ଉଚ୍ଚାଟ ଓ ଉଛନ

The Sakala Picture
Published On

ଅପରେସନ ସିନ୍ଦୂର ପୂର୍ବ ଦୁଇଟି ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନଠାରୁ ନିଆରା ଓ ନିର୍ଣ୍ଣାୟକ ଥିଲା। ପାକିସ୍ତାନର ମୂଳପିଣ୍ଡିରେ ଥିବା ସୁରକ୍ଷିତ ୪ଟି ଆତଙ୍କୀ ଭିତ୍ତିଭୂମିକୁ ଧ୍ୱଂସ କରିବା ସବୁଠାରୁ ବଡ଼ ସଫଳତା। ବିଶେଷକରି ସମ୍ଭାବ୍ୟ ଆକ୍ରମଣର ମୁକାବିଲା ସକାଶେ ପାକ୍‌‌ ସେନାବାହିନୀ ପ୍ରସ୍ତୁତ ଥିଲେ ମଧ୍ୟ ନିର୍ବିଘ୍ନରେ ଲକ୍ଷ୍ୟଭେଦ ଏତେ ସହଜ ନୁହେଁ। ବିଶ୍ୱରେ ଶକ୍ତି ଓ ପରାକ୍ରମ ପ୍ରଦର୍ଶନ କରି ଆସୁଥିବା ରାଷ୍ଟ୍ରକୁ ଏହା ପରୋକ୍ଷ ଚେତାବନୀ। ପହଲଗାମ ପ୍ରସଙ୍ଗର ଘଟଣାକ୍ରମରୁ ପାକିସ୍ତାନ ବୁଝିଯିବା ଉଚିତ […]

ଅପରେସନ ସିନ୍ଦୂର ପୂର୍ବ ଦୁଇଟି ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନଠାରୁ ନିଆରା ଓ ନିର୍ଣ୍ଣାୟକ ଥିଲା। ପାକିସ୍ତାନର ମୂଳପିଣ୍ଡିରେ ଥିବା ସୁରକ୍ଷିତ ୪ଟି ଆତଙ୍କୀ ଭିତ୍ତିଭୂମିକୁ ଧ୍ୱଂସ କରିବା ସବୁଠାରୁ ବଡ଼ ସଫଳତା। ବିଶେଷକରି ସମ୍ଭାବ୍ୟ ଆକ୍ରମଣର ମୁକାବିଲା ସକାଶେ ପାକ୍‌‌ ସେନାବାହିନୀ ପ୍ରସ୍ତୁତ ଥିଲେ ମଧ୍ୟ ନିର୍ବିଘ୍ନରେ ଲକ୍ଷ୍ୟଭେଦ ଏତେ ସହଜ ନୁହେଁ। ବିଶ୍ୱରେ ଶକ୍ତି ଓ ପରାକ୍ରମ ପ୍ରଦର୍ଶନ କରି ଆସୁଥିବା ରାଷ୍ଟ୍ରକୁ ଏହା ପରୋକ୍ଷ ଚେତାବନୀ। ପହଲଗାମ ପ୍ରସଙ୍ଗର ଘଟଣାକ୍ରମରୁ ପାକିସ୍ତାନ ବୁଝିଯିବା ଉଚିତ ଯେ ଏଣିକି ଆତଙ୍କବାଦ ବିରୋଧରେ ଯୁଦ୍ଧ ହିଁ ଶେଷ ଉତ୍ତର। ଆଗକୁ ସଂଯମ ରକ୍ଷା କରି ଆପୋସ ଆଲୋଚନାର ସୁଯୋଗ ସୃଷ୍ଟିର ଅବକାଶ ଆଉ ନାହିଁ। ଏକଥା ସତ ଯେ ଆମେ ବିଜୟର ଦ୍ୱାରଦେଶରେ ରହି ତାହାକୁ ହାତଛଡ଼ା କରିଛୁ। ତେବେ ଯୁଦ୍ଧ ସବୁବେଳେ ଗଣସଂହାରର ପ୍ରତୀକ। ମାନବିକତା ମୂଲ୍ୟବୋଧ ନିକଟରେ ବିଜୟ ଶ୍ରେୟ ହାସଲର ଗୁରୁତ୍ୱ କେତେ ତାହା ଆମ ପ୍ରଧାନମନ୍ତ୍ରୀ ହୃଦବୋଧ କରିଛନ୍ତି। ତେଣୁ କଠୋର ସମାଲୋଚନା ସତ୍ତ୍ବେ ସେ ପ୍ରବୁଦ୍ଧ ବୁଦ୍ଧଙ୍କ ଭୂମିକା ନିର୍ବାହ କରିଛନ୍ତି। ସବୁଠାରୁ ବଡ଼ ଉପଲବ୍ଧି ହେଉଛି, ଦଳମତ ଓ ସାମ୍ପ୍ରଦାୟିକ ବିବିଧତା ସତ୍ତ୍ବେ ରାଷ୍ଟ୍ରୀୟ ସ୍ୱାର୍ଥ ଯେ ସର୍ବାଗ୍ରେ ତାହାର ପ୍ରମାଣ ଆମେ ଦେଇଛୁ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁବିଧାବାଦୀ ଭୂମିକା ଏବେ ଆଲୋଚନା ପରିସରକୁ ଆସିଛି। ନିର୍ବାଚନରେ ବିପୁଳ ବିଜୟ ହାସଲ ଲୋକପ୍ରିୟତା ପରିଚୟ ନୁହେଁ। ଶାସନର ଶହେଦିନ ଏଥିମଧ୍ୟରେ ସେ ଅତିକ୍ରମ କରିଛନ୍ତି। ତାଙ୍କର କାର୍ଯ୍ୟଶୈଳୀ ଓ ବିଶ୍ୱରେ ନୂଆ ବାଣିଜ୍ୟ ବିଭ୍ରାଟ ସୃଷ୍ଟି କରି ଯେଉଁ ଅପବାଦ ଓ ଅପଯଶ ସେ ମୁଣ୍ଡାଇଛନ୍ତି, ତାହା ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରାମ ସୁଯୋଗ ସୃଷ୍ଟି କରି ଯେ ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରି ପକାଇଛନ୍ତି, ଏକଥା ନୁହେଁ। ଜାନୁଆରୀ ୨୦ରେ କ୍ଷମତାସୀନ ହେବା ପୂର୍ବରୁ ଇସ୍ରାଏଲ ଓ ଗାଜା ମଧ୍ୟରେ ଚାଲିଥିବା ଯୁଦ୍ଧରେ ସାମୟିକ ବିରାମ ଆଣି ଗାଜାପଟିରେ ନିଜର ମାଲିକାନା ଜାହିର କଲାଭଳି ପ୍ରସ୍ତାବ ଆଣିଥିଲେ। ଇସ୍ରାଏଲ ପ୍ରତି ତାଙ୍କର ସ୍ୱତନ୍ତ୍ର ଅନୁକମ୍ପା ଓ ସହାୟତା ସେହି ଦୁଇଦେଶ ମଧ୍ୟରେ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିବା ପରିବର୍ତ୍ତେ ଅଧିକ ତୀବ୍ର କରିଛି। ସେହିଭଳି ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ ଉଦ୍ୟମକୁ ଉଭୟପକ୍ଷ ବିରୋଧ କରିବାରୁ ସ୍ଥିତି ଅପରିବର୍ତ୍ତିତ ରହିଛି। ତେଣୁ ବିଶ୍ୱରେ ନିଜକୁ ଶାନ୍ତିର ବାର୍ତ୍ତାବହ ରୂପେ ଉପସ୍ଥାପନ କରିବାର ପ୍ରୟାସ ଚରମ ବିଫଳତାର ସମ୍ମୁଖୀନ ହୋଇ ୭୨ ଘଣ୍ଟା ଯୁଦ୍ଧରେ ପାକିସ୍ତାନ ସମ୍ମୁଖୀନ ହୋଇଥିବା ବିପର୍ଯ୍ୟୟକୁ ଏଡ଼ାଇଯିବା ସକାଶେ ଟ୍ରମ୍ପଙ୍କ ସହାୟତା ଲୋଡ଼ିଥିଲା। ସେ ଏହାକୁ ସୁଯୋଗ ରୂପେ ଗ୍ରହଣ କରି ଭାରତ ଓ ପାକିସ୍ତାନ ସକାଶେ ମଧ୍ୟସ୍ଥତା କରିଥିଲେ। ଏହି ଘଟଣାର ୨ ଦିନ ପୂର୍ବରୁ ଟ୍ରମ୍ପ ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହା ଦ୍ୱିପାକ୍ଷିକ ପ୍ରସଙ୍ଗ ହୋଇଥିବାରୁ ଭାରତ ଓ ପାକିସ୍ତାନ ଆପୋସ ବୁଝାମଣା ଭିତ୍ତିରେ ପରିସ୍ଥିତିକୁ ସୁଧାରିବା ସକାଶେ ପରାମର୍ଶ ଦେଇଥିଲେ। ଏପରିକି ଏହି ଘଟଣାରେ ଆମେରିକାର କିଛି ଭୂମିକା ନାହିଁ ବୋଲି ସେମାନେ ସ୍ପଷ୍ଟ କରିଥିଲେ। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଉଭୟ ରାଷ୍ଟ୍ର ନେତାଙ୍କୁ ଆଲୋଚନାକ୍ରମେ କିଛି ପରାମର୍ଶ ଦେଇପାରେ; କିନ୍ତୁ ମଧ୍ୟସ୍ଥତା ନୁହେଁ। ଦୁଇପକ୍ଷର ଡିଜିଏମ୍‌‌ଓ ସ୍ତରରେ ଯୁଦ୍ଧ ବିରାମ ଚୂଡ଼ାନ୍ତ ରୂପ ନେବା ପୂର୍ବରୁ ଟ୍ରମ୍ପଙ୍କ ମଧ୍ୟସ୍ଥତା ଓ ଘୋଷଣା ଟ୍ୱିଟ୍‌‌ ମାଧ୍ୟମରେ ସମଗ୍ର ବିଶ୍ୱକୁ ଜଣାଇବା ବଡ଼ଭାଇ ପଣିଆର ନିଦର୍ଶନ କୁହାଯାଇପାରେ। ଅବଶ୍ୟ ଆମ ସରକାରଙ୍କ ପକ୍ଷରୁ ଯୁଦ୍ଧ ବିରତି ଘୋଷଣାରେ ଟ୍ରମ୍ପଙ୍କ ଭୂମିକା ସ୍ଥାନ ପାଇନଥିଲା।

ପାକିସ୍ତାନ ୧୯୭୧ ଯୁଦ୍ଧ କରି ବିଭାଜିତ ହେବା ପରେ ଚାପର ସମ୍ମୁଖୀନ ହୋଇ ୧୯୭୨ରେ ସିମଳା ରାଜିନାମାରେ ସ୍ୱାକ୍ଷର କରିବାକୁ ବାଧ୍ୟ ହୋଇଥିଲା। କାଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉପସ୍ଥାପନ କରି ଭାରତ ଯେଉଁ ତ୍ରୁଟି କରିଥିଲା, ତାହା ସଂଶୋଧିତ ହୋଇଥିଲା ଏହି ରାଜିନାମାରେ। କାଶ୍ମୀର ସମେତ ଅନ୍ୟାନ୍ୟ ସବୁ ପ୍ରସଙ୍ଗ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଭାରତ ଓ ପାକିସ୍ତାନ ସମାଧାନ କରିବାକୁ ରାଜି ହୋଇଥିଲେ। ଆନ୍ତର୍ଜାତିକ ସ୍ତରରେ ଏହା ସ୍ୱୀକୃତି ଲାଭ କରିଥିଲା। ସାମ୍ପ୍ରତିକ ଯୁଦ୍ଧ ଘନଘଟା ମଧ୍ୟରେ ସାଉଦୀ ଆରବ, ଆରବ ଏମିରେଟ୍‌‌ ଓ ଇରାନ ପ୍ରତିନିଧି ଭାରତ ଓ ପାକିସ୍ତାନ ଗସ୍ତରେ ଆସି ଘଟଣାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ, ମଧ୍ୟସ୍ଥତା କରିନଥିଲେ। ତେବେ ଟ୍ରମ୍ପଙ୍କ ଏହି ବଡ଼ଭାଇ ପଣିଆ ଯାହାକୁ ଆମେ କହୁ ‘ଉପରେ ପଡ଼ି କଖାରୁ ବଡ଼ି’ ଭଳି ଭୂମିକାକୁ ଆମର ଅସ୍ୱୀକାର କରିବାର ଥିଲା। ଏହାକୁ ଆମର କୂଟନୈତିକ ବିଫଳତା କହିଲେ ଭୁଲ୍‌‌ ହେବ ନାହିଁ। ଏମିତିରେ ପାକିସ୍ତାନ ଏହି ପ୍ରସଙ୍ଗରେ ଅନ୍ତର୍ଜାତିକୀକରଣ ସପକ୍ଷରେ ରହିଆସିଛି। ଟ୍ରମ୍ପଙ୍କ ହସ୍ତକ୍ଷେପ ମାଧ୍ୟମରେ ସେ ତାହାର ସୁଯୋଗ ନେଇଛି। ଦେଶ ବିଭାଜନ ସମୟରୁ କାଶ୍ମୀରକୁ ନେଇ ଦୁଇରାଷ୍ଟ୍ର ମଧ୍ୟରେ ରହି ଆସିଥିବା ବିବାଦରେ ମଧ୍ୟ ସେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ଥିବାର ସୂଚନା ଦେଇଛନ୍ତି। ଭାରତ ଏବେ ହରଡ଼ ଘଣାରେ ପଡ଼ିଛି କହିଲେ ଭୁଲ୍‌‌ ହେବ ନାହିଁ।

ପାକିସ୍ତାନ ଭୟଙ୍କର ଆର୍ଥିକ ଦୁର୍ଗତି ମଧ୍ୟରେ ଗତି କରୁଥିବା ବେଳେ ଏହି ଯୁଦ୍ଧର ସମ୍ମୁଖୀନ ହୋଇଛି। ଗତ ୩୫ ବର୍ଷ ମଧ୍ୟରେ ସେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ୨୫ଥର ଦ୍ୱାରସ୍ଥ ହୋଇଛି। ଆର୍ଥିକ ସହାୟତା ପାଇଁ ତାହାର କ୍ରେଡିଟ୍‌‌ ରେଟିଙ୍ଗ ଏବେ ‘ସିଏଏ-୨’। ଋଣଧାରୀ ରାଷ୍ଟ୍ରଙ୍କ ମଧ୍ୟରେ ସେ ସର୍ବନିମ୍ନରେ ଅଛି। ଅଭିବୃଦ୍ଧି ହାର ୨.୫ ପ୍ରତିଶତ ହୋଇଥିବା ବେଳେ ମୁଦ୍ରାସ୍ଫୀତି ୨୫ ପ୍ରତିଶତ ଅତିକ୍ରମ କରିଛି। ଆତଙ୍କବାଦ ପ୍ରସଙ୍ଗକୁ ନେଇ ଯୁଦ୍ଧ ଘନଘଟାରେ ଜଡ଼ିତ ଥିବା ରାଷ୍ଟ୍ରକୁ ମୁଦ୍ରାପାଣ୍ଠି ଋଣ ନ ଦେବା ସକାଶେ ଭାରତ ଦାବି କରିଥିବା ବେଳେ ଯୁଦ୍ଧ ବିରତି ଘୋଷଣା ପୂର୍ବଦିନ ପାକିସ୍ତାନ ୨.୪ ବିଲିୟନ ଡଲାର ସହାୟତା ରାଶି ହାସଲ କରିଥିଲା। ଏ କ୍ଷେତ୍ରରେ ଆମେରିକାର ଭୂମିକା ବାରି ହୋଇପଡ଼ୁଛି। ତେଣୁ ଟ୍ରମ୍ପ ଯେ ଭାରତର ବନ୍ଧୁ ଏକଥା କୁହାଯାଇ ନପାରେ। ଯୁଦ୍ଧ ସମୟରେ ଆର୍ଥିକ ସହାୟତା ମାଧ୍ୟମରେ ପ୍ରୋତ୍ସାହିତ କରିବା ଟ୍ରମ୍ପଙ୍କ ଭାରତ ବିରୋଧୀ ଭୂମିକାକୁ ସ୍ପଷ୍ଟ କରିଛି।

ହୋଇପାରେ ଆମେରିକା ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର। କିନ୍ତୁ ଦେଶର ମୁଖିଆ ଯେତେବେଳେ କ୍ଷମତାର ଅହଂକାରରେ ନିଜର ବିଚାର ବୁଦ୍ଧି ହରାଏ, ସେତେବେଳେ ସହଯୋଗୀମାନେ ସମୟ ସୁବିଧା ଦେଖି ନିଜର ଆନୁଗତ୍ୟ ବଦଳାଇବାକୁ ବାଧ୍ୟ ହୁଅନ୍ତି। ନିଜର ବିଫଳତାକୁ ଘୋଡ଼ାଇବା ସକାଶେ ତାଙ୍କ ମନରେ ସୃଷ୍ଟି ହୋଇଥିବା ଉଚ୍ଚାଟ ପାକିସ୍ତାନ ପାଇଁ ସୁଯୋଗ ସୃଷ୍ଟି କରିଥିଲା। ତେଣୁ ସେ ଆଗ ପଛ ନ ବିଚାରି ମଧ୍ୟସ୍ଥତା ଘୋଷଣା କରିବାକୁ ଉଚ୍ଛନ ହୋଇପଡ଼ିଥିଲେ। ହେଲେ ଆମେ ସୁବିଧା ସ୍ଥିତିରେ ରହି ମୁଣ୍ଡ ପାତିଲୁ କାହିଁକି?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର