ମନୋରଞ୍ଜନ
ଓଡ଼ିଶା
ନଗଦ ବନ୍ୟା
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ସଦ୍ୟତମ ମୁଦ୍ରାନୀତି ସମୀକ୍ଷା କମିଟି ବୈଠକରେ ରିପୋ ରେଟ୍(ଯେଉଁ ସୁଧ ହାରରେ ଆରବିଆଇଠାରୁ ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ନିଅନ୍ତି) ୦.୫୦% ହ୍ରାସ କରିଛି। ଏହାକୁ ମିଶାଇ ଗତ ଫେବୃଆରୀ ମାସରୁ ଏ ପର୍ଯ୍ୟନ୍ତ କ୍ରମାଗତ ତିନିଥରରେ ରିପୋ ରେଟ୍ ୧ ପ୍ରତିଶତ ହ୍ରାସ ଘଟି ୫.୫% ହୋଇଛି। ଏଥିସହିତ ଆରବିଆଇରେ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ସୁଧ ରହିତ ଜମା ବା ନଗଦ ଜମା ଅନୁପାତ(ସିଆରଆର)ରେ ୧% ହ୍ରାସ ପାଇଛି, ଯାହା ଚଳିତ ଆର୍ଥିକ ବର୍ଷରେ […]
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ସଦ୍ୟତମ ମୁଦ୍ରାନୀତି ସମୀକ୍ଷା କମିଟି ବୈଠକରେ ରିପୋ ରେଟ୍(ଯେଉଁ ସୁଧ ହାରରେ ଆରବିଆଇଠାରୁ ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ନିଅନ୍ତି) ୦.୫୦% ହ୍ରାସ କରିଛି। ଏହାକୁ ମିଶାଇ ଗତ ଫେବୃଆରୀ ମାସରୁ ଏ ପର୍ଯ୍ୟନ୍ତ କ୍ରମାଗତ ତିନିଥରରେ ରିପୋ ରେଟ୍ ୧ ପ୍ରତିଶତ ହ୍ରାସ ଘଟି ୫.୫% ହୋଇଛି। ଏଥିସହିତ ଆରବିଆଇରେ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ସୁଧ ରହିତ ଜମା ବା ନଗଦ ଜମା ଅନୁପାତ(ସିଆରଆର)ରେ ୧% ହ୍ରାସ ପାଇଛି, ଯାହା ଚଳିତ ଆର୍ଥିକ ବର୍ଷରେ ଚାରିଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ରିପୋ ହାର ଓ ସିଆରଆର ହ୍ରାସ ପରେ ବ୍ୟାଙ୍କମାନଙ୍କ ହାତକୁ ଅଧିକ ନଗଦ ଆସିବ ଏବଂ ସେମାନେ ହାତ ଖୋଲା ଋଣ କାରବାର କରିପାରିବେ। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ କହିବା ଅନୁଯାୟୀ, ମୁଦ୍ରାସ୍ଫୀତିରେ ଉଲ୍ଲେଖନୀୟ ହ୍ରାସ ଘଟିଥିବାରୁ ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ପାଇଁ ଆରବିଆଇର ଏହି ପଦକ୍ଷେପ ଅପରିହାର୍ଯ୍ୟ ଥିଲା। ଯଦି ମୁଦ୍ରାସ୍ଫୀତି ପୋଷଣୀୟ ସୀମା ମଧ୍ୟରେ ରହେ ତେବେ ଆସନ୍ତା ମୁଦ୍ରାନୀତି ସମୀକ୍ଷା ବେଳେ ରିପୋ ରେଟ୍ ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ସାଧାରଣତଃ ମୁଦ୍ରାନୀତି ସମୀକ୍ଷାରେ ସୁଧ ହାର ହ୍ରାସ/ବୃଦ୍ଧି ନିଷ୍ପତ୍ତି ମୁଖ୍ୟତଃ ଦୁଇଟି ପ୍ରସଙ୍ଗ ଆଧାରିତ – ମୁଦ୍ରାସ୍ଫୀତି ଓ ଅଭିବୃଦ୍ଧି। ଯଦି ମୁଦ୍ରାସ୍ଫୀତି ଆରବିଆଇ ଦ୍ୱାରା ଧାର୍ଯ୍ୟ ବା ସହନଶୀଳ ସୀମାଠାରୁ ଊର୍ଦ୍ଧ୍ବମୁଖୀ ହୁଏ ତେବେ ସୁଧ ହାରରେ ବୃଦ୍ଧି କରାଯାଏ। ଫଳରେ ବ୍ୟାଙ୍କ ଋଣ ମହଙ୍ଗା ହୁଏ ଏବଂ ଲୋକମାନଙ୍କ ହାତକୁ ଟଙ୍କା ପ୍ରବାହ ଧୀମା ହୋଇ କ୍ରୟଶକ୍ତି ହ୍ରାସ ପାଏ। ବଜାରରେ ଯୋଗାଣ ସ୍ଥିର ରହି ଚାହିଦା ହ୍ରାସ ପାଇଲେ ଦରଦାମ ଆପେ ଆପେ ହ୍ରାସ ପାଇ ମୁଦ୍ରାସ୍ଫୀତି ନିମ୍ନମୁଖୀ ହୁଏ। ସେହିପରି ଯେତେବେଳେ ଅଭିବୃଦ୍ଧି ହାର ନୈରାଶ୍ୟଜନକ ହୁଏ ପୁଞ୍ଜି ନିବେଶକୁ ଅଧିକ ପ୍ରୋତ୍ସାହିତ କରି ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସୁଧ ହାରରେ ହ୍ରାସ କରାଯାଏ। ଲୋକମାନଙ୍କ ହାତକୁ ବ୍ୟାଙ୍କର କୋହଳ ଋଣ ଜରିଆରେ ଅଧିକ ଅର୍ଥ ଆସିଲେ ସେମାନଙ୍କ କ୍ରୟଶକ୍ତି ବଢ଼଼ିବା ଦ୍ୱାରା ବଜାର ଚାହିଦା ତ୍ୱରାନ୍ୱିତ ହୁଏ। ଚାହିଦା ଅନୁଯାୟୀ ଉତ୍ପାଦନ ବୃଦ୍ଧି ପାଏ ଏବଂ ଅର୍ଥନୀତି ଚଳଚଞ୍ଚଳ ହୁଏ। ବର୍ତ୍ତମାନ ଆମ ଦେଶର ଅର୍ଥନୈତିକ ସ୍ଥିତି ଦ୍ୱିତୀୟ ପ୍ରକାରର। ପାଇକାରୀ ମୁଦ୍ରାସ୍ଫୀତି ଗତ ଏପ୍ରିଲ୍ ମାସରେ ଗତ ବର୍ଷ ତୁଳନାରେ ୩.୨%କୁ ହ୍ରାସ ପାଇଥିବା ବେଳେ ଅର୍ଥନୈତିକ ଅଭିବୃଦ୍ଧି ବା ଜିଡିପି ଅଭିବୃଦ୍ଧି ହାର ୬.୫%(୨୦୨୪-୨୫ ଆର୍ଥିକ ବର୍ଷର ଶେଷ ତ୍ରୈମାସିକ)କୁ ହ୍ରାସ ପାଇଛି, ଯାହା କୋଭିଡ୍ ମହାମାରୀ ପରବର୍ତ୍ତୀ ସମୟରେ ସବୁଠାରୁ କମ୍। ତେଣୁ ସ୍ୱାଭାବିକ ଭାବେ ସାମ୍ପ୍ରତିକ ଅର୍ଥନୀତି ଶିଳ୍ପ ବା ଉତ୍ପାଦନ କ୍ଷେତ୍ରରେ ଅଧିକ ନିବେଶ ଆଶା କରୁଛି। ମୁଦ୍ରାସ୍ପୀତି ସହନଶୀଳ ଥିବାରୁ ଅଭିବୃଦ୍ଧିର ଇଞ୍ଜିନ୍କୁ ଗତିଶୀଳ କରିବା ପାଇଁ ସୁଧ ହାର ଓ ନଗଦ ଜମା ଅନୁପାତ ହ୍ରାସ କରିବାଠାରୁ ବଳି ଆରବିଆଇ ପାଖରେ ଅଧିକ ଭଲ ସୁଯୋଗ ଆଉ ଆସି ନପାରେ। ତେଣୁ ଅର୍ଥନୀତିର ଏହି ମୌଳିକ ତତ୍ତ୍ୱ ଆରବିଆଇ ମୁଦ୍ରାନୀତି କମିଟିର ସଦସ୍ୟଙ୍କ ନିଷ୍ପତ୍ତିରେ ଯଥାର୍ଥରେ ପ୍ରତିଫଳିତ ହୋଇଛି।
ଅର୍ଥନୀତି କିନ୍ତୁ ସବୁବେଳେ ଉପରୋକ୍ତ ଧରାବନ୍ଧା ପ୍ରକ୍ରିୟା ବା ଦେଶର ନୀତି ନିର୍ଦ୍ଧାରକଙ୍କୁ ସୁହାଇବା ଭଳି ଚାଲେ ନାହିଁ। ବେଳେ ବେଳେ ମୁଦ୍ରାସ୍ଫୀତି ବଢ଼଼ି ଚାଲିଥିବା ବେଳେ ଅଭିବୃଦ୍ଧି ହାର ନିମ୍ନମୁଖୀ ହୁଏ। ଏଭଳି ପରିସ୍ଥିତିରେ ମୁଦ୍ରାନୀତି ନିର୍ଦ୍ଧାରକମାନେ ଦୋଛକିରେ ପଡ଼ିଯାଆନ୍ତି। କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଯଦି ସୁଧ ହାର ବୃଦ୍ଧି କରାଯାଏ ତେବେ ଜିଡିପି ଅଭିବୃଦ୍ଧି ହାର ଆହୁରି ହ୍ରାସ ପାଏ। ଅପରପକ୍ଷରେ ଜିଡିପି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସୁଧ ହାର କୋହଳ କଲେ ମୁଦ୍ରାସ୍ଫୀତି ଆହୁରି ଊର୍ଦ୍ଧ୍ବଗାମୀ ହୁଏ। ଏଭଳି ପରିସ୍ଥିତିରେ ମୁଦ୍ରାନୀତି ନିର୍ଦ୍ଧାରକମାନେ ସବୁବେଳେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରାଥମିକତା ଦେଇ ସୁଧ ହାରକୁ ଉଚ୍ଚା କିମ୍ବା ଅପରିବର୍ତ୍ତିତ ରଖନ୍ତି। ଏହାଦ୍ୱାରା କିନ୍ତୁ ଜିଡିପି ସ୍ୱଳ୍ପମିଆଦୀ କ୍ଷତି ସହିବାକୁ ବାଧ୍ୟ। ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅମଳରେ ଏଭଳି ପରିସ୍ଥିତି ରହିଥÒବାରୁ ରିପୋ ହାର ଅପରିବର୍ତ୍ତିତ ରହିଥିଲା। ସୌଭାଗ୍ୟବଶତଃ ସଞ୍ଜୟ ମାଲହୋତ୍ରାଙ୍କ ଅମଳରେ ମୁଦ୍ରାସ୍ଫୀତି ହାର ହ୍ରାସ ପାଇ ସୁଧ ହାର ହ୍ରାସ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି।
ଏ ତ ଗଲା ଅର୍ଥନୀତିର ତତ୍ତ୍ୱ ଓ ମୌଳିକ ନୀତି ଆଧାରିତ ନିଷ୍କର୍ଷ। ଏବେ ବାସ୍ତବତାକୁ ଆସିବା। ମୁଦ୍ରାନୀତି ଏବେ ଆରବିଆଇର ସହନଶୀଳ ସ୍ଥିତି(୪%ରୁ କମ୍)ରେ ରହିଛି ଏବଂ ଆଗକୁ ମଧ୍ୟ ଏହା ସେତେ ବଢ଼଼ିବାର ଆଶଙ୍କା ଖୁବ୍ କମ୍ ବୋଲି ଆରବିଆଇ ମୁଦ୍ରାନୀତି ସମୀକ୍ଷା ବୈଠକରେ ଆକଳନ କରାଯାଇଛି। କିନ୍ତୁ ବଜାରର ବାସ୍ତବ ସ୍ଥିତି କ’ଣ ତାହା ଆମେ ସମସ୍ତେ ଊଣାଅଧିକେ ଅଙ୍ଗେ ନିଭାଉଛେ। ଡାଲି, ଚାଉଳ, ତେଲ, ମସଲା ସମେତ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଗତକାଲି ଯାହା ଥିଲା ଆଜି ତାହା ରହୁନାହିଁ। ପ୍ରତିଦିନ ବା ପ୍ରତି ସପ୍ତାହରେ ଦରଦାମ କିଛି ନା କିଛି ବଢ଼଼ି ଚାଲିଛି। କେବଳ ପଚନଶୀଳ ସାମଗ୍ରୀ ଓ ପନିପରିବାରେ ଚାହିଦା-ଯୋଗାଣ ଭିତ୍ତିରେ ଦରଦାମ କମ୍-ବେଶୀ ହେଉଛି। ବଜାର ସହିତ ପ୍ରତ୍ୟକ୍ଷ ବା ଦୈନନ୍ଦିତ ସମ୍ପର୍କ ଥିବା ସମାଜର ସବୁବର୍ଗର ଲୋକେ ଏପ୍ରକାର ବଜାର ସ୍ଥିତି ବିଷୟରେ ଅବଗତ ଅଛନ୍ତି। ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ମୁଦ୍ରାସ୍ଫୀତି ହ୍ରାସ ପାଇଲା କେଉଁଠି ଏବଂ କମିବାର ସମ୍ଭାବନା କେତେ ଭରସାଯୋଗ୍ୟ?
ବାସ୍ତବରେ ଜନସାଧାରଣଙ୍କ ଆଗରେ ଯେଉଁ ମୁଦ୍ରାସ୍ଫୀତି ବା ମୂଲ୍ୟସୂଚୀ ପରିସଂଖ୍ୟାନ ପ୍ରକାଶିତ ହେଉଛି ତାହା ପୂର୍ବ ମାସ ବା ପୂର୍ବ ତ୍ରୈମାସିକ ବା ପୂର୍ବ ବର୍ଷ ତୁଳନାରେ ଦରଦାମ କେତେ ବଢ଼଼ିଛି ବା କମିଛି ତାହାର ହିସାବ। ପୂର୍ବ ଦଶନ୍ଧି ଶେଷ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ନିର୍ଦ୍ଧାରଣ ପାଇଁ ଏକ ବେସ୍ ଇୟର ବା ଆଧାର ବର୍ଷ ନିର୍ଦ୍ଧାରଣ କରାଯାଉଥିଲା, ଯାହାଫଳରେ ଦରଦାମର ବାସ୍ତବ ତାରତମ୍ୟ ମୁଦ୍ରାସ୍ଫୀତିରେ ପ୍ରତିଫଳିତ ହେଉଥିଲା। ଏବେ କିନ୍ତୁ ଏହି ସୂତ୍ର ସଂଶୋଧିତ ହୋଇସାରିଥÒବାରୁ ବିଚରା ଖାଉଟି ବର୍ତ୍ତମାନର କୁହୁଡ଼ି ଭିତରେ ହଜିଯାଇ ଅତୀତକୁ ପରଖିବାର ବାଟ ପାଉନାହିଁ।
ଅର୍ଥନୀତିରେ ଆମ ସୀମିତ ଜ୍ଞାନର ପରିଧି ମଧ୍ୟରେ ଆରବିଆଇର ବିଜ୍ଞ ଗଭର୍ଣ୍ଣର ଓ ଅର୍ଥନୀତିଜ୍ଞଙ୍କ ବିଚାରବନ୍ତ ଦୂରଦର୍ଶୀ ନୀତି ଓ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବାର ଧୃଷ୍ଟତା ଆମେ କରୁନାହୁଁ। କିନ୍ତୁ ସଦ୍ୟତମ ମୁଦ୍ରାନୀତି ସହିତ ଜଡ଼ିତ ସଂଶୟ ଯୋଗୁଁଁ ଏ କଥା କହିବାକୁ ବିବଶ ହେଉଛୁ ଯେ ଯଦି ସରକାରୀ ପରିସଂଖ୍ୟାନ ଆଧାରିତ ମୁଦ୍ରାସ୍ଫୀତି ଅଙ୍କରେ ପ୍ରଭାବିତ ହୋଇ ଆରବିଆଇ ଗଭର୍ଣ୍ଣର ଦେଶରେ ନଗଦ ବନ୍ୟାର ସୁଯୋଗ ସୃଷ୍ଟି କରିଥା’ନ୍ତି ତେବେ ତାହା ‘ଜଳବହୁଳେ ସୃଷ୍ଟି ନାଶ’ ପରି ବଜାରରେ ଆଶା ଓ ଲକ୍ଷ୍ୟ ବିପରୀତ ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଆମେ ପୁଣି ଆଶା କରୁ ଯେ ଆରବିଆଇର ବିଜ୍ଞ ବିଶାରଦମାନଙ୍କ ନଗଦ ବନ୍ୟା ସର୍ଜନା ନିଷ୍ପତ୍ତି ବଜାର-ଅର୍ଥନୀତି ଅନୁକୂଳ ହେଉ, ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇ ନିଯୁକ୍ତି ବଜାରର ମାନ୍ଦାବସ୍ଥା ଦୂର ହେଉ।






