ଜିଜ୍ଞାସା ପ୍ରେରିତ ବନାମ ବଜାର ପରିଚାଳିତ ବିଜ୍ଞାନ

The Sakala Picture
Published On

୧୮୭୬ରେ କୋଲକାତାରେ ପ୍ରତିଷ୍ଠିତ ‘ଦି ଇଣ୍ଡିଆନ ଆସୋସିଏସନ୍‌‌ ଫର ଦି କଲ୍‌‌ଟିଭେସନ ଅଫ ସାଇନ୍ସ’ରେ ଗବେଷଣା କରି ସାର୍‌‌ ଚନ୍ଦ୍ରଶେଖର ଭେଙ୍କଟ ରମଣ ଭାରତବର୍ଷ ଏବଂ ଏସିଆ ମହାଦେଶର ପ୍ରଥମ ନୋବେଲ ପୁରସ୍କାର ବିଜେତା ଭାବେ ଅଦ୍ୱିତୀୟ ଗୌରବର ଅଧିକାରୀ ହୋଇଥିଲେ। ଏଠାରେ ପ୍ରଶ୍ନ ଉଠିପାରେ ରମଣଙ୍କ ମୂଳ ଲକ୍ଷ୍ୟ କ’ଣ ଥିଲା? ସେ କ’ଣ ତାତ୍କାଳିକ ସାମାଜିକ ସମସ୍ୟା ସମାଧାନର ସମ୍ଭାବନା ଦ୍ୱାରା ଅଭିପ୍ରେରିତ ହୋଇଥିଲେ ନା ବିଜ୍ଞାନ ପଛରେ ଅଣନିଃଶ୍ୱାସୀ ହୋଇ ଅନୁଧାବନ କରିବାର […]

୧୮୭୬ରେ କୋଲକାତାରେ ପ୍ରତିଷ୍ଠିତ ‘ଦି ଇଣ୍ଡିଆନ ଆସୋସିଏସନ୍‌‌ ଫର ଦି କଲ୍‌‌ଟିଭେସନ ଅଫ ସାଇନ୍ସ’ରେ ଗବେଷଣା କରି ସାର୍‌‌ ଚନ୍ଦ୍ରଶେଖର ଭେଙ୍କଟ ରମଣ ଭାରତବର୍ଷ ଏବଂ ଏସିଆ ମହାଦେଶର ପ୍ରଥମ ନୋବେଲ ପୁରସ୍କାର ବିଜେତା ଭାବେ ଅଦ୍ୱିତୀୟ ଗୌରବର ଅଧିକାରୀ ହୋଇଥିଲେ। ଏଠାରେ ପ୍ରଶ୍ନ ଉଠିପାରେ ରମଣଙ୍କ ମୂଳ ଲକ୍ଷ୍ୟ କ’ଣ ଥିଲା? ସେ କ’ଣ ତାତ୍କାଳିକ ସାମାଜିକ ସମସ୍ୟା ସମାଧାନର ସମ୍ଭାବନା ଦ୍ୱାରା ଅଭିପ୍ରେରିତ ହୋଇଥିଲେ ନା ବିଜ୍ଞାନ ପଛରେ ଅଣନିଃଶ୍ୱାସୀ ହୋଇ ଅନୁଧାବନ କରିବାର ଅଦମ୍ୟ ନିଶା ତାଙ୍କୁ ଘାରିଥିଲା ? ନା ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଗଭୀର ଅନୁଧ୍ୟାନ ଓ ଅନୁସନ୍ଧାନ ପାଇଁ ସେ ଅମଡ଼ାବାଟର ପଥିକଟିଏ ହେବା ପାଇଁ ଅଧିକ ପସନ୍ଦ ମଣିଥିଲେ?

ରମଣଙ୍କ ଉଦ୍‌‌ଭାବନ କୌଣସି ବାଣିଜ୍ୟିକ ଲାଭ କିମ୍ବା ତୁରନ୍ତ ବ୍ୟବହାର ଲକ୍ଷ୍ୟରେ ପରିଚାଳିତ ହୋଇନଥିଲା। ଏହା ଜନ୍ମ ନେଇଥିଲା ମାନବୀୟ ଜିଜ୍ଞାସା ଓ କଳ୍ପନାର ଗର୍ଭାଶୟରୁ। କିନ୍ତୁ ଆଜି ବୈଜ୍ଞାନିକ ଅନ୍ୱେଷଣର ଧର୍ମ ଅର୍ଥନୈତିକ ଓ ବଜାର ସମ୍ବନ୍ଧୀୟ ଚିନ୍ତାଧାରା ଦ୍ୱାରା ବହୁଳ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଉଛି। ଭାରତ ସମେତ ସମଗ୍ର ବିଶ୍ୱରେ ଗବେଷଣା ପ୍ରକଳ୍ପ ପାଇଁ ପାଣ୍ଠି ସହାୟତା ପ୍ରଦାନ କରୁଥିବା ସଂସ୍ଥାମାନେ ବ୍ୟାବସାୟିକ ରୂପରେ ସଂଚାଳିତ ଅନୁସନ୍ଧାନକୁ ପ୍ରାଥମିକତା ଦେଉଛନ୍ତି। ଫଳତଃ ଗବେଷଣାର ଫଳାଫଳ ପେଟେଣ୍ଟ, ଉଦ୍ୟମଶୀଳତା, ବାଣିଜ୍ୟିକ ଉପକ୍ରମ, ଷ୍ଟାର୍ଟଅପ୍‌‌ ଏବଂ କନ୍‌‌ସଲ୍‌‌ଟ୍ୟାନ୍ସି, ଇଣ୍ଡଷ୍ଟ୍ରି ପାର୍ଟନରସିପ୍‌‌ ଆଧାରରେ ଦ୍ରୁତଗତିରେ ମୂଲ୍ୟାଙ୍କନ କରାଯାଉଛି। ‘ଆପ୍ଲାଏଡ ରିସର୍ଚ୍ଚ’ ବା ବ୍ୟାବହାରିକ ଗବେଷଣା ସଂପ୍ରତି ପ୍ରମୁଖ ପ୍ରତିମାନ ପାଲଟିଯାଇଛି।

ଥରେ ବିଶ୍ୱ ପ୍ରସିଦ୍ଧ ପ୍ରାୟୋଗିକ ବୈଜ୍ଞାନିକ ମାଇକେଲ ଫାରାଡେ ଜଣେ ଉଚ୍ଚ ପଦସ୍ଥ ବ୍ରିଟିଶ ଅଧିକାରୀଙ୍କୁ ଇଲେକ୍‌‌ଟ୍ରୋ- ମ୍ୟାଗ୍ନେଟିଜିମ୍‌‌ ଉପରେ ତାଙ୍କ ଆବିଷ୍କାରକୁ ପ୍ରଦର୍ଶିତ କରାଉଥିଲେ। ଏକ କୁଣ୍ଡଳିତ ସ୍ପ୍ରିଙ୍ଗ୍‌‌ ମଧ୍ୟରେ ଏକ ଚୁମ୍ବକକୁ ଘୂରାଇଲେ କିଭଳି ଭାବେ ତାହା ବିଦ୍ୟୁତ ତରଙ୍ଗ ସୃଷ୍ଟି କରୁଛି ତାହା ସେ ପରୀକ୍ଷା କରି ବୁଝାଉଥିଲେ। ବରିଷ୍ଠ ବ୍ରିଟିଶ ଅଧିକାରୀଜଣକ ଏହି ପରୀକ୍ଷା ନିରୀକ୍ଷା ଦ୍ୱାରା ପ୍ରଭାବିତ ନହୋଇ ମାଇକେଲ୍‌‌ ଫାରେଡଙ୍କୁ ପଚାରିଲେ-ଇଲେକ୍‌‌ଟ୍ରିସିଟି ଉତ୍ପାଦନରେ ତୁମର ଏ ପରୀକ୍ଷା ନିରୀକ୍ଷା ରାଷ୍ଟ୍ରକୁ କ’ଣ ବ୍ୟାବହାରିକ ଲାଭ ପହଞ୍ଚାଇବ? ଉତ୍ତରରେ ଫାରାଡ଼େ କହିଥିଲେ – ସାର୍‌‌, ମୁଁ ଜାଣିନାହିଁ। ହେଲେ ମୁଁ ଏତିକି ଜାଣିଛି ଯେ ଦିନେ ଆପଣଙ୍କ ସରକାର ଏହା ଉପରେ ଟିକସ ଲଗାଇପାରନ୍ତି।

ଯଦିଓ ବିଜ୍ଞାନର ବ୍ୟାବହାରିକ ଉପଯୋଗ ନିଃସନ୍ଦେହରେ ମହତ୍ତ୍ୱପୂର୍ଣ୍ଣ, କିନ୍ତୁ ଏହି ଉପଯୋଗିତାବାଦୀ ଦୃଷ୍ଟିକୋଣ ବୈଜ୍ଞାନିକ ଅନୁସନ୍ଧାନର ପ୍ରକୃତ ଧର୍ମର ଅବକ୍ଷୟ ହେବାର ଆଶଙ୍କା ସୃଷ୍ଟି କରିଥାଏ। ଅନ୍ୟ ଅର୍ଥରେ କହିଲେ ବୈଜ୍ଞାନିକ ଗବେଷଣା ବଜାର ଶକ୍ତି ଦ୍ୱାରା ନିର୍ଦ୍ଧାରିତ, ପ୍ରଭାବିତ ଓ ପରିଚାଳିତ ହେଲେ ମୁକ୍ତ ଅନ୍ୱେଷଣ ବହୁଳ ବାଧାପ୍ରାପ୍ତ ହେବା ସହ ଉଦ୍‌‌ଭାବନ ଅଧୋଗତିର ସମ୍ମୁଖୀନ ହେବ। ବୈଜ୍ଞାନିକ ପ୍ରଗତିକୁ କେବଳ ମାତ୍ର ପ୍ରୌଦ୍ୟୋଗିକୀ ନବାଚାର ସହ ସମୀକୃତ କରିବା ଦ୍ୱାରା ବିଜ୍ଞାନର ଗଭୀର ବୌଦ୍ଧିକ ଓ ଅନ୍ୱେଷଣାତ୍ମକ ଅନୁସନ୍ଧାନ ଉପେକ୍ଷିତ ହୋଇଯାଏ। ଗତ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଦ୍ଭୂତପୂର୍ବ ସଫଳତା ହାସଲ କରିପାରିଛି ଏବଂ କୃତ୍ରିମ ବୁଦ୍ଧିମତ୍ତା ବିପ୍ଳବ ଅସାଧାରଣ ଗତିରେ ତା’ର ରୂପ ଲାବଣ୍ୟ ଆମ ସମ୍ମୁଖରେ ଉନ୍ମୋଚନ କରିଚାଲିଛି। ସ୍ୱାସ୍ଥ୍ୟ ସେବାଠୁଁ ଆରମ୍ଭ କରି ଅଣପାରମ୍ପରିକ ଶକ୍ତି ଉତ୍ସର ବିକାଶ ପର୍ଯ୍ୟନ୍ତ ଏକାଧିକ ଆହ୍ୱାନର ମୁକାବିଲା କରିବା କ୍ଷେତ୍ରରେ ବିଜ୍ଞାନ ପ୍ରମୁଖ ଭୂମିକା ସୁଚାରୁରୂପେ ସଂପାଦିତ ହୋଇଚାଲିଛି। ଯଦିଓ ଏହି ସବୁ ନବଉନ୍ମେଷର ବାସ୍ତବିକ ମୂଲ୍ୟ ରହିଛି ତଥାପି ଆମ ମନରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ଥୋପନ ହୋଇଥାଏ ଯେ ବିଜ୍ଞାନକୁ କ’ଣ ବାସ୍ତବିକ ସମସ୍ୟାର ସମାଧାନ ଓ ପୋଷଣୀଣ ବିକାଶ ପାଇଁ ପରିଚାଳିତ କରାଯାଇଥାଏ? ଜିଜ୍ଞାସା, ଗଭୀର ଅନୁଧ୍ୟାନ, ଅନୁସନ୍ଧାନ ଓ ଅନ୍ୱେଷଣ ମାଧ୍ୟମରେ ଜ୍ଞାନର ଦିଗ୍‌‌ବଳୟକୁ ସଂପ୍ରସାରଣ କରିବା ମଧ୍ୟ ଏକ ମହତ୍ତର କାର୍ଯ୍ୟ, ଯାହାକୁ ବିଜ୍ଞାନ ସମ୍ପାଦିତ କରିଥାଏ।

ସଂଗୀତ, ସାହିତ୍ୟ, କଳା ପରି ବିଜ୍ଞାନ ମଧ୍ୟ ଏକ ରଚନାତ୍ମକ ପ୍ରୟାସ। ଏହା ସଦାସର୍ବଦା ବାସ୍ତବତା ସମ୍ବନ୍ଧୀୟ ମୌଳିକ ପ୍ରଶ୍ନକୁ ନେଇ ଅନ୍ୱେଷଣ କରିବା ପାଇଁ ଇଚ୍ଛା ପ୍ରକଟ କରିଥାଏ। ଆଇନଷ୍ଟାଇନଙ୍କ ଆପେକ୍ଷିତ ତତ୍ତ୍ୱ ହେଉ କିମ୍ବା ରମଣଙ୍କ ଆଲୋକର ବିଚ୍ଛୁରଣକୁ ନେଇ ହେଉ, ବିଜ୍ଞାନ କ୍ଷେତ୍ରରେ ଏକାଧିକ ସର୍ବଶ୍ରେଷ୍ଠ ଆବିଷ୍କାର ତାହା ବ୍ୟାବହାରିକ ସମାଧାନର ଦାବି ଦ୍ୱାରା ନୁହେଁ, ବରଂ ଭୌତିକ ବ୍ରହ୍ମାଣ୍ଡ ବିଷୟରେ ଅନିର୍ବଚନୀୟ ଜିଜ୍ଞାସା ବା ଅତୃପ୍ତ ଜିଜ୍ଞାସା ଦ୍ୱାରା ସଂଚାଳିତ ହୋଇଥାଏ। ଏକାଧିକ କ୍ଷେତ୍ରରେ ଏ ସମସ୍ତ ଆବିଷ୍କାର ବର୍ଷ ବର୍ଷ ପରେ କିମ୍ବା ଦଶନ୍ଧି ଦଶନ୍ଧି ପରେ ତାହାର ବ୍ୟାବହାରିକ ଉପଯୋଗକୁ ଖୋଜି ପାଇଥିଲା। କ୍ୱାଣ୍ଟମ୍‌‌ ମେକାନିକ୍ସର କାହାଣୀ,ଯାହାକି ଏବେ ଆଧୁନିକ ଇଲେକ୍‌‌ଟ୍ରୋନିକ୍ସ ଓ କମ୍ପ୍ୟୁଟିଂ କ୍ଷେତ୍ରକୁ ସମୃଦ୍ଧ କରିଛି କିମ୍ବା ସାଧାରଣ ଆପେକ୍ଷିକ ତତ୍ତ୍ୱର ସିଦ୍ଧାନ୍ତ ଯାହାକି ସଠିକ ଜି.ପି.ଏସ୍‌‌ ନାଭିଗେସନ୍‌‌ ବା ମାର୍ଗଦର୍ଶନକୁ ସକ୍ଷମ କରିଛି, ତାହା ବିଳମ୍ବରେ ହେଲେ ମଧ୍ୟ ମୌଳିକ ବିଜ୍ଞାନର ଗଭୀର ପ୍ରଭାବ ସଂପର୍କରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।

ଯେଉଁ ମନଟି ସଦାସର୍ବଦା ଲାଭ କ୍ଷତିର ହିସାବ ନିକାଶ କରୁଥାଏ ତାହା ଆବଶ୍ୟକତାର ସଂକୀର୍ଣ୍ଣ ଗଳିରେ ଛନ୍ଦି ହୋଇ ପଡ଼ିଯାଇଥାଏ। ରଚନାତ୍ମକ ବା ସୃଜନଶୀଳ ମନଟି ହିଁ ସଦାସର୍ବଦା ମାନବତାକୁ ଆଡ଼କୁ ବାଟ କଢ଼େଇ ନେଇଥାଏ। ଯେଉଁ ମୁହୂ୍‌‌ର୍ତ୍ତରେ ଆମେ ଆମର ଅସ୍ତିତ୍ୱକୁ କ୍ରିୟାଶୀଳ କରିବାର ପ୍ରକ୍ରିୟା ପ୍ରତି ଉଦାସୀନ ହୋଇପଡ଼ୁ, ସେତେବେଳେ ଆମେ ନିଜକୁ ଏକ ଯନ୍ତ୍ରରେ ପରିଣତ କରିଦେଇଥାଉ। ବିସ୍ତୀର୍ଣ୍ଣ ଆକାଶର ଛାତି ଉପରେ ଏକ ଇନ୍ଦ୍ରଧନୁ ତା’ର ରୂପ ଲାବଣ୍ୟର ଅମୂଲ୍ୟ ପସରା ମେଳେଇ ଦେଇଥିଲେ ବି ତାହା ବ୍ୟସ୍ତବହୁଳ ଜୀବନ ବିତାଉଥିବା ସହରୀ ମଣିଷ ପାଇଁ କୌଣସି ବ୍ୟାବାହାରିକ ମୂଲ୍ୟ ରଖିନଥାଏ, ପରନ୍ତୁ ଜଣେ କୋମଳମତି ପିଲା ଓ ଜଣେ କବି ସେହି ଇନ୍ଦ୍ରଧନୁର ଅପରୂପ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ତା’ର ବିଦଗ୍ଧ ମନକୁ ଶୀତଳ କରିଥାଏ।

ଜ୍ୟୋତିର୍ବିଜ୍ଞାନ ବିନା ଏକ ବିଶ୍ୱର ଚିନ୍ତା କରନ୍ତୁ, ଯେଉଁଠାରେ କି ମଣିଷମାନେ କେବେ ବି ଥରେ ନିଜ ମୁଣ୍ଡ ଟେକି ଉପରକୁ ଚାହିଁ ନଥିବେ। କେବେ କୌଣସି ପ୍ରଶ୍ନ ପଚାରି ନଥିବେ ବା କେବେ କୌଣସି ସ୍ୱପ୍ନ ବି ଦେଖି ନ ଥିବେ। ନକ୍ଷତ୍ରମାନଙ୍କ ଅବସ୍ଥିତି ବାସ୍ତବତା ବା ଉପଯୋଗିତା ଦୃଷ୍ଟିକୋଣରୁ ଯାହା ଖଗୋଳ ବିଜ୍ଞାନୀଙ୍କ ପାଇଁ ତାହା ଜ୍ୟୋତିଷକାରଙ୍କ ପାଇଁ ନୁହେଁ। ଆମେ କିଏ? ଆମେ କେଉଁଠୁ ଆସିିଲୁ? ଏହି ବିଶ୍ୱ ବ୍ରହ୍ମାଣ୍ଡରେ ଆମର ସ୍ଥାନ କେଉଁଠି? ଏହା ସେହି ପ୍ରଶ୍ନ ନୁହେଁ, ଯାହାର ଉତ୍ତର ଗୋଟେ ହିସାବ ଖାତା ଦେଇପାରିବ। ଏହା ହେଉଛି ସେହି ପ୍ରଶ୍ନ, ଯାହାକି ଆମେ ଜଣେ ଜଣେ ମଣିଷ ବୋଲି ଆମକୁ ପରିଭାଷିତ କରିଥାଏ, ନିର୍ଦ୍ଧାରିତ କରିଥାଏ, ନିରୂପଣ କରିଥାଏ। ଆମେ ସତ୍ୟ, ଶିବ ଓ ସୁନ୍ଦରର ପୂଜାରୀ, ଅନ୍ୱେଷକ ଓ ଜିଜ୍ଞାଷୁ ବୋଲି ଆମକୁ ପରିଚିତ କରାଇଥାଏ। କବିଟିଏ, ଚିତ୍ରକରଟିଏ, ସଂଗୀତଜ୍ଞଟିଏ, ରହସ୍ୟବାଦୀଟିଏ ଯେ କି ଈଶ୍ୱରଙ୍କର ସାକ୍ଷାତ ଦର୍ଶନର ଅଭିଳାଷୀଟିଏ, ଆଧ୍ୟାତ୍ମିକବାଦୀଟିଏ କିମ୍ବା ଜଣେ ବୈଜ୍ଞାନିକଟିଏ ଏମାନେ ସମସ୍ତେ ଅନନ୍ତ, ଅସୀମିତ ଓ ଅପରିମିତର ଜଣେ ଜଣେ ସନ୍ଧାନୀ। ଏହା ସାଂସାରିକତାର ବହୁ ଊର୍ଦ୍ଧ୍ବରେ ଅନନ୍ତ ଅସୀମର ଉପଲବ୍‌‌ଧି ପାଇଁ ସଦା ଉନ୍ମୁକ୍ତ ହୋଇଥିବା ଏକ ଦ୍ୱାରଦେଶ।

ଡକ୍ଟର ଚିତ୍ତରଞ୍ଜନ ମିଶ୍ର
(ଯୁଗ୍ମ ମ୍ୟାନେଜିଂ ଟ୍ରଷ୍ଟି, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ)
ଭୁବନେଶ୍ୱର, ମୋ: ୯୩୩୮୨୦୪୯୯୩

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର