କ୍ରିକେଟର ମୋହାଞ୍ଜନ
ବିଗତ ଶତାବ୍ଦୀର ୮୦ ଦଶକରେ ଜଣେ ଜର୍ମାନ୍ ସାମ୍ବାଦିକ ପୃଥିବୀ ପୃଷ୍ଠରେ ଈଶ୍ୱରଙ୍କ ସତ୍ତା ଖୋଜି ଖୋଜି ଭାରତରେ ପହଞ୍ଚିଲେ। ପ୍ରାୟ ଦେଢ଼ ବର୍ଷ ପରେ ସେ ଭାରତରୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ କେତେକ ସାମ୍ବାଦିକ ତାଙ୍କର ଅନୁସନ୍ଧାନର ନିଷ୍କର୍ଷ ବିଷୟରେ ଜାଣିବାକୁ ଚାହିଁଲେ। ଜର୍ମାନ ସାମ୍ବାଦିକ ମହୋଦୟଙ୍କ ଉତ୍ତର ଥିଲା ଯେତିକି ଚଟୁଳ ସେତିକି ଉଦ୍ବେଗଜନକ। ସେ କହିଲେ, ‘ଗତ ଦେଢ଼ ବର୍ଷର ରହଣି ମଧ୍ୟରେ ଭାରତକୁ ମୁଁ ଖୁବ୍ ନିକଟରୁ ଦେଖିଛି ଓ […]
ବିଗତ ଶତାବ୍ଦୀର ୮୦ ଦଶକରେ ଜଣେ ଜର୍ମାନ୍ ସାମ୍ବାଦିକ ପୃଥିବୀ ପୃଷ୍ଠରେ ଈଶ୍ୱରଙ୍କ ସତ୍ତା ଖୋଜି ଖୋଜି ଭାରତରେ ପହଞ୍ଚିଲେ। ପ୍ରାୟ ଦେଢ଼ ବର୍ଷ ପରେ ସେ ଭାରତରୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ କେତେକ ସାମ୍ବାଦିକ ତାଙ୍କର ଅନୁସନ୍ଧାନର ନିଷ୍କର୍ଷ ବିଷୟରେ ଜାଣିବାକୁ ଚାହିଁଲେ। ଜର୍ମାନ ସାମ୍ବାଦିକ ମହୋଦୟଙ୍କ ଉତ୍ତର ଥିଲା ଯେତିକି ଚଟୁଳ ସେତିକି ଉଦ୍ବେଗଜନକ। ସେ କହିଲେ, ‘ଗତ ଦେଢ଼ ବର୍ଷର ରହଣି ମଧ୍ୟରେ ଭାରତକୁ ମୁଁ ଖୁବ୍ ନିକଟରୁ ଦେଖିଛି ଓ ପରଖିଛି। ଏଠି ଛାତ୍ରଛାତ୍ରୀ ତୁଳନାରେ ଶିକ୍ଷକମାନଙ୍କ ଅନୁପସ୍ଥିତି ଅଧିକ; ତା’ସତ୍ତ୍ବେ ଶିକ୍ଷାନୁଷ୍ଠାନ ଓ ଶିକ୍ଷାଗତ ଯୋଗ୍ୟତା ବଢ଼଼ିଚାଲିଛି। ବିଧାନପାଳିକା ଯିବା ପାଇଁ ଜନପ୍ରତିନିଧି ବା ନୀତି ନିର୍ଦ୍ଧାରକ ଅନିଚ୍ଛୁକ; ତଥାପି ପ୍ରତିବର୍ଷ ଶତାଧିକ ଯୋଜନା ଓ ନୀତି ପ୍ରଣୟନ ହେଉଛି। ସର୍ବୋପରି ଏଠାର ବିଶାଳ ଯୁବବର୍ଗ ଓ ବୁଦ୍ଧିଜୀବୀ କ୍ରିକେଟ୍ ପାଗଳ; କିନ୍ତୁ ଦେଶ ଆଗେଇ ଚାଲିଛି। ତେଣୁ ମୁଁ ସ୍ଥିର ନିଶ୍ଚିତ ଯେ ଏହି ବିଶାଳ ଭାରତକୁ ଈଶ୍ୱର ହିଁ ଚଳାଉଛନ୍ତି।’
କ୍ରିକେଟ୍ ବିଷୟରେ ଏଭଳି ଅପ୍ରତ୍ୟାଶିତ ଉତ୍ତରରେ କିଞ୍ଚିତ ଅପ୍ରତିଭ ଭାରତୀୟ ସାମ୍ବାଦିକ ବନ୍ଧୁମାନେ ସେ ବିଷୟରେ ଜର୍ମାନ ସାମ୍ବାଦିକଙ୍କଠାରୁ ଅଧିକ ଜିଜ୍ଞାସା କରିବାରୁ ସେ ନିଜ ଅନୁଭୂତି ବର୍ଣ୍ଣନା କରି କହିଲେ, ‘କ୍ରିକେଟ୍ରଙ୍କୁଣା ଭାରତୀୟମାନେ ନିଜ ସମୟ, ଦାୟିତ୍ୱ ଓ କର୍ତ୍ତବ୍ୟକୁ କ୍ରିକେଟ୍ ଆଗରେ ମୂଲ୍ୟବାନ ମନେ କରନ୍ତି ନାହିଁ। ଥାନାବାବୁମାନେ ଥାନାରେ ଅଭିଯୋଗକାରୀକୁ ଶୁଣିବା ଏବଂ ଆଇନ ଶୃଙ୍ଖଳା ସ୍ଥିତି ଜାଣିବା ତୁଳନାରେ କ୍ରିକେଟ୍ ସ୍କୋର ପାଇଁ ଅଧିକ ଆଗ୍ରହୀ; ଡାକ୍ତରମାନେ ପ୍ରେସ୍କ୍ରିପ୍ସନ୍ ଲେଖିବା ବେଳେ କାନପାଖରେ ରେଡିଓ(ସେତେବେଳେ ଭାରତର ଟିଭି ପ୍ରସାରଣ ଏତେ ନଥିଲା)ଟିଏ ଚାପି ଧରିବାକୁ ଅନୁଚିତ ବୋଲି ମନେ କରନ୍ତି ନାହିଁ, ଏପରିକି ମ୍ୟାଚ୍ ଫଳାଫଳର ଉତ୍କଣ୍ଠା ଅସ୍ତ୍ରୋପଚାରକୁ ବିଳମ୍ବିତ କରେ; ବୁଦ୍ଧିଜୀବୀମାନେ ସକାଳ ଓ ସାନ୍ଧ୍ୟ ଭ୍ରମଣରେ କ୍ରିକେଟ୍ ଆଲୋଚନାକୁ ଅଧିକ ପସନ୍ଦ କରନ୍ତି ଏବଂ ଖବରକାଗଜର ପ୍ରଥମ ପୃଷ୍ଠାରେ କ୍ରିକେଟ୍ ଖବର ଅଗ୍ରାଧିକାର ପାଏ। ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏଭଳି କ୍ରିକେଟ୍ ମୋହ ବିରଳ ଏବଂ ବିଶାଳ ମାନବ ସମ୍ବଳର ସଦୁପଯୋଗ ଓ ଦକ୍ଷତା ବିକାଶ ପ୍ରତି ବଡ଼ ଆହ୍ୱାନ।’
ଜର୍ମାନ୍ ସାମ୍ବାଦିକ ମହୋଦୟ ଯଦି କ୍ରିକେଟ୍-ମୋହାଞ୍ଜନ ରଞ୍ଜିତ ଭାରତୀୟମାନଙ୍କୁ ଆହୁରି ପାଖରୁ ପରଖିଥା’ନ୍ତେ ତେବେ ଜାଣି ପାରିଥା’ନ୍ତେ ଭାରତରେ କ୍ରିକେଟ୍ ତାରକାମାନଙ୍କ ବ୍ୟବହୃତ ଅନ୍ତବସ୍ତ୍ର ଓ ଉଚ୍ଚିଷ୍ଟର ସାନ୍ନିଧ୍ୟ ଲାଭ କରିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ସ୍ଥିତି ସୃଷ୍ଟିହୁଏ(୧୯୮୩ ପ୍ରୁଡେନ୍ସିଆଲ୍ ବିଶ୍ୱକପ୍ ଜିତିବା ପରେ ମଧ୍ୟପ୍ରଦେଶର ଏକ ପଞ୍ଚତାରକା ହୋଟେଲ୍ରେ ଏଭଳି ଘଟଣାର ବର୍ଣ୍ଣନା କରିଥିଲେ ସେଠାକାର ସୁରକ୍ଷା ଦାୟିତ୍ୱରେ ଥିବା ଉଚ୍ଚ ପୁଲିସ ପଦାଧିକାରୀ); ଖେଳରେ ହାରଜିତ୍କୁ ନେଇ ଲଣ୍ଡା, ଅଧାଲଣ୍ଡା, ଅଧା ନିଶ କାଟିବାକୁ ଏପରିକି ଘରର ଆସବାବ ପତ୍ର ବାଜିରେ ଲଗାଇବାକୁ କୁଣ୍ଠା ପ୍ରକାଶ ପାଏନାହିଁ। ଏହି ପୃଷ୍ଠଭୂମିରେ ବେଙ୍ଗାଲୁରୁରେ ଆଇପିଏଲ୍ ଫାଇନାଲ ମ୍ୟାଚ୍ ପରବର୍ତ୍ତୀ ବିଜୟ ଶୋଭାଯାତ୍ରା ଅଘଟଣ ପଛରେ ଯେଉଁ ବିପୁଳ ଜନସମାବେଶ ସଂଗଠିତ ହୋଇଥିଲା, ତାହା ଆଦୌ ଅଭୂତପୂର୍ବ କିମ୍ବା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ନୁହେଁ।
କ୍ରିକେଟ୍ ଓ କ୍ରିକେଟରଙ୍କ ପାଇଁ ଆମ ମନରେ ଯେଉଁ ଭକ୍ତି ଓ ହୃଦୟରେ ଦୁର୍ବଳତା ରହିଛି ତାହା କେତେ ଯଥୋଚିତ ତାହା ତର୍ଜମା କିମ୍ବା ବ୍ୟକ୍ତ କରିବା ନିରର୍ଥକ। କିନ୍ତୁ ଆମେ ଯେଉଁ ତାରକାମାନଙ୍କୁ ଶବ୍ଦରତ୍ନାଳଙ୍କରରେ ବିଭୂଷିତ କରୁଛୁ, ନିଜର ଆତ୍ମାରେ ସ୍ଥାନିତ କରୁଛୁ, ଦେଶାତ୍ମବୋଧର ପ୍ରତିନିଧି ବୋଲି ଗର୍ବ କରୁଛୁ ଏବଂ ବ୍ୟକ୍ତିଗତ ପ୍ରଦର୍ଶନ ଓ ସଫଳତାରେ ଶତମୁଖ ହୋଇପଡ଼ୁଛୁ ସେମାନଙ୍କ ଆଭିମୁଖ୍ୟ ବିଷୟରେ ଗୋଟିଏମାତ୍ର ଉଦାହରଣ ଯଥେଷ୍ଟ ମନେ ହୁଏ। ୨୦୦୨ ଆଇସିସି ଚମ୍ପିଅନ୍ସିପ୍ ବିଶ୍ୱକପ୍ ପ୍ରତିଯୋଗିତା ପୂର୍ବରୁ ପ୍ରାୟୋଜକ, ବିଜ୍ଞାପନ ଓ ଭାରତୀୟ କ୍ରିକେଟ୍ ତାରକାଙ୍କୁ ନେଇ ବିବାଦ ସୃଷ୍ଟି ହେବା ପରେ ଆଇସିସିର ଚରମବାଣୀ ଥିଲା ଭାରତୀୟ କ୍ରିକେଟରମାନେ ନିଜ ଦେଶ ପାଇଁ ନା ନିଜ ପାଇଁ ଖେଳୁଛନ୍ତି ତାହା ସ୍ପଷ୍ଟ କରନ୍ତୁ। ଏହାର ପ୍ରତିକ୍ରିୟାରେ ତତ୍କାଳୀନ ଭାରତୀୟ କ୍ରିକେଟ୍ କପ୍ତାନଙ୍କ ଦାମ୍ଭିକ ଉତ୍ତର ଥିଲା ସେମାନେ ନିଜ ପାଇଁ ଖେଳୁଛନ୍ତି। ଏହାପରେ ବିସିସିଆଇ ଜଭାଗଲ୍ ଶ୍ରୀନାଥଙ୍କ ନେତୃତ୍ୱରେ ୨୫ଜଣିଆ ବିକଳ୍ପ ଟିମ୍ ଘୋଷଣା କରିଥିଲା ସତ, ମାତ୍ର ତଥାକଥିତ କ୍ରିକେଟ୍-ଦେବତାମାନଙ୍କର ପ୍ରଭାବ ଓ ବିଜ୍ଞାପନଦାତାଙ୍କ ଚାପ ଏତେ ଥିଲା ଯେ ବିସିସିଆଇ ସେମାନଙ୍କୁ ନେଇ ସାନି ତାଲିକା ଘୋଷଣା କଲା ଏବଂ ଆଇସିସି ମଧ୍ୟ ନତମସ୍ତକ ହେବାକୁ ବାଧ୍ୟ ହେଲା। ସଦ୍ୟସମାପ୍ତ ଆଇପିଏଲ୍ ସହିତ କୌଣସି ରାଷ୍ଟ୍ରବୋଧ କିମ୍ବା ରାଷ୍ଟ୍ରସମ୍ମାନ ଜଡ଼ିତ ନୁହେଁ। ତଥାପି ୭୪ ଦିନ ଧରି କ୍ରିକେଟ୍ର ମୋହାଞ୍ଜନରେ ଅନୁରକ୍ତ ଭାରତୀୟମାନେ ଯେପରି ଉଦ୍ବୁଦ୍ଧ ଓ ଅନୁରଣିତ ହେଲେ ବିଶ୍ୱରେ ତାହାର ପଟ୍ଟାନ୍ତର ନାହିଁ।
କ୍ରିକେଟ୍ର ମୋହାଞ୍ଜନରେ ଭାରତର କେବଳ ଜନସାଧାରଣ ନୁହନ୍ତି, ସରକାର ମଧ୍ୟ ଯେ ଆକ୍ରାନ୍ତ ହେବାକୁ ବାଧ୍ୟ ତାହା ପ୍ରମାଣିତ ହୋଇଯାଏ ଯେତେବେଳେ ଜଳକ୍ଳିଷ୍ଟ ଅଞ୍ଚଳକୁ ପାଣି ଯୋଗାଇବାରେ ବିଫଳ ସ୍ୱାଧୀନ ଭାରତ କ୍ରିକେଟ୍ ପଡ଼ିଆ ପ୍ରସ୍ତୁତି ପାଇଁ ଗ୍ୟାଲନ୍ ଗ୍ୟାଲନ୍ ପାଣି ବିନିଯୋଗ କରିପାରେ; ସ୍ୱାଧୀନତାର ୭୮ ବର୍ଷ ପରେ ଏବେ ମଧ୍ୟ ଗାଁ ଗଣ୍ଡାରେ ବିଜୁଳି ସାତସପନ, ଅଥଚ କ୍ରିକେଟ୍ ପଡ଼ିଆରେ ଫ୍ଲଡ୍ ଲାଇଟ୍ରେ ମଧ୍ୟରାତ୍ରିରେ ଦିବସର ଭ୍ରମ ସୃଷ୍ଟି ହୋଇପାରେ; ସରକାରୀ ରାଜକୋଷ ଅପଚୟରେ କ୍ରିକେଟ୍ରଙ୍କୁ ଉତ୍ସାହିତ କରିବା ପାଇଁ ମନ୍ତ୍ରି ପରିଷଦର ସଦସ୍ୟମାନେ ବିଦେଶଗସ୍ତ କରିପାରନ୍ତି; ଶାସନମୁଖ୍ୟମାନେ ଅର୍ଜୁନଙ୍କ ପରି ଲକ୍ଷ୍ୟଭେଦ କରିବାକୁ କ୍ରିକେଟରଙ୍କୁ ଉତ୍ସାହିତ କରିପାରନ୍ତି, କ୍ରିକେଟ୍ ପଡ଼ିଆରେ ପ୍ରତ୍ୟକ୍ଷ ଉପସ୍ଥିତ ହୁଅନ୍ତି, ଏପରିକି ବିଫଳତା ପରେ ଆଲିଙ୍ଗନ କରି ସମବେଦନା ଜଣାନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାଡ଼ିଦେଲେ ଭାରତର କୌଣସି ଶାସନମୁଖ୍ୟଙ୍କ କ୍ରିକେଟ୍ ସୁଲଭ ପ୍ରୋତ୍ସାହନ ଓ ସମବେଦନା କେବେ କୌଣସି ଅଲିମ୍ପିକ୍ ଖେଳାଳିଙ୍କ ପ୍ରତି ଦେଖାଯାଏ ନାହିଁ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବୀଣ ରାଜନୀତିଜ୍ଞ ଜାନକୀ ବଲ୍ଲଭ ପଟ୍ଟନାୟକ ଏକଦା ଏକ ସାକ୍ଷାତକାରରେ କହିଥିଲେ କ୍ରିକେଟ୍କୁ ବିରୋଧ କରି କୌଣସି ରାଜନୈତିକ ଦଳ ତିଷ୍ଠି ପାରିବ ନାହିଁ। ଆଇପିଏଲ୍ର ବିଜୟୋତ୍ସବରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି, ଦୁର୍ଘଟଣା ପରେ କେନ୍ଦ୍ର-ରାଜ୍ୟ-ବିସିସିଆଇ ମଧ୍ୟରେ ଆରୋପ-ପ୍ରତ୍ୟାରୋପ, ନ୍ୟାୟାଳୟଙ୍କର ନିଜ ଆଡ଼ୁ ମାମଲା ରୁଜୁ, ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱର୍ଗତଃ ପଟ୍ଟନାୟକଙ୍କ ମନ୍ତବ୍ୟର ଜ୍ୱଳନ୍ତ ପ୍ରତିଫଳନ। ଏଠାରେ ଆଉ ଏକ ବ୍ୟତିକ୍ରମ ଓ ବିଡ଼ମ୍ବନା ଉପରେ ଦୃଷ୍ଟି ଦିଆଯାଉ। ହାଇଦ୍ରାବାଦ୍ର ଏକ ସିନେମା ହଲ୍ରେ ଦଳାଚକଟାରେ ଜନୈକ ମହିଳାଙ୍କ ମୃତ୍ୟୁ ଘଟଣାରେ ଆଲୁ ଅର୍ଜୁନ୍ଙ୍କୁ ଗିରଫ କରାଗଲା, ଅଥଚ ବେଙ୍ଗାଲୁରୁ ଦଳାଚକଟାରେ ମୃତାହତଙ୍କ ସଂଖ୍ୟା ତା’ଠାରୁ ବହୁ ଅଧିକ ହେଲେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ କେବଳ ଅସମ୍ଭବ ନୁହେଁ ସେ ସମ୍ପର୍କିତ ଆଲୋଚନା ମଧ୍ୟ ହୁଏତ ଦୋଷାବହ। ସେହିପରି ବେଙ୍ଗାଲୁରୁ ଦୁର୍ଘଟଣା ପରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଯେପରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଲା, ତାହା ଦିଲ୍ଲୀ ରେଳଷ୍ଟେସନ୍ କିମ୍ବା ପ୍ରୟାଗରାଜ୍ ମହାକୁମ୍ଭ ଅଘଟଣରେ ଦେଖାଗଲା ନାହିଁ। ଏଥିରୁ କ୍ରିକେଟ୍ ଭାରତୀୟ ଶାସନ-ପ୍ରଶାସନ ପାଇଁ କେତେ ସ୍ପର୍ଶକାତର ତାହାର ଅଧିକ ପ୍ରମାଣ ଅନାବଶ୍ୟକ।
କ୍ରିକେଟ୍ ମୋହାଞ୍ଜନର ପ୍ରଚ୍ଛଦପଟ୍ଟ ଉପରେ ଏବେ କିଞ୍ଚିତ ସିଂହାବଲୋକନ କରିବା। ବିଂଶ ଶତାଦ୍ଦୀର ଅଶୀ ଦଶକର ଶେଷ ଓ ନବେ ଦଶକର ପ୍ରାରମ୍ଭରେ ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ବିଶ୍ୱରେ କାୟା ବିସ୍ତାର ଆରମ୍ଭ କଲା। ସେତେବେଳେ ତା’ର ମୁଖ୍ୟ ପୁରୋଧା ଜନ୍ ପର୍କିସନ୍ଙ୍କର ଦୃଷ୍ଟି ନିବଦ୍ଧ ଥିଲା ବିଶାଳ ଭାରତୀୟ ବଜାର ଉପରେ। ଏଥିପାଇଁ ସେ ଭାରତୀୟମାନଙ୍କର ମାନସିକତା ଓ ସମ୍ବେଦନଶୀଳତାକୁ ପ୍ରଥମେ ଅନୁଧ୍ୟାନ କରିଥିଲେ(ତାଙ୍କ ଦ୍ୱାରା ଲିଖିତ ‘ଏ କନ୍ଫେକ୍ସନ୍ ଅଫ୍ ଆନ୍ ଇକୋନୋମିକ୍ ହିଟ୍ ମ୍ୟାନ୍’ରେ ବର୍ଣ୍ଣିତ)। ଫଳ ସ୍ୱରୂପ, ୧୯୬୬ ମସିହାରେ ରିତା ଫାରିଆଙ୍କ ବିଶ୍ୱସୁନ୍ଦରୀ ଉପାଧି ପ୍ରାପ୍ତ ହେବାର ଦୀର୍ଘ ବ୍ୟବଧାନ ପରେ ୧୯୯୪ ମସିହାରେ ସୁସ୍ମିତା ସେନ୍ଙ୍କଠାରୁ ପୁଣି ସେହି ପ୍ରକ୍ରିୟା ଆରମ୍ଭ ହେଲା। ତଥାପି ପର୍କିସନ୍ ସେପରି ଏକ ମାଧ୍ୟମର ସନ୍ଧାନରେ ଥିଲେ, ଯାହା ଭାଷା-ରାଜ୍ୟ-ଜାତି-ସଂପ୍ରଦାୟ-ବୟସ ନିର୍ବିଶେଷରେ ଭାରତୀୟମାନଙ୍କର ମନ, ପ୍ରାଣ ଓ ଆତ୍ମା ସହିତ ଓତପ୍ରୋତ ଭାବରେ ଜଡ଼ିତ ଥିବ। ସେ ସେହି ମାଧ୍ୟମର ସନ୍ଧାନ ପାଇଯିବା ପରେ କ୍ରିକେଟ୍ ଦୁନିଆ ରଙ୍ଗୀନ ହୋଇଉଠିଲା ଏବଂ କ୍ରିକେଟରମାନେ ନିଜ ଶରୀର ଓ ପୋଷାକକୁ ବିଜ୍ଞାପନର ହୋର୍ଡିଂରେ ପରିବର୍ତ୍ତନ କରିବା ପାଇଁ ଅତିମାତ୍ରାରେ ଉତ୍ସାହିତ ହୋଇପଡ଼ିଲେ। କ୍ରମଶଃ ଏହା ଆଇପିଏଲ୍ ପରି ଏକ ହାଟ ସୃଷ୍ଟି କଲା, ଯେଉଁଠି ଖେଳାଳିମାନେ ବାଜିରେ ଲାଗୁଥିବା ଘୋଡ଼ାଙ୍କ ପରି କିଣାବିକା ହୋଇପାରିବେ ଏବଂ ଚଟାପଟ୍ ଫଳାଫଳ ନିର୍ଣ୍ଣୟ କରିପାରିବେ।
ଏହିକ୍ରମରେ ଯଦି ସଦ୍ୟ ସମାପ୍ତ ଆଇପିଏଲ୍ରେ ପ୍ରାୟ ୫ ହଜାର କୋଟି ଟଙ୍କାର କାରବାର ହେଲା, ‘ଅପରେସନ୍ ସିନ୍ଦୂର’ ପାଇଁ ବିସିସିଆଇ ପ୍ରାୟ ୪୫୦ କୋଟି ଟଙ୍କା କ୍ଷତି ସହିଲା ବୋଲି ଅନୁତାପ କରାଗଲା, ସରକାରୀ ସ୍ୱୀକୃତ ଜୁଆ ‘ଡ୍ରିମ୍ ୧୧’ରେ କୋଟିଏ ଟଙ୍କା ଜିତିଥିବା ଜୁଆଡ଼ିର ନାମ ଗଣମାଧ୍ୟମର ଶିରୋନାମା ମଣ୍ଡନ କଲା, ସେଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ। ଏହା ହିଁ ତ କ୍ରିକେଟ୍-ମୋହାଞ୍ଜନ ରଞ୍ଜିତ ଭାରତ!
ଗୌରୀ ପ୍ରସାଦ ମହାପାତ୍ର
ଭୁବନେଶ୍ୱର, ମୋ: ୯୩୩୮୦୮୭୯୦୦






