ସାମ୍ପ୍ରତିକ ବିଶ୍ୱ ଓ ସନ୍ତ୍ରାସବାଦ
ଆତଙ୍କବାଦୀଙ୍କ ବର୍ବରକାଣ୍ଡର ମର୍ମବେଦନା ପୁଣି ଥରେ ଭାରତବାସୀ ଅନୁଭବ କରିଛନ୍ତି। କାଶ୍ମୀର ପହଲଗାମ୍ରେ ଘଟିଥିବା ଏହି ଦାରୁଣ ଘଟଣା ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧଭଳି ସ୍ଥିତି ଓ ଉତ୍ତେଜନା ସୃଷ୍ଟି କରିଛି। ଅବଶ୍ୟ ଆଶ୍ୱାସନାର ବିଷୟ ଯେ ଏହା ଭୀଷଣ ଯୁଦ୍ଧର ରୂପ ନେବା ପୂର୍ବରୁ ଆପୋସ ଆଲୋଚନା ମାଧ୍ୟମରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। କିନ୍ତୁ ଏହାପଛରେ ଯେଉଁ ମୂଳ କାରଣ ରହିଛି ତାହାର ଅନ୍ତ ନ ହେବା ପର୍ଯ୍ୟନ୍ତ ଏଭଳି ଯୁଦ୍ଧଭଳି ପରିସ୍ଥିତି […]
ଆତଙ୍କବାଦୀଙ୍କ ବର୍ବରକାଣ୍ଡର ମର୍ମବେଦନା ପୁଣି ଥରେ ଭାରତବାସୀ ଅନୁଭବ କରିଛନ୍ତି। କାଶ୍ମୀର ପହଲଗାମ୍ରେ ଘଟିଥିବା ଏହି ଦାରୁଣ ଘଟଣା ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧଭଳି ସ୍ଥିତି ଓ ଉତ୍ତେଜନା ସୃଷ୍ଟି କରିଛି। ଅବଶ୍ୟ ଆଶ୍ୱାସନାର ବିଷୟ ଯେ ଏହା ଭୀଷଣ ଯୁଦ୍ଧର ରୂପ ନେବା ପୂର୍ବରୁ ଆପୋସ ଆଲୋଚନା ମାଧ୍ୟମରେ ଅସ୍ତ୍ରବିରତି ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। କିନ୍ତୁ ଏହାପଛରେ ଯେଉଁ ମୂଳ କାରଣ ରହିଛି ତାହାର ଅନ୍ତ ନ ହେବା ପର୍ଯ୍ୟନ୍ତ ଏଭଳି ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି ହୋଇଚାଲିଥିବ ଏବଂ ନିରୀହ ଜନଜୀବନ ପ୍ରଭାବିତ ହେଉଥିବ। ଏହା କେବଳ ଭାରତର ସମସ୍ୟା ନୁହେଁ। ଆଜିକାଲି ବିଶ୍ୱର ଯେକୌଣସି ଅଞ୍ଚଳରେ କେଉଁଠି ନା କେଉଁଠି ଏଭଳି ଆତଙ୍କବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ଓ ଶୁଣିବାକୁ ମିଳୁଛି।
ବର୍ତ୍ତମାନ ବିଶ୍ୱବାସୀ ସନ୍ତ୍ରାସବାଦର କଠୋର କଷାଘାତରେ ସନ୍ତାପିତ। ତେଣୁ ସର୍ବତ୍ର ଭୟର ବାତାବରଣ ଆଚ୍ଛନ୍ନ କରି ରଖିଛି। ସେମାନଙ୍କ ଦଂଶନରୁ ନିରୀହ ନିଷ୍ପାପ ଶିଶୁ ଓ ମହିଳା ମଧ୍ୟ ବାଦ୍ ଯାଉନାହାନ୍ତି। ବିଡ଼ମ୍ବନା ଯେ କେତେକ ଦେଶ ସନ୍ତ୍ରାସବାଦୀମାନଙ୍କୁ ଅଭୟ ଦେଇ ନିଜ ରାଜ୍ୟରେ ପୋଷି ରଖିଛନ୍ତି। ତାହା ସେମାନଙ୍କ ପାଇଁ ବୁମେରାଂ ହେଲେ ମଧ୍ୟ ଚେତନା ଜାଗ୍ରତ ହେଉନାହିଁ। ଆହୁରି ଉଦ୍ବେଗଜନକ ବିଷୟ ହେଲା ଯୁବଗୋଷ୍ଠୀ ଏହି ସନ୍ତ୍ରାସବାଦ କାର୍ଯ୍ୟରେ ଯୋଗଦାନ କରିବାର ଦେଖାଯାଉଛି। ଶିକ୍ଷାଦୀକ୍ଷା ସତ୍ତ୍ବେ ଚାକିରି ନମିଳିବା ଯୋଗୁଁଁ ସେମାନେ ଭଗ୍ନ ମନୋରଥ ହୋଇ କିଛି ଅର୍ଥ ପ୍ରାପ୍ତି ଆଶାରେ ଏ କାର୍ଯ୍ୟରେ ଯୋଗଦାନ କରୁଛନ୍ତି।
ସମ୍ପ୍ରତି ପାଠପଢ଼଼ାଟି ଜୀବିକାର ସାଧନ ହୋଇ ଯାଇଥିବାରୁ ସମସ୍ତେ ଜୀବିକା ପାଇଁ ପାଠ ପଢ଼଼ୁଛନ୍ତି। ଜୀବନ ପାଇଁ ପଢ଼଼ିବାର ଅର୍ଥ ଜ୍ଞାନ ଆହରଣ କରିବା। ଏହାଦ୍ୱାରା ମଣିଷ ସ୍ୱାଧୀନତାକୁ ଅନୁଭବ କରିବା ପାଇଁ ସମର୍ଥ ହୁଏ। ଜୀବନର ପୂର୍ଣ୍ଣତାକୁ ପ୍ରାପ୍ତ ହୁଏ। ମନୁ ସ୍ମୃତିରେ କୁହାଯାଇଛି- ‘ଧର୍ମ ଏବ ହତୋ ହନ୍ତି, ଧର୍ମୋ ରକ୍ଷତି ରକ୍ଷିତଃ’। ଅର୍ଥାତ ଧର୍ମକୁ ହତ୍ୟା କଲେ, ଧର୍ମ ହତ୍ୟାକରେ। ଧର୍ମକୁ ରକ୍ଷା କଲେ ଧର୍ମ ରକ୍ଷା କରେ। ଯୁବପିଢ଼ି ପଥଭ୍ରଷ୍ଟ ହୋଇ ଅପଥ ବା ଅଧର୍ମରେ ପାଦ ଥାପୁଛନ୍ତି। ଭାଗବତରେ କୁହାଯାଇଛି- ‘ବେଦ ବିହିତ ଯେତେ କର୍ମ, ସେହି ସଂସାରେ ନିତ୍ୟ ଧର୍ମ / ‘ତା’ ବିନା ଅନ୍ୟ କର୍ମ ଯେତେ, ଅଧର୍ମ ବୋଲନ୍ତି ଜଗତେ’। ଯୁବପିଢ଼ି ଯେତେବେଳେ ଜୀବିକା ପାଇଁ ପାଠ ପଢ଼଼ୁଛନ୍ତି, ସେତେବେଳେ ଜ୍ଞାନହୀନ ଭାବରେ ବେଦବିହିତ କର୍ମକୁ ସ୍ମରଣ କରିପାରୁନାହାନ୍ତି। ତେଣୁ ସେମାନଙ୍କର ଚିନ୍ତାଚେତନା ନଷ୍ଟ ହୋଇଯାଉଛି। ନଷ୍ଟ ହେବା ବ୍ୟକ୍ତିର ଆଉ ଗତି କ’ଣ? ଲୋକ ଚରିତ୍ର ଭାବେ ଅଧୋମୁଖୀ। ଆଚରଣ ଆଉ ଉଚାରଣ ମଧ୍ୟରେ ପ୍ରବଳ ପାର୍ଥକ୍ୟ।
ଗତ ଏପ୍ରିଲ ମାସରେ କାଶ୍ମୀରର ପହଲଗାମ୍ ପାକିସ୍ତାନ ସେନାର ପ୍ରାୟୋଜିତ ଯେଉଁ ଆତଙ୍କବାଦୀ ଆକ୍ରମଣ ହେଲା, ତାହା ଅତ୍ୟନ୍ତ ନିନ୍ଦନୀୟ। ଶାନ୍ତିକାମୀ ଭାରତବାସୀଙ୍କୁ ବିଚଳିତ କରି ଭାରତବର୍ଷରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପଡ଼ୋଶୀ ପାକିସ୍ତାନ ବହୁବାର ଆତଙ୍କୀ ଆକ୍ରମଣ କରି ଆସିଛି। ପହଲଗାମ୍ରେ ନରରାକ୍ଷସ ଆତଙ୍କବାଦୀମାନେ ଯେଉଁଭଳି ସାଧାରଣ ଲୋକଙ୍କ ଉପରେ ଧର୍ମ ପଚାରି ଅତର୍କିତ ଗୁଳିଚାଳନା କରି ହତ୍ୟା କଲେ, ତାହା ଅତ୍ୟନ୍ତ ବର୍ବରୋଚିତ। ସ୍ତ୍ରୀ ଆଗରେ ସ୍ୱାମୀକୁ, ସନ୍ତାନ ଆଗରେ ବୃଦ୍ଧ ପିତାଙ୍କୁ, ମା’ ଆଗରେ ପୁଅକୁ ଆତଙ୍କବାଦୀମାନେ ଯେପରି ନୃଶଂସ ଭାବରେ ହତ୍ୟାକଲେ, ତାହା ଅତ୍ୟନ୍ତ ଦୁଃଖଦ। ବିଶ୍ୱ ସମୁଦାୟ ଏହି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରୁଛନ୍ତି। ଏହାର ପରିଣାମ ସ୍ୱରୂପ ଶାନ୍ତିପ୍ରିୟ ଭାରତ ବର୍ତ୍ତମାନ ସନ୍ତ୍ରାସବାଦୀମାନଙ୍କୁ ସମୂଳେ ନିପାତ ପାଇଁ ଅଗ୍ରସର ହୋଇ ଅନେକ ପଦକ୍ଷେପ ଗ୍ରହଣ କରୁଛି। ପ୍ରତିକ୍ରିୟା ପଦକ୍ଷେପ ସ୍ୱରୂପ ଭାରତରେ ଭିସା ନଥିବା ପାକିସ୍ତାନୀମାନଙ୍କୁ ୨୪/୪୮ ଘଣ୍ଟା ମଧ୍ୟରେ ବାହାର କରି ଦେଲା। ଅଟାରୀ, ୱାଘା ସୀମାରେ ଯେଉଁ କାରୁଣ୍ୟ ଦୃଶ୍ୟ ଦେଖିବାକୁ ମିଳିଳା ତାହା ମର୍ମବିଦାରକ। ଅଶିବର୍ଷର ବୃଦ୍ଧ, ପୁଅ, ଝିଅ, ନାତି, ନାତୁଣୀମାନଙ୍କୁ ଛାଡ଼ି ଅଶ୍ରୁଳ ନୟନରେ ଅଟାରୀ ସୀମାରେ ଠିଆ ହୋଇଛି। ଲୋତକରେ ତା’ର ବକ୍ଷ ତିନ୍ତି ଯାଉଛି। ଏ ବୟସରେ ଗଲେ ପାକିସ୍ତାନରେ କେଉଁଠି ରହିବ? କିଏ ତା’ର ଅଛି ସେଠାରେ? ସ୍ତ୍ରୀ, ସ୍ୱାମୀକୁ, ପୁତ୍ରପିତାକୁ ମାତା ତା’ର ପ୍ରିୟ ସନ୍ତାନମାନଙ୍କୁ ଛାଡ଼ି ଲୁହ ପୋଛିପୋଛି ବିଦାୟ ଦେଉଛି। ଭିସା ନ ଥିଲେ ଯିବାକୁ ବାଧ୍ୟ। ଏ ପରିସ୍ଥିତି ସୃଷ୍ଟି ମୂଳରେ ହିଁ ଆତଙ୍କବାଦ ଓ ପ୍ରଭୁ୍ତ୍ୱବାଦ। ଶାଶୂ ଘରକୁ ଝିଅଟିଏ ଯାଉଥିବା ସମୟରେ ଆତ୍ମୀୟ ସ୍ୱଜନ, ଗାଁ ଗଣ୍ଡା, ଘରଦ୍ୱାର, ସାଙ୍ଗସାଥି, ବିଲବଣ ମନେ ପଡ଼େ, ଠିକ୍ ସେହିପରି ବିଦାୟ ନେବା ଲୋକ ଏବଂ ବିଦାୟ ଦେବା ଲୋକ ସମସ୍ତେ କାନ୍ଦୁଛନ୍ତି।
ପରମାଣୁ ଶକ୍ତିର ଉଦ୍ଭାବନ ପରେ କିଛି ଦେଶର ଔଦ୍ଧତ୍ୟ ବଢ଼଼ିଯାଇଛି। ଅନ୍ୟ ଦେଶକୁ ପରମାଣୁ ଅସ୍ତ୍ରର ଧମକ ଦେଇ ଭୟଭୀତ କରିବାକୁ ଚେଷ୍ଟା କରୁଛି। ପାକିସ୍ତାନ ମଧ୍ୟ ଭାରତକୁ ପରମାଣୁ ଅସ୍ତ୍ରର ଧମକ ଦେଉଛି। କିନ୍ତୁ ଉଭୟ ଦେଶ ପରମାଣୁ ଶକ୍ତି ସମ୍ପନ୍ନ। ପରମାଣୁ ଅସ୍ତ୍ରର ଭୟାବହତା ସ୍ୱଚକ୍ଷୁରେ ଦେଖି ମଧ୍ୟ ମଣିଷର ଜ୍ଞାନ ଉଦୟ ହେଉନାହିଁ। ଏହି ଉଦ୍ଧତ ମଣିଷ ଏବେ ତା’ର ଲାଭକ୍ଷତି କଳନା କରୁ। ମାନବ ସମାଜର କଲ୍ୟାଣ କଳ୍ପେ ପରମାଣୁ ଶକ୍ତି ଉଦ୍ଭାବିତ ହୋଇଥିଲା। ବିଶ୍ୱର ବିକାଶ ପାଇଁ ଏହାର ସୃଷ୍ଟି। କିନ୍ତୁ ଏବେ ଏହା ବିଶ୍ୱର ବିନାଶ ପାଇଁ ବ୍ୟବହୃତ ହେଉଛି। ଏହାକୁ କେହି କେହି ଯୁଗର ପ୍ରଭାବ ତଥା କର୍ମଫଳ ବୋଲି କହନ୍ତି। ଈଶ୍ୱରଙ୍କ ଉପରେ ନିର୍ଭର ନ କରି ନିଜ କର୍ମର ବୈଧତା ଉପରେ ଜୋର ଦେବା ପାଇଁ ରୁଷିଜୈମିନୀ ମୀମାଂସା ଦର୍ଶନର ସୂତ୍ର ପ୍ରଣୟନ କରିଛନ୍ତି। ସେ କହନ୍ତି କର୍ମ, କର୍ମର ସଂସ୍କାର ଓ କର୍ମଫଳ ଗୋଟିଏ ସୂତ୍ରରେ ବନ୍ଧା। କର୍ମଫଳ କେହି ଦିଅନ୍ତି ନାହିଁ। ଏହି ତ୍ରିସୂତ୍ରୀ ଜରିଆରେ ଏହା ମିଳିଥାଏ।
ଏବେ ସମସ୍ତେ ନିଜକୁ ବଡ଼ ବୋଲି ପ୍ରମାଣିତ କରିବା ପାଇଁ ପ୍ରତିଯୋଗିତା ଚାଲିଛି। ଅସ୍ତ୍ର, ଶସ୍ତ୍ର, ଧନ ସବୁ ବଳରେ ନିଜକୁ ଅନ୍ୟ ଦେଶଠାରୁ ଶ୍ରେଷ୍ଠ ହେବାର ଦୁର୍ବାର ବାସନା ସମସ୍ତଙ୍କ ମନରେ ଘାରିଛି। ସମସ୍ତେ ସେହି ଦିଗକୁ ଧାବିତ। ଯୁଆଡ଼େ ବାସ୍ତବରେ ବିକାଶ ନାହିଁ, ବିନାଶ ହିଁ ପ୍ରଚ୍ଛନ୍ନ ଭାବରେ ରହିଛି। ଭାଗବତରେ କୁହାଯାଇଛି ‘ଅନଳ ଦେଖି ଆଁ ପତଙ୍ଗ ଧାମନ୍ତି ଯେହ୍ନେ ଭବବେଗ’। ଅନଳକୁ ଦେଖି ଖୁସିରେ ଯେପରି ପତଙ୍ଗମାନେ ଲମ୍ଫ ପ୍ରଦାନ କରନ୍ତି, କିନ୍ତୁ ସେଥିରେ ତାଙ୍କର ମୃତ୍ୟୁ ହିଁ ହୋଇଥାଏ। ଆଜି ସମସ୍ତେ ସେହି ନଷ୍ଟ ଆଡ଼କୁ ଗତିଶୀଳ। ଏଠାରେ ଏକ କ୍ଷୁଦ୍ର କାହାଣୀର ଅବତାରଣା କରିବାକୁ ଉଚିତ ମନେ କରୁଛି। କାହାଣୀଟି ହେଲା-
ପୂର୍ବକାଳରେ ଭାରତରେ ବିକ୍ରମାଦିତ୍ୟ ନାମକ ଜଣେ ସମ୍ରାଟ ଥିଲେ। ତାଙ୍କର ରାଜଧାନୀ ଥିଲା ଉଜ୍ଜୟିନୀ। ସେ ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କରୁଥିଲେ। ତାଙ୍କ ରାଜ୍ୟ ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା। ତାଙ୍କ ରାଜସଭାରେ ନଅଜଣ ବିଶିଷ୍ଟ ପଣ୍ଡିତ ଥିଲେ। ତାଙ୍କୁ ‘ନବରତ୍ନ’ ବୋଲି କୁହାଯାଉଥିଲା। କାଳିଦାସ ତନ୍ମଧ୍ୟରୁ ସର୍ବଶ୍ରେଷ୍ଠ ରତ୍ନ ଥିଲେ। ଏକଦା ଜଣେ ଦିଗ୍ବିଜୟୀ ପଣ୍ଡିତ ସେଠାରେ ପହଞ୍ଚି ପ୍ରଶ୍ନଟିଏ ପଚାରିଲେ। ପ୍ରଶ୍ନଟି ହେଲା- ‘ନଷ୍ଟସ୍ୟ କାନ୍ୟା ଗତିଃ’। ମହାରାଜ! ଯଦି ଆପଣଙ୍କ ପଣ୍ଡିତମାନେ ମୋ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇ ନପାରିବେ ତେବେ ଆପଣ ମୋତେ ବିଜୟୀ ଘୋଷଣା କରିବେ। ସେତେବେଳେ ମହାକବି କାଳିଦାସ କୌଣସି ଏକ ରାଜ୍ୟକୁ ଯାଇଥିଲେ। ମହାରାଜ ତାଙ୍କୁ କହିଲେ ଆମ ପଣ୍ଡିତ ଆସିଲେ ଆପଣଙ୍କ ପ୍ରଶ୍ନର ସମାଧାନ ହେବ। ପଣ୍ଡିତେ ସାତଦିନ ସମୟ ନେଲେ ଏବଂ ଅତିଥି ଭବନରେ ରହିଲେ। ସପ୍ତଦିନର ପ୍ରଭାତରେ କାଳିଦାସ ଉଜ୍ଜୟିନୀରେ ପହଞ୍ଚିଗଲେ। ସେତେବେଳେ ପଣ୍ଡିତେ ସ୍ନାନ କରିବାକୁ ନଦୀ ଘାଟକୁ ଯାଇଥିଲେ। କାଳିଦାସ ଜଣେ ସନ୍ନ୍ୟାସୀ ବେଶ ଧାରଣ କରି ଗୋଟିଏ ଛେଳି ଏବଂ ହାତରେ ଖଣ୍ଡାଧରି ସେହି ନଦୀଘାଟରେ ପହଞ୍ଚି ଛେଳିକୁ ମାରିବାର ଉପକ୍ରମ କଲେ। ପଣ୍ଡିତେ ସ୍ନାନ ସାରି ଆସି ପଚାରିଲେ, ‘ହେ ସାଧୁ ତୁମେ କ’ଣ ମାଂସ ଖାଅ’। କାଳିଦାସଙ୍କ ଉତ୍ତର ଥିଲା, ‘ଖାଲି ମାଂସ କ’ଣ? ମଦଟିକେ ନହେଲେ କ’ଣ ମଜା ଆସିବ?’ ପଣ୍ଡିତେ ପଚାରିଲେ ‘ମଦ୍ୟ ବି ଆପଣଙ୍କ ପ୍ରିୟ?’ ‘ଏ ସବୁ ପରେ ବାରାଙ୍ଗନା ଟିଏ ନହେଲେ କ’ଣ ମନଖୁସି ହେବ?’ କାଳିଦାସଙ୍କ ଏ ଉତ୍ତର ଶୁଣି ପଣ୍ଡିତେ ପୁଣି ପଚାରିଲେ, ‘ବେଶ୍ୟାଳୟ ଯିବା ପାଇଁ ଅର୍ଥର ଆବଶ୍ୟକ, ଆପଣ ଅର୍ଥ କୁଆଡୁ ଆଣନ୍ତି?’ କାଳିଦାସ ଉତ୍ତର ଦେଲେ, ‘ଜୁଆ କିମ୍ବା ଚୋରି କରି ଆଣେ?’ ପଣ୍ଡିତେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘ଆପଣ ସାଧୁ ହୋଇ ଚୋରି, ନାରୀ, ମଦ୍ୟ, ମାଂସାଦି ସେବନ କରନ୍ତି?’ କାଳିଦାସ ଉତ୍ତର ଦେଲେ, ‘ନଷ୍ଟସ୍ୟ କାନ୍ୟା ଗତିଃ’। ପଣ୍ଡିତେ ତାଙ୍କ ଉତ୍ତର ପାଇଗଲେ। ଆଜି ସମଗ୍ର ବଶ୍ୱବାସୀ ଉପାୟ ହୀନ ଭାବରେ ସେହିଭଳି ନଷ୍ଟ ଆଡ଼କୁ ଧାବିତ।
ଡ. ଅଭିମନ୍ୟୁ ବରାଳ
ପୁରୀ, ମୋ: ୯୯୩୭୮୩୫୨୩୦






