ସୁବର୍ଣ୍ଣର ମାୟା

The Sakala Picture
Published On

ଯୁଗ ପରିବର୍ତ୍ତନ ହେବା ସହ ମଣିଷର ଆଚାର ଓ ବିଚାର ଶକ୍ତି ପରିବର୍ତ୍ତିତ ହୋଇଛି। କିନ୍ତୁ ଅନନ୍ତକାଳ ଧରି ସମଗ୍ର ପୃଥିବୀ ପୃଷ୍ଠରେ ସୁନା ପ୍ରତି ଥିବା ଲୋକଙ୍କ ମୋହ ଓ ଆକର୍ଷଣ ଅତୁଟ ରହିଛି। ବିଶ୍ୱର ସମସ୍ତ ଦେଶରେ ସୁନା ପ୍ରତି ଆକର୍ଷଣ ଥିଲେ ମଧ୍ୟ ଭାରତରେ ଏଥିପ୍ରତି ବହୁକାଳରୁ ଆଜି ପର୍ଯ୍ୟନ୍ତ ଲୋକଙ୍କ ଦୁର୍ବଳତା ଅଧିକ ରହିଛି ଏବଂ ବଢ଼଼ିବାରେ ଲାଗିଛି। ଭାରତୀୟଙ୍କ ପାଇଁ ଏହା କେବଳ ଏକ ନିର୍ଜୀବ ଧାତୁ ନୁହେଁ, ଧର୍ମ, […]

ଯୁଗ ପରିବର୍ତ୍ତନ ହେବା ସହ ମଣିଷର ଆଚାର ଓ ବିଚାର ଶକ୍ତି ପରିବର୍ତ୍ତିତ ହୋଇଛି। କିନ୍ତୁ ଅନନ୍ତକାଳ ଧରି ସମଗ୍ର ପୃଥିବୀ ପୃଷ୍ଠରେ ସୁନା ପ୍ରତି ଥିବା ଲୋକଙ୍କ ମୋହ ଓ ଆକର୍ଷଣ ଅତୁଟ ରହିଛି। ବିଶ୍ୱର ସମସ୍ତ ଦେଶରେ ସୁନା ପ୍ରତି ଆକର୍ଷଣ ଥିଲେ ମଧ୍ୟ ଭାରତରେ ଏଥିପ୍ରତି ବହୁକାଳରୁ ଆଜି ପର୍ଯ୍ୟନ୍ତ ଲୋକଙ୍କ ଦୁର୍ବଳତା ଅଧିକ ରହିଛି ଏବଂ ବଢ଼଼ିବାରେ ଲାଗିଛି। ଭାରତୀୟଙ୍କ ପାଇଁ ଏହା କେବଳ ଏକ ନିର୍ଜୀବ ଧାତୁ ନୁହେଁ, ଧର୍ମ, ସଂସ୍କୃତି ଓ ଅର୍ଥନୀତିର ଏକ ମେରୁଦଣ୍ଡ ସଦୃଶ। ସମୟ ବଦଳିବା ସହ ସୁନାର ଦର ଆକାଶ ଛୁଅାଁ ହୋଇଥିଲେ ବି ଭାରତୀଙ୍କ ମୋହ ଏଥିପ୍ରତି ତୁଟିନାହିଁ, ବରଂ ଦ୍ୱିଗୁଣିତ ହୋଇଛି। ଭାରତୀୟମାନେ ସୁନାକୁ ଲକ୍ଷ୍ମୀଙ୍କ ସ୍ୱରୂପ ଓ ଶୁଭର ପ୍ରତୀକ ରୂପେ ମାନ୍ୟତା ଦେଇଥିବାରୁ ସୁନାଅଳଙ୍କାର ସର୍ବାଙ୍ଗେ ଧାରଣ କରୁଥିଲେ ମଧ୍ୟ ପାଦରେ ପିନ୍ଧି ନଥା’ନ୍ତି। ତେଣୁ ସୁନା ହଜିଗଲେ ଅଶୁଭ ବୋଲି କୁହାଯାଏ। ବିବାହ, ବ୍ରତଘରରେ ଗହଣା ଦେବାର ପରମ୍ପରା ରହିଥିବାରୁ ଧନୀ ହେଉ କି ଗରିବ କିଛି ନା କିଛି ଅଳଙ୍କାର କିଣିଥା’ନ୍ତି। ତେଣୁ ଅନ୍ୟ ଦେଶ ତୁଳନାରେ ଭାରତରେ ସୁନାର ଚାହିଦା ସର୍ବାଧିକ।

ପୃଥିବୀର ମୋଟ୍‌‌ ସୁନାର ଚାହିଦାର ହାରାହାରି ୨୫ ପ୍ରତିଶତ ସୃଷ୍ଟି ହୋଇଥାଏ ଭାରତରେ ଏବଂ ଏଥିରୁ ୯୦% ହେଉଛି ଗହଣା। ବିଶ୍ୱରେ ଆବିଷ୍କୃତ ସୁନା ପରିମାଣ ପ୍ରାୟ ୨୪୪, ୦୦୦ ମେଟ୍ରିକ୍‌‌ ଟନ୍‌‌ ବୋଲି ଆକଳନ କରାଯାଇଛି। ଏଥିରେ ଐତିହାସିକ ଉତ୍ପାଦନ ଏବଂ ବର୍ତ୍ତମାନ ଜଣାଶୁଣା ଭୂତଳ ଖଣିଜ ଭଣ୍ଡାର ଉଭୟ ଅନ୍ତର୍ଭୁକ୍ତ। ଏହି ସଂଖ୍ୟା ସୂଚାଇ ଦିଏ ଯେ ପୃଥିବୀରେ ପ୍ରତି ବ୍ୟକ୍ତି ପାଇଁ ପ୍ରାୟ ୩୦ ଗ୍ରାମ ସୁନା ଅଛି। ଚୀନ୍‌‌, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସର୍ବବୃହତ ସୁନା ଉତ୍ପାଦନକାରୀ ଦେଶ। ପ୍ରକୃତିର ଗନ୍ତାଘରେ ଆଉ ମାତ୍ର ପ୍ରାୟ ୫୦, ୦୦୦ ଟନ୍‌‌ ସୁନା ରହିଛି, ଯାହା ସଂଗ୍ରହ ହୋଇ ସାରିଥିବା ସୁନାର ପ୍ରାୟ ଏକ-ତୃତୀୟାଂଶ। ଏହାର ଅଧାଅଧି ରହିଛି ଦକ୍ଷିଣ ଆଫ୍ରିକାରେ। ବାକି ଅଧା ରୁଷିଆ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ଚୀନ, ଅଷ୍ଟ୍ରେଲିଆ ଆଦି ଦେଶମାନଙ୍କର ଖଣିରେ ରହିଛି।

ସୁନାର ବାର୍ଷିକ ଉତ୍ପାଦନ ଏତେ ନଗଣ୍ୟ ଯେ ଏହା ଦ୍ୱାରା ପୃଥିବୀରେ ଉପଲବ୍ଧ ସୁନା ପରିମାଣରେ ବାର୍ଷିକ ପ୍ରାୟ ମାତ୍ର ୧.୭ ଶତାଂଶ ହାରରେ ବୃଦ୍ଧି ଘଟିଥାଏ। ସୁନା ଏକ ନମନୀୟ ଧାତୁ ହୋଇଥିବାରୁ ଦୈନନ୍ଦିନ ବ୍ୟବହାରରେ ଲଗାଇବା ସମ୍ଭବ ନୁହେଁ। ତେଣୁ ସୁନାକୁ ବ୍ୟବହାରଯୋଗ୍ୟ କରିବା ପାଇଁ ସେଥିରେ ଖାଦ ମିଶାଯାଇ ଗଢ଼ଣଯୋଗ୍ୟ ‌‌କରାଯାଏ। ସୁନାର ଶୁଦ୍ଧତାକୁ କାରାଟ୍‌‌ ଆକାରରେ ପ୍ରକାଶ କରାଯାଏ। ସମ୍ପୂର୍ଣ୍ଣ ଶୁଦ୍ଧ ସୁବର୍ଣ୍ଣରେ ଥାଏ ୨୪ କାରାଟ୍‌‌। ଏଥିରେ ତମ୍ୱା ମିଶାଇ ‘ଗିନିସୁନା’ ପ୍ରସ୍ତୁତ କରାଯାଏ, ଯାହାର ଶୁଦ୍ଧତା ୨୨ କାରାଟ୍‌‌, ୧୮ କାରାଟ୍‌‌, ୧୪ ଓ ୧୦ କାରାଟ୍‌‌ ଆଦି ହୋଇଥାଏ।

ପ୍ରାକୃତିକ ଅବସ୍ଥାରେ ସୁନା ଦୁଇଟି ରୂପରେ ଉପଲବ୍ଧ ହୋଇଥାଏ। ଗୋଟିଏ ହେଲା ପଥର ଫାଙ୍କ ଶିରାରେ ଏହାର ଉପସ୍ଥିତି। ଏହାକୁ ‘ଲୋଡ୍‌‌ ଡିପୋଜିଟ୍‌‌’ କୁହାଯାଇଥାଏ। ସୁନାଖଣିରୁ ଏ ପଥରକୁ ଉତ୍ତୋଳନ କରି ଗୁଣ୍ଡ କରି କିମ୍ୱା ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ଏଥିରୁ ଅଲଗା କରାଯାଏ। ଅନ୍ୟଟି ହେଉଛି ‘ପ୍ଲେସର୍‌‌’ ଡିପୋଜିଟ୍‌‌। ‘ଲୋଡ୍‌‌ ଡିପୋଜିଟ୍‌‌’ ଉପର ଦେଇ ଦୀର୍ଘକାଳ ଧରି ଜଳ ପ୍ରବାହିତ ହେଲେ କ୍ରମେ କ୍ଷୟ ଘଟି ସୁନା ପଥରରୁ ଅଲଗା ହୋଇ କ୍ଷୁଦ୍ର କ୍ଷୁଦ୍ର କଣିକା ଆକାରରେ ପାଣିରେ ଭାସିଥାଏ। ନଦୀର ସ୍ରୋତ ଧୀମା ହୋଇଗଲେ ଏହି ସୁନା ନଦୀ ଶଯ୍ୟାର ବାଲି ବା ପଟୁରେ ବସିଯାଏ। ବେଳେବେଳେ ଏହି କଣିକା ଏକାଠି ବାନ୍ଧି ହୋଇ ଛୋଟବଡ଼ ମୁଣ୍ଡାରେ ପରିଣତ ହୋଇଯାଏ। ଏହିପ୍ରକାର ଜମିଥିବା ସୁନା ହେଉଛି ‘ପ୍ଲେସର୍‌‌ ତିପୋଜିଟ’।

ଯଦି କୌଣସି ସ୍ଥାନରେ ଯଥେଷ୍ଟ ‘ପ୍ଲେସର୍‌‌ ଡିପୋଜିଟ୍‌‌’ ରହିଥିବା ଖବର ପ୍ରସାରିତ ହୁଏ ତେବେ ଏହାକୁ ପାଇବାକୁ ସୁନାପ୍ରେମୀ ମାନଙ୍କର ସୁଅଛୁଟେ। ଏହାକୁ ‘ଗୋଲ୍ଡରସ୍‌‌’ କୁହାଯାଏ। ସେହି ଗୋଲ୍ଡରସ୍‌‌ରେ କିଏ ରାତାରାତି ଧନୀ ହୋଇଯାଏ ତ କେଉଁ ନୀତିବାନ ହଠାତ୍‌‌ ନୀତିହୀନ ହୋଇଯାଏ। ବେଳେବେଳେ ଗୋଲ୍ଡରସ୍‌‌କୁ କେନ୍ଦ୍ର କରି ସମ୍ପୃକ୍ତ ଅଞ୍ଚଳରେ ନୂତନ ଜନବସତିମାନ ଗଢ଼ିଉଠେ। ଦକ୍ଷିଣ ଆଫ୍ରିକାର ଜୋହାନସ୍‌‌ବର୍ଗ ସହର ସେଠାକାର ୱିଜ୍‌‌ୱଟର୍ସରାଣ୍ଡ ଗୋଲ୍ଡରସ୍‌‌ରୁ ସୃଷ୍ଟ। ସେହିପରି ୧୮୪୮-୫୨ ମସିହାରେ ଘଟିଥିବା କାଲିଫର୍ଣ୍ଣିଆ ଗୋଲ୍ଡରସ୍‌‌ ଯୋଗୁଁଁ ଆମେରିକାର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ଆସି ସେଠାରେ ବସବାସ କଲେ ଏବଂ ୧୮୫୦ରେ କାଲିଫର୍ଣ୍ଣିଆ ଯୁକ୍ତରାଷ୍ଟ୍ର ସଂଘରେ ପ୍ରବେଶ କଲା। ଇତିହାସରେ ବୋଧହୁଏ ସବୁଠାରୁ ପ୍ରସିଦ୍ଧ ଗୋଲ୍ଡରସ୍‌‌ ହେଉଛି କାନାଡ଼ାରେ ୧୮୯୮-୯୯ରେ ଘଟିଥିବା କ୍ଳୋଣ୍ଡାଇକ୍‌‌ ଗୋଲ୍ଡ ରସ୍‌‌। କ୍ଲୋଣ୍ଡାଇକ୍‌‌ ନଦୀ ଓ ୟୁକନ୍‌‌ ନଦୀର ସଙ୍ଗମ ନିକଟରେ ଆବିଷ୍କୃତ ପ୍ଲେସର୍‌‌ ଡିପୋଜିଟ୍‌‌ ସେଠାକୁ ନିୟୁତ ନିୟୁତ ସଂଖ୍ୟାରେ ସୁନା ସନ୍ଧାନୀମାନଙ୍କୁ ଆକର୍ଷିତ କରିଥିଲା, ଯାହା ଇତିହାସରେ ସର୍ବାଧିକ। ଏହା କିନ୍ତୁ ଏପରି ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଥିଲା ଯେ ଖାଦ୍ୟାଭାବ, ମେରୁ ଅଞ୍ଚଳର ଦୀର୍ଘ ଶୀତରାତିର ଅସହ୍ୟ ଥଣ୍ଡା ଓ ଜଙ୍ଗଲରେ ଲାଗି ଯାଉଥିବା ସର୍ବଗ୍ରାସୀ ନିଅାଁ ଆଦି ପ୍ରତିବନ୍ଧକ ଥିଲା। ଖାଦ୍ୟାଭାବରୁ ଲୋକେ ଜୋତାକୁୁ ସିଝାଇ ଖାଇଥିବା କୁହାଯାଏ। କିନ୍ତୁ ସବୁ ବାଧାବିଘ୍ନକୁ ଅତିକ୍ରମ କରି ଶେଷରେ ମାତ୍ର ପ୍ରାୟ ୩୫, ୦୦୦ ଦୁଃସାହାସୀ ସୁନାପ୍ରେମୀ ସେଠାରେ ପହଞ୍ଚିପାରିଥିଲେ।

ଏଠାରେ ଏହି କଥା ଦର୍ଶାଇବାର କାରଣ ହେଉଛି ସୁନା ନିଶା ମଣିଷକୁ କେଉଁସ୍ତରରୁ କେଉଁସ୍ତରକୁ ଖସାଇ ଦେଇଥାଏ। ଏହା ଏକ ମୂଲ୍ୟବାନ୍‌‌ ଧାତୁ ହୋଇଥାଇପାରେ, କିନ୍ତୁ ଏଭଳି ଦୁର୍ବାର ଆକର୍ଷଣ ତା’ର ମହାନତା ନୁହେଁ। ଜୀବନ ଦୁଇଦିନର ଜାଣି ମଧ୍ୟ ମଣିଷ ପ୍ରତି ମୁହୂର୍ତ୍ତରେ ତା’ର ଆକର୍ଷଣ ପଛରେ ଧାଇଁ ଚାଲିଛନ୍ତି।

ରାନୀ ନାୟକ
ଢେଙ୍କାନାଳ, ମୋ: ୭୬୦୬୯୯୬୦୫୩

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର