ମା’ବାପାଙ୍କ ସ୍ୱପ୍ନ ପିଲାଙ୍କ ଭବିଷ୍ୟତରେ ଅନ୍ତରାୟ

The Sakala Picture
Published On

ସବୁ ମା’ବାପା ସେମାନଙ୍କ ପିଲାମାନଙ୍କୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରିଥା’ନ୍ତି। ଛୋଟବେଳେ ଖେଳନା ବନ୍ଧୁକଟିଏ ଧରି ଖେଳିଲେ ବଡ଼ ହେଲେ ପୁଲିସ ହେବ ବୋଲି ଭାବନ୍ତି ତ କେତେବେଳେ ଖେଳନା ସିରିଞ୍ଜଟିଏ ଧରି ଖେଳିଲେ ବଡ଼ ହେଲେ ଡାକ୍ତର ହେବ ବୋଲି କହି ବୁଲନ୍ତି। କିନ୍ତୁ ନିଜର ସ୍ୱପ୍ନକୁ ପିଲାମାନଙ୍କ ଦ୍ୱାରା ପୂରଣ କରିବା ପାଇଁ ଭୁଲି ନ ଥା’ନ୍ତି ମା’ବାପାମାନେ। ଭାରତୀୟ ପ୍ରଶାସନିକ ସେବାଠାରୁ ଆରମ୍ଭ କରି ଡାକ୍ତର, ଇଞ୍ଜିନିୟର ଆଦି ବଡ଼ ବଡ଼ ସରକାରୀ […]

ସବୁ ମା’ବାପା ସେମାନଙ୍କ ପିଲାମାନଙ୍କୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରିଥା’ନ୍ତି। ଛୋଟବେଳେ ଖେଳନା ବନ୍ଧୁକଟିଏ ଧରି ଖେଳିଲେ ବଡ଼ ହେଲେ ପୁଲିସ ହେବ ବୋଲି ଭାବନ୍ତି ତ କେତେବେଳେ ଖେଳନା ସିରିଞ୍ଜଟିଏ ଧରି ଖେଳିଲେ ବଡ଼ ହେଲେ ଡାକ୍ତର ହେବ ବୋଲି କହି ବୁଲନ୍ତି। କିନ୍ତୁ ନିଜର ସ୍ୱପ୍ନକୁ ପିଲାମାନଙ୍କ ଦ୍ୱାରା ପୂରଣ କରିବା ପାଇଁ ଭୁଲି ନ ଥା’ନ୍ତି ମା’ବାପାମାନେ। ଭାରତୀୟ ପ୍ରଶାସନିକ ସେବାଠାରୁ ଆରମ୍ଭ କରି ଡାକ୍ତର, ଇଞ୍ଜିନିୟର ଆଦି ବଡ଼ ବଡ଼ ସରକାରୀ ଚାକିରିର ସ୍ୱପ୍ନ। ତା’ ପାଇଁ କ’ଣ କ’ଣ ପଢ଼଼ିବାକୁ ପଡ଼ିବ ନିଜେ ନ ଜାଣିଲେ ବି ବୁଝାବୁଝି କରି ଆରମ୍ଭ କରିଦିଅନ୍ତି ପୂର୍ବପ୍ରସ୍ତୁତି। ସତେଯେମିତି ଏକପ୍ରକାର ଯୁଦ୍ଧପ୍ରସ୍ତୁତି। ଏମିତି ଦିନଚର୍ଯ୍ୟା ପ୍ରସ୍ତୁତ କରନ୍ତି ଯେ ସେଥିରେ ପିଲାମାନଙ୍କ ପାଇଁ ଖେଳିବାକୁ ଟିକିଏ ସମୟ ନଥାଏ। ଖାଲି ପାଠ ଆଉ ପାଠ। ସ୍କୁଲ ଫେରୁ ଫେରୁ ଟ୍ୟୁସନ। ଟ୍ୟୁସନ୍‌‌ରୁ ହୋମ୍‌‌ୱାର୍କ। ନିଜେ ପରୀକ୍ଷା ଦେଲା ଭଳି ଲାଗି ପଡ଼ନ୍ତି ମା’ବାପା ମାନେ। ସତେଯେମିତି ସେମାନଙ୍କ ଭିତରେ ପିଲାମାନଙ୍କୁ ନେଇ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବହୁତ କମ୍‌‌ ମା’ବାପା ଯେ କି ନିଜର କୌଳିକ ବୃତ୍ତି ବା ନିଜ ପିଲାର ରୁଚି ଓ ସାମର୍ଥ ଅନୁସାରେ ନିୟୋଜିତ କରିବାରେ ମନ ବଳାଇଥା’ନ୍ତି।

ପିଲାମାନେ ମଧ୍ୟ ଅନିଚ୍ଛା ସତ୍ତ୍ବେ ମା’ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପରୀକ୍ଷା ପରେ ପରୀକ୍ଷା ଦେଇ ଚାଲନ୍ତି। କିଏ ଫେଲ ହୋଇ ନିଜର ଗତିପଥ ବଦଳାଇଥା’ନ୍ତି ତ କିଏ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାକୁ ଜୀବନର ଅନ୍ତିମ ଲକ୍ଷ୍ୟ ଭାବେ ବାଛିନିଅନ୍ତି। ଏହି ପ୍ରତିଯୋଗିତାରେ ସଫଳ ହୋଇ କେହି ପୁଣି ଗଣମାଧ୍ୟମ ଆଗରେ ମା’ବାପାଙ୍କ ସ୍ୱପ୍ନକୁ ପୂରଣ କରିଥିବା ବଖାଣି ବସନ୍ତି। ଏ ସବୁ ଦେଖୁଥିବା କିଛି ମା’ବାପାଙ୍କ ଉପରେ ଏହାର ଓଲଟା ପ୍ରଭାବ ପଡ଼େ। ସେମାନେ ଛୋଟ ବେଳୁ ନିଜର ପିଲାମାନଙ୍କ ସମୟ ଉପରେ ଅଙ୍କୁଶ ଲଗାଇବା ଆରମ୍ଭ କରିଦିଅନ୍ତି। ପିଲାବେଳେ ବାରମ୍ବାର ଚେତେଇ ଦିଆଯାଏ ଯେ ଦଶମ ବୋର୍ଡ ପରୀକ୍ଷା ହେଉଛି ସବୁଠାରୁ ବଡ଼ ପରୀକ୍ଷା। କିନ୍ତୁ ତା’ ପରେ ମଧ୍ୟ ସବୁ ପରୀକ୍ଷା ଆହୁରି ବଡ଼ ହୋଇଯାଏ ମା’ବାପାମାନଙ୍କ ଆଖିରେ। ନମ୍ବର ପଛରେ ପଡ଼ିଥିବା ମା’ବାପା ମାନେ ନିଜ ପିଲାମାନଙ୍କୁ ଏକପ୍ରକାର ଗ୍ରନ୍ଥକୀଟ କରିଦିଅନ୍ତି। ଅନ୍ୟ ପିଲାମାନଙ୍କ ସହ ଖେଳିବା ବୁଲିବାକୁ ପସନ୍ଦ କରି ନ ଥା’ନ୍ତି। ଏପରିକି ଅତ୍ୟଧିକ ପାଠପଢ଼଼ା ଜନିତ ଭାରାକ୍ରାନ୍ତ ମନକୁ ଟିକେ ହାଲ୍‌‌କା କରିବା ପାଇଁ ପିଲାମାନେ ଘରର ଅନ୍ୟ ସଦସ୍ୟମାନଙ୍କ ସହିତ ବସି ଟିକେ କଥାବାର୍ତ୍ତା ହେଲେ ଅଯଥାରେ ସମୟ ନଷ୍ଟ ନ କରିବାକୁ ତାଗିଦ କରନ୍ତି ବାପାମା’ମାନେ। କିନ୍ତୁ ସେମାନେ ଭୁଲିଯାଇଥା’ନ୍ତି ଯେ ପରିବାରରୁ ସାମାଜିକ ସଂସ୍କାର, ନୈତିକ ମୂଲ୍ୟବୋଧ, ଚରିତ୍ର ଗଠନ ଓ ଆଧ୍ୟାତ୍ମିକ ବିଚାର ସମ୍ବନ୍ଧରେ ଶିକ୍ଷାଲାଭ କରାଯାଇ ପାରିବ।

ନିଜ ପରିବାରର ପେଟପାଟଣା ପାଇଁ ରାସ୍ତାକଡ଼ରେ ଠେଲା ଗାଡ଼ି ଧରି ବିକୁଥିବା ଲୋକଟି ଧନୀ ଲୋକମାନଙ୍କର ଅସୂୟାର ଶିକାର ହୁଏ। ସରକାରୀ ବାବୁମାନେ ଅଧସ୍ତନମାନଙ୍କୁ ପଶୁତୁଲ୍ୟ ବ୍ୟବହାର କରିବା ଦେଖାଯାଏ। ଏହା କେଉଁ ପ୍ରକାରର ଶିକ୍ଷା? ତେଣୁ ଉପଯୁକ୍ତ ଶିକ୍ଷା କହିଲେ ପିଲାମାନଙ୍କର ଭୌତିକ ବିକାଶ ସହିତ ନୈତିକ, ଚାରିତ୍ରିକ, ଶୈକ୍ଷିକ, ଆଧ୍ୟାତ୍ମିକ, ସାଂସ୍କୃତିକ ବିକାଶ ହେବା ଦରକାର। ମହାତ୍ମା ଗାନ୍ଧୀ କହିଛନ୍ତି – ଶିକ୍ଷା ହେଉଛି ଶିଶୁ ଓ ବ୍ୟକ୍ତିର ଶରୀର, ମନ ଓ ଆତ୍ମାର ସର୍ବୋତ୍କୃଷ୍ଟ ବିକାଶ। ମା’ବାପାଙ୍କ ସ୍ୱପ୍ନ ଆମେ ସଂସ୍କୃତ ସାହିତ୍ୟର ପ୍ରସିଦ୍ଧ କଥାମୁଖ ହିତୋପଦେଶ ଗ୍ରନ୍ଥରୁ ମଧ୍ୟ ଜାଣିପାରିବା –

ଭାଗୀରଥÒ ନଦୀ ତଟରେ ପାଟଳିପୁତ୍ର ନାମକ ଏକ ନଗର ଥିଲା। ସେଠାରେ ସକଳ ଗୁଣସମ୍ପନ୍ନ ସୁଦର୍ଶନ ନାମକ ଜଣେ ରାଜା ଥିଲେ। ରାଜା ବୁଲୁଥିବା ସମୟରେ କେହିଜଣେ ଶ୍ଲୋକ ପାଠ କରୁଥିବାର ଶୁଣିଲେ, ଯାହାର ମର୍ମ ଥିଲା – ଶାସ୍ତ୍ର ଅଶେଷ ସଂଶୟ ଖଣ୍ଡନ କରେ। ମନୁଷ୍ୟର ଚର୍ମଚକ୍ଷୁ ପ୍ରତ୍ୟକ୍ଷ ବସ୍ତୁକୁ ଦେଖାଏ, କିନ୍ତୁ ଶାସ୍ତ୍ର ଦିବ୍ୟଚକ୍ଷୁରେ ପରୋକ୍ଷ ବିଷୟକୁ ମଧ୍ୟ ଦେଖାଇ ଦିଏ। ଶାସ୍ତ୍ର ହିଁ ସମସ୍ତଙ୍କର ଚକ୍ଷୁସ୍ୱରୂପ। ଯେ ଶାସ୍ତ୍ର ଅଧ୍ୟୟନ କରିନାହିଁ ସେ ପ୍ରକୃତରେ ଅନ୍ଧତୁଲ୍ୟ। ଏହି ଶ୍କୋକ ଶୁଣି ପରାଙ୍‌‌ୁଖ ବିପଥଗାମୀ ପୁତ୍ରମାନଙ୍କୁ ଗୁଣବନ୍ତ କରିବା ପାଇଁ ରାଜା ଚିନ୍ତା କରି ପଣ୍ଡିତସଭା ଡକାଇ ନିଜର ବିପଥଗାମୀ ପୁତ୍ରମାନଙ୍କୁ କିଏ ନୀତିଶାସ୍ତ୍ର ଊପଦେଶ ଦେଇ ମଣିଷ କରିପାରିବ ବୋଲି ପଚାରିଲେ। ବିଷ୍ଣୁଶର୍ମା ନାମକ ଜଣେ ପଣ୍ଡିତ ଛଅ ମାସ ଭିତରେ ମନୁଷ୍ୟେତର(ପଶୁପକ୍ଷୀ) ଚରିତ୍ରକୁ ନେଇ ବିଭିନ୍ନ କାହାଣୀ ଦ୍ୱାରା ରାଜାପୁତ୍ରମାନଙ୍କୁ ନୀତିଶିକ୍ଷା ପ୍ରଦାନ କରିଥିଲେ।

ଆଜି କିନ୍ତୁ ଅଧିକାଂଶ ମା’ବାପା ନିଜ ପିଲାଙ୍କୁ ଭଲ ମଣିଷ ହେବାକୁ ସ୍ୱପ୍ନ ଦେଖେଇବା ପରିବର୍ତ୍ତେ କୋଟି କୋଟି ଟଙ୍କା ଆୟକାରୀ ଯନ୍ତ୍ର ହେବାକୁ ବେଶି ଭଲ ପାଆନ୍ତି। ମା’ବାପାମାନେ ସଂସ୍କାରଯୁକ୍ତ ଭଲ ମଣିଷ ପରିବର୍ତ୍ତେ ପିଲାଙ୍କୁ ବଡ଼ ଚାକିରିଆ କରିବାକୁ ବ୍ୟସ୍ତ ଓ ବ୍ୟାକୁଳ। ଅଧିକାଂଶ ପିଲା ବଡ଼ ବଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମା’ବାପାଙ୍କ ସ୍ୱପ୍ନକୁ ପୂରଣ କରନ୍ତି ସତ, କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଯେଉଁ ପରୀକ୍ଷାଗୁଡ଼ିକର ସାମ୍ନା କରନ୍ତି ସେଥିରେ ସେମାନେ ଏକପ୍ରକାର ଅକୃତକାର୍ଯ୍ୟ ହୁଅନ୍ତି। ସଂସ୍କାର ଅଭାବରୁ ସେମାନେ ଲୋକମାନଙ୍କୁ ଦୁର୍ବ୍ୟବହାର କରନ୍ତି ଏବଂ କୋଟିପତି ହେବା ନିଶାରେ ବିଭିନ୍ନ ଦୁର୍ନୀତି କରନ୍ତି। ତେଣୁ ମା’ବାପାମାନେ ପିଲାମାନଙ୍କ ଆତ୍ମବିଶ୍ୱାସ ବଢ଼େଇବା ସହ ସେମାନଙ୍କୁ ବୁଝେଇବା ଓ ପ୍ରେରଣା ଦେବା ଉଚିତ ଯେ ଆଜି ମଧ୍ୟ ଅନେକ ଲୋକ ନିଜ ସଚ୍ଚୋଟ ଓ ସାଧୁଗୁଣ ପାଇଁ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ତେଣୁ ମା’ବାପାମାନେ ପରୀକ୍ଷାର ନମ୍ବର ଉପରେ ଗୁରୁତ୍ୱ ନ ଦେଇ ପିଲାମାନଙ୍କର ଦକ୍ଷତା ଉପରେ ଗୁରୁତ୍ୱ ଦିଅନ୍ତୁ। ନିଜ ସ୍ୱପ୍ନକୁ ପିଲାମାନଙ୍କ ଉପରେ ଲଦି ନ ଦେଇ ସେମାନେ କିପରି କର୍ତ୍ତବ୍ୟନିଷ୍ଠ, ସତ୍ୟପ୍ରିୟ, ସଚ୍ଚୋଟ ଓ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ହୋଇପାରିବେ ତା’ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।

କାହ୍ନୁଚରଣ ବେହେରା
ବୈପାରିଗୁଡ଼ା(କୋରାପୁଟ)
ମୋ: ୮୮୯୫୨୯୮୨୩୫

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର