ଅବିଶ୍ରାନ୍ତ ସବୁଜ ଅଭିଯାନର ନାୟିକା

The Sakala Picture
Published On

ପୃଥିବୀର ମଙ୍ଗଳ ପାଇଁ ବୃକ୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ତାପମାନ ବୃଦ୍ଧି ନିୟନ୍ତ୍ରଣରେ ଗଛଗୁଡ଼ିକ ପ୍ରକୃତିର ସୈନିକ। ସେମାନେ ପ୍ରାକୃତିକ ବାୟୁ ବିଶୋଧକ ଭାବରେ କାର୍ଯ୍ୟ କରନ୍ତି; ଅଙ୍ଗାରକାମ୍ଳ ଶୋଷଣ କରି ଅମ୍ଳଜାନ ତ୍ୟାଗ କରନ୍ତି। ଏହା ସହିତ ସେମାନେ ମୃତ୍ତିକା ସ୍ୱାସ୍ଥ୍ୟ ଓ ମୃତ୍ତିକା ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହାବ୍ୟତୀତ, ବୃକ୍ଷଗୁଡ଼ିକ ଅଗଣିତ ପ୍ରଜାତି ପାଇଁ ବାସସ୍ଥାନ ଓ ସମ୍ପଦ ପ୍ରଦାନ କରନ୍ତି, ଜୈବ ବିବିଧତା ଏବଂ ପରିବେଶ ସନ୍ତୁଳନରେ ଅବଦାନ ରଖନ୍ତି। […]

ପୃଥିବୀର ମଙ୍ଗଳ ପାଇଁ ବୃକ୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ତାପମାନ ବୃଦ୍ଧି ନିୟନ୍ତ୍ରଣରେ ଗଛଗୁଡ଼ିକ ପ୍ରକୃତିର ସୈନିକ। ସେମାନେ ପ୍ରାକୃତିକ ବାୟୁ ବିଶୋଧକ ଭାବରେ କାର୍ଯ୍ୟ କରନ୍ତି; ଅଙ୍ଗାରକାମ୍ଳ ଶୋଷଣ କରି ଅମ୍ଳଜାନ ତ୍ୟାଗ କରନ୍ତି। ଏହା ସହିତ ସେମାନେ ମୃତ୍ତିକା ସ୍ୱାସ୍ଥ୍ୟ ଓ ମୃତ୍ତିକା ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହାବ୍ୟତୀତ, ବୃକ୍ଷଗୁଡ଼ିକ ଅଗଣିତ ପ୍ରଜାତି ପାଇଁ ବାସସ୍ଥାନ ଓ ସମ୍ପଦ ପ୍ରଦାନ କରନ୍ତି, ଜୈବ ବିବିଧତା ଏବଂ ପରିବେଶ ସନ୍ତୁଳନରେ ଅବଦାନ ରଖନ୍ତି।

ପରିବେଶ ସୁରକ୍ଷାରେ ବୃକ୍ଷଲତାଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ମହତ୍ତ୍ୱକୁ ଉପଲବ୍ଧି କରିଥିବା ‘ମଦର ଅଫ୍‌‌ ଟ୍ରି’ ବା ‘ଗଛର ମାଆ’ ଭାବେ ପରିଚିତ ସାଲୁମାରାଦା ଥିମ୍ମାକା ସମଗ୍ର ବିଶ୍ୱ ପାଇଁ ଏକ ଆଦର୍ଶ। କର୍ଣ୍ଣାଟକର ଗ୍ରାମୀଣ ଜିଲ୍ଲାର ମାଗାଡ଼ି ତାଲୁକ ଅନ୍ତର୍ଗତ ହୁଲିକାଲ ନାମକ ଏକ ଗ୍ରାମରେ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ଅସାଧାରଣ ମହିଳା ପରିବେଶ ସୁରକ୍ଷା ନିମନ୍ତେ ଅତ୍ୟନ୍ତ ମୂଲ୍ୟବାନ ଅଂଶଦାନ କରିଛନ୍ତି। ସେ କୌଣସି ଆନୁଷ୍ଠାନିକ ଶିକ୍ଷା ପାଇ ନଥିଲେ। ବାଲ୍ୟକାଳରୁ ଘର ପାଖରେ ଏକ ପଥର ଖଣିରେ ଶ୍ରମିକ ଭାବରେ କାମ କରୁଥିଲେ। ତାଙ୍କର ବିବାହ ହୁଲିକାଲ ଗାଁର ଶ୍ରୀବିକ୍କାଲା ଚିକ୍କାୟାଙ୍କ ସହିତ ହୋଇଥିଲା। ବିବାହର ୨୫ ବର୍ଷ ପରେ ମଧ୍ୟ ସନ୍ତାନସନ୍ତତି ଜନ୍ମ ନ ହେବାରୁ ଦିନ କାଟିବା ପାଇଁ ଦମ୍ପତି ଗଛ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ନିଃସନ୍ତାନ ଦମ୍ପତିଙ୍କ ଦୁଃଖ ଓ ନିଃସଙ୍ଗତା ଦୂର ଲକ୍ଷ୍ୟରୁ ଅରମ୍ଭ ହୋଇଥିବା ଏହି ପ୍ରୟାସ ପରବର୍ତ୍ତୀ ସମୟରେ ଏକ ଅସାଧାରଣ ଅଭିଯାନର ରୂପ ନେଇଥିଲା।

ଥିମ୍ମାକ୍କା ଓ ତାଙ୍କ ସ୍ୱାମୀ ରାସ୍ତା ପାର୍ଶ୍ବରେ ଗଛ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ବୃକ୍ଷଶୂନ୍ୟ ଗ୍ରାମ କୁଦୁରକୁ ବାଛିଥିଲେ। ସେମାନେ ବର ଗଛରୁ ଚାରା କଲମୀ କରିବା ଆରମ୍ଭ କରିଥିଲେ। ପ୍ରଥମ ବର୍ଷ ୧୦ଟି ଚାରା କଲମୀ କରି ରାସ୍ତାରେ ୪ କିଲୋମିଟର ପର୍ଯ୍ୟନ୍ତ ରୋପଣ କରିଥିଲେ। ଦ୍ୱିତୀୟ ବର୍ଷରେ ୧୫ଟି ଏବଂ ତୃତୀୟ ବର୍ଷରେ ୨୦ଟି ଗଛ ଲଗାଇଥିଲେ। ଏହିକ୍ରମରେ ପ୍ରତି ବର୍ଷ ଚାରାରୋପଣ ସଂଖ୍ୟା ବୃଦ୍ଧି କରିଚାଲିଲେ। ସେମାନେ ଚାରା ଲଗାଇବା ସହିତ ସନ୍ତାନସନ୍ତତିଙ୍କ ପରି ସେଗୁଡ଼ିକର ଯତ୍ନ ମଧ୍ୟ ନେଲେ। ଚାରାଗୁଡ଼ିକ ବଡ଼ ଗଛରେ ପରିଣତ ହେବା ପରେ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଫଳ ଦେବା ଆରମ୍ଭ କରିଥିଲା। ଏହି ଦମ୍ପତି ପ୍ରାୟତଃ ବର୍ଷା ଋତୁରେ ଚାରା ରୋପଣ କରୁଥିଲେ। ଥିମ୍ମାକ୍କା ତାଙ୍କ ସ୍ୱାମୀଙ୍କ ସହିତ ମିଶି ୮, ୦୦୦ ରୁ ଅଧିକ ଗଛ ଲଗାଇ ଯତ୍ନ ନେବା ଫଳରେ ଏକ ବୃକ୍ଷଶୂନ୍ୟ ଜମି ସବୁଜ ପ୍ରାନ୍ତରେ ପରିଣତ ହୋଇଗଲା।

୧୯୯୧ ମସିହାରେ ସ୍ୱାମୀଙ୍କ ଦେହାନ୍ତ ପରେ ଥିମ୍ମାକ୍କା ଏକାକୀ ନିରନ୍ତର ଭାବରେ ତାଙ୍କର ଅଭିଯାନ ଜାରିଲେ। ସେ ଆଲା ମାରାଦା ଥିମ୍ମାକ୍କା ନାମରେ ମଧ୍ୟ ପରିଚିତ ଥିଲେ। ୩୮୫ ବର ଗଛ ସମେତ ୮୦୦୦ରୁ ଅଧିକ ଗଛ ଲଗାଇ ଯତ୍ନ ନେବାର ଉଲ୍ଳେଖନୀୟ ଅବଦାନ ପାଇଁ ତାଙ୍କୁ ‘ସାଲୁମାର୍ଦା ଥିମ୍ମାକ୍କା’ କୁହାଯାଉଥିଲା। କନ୍ନଡ ଭାଷାରେ ‘ସାଲୁମାର୍ଦା’ ଅର୍ଥ ଗଛର ଧାଡ଼ି। ରାସ୍ତାରେ ସେ ଓ ତାଙ୍କ ସ୍ୱାମୀଙ୍କୁ ସମ୍ମୁଖୀନ ହେବାକୁ ପଡ଼ିଥିବା ଅନେକ କଷ୍ଟ ସତ୍ତ୍ବେ ଚାରା ରୋପଣ ଏବଂ ପରିବେଶ ସଂରକ୍ଷଣ ପ୍ରତି ତାଙ୍କର ଉତ୍ସର୍ଗକୁ ସମ୍ମାନ ଜଣାଇବା ପାଇଁ ତାଙ୍କୁ ଏହି ନାମ ଦିଆଯାଇଥିଲା।

ସାଲୁମାର୍ଦା ଥିମ୍ମାକ୍କା କେବଳ ଗଛ ଲଗାଇ ନଥିଲେ। ସେ ତାଙ୍କ ଗ୍ରାମର ବାର୍ଷିକ ମେଳା ପାଇଁ ବର୍ଷା ଜଳ ସଂରକ୍ଷଣ କରିବା ପାଇଁ ଏକ ଟାଙ୍କି ନିର୍ମାଣ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ। ତାଙ୍କର ଜୀବନର ସରଳ ଦର୍ଶନ ହେଉଛି ଯେ ଏହି ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ମାନବତା ପାଇଁ କିଛି ସମ୍ପତ୍ତି ଛାଡ଼ିଯିବା ଉଚିତ। ତାଙ୍କର ଆର୍ଥକ ଅବସ୍ଥା ସ୍ୱଚ୍ଛଳ ନଥିଲା। ବିଭିନ୍ନ ପୁରସ୍କାର ଓ ଅତ୍ୟଳ୍ପ ମାସିକ ପେନସନରୁ କୌଣସି ପ୍ରକାରେ ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ଆର୍ଥିକ ଦୁରବସ୍ଥା କେବେବି ମାନବଜାତି ପାଇଁ ଭଲ କାମ କରିବାରେ ତାଙ୍କ ଆଗ୍ରହକୁ ଭାଙ୍ଗି ପାରି ନାହିଁ। ସାଲୁମାର୍ଦା ଥିମ୍ମାକ୍କା ଆଜି ପ୍ରତ୍ୟେକ ପରିବେଶବିତଙ୍କ ଆଦର୍ଶ। ସେ ବିଶ୍ୱକୁ ଦେଖାଇଛନ୍ତି ଯେ ଜଣେ ନିରକ୍ଷର ମହିଳା ତାଙ୍କ କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ବଳରେ ସମାଜରେ ଏକ ବିରାଟ ପରିବର୍ତ୍ତନ ଆଣିପାରନ୍ତି।

ଯଦିଓ ଥିମ୍ମାକ୍କା କୌଣସି ଆନୁଷ୍ଠାନିକ ଶିକ୍ଷା ପାଇ ନଥିଲେ, ତାଙ୍କ କାର୍ଯ୍ୟକୁ ଭାରତର ଜାତୀୟ ନାଗରିକ ପୁରସ୍କାରରେ ସମ୍ମାନିତ କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତି ଦିଆଯାଇଛି ଏବଂ ତାଙ୍କୁ ୨୦୧୯ରେ ‘ପଦ୍ମଶ୍ରୀ’ରେ ସମ୍ମାନିତ କରାଯାଇଛି। ଆମେରିକାରେ ତାଙ୍କ ନାମରେ ‘ଥିମ୍ମାକ୍କାର ରିସୋର୍ସ ଫର୍‌‌ ଏନଭାର୍ନାମେଣ୍ଟାଲ୍‌‌ ଏଜୁକେସନ୍‌‌’ ନାମରେ ଏକ ପରିବେଶ ସଂଗଠନ ମଧ୍ୟ ଅଛି। ସେ ମଧ୍ୟ ବନମିତ୍ର, ନିସର୍ଗରତ୍ନ, ବୃକ୍ଷପ୍ରେମୀ ଓ ବୃକ୍ଷଶ୍ରୀ ଭଳି ଉପାଧିରେ ସମ୍ମାନିତ ହୋଇଛନ୍ତି। ପରିବେଶ ରକ୍ଷା ଦିଗରେ ତାଙ୍କର ଅବିଶ୍ରାନ୍ତ ପ୍ରୟାସ ପାଇଁ ତାଙ୍କୁ ଅନେକ ପୁରସ୍କାର ଏବଂ ପ୍ରଶଂସାପତ୍ରରେ ସମ୍ମାନିତ କରାଯାଇଛି।

୧୧୩ ବର୍ଷ ବୟସରେ ଆଜି ମଧ୍ୟ ସେ ଅଧିକ ଗଛ ଲଗାଇବାର ସ୍ୱପ୍ନକୁ ଦେଖି ତାହାକୁ ବାସ୍ତବତାରେ ରୂପାୟନ କରୁଛନ୍ତି। ଯୁଗରେ ଦ୍ରୁତଜଙ୍ଗଲ କ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ଥିମ୍ମାକାଙ୍କ ବାର୍ତ୍ତା ଆଜି ବହୁ ଅଧିକ ପ୍ରାସଙ୍ଗିକ। ତାଙ୍କ କାହାଣୀ ଆମକୁ ଶିଖାଏ ‘ଗୋଟିଏ ମଣିଷ ମଧ୍ୟ ପରିବର୍ତ୍ତନ ଆଣିପାରେ। ଆଜି ଗଛ ଲଗାଇଲେ, ଆସନ୍ତା କାଲି ଉଜ୍ୱଳ ହେବ। ସମୁଦାୟ ଉଦ୍‌ଯୋଗ ଭୂଦୃଶ୍ୟର ପରିବର୍ତ୍ତନ କରିପାରେ।’

ଆମେ ଯଦି ସମସ୍ତେ ତାଙ୍କ ଉଦାହରଣକୁ ଅନୁସରଣ କରିବା ଆମ ଜଗତ ସତରେ କେତେ ସବୁଜ, ସୁନ୍ଦର, ଶ୍ୟାମଳ ହୋଇ ଗଢ଼ି ଉଠିବ। ପ୍ରକୃତି ସଂରକ୍ଷଣ ହେଉଛି ଆମର କର୍ତ୍ତବ୍ୟ। ଗଛ ଲଗାନ୍ତୁ, ପରିବେଶ ସୁରକ୍ଷିତ ରଖନ୍ତୁ। ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ପାଇଁ ଆଜିଠାରୁ ପଦକ୍ଷେପ ନିଅନ୍ତୁ। ସବୁଜ ଥିଲେ ସ୍ୱାସ୍ଥ୍ୟ ମିଳିବ, ପରିବେଶ ସୁନ୍ଦର ରହିବ। ଏକ ଗଛ ଏକ ପ୍ରାଣ, ଗଛ ବଞ୍ଚାଏ ଜୀବନ। ପ୍ରତି ଘରେ ଗଛ ହେଉ, ପୃଥିବୀ ସବୁଜ ହେଉ।

ମିନାକ୍ଷୀ ଦ୍ୱିବେଦୀ
ଗୁରୁଗ୍ରାମ, ମୋ: ୭୯୭୮୦୮୨୮୩୪

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର