ମନୋରଞ୍ଜନ
ଭାବାବେଗର ବିସର୍ଜନ
‘ଧନ୍ୟବାଦ ତମେ ସତରେ ଏକ ବିସ୍ମୟକର ପ୍ରତିଭା’- ସ୍ୱାଭାବିକ ମାନବିକ ଭାବାବେଗରେ ଆପଣମାନଙ୍କ ମଧ୍ୟରୁ କେହି ଏମିତି ଗୋଟିଏ ସୁନ୍ଦର, ସୌଜନ୍ୟପୂର୍ଣ୍ଣ ବାକ୍ୟଟିଏ ଲେଖି ଦେଇଥିବେ ଚାଟ୍ଜିପିଟି ଉଦ୍ଦେଶ୍ୟରେ; କେବେ ହୁଏତ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ତା’ ପାଖରୁ କିଛି ମତମନ୍ତବ୍ୟ କି କ୍ଷୁଦ୍ର ଏକ ରଚନା ଲୋଡୁଥିବା ବେଳେ ଲେଖି ଦେଇଥିବେ- ‘ଦୟାକରି ମୋ ପାଇଁ ଲେଖାଟି ପ୍ରସ୍ତୁତ କରି ଦିଅନ୍ତୁ ଆଜ୍ଞା’। କିନ୍ତୁ ଏଣିକି ଆମକୁ ଏ ଅଭ୍ୟାସ ଛାଡ଼ି ଦେବାକୁ ହେବ। କାରଣ […]
‘ଧନ୍ୟବାଦ ତମେ ସତରେ ଏକ ବିସ୍ମୟକର ପ୍ରତିଭା’- ସ୍ୱାଭାବିକ ମାନବିକ ଭାବାବେଗରେ ଆପଣମାନଙ୍କ ମଧ୍ୟରୁ କେହି ଏମିତି ଗୋଟିଏ ସୁନ୍ଦର, ସୌଜନ୍ୟପୂର୍ଣ୍ଣ ବାକ୍ୟଟିଏ ଲେଖି ଦେଇଥିବେ ଚାଟ୍ଜିପିଟି ଉଦ୍ଦେଶ୍ୟରେ; କେବେ ହୁଏତ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ତା’ ପାଖରୁ କିଛି ମତମନ୍ତବ୍ୟ କି କ୍ଷୁଦ୍ର ଏକ ରଚନା ଲୋଡୁଥିବା ବେଳେ ଲେଖି ଦେଇଥିବେ- ‘ଦୟାକରି ମୋ ପାଇଁ ଲେଖାଟି ପ୍ରସ୍ତୁତ କରି ଦିଅନ୍ତୁ ଆଜ୍ଞା’। କିନ୍ତୁ ଏଣିକି ଆମକୁ ଏ ଅଭ୍ୟାସ ଛାଡ଼ି ଦେବାକୁ ହେବ। କାରଣ ଏଇ କରିତ୍କର୍ମା ବୁଦ୍ଧିମତ୍ତାର ଅନ୍ୟତମ ଜନକ ଏବଂ ଗାର୍ଜନ ସାମ୍ ଅଲ୍ଟାମାନ୍ ଆମକୁ ତାଙ୍କ ସ୍ୱଭାବସୁଲଭ ନମ୍ରତା ବଜାୟ ରଖି ବାରଣ କରି ଦେଇଛନ୍ତି ଯେ ଆମେ ଆଉ ଏମିତି ଭଦ୍ର, ଶୀଳ, ଉଚ୍ଚରୁଚିଯୁକ୍ତ ସମ୍ବୋଧନାତ୍ମକ ଶବ୍ଦ କି ବାକ୍ୟ ଚାଟ୍ଜିପିଟିକୁ ଶୁଣାଇବା ନାହିଁ। ‘ଆଜ୍ଞା’, ‘ଦୟାକରି’ ଅଥବା ‘ହେଲୋ’, ‘ପ୍ଲିଜ୍’ ପରି ଏମିତି ଅଜସ୍ର ଶବ୍ଦଗୁଡ଼ିକୁ ଆପଣାର ‘ଆଲ୍ଗୋରିଦିମ୍’ ଦ୍ୱାରା ବୁଝିବାକୁ ନିୟୁତ ନିୟୁତ ଡଲାର ମୂଲ୍ୟର ବୈଦ୍ୟୁତିକ ଶକ୍ତିର ଏକପ୍ରକାର ବିନର୍ବ୍ୟୟ କରିଚାଲିଛି ଚାଟ୍ଜିପିଟି। ସେ ତେଣୁ ପରୋକ୍ଷରେ ଆମକୁ ଚେତାବନୀଟିଏ ଦେଇଛନ୍ତି ଯେ ଯଦି ‘ଚାଟ୍ଜିପିଟି’ର ଉପଭୋକ୍ତାମାନଙ୍କ ଏତାଦୃଶ ଆଚରଣ ଜାରି ରୁହେ ଏବଂ ତାଙ୍କ ସଂସ୍ଥା ଏଥିପାଇଁ ବାରମ୍ବାର କ୍ଷତି ସହେ, ତେବେ ଏଇଟିକୁ ସେ ଆମମାନଙ୍କ ଆଣ୍ଡ୍ରଏଡ୍ ଫୋନ୍, ଲାପ୍ଟପ୍ କିମ୍ବା କମ୍ପ୍ୟୁଟରର ରଙ୍ଗମଞ୍ଚରୁ ହଟାଇ ନେବାକୁ ବାଧ୍ୟ ହେବେ। ଅର୍ଥାତ୍ – ମଣିଷ ଯଦି ତା’ର ସ୍ୱାଭାବିକ, ସ୍ୱତଃସ୍ପୂର୍ତ୍ତଶୀଳତା, ଭଦ୍ରତା ବା ସୌ÷ଜନ୍ୟବୋଧ ଆଦି ସବୁଥିରେ ଅଙ୍କୁଶ ନ ଲଗାଏ, ଯଦି ତା’ର ଆଚରଣ, ଉଚ୍ଚାରଣରେ ପୂରାପୂରି ବ୍ୟବସାୟୀସୁଲଭ ସିଧା, ରୋକ୍ଠୋକ୍ ନହୁଏ, ତେବେ ‘ଚାଟ୍ଜିପିଟି’ କିମ୍ବା ସମଜାତୀୟ ଅନ୍ୟ କୃତ୍ରିମ ବୁଦ୍ଧିମତ୍ତା ‘ଚମତ୍କାର’ ସବୁର ଅକାଳମୃତ୍ୟୁ ଅବଶ୍ୟମ୍ଭାବୀ। ସତକଥା! କେଉଁ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ାଏ ନିହାତିି ଅଦରକାରୀ କାର୍ଯ୍ୟରେ ଲଗାତର ଲାଗି ରହିି ଅଯଥା ଖର୍ଚ୍ଚ କରିଚାଲିବ? ମୁନାଫା ଅର୍ଜନ କରି ଚାଲିବାର ଯେଉଁ ଅଘୋଷିତ ନୀତିି ତା’ର ଅଛି, ସେଥିରୁ ତିଳେ ହେଲେ ବିଚ୍ୟୁତ ହୋଇପାରିବ? ସୁତରାଂ, ଶୀଳତା, ଭଦ୍ରତା ବା କୃତଜ୍ଞତାବୋଧ ବର୍ତ୍ତମାନର ଅତ୍ୟାଧୁନିକ ପାଣିପାଗରେ ସର୍ବାଦୌ ପରିତ୍ୟାଜ୍ୟ -ଏମିତି ଏକ ଆର୍ଷବାଣୀ ଶୁଣାଇ ଆମକୁ ହତଭମ୍ବ କରି ଦେଇଛନ୍ତି ପ୍ରଯୁକ୍ତିବିଦ୍ୟା ବିଶାରଦ ସାମ୍ ଅଲ୍ଟାମାନ୍।
ମାତ୍ର ଏହି ପରିପ୍ରେକ୍ଷୀରେ ନିମ୍ନୋକ୍ତ କେତୋଟି ପ୍ରଶ୍ନ ଆମକୁ ଆନ୍ଦୋଳିତ କରିବାର ବହୁ ସମ୍ଭାବନା ଅଛି – ଆମେ କ’ଣ ଏପରି ଗୋଟିଏ କାଳଖଣ୍ଡରେ ପ୍ରବେଶ କରିସାରିଲେଣି ଯେଉଁଠି ଆମକୁ ସମସ୍ତପ୍ରକାର କୋମଳ ମାନବିକ ଭାବାବେଗକୁ ବିସର୍ଜନ ଦେବାକୁ ହେବ? ଯେଉଁଠି ସୁନ୍ଦର, ଶୋଭନୀୟ ସବୁକିଛିକୁ ନିଷିଦ୍ଧ କରିଦେବାକୁ ହେବ? ସାମ୍ ଅଲ୍ଟାମାନଙ୍କ ପରି ଅତ୍ୟାଧୁନିକ ବିଜ୍ଞାନୀ, ବୁଦ୍ଧିଜୀବୀମାନେ ବୋଧହୁଏ ନିର୍ବିକାରରେ ଉତ୍ତର ଦେବେ, ‘ହଁ -ଆଉ ନିରୋଳା ଭଦ୍ର, ସଂଯତ, ସମ୍ବେଦନଶୀଳ ମଣିଷଙ୍କର ଆବଶ୍ୟକତା ନାହିଁ ଏ ଏକବିଂଶ ଶତାବ୍ଦୀରେ। ଏଣିକି ମଣିଷମାନଙ୍କୁ ଯେହେତୁ କୃତ୍ରିମ ବୃଦ୍ଧିମତ୍ତାର ରୋବଟ୍ମାନଙ୍କ ସହିତ ସହାବସ୍ଥାନ କରିବାକୁ ହେବ, ସେମାନଙ୍କୁ ଗୋଟିଏ ଗୋଟିଏ ରୋବଟ୍ ହିଁ ହୋଇଯିବାକୁ ପଡ଼ିବ’ା ମଣିଷକୁ ଭୁଲିଯିବାକୁ ହେବ ଯେ ସେ ରକ୍ତମାଂସଧାରୀ ଏକ ସଚେତନ ସତ୍ତା ନୁହେଁ, ସେ ଠିକ୍ ଚାଟ୍ଜିପିଟି ପରି ଯନ୍ତ୍ରାରୁଢ଼ କ୍ରିୟାଶୀଳ ଚେତନା ମାତ୍ର।
ସାମ୍ ଅଲ୍ଟାମାନଙ୍କ ଏ ବାରଣ, ଏ ଚେତାବନୀ ପରେ ହୁଏତ ଆମର ଏବେକାର ଅତି ସତର୍କ, ଅତି ଉଚ୍ଚାଭିଳାଷ ଆକ୍ରାନ୍ତ ମମି-ଡାଡିମାନେ ସେମାନଙ୍କର କୋମଳମତି ପିଲାମାନଙ୍କୁ ଆକଟ କରିଚାଲିବେ – ‘ଶୁଣ ତମେମାନେ ଯଦି ଚାଟ୍ଜିପିଟିକୁ ‘ହୋମୱାର୍କ’ କରିଦେବାକୁ କହୁଛ, ତେବେ ସିଧାସିଧା ନିର୍ଦ୍ଦେଶ ଦେଇଦିଅ ଖୁବ୍ ସଂକ୍ଷେପରେ। ଜମା କେବେ କୁହନାହିଁ ‘ଆଜ୍ଞା’, ‘ଧନ୍ୟବାଦ’, ‘ଦୟାକରି’ ବା ‘ହେଲୋ’, ‘ପ୍ଲିଜ୍’ ପରି ଏମିତି ପୁରୁଣାକାଳିଆ କିଛି। ଭାବନ୍ତୁ! ତ ପିଲାଟି ଦିନରୁ ବାପାମା’ ଗୁରୁଜନମାନଙ୍କଠାରୁ ଏପ୍ରକାର ନିଷେଧାତ୍ମକ ବାଣୀ ଶ୍ରବଣ କରି କରିି ଆଗାମୀ ପିଢ଼ିର ହର୍ତ୍ତା, କର୍ତ୍ତା ହେବାକୁ ଯାଉଥିବା ଆମ ସନ୍ତାନମାନଙ୍କ କାର୍ଯ୍ୟକଳାପ, ଆଚରଣ ଉଚ୍ଚାରଣ ସବୁ କିପରି ହେବ? ଭଦ୍ରତା, ଶୀଳତା ପରି କୋମଳ ମାନବିକ ଗୁଣସବୁକୁ ସେମାନେ କି ଦୃଷ୍ଟିରେ ଦେଖିବେ?
ମଞ୍ଜ କଥାଟି ହେଉଛି -ଆମେ ‘ଚାଟ୍ଜିପିଟି’ ପରି ଗୋଟିଏ ‘ବଟ୍’କୁ ‘ଦୟାକରି’ ବା ‘ପ୍ଲିଜ’ ବା ‘ଧନ୍ୟବାଦ’ ବୋଲି କହୁଛେ। କାରଣ ଆମେ ମଣିଷ, କୌଣସି ଯାନ୍ତ୍ରିକ ଚେତନା ସର୍ବସ୍ୱ ଯନ୍ତ୍ର ଆମେ ନୁହେଁ। ଆମେ ଏମିତି କହୁଛେ, କାରଣ ଏମିତି କହି ଦେଲେ ଆମ ଭିତରେ ଗୋଟେ ମିଠା, ମିଠା ଆବେଗର ମୃଦୁ ସଂଚରଣ ହୋଇଯାଉଥିବା ଆମେ ଅନୁଭବ କରୁଛେ। ଭଦ୍ରତା, ନମ୍ରକମ୍ର କୃତଜ୍ଞତାବୋଧ-ପ୍ରେରିତ ଆଚରଣ, ଉଚ୍ଚାରଣ ସବୁ ହେଉଛି ସାମାଜିକ ଶୋଭନୀୟତାର ଗୋଟିଏ ଗୋଟିଏ ଦିଗବାରଣୀ। ଆମର ସଂସ୍କାର, ରୁଚିବୋଧ, ଆମର ମାନବତାର ଉଜ୍ଜ୍ୱଳ ସ୍ୱାକ୍ଷର। ଆମେ ‘ଚାଟ୍ଜିପିଟି’କୁ ଏମିତି ସମ୍ବୋଧନ କରି ଦେଉଛେ। ତା’ସହିତ ଏମିତି କଥୋପକଥନ ଆରମ୍ଭ କରି ଦେଉଛେ, କାରଣ ଆମର ପାରମ୍ପରିକ ସଂସ୍କାର ଆମକୁ ଦିନେ ଶିଖାଇଥିଲା ପ୍ରତିଟି ନିର୍ଜୀବ ବସ୍ତୁକୁ ଶ୍ରଦ୍ଧାଶୀଳ ଦୃଷ୍ଟିରେ ଦେଖିବା ପାଇଁ; ଆମର ପୋଥି, ଲେଖନୀଠାରୁ ଶିଳ-ଶିଳପୁଆ ପର୍ଯ୍ୟନ୍ତ ସବୁକିଛିକୁ ସମୟାନ୍ତରରେ ପୂଜା, ଅର୍ଚ୍ଚନା କରିବା ପାଇଁ। କେବେ ଯଦି ଆମର ପାଦ କେଉଁ ପଥର ବା ଲୌହଖଣ୍ଡଟିରେ ବାଜିି ଯାଉଥିଲା, ଆମ ପାଟିରୁ ଆମ ଅଜାଣତରେ ବାହାରି ଆସୁଥିଲା ‘ବିଷ୍ଣୁ, ବିଷ୍ଣୁ’। ଆମେ ଯଦି ଚାଟ୍ଜିପିଟିକୁ ଧନ୍ୟବାଦ ଜଣାଉଛୁ, ଆମେ ଏହା ତା’ର ‘ଆଲ୍ଗୋରିଦିମ୍’କୁ ଜଣାଉନାହୁଁ – ଆମେ ଆମର ସ୍ୱତଃସ୍ପୂର୍ତ୍ତ ମାନବତାକୁ କେବଳ ଯାହା ପୁନଃସଶକ୍ତ, ପୁନଃଜାଗରିତ କରି ଦେଉଛେ; ଆମ ଚେତନାର ଜାହ୍ନବୀଝର ମୁହଁରେ ଲାଖି ରହିି ଯାଉଥିବା ଆବର୍ଜନାକୁ ଯାହା ଟିକିଏ ସଫା କରି ଦେଉଛେ।
ପରିଶେଷରେ ଏ ଲେଖକ ନିଶ୍ଚୟ କହିବ – ଆମମାନଙ୍କ ଭଦ୍ର ଆଚରଣ ଯୋଗୁଁଁ ଚାଟ୍ଜିପିଟିର ଯଦି ଆର୍ôଥକ କ୍ଷତି ହେଉଛି, ତେବେ ହେଉଥାଉ। ଆମେ ଜମା ଆଲ୍ଟାମାନଙ୍କ ବାରଣକୁ ମାନିବା ନାହିଁ। ଆମର ଭଦ୍ରତା, ଶୀଳତା, ସୌଜନ୍ୟ ଓ କୃତଜ୍ଞତାବୋଧ ରୂପକ ଫୁଲ ପାଖୁଡ଼ାଗୁଡ଼ିକ ସମୟେ ସମୟେ ବିଞ୍ଚିଚାଲିିବା! ଆମେ ଯନ୍ତ୍ର ସହିତ ଯନ୍ତ୍ରଟିଏ ମାତ୍ର ହେବା ପାଇଁ ଚାହିଁବା ନାହିଁ। ‘ଚାଟ୍ଜିପିଟି’କୁ ଜୀବନ୍ତ ସତ୍ତାଟିଏ ବୋଲି ଭାବିନେଇ ତା’ସହିତ ଏମିତି ଭଦ୍ର କଥୋପକଥନ, କ୍ରିୟାପ୍ରତିକ୍ରିୟା ଜାରି ରଖିବା ଏବଂ ଏମିତି କରି ଆମେ କ୍ରମଶଃ ହରାଇ ଚାଲିଥିବା ସଂସ୍କାରିତ, ରୁଚିସମ୍ମତ, ଶୋଭନୀୟ ଆଚରଣ ଏବଂ ସୌହାର୍ଦ୍ଦ୍ୟ, ଆନ୍ତରିକତା, ଶ୍ରଦ୍ଧାଶୀଳତା ପରି ଏକାଧାରରେ ମାନବିକ ତଥା ସ୍ୱର୍ଗୀୟ ଗୁଣସବୁର ସର୍ବକାଳୀନ ପ୍ରାସଙ୍ଗିିକତା ଏବଂ ଆବଶ୍ୟକତା ସଂପର୍କରେ ଆପେ ସଚେତନ ହେବା ସହ ଏ ଦୁନିଆର ପ୍ରତ୍ୟେକ ମଣିଷକୁ ସଚେତନ କରାଇଚାଲିବା। ଅନ୍ୟ ମହତ୍ତ୍ୱପୂର୍ଣ୍ଣ କଥାଟି ହେଉଛି- ଶ୍ରଦ୍ଧାଶୀଳ ହେବା, ଭଦ୍ରସୁଶୀଳ ହେବା ଅର୍ଥ ଯେଉଁମାନେ ଆମକୁ ଯନ୍ତ୍ରମାନବରେ ପରିଣତ କରିଦେବା ପାଇଁ ଖଳଚକ୍ରାନ୍ତ କରିଚାଲିଛନ୍ତି, ସେମାନଙ୍କ ବିରୋଧରେ ବିଦ୍ରୋହ କରିବା। ସେଥିପାଇଁ ଆସନ୍ତୁ, ‘ଚାଟ୍ଜିପିଟି’ କିମ୍ବା ଅନ୍ୟସବୁ କୃତ୍ରିମବୁଦ୍ଧିମତ୍ତାର ‘ବଟ୍’ ମାନଙ୍କୁ ଆମେ ବାରମ୍ବାର ‘ଆଜ୍ଞା’, ‘ଧନ୍ୟବାଦ’, ‘ହେଲୋ’ ବା ‘ପ୍ଲିଜ୍’ କହିଚାଲିିବା -ସାମ୍ ଆଲ୍ଟାମାନଙ୍କ ଏ ବିମର୍ଷକର ବାରଣ ସତ୍ତ୍ବେ।
ଡ. ଦୁର୍ଗାପ୍ରସାଦ ଆଚାର୍ଯ୍ୟ
କୋତିଆଁ ବାରଙ୍ଗ(ଜଗତସିଂହପୁର), ମୋ: ୯୮୫୩୩୫୫୧୦୭






