ବିଚଳିତ ବିଶ୍ୱ, ବିଗଳିତ କରୁଣା

The Sakala Picture
Published On

୨୮ ଫେବୃଆରୀ ୨୦୨୫ ଦିନ ଯୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଯେଉଁ ଦ୍ୱିପାକ୍ଷିକ ଆଲୋଚନାରେ ମିଳିତ ହୋଇଥିଲେ, ତହିଁରୁ ବିଶ୍ୱ ଗୋଟିଏ ନିର୍ଣ୍ଣାୟକ ସଂକେତ ପାଇବାର ଅପେକ୍ଷାରେ ଥିଲା। ରୁଷ୍‌‌-ଯୁକ୍ରେନ ଯୁଦ୍ଧର ଆସନ୍ନ ଅବସାନର କୂଟନୈତିକ କଳ୍ପନା ବିଫଳ ହୋଇ ଚାଲିଥିବା ପରିପ୍ରେକ୍ଷୀରେ ୟୁରୋ-ଆମେରିକାନ ମଧ୍ୟସ୍ଥତା ସ୍ଥିତିକୁ ବଦଳେଇ ଦେଇପାରେ ବୋଲି ଅନୁମାନ କରାଯାଉଥିଲା। ପ୍ରକୃତରେ ସାରା ବିଶ୍ୱ ଜାଣେ ଯେ ଏ ପ୍ରାୟ ଅସମାପ୍ୟ ଯୁଦ୍ଧ ସତ୍ତା ଓ ପ୍ରମତ୍ତତାର ଯୁଦ୍ଧ। […]

୨୮ ଫେବୃଆରୀ ୨୦୨୫ ଦିନ ଯୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଯେଉଁ ଦ୍ୱିପାକ୍ଷିକ ଆଲୋଚନାରେ ମିଳିତ ହୋଇଥିଲେ, ତହିଁରୁ ବିଶ୍ୱ ଗୋଟିଏ ନିର୍ଣ୍ଣାୟକ ସଂକେତ ପାଇବାର ଅପେକ୍ଷାରେ ଥିଲା। ରୁଷ୍‌‌-ଯୁକ୍ରେନ ଯୁଦ୍ଧର ଆସନ୍ନ ଅବସାନର କୂଟନୈତିକ କଳ୍ପନା ବିଫଳ ହୋଇ ଚାଲିଥିବା ପରିପ୍ରେକ୍ଷୀରେ ୟୁରୋ-ଆମେରିକାନ ମଧ୍ୟସ୍ଥତା ସ୍ଥିତିକୁ ବଦଳେଇ ଦେଇପାରେ ବୋଲି ଅନୁମାନ କରାଯାଉଥିଲା। ପ୍ରକୃତରେ ସାରା ବିଶ୍ୱ ଜାଣେ ଯେ ଏ ପ୍ରାୟ ଅସମାପ୍ୟ ଯୁଦ୍ଧ ସତ୍ତା ଓ ପ୍ରମତ୍ତତାର ଯୁଦ୍ଧ। ଯୁକ୍ରେନର ବିଶ୍ୱନିୟନ୍ତା ହେବାର ନା ସ୍ୱପ୍ନ ଅଛି ନା ସାମର୍ଥ୍ୟ। ପୂର୍ବ ୟୁରୋପର ବିଭାଜନ ଓ କ୍ଷୁଦ୍ର ରୁଷ୍‌‌ରେ ପରିଣତ ବିଶାଳ ସୋଭିଏତ ରିପବ୍ଲିକର ଧୃବୀୟ ପ୍ରତିଷ୍ଠା ହ୍ରାସ ହେବା ବରଂ ଗୋଟିଏ ମନସ୍ତାତ୍ତ୍ୱିକ କାରଣ, ଯାହା ରୁଷ୍‌‌କୁ ଉତ୍ତେଜିତ କରି ରଖିଚି।

କୁହାଯାଇପାରେ ଯେ କମ୍ୟୁନିଷ୍ଟ ରୁୁଷ୍‌‌ର ଅନ୍ତଃସ୍ଥଳରେ ଗଣତନ୍ତ୍ର ଏକ ଅସହଜ ବ୍ୟଥା। ୟାକୁ ନା ସହିହେଉଚି ନା ଭୋଗିହେଉଚି। ଗ୍ଳାସନସ୍ତ ଓ ପେରେଷ୍ଟ୍ରୋୟିକାର ବୀଜ ପୋତିଦେଇ ଗୋର୍ବାଚେଭ ଋୁଷ୍‌‌କୁ ଏକ ସଫଳ ବିତରଣକ୍ଷମ ଗଣତନ୍ତ୍ରରେ ବଦଳାଇବା ସହିତ ଧୃବୀୟ ଏକୀକରଣର ଯେଉଁ ନୂଆ ସମ୍ଭାବନା ସୃଷ୍ଟି କରିଥିଲେ ତାହା ଏବେ ବିସ୍ମୃତ। ଉଭୟ ଟ୍ରମ୍ପ ଓ ପୁଟିନ ଧୃବୀୟ ରାଷ୍ଟ୍ରନାୟକ, ବିଶ୍ୱକୁ ନେତୃତ୍ୱ ଦେବାର ଉପାଦାନ ୟାଙ୍କ ପାଖରେ ନାହିଁ। ମୋ ଦୃଷ୍ଟିରେ ଯୁକ୍ରେନ ଏକବିଶ୍ୱ ଓ ଧୃବୀୟତା ଭିତରେ ସଂଘର୍ଷର ଯୁଦ୍ଧଭୂମି। ଉଭୟ ଟ୍ରମ୍ପ ଓ ପୁଟିନ ଶୀତଯୁଦ୍ଧର ପ୍ରତ୍ୟାବର୍ତ୍ତନ ଚାହାନ୍ତି। ମହାକାଶକୁ ବାଣ୍ଟିନେବାକୁ ଚାହାନ୍ତି। ତୃତୀୟ ବିଶ୍ୱଟିଏ ବି ଚାହାନ୍ତି। ଅନଗ୍ରସର ଦରିଦ୍ରଙ୍କ ତୃତୀୟ ବିଶ୍ୱଟିଏ ଗଢ଼ି ଉଠିଲେ ହିଁ ଧୃବୀୟ ନେତୃତ୍ୱ ଅର୍ଥପୂର୍ଣ୍ଣ, ଅନ୍ୟଥା ନାହିଁ।

ଦ୍ୱିପାକ୍ଷିକ ଆଲୋଚନାରେ ଜେଲେନସ୍କିଙ୍କୁ ଟ୍ରମ୍ପ ଯେଭଳି ଅପମାନିତ କଲେ, ତା’ର ପଟାନ୍ତର ଆଧୁନିକ ଗଣତାନ୍ତ୍ରିକ ବିଶ୍ୱରେ ନାହିଁ। କହିଲେ: ସ୍ଟୁପିଡ୍‌‌ ପ୍ରେସିଡେଣ୍ଟ, ଯୁଦ୍ଧ ବନ୍ଦ କର, ତମେ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଆଗେଇ ନେଉଚ! ପୁଣି ୟାବି କହିଲେ: ଆମେରିକା ତମକୁ ଏତେ ବିଲିଅନ ଡଲାର ଦେଇଚି, ମନେ ପକାଅ! ଅପମାନିତ ଜେଲେନସ୍କି ଉଠି ଆସିଲେ ସେଇ ମୁହୂର୍ତ୍ତରେ। ଔପଚାରିକ ଆତିଥ୍ୟ ବା ପ୍ରୋଟୋକଲକୁ ଭ୍ରୂକ୍ଷେପ ନ କରି ହ୍ୱାଇଟହାଉସ ଛାଡ଼ିଲେ। ଆଉ କ’ଣ କରିଥା’ନ୍ତେ? ସେ ଜଣେ ରାଷ୍ଟ୍ରମୁଖ୍ୟ, ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟକ। ତାଙ୍କୁ ଅପମାନିତ କରିବାକୁ ଟ୍ରମ୍ପ କିଏ? ଦୁଇରାଷ୍ଟ୍ର ମଧ୍ୟରେ ନ୍ୟୂନତମ ଭଦ୍ରତା ବା ସମ୍ଭ୍ରମ ରହିବ ନାହିଁ କାହିଁକି?

କଥା ଏତେ ସିଧାସଳଖ ବି ନୁହେଁ! ଆମେରିକାନ କୂଟନୀତି ଏତେ ଦେବାଳିଆ ବି ହେଇନି ଯେ ଏସବୁ ଅପମାନଜନକ ଘଟଣା ସାରାବିଶ୍ୱରେ ଘଟିଲାକ୍ଷଣି ପ୍ରସାରିତ କରିଦିଆଯିବ। ଏଇଟା ପ୍ରସାରିତ ହେଇଗଲା ଏ ବାର୍ତ୍ତା ଦେବା ପାଇଁ ଯେ ଆମେରିକା ବିଶ୍ୱରେ ଶାନ୍ତି ଚାହେଁ। ଆତ୍ମସମ୍ମାନ ପାଇଁ ଯୁକ୍ରେନ ଆଉ ଯୁଦ୍ଧ ନକରୁ, ଯୁଦ୍ଧ ଚାଲିଲେ ବିଶ୍ୱଯୁଦ୍ଧ ନିଶ୍ଚିତ! ତା’ ହେଲେ କ’ଣ ଯୁକ୍ରେନ ରୁଷ୍‌‌ ଆଗରେ ଆତ୍ମସମର୍ପଣ କରିବ? ୟୁରୋପ ଓ ଆମେରିକା ନ ଚାହିଁଲେ ବିଶ୍ୱଯୁଦ୍ଧ ହେଇପାରିବ କି?

ଟ୍ରମ୍ପ ପୁରୁଣା ଆମେରିକା ଖୋଜୁଚନ୍ତି। ସତ୍ତାପ୍ରତିଷ୍ଠ ସମ୍ପନ୍ନ ଆମେରିକା! ପ୍ରମତ୍ତ ଆମେରିକା! ଚୀନ ଓ ରୁଷ୍‌‌ ଦ୍ୱିତୀୟ ବିଶ୍ୱରେ ଆଗ୍ରହୀ! ସମସ୍ତଙ୍କ ପାଇଁ ବିପଦ ହେଇ ଠିଆ ହେଇଚି ଭାରତ! ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ ଆପେ ତୃତୀୟ ବିଶ୍ୱର ନେତୃତ୍ୱ ନେଇଯିବ। ତୃତୀୟ ବିଶ୍ୱ ନେତୃତ୍ୱହୀନ ଥିଲା ବୋଲି ଶୀତଯୁଦ୍ଧର ଛାୟା ତଳେ ବିଶ୍ୱ ଅଧିକାରର ଖେଳ ଏକଦା ସମ୍ଭବ ଥିଲା। ଏବେ ଆଉ ନୁହେଁ। ଜେଲେନସ୍କିଙ୍କୁ ଅପମାନିତ କରିବାର ପରିଣତି ଦୁଇଦିନ ଭିତରେ ଜଣା ପଡ଼ିଲାଣି। ଆମେରିକା ବିଶ୍ୱର ରାଷ୍ଟ୍ର ସମୂହର ଘୃଣାର ପାତ୍ର ହେଲାଣି। ରିପବ୍ଲିକାନ ଏଜେଣ୍ଡା ଆଗକୁ ଆହୁରି ସମସ୍ୟା ସୃଷ୍ଟି କରିବ। ଆମେରିକା ବିଶ୍ୱର ଅଘୋଷିତ ଶତ୍ରୁ ହୋଇ ଅଛି ଏଯାଏଁ, ୟା’ପରେ ଘୋଷିତ ହେଇଯିବ। ୟୁରୋପୀୟଙ୍କ ୟୁନିଅନ ସମ୍ପୂର୍ଣ୍ଣ ହେଇଗଲେ ସେମାନେ ୟୁରୋରେ ପୁଞ୍ଜିନିବେଶ କରିବେ। ପଚାଶ ବର୍ଷ ଭିତରେ ଆମେରିକା ତା’ର ପ୍ରାଧାନ୍ୟ ହରାଇବ।

ଗଣତନ୍ତ୍ର ଏକ ସଭ୍ୟ ଲୋକବ୍ୟବସ୍ଥା ଓ ଲୋକନୀତି। ୟା’ର ବିବର୍ତ୍ତନ ଲୋକ ଚରିତ୍ରର ବିବର୍ତ୍ତନ ସହିତ ଯୋଡ଼ି ହୋଇ ରହିଚି। କହିବାରେ ଦ୍ୱିଧା ନାହିଁ ବିଶ୍ୱର ଲୋକଚରିତ୍ର ସଭ୍ୟତା ଆଡ଼କୁ ବିବର୍ତ୍ତିତ ହେଉଚି। ବିଶ୍ୱର ଦରିଦ୍ର ଓ ବଞ୍ଚିତ ଆତ୍ମସମ୍ମାନ ପାଇଁ ଲଢ଼ିବା ଶିଖିଗଲେଣି। ଅସଭ୍ୟତା କରି କେହି ବିଶ୍ୱର ନେତୃତ୍ୱ ନେଇପାରିବ ନାହିଁ। ଗଣତନ୍ତ୍ରର ଆନ୍ତର୍ଜାତିକ ପରିଚାଳନା ସଭ୍ୟତାର ଆଧାରରେ ହେବ।

ଏଇଠି ଗଣତନ୍ତ୍ରମାନଙ୍କର ଆନ୍ତର୍ଜାତିକ ପରିଚାଳନାକୁ ନେଇ କୌଣସି ନୀତି ବା ବ୍ୟବହାର ପଦ୍ଧତି ନଥିବା ବିସ୍ମୟକର। କାରଣ ବିଶ୍ୱର ରାଜନୈତିକ ସନ୍ତୁଳନ ବଜାୟ ରଖିବା ପାଇଁ ସମ୍ୱରଣ ଓ ସହାବସ୍ଥାନର ବାତାବରଣ ନିର୍ମାଣ ଜରୁରୀ। ଯେଉଁ ବହୁପାକ୍ଷିକ ଆନ୍ତଃରାଷ୍ଟ୍ରୀୟ ଗୋଷ୍ଠୀଗୁଡ଼ିକ ସାମୟିକ ଭାବରେ ସକ୍ରିୟ ହୋଇଉଠନ୍ତି ସେଗୁଡ଼ିକ ବଡ଼ ଗଣତନ୍ତ୍ରମାନଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି। ବସ୍ତୁତଃ ନିଷ୍କର୍ଷ ଆଗରୁ ଲେଖା ସରିଥାଏ। ସହମତି ହାସଲ କରି ନିଷ୍କର୍ଷକୁ ବିଶ୍ୱର ନିଷ୍ପତ୍ତି ଭାବରେ ସର୍ବମାନ୍ୟ କରିବା ପାଇଁ କୂଟନୀତି ହିଁ ଚାଲେ। କହିବାରେ ଦ୍ୱିଧା ନାହିଁ ଯେ ଏହି ଗୋଷ୍ଠୀର ଔପଚାରିକ ବିଚାରବିମର୍ଶ ବୌଦ୍ଧିକ ନହୋଇ କୂଟନୈତିକ ହିଁ ହୁଏ। କ୍ଷୁଦ୍ର ଗଣତନ୍ତ୍ରଗୁଡ଼ିକ ଏ ଗୋଷ୍ଠୀରେ ନଥା’ନ୍ତି, ଥିଲେ ବି ତାଙ୍କର ସ୍ୱର ଶୁଭେ ନାହିଁ। ଅଥଚ ବିଶ୍ୱର ଏହି କ୍ଷୁଦ୍ର ଗଣତନ୍ତ୍ରଗୁଡ଼ିକରେ ଗଣତନ୍ତ୍ରର ନିରବଧି ନିର୍ମାଣ ଚାଲିଥାଏ। ନିର୍ମାଣ କାଳର ବିପଦମାନଙ୍କ ଭିତରୁ ସବୁଠୁ ବଡ଼ ବିପଦ ବଡ଼ ରାଷ୍ଟ୍ରମାନଙ୍କର ନ୍ୟସ୍ତ ସ୍ୱାର୍ଥ ଓ ଅନାଗ୍ରହ। ନ୍ୟସ୍ତ ସ୍ୱାର୍ଥ ବାଣିଜ୍ୟିକ, ସାମରିକ ଓ କୂଟନୈତିକ। ଅନାଗ୍ରହ କ୍ଷୁଦ୍ର ରାଷ୍ଟ୍ରର ପ୍ରଭାବହୀନତା। ଦୁର୍ଭାଗ୍ୟ କହିବାକୁ ହେବ ଯେ ଚୀନ ଓ ରୁଷ୍‌‌ ଭଳି ବଡ଼ ରାଷ୍ଟ୍ର ଗଣତାନ୍ତ୍ରିକ ମାନଦଣ୍ଡରେ ବିଫଳ। କିନ୍ତୁ ୟା’ର ପରିଣତି ସ୍ୱରୂପ ଭାରତ ବିଶ୍ୱର ଏକ ମୁଖ୍ୟ ଗଣତନ୍ତ୍ର। ୟା’ ମଧ୍ୟ ଏ ଭିତରେ ପ୍ରମାଣିତ ହୋଇସାରିଲାଣି ଯେ ଭାରତ ହିଁ ଗଣତନ୍ତ୍ରର ଜନନୀ। ସ୍ୱିଡେନର ଭାନ-ଡେମ ସଂସ୍ଥା ଗଣତନ୍ତ୍ରମାନଙ୍କର ସଫଳତା ଆକଳନ କରି ଭାରତକୁ ୩୩ ପ୍ରତିଶତ ନମ୍ୱର ଦେଇ ନିଜକୁ ହିଁ ହାସ୍ୟାସ୍ପଦ କରିଚନ୍ତି। ସେଇ ସ୍କେଲରେ ଆମେରିକା ତଥା ସ୍କାଣ୍ଡିନେଭିଆର କ୍ଷୁଦ୍ର ଗଣତନ୍ତ୍ରଗୁଡ଼ିକୁ ପ୍ରଥମ ଶ୍ରେଣୀକୁ ଉଠେଇ ନେଲା ବେଳେ ଭାରତର ଦେଢ଼ଶହ କୋଟି ଲୋକ, ବିଶାଳ ଆୟତନ ଓ ବିପୁଳ ବିବିଧତାର ବିଚାର ନଥିଲା ତାଙ୍କ ମୁଣ୍ଡରେ? ନଥିଲା, ରହିବ ନାହିଁ ବି! କ୍ଷୁଦ୍ର ବୁଦ୍ଧିରେ ଏମାନେ କେବଳ ଅନ୍ୟକୁ ଛୋଟକରି ନିଜକୁ ବଡ଼ କରିବାର କାରିଗରୀ ଜାଣନ୍ତି। ଧନ୍ୟ କହିବା ଭାରତୀୟଙ୍କୁ, ଭାରତର ରାଜନେତାଙ୍କୁ ଓ ବ୍ୟବସ୍ଥାକୁ। ବିଶ୍ୱର ଶ୍ରେଷ୍ଠ ଗଣତନ୍ତ୍ର, ମାତୃ-ଗଣତନ୍ତ୍ର, ବୃହତ୍ତମ ଗଣତନ୍ତ୍ର ଭାରତ।

ମାନବତା ନାଁରେ ହୃଦୟ କରୁଣା ବିଗଳିତ ହେଉଥିବ। ତେଣେ ନିଜ ନିଜର ପରାକ୍ରମ ଦେଖେଇବା ପାଇଁ ଯୁଦ୍ଧକ୍ଷେତ୍ରରେ ପରିଣତ ହେଇଥିବ ବସୁନ୍ଧରା। ୟାକୁଇ କୁହାଯାଏ ମହାଶକ୍ତି? ସୁପରପାୱାର? ଭାରତର ରାସ୍ତା ଏ ନୁହେଁ। ଭାରତ ହେବ ସୁପର ଡିମୋକ୍ରାସି, ମହାଗଣତନ୍ତ୍ର, ବିଶ୍ୱର ସବୁ ଗଣତନ୍ତ୍ରଙ୍କ ନେତୃରାଷ୍ଟ୍ର। ଆମେରିକା, ଋୁଷ୍‌‌ ଓ ଚୀନ ୟା’ର ଅନ୍ତରାୟ ହୋଇ ଠିଆ ହେବେ; କିନ୍ତୁ ବିଶ୍ୱର ସାମୂହିକ ଗଣତାନ୍ତ୍ରିକ ଶକ୍ତି ହେବ ୟା’ର ପ୍ରାକୃତିକ ପ୍ରତିରୋଧ।

ସେ ତ ସମୟ କହିବ, କିନ୍ତୁ ଗଣତନ୍ତ୍ରର ଅନ୍ତସ୍ଥଳରେ ରକ୍ତକ୍ଷରା ଘାତ ଦେଖି ମୁଁ ଭାବୁଚି ଯେ ନିଜର ମହତ୍ତ୍ୱ ହ୍ରାସ ହେଇଯାଉଥିବା ଦେଖି ସବୁଠୁ ବେଶି ବିବ୍ରତ ଆମେରିକା। କଳ୍ପନା କରନ୍ତୁ ରାଷ୍ଟ୍ରପତି ଟ୍ରମ୍ପ କହୁଚନ୍ତି ସେ ଜେଲଲେନସ୍କିଙ୍କୁ ‘ସ୍ଟୁପିଡ’ କହିଲା ପରେ କୁଆଡ଼େ ଯୁକ୍ରେନରେ ଜେଲେନସ୍କିଙ୍କର ଲୋକପ୍ରିୟତା ୪% କମିଯାଇଚି? ଜଣେ ରାଷ୍ଟ୍ରମୁଖ୍ୟ ଆଉଜଣେ ରାଷ୍ଟ୍ରମୁଖ୍ୟଙ୍କ ଲୋକପ୍ରିୟତା ଉପରେ ଏଭଳି ମନ୍ତବ୍ୟ ଦେବା ନିତାନ୍ତ ଆଶାଳୀନ ଓ ଅବାଂଛିତ ନୁହେଁକି? ତା’ପରେ ପୁଣି ଯୁକ୍ରେନରେ ଆମେରିକାନ ସହାୟତାରେ ସ୍ଥାପିତ ରିସର୍ଚ୍ଚ ଅନୁଷ୍ଠାନକୁ ଲଗାଇ ଜେଲେନସ୍କିଙ୍କ ଲୋକପ୍ରିୟତାକୁ ୨୭%କୁ ଖସେଇ ଆଣିଥିବା ରିପୋର୍ଟ ବିଶ୍ୱରେ ପ୍ରଚାରିତ କରିବା କେଡ଼େ ହୀନ କାର୍ଯ୍ୟ ଭାବନ୍ତୁ! ଅଥଚ ୟୁରୋପର ନିରପେକ୍ଷ ସର୍ଭେ ଏଜେନ୍ସି ଅନୁସାରେ ଜେଲେନସ୍କିଙ୍କ ଲୋକପ୍ରିୟତା ଏବେ ସର୍ବୋଚ୍ଚ ୭୨ %ରେ। ତା’ପରେ ପୁଣି ଏ ମିଥ୍ୟା ପ୍ରଚାର ବି କରାଯାଉଚି ଯେ ନିର୍ବାଚନ ହେଲେ ଜେଲେନସ୍କି ହାରିବେ। କାରଣ ଜଣେ ବା ଦୁଇଜଣ ଲୋକପ୍ରିୟ ସେନାନାୟକ ମୈଦାନକୁ ଓହ୍ଲେଇବେ। ଏ ବି ମିଛ। ଜଣେ ଲୋକପ୍ରିୟ ନେତାକୁ ସାମରିକ ଶାସନ ବେଳେ ଏଭଳି ଅପଦସ୍ତ କରିବା କେତେବଡ଼ ହୀନମନ୍ୟତା!

ଶେଷରେ ଦେଖନ୍ତୁ ଗତ ୧୧ ମାର୍ଚ୍ଚ ଦିନ ଋୁଷ୍‌‌-ଯୁକ୍ରେନ ଯୁଦ୍ଧବିରତିର ଯେଉଁ ଡ୍ରାଫ୍ଟ ପ୍ରସ୍ତାବ ସାଉଦି ଆରବରେ ଚୂଡ଼ାନ୍ତ ହେଲା, ତା’ର କ’ଣ ହେଲା? ଜେଲେନସ୍କି ରାଜି। କିନ୍ତୁ ପୁଟିନ କହିଲେ ଦୀର୍ଘମିୟାଦୀ ଯୁଦ୍ଧବିରତି ପାଇଁ ସେ ରାଜି, କିନ୍ତୁ ସ୍ୱଳ୍ପକାଳୀନ ଅସ୍ତ୍ରବିରତି ପାଇଁ ନୁହେଁ। ୟୁରୋପୀୟ, ଆମେରିକାନ କୂଟନୀତିଜ୍ଞମାନେ ଲାଗିପଡ଼ି ଏ ଯେଉଁ ପ୍ରସ୍ତାବର ଖସଡ଼ା ଲେଖିଲେ, ୟା’ର ଅର୍ଥ ଅସ୍ତ୍ର ଚାଲିବନି, କିନ୍ତୁ ଯୁଦ୍ଧ ଚାଲିଥିବ। ୟା’ର ଅର୍ଥ ୟୁକ୍ରେନରେ ଲୋକପ୍ରିୟ ଶାସନ ବା ଗଣତନ୍ତ୍ର ସ୍ଥାପିତ ହେବ ନାହିଁ। ଦୀର୍ଘକାଳ ଏ ସ୍ଥିତି ରହିଲେ ଜେଲେନସ୍କି ବିତାଡ଼ିତ ହେବେ ଏବଂ ଶାସନ ରହିବ ସେନାପତିଙ୍କ ହାତରେ। ସେନାପତିଙ୍କ ସହିତ ବୁଝାମଣା ସମ୍ଭବ, ଜଣେ ଦେଶପ୍ରେମୀ ଗଣତାନ୍ତ୍ରିକ ଲୋକନାୟକ ସହିତ ନୁହେଁ। ଉଭୟ ରୁଷ୍‌‌ ଓ ଯୁକ୍ରେନ ଗଣତନ୍ତ୍ର ନ ହେଲା ଯାଏଁ ସ୍ଥିତି ବିଚଳିତ ରହିବ ଏବଂ ଯୁକ୍ରେନ ମାଧ୍ୟମରେ ରୁଷ୍‌‌ ଉପରେ ଚାପ ବଢ଼଼ିବ! ଏହାରି ସୁଯୋଗ ନେଇ ୟୁରୋ ଆମେରିକାନ ହେଜିମନି (ପ୍ରଭୁତ୍ୱ) ପୁନର୍ବିନ୍ୟସ୍ତ ହେବ!

ହରପ୍ରସାଦ ଦାସ
ଭୁବନେଶ୍ୱର, ମୋ: ୯୪୩୭୦୩୯୮୫୮

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର