିତ ଏକପ୍ରକାର ମୁକାବିଲା ସ୍ଥିତିରେ ଥିବା ଷ୍ଟାଲିନ୍ଙ୍କ ଏହି ‘ଯୁଦ୍ଧଂଦେହି’ ଭଳି ନିଷ୍ପତ୍ତି କିଛି ପରିମାଣରେ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ହେଲେ ହେଁ ସମ୍ପୂର୍ଣ୍ଣ ଅଯୌକ୍ତିକ କିମ୍ବା ଅବାଞ୍ଛିତ ବୋଲି କୁହାଯାଇପାରିବ ନାହିଁ। ଯେତେବେଳେ ସଂଘୀୟ ବ୍ୟବସ୍ଥା ଦଳୀୟ ରାଜନୈତିକ ସ୍ୱାର୍ଥ ସାଧନ ଆଗରେ ବଳି ପଡ଼େ, ସାମ୍ବିଧାନିକ ମୂଲ୍ୟବୋଧ କ୍ଷୁଣ୍ଣ ହୁଏ, ସୁସ୍ଥ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅବନତି ଦେଖାଦିଏ, ଆଞ୍ଚଳିକ ଦଳମାନଙ୍କୁ ବର୍ଷ ବର୍ଷ ଧରି ଅବହେଳା ଓ ପାତରଅନ୍ତରର ସମ୍ମୁଖୀନ ହେବାକୁ ପଡ଼େ ସେତେବେଳେ ପୁଞ୍ଜିଭୂତ ଅସନ୍ତୋଷ ବିରୋଧାଭାସର ରୂପ ନିଏ।
ଆମ ଦେଶରେ ପ୍ରଚଳିତ ସଂଘୀୟ ଶାସନ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ, ସ୍ୱାୟତ୍ତତା ଏବଂ ଯୁଗ୍ମ ଦାୟିତ୍ୱ ଓ ଅଧିକାର ବିଷୟରେ ସମ୍ବିଧାନ ସ୍ପଷ୍ଟ କରିଛି। ଅଥଚ ଅର୍ଥନୀତି ପ୍ରସଙ୍ଗରେ ସ୍ପଷ୍ଟ ନୀତି ନିର୍ଦ୍ଧାରଣ ହୋଇନାହିଁ। ଅର୍ଥ ଆୟୋଗ ଦ୍ୱାରା ବିଭିନ୍ନ ସମୟରେ ନିର୍ଦ୍ଧାରିତ ସମ୍ବଳ ବଣ୍ଟନ ଓ କେନ୍ଦ୍ରୀୟ ସହାୟତା ଆବଣ୍ଟନ ସୂତ୍ର ହିଁ ଏ କ୍ଷେତ୍ରରେ ମାନଦଣ୍ଡ ହିସାବରେ ପରିଗଣିତ ହେଉଥିବା ବେଳେ କେନ୍ଦ୍ରର ପ୍ରଭାବ ଅଧିକ ରହୁଥିବା ଦେଖାଯାଉଛି। ବିଶେଷକରି ଜନସଂଖ୍ୟା ଆଧାରରେ ଟିକସ ଭାଗବଣ୍ଟାକୁ ଅଗ୍ରାଧିକାର ଦିଆଯାଉଥିବାରୁ ଜନବହୁଳ ରାଜ୍ୟମାନେ ଜାତୀୟ ରାଜକୋଷକୁ କମ୍ ଟିକସ ଅବଦାନ ଦେଇ ମଧ୍ୟ ଅଧିକ ସମ୍ବଳ, ସହାୟତା ଓ ଅନୁଦାନ ଆଦିରେ ଅଧିକ ଅଂଶ ହାତେଇ ନେଉଛନ୍ତି। ଅପରପକ୍ଷରେ ଯେଉଁ ରାଜ୍ୟମାନେ ଜନସଂଖ୍ୟା ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ବିକାଶ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛନ୍ତି ସେମାନଙ୍କୁ ଯଥୋଚିତ ପ୍ରୋତ୍ସାହନ କିମ୍ବା ନ୍ୟାୟ ମିଳୁ ନାହିଁ। ଓଡ଼ିଶା ସମେତ ଦେଶର ଦକ୍ଷିଣାଞ୍ଚଳ ରାଜ୍ୟମାନେ ଏ କ୍ଷେତ୍ରରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଓ ଅବହେଳିତ। ସେଥିପାଇଁ ଆର୍ଥିକ ସ୍ୱାୟତ୍ତତା ଓ ସ୍ୱତନ୍ତ୍ର ଶ୍ରେଣୀଭୁକ୍ତ ରାଜ୍ୟ ଦାବି ଉଠୁଛି।
ସମ୍ପ୍ରତି ଜିଏସ୍ଟି ପ୍ରବର୍ତ୍ତନ ପରେ ରାଜ୍ୟମାନଙ୍କର ଅର୍ଥ ସଂଗ୍ରହ ଉତ୍ସ ସଂକୁଚିତ ହୋଇଛି। ତେଣୁ ସେମାନେ ବିକାଶମୂଳକ କାର୍ଯ୍ୟ ଏବଂ ଜରୁରିକାଳୀନ ଖର୍ଚ୍ଚ ନିମନ୍ତେ କେନ୍ଦ୍ର ପାଖରେ ହାତ ପତାଇବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ କେନ୍ଦ୍ରୀୟ ପାଣ୍ଠି ମଞ୍ଜୁରୀରେ ଅହେତୁକ ଓ ଉଦ୍ଦେଶ୍ୟମୂଳକ ବିଳମ୍ବ ଘଟୁଥିବାରୁ ସେମାନେ ନ୍ୟାୟପାଳିକାର ଦ୍ୱାରସ୍ଥ ହେବାକୁ ପଡ଼ୁଛି। ଓଡ଼ିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ ଭଳି ରାଜ୍ୟ ଏ ପ୍ରସଙ୍ଗରେ କେନ୍ଦ୍ରୀୟ ଉପେକ୍ଷାକୁ ବାରମ୍ବାର ବିରୋଧ କରିଆସୁଛନ୍ତି। ଏହି କ୍ଷେତ୍ରଟି ହିଁ କେନ୍ଦ୍ର-ରାଜ୍ୟ ସମ୍ପର୍କ ବା ସଂଘୀୟ ବ୍ୟବସ୍ଥାକୁ ଅସନ୍ତୁଳିତ କରୁଛି। ତେଣୁ ସମ୍ପ୍ରତି ଷ୍ଟାଲିନ୍ ଯେଉଁ ଆୟୋଗ କଥା ଚିନ୍ତା କରିଛନ୍ତି ତାହା ଦୀର୍ଘଦିନର ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ବୋଲି କୁହାଯାଇପାରେ।
ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି କୁରିଅନ୍ ଜୋସେଫ୍ଙ୍କ ଅଧ୍ୟକ୍ଷତାରେ ଏବଂ ଭାରତୀୟ ପ୍ରଶାସନିକ ସେବାର ପୂର୍ବତନ ଅଧିକାରୀ ଅଶୋକ ବର୍ଦ୍ଧନ ସେଟ୍ଟୀ, ଅର୍ଥନୀତିଜ୍ଞ ଏମ୍ ନାଗନାଥନ୍ଙ୍କ ସଦସ୍ୟତାରେ ଗଠିତ ତାମିଲନାଡ଼ୁର ଏହି ଉଚ୍ଚସ୍ତରୀୟ କମିଟି କେନ୍ଦ୍ର-ରାଜ୍ୟ ସମ୍ପର୍କ ସମ୍ପର୍କିତ ନୀତି, ନିୟମ, ବିଭିନ୍ନ ସୁପାରିସ ଆଦିକୁ ସମୀକ୍ଷା କରି ସଂଘୀୟ ବ୍ୟବସ୍ଥାକୁ ସନ୍ତୁଳନ କରିବା ଏବଂ ରାଜ୍ୟମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ କେତେକ ନୀତିଗତ ପଦକ୍ଷେପର ସୁପାରିସ କରିବ। ଷ୍ଟାଲିନ୍ଙ୍କ ଏହି ପଦକ୍ଷେପ କିନ୍ତୁ ତାମିଲନାଡ଼ୁ ରାଜନୈତିକ ଇତିହାସରେ ପ୍ରଥମ ବୋଲି କୁହାଯାଇପାରିବ ନାହିଁ। ପ୍ରାୟ ୫୧ ବର୍ଷ ପୂର୍ବରୁ ତାମିଲନାଡ଼ୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସି ଏନ୍ ଆନ୍ନାଦୁରାଇ ଓ ଏମ୍ କରୁଣାନିଧି ଏଭଳି ଏକ ଆୟୋଗ ଗଠନ କରିଥିଲେ। ଏ ସମ୍ପର୍କିତ ଜାତୀୟସ୍ତରରେ ଗଠିତ ସରକାରିଆ ଆୟୋଗ ଓ ପୁଞ୍ଚି ଆୟୋଗ ଗଠନର ବହୁପୂର୍ବରୁ ତାମିଲ୍ନାଡ଼ୁରେ ଏ ସଂକ୍ରାନ୍ତ ଆୟୋଗ ଗଠନ ହୋଇ କେତେକ ସୁପାରିସ କରାଯାଇଥିଲେ ହେଁ ବିଭିନ୍ନ କାରଣରୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ତେଣୁ ଷ୍ଟାଲିନ୍ଙ୍କ ଦ୍ୱାରା ଗଠିତ କମିଟିର ସୁପାରିସ ଏବଂ ତାହାର କାର୍ଯ୍ୟକାରିତାର ବାସ୍ତବତା ମଧ୍ୟ ପ୍ରଶ୍ନ ଘେରରୁ ଊର୍ଦ୍ଧ୍ବକୁ ଯାଇପାରୁନାହିଁ। ରାଜ୍ୟସ୍ତରରେ ଗଠିତ ଏକ କମିଟି ମଧ୍ୟ କେନ୍ଦ୍ର-ରାଜ୍ୟ ସମ୍ପର୍କରେ କେତେ ସୁଧାର ଆଣିପାରିବ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରୁଛି।
ଏହି ପରିପ୍ରେକ୍ଷୀରେ ଷ୍ଟାଲିନ୍ କିନ୍ତୁ ଯେଉଁକେତେକ ମତ ଓ ମନ୍ତବ୍ୟ ଉପସ୍ଥାପନ କରିଛନ୍ତି ତାହା ପ୍ରଣିଧାନଯୋଗ୍ୟ। ସ୍ୱାଧୀନତା ପରଠାରୁ ଜାତୀୟ ରାଜନୀତିରେ ହିନ୍ଦୀ ଭାଷାଭାଷୀ ଉତ୍ତର-ପଶ୍ଚିମ-ମଧ୍ୟ ଭାରତର ଆଧିପତ୍ୟ ରହିଥିବା ବେଳେ କ୍ରମଶଃ ଏହା ଆହୁରି ସଘନ ହେଉଛି ଏବଂ ଅପରପକ୍ଷରେ ଆଞ୍ଚଳିକ ରାଜନୀତିର ସ୍ୱରକୁ ଚପାଇ ଦିଆଯାଉଥିବା ଅଭିଯୋଗ ବଢ଼଼ିବାରେ ଲାଗିଛି। ଗତାନୁଗତିକ ଢଙ୍ଗରେ ଦଳୀୟ ରାଜନୀତିରେ ମାଟି ବଦଳରେ ପାର୍ଟି ଗୁରୁତ୍ୱ ପାଉଥିବାରୁ ଜାତୀୟଦଳ ଶାସନାଧୀନ ରାଜ୍ୟମାନଙ୍କରେ ଆଞ୍ଚଳିକ ସ୍ୱାର୍ଥ ଓ ଅସ୍ମିତା ବଳି ପଡ଼ୁଛି। ତେଣୁ ‘ଶିଶୁର ଯତ୍ନ ଯେତେ ଭଲ ତା’ର ମାଆ ନେଇପାରିବ ଦିଲ୍ଲୀ(ଧାଈ) ନେଇପାରିବ ନାହିଁ’ ବୋଲି ଷ୍ଟାଲିନ୍ ଯେଉଁ ଆଞ୍ଚଳିକ ଅସ୍ମିତାର ମନ୍ତ୍ର ଫୁଙ୍କିଛନ୍ତି ଏବଂ ସମ୍ପ୍ରତି ରାଜନୀତିରେ ସବୁଠାରୁ ବଡ଼ ବିବାଦୀୟ ପ୍ରସଙ୍ଗ-ସଂସଦ(ଜାତୀୟ ରାଜନୀତିରେ ଅଧିକ ପ୍ରତିନିଧିତ୍ୱ), ସମ୍ବଳ(ଯଥୋଚିତ ନ୍ୟାୟସଙ୍ଗ କେନ୍ଦ୍ରୀୟ ଟିକସ ଭାଗବଣ୍ଟା), ସମ୍ମାନ(ଶାସନ ବ୍ୟବସ୍ଥରେ ସ୍ୱାୟତ୍ତତା ଓ ଶିକ୍ଷାନୀତିରେ ମାତୃଭାଷା)କୁ ନେଇ ରାଜନୀତିର ବ୍ୟାଖ୍ୟାନ ଆରମ୍ଭ କରିଛନ୍ତି, ତାହା ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଏବେଠାରୁ ଏନ୍ଡିଏର ମେଣ୍ଟ ସଦସ୍ୟ ଏଆଇଏଡିଏମ୍କେକୁ ଯେ ପଛକୁ ଠେଲି ଦେଇଛି ତାହା ସ୍ୱୀକାର କରିବାକୁ ହେବ।
ସାମ୍ପ୍ରତିକ ଭାରତୀୟ ଗଣତନ୍ତ୍ରର ମୁଖ୍ୟ ଆହ୍ୱାନ ହେଉଛି ଏହାର ମୌଳିକତାର ସୁରକ୍ଷା। ସାମ୍ପ୍ରତିକ ନିର୍ବାଚନୀ ରାଜନୀତି ଯେଉଁ ସ୍ତରକୁ ଗଲାଣି ସେଥିରେ ଭାରତୀୟ ଗଣତନ୍ତ୍ର କ୍ରମଶଃ ଅସୁସ୍ଥ ହୋଇପଡ଼ୁଥିବା ଅନୁଭୂତ ହେଉଛି। ଷ୍ଟାଲିନ୍ଙ୍କ ‘ଯୁଦ୍ଧଂ ଦେହି’ ଡାକରା ଆଉ ଏକ ପାଦ ଆଗକୁ ଯାଇ ଭାରତୀୟ ଅଖଣ୍ଡତା ଓ ଏକତା ପ୍ରତି ଆହ୍ୱାନ ସୃଷ୍ଟି କରିଛି। କିନ୍ତୁ ଏଥିପାଇଁ କେବଳ ଷ୍ଟାଲିନ୍ଙ୍କୁ ଏକାକୀ ଅଭିଯୁକ୍ତ ବୋଲି କୁହାଯାଇପାରିବ ନାହିଁ। ଏକ ସୁସ୍ଥ ଗଣତନ୍ତ୍ର ଏବଂ ଏହାର ମୌଳିକତାର ସୁରକ୍ଷା ପାଇଁ କେନ୍ଦ୍ରରେ ସଂଘୀୟ ବ୍ୟବସ୍ଥାର ଭିତ୍ତି ସୁଦୃଢ଼ ରହିବା ଜରୁରୀ। ଏଥିସହିତ ରାଜ୍ୟମାନଙ୍କର ସ୍ୱାୟତ୍ତତା ଓ ଅଧିକାର ମଧ୍ୟ ସୁରକ୍ଷିତ ରହିବା ଅପରିହାର୍ଯ୍ୟ। ଆଶା ଏଭଳି ଏକ ଘଡ଼ିସନ୍ଧି ସମୟରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅଧସ୍ତନ ନ ଭାବି ସହଯୋଗୀ ବୋଲି ମନେ କଲେ ଭାରତୀୟ ଗଣତନ୍ତ୍ରର ଅମୃତକାଳର ଯାତ୍ରା ସଫଳ ହେବ।






