ଚିକିତ୍ସା ବିଜ୍ଞାନ ବନାମ ଆଧ୍ୟାତ୍ମିକତା

The Sakala Picture
Published On

ଅସୁସ୍ଥ ବ୍ୟକ୍ତି ଡାକ୍ତରଙ୍କ ନିକଟକୁ ଯାଇଥା’ନ୍ତି ନିଜର ରୋଗ ଉପଶମ ପାଇଁ। ରୋଗ ନିର୍ଣ୍ଣୟ ପାଇଁ ଡାକ୍ତର ରୋଗୀକୁ ନାନା ପ୍ରଶ୍ନ ପଚାରିଥା’ନ୍ତି ରୋଗ ସଂପର୍କରେ। କିନ୍ତୁ ସେ କ’ଣ ଜାଣିବାକୁ ଚାହିଁଥା’ନ୍ତି ଯେ ରୋଗୀ ଆସ୍ତିକ କି ନାସ୍ତିକ? ମନ୍ଦିର କି ମସ୍‌ଜିଦ୍‌‌ କିମ୍ୱା ଚର୍ଚ୍ଚ ଯା’ନ୍ତି କି ନା? ଯୋଗ ଦିଅନ୍ତି କି ନା ପ୍ରାର୍ଥନା ସଭାରେ? ଯୋଗ, ଧ୍ୟାନ ଇତ୍ୟାଦି କରିବାର ଅଭ୍ୟାସ ଅଛି କି ନାହିଁ? ରୋଗୀକୁ ଏହି ପ୍ରକାରର ପ୍ରଶ୍ନ […]

ଅସୁସ୍ଥ ବ୍ୟକ୍ତି ଡାକ୍ତରଙ୍କ ନିକଟକୁ ଯାଇଥା’ନ୍ତି ନିଜର ରୋଗ ଉପଶମ ପାଇଁ। ରୋଗ ନିର୍ଣ୍ଣୟ ପାଇଁ ଡାକ୍ତର ରୋଗୀକୁ ନାନା ପ୍ରଶ୍ନ ପଚାରିଥା’ନ୍ତି ରୋଗ ସଂପର୍କରେ। କିନ୍ତୁ ସେ କ’ଣ ଜାଣିବାକୁ ଚାହିଁଥା’ନ୍ତି ଯେ ରୋଗୀ ଆସ୍ତିକ କି ନାସ୍ତିକ? ମନ୍ଦିର କି ମସ୍‌ଜିଦ୍‌‌ କିମ୍ୱା ଚର୍ଚ୍ଚ ଯା’ନ୍ତି କି ନା? ଯୋଗ ଦିଅନ୍ତି କି ନା ପ୍ରାର୍ଥନା ସଭାରେ? ଯୋଗ, ଧ୍ୟାନ ଇତ୍ୟାଦି କରିବାର ଅଭ୍ୟାସ ଅଛି କି ନାହିଁ? ରୋଗୀକୁ ଏହି ପ୍ରକାରର ପ୍ରଶ୍ନ ପଚାରିବା ବିତର୍କିତ। କାରଣ ଧର୍ମାଚରଣ କିମ୍ୱା ବିଶ୍ୱାସ-ଅବିଶ୍ୱାସ ରୋଗୀର ବ୍ୟକ୍ତିଗତ ବ୍ୟାପାର। ସେ ବିଷୟରେ ପ୍ରଶ୍ନ ପଚାରିବା କ’ଣ ରୋଗୀର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ହସ୍ତକ୍ଷେପ ନୁହେଁ? ତା’ଛଡ଼ା ରୋଗୀକୁ ସେସବୁ ପ୍ରଶ୍ନ ପଚାରିବା କ’ଣ ଚିକିତ୍ସା ଶାସ୍ତ୍ର ଅନୁମୋଦିତ? ଯେଉଁ ଚିକିତ୍ସାବିଦ୍ୟା ବିଜ୍ଞାନ ଭାବରେ ଗଣ୍ୟ, ତାହା ଧର୍ମକୁ କାହିଁକି ଆମନ୍ତ୍ରଣ ଜଣେଇବ?

ମଣିଷର ସ୍ୱାସ୍ଥ୍ୟ ଉପରେ କିନ୍ତୁ ଧର୍ମର ପ୍ରଭାବ ନାନା ଭାବରେ ରହିଛି ବୋଲି କହିଛନ୍ତି ପେନ୍‌ସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ତଥା ସ୍ନାୟୁ ବିଜ୍ଞାନୀ ଆନଣ୍ଡ୍ରୁ ନିଉବର୍ଗ। ସହକର୍ମୀ ସ୍ନାୟୁ ବିଜ୍ଞାନୀ କାର୍ମ ରବର୍ଟ ଓୟାଲ୍ଡମ୍ୟାନ୍‌‌ଙ୍କ ସଙ୍ଗେ ମିଳିତ ଭାବେ ନିଉବର୍ଗ ଲେଖିଛନ୍ତି ସାଢ଼େ ତିନିଶହ ପୃଷ୍ଠାର ଖଣ୍ଡେ ବହି। ବହିଟିର ନାଁ ‘ହାଓ ଗଡ୍‌ ଚେଞ୍ଜେସ୍‌‌ ଇୟୋର୍‌‌ ବ୍ରେନ୍‌‌: ବ୍ରେକ୍‌‌ ଥ୍ରୁ ଫାଇଣ୍ଡିଙ୍ଗ୍‌‌ସ୍‌‌ ଫ୍ରମ୍‌‌ ଏ ଲିଭିଂ ନିଉରୋସାଇଣ୍ଟିଷ୍ଟ।’ ଉଦ୍ଦେଶ୍ୟ ପ୍ରାର୍ଥନା କିମ୍ୱା ଧ୍ୟାନ ଭଳି ଧର୍ମାଚରଣର ସହିତ ସୁସ୍ୱାସ୍ଥ୍ୟର ସମ୍ପର୍କ ନିର୍ଣ୍ଣୟ। ଧର୍ମ ବିଶ୍ୱାସ ସଙ୍ଗେ ସ୍ୱାସ୍ଥ୍ୟର ସମ୍ପର୍କ ବିଷୟରେ ଆହୁରି ଖଣ୍ଡେ ବହି ‘ମେଡିସିନ, ରିଲିଜିୟନ ଆଣ୍ଡ ହେଲ୍‌‌ଥ’ ଶୀର୍ଷକରେ ପ୍ରକାଶିତ ହୋଇଛି। ଡିଉକ୍‌‌ ବିଶ୍ୱବିଦ୍ୟାଳୟର ‘ସେଣ୍ଟର ଫର ସ୍ପିରିଚୁଆଲିଟି, ଥିୟୋଲୋଜି ଆଣ୍ଡ ହେଲ୍‌‌ଥ’ କେନ୍ଦ୍ରର ନିର୍ଦ୍ଦେଶକ ହ୍ୟାରଲ୍ଡ କୋନିଗ୍‌‌ ଏହି ପୁସ୍ତକର ରଚୟିତା। ବ୍ୟାଧି ଉପଶମରେ ଔଷଧ ସହିତ ଆଧ୍ୟାତ୍ମଚିନ୍ତନର ଉପଯୋଗ କିପରି ଭାବରେ କରିବେ ଚିକିତ୍ସକମାନେ ସେହି ବିଷୟରେ ସେ ପୁସ୍ତକଟିରେ ପରାମର୍ଶ ଦେଇଛନ୍ତି। ‘ହାଓ ଗଡ୍‌ ଚେଞ୍ଜେସ୍‌‌ ଇୟୋର ବ୍ରେନ୍‌‌’ ବହିଟିରେ ନିଉବର୍ଗ ଓ ଓୟାଲ୍ଡମ୍ୟାନ୍‌‌ ଜଣେଇଛନ୍ତି ସେମାନଙ୍କର ଏକାଧିକ ପରୀକ୍ଷା ଏବଂ ସମୀକ୍ଷାର କଥା। ସେମାନଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିବା ଶତାଧିକ ରୋଗୀଙ୍କ ଉପରେ ବିଶେଷ ପରୀକ୍ଷା ନିରୀକ୍ଷା କରି ସେମାନେ ଜାଣିପାରିଛନ୍ତି ଯେ ଧ୍ୟାନ, ପ୍ରାର୍ଥନା ଓ ଭଜନ କରୁଥିବା ବେଳେ ମଣିଷ ମସ୍ତିଷ୍କର ଫ୍ରଣ୍ଟାଲ୍‌‌ ଲୋବ ଅଂଶଟି ପ୍ରଥମେ ଜଡ଼ିତ ହୋଇପଡ଼େ। ଗଭୀର ଭାବରେ ମଗ୍ନ ରହିଥିବା ଅବସ୍ଥାରେ କ୍ରିୟାଶୀଳ ହୋଇଥାଏ ମସ୍ତିଷ୍କର ପାରିଏଟାଲ୍‌‌ ଲୋବ୍‌‌ ନାମକ ଅଂଶଟି। ଯେଉଁମାନେ ୧୦-୧୫ ବର୍ଷ ଧରି ଲଗାତାର ଧ୍ୟାନ, ପ୍ରାର୍ଥନା ଇତ୍ୟାଦିରେ ରତ ରହିଥିଲେ ସେମାନଙ୍କ ମସ୍ତିଷ୍କର ଫ୍ରଣ୍ଟାଲ୍‌‌ ଲୋବ୍‌‌ ତୁଳନାତ୍ମକ ଭାବେ ସ୍ଫୀତ ହୋଇଯାଇଥିଲା। ପୁଣି ଆଧ୍ୟାତ୍ମବାଦୀଙ୍କ ମସ୍ତିଷ୍କର ଥାଲାମସ୍‌‌ ଅଂଶଟି ବି ଭିନ୍ନ ଥିବା ସେମାନେ ଗବେଷଣାରୁ ଜାଣିପାରିଲେ।

ସାଧନା-ଭଜନକୁ କେତେ କାଳ ଧରି କଲେ ମସ୍ତଷ୍କରେ ଏସବୁ ପରିବର୍ତ୍ତନ ଘଟେ? ଏହି ପ୍ରଶ୍ନର ଉତ୍ତରରେ ‘ହାଓ ଗଡ୍‌ ଚେଞ୍ଜେସ ଇୟୋରବ୍ରେନ’ ବହିଟିରେ ଜଣେ ରୋଗୀଙ୍କ କଥା ଉଲ୍ଲେଖ କରିଛନ୍ତି ନିଉଗର୍ବ ଓ ଓୟାଲ୍ଡମ୍ୟାନ୍‌‌। ଏକଦା ପେସାରେ ମେକାନିକ୍‌‌ ଥିବା ଗାସ ନାମଧାରୀ ରୋଗୀଟିଏ ଆସିଲେ। ଚେହେରା ସୁଠାମ, ଧର୍ମକର୍ମ ଠାରୁ ଶହେ ହାତ ଦୂରରେ। ମଧ୍ୟବୟସୀ ଗାସ କହିଲେ ତାଙ୍କର କିଛି ମନେ ରହୁନି। କିଛି ମନେ ପକେଇ ପାରୁନାହାନ୍ତି। ସବୁକିଛି ଶୁଣି ସାରିବା ପରେ ନିଉବର୍ଗ ଯେଉଁ ପ୍ରେସକିପସନ୍‌‌ ଦେଲେ ତାହା ବିଚିତ୍ର – ‘ନିୟମ କରି ପ୍ରତିଦିନ କୀର୍ତ୍ତନ ଗାନ; ତା’ପୁଣି ହିନ୍ଦୁମାନଙ୍କର ଧର୍ମ ସଙ୍ଗୀତ।’ ଦୁଇମାସ ଧରି ନିରନ୍ତର ଭଜନ, କୀର୍ତ୍ତନ କରିବା ପରେ ଗାସ୍‌‌ ପୁଣି ଆସିଲେ ନିଉବର୍ଗ ଓ ଓୟାଲ୍ଠମ୍ୟାନଙ୍କ ଚିକିତ୍ସା କେନ୍ଦ୍ରକୁ। ଏଥର ପରୀକ୍ଷାରୁ ଜଣାଗଲା ଯେ ଗାସ୍‌‌ଙ୍କ ସ୍ମୃତିଶକ୍ତି ୫୦ ପ୍ରତିଶତ ବଢ଼଼ିଛି। ଏଥିରେ ଖୋଦ୍‌‌ ନିଉବର୍ଗ ଓ ଓୟାଲ୍ଡମ୍ୟାନ୍‌‌ ମଧ୍ୟ ଆଶ୍ଚର୍ଯ୍ୟ ହେଲେ।

ପ୍ରାର୍ଥନା ବା ଧ୍ୟାନ କଲେ କେବଳ ନିଜର ନୁହେଁ, ଅନ୍ୟର ସ୍ୱାସ୍ଥ୍ୟରେ ବି ଉନ୍ନତି ଘଟେ। ଏହି ବିଷୟରେ ଦୁଇଟି ଅନୁଧ୍ୟାନ ଆଲୋଚିତ। ପ୍ରଥମଟି ୧୯୯୮ ମସିହାର। ସାନଫ୍ରାନସିସ୍କୋ ଜେନେରାଲ ହସ୍ପିଟାଲର କାର୍ଡିଓଲୋଜିଷ୍ଟ ର‍୍ୟାନ୍‌‌ ଡଲ୍‌‌ ବାୟାର୍ଡ ଦାବି କରିଥିଲେ ଯେ ହସପିଟାଲ୍‌‌ରେ ଭର୍ତ୍ତି ଯେଉଁସବୁ ରୋଗୀଙ୍କ ପାଇଁ ସେମାନଙ୍କ ପରିବାର ସଦସ୍ୟ ଏବଂ ଅନ୍ୟମାନେ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ, ସେହିସବୁ ରୋଗୀ ତୁଳନାତ୍ମକ ଭାବେ ଖୁବ୍‌‌ ଶୀଘ୍ର ଆରୋଗ୍ୟ ଲାଭ କରିଥିଲେ। ଅପରପକ୍ଷରେ ୨୦୦୫ ମସିହାରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ହର୍ବଟ୍‌‌ ବେନ୍‌‌ସନ୍‌‌ ପ୍ରାର୍ଥନାର ଏପରି ଅଲୌକିକତାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ଅନ୍ୟର ପ୍ରାର୍ଥନା ସେବା ପାଇବା ସତ୍ତ୍ବେ ୫୨ ପ୍ରତିଶତ ବାଇପାସ୍‌‌ ଅସ୍ତ୍ରୋପଚାର କରାଯାଇଥିବା ରୋଗୀଙ୍କ କ୍ଷେତ୍ରରେ ଜଟିଳତା ବଢ଼଼ୁଥିବା ବେଳେ କେହି ପ୍ରାର୍ଥନା କରି ନଥିବା ୫୧ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଜଟିଳତା ବଢ଼଼ୁଛି।

ଏବେ ପ୍ରଶ୍ନ ଉଠେ, ଧର୍ମାଚରଣ ସହିତ ସୁସ୍ୱାସ୍ଥ୍ୟର ସଂଯୋଗ କ’ଣ ପ୍ଲେସିବୋ ବା ମାନସିକ ସନ୍ତୁଷ୍ଟି ପାଇଁ ପ୍ରଦତ୍ତ ନିଗୁଣ ଔଷଧର ପ୍ରଭାବ ସଦୃଶ? ଟେକ୍ସାସ୍‌‌ ବିଶ୍ୱବିଦ୍ୟାଳୟର ଗବେଷକ ରବଟ୍‌‌ ହାମର ତାଙ୍କର ୧୫ ବର୍ଷ ବ୍ୟାପୀ ଅନୁ୍‌‌ଧ୍ୟାନ ପରେ ଜଣେଇଥିଲେ ଯେଉଁମାନେ ଚର୍ଚ୍ଚ ଯାଆନ୍ତି, ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୃତ୍ୟୁବରଣ କରିବାର ଆଶଙ୍କା, ଚର୍ଚ୍ଚ ଯାଉନଥିବା ବ୍ୟକ୍ତିମାନଙ୍କ ତୁଳନାରେ କମ୍‌‌। ପିଟସବର୍ଗ ମେଡିକାଲ ସେଣ୍ଟରର ସର୍ଜନ ଡ୍ୟାନିୟେଲ ହଲ ଲକ୍ଷ୍ୟ କରିଥିଲେ, ଚର୍ଚ୍ଚଗାମୀ ବ୍ୟକ୍ତିଙ୍କ ଆୟୂଷ ଅଧାର୍ମିକଙ୍କ ତୁଳନାରେ ଦୁଇ/ତିନିବର୍ଷ ବେଶୀ।

ସ୍ୱାସ୍ଥ୍ୟଜନିତ ଉପକାରର ଏପରି ସବୁ ନିଦର୍ଶନ ଆଧାରରେ ଧର୍ମାଚରଣକୁ କ’ଣ ଚିକିତ୍ସାର ଉପକରଣ ଭାବରେ ଗଣ୍ୟ କରାଯିବ? କଲମ୍ୱିଆ ୟୁନିଭରସିଟି ମେଡିକାଲ୍‌‌ ସେଣ୍ଟରର ମନୋଚିକିତ୍ସାର ଅଧ୍ୟାପକ ରିଚାର୍ଡ ସ୍ଲୋୟାନ୍‌‌ଙ୍କ ମତରେ ପ୍ଲେସିବୋ ପ୍ରଭାବ ବିଷୟରେ ଗବେଷକମାନେ ଆହୁରି ତନ୍ନ ତନ୍ନ କରି ପରୀକ୍ଷା କରି ଦେଖିବା ଉଚିତ। ଚର୍ଚ୍ଚର ଶାନ୍ତ ପରିବେଶ, ଧର୍ମ ବିଶ୍ୱାସର ଜୀବନଚର୍ଯ୍ୟା ଇତ୍ୟାଦି ମଣିଷ ଶରୀରରେ ଯେଉଁସବୁ ପ୍ରଭାବ ପକାଏ ସେସବୁକୁ ମଧ୍ୟ ବିଚାର କରିବା ଉଚିତ। ଏ ସବୁ ନ କଲେ ଅଯଥାରେ ଅଲୌକିକତା ଉପରେ ଆସ୍ଥା ଜାତ ହୁଏ। ଚିକିତ୍ସାରେ ଧର୍ମର ପ୍ରଭାବ ବିଷୟକୁ ଆହ୍ୱାନ କରି ‘ବ୍ଲାଇଣ୍ଡ ଫେଥ୍‌‌: ଦ ଅନହୋଲି ଆଲାୟେନ୍ସ ଅଫ୍‌‌ ରିଲିଜିୟନ୍‌‌ ଆଣ୍ଡ ମେଡିସିନ୍‌‌(ଅନ୍ଧବିଶ୍ୱାସ, ଧର୍ମ ଓ ଚିକିତ୍ସାବିଜ୍ଞାନ ମଧ୍ୟରେ ଏକ ଅପବିତ୍ର ମୈତ୍ରୀ)’ ନାମରେ ଏକ ପୁସ୍ତକ ପ୍ରଣୟନ କରିଛନ୍ତି ସ୍ଲୋୟାନ୍‌‌। ସେ ମନେ କରନ୍ତି, ଚିକିସା ବିଜ୍ଞାନ ସଙ୍ଗେ ଧର୍ମର କୋଳାକୋଳି ରୀତିମତ ଅଶୁଭ। ତାଙ୍କର ମନ୍ତବ୍ୟ ହେଉଛି ବିଜ୍ଞାନ ଅଲୌକିକ ବ୍ୟାଖ୍ୟାରେ ମୁଣ୍ଡ ପୂରେଇ ନ ଥାଏ। ମାତ୍ର ବିତର୍କ ଚିକିତ୍ସା ସୂତ୍ରରୁ ଉତ୍ଥାପିତ ହୋଇଥିଲେ ମଧ୍ୟ ଦ୍ୱନ୍ଦ୍ୱଟା କିନ୍ତୁ ବାସ୍ତବରେ ବିଜ୍ଞାନ ସହିତ ଧର୍ମର।

ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ
କଟକ, ମୋ: ୯୪୩୭୭୬୬୧୧୭

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର