ମାନବିକ ପ୍ରଜ୍ଞା ଓ ଚିନ୍ତନ ଶକ୍ତି

The Sakala Picture
Published On

ଷୋଡ଼ଶ ଶତାବ୍ଦୀର ଶେଷପାଦରେ ଫ୍ରାନ୍ସର ପ୍ରଖ୍ୟାତ ଦାର୍ଶନିକ ରେନି ଡିକାର୍ଟ କହିଥିଲେ, ‘କୋଜିଟୋ ଏର୍‌‌ଗୋ ସୁମ୍‌‌’ା ଲାଟିନ୍‌‌ ଭାଷାର ଏହି ସଂକ୍ଷିପ୍ତ ଉଚ୍ଚାରଣର ଅର୍ଥ ହେଉଛି – ‘ମୁଁ ଚିନ୍ତା କରେ, ତେଣୁ ମୋର ଅସ୍ତିତ୍ୱ ଅଛି’ା ପାଶ୍ଚାତ୍ୟ ସାହିତ୍ୟ ଓ ଦର୍ଶନରେ ‘ଚିନ୍ତନ ଶକ୍ତି’ ଏହିପରି ପରିଭାଷିତ ହୋଇଥିଲା ସ୍ପଷ୍ଟ ଭାବରେ ସର୍ବପ୍ରଥମେ ଡିକାର୍ଟଙ୍କ ଦ୍ୱାରା, ଯାହା ଥିଲା ପୂରାପୂରି ମାନବ କୈନ୍ଦ୍ରିକ-ସୀମିତ ଓ ସଂକୀର୍ଣ୍ଣ। ମାତ୍ର ଡିକାର୍ଟଙ୍କ ଜନ୍ମର ବହୁଶତାବ୍ଦୀ ପୂର୍ବରୁ ଭାରତୀୟ ମନୀଷା […]

ଷୋଡ଼ଶ ଶତାବ୍ଦୀର ଶେଷପାଦରେ ଫ୍ରାନ୍ସର ପ୍ରଖ୍ୟାତ ଦାର୍ଶନିକ ରେନି ଡିକାର୍ଟ କହିଥିଲେ, ‘କୋଜିଟୋ ଏର୍‌‌ଗୋ ସୁମ୍‌‌’ା ଲାଟିନ୍‌‌ ଭାଷାର ଏହି ସଂକ୍ଷିପ୍ତ ଉଚ୍ଚାରଣର ଅର୍ଥ ହେଉଛି – ‘ମୁଁ ଚିନ୍ତା କରେ, ତେଣୁ ମୋର ଅସ୍ତିତ୍ୱ ଅଛି’ା ପାଶ୍ଚାତ୍ୟ ସାହିତ୍ୟ ଓ ଦର୍ଶନରେ ‘ଚିନ୍ତନ ଶକ୍ତି’ ଏହିପରି ପରିଭାଷିତ ହୋଇଥିଲା ସ୍ପଷ୍ଟ ଭାବରେ ସର୍ବପ୍ରଥମେ ଡିକାର୍ଟଙ୍କ ଦ୍ୱାରା, ଯାହା ଥିଲା ପୂରାପୂରି ମାନବ କୈନ୍ଦ୍ରିକ-ସୀମିତ ଓ ସଂକୀର୍ଣ୍ଣ। ମାତ୍ର ଡିକାର୍ଟଙ୍କ ଜନ୍ମର ବହୁଶତାବ୍ଦୀ ପୂର୍ବରୁ ଭାରତୀୟ ମନୀଷା ଚିନ୍ତନ ଶକ୍ତିର ଯେଉଁ ପରିଭାଷା ଦେଇଥିଲା, ତାହା ଥିଲା କଳ୍ପନାତୀତ ଭାବରେ ଗୂଢ଼, ଗଭୀର ଓ ବ୍ୟାପକ। ବୈଦିକ ମନୀଷା ‘ଚିନ୍ତନ ଶକ୍ତି’କୁ ଆଖ୍ୟାୟିତ କରିଥିଲା ‘ଚିଦ୍‌‌ ଶକ୍ତି’ ଭାବରେ; ସେହି ଚିଦ୍‌‌ଶକ୍ତିର ପରମ ଉତ୍ସ ବ୍ରହ୍ମଙ୍କୁ ସତ୍‌‌, ଚିତ୍‌‌, ଆନନ୍ଦର ଘନବଦ୍ଧ ସ୍ୱରୂପ ଭାବରେ ଗ୍ରହଣ କରିଥିଲା ଏବଂ ବିଶ୍ୱାସ କରୁଥିଲା ଯେ ସେହି ଦିବ୍ୟ ରହସ୍ୟଘନ ଚିନ୍ତନଶକ୍ତି ହିଁ ହେଉଛି ଏ ସୃଷ୍ଟିଚକ୍ରର ମୂଳତତ୍ତ୍ୱ। ଚେତନଶୀଳ ମଣିଷର ସକଳ ସୃଷ୍ଟିଶୀଳତା, ସକଳ ନବଉନ୍ମେଷୀ କ୍ରିୟାଶୀଳତାର ଏକମାତ୍ର ହେତୁ ଏହି ଚିନ୍ତନ ଶକ୍ତିର ବନ୍ଦନା ଓ ଗୌରବଗାନ ଆମେ କରିବା ଅବସରରେ ସ୍ମରଣକୁ ଆସିଥା’ନ୍ତି ଫ୍ରାନ୍ସର ଅନ୍ୟ ଜଣେ ପ୍ରଖ୍ୟାତ ପ୍ରତିଭା ସ୍ଥପତି-ଚିତ୍ରଶିଳ୍ପୀ ‘ଅଗସ୍ତେ ରୋଡାନ୍‌‌’। ତାଙ୍କରି ଯାଦୁକରୀ ନିହାଣ ମୁନରେ ନିର୍ମିତ ପ୍ରସିଦ୍ଧ ବ୍ରୋଞ୍ଜ ପ୍ରତିମୂର୍ତ୍ତି ‘ଦି ଥିଙ୍କର’, ଯାହା ହେଉଛି ଜଣେ ଚିନ୍ତକ ମଣିଷର ପ୍ରତୀକାତ୍ମକ ପ୍ରତିନିଧି।

ଅତୁଳନୀୟ କଳାତ୍ମକ ପାଟବତାର ପ୍ରତିମୂର୍ତ୍ତି ‘ଦି ଥିଙ୍କର’ (ଚିନ୍ତକ ମଣିଷ)ର ରୂପବିନ୍ୟାସ ଏହିପରି – ଦୃଢ଼ ବଳିଷ୍ଠ ଶରୀରଧାରୀ ଜଣେ ବସ୍ତ୍ରହୀନ ପୁରୁଷ ଖଣ୍ଡେ ବିଶାଳ ପ୍ରସ୍ତରଖଣ୍ଡ ଉପରେ ଆସୀନ। ସାମାନ୍ୟ ଅବନତ ସ୍କନ୍ଧ ଓ ମସ୍ତକ -ବାମ ଜଙ୍ଘ ଉପରେ ରହିଛି ଦକ୍ଷିଣ ହସ୍ତର କହୁଣୀ ଓ ଦକ୍ଷିଣ ହସ୍ତର ପାପୁଲିର ପୃଷ୍ଠ ପଟଟି ରହିଛି ଚିବୁକର ନିମ୍ନ ଦେଶରେ। ଏଇ ବିଲକ୍ଷଣୀୟ ଅଙ୍ଗଭଙ୍ଗୀ ଓ ଆସନମୁଦ୍ରା ହେଉଛି ଗଭୀର ଚିନ୍ତାରେ ନିମଗ୍ନ ଜଣେ ଚିନ୍ତାଶୀଳ ମଣିଷର। ସେ ମଣିଷ ଜଣକ ଧ୍ୟାନସ୍ଥ ବୋଧିସତ୍ତ୍ୱଙ୍କ ପରି ନିର୍ବାଣର ମାର୍ଗ ଖୋଜୁ ଥାଇପାରେ କିମ୍ବା ଜୀବନର ଅସୁମାରି ଜଟିଳ ଗଣ୍ଠି ଉନ୍ମୋଚନ କରିବାକୁ ଅମୋଘ ପଣ କରିଥିବା ସକ୍ରେଟିସ୍‌‌ଙ୍କ ପରି ଜଣେ ଅକୁତୋଭୟ ପ୍ରଜ୍ଞାପୁରୁଷ ହୋଇପାରେ କିମ୍ବା ଆଲ୍‌‌ବେୟାର୍‌‌ କାମ୍ୟୁ କି ଜାଁ ପଲ୍‌‌ ସାର୍ତ୍ତେଙ୍କ ପରି ଏ ଉଦ୍‌‌ଭଟ ଜୀବନ ଓ ଶୂନ୍ୟଗର୍ଭା ଜଗତକୁ ନେଇ ଧନ୍ଦି ହେଉଥିବା କେହି ଏକଲା ମଣିଷ ହୋଇପାରେ। ତେବେ ନିର୍ବିବାଦରେ ଏତିକି କୁହାଯାଇ ପାରେ ଯେ ଏହି ପ୍ରତିମୂର୍ତ୍ତିଟି ପାଲଟି ଯାଇଛି ଜଣେ ଅନ୍ତର୍ମୁଖି ମଣିଷ ବା ଜଣେ ଚିନ୍ତକ ମଣିଷର ସର୍ବକାଳୀନ ପ୍ରତୀକ। ସେ ଅନ୍ତର୍ମୁଖିନତା, ସେ ଚିନ୍ତା ବା ଚିନ୍ତନର ସ୍ୱରୂପ ଦିବ୍ୟ ହେଉ କି ଅଦିବ୍ୟ ହେଉ-ତଲ୍ଲୀନତା ହିଁ ହେଉଛି ତା’ର ପ୍ରକୃିତି, ତା’ର ଧର୍ମ।

ରୋଡାନ୍‌‌ଙ୍କ ଏହି ପ୍ରସିଦ୍ଧ କୀର୍ତ୍ତି ସମ୍ପର୍କିତ ଅତି ରୋଚକ ଅଥଚ ତାତ୍ପର୍ଯ୍ୟପୂର୍ଣ୍ଣ କଥାଟି ହେଉଛି ଯେ ଏହାକୁ ସେ ସ୍ଥାପନ କରିଛନ୍ତି ସେ ନିଜେ ପ୍ରସ୍ତୁତ କରିଥିବା ଅନ୍ୟ ଏକ ବିଶାଳ କଳାକୃତି ‘ଦି ଗେଟସ୍‌‌ ଅଫ୍‌‌ ହେଲ୍‌‌’ (ନରକର ଦ୍ୱାର ବା ତୋରଣ)ର ଶୀର୍ଷଦେଶରେ, ଯେଉଁଟିକୁ ସେ ପ୍ରସ୍ତୁତ କରିଥିଲେ ମହାକବି ଦାନ୍ତେ ଆଲିଘେରିଙ୍କ ‘ଦି ଡିଭାଇନ୍‌‌ କମେଡି’ରେ ବର୍ଣ୍ଣିତ ‘ଇନ୍‌‌ଫର୍ଣ୍ଣୋ’ (ନରକ ଦୃଶ୍ୟ)ର ପ୍ରେରଣାରେ। ବିଚିତ୍ର ବିରୋଧାଭାସ ଇଏ – ଚିନ୍ତନ ମନନ ପରି ଏକ ଗହନ ମାନବୀୟ କର୍ମରେ ମଗ୍ନ ଜଣେ ପୁରୁଷର ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି ନରକର ଦ୍ୱାର ଦେଶରେ! କ’ଣ ହୋଇପାରେ ଏହାର ରହସ୍ୟ? କି ବ୍ୟଞ୍ଜନା, କି ଦାର୍ଶନିକତା ରହିଛି ଏଥିରେ? ଗଭୀର ଧ୍ୟାନ, ଏକାଗ୍ର ମନନ ଚିନ୍ତନରେ ଅନ୍ତର୍ଲୀନ ହେବା ତା’ହେଲେ କ’ଣ ନରକୀୟ ଯାତନା ଭୋଗ କରିବା? ଯଦି ତାହା ଏକପ୍ରକାର ଯାତନାଭୋଗ, ତାହା କ’ଣ ସତରେ ‘ଇନ୍‌‌ଫର୍ଣ୍ଣୋ’ ବା ଦାନ୍ତେଙ୍କ ବର୍ଣ୍ଣିତ ନରକରେ ମାନବାତ୍ମା ଭୋଗ କରୁଥିବା ଅର୍ଥହୀନ ଯାତନା?

ଆମର ମୁନିଋଷି ଓ ଦାର୍ଶନିକ ମାନେ ସର୍ବଦା ଆମକୁ କହିଛନ୍ତି ଯେ ଚିନ୍ତନ ମନନ କରିବା, ଧ୍ୟାନସ୍ଥ ହେବା, ଏକାଗ୍ର ଚିତ୍ତରେ ଆତ୍ମନିରୀକ୍ଷଣ କରିବା ଅର୍ଥ ଆପଣା ଆପଣାର ଭାବରାଜ୍ୟର ଆନନ୍ଦ ସରୋବରରେ ଅବଗାହନ କରିବା; ରହସ୍ୟଘନ ଭାବାନନ୍ଦରେ ତନ୍ମୟ ହୋଇଯିବା। ଆପାତ ଦୃଷ୍ଟିରେ ମଧ୍ୟ ବୋଧ ହୋଇଥାଏ ଯେ ଅନ୍ତର୍ମୁଖିନତା ବା ଚିନ୍ତାଶୀଳତା କେବେହେଲେ ଯନ୍ତ୍ରଣାଦାୟୀ ହୋଇନପାରେ। ମାତ୍ର ଅନେକ ସମୟରେ ଆମର ଏଇ ଆପାତ ଦୃଷ୍ଟି -ସମ୍ଭୂତ ଜ୍ଞାନ ବା ଧାରଣା ଅଖଣ୍ଡ ସତ୍ୟ ହୋଇ ନ ଥାଏ। ତେଣୁ କୁହାଯାଇପାରେ ଯେ ମାନବିକ ଚିନ୍ତା ଚେତନାର ବିରୋଧାତ୍ମକ, ଦ୍ୱନ୍ଦ୍ୱାତ୍ମକ ସ୍ୱରୂପକୁ ସାଙ୍କେତିକ ଭାବରେ ପ୍ରତୀକିତ କରିବା ପାଇଁ ଶିଳ୍ପୀ ରୋଡାନ୍‌‌ ‘ଦି ଥିଙ୍କର’ ବା ‘ଚିନ୍ତକ ମଣିଷ’ କଳାକୃତିଟିକୁ ସ୍ଥାନ ଦେଇଛନ୍ତି ‘ଦି ଗେଟସ୍‌‌ ଅଫ୍‌‌ ହେଲ୍‌‌’ ବା ନରକର ଦ୍ୱାର ଦେଶରେ। ଚିନ୍ତା କରିବା ଅର୍ଥ ନାନା ଜଟିଳ, ନାନା ବିକ୍ଷିପ୍ତ ଓ ଅସମାଧିତ ପ୍ରସଙ୍ଗର ଚୋରାବାଲିରେ ପାଦ ଥାପିବା; ଦ୍ୱନ୍ଦ୍ୱ, ବିରୋଧାଭାସ, ଉତ୍କଣ୍ଠା ଉଦ୍‌‌ବେଗର ଚିତାନଳରେ ଜଳି ଚାଲିବା; ଆପଣାର ନିମ୍ନତମ ପ୍ରବୃତ୍ତିର ଅନ୍ଧାରି ଗୁହାରେ ଅଣ୍ଡାଳି ହେବା ଏବଂ ଅଜଣା, ଅଶୁଣା ସହିତ ରହସ୍ୟମୟ ଭାବବନ୍ଧନରେ ଛନ୍ଦି ହୋଇଯିବା। ଏ ସବୁ କିଛି ହିଁ ବର୍ଣ୍ଣନାତୀତ ଯାତନାର ହେତୁ। ମାତ୍ର ଏହା ବି ଅଖଣ୍ଡନୀୟ ସତ୍ୟ ଯେ ଏହି ଯାତନା ଭୋଗ ହେଉଛି ଶୁଦ୍ଧ ମନୁଷ୍ୟତା ଓ ମାନବିକ ଚେତନାର ନିର୍ଭୁଲ ଇସ୍ତାହାର। ଜୀବନ ଓ ଜଗତର ସକଳ ଜଟିଳତା, ସକଳ ସୁସ୍ଥିତି ବା ଦୁଃସ୍ଥିତି ସହିତ ନିବିଡ଼, ଅନ୍ତରଙ୍ଗ ସମ୍ପୃକ୍ତି ଏବଂ ସେହି ସମ୍ପୃକ୍ତିର ଯନ୍ତ୍ରଣାକୁ ଅଙ୍ଗୀକାର କରି ମଣିଷ ଏ ଜୀବନ ଓ ଜଗତ ପାଇଁ ଯାହା କିଛି ଶୁଭଙ୍କର, ଯାହା କିଛି କଲ୍ୟାଣକର ତା’ର ସନ୍ଧାନ କରିଆସିଛି ସଭ୍ୟତାର ଉଷା କାଳରୁ। ଅନ୍ତର୍ଜଗତର ଚେତନା ମହୋଦଧିର ମନ୍ଥନରୁ ଉଦ୍‌‌ଭୂତ ବିଷ ପାନ କରି ନୀଳକଣ୍ଠ ହୋଇଯିବାରେ ହିଁ ମଣିଷ ଜୀବନର ଚରମ ସାର୍ଥକତା ଓ ଏହା ହିଁ ହେଉଛି ଏକ ଶାଶ୍ୱତ ସତ୍ୟ।

ଦୁର୍ଗାପ୍ରସାଦ ଆଚାର୍ଯ୍ୟ
(ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ)
କୋତିଆଁ ବାରଙ୍ଗ(ଜଗତ୍‌‌ସିଂହପୁର),
ମୋ: ୯୮୫୩୩୫୫୧୦୭

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର