ନିରବତାର ଗୁଞ୍ଜରଣ

The Sakala Picture
Published On

ଇଂଲିସ୍‌‌ କବି ଡ୍ରାଇଡେଡ୍‌‌ କହିଥିଲେ, ‘ଅଧିକ ଗପୁଥିବା ଲୋକେ କମ୍‌‌ ଚିନ୍ତା କରନ୍ତି। ଶ୍ରୀସତ୍ୟସାଇ କହିଛନ୍ତି, ‘ଭଗବାନ ଦୁଇଟି କାନ ଓ ଗୋଟିଏ ଜିଭ ଦେଇଛନ୍ତି। ତେଣୁ ଯେତିକି ଶୁଣିବା ତାହାର ଅଧା କହିବା।’ ପ୍ରସିଦ୍ଧ ରସିଆନ୍‌‌ ଔପନ୍ୟାସିକ ମିଖାଇଲ ସୋଲ୍‌‌କୋଭଙ୍କ ଏକ ଗଳ୍ପର ମୁଖ୍ୟ ଚରିତ୍ର ଗପୁଡ଼ି ସ୍ୱଭାବର। ସୁଯୋଗ ମିଳିବା ମାତ୍ରକେ ଭାଷଣ ଦେବାରେ ଲାଗେ। ପ୍ରତିଥର ଭାଷଣ ଆରମ୍ଭ କରିବା ପୂର୍ବରୁ ଭୂମିକାରେ ସେ କହେ, ‘ଭଲ କଥାଟିଏ ଖଣ୍ଡେ ରୂପା ଭଳି […]

ଇଂଲିସ୍‌‌ କବି ଡ୍ରାଇଡେଡ୍‌‌ କହିଥିଲେ, ‘ଅଧିକ ଗପୁଥିବା ଲୋକେ କମ୍‌‌ ଚିନ୍ତା କରନ୍ତି। ଶ୍ରୀସତ୍ୟସାଇ କହିଛନ୍ତି, ‘ଭଗବାନ ଦୁଇଟି କାନ ଓ ଗୋଟିଏ ଜିଭ ଦେଇଛନ୍ତି। ତେଣୁ ଯେତିକି ଶୁଣିବା ତାହାର ଅଧା କହିବା।’ ପ୍ରସିଦ୍ଧ ରସିଆନ୍‌‌ ଔପନ୍ୟାସିକ ମିଖାଇଲ ସୋଲ୍‌‌କୋଭଙ୍କ ଏକ ଗଳ୍ପର ମୁଖ୍ୟ ଚରିତ୍ର ଗପୁଡ଼ି ସ୍ୱଭାବର। ସୁଯୋଗ ମିଳିବା ମାତ୍ରକେ ଭାଷଣ ଦେବାରେ ଲାଗେ। ପ୍ରତିଥର ଭାଷଣ ଆରମ୍ଭ କରିବା ପୂର୍ବରୁ ଭୂମିକାରେ ସେ କହେ, ‘ଭଲ କଥାଟିଏ ଖଣ୍ଡେ ରୂପା ଭଳି ମୂଲ୍ୟବାନ।’ ତାଙ୍କ ଭାଷଣ ଶୁଣୁଥିବା ଜଣେ ଶ୍ରୋତା ଦିନେ ହଠାତ୍‌‌ ଉଠି କହିଲେ, ‘କିନ୍ତୁ ନିରବତା ସୁନା ଭଳି ମୂଲ୍ୟବାନ। ତୁମେ ତୁମର ରୂପାକୁ ସୁନାରେ ପରିଣତ କରୁନାହଁ କାହିଁକି?’ ଅର୍ଥାତ୍‌‌ ନିରର୍ଥକ କଥା ତୁଳନାରେ ନିରବତା ଶ୍ରେୟସ୍କର।

ପ୍ରାଚୀନ ଭାରତୀୟମାନେ ମଧ୍ୟ ବାକ୍‌‌ସଂଯମ ଉପରେ ଗୁରୁତ୍ୱ ଦେଉଥିଲେ। ବୌଦ୍ଧ ଜାତକର ସୁପ୍ରସିଦ୍ଧ କାହାଣୀଟିଏ ଏହିପରି – ବୋଧିସତ୍ତ୍ୱ ଏକଦା ରାଜକୁମାର ରୂପେ ଜନ୍ମ ହୋଇ ସର୍ବଦା ନିରବ ରହୁଥିଲେ। ତାଙ୍କ ଅଭୂତପୂର୍ବ ନିରବତା ତାଙ୍କ ପିତା-ମାତାଙ୍କୁ ଚିନ୍ତିତ କରି ରଖିଥିଲା। ଦିନେ ରାଜକୁମାର ରାଜ ଉଦ୍ୟାନରେ ଧ୍ୟାନରତ ଥିଲେ। ତାଙ୍କୁ ଜଗିଥିଲା ଜଣେ ଦେହରକ୍ଷୀ। ପକ୍ଷୀଟିଏ ଗଛ ଡାଳରେ ଉଚ୍ଚ ସ୍ୱରରେ ରାବିବାକୁ ଲାଗିଲା। କିନ୍ତୁ ରାଜକୁମାରଙ୍କର ଧ୍ୟାନଭଙ୍ଗ ହେଲା ନାହିଁ। ତେବେ ବିରକ୍ତ ହୋଇ ଦେହରକ୍ଷୀ ତୀର ମାରିଲା। ତା’ର ଲକ୍ଷ୍ୟ ଥିଲା ଅବ୍ୟର୍ଥ। ପକ୍ଷୀଟି ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିଲେ ରାଜକୁମାର। ସେ ସଙ୍ଗେ ସଙ୍ଗେ ଦୌଡ଼ିଯାଇ ଆଉଁସି ପକାଇ କହିଲେ, ‘ହାୟ! କଥା କହିବାରୁ ସିନା ତୁ ଏଭଳି ଦୁରବସ୍ଥା ଭୋଗିଲୁ।’ ଦେହରକ୍ଷୀ ଧାଇଁ ଯାଇ ରାଜାଙ୍କୁ ଏ ସୁଖବର ଶୁଣାଇଲା। ରାଜା ଉଦ୍ୟାନକୁ ଝପଟିଆସି ନିରବରେ ବସିଥିବା ରାଜକୁମାରଙ୍କୁ ଦେଖିଲେ। ହେଲେ ରାଜାଙ୍କ ସମ୍ମୁଖରେ ସେ ମୁହଁ ଖୋଲିଲେ ନାହିଁ। ରାଜା ରାଗିଗଲେ। ରକ୍ଷୀକୁ ମିଥ୍ୟାବାଦୀ ମନେକରି ପ୍ରାଣଦଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ। ରକ୍ଷୀଟିକୁ ବଞ୍ଚାଇବାକୁ ଯାଇ ଦ୍ୱିତୀୟ ଥର ପାଇଁ ମୁହଁ ଖୋଲିଲେ ବୋଧିସତ୍ତ୍ୱ – ‘କଥା କହିବାରୁ ସିନା ତୋର ଏ ଦଶା ହେଲା।’

ମୌନ ହିଁ ପରମାତ୍ମା। ମୌନ ହିଁ ଏହି ଦେହ, ମନ, ପ୍ରାଣ ଓ ଇନ୍ଦ୍ରିୟମାନଙ୍କର ଆଧାର। ମୌନ ହେଉଛି ଏହି ଜ୍ଞାନମୟ ବିଶ୍ୱର ପୃଷ୍ଠଭୂମି। ମୌନ ହିଁ ଶକ୍ତି। ମୌନ ଏକ ଜୀବନ୍ତ ଶକ୍ତି। ମୌନ ହିଁ ଏକମାତ୍ର ବାସ୍ତବ ସତ୍ତା। ସକଳ ବୋଧଜ୍ଞାନର ଊର୍ଦ୍ଧ୍ବରେ ଯେଉଁ ଶାନ୍ତି ଅବସ୍ଥିତ, ତାହା ମୌନ। ଜୀବନର ଅନ୍ତିମ ଲକ୍ଷ୍ୟସ୍ଥଳ ହେଉଛି ମୌନ। ଜୀବନର ଲକ୍ଷ୍ୟ ହେଉଛି ମୌନ। ମୌନ ଲାଭ ଉଦ୍ଦେଶ୍ୟରେ ହିଁ ଆପଣ ଦେହ ଲାଭ କରିଛନ୍ତି। ସକଳ ଶବ୍ଦର ର ପୃଷ୍ଠଦେଶରେ ରହିଛି ମୌନ, ଯାହା କି ଆପଣଙ୍କର ଅନ୍ତରାତ୍ମା। ଆପଣଙ୍କର ପ୍ରକୃତ ପରିଚୟ ହେଉଛି ମୌନ। ମୌନ ହେଉଛି ସହଜ ଅନ୍ତର୍ଜ୍ଞାନ। ମୌନ ଦ୍ୱାରା ହିଁ ଅନ୍ତରାତ୍ମା ନିଜର ଭାବ ପ୍ରକାଶ କରନ୍ତି। ମୌନରେ ନିମଜ୍ଜିତ ହେବାର ଅର୍ଥ ପରଂବ୍ରହ୍ମରେ ଲୀନ ହୋଇଯିବା। ମୌନ ହେଉଛି ବିସ୍ତୀର୍ଣ୍ଣ ସାହାରା ମରୁରବ ବାଣୀ। ମୌନ ହେଉଛି ସୁତୁଙ୍ଗ ହିମାଳୟର ବାଣୀ। ତୁଷାରାଚ୍ଛନ୍ନ ଗଙ୍ଗୋତ୍ରୀରେ ବା କୈଳାସରେ ଯେଉଁ ସମ୍ପୂର୍ଣ୍ଣ ଉଲଗ୍ନ ଅବଧୂତ ବାସ କରନ୍ତି, ମୌନ ହେଉଛି ତାଙ୍କର ବାଣୀ। ପ୍ରଭୁ ଦକ୍ଷିଣାମୂର୍ତ୍ତି ତାଙ୍କର ଚାରିଶିଷ୍ୟ ସନକ, ସନାତନ, ସନନ୍ଦନ ଓ ସନତକୁମାରଙ୍କୁ ଯେଉଁ ବାଣୀ ପ୍ରଦାନ କରିଥିଲେ, ତାହା ମୌନ ବା ତୁଷ୍ଣୀଭାବ ଭିନ୍ନ ଅନ୍ୟ କିଛି ନୁହେଁ।

ହୃଦୟ ଯେତେବେଳେ ପୂର୍ଣ୍ଣ ହୋଇଯାଏ, ଆପଣ ଯେତେବେଳେ ଆନନ୍ଦରେ ଉତପ୍ଲାବିତ ହୋଇଯାଆନ୍ତି, ସେତେବେଳେ ଆଉ ବାକସ୍ଫୁରଣ ହୁଏନାହିଁ। ସେତେବେଳେ ଆପଣ ମୌନପ୍ରଶାନ୍ତ ହୋଇଯା’ନ୍ତି। ମୌନର ସେ ଯେଉଁ ମହିମା, ତାହା ବର୍ଣ୍ଣନା କରିବାକୁ କାହାର ସାଧ୍ୟ ଅଛି! ନୈରାଶ୍ୟ, ବିଫଳତା, ପରାଭବ ଓ କ୍ଷୟକ୍ଷତିର ଆଘାତରେ ହୃଦୟ ଯେଉଁମାନଙ୍କର ବିକ୍ଷତବିଦୀର୍ଣ୍ଣ, ସେମାନଙ୍କ ପକ୍ଷରେ ମୌନସମାନ ଶୀତଳ ସଞ୍ଜୀବନୀ ପ୍ରଲେପ ଦ୍ୱିତୀୟ ଆଉ ନାହିଁ। ଶ୍ରୀସତ୍ୟସାଇ ବାବା ଆମମାନଙ୍କୁ ମୌନତାର ମୂଳ ଭାବାର୍ଥ ଓ ଜୀବନ କ୍ଷେତ୍ରର ତତ୍ତ୍ୱ ନିମିତ୍ତ ମାର୍ଗଦର୍ଶନ କରି କହିଛନ୍ତି ‘ଜୀବନର ଝଡ଼ଝଞ୍ଜା, ଦ୍ୱନ୍ଦ୍ୱ, କଳହ ଓ ଗୃହବିବାଦର ଅହରହ ଘାତ-ପ୍ରତିଘାତ ଫଳରେ ସ୍ନାୟୁମଣ୍ଡଳ ଯେଉଁମାନଙ୍କର କ୍ଷତିବିକ୍ଷତ, ସେମାନଙ୍କର ପକ୍ଷରେ ପ୍ରଶାନ୍ତି ବା ନିରବତା ସମାନ ବେଦନାନିଗ୍ରହ ମହୌଷଧି ଦ୍ୱିତୀୟ ଆଉ ନାହିଁ।’ ଆପଣ ଗଭୀର ନିଦ୍ରାରେ ଶୋଇଥିବା ବେଳେ ଏହି ମହାନ ମୌନ ସହିତ ଆପଣଙ୍କର ନିବିଡ଼ି ସମ୍ପର୍କ ପ୍ରତିଷ୍ଠିତ ହୋଇଥାଏ କିନ୍ତୁ ସେତେବେଳେ ଆପଣଙ୍କ ଉପରେ ପଡ଼ିଯାଇଥାଏ ଅବିଦ୍ୟାର ଆଚରଣ, ଅଜ୍ଞାନର ଆଚ୍ଛାଦନ। ତଥାପି ଘୋର ନିଦ୍ରାରେ ଆପଣ ସେ ଯେଉଁ ପ୍ରଶାନ୍ତି ଉପଭୋଗ କରନ୍ତି, ନିସ୍ତବ୍ଧ ମଧ୍ୟରାତ୍ରରେ ଆପଣ ସେ ଯେଉଁ ନିରବତା ଉପଲବ୍ଧି କରନ୍ତି, ତାହା ସେହି ମୌନ ମହାସାଗର ବ୍ରହ୍ମଙ୍କର ସତ୍ତାର ହିଁ ପରିଚୟ ଦିଏ।

କିଶୋର କୁମାର ଜେନା
କଟକ, ମୋ: ୭୩୨୫୯୦୪୯୨୭

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର