ସଲାମ୍! ମିଷ୍ଟର ଭାରତ
ଭାରତୀୟ ଚଳଚ୍ଚିତ୍ର ଜଗତର ‘ମିଷ୍ଟର ଭାରତ’ ରୂପେ ପରିଚିତ କିମ୍ବଦନ୍ତୀ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, ଗୀତିକାର ମନୋଜ କୁମାର ଓରଫ ହରିକୃଷ୍ଣ ଗୋସ୍ୱାମୀଙ୍କ ଭୂମିରୁ ଆରମ୍ଭ ହୋଇଥିବା କୀର୍ତ୍ତିମୟ ଯାତ୍ରା ଭୂମାରେ ସମ୍ପୂର୍ଣ୍ଣ ହୋଇଛି। ଦାଦା ସାହେବ ଫାଲ୍କେ, ପଦ୍ମ ସମ୍ମାନ, ଏକାଧିକ ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ ସୁଠାମ, ସୁନ୍ଦର, ସୌଷ୍ଠବ ଚେହେରାଧାରୀ ଧୀର, ଗମ୍ଭୀର ସଂଳାପ କହୁଥିବା କଳାଧଳା ସିନେମା ଯୁଗରରୁ ରଙ୍ଗୀନ ଯୁଗ ପର୍ଯ୍ୟନ୍ତ ଦର୍ଶକଙ୍କ ମନ ଓ ହୃଦୟରେ ଗଭୀର ଛାପ […]
ଭାରତୀୟ ଚଳଚ୍ଚିତ୍ର ଜଗତର ‘ମିଷ୍ଟର ଭାରତ’ ରୂପେ ପରିଚିତ କିମ୍ବଦନ୍ତୀ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, ଗୀତିକାର ମନୋଜ କୁମାର ଓରଫ ହରିକୃଷ୍ଣ ଗୋସ୍ୱାମୀଙ୍କ ଭୂମିରୁ ଆରମ୍ଭ ହୋଇଥିବା କୀର୍ତ୍ତିମୟ ଯାତ୍ରା ଭୂମାରେ ସମ୍ପୂର୍ଣ୍ଣ ହୋଇଛି। ଦାଦା ସାହେବ ଫାଲ୍କେ, ପଦ୍ମ ସମ୍ମାନ, ଏକାଧିକ ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ ସୁଠାମ, ସୁନ୍ଦର, ସୌଷ୍ଠବ ଚେହେରାଧାରୀ ଧୀର, ଗମ୍ଭୀର ସଂଳାପ କହୁଥିବା କଳାଧଳା ସିନେମା ଯୁଗରରୁ ରଙ୍ଗୀନ ଯୁଗ ପର୍ଯ୍ୟନ୍ତ ଦର୍ଶକଙ୍କ ମନ ଓ ହୃଦୟରେ ଗଭୀର ଛାପ ଛାଡ଼ିଯାଇଥିବା ମନୋଜ କୁମାର କଳାକାର ଏପ୍ରିଲ୍ ୪ ତାରିଖରେ ୮୭ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି।
ମନୋଜ କୁମାର କହିଲେ ସାଧାରଣତଃ ମୁଖମଣ୍ଡଳକୁ ଅଧିକାଂଶ ହାତ ପାପୁଲିରେ ଅର୍ଦ୍ଧାବୃତ୍ତ କରି ରଖୁଥିବା ଜଣେ ତାରକାଙ୍କ ଚେହେରା ମନକୁ ଆସେ। ବଲିଉଡ୍ କାହାଣୀର ଚିରାଚରିତ ରୋମାଣ୍ଟିକ୍ ଭୂମିକାରୁ ଆକ୍ସନ୍, ଇମୋସନ୍, ଟ୍ରାଜେଡି ପର୍ଯ୍ୟନ୍ତ ଏବଂ ବ୍ୟବସ୍ଥାଚକ୍ରରେ ପେସି ହୋଇଯାଇଥିବା ସାଧାରଣ ନାଗରିକର ଜୀବନକାହାଣୀଠାରୁ ଆରମ୍ଭ କରି ଚିର ନିଷ୍ପେସିତ କୃଷକ, କଠୋର ପରିବେଶରେ ସମର୍ପିତ ସୈନିକ୍ ଆଦି ପ୍ରାୟ ପ୍ରତ୍ୟେକ ଭୂମିକାରେ ମନୋଜ କୁମାର କେବଳ ନିଜ ଅଭିନୟର ଛାପ ଛାଡ଼ି ଯାଇନାହାନ୍ତି, ବରଂ ଅଭିନୟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ଆଦର୍ଶ ସ୍ଥାନୀୟ ଭାବମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି। ବିଶେଷକରି ଅଭିନୟର ପରିପକ୍ୱ ଓ ଉତ୍ତର ଜୀବନରେ ସେ ଦେଶପ୍ରେମ, ଜାତୀୟତାବୋଧ ବିଜଡ଼ିତ ସିନେମାରେ ଯେଭଳି ନିଖୁଣ ଅଭିନୟ କରି ସ୍ୱାଭିମାନୀ ଭାରତୀୟତାର ଛାପ ଛାଡ଼ି ଦେଇଗଲେ ତାହାକୁ ହିଁ ତାଙ୍କୁ ଚିରକାଳ ‘ମିଷ୍ଟର ଭାରତ’ ନାମକୁ ସାର୍ଥକ କରିତୋଳିଲା।
ମନୋଜ କୁମାର ଏଭଳି କୌଣସି ସିନେମା ଓ ଚରିତ୍ରରେ ଅଭିନୟ କରିନାହାନ୍ତି, ଯେଉଁଥିରେ ସାମ୍ପ୍ରତିକ ସାମାଜିକ, ଜାତୀୟ ସମସ୍ୟାର ପ୍ରତିଫଳନ ହୋଇନାହିଁ ବା ସଂସ୍କାରଧର୍ମୀ ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇନାହିଁ। ଆଜିର ସମୟରେ ଯେତେବେଳେ କୃଷି ଓ କୃଷକ ଅବହେଳିତ, ଯୁବପିଢ଼ି କୃଷିରୁ ମୁହଁ ଫେରାଇ ନେଇ ଅନ୍ୟ ପେସା ଏପରିକି ପ୍ରବାସରେ ଦାଦନ ଖଟିବାକୁ ଯାଉଛନ୍ତି ସେତେବେଳେ ‘ଉପକାର’ ଚଳଚ୍ଚିତ୍ରର ସେହି ଚିରସବୁଜ ଲୋକପ୍ରିୟ ଗୀତଟି ଆପେ ଆପେ ସ୍ମରଣକୁ ଆସିଯାଏ – ଯେଉଁଠାରେ ଧୋତି କୁର୍ତ୍ତା ପରିହିତ ଯୁବକଟିଏ ଶସ୍ୟ କ୍ଷେତ୍ରର ସବୁଜିମା, ବଳଦ ବେକର ଘଣ୍ଟି, ଶଗଡ଼଼ ଚକ ଶବ୍ଦର ତାଳେ ତାଳେ ମୂର୍ଚ୍ଛନା ତୋଳିଥିବ – ମେରେ ଦେଶ କି ଧର୍ତି, ସୋନା ଉବ୍ଲେ ଉବ୍ଲେ ହିରେ ମୋତି…। କୃଷି ଓ କୃଷକର ଚିରସହଚର ହେଉଛି ଦୁଃଖ। କିନ୍ତୁ ସେହି ଦୁଃଖର ପଙ୍କ ଭିତରୁ କିଭଳି ଆନନ୍ଦର ପଦ୍ମକୁ ତୋଳି ନିଆଯାଇପାରେ ଏବଂ ଖୁସିର ଶେହେନାଇର ସ୍ୱର ଶୁଣାଯାଇପାରେ ସେହି କଳା ଶିଖେଇ ଦେଇ ଯାଇଛନ୍ତି ମନୋଜ କୁମାର। ଗାନ୍ଧୀ, ସୁଭାଷ, ଜବାହାର, ଲାଲବାହାଦୂର, ଗୌତମ, ନାନକଙ୍କ ଭୂମିରେ ଜନ୍ମ ନେଇଥିବା ଭାରତମାତାର ସନ୍ତାନ ପାଖରେ ଆପଣା-ପର ଭେଦଭାବ ନାହିଁ। ଆଜିର ସାମ୍ପ୍ରଦାୟିକ ବିଦ୍ୱେଷର ମଞ୍ଜି ବୁଣୁଥିବା ତତ୍ତ୍ୱମାନେ ମନୋଜ କୁମାରଙ୍କ ଏହି ଦୃଷ୍ଟିକୋଣ ଓ ଆଦର୍ଶକୁ ଅନୁଶୀଳନ କରିବାର ଦରକାର। ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ‘ଜୟ ଜବାନ ଜୟ କିଶାନ୍’ ସ୍ଳୋଗାନ୍ରେ ଉଦ୍ବୁଦ୍ଧ ମନୋଜ କୁମାର ତାଙ୍କ ଚଳଚ୍ଚିତ୍ରର ଚରିତ୍ର ମଧ୍ୟରେ ଯେଉଁ ବଳିଷ୍ଟ ସନ୍ଦେଶଟିଏ ଦେଇ ଯାଇଛନ୍ତି ତାହା ହେଉଛି ଜନ୍ମଭୂମି, ମାତୃଭୂମିର ସେବା କରିବା ପାଇଁ ହଳଲଙ୍ଗଳକୁ ମାଧ୍ୟମ କରିଥିବା କୃଷକଟିଏ ଆବଶ୍ୟକ ହେଲେ ବନ୍ଧୁକ ମଧ୍ୟ ଧରିପାରେ।
ମନୋଜ କୁମାର ପୁଣି ମନେ ପଡ଼ନ୍ତି ଯେତେବେଳେ ଆଜିର ଦରଦାମ ଆକାଶଛୁଅାଁ ହୋଇଯାଇଛି ଏବଂ ପାଣି ପାଇଁ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ବେରୋଜଗାରୀ ବଢ଼଼ିଛି। ଖାଦ୍ୟ, ପୋଷାକ, ବାସଗୃହର ନିଶ୍ଚିତତା ବଡ଼ ଆହ୍ୱାନ ପାଲଟିଛି। ‘ବାକି ଯୋ ବଚାଥା ମେହେଙ୍ଗାଇ ମାରଗେଇ…’ ରେ ଯେଭଳି ଭାବେ ବଜାର ଅର୍ଥନୀତିର ପରିବର୍ତ୍ତିତ ସ୍ୱରୂପକୁ ନିଖୁଣ ଭାବେ ପ୍ରଦର୍ଶନ କରି ସରକାରୀ ବ୍ୟବସ୍ଥା ଓ କଳାବଜାରୀକୁ ବ୍ୟଙ୍ଗାତ୍ମକ ଶବ୍ଦଚାତୁରୀରେ ମନୋଜ କୁମାର ଭର୍ତ୍ସନା କରିଛନ୍ତି ତାହା ସର୍ବଦା ପ୍ରାସଙ୍ଗିକ। ବିଗତ ଶତାବ୍ଦୀର ୭୦ ଦଶକରେ ସେ ଯେଉଁ ସମସ୍ୟାକୁ ସିନେମା ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ ତାହାକୁ ଯଦି ଶାସନ ବ୍ୟବସ୍ଥା ଗୁରୁତ୍ୱର ସହି ନେଇଥା’ନ୍ତା ତେବେ ଆଜି ବୁଭୁକ୍ଷୁ, ଅନାଥ ଓ ଅର୍ଦ୍ଧନଗ୍ନ ସମାଜର ଚିତ୍ର ଆମକୁ ବ୍ୟଥିତ ଓ ଲଜ୍ଜିତ କରୁ ନ ଥା’ନ୍ତା।
ଉଚ୍ଚାଭିଳାଷ, ଅଧିକରୁ ଅଧିକ ଅର୍ଥ ରୋଜଗାର କରିବାର ଲାଳସା, ପାଶ୍ଚାତ୍ୟ ଜୀବନଶୈଳୀର ଆକର୍ଷଣ ଆଜି ଅନେକ ମେଧାବୀ ଭାରତୀୟଙ୍କୁ ଆମେରିକା, କାନାଡ଼ା, ବ୍ରିଟେନ୍ ଆଦି ପାଶ୍ଚାତ୍ୟ ମୁହାଁ କରିଛି। ସେମାନେ ଯେଉଁ ଜନ୍ମମାଟିରେ ଜନ୍ମନେଇ ଜ୍ଞାନ ହାସଲ କଲେ, ତା’ର ପାଣି ପବନରେ ବଢ଼଼ିଲେ, ତାହାକୁ କୃତଜ୍ଞତା ଜଣାଇବା ବଦଳରେ ବିଦେଶ ମାଟିରେ ଭାରତକୁ ନିନ୍ଦା ଓ ଅପବାଦର ଶବ୍ଦରେ କ୍ଷତାକ୍ତ କରିବାରେ ଲାଗିଛନ୍ତି। ଏହି ପୃଷ୍ଠଭୂମିରେ ମନୋଜକୁମାରଙ୍କ ‘ଜିରୋ ଦିଆ ମେରେ ଭାରତ ନେ….ପ୍ରିତ ଯାହାଁ କି ରିତ୍ ସଦା…’ର ଆବେଦନ ଆଜି ମଧ୍ୟ ପ୍ରବାସୀ ଭାରତୀୟଙ୍କୁ ଲଜ୍ଜିତ କରିବ ନିଶ୍ଚୟ। ସେ ଦିନ ଯଦି ଭାରତୀୟ ପିତାମାତା ଓ ଯୁବବର୍ଗ ଏହାକୁ ଜୀବନମନ୍ତ୍ର କରିଥା’ନ୍ତେ ତେବେ ଆଜି ଆମେରିକାରୁ ହାତଗୋଡ଼ ବନ୍ଧା ହୋଇ ଫେରୁଥିବା ପ୍ରବାସୀ ଭାରତୀୟଙ୍କୁ ଦେଖି ବିଶ୍ୱ ହସୁ ନଥା’ନ୍ତା କି ଭାରତ ମର୍ମାହତ ହେଉ ନ ଥା’ନ୍ତା।
ଜଣେ ଗାଉଁଲି ଯୁବକ ମଧ୍ୟ ଉଦ୍ଯୋଗ, ଜାତୀୟତାର ଉଗ୍ର ଭାବନା ଓ ବଳିଷ୍ଠ ନେତୃତ୍ୱ ବଳରେ ସ୍ୱେଚ୍ଛାଚାର ଓ ଅତ୍ୟାଚାର ଶାସନ ବ୍ୟବସ୍ଥା ବିରୋଧରେ କ୍ରାନ୍ତି ଆଣିପାରେ ତାହା ସେ ‘କ୍ରାନ୍ତି’ର କାହାଣୀ ମାଧ୍ୟମରେ ପ୍ରମାଣିତ କରିଛନ୍ତି। ଦୁର୍ନୀତିର ମୂଳୋତ୍ପାଟନ ହେଲେ ଭାରତୀୟ ଶାସନ, ପ୍ରଶାସନ ଓ ସାମାଜିକ ବ୍ୟବସ୍ଥାରେ ଅଭୂତପୂର୍ବ ସୁଧାର ଆସିପାରିବ ତାହା ମଧ୍ୟ ସେ ଦର୍ଶାଇଯାଇଛନ୍ତି ‘କ୍ଲର୍କ’ ଭୂମିକାରେ। କର୍ମନିଷ୍ଠ, ସଚ୍ଚୋଟ ମଣିଷମାନଙ୍କୁ ‘ମିଷ୍ଟର ଭାରତ’ଙ୍କ ମନ୍ତ୍ର ହେଉଛି – ପରିସ୍ଥିତିର ଚାପରେ ଅଣନିଃଶ୍ୱାସୀ ହୋଇ ଆତ୍ମହତ୍ୟା କରିବା ଅପେକ୍ଷା ବେଳ ହୁଁ ପ୍ରତିବାଦର ସ୍ୱର ଉତ୍ତୋଳନ କରିବାକୁ ହେବ। ଅନ୍ୟାୟ ଓ ଦୁର୍ନୀତିକୁ ନିରବରେ ସହିବା ଅପେକ୍ଷା ହୃଦୟ ଓ ବିବେକ ଅନୁମୋଦିତ ସ୍ୱରକୁ ଅସ୍ତ୍ର ରୂପେ ବ୍ୟବହାର କରିବାକୁ ପଡ଼ିବ(ଯେ ଦିଲ୍ କୋ ତସ୍ଲି ହୋ ୱ ସାଜ୍ ଉଠା ଲାଓ, ଦମ୍ ଘୁଟ୍ନେ ସେ ପହେଲେ ଆୱାଜ୍ ଉଠାଲାଓ)।
ଆଜି ମନୋଜ କୁମାର ଆମ ପାଇଁ ଅବର୍ତ୍ତମାନ। ତାଙ୍କ ସ୍ଥାନ ମଧ୍ୟ ଅପୂରଣୀୟ। କିନ୍ତୁ ସେ ପ୍ରମାଣିତ କରିଯାଇଛନ୍ତି ଯେ ଜୀବନ ବଡ଼-ଛୋଟ ହେବାରେ କୌଣସି ଅର୍ଥ ନାହିଁ। କୃତକର୍ମ ହିଁ ପ୍ରସାଙ୍ଗିକ। ଦୁଃଖର କଳାବାଦଲ୍ ଜୀବନରେ ଆସିବ ଏବଂ କିଛିସମୟ ରହି ଚାଲିଯିବ। କେବଳ ରହିଯିବ ମଣିଷର ଧୈର୍ଯ୍ୟର ଛାପ ଓ କର୍ତ୍ତବ୍ୟର ଚିହ୍ନ। ଆଜି ସେହି ଯଶ, କୀର୍ତ୍ତିକୁ ସ୍ମରଣ କରି ଅଭିନୟର ପଦଚିହ୍ନକୁ ଦେଖି ସେହି ଯଶସ୍ୱୀ କିମ୍ବଦନ୍ତୀ ଅଭିନେତାଙ୍କୁ ଅଶ୍ରୁଳ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଚଳି ଅର୍ପଣ କରୁଛୁ।
ସଲାମ୍! ମିଷ୍ଟର ଭାରତ






