୫୦ ବର୍ଷ ତଳର ସେହି ‘ଜୁନ୍ ୧୨’
ଭାରତର ଗଣତାନ୍ତ୍ରିକ ଓ ବିଚାର ବିଭାଗୀୟ ଇତିହାସରେ ଜୁନ୍, ୧୨ ତାରିଖ ଏକ ଅବିସ୍ମରଣୀୟ ଦିବସ। ଆଜିକୁ ଠିକ୍ ୫୦ବର୍ଷ ତଳେ ୧୯୭୫ ମସିହାର ଏହି ଦିନରେ ଆହ୍ଲାବାଦ୍ ହାଇକୋର୍ଟ ଦେଇଥିବା ଏକ ଯୁଗାନ୍ତକାରୀ ରାୟ ଦେଶର ଆତ୍ମାକୁ ଚହଲାଇ ଦେବା ସହିତ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା। ‘ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି। ଯିଏ ଯେତେ ଉଚ୍ଚ ପଦବୀରେ ଥାଉ ନା କାହିଁକି ନିର୍ଭୀକ ଓ ନିରପେକ୍ଷ ବିଚାର ବ୍ୟବସ୍ଥା ଆଗରେ ତାଙ୍କ ପାଇଁ କିଛି […]
ଭାରତର ଗଣତାନ୍ତ୍ରିକ ଓ ବିଚାର ବିଭାଗୀୟ ଇତିହାସରେ ଜୁନ୍, ୧୨ ତାରିଖ ଏକ ଅବିସ୍ମରଣୀୟ ଦିବସ। ଆଜିକୁ ଠିକ୍ ୫୦ବର୍ଷ ତଳେ ୧୯୭୫ ମସିହାର ଏହି ଦିନରେ ଆହ୍ଲାବାଦ୍ ହାଇକୋର୍ଟ ଦେଇଥିବା ଏକ ଯୁଗାନ୍ତକାରୀ ରାୟ ଦେଶର ଆତ୍ମାକୁ ଚହଲାଇ ଦେବା ସହିତ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା। ‘ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି। ଯିଏ ଯେତେ ଉଚ୍ଚ ପଦବୀରେ ଥାଉ ନା କାହିଁକି ନିର୍ଭୀକ ଓ ନିରପେକ୍ଷ ବିଚାର ବ୍ୟବସ୍ଥା ଆଗରେ ତାଙ୍କ ପାଇଁ କିଛି ସ୍ୱତନ୍ତ୍ର ସ୍ଥାନ ନଥାଏ’ – ଏକଥା ପ୍ରମାଣିତ ହୋଇଥିଲା ଏହି ରାୟରେ। ସେତେବେଳର ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ନେହରୁ ଗାନ୍ଧୀଙ୍କ ରାଏବରେଲି ଲୋକସଭା କ୍ଷେତ୍ରରୁ ଜିଣିଥିବା ନିର୍ବାଚନକୁ ଏହି ରାୟରେ ଅସିଦ୍ଧ ଘୋଷଣା କରାଯିବା ସହିତ ସେ ଆଉ ୬ବର୍ଷ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ଭାରତୀୟ ଗଣତନ୍ତ୍ରରେ କଳା ଅଧ୍ୟାୟ ରୂପେ ଅଭିହିତ ଜରୁରୀ ପରିସ୍ଥିତି ମୂଳରେ ଥିଲା ଏହି ରାୟ।
କଂଗ୍ରେସ (ଆର) ପ୍ରାର୍ଥୀ ଭାବେ ଶ୍ରୀମତୀ ଗାନ୍ଧୀ ପୁଣିଥରେ ଉତ୍ତରପ୍ରଦେଶର ରାଏବରେଲି ଲୋକସଭା କ୍ଷେତ୍ରରୁ ୧୯୭୧ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ନେତା ରାଜ ନାରାୟଣଙ୍କୁ ହରାଇ ନିର୍ବାଚିତ ହୋଇଥିଲେ। ନିର୍ବାଚନ ପରେ ରାଜ ନାରାୟଣ ଶ୍ରୀମତୀ ଗାନ୍ଧୀଙ୍କ ବିରୋଧରେ ଆହ୍ଲାବାଦ୍ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ଓଏସ୍ଡି ଭାବେ କାର୍ଯ୍ୟ କରୁଥିବା ଜଣେ ସରକାରୀ ଅଧିକାରୀ ଯଶପାଲ କାପୁରଙ୍କୁ ଶ୍ରୀମତୀ ଗାନ୍ଧୀ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରିଥିବାରୁ ଲୋକପ୍ରତିନିଧି ଆଇନ୍ର ୧୨୩ (୭) ଧାରା ଅନୁଯାୟୀ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ଲାଗି ଦାବି ହୋଇଥିଲା(ପରବର୍ତ୍ତୀ ସମୟରେ କାପୁରଙ୍କୁ କଂଗ୍ରେସ ରାଜ୍ୟସଭା ସଦସ୍ୟ କରିଥିଲା)। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଏହି ମାମଲାର ଦୀର୍ଘ ଶୁଣାଣି ହୋଇଥିଲା। ଏମିତିକି ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ଦୁଇଦିନ ଧରି ଜେରା କରାଯାଇଥିଲା। ଶେଷରେ ୧୯୭୫ ଜୁନ୍ ୧୨ ତାରିଖ ଦିନ ବିଚାରପତି ଜଗମୋହନ ଲାଲ ସିହ୍ନା ଶ୍ରୀମତୀ ଗାନ୍ଧୀଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରିବା ସହିତ ନିର୍ବାଚନରେ ସେ ଅସତ ଉପାୟ ଅବଲମ୍ବନ କରିଥିବାରୁ ପରବର୍ତ୍ତୀ ୬ବର୍ଷ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କହିଥିଲେ। ଇନ୍ଦିରା ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଥିବାରୁ କଂଗ୍ରେସ (ଆର୍) ଦଳ ତାଙ୍କର ବିକଳ୍ପ ବ୍ୟବସ୍ଥା କରିବା ଲାଗି ୨୦ ଦିନ ସମୟ ମଧ୍ୟ କୋର୍ଟ ଦେଇଥିଲେ। ଏହି ରାୟ ଏତେ ପ୍ରଭାବଶାଳୀ ଥିଲା ଯେ ସେଥିରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାରଙ୍କୁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିବାକୁ ହୋଇଥିଲା। ଏହାଛଡ଼ା ଶ୍ରୀମତୀ ଗାନ୍ଧୀ ନିର୍ବଚାନରେ ସୀମା ବହିର୍ଭୂତ ଅର୍ଥ ଖର୍ଚ୍ଚ କରିବା, କମ୍ବଳ, ମଦ ସମେତ ଅନ୍ୟାନ୍ୟ ସାମଗ୍ରୀ ତାଙ୍କ ପକ୍ଷରୁ ବଣ୍ଟନ କରାଯିବା, ମତଦାତାଙ୍କୁ ମାଗଣାରେ ମତଦାନ କେନ୍ଦ୍ରକୁ ଆଣିବା, ନିର୍ବାଚନ ପ୍ରଚାର ପାଇଁ ପ୍ରତିରକ୍ଷା ବାହିନୀର ହେଲିକପ୍ଟର ବ୍ୟବହାର କରିବା ଭଳି ଅନ୍ୟ ଅଭିଯୋଗଗୁଡ଼ିକୁ କିନ୍ତୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।
ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ୧୯୭୩ରେ ବହୁଚର୍ଚ୍ଚିତ କେଶବାନନ୍ଦ ଭାରତୀ ମାମଲାର ରାୟ ଶୁଣାଇବାର କିଛିଦିନ ଭିତରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜୟଶଙ୍କର ମଣିଲାଲ ସେଲଟ୍, ଏ.ଏନ୍. ଗ୍ରୋଭର ଓ କେ.ଏସ୍. ହେଗଡ଼େଙ୍କୁ ଉପେକ୍ଷା କରାଯାଇ ସେମାନଙ୍କଠାରୁ କନିଷ୍ଠ ଜଷ୍ଟିସ ଏ.ଏନ୍. ରାୟଙ୍କୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କରାଯାଇଥିଲା। କେଶବାନନ୍ଦ ଭାରତୀ ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଥିଲେ ଯେ ସମ୍ବିଧାନର ମୌଳିକ ଢାଞ୍ଚାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। ଏହି ଘଟଣା ସେତେବେଳେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଇନ୍ଦିରା ଗାନ୍ଧୀଙ୍କ ତତ୍କାଳୀନ ପ୍ରଭୂତ କ୍ଷମତା, ଶାସନ ବ୍ୟବସ୍ଥାରେ ଏଭଳି ଅଖଣ୍ଡ ପ୍ରଭାବ ଓ ପ୍ରତିପତ୍ତି ସତ୍ତ୍ବେ ଜଷ୍ଟିସ୍ ସିହ୍ନା ଶ୍ରୀମତୀ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦକୁ ରଦ୍ଦ କରିବାର ସାହସ କରି ଇତିହାସ ସୃଷ୍ଟି କରିଥିଲେ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଏନ୍.ଭି. ରମନ୍ନା ଆହ୍ଲାବାଦ୍ ହାଇକୋର୍ଟଙ୍କ ଏହି ରାୟକୁ ପ୍ରଶଂସା କରିବା ସହିତ ବିଚାରପତି ଶ୍ରୀସିହ୍ନା ଯେଭଳି ନିଷ୍ଠା ଓ ନିର୍ଭୀକତାର ସହ ଏହି ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ତାହା ବର୍ଷବର୍ଷ ପାଇଁ ବିଚାରପତିମାନଙ୍କୁ ପ୍ରେରିତ କରିବ ବୋଲି ଉଲ୍ଲେଖ କରିଥିଲେ। ଜଷ୍ଟିସ୍ ଭି.ଆର. କ୍ରିଷ୍ଣାଆୟାର, ଜଷ୍ଟିସ୍ ଭି.ଏମ୍. ତାରକୁଣ୍ଡେ, ଜଷ୍ଟିସ୍ ବନୱାରୀ ଲାଲ ହଂସାରିଆ, ଜଷ୍ଟିସ୍ ଜେ.ଏସ୍. ବର୍ମା, ଜଷ୍ଟିସ୍ କେ.ଏସ୍. ହେଗଡ଼େ, ଜଷ୍ଟିସ ହରିହର ମହାପାତ୍ରଙ୍କ ଭଳି ବହୁ ସ୍ୱନାମଧନ୍ୟ ବିଚାରପତି ଜଷ୍ଟିସ୍ ସିହ୍ନାଙ୍କୁ ବାରମ୍ବାର ପ୍ରଶଂସା କରିବାକୁ ଭୁଲି ନଥିଲେ।
ଆହ୍ଲାବାଦ୍ ହାଇକୋର୍ଟଙ୍କ ରାୟ ଉପରେ ପୂର୍ଣ୍ଣ ରହିତାଦେଶ ପାଇଁ ଶ୍ରୀମତୀ ଗାନ୍ଧୀ ସୁପ୍ରିମକୋର୍ଟରେ ମାମଲା ରୁଜୁ କଲେ। ସେତେବେଳକୁ ସୁପ୍ରିମକୋର୍ଟର ଗ୍ରୀଷ୍ମାବକାଶ ଛୁଟି ଚାଲିଥାଏ। ମାମଲାଟି ବିଚାରପତି ଭି.ଆର. କ୍ରିଷ୍ଣାଆୟାରଙ୍କ ଇଜିଲାସରେ ବିଚାର ପାଇଁ ଆସିଲା। ଜୁନ୍ ୨୪ ତାରିଖରେ ଜଷ୍ଟିସ କ୍ରିଷ୍ଣାଆୟାର ସର୍ତ୍ତମୂଳକ ରହିତାଦେଶ ଦେବା ସହିତ ପରବର୍ତ୍ତୀ ଶୁଣାଣି ପାଇଁ ୧୯୭୫ ଅଗଷ୍ଟ ୧୧ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇନ୍ଦିରା ଲୋକସଭା ସଦସ୍ୟ ଭାବେ ସଂସଦରେ ଉପସ୍ଥିତ ରହିପାରିବେ; କିନ୍ତୁ ସଂସଦର ବିତର୍କରେ ଓ ମତଦାନରେ ଭାଗ ନେଇପାରିବେ ନାହିଁ। ଏମିତିକି ସଂସଦର ସଦସ୍ୟ ଭାବରେ ମଧ୍ୟ ସେ ବେତନ ଓ ଭତ୍ତା ପାଇପାରିବେ ନାହିଁ ବୋଲି ଏଥିରେ ସ୍ପଷ୍ଟ କରିଦିଆଯାଇଥିଲା। ସର୍ତ୍ତମୂଳକ ରହିତାଦେଶ ବିରୋଧରେ ଆବେଦନକାରୀ ଦୁଇଜଣିଆ ଖଣ୍ଡପୀଠଙ୍କ ନିକଟରେ ଆବେଦନ କରିପାରିବେ ବୋଲି ମଧ୍ୟ ଏଥିରେ ସୂଚନା ଥିଲା।
ଜଷ୍ଟିସ୍ କ୍ରିଷ୍ଣାଆୟାରଙ୍କ ରହିତାଦେଶର ଚବିଶ ଘଣ୍ଟା ନ ପୂରୁଣୁ ଜୁନ୍ ୨୫ ମଧ୍ୟରାତ୍ରରେ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ। ସମ୍ବାଦପତ୍ର ଓ ବାକ୍ ସ୍ୱାଧୀନତା ଭଳି ଜନତାଙ୍କ ମୌଳିକ ଅଧିକାର ଉପରେ କଟକଣା ଜାରି କରାଗଲା। ସେତେବେଳକୁ ସାରା ଦେଶରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସଂପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନ ଚାଲିଥାଏ। ଏଥିରେ ଅଟଳ ବିହାରୀ ବାଜପେୟୀ, ବିଜୁ ପଟ୍ଟନାୟକ, ମୋରାରଜି ଦେଶାଇ, ଚରଣ ସିଂ, ମା’ ରମାଦେବୀ, ମାଳତୀ ଚୌଧୁରୀ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ପ୍ରମୁଖ ନେତାମାନେ ସାମିଲ ଥା’ନ୍ତି। ଆହ୍ଲାବାଦ୍ ହାଇକୋର୍ଟ ଇନ୍ଦିରାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ତୁରନ୍ତ ହଟାଇବା ପାଇଁ ଦେଶର କୋଣ ଅନୁକୋଣରୁ ଦାବି ଉଠିଥିଲା। ଜରୁରୀ ପରିସ୍ଥିତି ଘୋଷଣା ସହିତ ଜୟପ୍ରକାଶ, ମୋରାରଜି ଦେଶାଇ, ବିଜୁ ପଟ୍ଟନାୟକ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବହୁ ନେତା ଏବଂ ହଜାର ହଜାର ଯୁବକ ଓ ଛାତ୍ରଙ୍କୁ କାରାରୁଦ୍ଧ କରାଗଲା। ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପ୍ରସନ୍ନ ଆଚାର୍ଯ୍ୟ, ଲକ୍ଷ୍ମୀ ମହାପାତ୍ର, ଅଶୋକ ଦାସ, ସୁରେନ୍ଦ୍ର ନାଥ ନାୟକ, ବିଶ୍ୱଭୂଷଣ ହରିଚନ୍ଦନ, ଭାଗବତ ବେହେରା, ଶିବାଜୀ ପଟ୍ଟନାୟକ, ଜୟକୃଷ୍ଣ ମହାନ୍ତି, ପଦ୍ମଚରଣ ସାମନ୍ତସିଂହାରଙ୍କ ଭଳି ଓଡ଼ିଶାର ଅନେକ ନେତା କାରାଗାରରେ ଅକଥନୀୟ ନିର୍ଯାତନାର ଶିକାର ହେଲେ। ଏମିତିକି କଂଗ୍ରେସର କ୍ରାନ୍ତିକାରୀ ନେତା ଚନ୍ଦ୍ରଶେଖର, ମୋହନ ଧାରିଆ, କୃଷ୍ଣକାନ୍ତ, ରାମଧନ, ପ୍ରଦୁମ୍ନ ବଳ ପ୍ରମୁଖ ବ୍ୟବସ୍ଥାର ବିରୋଧ କରି ଜେଲ୍ ଗଲେ। କିଏ କେଉଁଠି ଗିରଫ ହୋଇ ରହିଲେ ତାହାର ପତ୍ତା ପରିବାରକୁ ମିଳିଲା ନାହିଁ। କାରାରୁଦ୍ଧ ଅବସ୍ଥାରେ ଚିକିତ୍ସା ଅଭାବରୁ ଜୟପ୍ରକାଶ, ନବକୃଷ୍ଣ ଚୌଧୁରୀଙ୍କ ଭଳି ବହୁ ଅଗ୍ରଗଣ୍ୟ ନେତାଙ୍କ ସ୍ୱାସ୍ଥ୍ୟହାନି ଘଟିଲା।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ପୂର୍ବରୁ ଇନ୍ଦିରାଙ୍କ ପରାମର୍ଶକ୍ରମେ ସେତେବେଳର ରାଷ୍ଟ୍ରପତି ଫକୀର ଉଦ୍ଦିନ ଅଲ୍ଲୀ ଅହମ୍ମଦ ୧୯୭୫ ଅଗଷ୍ଟ ୧୦ ତାରିଖରେ ସମ୍ବିଧାନର ସଂଶୋଧନ ଘୋଷଣା କରିଥିଲେ, ଯେଉଁଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତି ଆଦିଙ୍କ ସଂପର୍କରେ ଆଇନ୍ ଅଦାଲତରେ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ଉଲ୍ଲେଖ କରାଯାଇ ସମ୍ବିଧାନରେ ୩୨୯ (କ) ଧାରା ବ୍ୟବସ୍ଥା କରାଗଲା। ଏହା ବିରୋଧରେ ବି ରାଜନାରାୟଣ ଅନ୍ୟ ଏକ ମାମଲା ରୁଜୁ କରିଥିଲେ। ଉଭୟ ମାମଲାର ମିଳିତ ଶୁଣାଣି କରି ସୁପ୍ରିମକୋର୍ଟ ୧୯୭୫ ନଭେମ୍ବର ୭ ତାରିଖରେ ଦେଇଥିବା ଏକ ସୁଦୀର୍ଘ ରାୟରେ ୩୯ତମ ସଂଶୋଧନ ଆଇନ୍ ମୁତାବକ ବ୍ୟବସ୍ଥା କରାଯାଇଥିବା ୩୨୯ (କ) ଧାରାର କେତେକ ବ୍ୟବସ୍ଥାକୁ ଖାରଜ କରିଦେଇଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ଜନତା ପାର୍ଟି ସରକାର ଅମଳରେ ଏହି ସମ୍ବିଧାନ ସଂଶୋଧନ ବ୍ୟବସ୍ଥାକୁ ରଦ୍ଦ କରାଯାଇଥିଲା। ଜରୁରୀ ପରିସ୍ଥିତି ସମୟରେ ବି ୪୨ତମ ସମ୍ବିଧାନ ସଂଶୋଧନ ଅଣାଯାଇଥିଲା ଓ ୧୯୭୬ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା। ୧୯୭୫ ନଭେମ୍ବର ୭ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏ.ଏନ୍. ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୫ଜଣିଆ ଖଣ୍ଡପୀଠ ଆହ୍ଲାବାଦ୍ ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଥିଲେ।
ଏହି ମାମଲାରେ ଇନ୍ଦିରାଙ୍କ ଓକିଲ ଥିବା ଏନ୍. ପାଲଖିୱାଲା ଜରୁରୀ ପରିସ୍ଥିତି ଘୋଷଣାର ପ୍ରତିବାଦ କରି ମାମଲାରୁ ଓହରି ଯାଇଥିଲେ। ତାଙ୍କ ବିରୋଧରେ ଏହି ମାମଲା ଲଢ଼ୁଥିଲେ ଶାନ୍ତି ଭୂଷଣ ଯିଏ ପରେ ଦେଶର ଆଇନ୍ ମନ୍ତ୍ରୀ ହୋଇଥିଲେ। ଏକଦା ଅପରାେଜୟ ମନେ ହେଉଥିବା ଇନ୍ଦିରା ଗାନ୍ଧୀଙ୍କ ଶାସନର ଅବସାନ ଘଟାଇବା ପାଇଁ କାରାକକ୍ଷରେ ଜରୁରୀ ପରିସ୍ଥିତି ବେଳେ ଜନ୍ମ ନେଇଥିଲା ଜନତା ପାର୍ଟି। ଜୟପ୍ରକାଶଙ୍କ ତତ୍ତ୍ୱାବଧାନରେ ଗଠିତ ଏହି ନୂତନ ଜାତୀୟ ରାଜନୈତିକ ଦଳ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମୋରାରଜି ଦେଶାଇ, ବିଜୁ ପଟ୍ଟନାୟକ, ଚରଣ ସିଂ, ମଧୁ ଦଣ୍ଡବତେ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଙ୍କ ଭଳି ଜାତୀୟ ସ୍ତରର ତୁଙ୍ଗ ନେତାମାନେ। ଶେଷରେ ୧୯୭୭ର ସାଧାରଣ ନିର୍ବାଚନରେ କଂଗ୍ରେସକୁ ପରାଜିତ କରି ଜନତା ପାର୍ଟି କେନ୍ଦ୍ରରେ ସରକାର ଗଢ଼ିଲା। ତେବେ ଅଂଶୀଦାର ଦଳଗୁଡ଼ିକର ନେତାମାନଙ୍କ ଭିତରେ ମନାନ୍ତର ଓ ମତାନ୍ତର ଯୋଗୁଁ ସ୍ୱାଧୀନ ଭାରତର ପ୍ରଥମ ଅଣକଂଗ୍ରେସ ସରକାର ୩ବର୍ଷ ଭିତରେ ଭୁଶୁଡ଼ି ପଡ଼ିଲା ଏବଂ ପରେ ପୁଣି ଇନ୍ଦିରା ଗାନ୍ଧୀ ୧୯୮୦ ନିର୍ବାଚନରେ ତାଙ୍କ ଦଳକୁ ଜିଣାଇ ଶେଷଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।
ଆଇନ ଅଦାଲତର ରାୟ କେତେ ପ୍ରଭାବଶାଳୀ ହୋଇପାରେ ଏବଂ ପରିଣାମକୁ ଖାତିର ନକରି ନିରପେକ୍ଷତା, ନିର୍ଭୀକତା ଓ ନିଷ୍ଠାର ସହିତ ଜଣେ ବିଚାରପତି କିଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇପାରନ୍ତି ତାହାର ପ୍ରତୀକ ହେଉଛନ୍ତି ଜଷ୍ଟିସ୍ ସିହ୍ନା। ପବିତ୍ର ସମ୍ବିଧାନର ସୁରକ୍ଷା ସହ ଆଇନର ଶାସନକୁ ବଜାୟ ରଖି ଗଣତନ୍ତ୍ରର ତିନୋଟିଯାକ ସ୍ତମ୍ଭ- କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ନିଜ ନିଜର ଲକ୍ଷ୍ମଣରେଖା ମଧ୍ୟରେ ଦାୟିତ୍ୱ ନିର୍ବାହ କରିବା ପାଇଁ ଏହି ରାୟର ନିଷ୍କର୍ଷ ୫୦ ବର୍ଷ ପରେ ବି ଡାକି ଡାକି କହୁଛି।
ପ୍ରହଲାଦ କୁମାର ସିଂହ
ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫






