ମନୋରଞ୍ଜନ
ଓଡ଼ିଶା
ଯୁଦ୍ଧ ଓ ନିର୍ବାଚନ
ଜଣେ ନାୟକ ଦୃଷ୍ଟିରେ ଯୁଦ୍ଧ ଓ ନିର୍ବାଚନ ସମାନ ଗୁରୁତ୍ୱ ବହନ କରେ। କାରଣ ଉଭୟ କ୍ଷେତ୍ରରେ ସୁନିଶ୍ଚିତ ବିଜୟ ହାସଲ ହିଁ ତାହାର ଲକ୍ଷ୍ୟ। ହୋଇପାରେ ଏହି ଦୁଇଟି ଦିଗ ରାଷ୍ଟ୍ରର ବୃହତ୍ତର ସ୍ୱାର୍ଥ ସୁରକ୍ଷା ସକାଶେ ଉଦ୍ଦିଷ୍ଟ। ଏକଥା ମଧ୍ୟ ଯୁକ୍ତି କରାଯାଇପାରେ କି ନାୟକତ୍ୱ ଜାହିର କରିବାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଉଭୟ କ୍ଷେତ୍ରରେ ରହିଛି। ସେ ଯାହାହେଉ କେଉଁଟିକୁ କେଉଁ ପରିସ୍ଥିତିରେ ଅଗ୍ରାଧିକାର ଦିଆଯିବ, ତାହାର ସମୟ ନିର୍ଦ୍ଧାରଣ କରିବାରେ ଆମଠାରୁ ସେହି […]
ଜଣେ ନାୟକ ଦୃଷ୍ଟିରେ ଯୁଦ୍ଧ ଓ ନିର୍ବାଚନ ସମାନ ଗୁରୁତ୍ୱ ବହନ କରେ। କାରଣ ଉଭୟ କ୍ଷେତ୍ରରେ ସୁନିଶ୍ଚିତ ବିଜୟ ହାସଲ ହିଁ ତାହାର ଲକ୍ଷ୍ୟ। ହୋଇପାରେ ଏହି ଦୁଇଟି ଦିଗ ରାଷ୍ଟ୍ରର ବୃହତ୍ତର ସ୍ୱାର୍ଥ ସୁରକ୍ଷା ସକାଶେ ଉଦ୍ଦିଷ୍ଟ। ଏକଥା ମଧ୍ୟ ଯୁକ୍ତି କରାଯାଇପାରେ କି ନାୟକତ୍ୱ ଜାହିର କରିବାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଉଭୟ କ୍ଷେତ୍ରରେ ରହିଛି। ସେ ଯାହାହେଉ କେଉଁଟିକୁ କେଉଁ ପରିସ୍ଥିତିରେ ଅଗ୍ରାଧିକାର ଦିଆଯିବ, ତାହାର ସମୟ ନିର୍ଦ୍ଧାରଣ କରିବାରେ ଆମଠାରୁ ସେହି ନାୟକ ହିଁ ଅଧିକ ବିଚାରବନ୍ତ। ଯୁଦ୍ଧ ନିଷ୍ପତ୍ତି ଓ ଘୋଷଣା କରିବା ଦୁଇଟି ଭିନ୍ନ ଦିଗ। ଅନୁକୂଳ ସମୟ, ସୁବିଧା ଓ ସୁଯୋଗ ଦେଖି ଯୁଦ୍ଧ ଘୋଷଣା କରାଯିବା ରଣକୌଶଳର ଏକ ଅଙ୍ଗ। ସେ ଦୃଷ୍ଟିରୁ ସମୟ ନେବାକୁ ଚାହୁଁଥିବା ନାୟକ ଜନଗଣଙ୍କ ଭାବାବେଗର ଚାପରେ ଭିନ୍ନ ଏକ ପ୍ରସଙ୍ଗ ଉପସ୍ଥାପନ କରିବାର ପ୍ରାସଙ୍ଗିକତା ଉପଲବ୍ଧି କରିଥାଇପାରନ୍ତି। ଆଦର୍ଶଗତ ମତପାର୍ଥକ୍ୟ ସତ୍ତ୍ବେ ବିକଶିତ ଭାରତର ଲକ୍ଷ୍ୟ ହାସଲ ପ୍ରତି ତାଙ୍କର ଥିବା ନିଷ୍ଠା ଓ ଆନ୍ତରିକତାର ଅନ୍ୟତମ ଅଙ୍ଗ ରୂପେ ସାମାଜିକ ନ୍ୟାୟ ପ୍ରଦାନରେ ଜାତିଭିତ୍ତିକ ଜନଗଣନାର ଥିବା ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସେ ସ୍ୱୀକୃତି ପ୍ରଦାନ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ପଛରେ ପଡ଼ିଯିବାର ଏହା ଥିଲା ଅନ୍ୟତମ କାରଣ। ଆଗକୁ ବିରୋଧୀଙ୍କୁ ସୁଯୋଗ ନଦେବା ସକାଶେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଏହି ଘୋଷଣା ‘ମାଷ୍ଟର ଷ୍ଟ୍ରୋକ୍’ ବୋଲି କୁହାଯାଇପାରେ।
ଯୁଦ୍ଧ ସମ୍ପର୍କରେ ସରକାର କ’ଣ ନିଷ୍ପତ୍ତି ନେଲେ ତାହା ଜାଣିବା ପାଇଁ ସମଗ୍ର ଦେଶବାସୀ ଉତ୍ସୁକତାର ସହ ବୁଧବାର ଅପରାହ୍ନ ୪ଟାକୁ ଅପେକ୍ଷା କରିଥିବା ବେଳେ ମନ୍ତ୍ରିପରିଷଦର ସଦସ୍ୟ ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ଘୋଷଣା କରିଥିଲେ। କ୍ଷମତାସୀନ ଦଳ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମଧ୍ୟରେ ଏହାକୁ ନେଇଥିବା ବିରୋଧାଭାସ ନେଇ ବିଚାରବିମର୍ଶ ଯେ ହୋଇନାହିଁ ଏକଥା ନୁହେଁ। କେରଳର ପଲକଡ଼ ବୈଠକରେ ଏଥିଲାଗି ସବୁଜ ସଂକେତ ମଧ୍ୟ ମିଳିଥିଲା। ରାଜନୈତିକ ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକ ତାହାକୁ ଆନୁଷ୍ଠାନିକ ଅନୁମୋଦନ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ କି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଗତ ମାସରେ ପ୍ରଥମଥର ପାଇଁ ଆର୍ଏସ୍ଏସ୍ର ନାଗପୁର ମୁଖ୍ୟାଳୟକୁ ଯିବା ଏବଂ ସଂଗଠନର ମୁଖ୍ୟ ମୋହନ ଭାଗବତଙ୍କ ଅଚାନକ ପ୍ରଧାନମନ୍ତ୍ରୀଙ୍କୁ ବାସଭବନରେ ଭେଟିବାର ପୃଷ୍ଠଭୂମି ଯାହା ଥାଉନା କାହିଁକି ଘଟଣାକ୍ରମେ କିନ୍ତୁ ଏହି ନିର୍ଣ୍ଣାୟକ ନିଷ୍ପତ୍ତି ନେବାରେ ସହାୟକ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତି ଜନଗଣନାର ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ। ରାଜ୍ୟରେ ମହାମେଣ୍ଟ ସରକାର କ୍ଷମତାସୀନ ଥିବା ବେଳେ ଜାତି ସର୍ବେକ୍ଷଣ କରିବା ସହ ସେ ସଂକ୍ରାନ୍ତ ତଥ୍ୟ ସାଧାରଣରେ ପ୍ରକାଶ କରିଥିଲେ। ଏହି ରିପୋର୍ଟକୁ ଆଧାର କରି ସଂରକ୍ଷଣ ପରିସର ବୃଦ୍ଧି ପାଇଁ ନୀତୀଶଙ୍କ ଉଦ୍ୟମ ଅଦାଲତରେ ଅଗ୍ରାହ୍ୟ ହୋଇଗଲା ସତ, କିନ୍ତୁ ବିରୋଧୀ ରାଜନୀତି ପାଇଁ ଏହା ଏକ ମୁଖ୍ୟ ଅସ୍ତ୍ର ରୂପେ ଗତ ନିର୍ବାଚନରେ କାର୍ଯ୍ୟ କରିଥିଲା। ଅବଶ୍ୟ ନୀତୀଶ ହଠାତ୍ ମହାମେଣ୍ଟ ରାଜନୀତିରୁ ଓହରି ଆସି ବିଜେପି ନେତୃତ୍ୱରେ ଗଠିତ ଏନ୍ଡିଏର ମୁଖ୍ୟମନ୍ତ୍ରୀ ହେଲେ। ବିହାର ଜାତିଆଣ ରାଜନୀତିର ଏହି ଅସ୍ତ୍ରକୁ ପ୍ରଧାନମନ୍ତ୍ରୀ ସେହି ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରୟୋଗ କରିବାକୁ ଯାଉଛନ୍ତି ବୋଲି କୁହାଯାଇପାରେ।
ଯେ କୌଣସି ପ୍ରସଙ୍ଗ ନେଇ ମତୈକ୍ୟ ପ୍ରକାଶ ପାଇବା ପୂର୍ବରୁ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବାଦ-ବିବାଦ ଓ ମତଭେଦ ରହିବା ସ୍ୱାଭାବିକ। ଆମକୁ ଏଠାରେ କହିବାକୁ ପଡୁଛି ଯେ ୨୦୨୧ରେ ହେବାକୁ ଥିବା ଜନଗଣନା କୋଭିଡ୍ ମହାମାରୀ ଦୃଷ୍ଟିରୁ ସ୍ଥଗିତ ରଖାଯାଇଥିଲା। ଏଥିମଧ୍ୟରେ ୪ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ତାହା ସମ୍ପାଦିତ ହୋଇନାହିଁ। ଦୁଇମାସ ତଳେ ସରକାର ଜନଗଣନା ଓ ବର୍ଦ୍ଧିତ ଲୋକସଂଖ୍ୟା ଆଧାରରେ ନିର୍ବାଚନମଣ୍ଡଳୀ ପୁନଃନିର୍ଦ୍ଧାରଣ କରାଯିବାର ସୂଚନା ଦେଇଥିଲେ। ତାହାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦର ସମାଧାନ ହେବା ପୂର୍ବରୁ ଜାତିଭିତ୍ତିକ ଜନଗଣନା ଘୋଷଣା କରି ବିରୋଧୀଙ୍କ ହାତରୁ ପ୍ରସଙ୍ଗ ଛଡ଼ାଇନେଇଛନ୍ତି। ଏଥିନେଇ ସରକାରଙ୍କୁ ଦୋଷାରୋପ କଲା ବେଳେ ମନେରଖିବାକୁ ହେବ ଯେ ବିରୋଧୀଙ୍କ ଦାବିକୁ ଏଡ଼ାଇଯାଇ ଏ ପର୍ଯ୍ୟନ୍ତ ଦେଶରେ ଜନଗଣନା କରାଯାଇ ନାହିଁ। ବରଂ ଏକଥା ଏବେ କୁହାଯାଇ ପାରିବ ଯେ ଏବର ସରକାର ଦେଶରେ ପ୍ରଥମଥର ସକାଶେ ଜାତିଭିତ୍ତିକ ଜନଗଣନା କରିବାକୁ ଯାଉଛନ୍ତି। ଏହି ଶ୍ରେୟ ତାଙ୍କଠାରୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ମନ୍ତ୍ରି ପରିଷଦର ସଦସ୍ୟ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଲା ବେଳେ କଂଗ୍ରେସ ଶାସିତ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସୀନ ତତ୍କାଳୀନ ମନମୋହନ ସିଂହ ସରକାରଙ୍କ ଜାତିଜନଗଣନା ଆଭିମୁଖ୍ୟକୁ କଠୋର ସମାଲୋଚନା କରିଛନ୍ତି। ଏପରିକି ତେଲଙ୍ଗାନା ଓ କର୍ଣ୍ଣାଟକ ସରକାରଙ୍କ ଜାତିଗତ ସର୍ବେକ୍ଷଣକୁ ଅବୈଜ୍ଞାନିକ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଆକ୍ଷେପ କରିଥିଲେ। କିନ୍ତୁ ଏକଥା ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ବିରୋଧୀଙ୍କ ପକ୍ଷରୁ ଏହା ସପକ୍ଷରେ ଯେଉଁ ଜନମତ ସୃଷ୍ଟି ହୋଇଛି, ତାହା କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କୁ ଗ୍ରହଣ କରିବାକୁ ବାଧ୍ୟ କରିଛି। କାରଣ କ୍ଷମତା ରାଜନୀତିର ଏକ ଅସ୍ତ୍ର ହୋଇପଡ଼ିଛି।
ସାମାଜିକ ନ୍ୟାୟରୁ ବଞ୍ଚିତ ଓ ଆର୍ଥିକ ଅସମାନତା ପାଇଁ ସଂଘର୍ଷରତ ଜନଜୀବନର ଚିତ୍ର ଓ ଚରିତ୍ରକୁ ଏହି ଜାତିଭିତ୍ତିକ ଜନଗଣନା ରିପୋର୍ଟ ଏକ ପ୍ରାମାଣିକ ଦଲିଲର ମାନ୍ୟତା ଦେବ। ଦରିଦ୍ର ଓ ଅବହେଳିତ ବର୍ଗଙ୍କ ସମ୍ପର୍କରେ ପ୍ରକାଶ ପାଉଥିବା ଅବାସ୍ତବ ପରିସଂଖ୍ୟାନର ଦୁର୍ବଳ ଦିଗକୁ ଏହା ଉନ୍ମୋଚନ କରିବ। ୨୦୧୧ ପରଠାରୁ ଦେଶରେ ଏ ପର୍ଯ୍ୟନ୍ତ ଜନଗଣନା ହୋଇନି। ଏବେ ଯେଉଁ ପରିସଂଖ୍ୟାନକୁ ଭିତ୍ତି କରି ସରକାର ନୀତି ନିର୍ଦ୍ଧାରଣ ଓ କଲ୍ୟାଣମୂଳକ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହାର ଯଥାର୍ଥ ସୁଫଳ ନମିଳିବା ପଛର ଏହା ହିଁ ଅନ୍ୟତମ ମୁଖ୍ୟକାରଣ। ଏକଥା ସତ ଯେ ସମ୍ବିଧାନର ଧାରା ୨୪୬ ଅନୁଯାୟୀ ଜନଗଣନା କେନ୍ଦ୍ରୀୟ ତାଲିକାରେ ରହିଛି। ରାଜ୍ୟ ସରକାର ନିଜର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ଓ ରୂପାୟନ ପାଇଁ ଯଦି ସର୍ବେକ୍ଷଣ କଲେ, ତେବେ ଅସୁବିଧା କ’ଣ? ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନ୍ତତଃ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ ହେବା ଉଚିତ।






