ମନୋରଞ୍ଜନ
ବହୁପଥ ବାକି…
ଅନେକ ପ୍ରତୀକ୍ଷା, ଦାବି, ପ୍ରସ୍ତାବନା ଆଦି ପରେ ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ୟୁନେସ୍କୋ ଅସ୍ପର୍ଶମାନ ସାଂସ୍କୃତିକ ଐତିହ୍ୟ(ଇନ୍ଟାଞ୍ଜିବଲ୍ କଲ୍ଚରାଲ୍ ହେରିଟେଜ୍) ତାଲିକାରେ ସାମିଲ୍ ହେବା ଦିଗରେ ପାଦେ ଅଗ୍ରସର ହୋଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଜାତୀୟ ଅସ୍ପର୍ଶମାନ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ସମେତ କଟକର ବାଲିଯାତ୍ରା ସ୍ଥାନ ପାଇଛି। ଆଗାମୀ ଦିନରେ ୟୁନେସ୍କୋ ତାଲିକାରେ ସ୍ଥାନ ପାଇବାରେ ଏହା ପଥ ସୁଗମ କରିବ। କଟକ ବାଲିଯାତ୍ରା […]
ଅନେକ ପ୍ରତୀକ୍ଷା, ଦାବି, ପ୍ରସ୍ତାବନା ଆଦି ପରେ ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ୟୁନେସ୍କୋ ଅସ୍ପର୍ଶମାନ ସାଂସ୍କୃତିକ ଐତିହ୍ୟ(ଇନ୍ଟାଞ୍ଜିବଲ୍ କଲ୍ଚରାଲ୍ ହେରିଟେଜ୍) ତାଲିକାରେ ସାମିଲ୍ ହେବା ଦିଗରେ ପାଦେ ଅଗ୍ରସର ହୋଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଜାତୀୟ ଅସ୍ପର୍ଶମାନ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା ସମେତ କଟକର ବାଲିଯାତ୍ରା ସ୍ଥାନ ପାଇଛି। ଆଗାମୀ ଦିନରେ ୟୁନେସ୍କୋ ତାଲିକାରେ ସ୍ଥାନ ପାଇବାରେ ଏହା ପଥ ସୁଗମ କରିବ। କଟକ ବାଲିଯାତ୍ରା ଓ ବରଗଡ଼଼଼ ଧନୁଯାତ୍ରାକୁ ୟୁନେସ୍କୋ ପକ୍ଷରୁ ଦିଆଯାଉଥିବା ଅସ୍ପର୍ଶମାନ ସାଂସ୍କୃତିକ ଐତିହ୍ୟ(ଇନ୍ଟାଞ୍ଜିବଲ୍ କଲ୍ଚରାଲ୍ ହେରିଟେଜ୍) ତାଲିକାରେ ସାମିଲ୍ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଗତ ଫେବୃଆରୀ ମାସରେ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ କାଳରେ ଏକ ପ୍ରଶ୍ନୋତ୍ତର ଛଳରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂଚନା ଦେଇଥିଲେ। ଅଥଚ ରଥଯାତ୍ରା ରାଜ୍ୟ ସରକାରଙ୍କ ସୁପାରିସ ତାଲିକାରେ ନଥିଲା। ଏହି ପ୍ରସଙ୍ଗରେ ଗତ ଫେବୃଆରୀ ୨୪ ତାରିଖରେ ‘ସକାଳ’ ସମ୍ପାଦକୀୟରେ ‘ରଥଯାତ୍ରାକୁ ଭୁଲିଗଲେ’ ଶୀର୍ଷକରେ ଆମେ ଉଦ୍ବେଗ ପ୍ରକାଶ କରିବା ସହିତ ସମସ୍ତ ମାନଦଣ୍ଡ ପୂରଣ କରୁଥିବା ସତ୍ତ୍ବେ ରଥଯାତ୍ରାକୁ ଉପରୋକ୍ତ ମାନ୍ୟତା ଦେବାରେ କ୍ରମାଗତ ଅବହେଳା ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲୁ। ଆଶ୍ୱସ୍ତିର ବିଷୟ ଯେ ଏ ଦିଗରେ ସରକାରୀ ତତ୍ପରତା ଓ ଆନ୍ତରିକତା ପ୍ରକାଶ ପାଇଛି। ଏଣୁ ଆମେ ସରକାରୀ ଉଦ୍ୟମକୁ ସାଧୁବାଦ ଜଣାଉଛୁ।
ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ସୁଦୂର ଆମେରିକା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନା ପରିବ୍ୟାପ୍ତ ହୋଇସାରିଛି। ତେଣୁ ୟୁନେସ୍କୋ ମାନ୍ୟତା ପାଇବା ନ ପାଇବା ରଥଯାତ୍ରାର ଲୋକାଦୃତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତଥାପି ତାଲିକାରେ ସ୍ଥାନିତ ନ ହେବା ସହିତ ସରକାରୀ ଓ ପ୍ରଶାସନିକ ଅବହେଳା ଜଡ଼ିତ ଥିବାରୁ ଏହା ସମ୍ମାନ, ଅଧିକାର ଓ ଅସ୍ମିତାର ପ୍ରଶ୍ନ ହୋଇସାରିଥିଲା। ଯେତେବେଳେ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇସାରିଛି ଏବଂ ଗୋଟିଏ ସୋପାନ ଅତିକ୍ରମ କରିଛି ସେତେବେଳେ ଏ ପ୍ରସଙ୍ଗରେ ବାଦାନୁବାଦ କିମ୍ବା ରାଜନୈତିକ ଆକ୍ଷେପ, ସମାଲୋଚନା ଅସ୍ପୃହଣୀୟ। ଆଦୌ ନ ହେବା ଅପେକ୍ଷା ବିଳମ୍ବରେ କିଛି ହେବା ଶୁଭସଙ୍କେତ ଓ ସ୍ୱାଗତଯୋଗ୍ୟ। ଏ ପ୍ରସଙ୍ଗରେ ଆମର ମତ ହେଲା, ରଥଯାତ୍ରା ଜାତୀୟ ଅସ୍ପର୍ଶମାନ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ ହୋଇଯିବା ପରେ ଆମେ ସମସ୍ତେ ଆତ୍ମସନ୍ତୁଷ୍ଟି ଲାଭ କରିବା ଉଚିତ ନୁହେଁ। ଶ୍ରୀକ୍ଷେତ୍ରକୁ କିଭଳି ଆଦର୍ଶ ପରିବେଶ ଓ ପର୍ଯ୍ୟଟକ ଅନୁକୂଳ ତୀର୍ଥକ୍ଷେତ୍ରରେ ପରିଣତ କରାଯାଇପାରିବ ଏବଂ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା କିପରି ଶୃଙ୍ଖଳିତ ହୋଇପାରିବ ସେ ଦିଗରେ ଜନତା ଜନାର୍ଦ୍ଦନ ସହିତ ଶାସନ ଓ ପ୍ରଶାସନ ନିଷ୍ଠାବାନ ହେବା ଆବଶ୍ୟକ। ଯେଉଁ ସମସ୍ୟାଗୁଡ଼ିକ ପର୍ଯ୍ୟଟକଙ୍କୁ ଅସନ୍ତୁଷ୍ଟ କରୁଛି ଏବଂ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବ୍ୟଥିତ କରୁଛି ତାହାର ଦୂରୀକରଣକୁ ଅଗ୍ରାଧିକାର ଦିଆଯିବା ବିଧେୟ। ବିଶେଷକରି ରଥଯାତ୍ରା ଜାତୀୟ ତାଲିକାରେ ସାମିଲ୍ ହୋଇସାରିବା ପରେ ରାଜ୍ୟ ଶାସନ ଓ ପ୍ରଶାସନର ଦାୟିତ୍ୱ ଏ ଦିଗରେ ଆହୁରି ବଢ଼଼ିଯାଇଛି।
ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟ ସରକାର କେବଳ ଶ୍ରୀମନ୍ଦିର ଚାରିଦ୍ୱାରା ଖୋଲିଦେଇ ଦାୟିତ୍ୱ ସରିଗଲା ବୋଲି ଭାବିବା ଉଚିତ ନୁହେଁ। ଏ ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ବା ଧାଡ଼ି ବ୍ୟବସ୍ଥା ଶୃଙ୍ଖଳିତ ହୋଇପାରିନାହିଁ। ବିଶେଷକରି ବୟସ୍କ ଓ ଦିବ୍ୟାଙ୍ଗମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ଯେଭଳି ବଞ୍ଚିତ ନ ହେବେ ସେ ସମ୍ପର୍କିତ ଚୂଡ଼ାନ୍ତ ଯୋଜନା ଓ ନିଷ୍କର୍ଷ ଘୁଞ୍ଚି ହୋଇଚାଲିଛି। ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଅନେକ ଯୋଜନା ହେଉଛି, ସରକାର ଘୋଷଣା ମଧ୍ୟ କରୁଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତାହାକୁ ସ୍ଥଗିତ ରଖାଯାଉଛି। ଗତ କିଛିମାସ ଧରି ଏହି ପ୍ରକ୍ରିୟା ଜାରି ରହିଛି ଏବଂ ସରକାରଙ୍କ ଆନ୍ତରିକତା କେବଳ ଘୋଷଣାରେ ସୀମିତ ରହିଯିବା ପରି ଅନୁଭବ ହେଉଛି। ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା ମଧ୍ୟ ସରକାରୀ ଘୋଷଣା ଅନୁଯାୟୀ ବ୍ୟବସ୍ଥିତ ହୋଇପାରୁନାହିଁ। ଭକ୍ତଙ୍କ ଭାବେବେଗ ସହିତ ଜଡ଼ିତ ରତ୍ନଭଣ୍ଡାର ଖୋଲିଲା ସତ, ମାତ୍ର ଗଣତିମଣତି ବିଳମ୍ବିତ ଓ ଅନିଶ୍ଚିତ ହୋଇଚାଲିଥିବାରୁ ଅନେକ ପ୍ରଶ୍ନକୁ ଜନ୍ମ ଦେଉଛି। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ଆଧାରିତ ଅନେକ ଉପାଦେୟ ପୁସ୍ତକର ରକ୍ଷଣାବେକ୍ଷଣ ପାଇଁ ଉଦାସୀନତା ଓ ଗୁରୁତ୍ୱହୀନତା ପରିଲକ୍ଷିତ ହେଉଛି।
ସର୍ବୋପରି ଭକ୍ତମାନେ କିଭଳି ତୃପ୍ତ ଓ ସୁଖଦ ଅନୁଭୂତି ନେଇ ଫେରିବେ ତାହା ରାଜ୍ୟ ଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ପ୍ରଥମ ଦାୟିତ୍ୱ ହେବା ଆବଶ୍ୟକ। ବର୍ତ୍ତମାନର ସାମାଜିକ ଗଣମାଧ୍ୟର ପ୍ରାବଲ୍ୟ ଯୁଗରେ ମତ-ମନ୍ତବ୍ୟ-ପ୍ରତିକ୍ରିୟା ଅବିଳମ୍ବେ ସବୁମହଲକୁ ସଞ୍ଚରି ଯାଉଛି। ସରକାରଙ୍କୁ ବଦ୍ନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ନ ଭାବି ଯାତ୍ରୀ ଓ ଭକ୍ତଙ୍କ ଭାବେବେଗ ସମ୍ବଳିତ ପ୍ରତିକ୍ରିୟାକୁ ଗୁରୁତ୍ୱର ସହିତ ନେଇ ତାହାର ଯଥାଯଥ ପ୍ରତିକାର ପାଇଁ ନିଷ୍ଠା ପ୍ରକାଶ ପାଇଲେ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଶ୍ରୀକ୍ଷେତ୍ର ‘ଅତୁଳନୀୟ’ ଓ ‘ଅନନ୍ୟ’ ମର୍ଯ୍ୟାଦା ଲାଭ କରିପାରିବ। ସର୍ବୋପରି ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ କାର୍ଯ୍ୟକ୍ରମ, ଯୋଜନା, ଚେତନା ଆଦିକୁ ରାଜନୀତିରୁ ଊର୍ଦ୍ଧ୍ବରେ ରଖି ଦଳମତ ନିର୍ବିଶେଷରେ ସହଯୋଗ ଏକାନ୍ତ ଆବଶ୍ୟକ। ଗତବର୍ଷ ରଥଯାତ୍ରାରେ ବଡ଼ଠାକୁର ଶ୍ରୀବଳଭଦ୍ର ରଥରୁ ପଡ଼ିଯିବା ଘଟଣାକୁ ସମଗ୍ର ବିଶ୍ୱ ଦେଖିଛି। ଏଥିରେ ରାଜ୍ୟ ଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ବଦ୍ନାମ ହେବା ସହିତ ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା ସହିତ ଜଡ଼ିତ ଭକ୍ତି-ବିଶ୍ୱାସ-ଭାବାବେଗକୁ ଆଘାତ ଲାଗିଛି। ଶ୍ରୀଜୀଉମାନଙ୍କ ନୀତିକାନ୍ତି ଯେଭଳି ଶୃଙ୍ଖଳିତ ହୁଏ, ବିଶେଷକରି ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେ ଦିଗରେ ଦୃଢ଼ ନୀତି ପ୍ରଣୟନ ହେବା ଆବଶ୍ୟକ। ରଥଯାତ୍ରା ବେଳେ ବର୍ଷା ହେଲେ ନର୍ଦ୍ଦମା ପାଣିରେ ବଡ଼ଦାଣ୍ଡ ଓ ଶରଧାବାଲି ଉଛୁଳୁଛି। ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ହୋଇପାରୁନାହିଁ। ବଡ଼ଦାଣ୍ଡରୁ ଆମିଷ ହଟାଇବା ପାଇଁ ସାଧୁସନ୍ଥମାନେ ଦାବି କରୁଆସୁଛନ୍ତି। ଶ୍ରୀଜଗନ୍ନାଥଙ୍କ କାମ ପାଇଁ ପିଢ଼ି ପିଢ଼ି ଧରି ରହିଥିବା ଭିଟାମାଟି ଛାଡ଼ିବାକୁ ଯେଉଁ ମାଟିର ସନ୍ତାନମାନେ ଖୁସିରେ ସମ୍ମତ ହୋଇଗଲେ ସେଠାରେ ଏ ସମସ୍ୟା ମଧ୍ୟ ଯେ ସମାଧାନ ହୋଇପାରିବ ନାହିଁ ତାହା ଭାବିବା ଭୁଲ୍ ହେବ। ଏ ଦିଗରେ ସରକାର ସବୁପକ୍ଷରୁ ବିଶ୍ୱାସକୁ ନେଇ ଆଲୋଚନା କରିବା ଉଚିତ।
ୟୁନେସ୍କୋର ଅସ୍ପର୍ଶମାନ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରାକୁ ସାମିଲ୍ ପାଇଁ ଉଦ୍ୟମ ଜାରି ରହୁ। ତତ୍ସହିତ ସମାନ୍ତରାଳ ଭାବେ ଆଞ୍ଚଳିକ ସ୍ତରରେ ଅର୍ଥାତ୍ ରାଜ୍ୟ ଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସ୍ତରରେ ଏକ ସ୍ୱୟଂସମ୍ପୂର୍ଣ୍ଣ ଶ୍ରୀଜଗନ୍ନାଥ ସଂସ୍କୃତି ସଂଗ୍ରାହଳୟ ପ୍ରତିଷ୍ଠା କରିବା ସହିତ ଗବେଷଣା ପାଇଁ ସୁଯୋଗ ପ୍ରଶସ୍ତ କରାଯାଉ। ଶ୍ରୀଜଗନ୍ନାଥ ଭାବର ଠାକୁର। ତେଣୁ ଶ୍ରଦ୍ଧାଳୁଙ୍କ ଭକ୍ତିରେ ପ୍ରତିବନ୍ଧକ ହଟାଇବାର ଉଦ୍ୟମରେ ଅଭାବ ନ ରହୁ।






