ମନୋରଞ୍ଜନ
ଓଡ଼ିଶା
ଯୁଦ୍ଧ କୁହାଟ
ଦିନକୁ ଦିନ ଭାରତ ଉପରେ ବଢ଼଼ୁଛି ଯୁଦ୍ଧ ଚାପ। ବିଭିନ୍ନ ସ୍ତରରୁ ମିଳୁଥିବା ସମର୍ଥନ ସରକାରଙ୍କୁ ଭାରାକ୍ରାନ୍ତ କରିଛି। ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ। ବହିର୍ବ୍ୟାପାରକୁ ଠିକଣା ଭାବେ ପରିଚାଳନା କରିନପାରିଲେ ତାହାର ସୁଦୂରପ୍ରସାରୀ ପରାଭବ ଭୋଗିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ତିନିବାହିନୀର ମୁଖ୍ୟ ଓ ନିରାପତ୍ତା ପରାମର୍ଶଦାତାଙ୍କ ସହ ଆଲୋଚନା କଲାବେଳେ ସୀମାନ୍ତରେ ସୃଷ୍ଟି ହୋଇଥିବା ପରିସ୍ଥିତି ଓ କୂଟନୈତିକ ସ୍ତରରେ ଚାଲିଥିବା ଗୋଟିଚାଳନାର ନିଶ୍ଚୟ ସମୀକ୍ଷା କରିଥିବେ। ପରିସ୍ଥିତି ଓ ପରିବେଶକୁ ଦେଖି ପଦକ୍ଷେପ […]
ଦିନକୁ ଦିନ ଭାରତ ଉପରେ ବଢ଼଼ୁଛି ଯୁଦ୍ଧ ଚାପ। ବିଭିନ୍ନ ସ୍ତରରୁ ମିଳୁଥିବା ସମର୍ଥନ ସରକାରଙ୍କୁ ଭାରାକ୍ରାନ୍ତ କରିଛି। ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ। ବହିର୍ବ୍ୟାପାରକୁ ଠିକଣା ଭାବେ ପରିଚାଳନା କରିନପାରିଲେ ତାହାର ସୁଦୂରପ୍ରସାରୀ ପରାଭବ ଭୋଗିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ତିନିବାହିନୀର ମୁଖ୍ୟ ଓ ନିରାପତ୍ତା ପରାମର୍ଶଦାତାଙ୍କ ସହ ଆଲୋଚନା କଲାବେଳେ ସୀମାନ୍ତରେ ସୃଷ୍ଟି ହୋଇଥିବା ପରିସ୍ଥିତି ଓ କୂଟନୈତିକ ସ୍ତରରେ ଚାଲିଥିବା ଗୋଟିଚାଳନାର ନିଶ୍ଚୟ ସମୀକ୍ଷା କରିଥିବେ। ପରିସ୍ଥିତି ଓ ପରିବେଶକୁ ଦେଖି ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ସେନାବାହିନୀଙ୍କୁ ଆଶ୍ୱସ୍ତ କରିବା ପାଇଁ କେବଳ ଏକ ସନ୍ଦେଶ ହୋଇପାରେ। ବିଶ୍ୱରେ ଉପୁଜିଥିବା ଯୁଦ୍ଧ ଘନଘଟାର ବିଷଜ୍ୱାଳା ଅଳ୍ପେବହୁତ ସମସ୍ତେ ଭୋଗୁଛନ୍ତି। ଥରେ ଯୁଦ୍ଧ ଆରମ୍ଭ ହୋଇଗଲେ ପରିସ୍ଥିତି ଯାହା ହେଉନା କାହିଁକି କୌଣସି ପକ୍ଷ ହାତ ଟେକିଦେବେ ନାହିଁ। ବିରତି ସକାଶେ ତୃତୀୟ ପକ୍ଷର ସହଯୋଗ ଲୋଡ଼ିବାକୁ ପଡ଼ିବ। ବିଭିନ୍ନ ସ୍ତରରେ ଚାଲିଥିବା ମନ୍ତ୍ରଣା ଓ ମସୁଧା ଯେ ଉପରୋକ୍ତ ଦିଗକୁ ଆଖିବୁଜି ଦେଇ ସମସ୍ତଙ୍କ ଚାପରେ ଭାସିଯିବେ ଏକଥା ନୁହେଁ। ତେଣୁ ସୁରକ୍ଷା ବା ନିରାପତ୍ତା ଦାୟିତ୍ୱରେ ଥିବା କ୍ୟାବିନେଟ୍ କମିଟି ବୈଠକ ଦୀର୍ଘ ସମୟଧରି ଚାଲିଥିଲା। ଏଥିରୁ ସ୍ପଷ୍ଟ ଯେ ଉତ୍ତେଜନା ପ୍ରଶମିତ ହେବା ସକାଶେ ସରକାର ସମୟ ଗଡ଼଼ାଇ ଚାଲିଛନ୍ତି।
ଯୁଦ୍ଧ ପ୍ରସ୍ତୁତି ପାଇଁ ଭାରତ ଓ ପାକିସ୍ତାନ ସୀମାନ୍ତରେ ଋଣସଜ୍ଜା ଆରମ୍ଭ ହୋଇଯାଇଛି। ବିଭିନ୍ନ ସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ ପାକିସ୍ତାନର ସାମରିକ ବାହିନୀର ଆଭ୍ୟନ୍ତରୀଣ ବ୍ୟାପାର ଆଦୌ ଯୁଦ୍ଧ ଅନୁକୂଳ ନୁହେଁ। ସେନାଧ୍ୟକ୍ଷ ଜେନେରାଲ ମୁନୀରଙ୍କ ନେତୃତ୍ୱ ବିରୋଧରେ ବିଦ୍ୱେଷ ଓ ବିଦ୍ରୋହ ମୁଣ୍ଡ ଟେକିଛି। ଏଠାରେ ସୂଚାଇ ଦିଆଯାଇପାରେ ଯେ ପାକିସ୍ତାନ ସାର୍ବଭୌମତ୍ୱ ପ୍ରତି ଚୀନର ପ୍ରତିଶ୍ରୁତିବଦ୍ଧତା ଅପରିବର୍ତ୍ତିତ ରହିଛି। ତେଣୁ ଭାରତ ବିରୋଧୀ ଯୁଦ୍ଧରେ ଚୀନ ସମର୍ଥନ ଓ ସହଯୋଗ ପାକିସ୍ତାନକୁ ବଳ ଦେଇଛି। ଅନ୍ୟପକ୍ଷରେ ତୁର୍କୀର ସାମରିକ ସହାୟତା ଘୋଷଣା ମଧ୍ୟ ଅନ୍ୟ ଏକ ଚିନ୍ତାର କାରଣ। କୂଟନୈତିକ ଦୃଷ୍ଟିକୋଣରୁ ଚୀନ ଯେତେ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରୁନା କାହିଁକି ପ୍ରତିପକ୍ଷ ଭାରତକୁ ସମର୍ଥନ ଦେଇ ଯେ ଯୁଦ୍ଧକୁ ଓହ୍ଲାଇ ପଡ଼ିବ, ଏକଥା ନୁହେଁ। ଭାରତ ସହ ଚୀନର ବାଣିଜ୍ୟିକ ଓ ଆର୍ଥିକ ସମ୍ପର୍କ ଯେତେ ସୁଦୃଢ଼ ହେଉନା କାହିଁକି ପାକିସ୍ତାନ ପ୍ରତି ତାହାର ସମର୍ଥନ ଏ କ୍ଷେତ୍ରରେ ପ୍ରତିବନ୍ଧକ ହୋଇପାରିବନି। ତେଣୁ ଯୁଦ୍ଧ ସପକ୍ଷରେ ସରକାରଙ୍କୁ ମିଳୁଥିବା ବିପୁଳ ସମର୍ଥନ ଶେଷକଥା ନୁହେଁ। ତାହାର ମଧ୍ୟ ପୁନର୍ବିଚାର ଆବଶ୍ୟକ।
ସମୟର କସଟି ପଥରରେ କାଶ୍ମୀରବାସୀଙ୍କୁ ପରଖିନେବାର ସୁଯୋଗ ସୃଷ୍ଟି କରିଛି ପାକିସ୍ତାନ। ବୈସରନ ଉପତ୍ୟକାରେ ପର୍ଯ୍ୟଟକଙ୍କୁ ହତ୍ୟାକରି ପାକ୍ ଆତଙ୍କବାଦୀଙ୍କ ପ୍ରତି କାଶ୍ମୀରବାସୀଙ୍କ ଥିବା ଯତ୍କିଞ୍ଚିତ ସହାନୁଭୂତି ଓ ସମ୍ବେଦନଶୀଳତା ସମ୍ପୂର୍ଣ୍ଣ ରୂପେ ମୂଳପୋଛ ହୋଇଯାଇଛି। ସେମାନଙ୍କ ଭାଷାରେ ଏହା କାଶ୍ମୀରବାସୀଙ୍କ ସମ୍ମାନ ଓ ସ୍ୱାଭିମାନକୁ କ୍ଷୁଣ୍ଣ କରିଛି। ମସଜିଦ୍ରେ ମୃତ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ଏବଂ ପାକିସ୍ତାନକୁ କଠୋର ଭାଷାରେ ନିନ୍ଦା କରି ପ୍ରତିଦିନ ବାହାରୁଥିବା ଶୋଭାଯାତ୍ରାରେ ପ୍ରତିବାଦର ହୁଁକାରକୁ ଦେଖିଲେ ବିସ୍ମୟାଭିଭୂତ ହେବାକୁ ପଡ଼େ। ରାଜ୍ୟବାସୀଙ୍କ ମାନସିକତାରେ ପରିଲକ୍ଷିତ ଏହି ପରିବର୍ତ୍ତନ ଯେଉଁ ଆଶା ସଞ୍ଚାର କରିଛି, ତାହା ଆଗାମୀ ଦିନରେ ଭାରତ ସରକାରଙ୍କୁ ଆତଙ୍କବାଦୀଙ୍କ ମୁକାବିଲାକୁ ନିଶ୍ଚୟ ବଳଦେବ। ଦିନ ଥିଲା କାଶ୍ମୀର ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ଓ ସୁରକ୍ଷାକେନ୍ଦ୍ର। ପର୍ଯ୍ୟଟକଙ୍କୁ ନିଶାଣ କରି ପାକିସ୍ତାନ ସ୍ଥାନୀୟ ଲୋକଙ୍କ ଜୀବନ ଓ ଜୀବିକା ଉପରେ କରିଥିବା ପରୋକ୍ଷ ଆକ୍ରମଣର ପରାଭବ ଏବେ ସେମାନଙ୍କୁ ଭୋଗିବାକୁ ପଡ଼ିବ। ରାଷ୍ଟ୍ରୀୟ ଏକତା ଓ ସଂହତିର ଭିତ୍ତିଭୂମି ଏହି ପରିବର୍ତ୍ତିତ ପରିସ୍ଥିତିରେ ଆହୁରି ସୁଦୃଢ଼ ହୋଇଛି। କାଶ୍ମୀର ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ଗୃହୀତ ସର୍ବସମ୍ମତ ନିନ୍ଦା ପ୍ରସ୍ତାବ ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଆବେଗପୂର୍ଣ୍ଣ ବକ୍ତବ୍ୟ ଏହି ପ୍ରେକ୍ଷାପଟରେ ସ୍ୱତନ୍ତ୍ର ଆଲୋଚନା ଦାବି କରେ। ଭାରତରେ ସାମ୍ପ୍ରଦାୟିକ ବିଭେଦ ଓ ବିଦ୍ୱେଷ ସୃଷ୍ଟ ମାଧ୍ୟମରେ ହିଂସା ଓ ଉତ୍ତେଜନାପୂର୍ଣ୍ଣ ବାତାବରଣରୁ ଫାଇଦା ହାସଲର ଯେଉଁ ମସୁଧା କରିଥିଲା ପାକିସ୍ତାନ, ତାହା ବ୍ୟର୍ଥ ହୋଇଛି।
କାଶ୍ମୀରବାସୀ ସ୍ୱତନ୍ତ୍ର ସୁବିଧା ସୁଯୋଗର ଅଧିକାରୀ ହୋଇଥିବା ୩୭୦ ଧାରା ଉଚ୍ଛେଦ ଏବଂ ରାଜ୍ୟପାହ୍ୟାରୁ ବଞ୍ଚିତ ହୋଇଥିଲେ ମଧ୍ୟ ସେହି ଦୁଃଖ ଓ ଅନୁଶୋଚନା ସେମାନଙ୍କୁ ଯେତିକି ଦୁଃଖ ଦେଇନି, ତାହାକୁ ବଳି ଯାଇଛି ପହଲଗାମ ନରସଂହାର। ତେଣୁ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଭାବବିହ୍ୱଳ ହୋଇ କହିଛନ୍ତି ଯେ କେନ୍ଦ୍ର ନିକଟରେ ରାଜ୍ୟ ମାନ୍ୟତା ଦାବି କରିବାର ସମୟ ଏହା ନୁହେଁ। ଏହି ଆକ୍ରମଣ ମାଧ୍ୟମରେ ଆତଙ୍କବାଦୀମାନେ ସମଗ୍ର କାଶ୍ମୀରବାସୀଙ୍କ ପ୍ରଭୂତ କ୍ଷତି ଘଟାଇଛନ୍ତି। ସବୁସ୍ତରରେ ଏହି କାର୍ଯ୍ୟର ଦୃଢ଼ ବିରୋଧ କରାଯିବ। ପର୍ଯ୍ୟଟକଙ୍କୁ ଯେଭଳି ନିର୍ମମ ଭାବେ ହତ୍ୟା କରାଗଲା, ତାହା କେବଳ ତାଙ୍କୁ ବ୍ୟଥିତ କରିନି, ସେମାନଙ୍କ ପରିବାରକୁ ମୁହଁ ଦେଖାଇବାରେ ମଧ୍ୟ ଲଜ୍ଜା ଅନୁଭବ କରୁଛି। ତାଙ୍କ ସରକାର ହାତରେ ଆଇନ ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ କର୍ତ୍ତବ୍ୟ ତୁଲାଇବାରେ ବିଫଳତାର ଗ୍ଲାନିରେ ସେ ଭାରାକ୍ରାନ୍ତ। ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବା ଦୂରର କଥା ସେମାନଙ୍କୁ ସୁରକ୍ଷା ଦେଇନପାରିବା କ୍ଷୋଭର ବିଷୟ। ଜାମ୍ମୁ-କାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଲା, ସାମାଜିକ ସଦ୍ଭାବନାକୁ ନଷ୍ଟ କରୁଥିବା ତତ୍ତ୍ୱକୁ ଦମନ କରିବା ସକାଶେ ସମ୍ମିଳିତ ଉଦ୍ୟମ ପ୍ରତି ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗ ଉପସ୍ଥାପନ କରି ଓମାରଙ୍କ ବକ୍ତବ୍ୟ ଥିଲା, ବନ୍ଧୁକ ଦ୍ୱାରା ଆତଙ୍କବାଦକୁ ନିୟନ୍ତ୍ରଣ କରାଯାଇପାରିବ। ମାତ୍ର ସମସ୍ତେ ଏକଜୁଟ ହେଲେ ତାହାର ମୂଳୋତ୍ପାଟନ ସମ୍ଭବପର। କାଶ୍ମୀରବାସୀ କ୍ରମେ ଭାରତୀୟତାର ମହାମନ୍ତ୍ରରେ ଦୀକ୍ଷିତ ହେବାକୁ ଯାଉଥିବାର ସୂଚନା ଏଥିରୁ ସ୍ପଷ୍ଟ ହେଉଛି।
ଏମିତି ଏକ ସନ୍ଧିକ୍ଷଣରେ ବିଚାରଗତ ପାର୍ଥକ୍ୟ, ଆଦର୍ଶଗତ ବିଭେଦ ଓ ସାମ୍ପ୍ରଦାୟିକ ବିଦ୍ୱେଷରୁ ଊର୍ଦ୍ଧ୍ବକୁ ଉଠି ହାତକୁ ହାତ ମିଳାଇ ରାଷ୍ଟ୍ରୀୟ ସ୍ୱାର୍ଥ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତାକୁ ସବୁପକ୍ଷ ହୃଦୟଙ୍ଗମ କରୁଥିବାର ପରିଲକ୍ଷିତ ହେଉଛି। ସରକାରଙ୍କୁ ପରିସ୍ଥିତିର ମୁକାବିଲା ସକାଶେ ବିନାଦ୍ୱିଧାରେ ମିଳିଛି ଅଦ୍ଭୂତପୂର୍ବ ସମର୍ଥନ। ଉରି ଓ ପୁଲୱାମା ଆତଙ୍କୀ ଘଟଣାରେ ‘ସର୍ଜିକାଲ ଷ୍ଟ୍ରାଇକ୍’ର ଯେଉଁ ସୁଯୋଗ ସରକାରଙ୍କୁ ମିଳିଥିଲା, ତାହା ଏବେ ପାକିସ୍ତାନର ସତର୍କତାମୂଳକ ପଦକ୍ଷେପ ଯୋଗୁଁଁ ସମ୍ଭବପର ନୁହେଁ। ଦେଶରେ ଯୁଦ୍ଧର କୁହାଟ ଯେପରି ଦିନକୁ ଦିନ ବଢ଼଼ିବାରେ ଲାଗିଛି, ସେଥିରେ ସରକାରଙ୍କୁ ତ କିଛି କରିବାକୁ ପଡ଼ିବ। ତେଣୁ ହଠାତ ଯୁଦ୍ଧ ନକରି ସରକାର ସମୟ ଓ ସୁଯୋଗ ଦେଖି ଆତଙ୍କବାଦୀଙ୍କ ବିରୋଧରେ କିଛି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅଧିକ।






