ଆମ ଶକ୍ତି, ଆମ ଧରିତ୍ରୀ
୧୯୬୦ ମସିହାରେ ହାଇସ୍କୁଲ ପାଠ୍ୟକ୍ରମରେ ଥିବା ପଦ୍ମଶ୍ରୀ ରାଧାମୋହନ ଗଡ଼଼ନାୟକଙ୍କର ‘ମାଟି’ କବିତାର କିୟଦଂଶ ଏଠରେ ଉପସ୍ଥାପନା କରିବା ସମୀଚୀନ ମନେହୁଏ। ‘ମାଟି’ ଯେତେବେଳେ ନିଜ ପାଇଁ କିଛି ବର ନ ମାଗି, ସବୁ ବିଧାତାଙ୍କ ଇଚ୍ଛା ଉପରେ ଛାଡ଼ି ଦେଇଥିଲା, ସେତେବେଳେ ତା’କୁ ସତର୍କ କରାଇ ସ୍ରଷ୍ଟା କହିଥିଲେ, ‘ମୋର ଇଚ୍ଛା ଭୟଙ୍କର, ଭୟଙ୍କର ଅତି / ସମ୍ଭାଳି ପାରିବଟି କି ଅୟି ମାଟି, ଅୟି ବସୁମତୀ? …/…ସୃଷ୍ଟିରେ ମୋ ଶ୍ରେଷ୍ଠ କରି ସୃଜିବି ଯେ […]
୧୯୬୦ ମସିହାରେ ହାଇସ୍କୁଲ ପାଠ୍ୟକ୍ରମରେ ଥିବା ପଦ୍ମଶ୍ରୀ ରାଧାମୋହନ ଗଡ଼଼ନାୟକଙ୍କର ‘ମାଟି’ କବିତାର କିୟଦଂଶ ଏଠରେ ଉପସ୍ଥାପନା କରିବା ସମୀଚୀନ ମନେହୁଏ। ‘ମାଟି’ ଯେତେବେଳେ ନିଜ ପାଇଁ କିଛି ବର ନ ମାଗି, ସବୁ ବିଧାତାଙ୍କ ଇଚ୍ଛା ଉପରେ ଛାଡ଼ି ଦେଇଥିଲା, ସେତେବେଳେ ତା’କୁ ସତର୍କ କରାଇ ସ୍ରଷ୍ଟା କହିଥିଲେ,
‘ମୋର ଇଚ୍ଛା ଭୟଙ୍କର, ଭୟଙ୍କର ଅତି / ସମ୍ଭାଳି ପାରିବଟି କି ଅୟି ମାଟି, ଅୟି ବସୁମତୀ? …/…ସୃଷ୍ଟିରେ ମୋ ଶ୍ରେଷ୍ଠ କରି ସୃଜିବି ଯେ ନର ଦୁର୍ଦ୍ଧର୍ଷ, ଦୁର୍ଦ୍ଧର / କୃଷି ପାଇଁ, କୃଷ୍ଟି ପାଇଁ ଉଦଗ୍ର ନିୟତ, କରିବେ ତୁମର ବକ୍ଷ ବିକ୍ଷତ, ବିହତ। ମାଟି ଉତ୍ତର ଦେଇଥିଲା – ‘ଅଚଳା ମୁଁ, ସର୍ବସଂହା ମୁଁ’।
ସେଇ ସର୍ବସଂହା ମାଟି, ଆମର ପୃଥିବୀ / ଧରିତ୍ରୀ ଯୁଗ ଯୁଗ ଧରି ଜୀବଜଗତର ଅଳି, ଅର୍ଦଳି ସହି ଆସିଛି। ତା’ର ସେଇ ନିରବତା ଓ ମୌନତାର ସୁଯୋଗ ନେଇ ଆମେ ସମସ୍ତେ ତା’କୁ ସାଧ୍ୟମତେ ଲୁଣ୍ଠନ କରି ଚାଲିଛେ। ବିଶେଷକରି ଏଇ ମାଟିର ମଣିଷ ଦିନେ ପୁଣି ସେଇ ମାଟି କୋଳରେ ଅନ୍ତିମ ଆଶ୍ରୟ ଦେବ – ଏ କଥା ଜାଣି ମଧ୍ୟ ଆଜି ଯନ୍ତ୍ର ଦ୍ୱାରା ପୃଥିବୀର ଶରୀରକୁ କ୍ଷତବିକ୍ଷତ କରି ପକାଉଛି ମଣିଷ। ବିଭିନ୍ନ ରସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ଜରିଆରେ ମାଟିକୁ ବିଷାକ୍ତ ଏବଂ ପତିତ କରି ଦେଉଛି। ଯେଉଁ କୃଷକ ଦିନେ ମାଟି-ମା’ର ରକ୍ଷକ ଥିଲା, ପରିବର୍ଦ୍ଧକ ଥିଲା, ସେ ଆଜି ମାଟିକୁ ଲୁଣ୍ଠନ କରୁଛି, ଶୋଷଣ କରୁଛି। ଜମି ବା ମାଟି ସହିତ ତା’ର ସମ୍ପର୍କ ବର୍ତ୍ତମାନ ଅଧିକରୁ ଅଧିକ ଉତ୍ପାଦନ କରିବାରେ ହିଁ ସୀମାବଦ୍ଧ- ତାହା ଯେ କୌଣସି ଉପାୟରେ ହେଉନା କାହିଁକି।
ମୃତ୍ତିକାରୁ ହିଁ ଜୈବ ବିବିଧତାର ଉତ୍ପତ୍ତି ଓ ଉନ୍ମେଷ। ଏହାର ପୁଷ୍ଟି ସହସ୍ର ବର୍ଷର ବିବର୍ତ୍ତନ ଫଳରେ ସମ୍ଭବ ହୋଇପାରିଛି। ପ୍ରାକୃତିକ ସମ୍ପଦ ଉପରେ ମାନବ ପ୍ରଜାତିର ବୃଦ୍ଧି ପାଉଥିବା ନିର୍ଭରଶୀଳତା, ଚାପ ଏବଂ ଲଗାମବିହୀନ ଅଣବୈଜ୍ଞାନିକ ପଦ୍ଧତିରେ ଉପଲବ୍ଧ ପ୍ରାକୃତିକ ସମ୍ବଳର ଅପବ୍ୟବହାର ଫଳରେ ଜୈବବିବିଧତା ଏବେ ସଂକଟରେ। ବିପଜ୍ଜନକ ଭାବେ ଘନ ଘନ ପରିବର୍ତ୍ତନ ହେଉଥିବା ଜଳବାୟୁ ସହିତ ଖାପଖୁଆଇ ଚଳିବା ପ୍ରକ୍ରିୟାରେ ଏବେ ପ୍ରତି ଘଣ୍ଟାରେ ୩ଟି ପ୍ରଜାତି ପୃଥିବୀରୁ ଲୋପ ପାଇ ଯାଉଛନ୍ତି। ‘ଷ୍ଟେଟ୍ ଅଫ୍ ୱାଇଲଡ୍ ଟ୍ରି’ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ୩୦୦ ବର୍ଷ ଭିତରେ ୪୦ ପ୍ରତିଶତ ଜଙ୍ଗଲ ଭୂପୃଷ୍ଠରୁ ଲୋପ ପାଇ ଗଲାଣି। ଅଦ୍ୟାବଧି ଚିହ୍ନଟ ହୋଇଥିବା ୬୦ ହଜାର ପ୍ରଜାତି ମଧ୍ୟରୁ ପାଖାପାଖି ୩୦ ପ୍ରତିଶତ ପ୍ରଜାତି ବିଲୁପ୍ତ ହୋଇସାରିଲେଣି। ଗତ ୫୦ ବର୍ଷ ମଧ୍ୟରେ ଏହି ବିଲୁପ୍ତି ପ୍ରକ୍ରିୟା ତୀବ୍ରତର ହୋଇଛି। ଏହାପଛର କାରଣ ବିଶ୍ୱତାପନ ଓ ତତ୍ଜନିତ ଜଳବାୟୁ ପରିବର୍ତ୍ତନ।
ସେହିପରି ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବାର ଅନ୍ୟତମ କାରଣ ହେଉଛି ମନୁଷ୍ୟକୃତ କାର୍ଯ୍ୟକଳାପରୁ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଉତ୍ସର୍ଜନ ପରିମାଣ ବୃଦ୍ଧି। ଶିଳ୍ପ ବିପ୍ଳବ ପୂର୍ବବର୍ତ୍ତୀ ସମୟରେ ଆମ ବାୟୁରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଥିଲା ୨୮୦ ନିୟୁତାଂଶ। ସମ୍ପ୍ରତି ସେହି ପରିମାଣ ୪୨୭ ନିୟୁତାଂଶରେ ପହଞ୍ଚିଲାଣି। ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରେ ଅଧିକ ଉତ୍ତାପ ବିକିରଣ କରିଥାଏ। ଏହି କାରଣରୁ ଊନବିଂଶ ଶତାବ୍ଦୀର ଶେଷପର୍ଯ୍ୟାୟରୁ ଅଦ୍ୟାବଧି ତାପମାତ୍ରା ୨ ଡିଗ୍ରୀ ଫାରେନହିଟ୍ ବଢ଼଼ି ସାରିଲାଣି। ମନୁଷ୍ୟକୃତ କାର୍ଯ୍ୟକଳାପରୁ ବାୟୁମଣ୍ଡଳକୁ ଯେତେ ପରିମାଣରେ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି, ତା’ର ପ୍ରମୁଖ ଉତ୍ସ ହେଉଛି ପରିବହନ ଓ ଶିଳ୍ପାୟନ। ଶକ୍ତି ଉତ୍ପାଦନ ପାଇଁ ବ୍ୟବହୃତ ଜୀବାଶ୍ମ ଇନ୍ଧନ ଯଥା ପେଟ୍ରୋଲ, ଡିଜେଲ୍, କୋଇଲା ଏଥିପାଇଁ ମୁଖ୍ୟତଃ ଦାୟୀ।
ଜୀବାଶ୍ମ ଇନ୍ଧନ ପରିବର୍ତ୍ତେ କିପରି ନବୀକରଣୀୟ ଶକ୍ତି ବା ସବୁଜଶକ୍ତି ଯଥା ସୌରଶକ୍ତି, ପବନଶକ୍ତି, ଜଳଶକ୍ତି, ଭୂ-ତାପଜ ଶକ୍ତିର ଉତ୍ପାଦନ ଅଧିକ ହେବ, ସେ ଦିଗରେ ବିଶ୍ୱବାସୀଙ୍କୁ ସଚେତନ କରିବା ପାଇଁ ଚଳିତ ‘ବିଶ୍ୱ ଧରିତ୍ରୀ ଦିବସ’ର ପ୍ରସଙ୍ଗ ରଖାଯାଇଛି ‘ଆମ ଶକ୍ତି ଆମ ଧରିତ୍ରୀ’। ଲକ୍ଷ୍ୟ ଅଛି ୨୦୩୦ ସୁଦ୍ଧା ବିଶ୍ୱରେ ନବୀକରଣୀୟ ଶକ୍ତିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ କିପରି ୩ ଗୁଣା କରାଯାଇପାରିବ। ନବୀକରଣୀୟ ଶକ୍ତି ସ୍ୱଚ୍ଛ ଶକ୍ତି ଏବଂ ଏଥିରୁ ସବୁଜ ଗୃହ ବାଷ୍ପ ନିର୍ଗମନ ହୁଏ ନାହିଁ। କାନାଡ଼ା, ସ୍ୱିଜରଲ୍ୟାଣ୍ଡ, ଅଷ୍ଟ୍ରିଆ, ନ୍ୟୁଜିଲ୍ୟାଣ୍ଡ, ବ୍ରାଜିଲ, ନରୱେ, ସ୍ୱିଡେନ ଓ ଡେନ୍ମାର୍କ ଆଦି ୪୯ଟି ଦେଶ ସେମାନଙ୍କର ବିଦ୍ୟୁତ ଶକ୍ତିର ଅର୍ଦ୍ଧାଧିକ ଆବଶ୍ୟକତା ନବୀକରଣୀୟ ଶକ୍ତିରୁ ପାଉଛନ୍ତି। ଭାରତ ମଧ୍ୟ ୨୦୩୦ ସୁଦ୍ଧା ଏହାର ବିଦ୍ୟୁତ୍ ଆବଶ୍ୟକତାର ୪୦ ପ୍ରତିଶତ ନବୀକରଣୀୟ ଶକ୍ତି ଉତ୍ସରୁ ପାଇବ ବୋଲି ପ୍ୟାରିସ୍ ଜଳବାୟୁ ରାଜିନାମାରେ ପ୍ରତିଶ୍ରୁତି ଦେଇଛି।
ବର୍ତ୍ତମାନ ସ୍ଥିତିରେ ବିଶ୍ୱବାସୀଙ୍କର ହାରାହାରି ଜୀବନଯାପନ ଶୈଳୀ ନିମନ୍ତେ ପ୍ରାକୃତିକ ସମ୍ବଳ ବିନିଯୋଗ ଦୃଷ୍ଟିରୁ ୧.୫ ଗୋଟି ପୃଥିବୀର ଆବଶ୍ୟକତା ରହିଛି। ଯଦି ଆମେରିକୀୟ ମାନଙ୍କର ଜୀବନଶୈଳୀ ଆପଣେଇ ନିଆଯାଏ, ତେବେ ପାଞ୍ଚଗୋଟି ପୃଥିବୀର ଆବଶ୍ୟକତା ପଡ଼ିବ। କିନ୍ତୁ ଆମ୍ଭମାନଙ୍କ ପାଖରେ ମାତ୍ର ଗୋଟିଏ ପୃଥିବୀ ଉପଲବ୍ଧ ଅଛି। ଏହି ଅନନ୍ୟ ଓ ଏକମାତ୍ର ପୃଥିବୀର ପ୍ରାକୃତିକ ସମ୍ବଳର ସୁରକ୍ଷା, ସଂରକ୍ଷଣ ତଥା ସୁବିନିଯୋଗ ନିମନ୍ତେ ଉତ୍ତର ପିଢ଼ିଙ୍କ ମନରେ ସଚେତନ ସୃଷ୍ଟି କରିବା ଆଜିର ପ୍ରମୁଖ ଅନୁଚିନ୍ତା ହେଉ।
ଡ. ବିଜୟ କେତନ ପଟ୍ଟନାୟକ
ଭୁବନେଶ୍ୱର, ମୋ: ୯୪୩୭୦୦୦୯୦୪






