ଜୈବିକ ଚାଷରେ ଜୀବଜଗତର କଲ୍ୟାଣ

The Sakala Picture
Published On

ବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଆରମ୍ଭ ହୋଇଥିବା ‘ସବୁଜ ବିପ୍ଳବ’ କୃଷି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହାର ଲକ୍ଷ୍ୟ ଥିଲା ବିଶ୍ୱକୁ ଖାଦ୍ୟ ଅଭାବରୁ ଦୂର କରିବା। କୃଷି ଉତ୍ପାଦନରେ ବ୍ୟାପକ ବୃଦ୍ଧି ଆଣିବା ପାଇଁ ଅଧିକ ଅମଳକ୍ଷମ ବିହନ ସହ ବହୁଳ ପରିମାଣରେ ରାସାୟନିକ ସାର ଓ କୀଟନାଶକର ପ୍ରଚଳନ ହେଲା। ଆମେରିକାର ବୈଜ୍ଞାନିକ ନର୍ମାନ ବୋରଲାଗଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ପ୍ରାରମ୍ଭରେ ବିକାଶଶୀଳ ଦେଶଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା। ଭାରତରେ ଖାଦ୍ୟ […]

ବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଆରମ୍ଭ ହୋଇଥିବା ‘ସବୁଜ ବିପ୍ଳବ’ କୃଷି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହାର ଲକ୍ଷ୍ୟ ଥିଲା ବିଶ୍ୱକୁ ଖାଦ୍ୟ ଅଭାବରୁ ଦୂର କରିବା। କୃଷି ଉତ୍ପାଦନରେ ବ୍ୟାପକ ବୃଦ୍ଧି ଆଣିବା ପାଇଁ ଅଧିକ ଅମଳକ୍ଷମ ବିହନ ସହ ବହୁଳ ପରିମାଣରେ ରାସାୟନିକ ସାର ଓ କୀଟନାଶକର ପ୍ରଚଳନ ହେଲା। ଆମେରିକାର ବୈଜ୍ଞାନିକ ନର୍ମାନ ବୋରଲାଗଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ପ୍ରାରମ୍ଭରେ ବିକାଶଶୀଳ ଦେଶଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା।

ଭାରତରେ ଖାଦ୍ୟ ନିରାପତ୍ତା ଏବଂ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ ଲକ୍ଷ୍ୟରେ ୧୯୬୦ ଦଶକରେ ଆରମ୍ଭ ହୋଇଥିବା ସବୁଜ ବିପ୍ଳବର ପ୍ରଭାବ ପ୍ରଶଂସନୀୟ ଥିଲା। ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଗହମ ଓ ଚାଉଳ ଭଳି ମୁଖ୍ୟ ଫସଲର ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଲା। ଭାରତ ଖାଦ୍ୟ ଅଭାବୀ ସଙ୍କଟରୁ ମୁକୁଳି ଏକ ଶସ୍ୟ ବଳକା ଦେଶରେ ରୂପାନ୍ତରିତ ହେଲା। କିନ୍ତୁ ଅଧିକରୁ ଅଧିକ ଉତ୍ପାଦନ ଆଶାରେ ଅଧିକ ଅମଳକ୍ଷମ ବିହନ, ରାସାୟନିକ ସାର ଓ କୀଟନାଶକର ବ୍ୟବହାରରେ ବ୍ୟାପକ ବୃଦ୍ଧି ଘଟିଲା। ଫଳରେ ମାଟିର ସ୍ୱାସ୍ଥ୍ୟ ଓ ପରିବେଶର ପ୍ରଭୂତ କ୍ଷତି ଘଟିଲା। ପରିସ୍ଥିତିର ମୁକାବିଲା ପାଇଁ ଚାଷୀମାନେ ଆହୁରି ଅଧିକ ରାସାୟନିକ ପଦାର୍ଥ ପ୍ରୟୋଗ କରିବାକୁ ବାଧ୍ୟ ହେଲେ। ଏହାର ପ୍ରଭାବରେ ମାଟିର ଗୁଣବତ୍ତାରେ ଅବନତି ଦ୍ୱାରା ଜଳସମ୍ପଦ ଓ ଫସଲ ବିବିଧତା ହ୍ରାସ ଭଳି ସମସ୍ୟା ସୃଷ୍ଟି ହେଲା, ଯାହା ସମୟକ୍ରମେ ଉତ୍ପାଦର ସାମଗ୍ରିକ ମୂଲ୍ୟକୁ ପ୍ରଭାବିତ କଲା। ଏହିପରି ଭାବେ ଦିନକୁ ଦିନ ପାରମ୍ପରିକ ବିହନର ବ୍ୟବହାରରେ ହ୍ରାସ, ମୃତ୍ତିକାର ପ୍ରାକୃତିକ ପୋଷକ ତତ୍ତ୍ୱ ଓ ଖଣିଜ କଣିକାଗୁଡ଼ିକର ଅଭାବ ଦ୍ୱାରା ଉତ୍ପାଦିତ ଫସଲଗୁଡ଼ିକରେ କ୍ଷତିକାରକ ରାସାୟନିକ ପଦାର୍ଥର ପରିମାଣ ବୃଦ୍ଧି ହେଲା।

କୃଷି କ୍ଷେତ୍ରରେ ରାସାୟନିକ ସାର ଓ କୀଟନାଶକର ଅତ୍ୟଧିକ ବ୍ୟବହାର କେବଳ ମୃତ୍ତିକା ନୁହେଁ, ମାନବ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି। ରାସାୟନିକ ପଦାର୍ଥଗୁଡ଼ିକର ଅବଶିଷ୍ଟାଂଶ ମଧ୍ୟ ଫସଲ ଜରିଆରେ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରିବା ଦ୍ୱାରା ସ୍ନାୟୁଗତ ବିକାର, ଶ୍ୱାସକ୍ରିୟା ସମସ୍ୟା, ହରମୋନର ଅସନ୍ତୁଳନ ପରି ବିଭିନ୍ନ ରୋଗ ଶରୀରକୁ ଆକ୍ରାନ୍ତ କରୁଛି। ଦୀର୍ଘସମୟ ପର୍ଯ୍ୟନ୍ତ କୃଷି ପ୍ରବାହରେ ଥିବା ରାସାୟନିକ ଓ କୀଟନାଶକ ପଦାର୍ଥର ସଂସ୍ପର୍ଶରେ ରହିବା ଦ୍ୱାରା ଚର୍ମ ରୋଗ ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହେଉଛି। ଜଳସେଚନ କିମ୍ୱା ବର୍ଷା ସମୟରେ ଅତିରିକ୍ତ ସାର ମାଟିରୁ ପ୍ରବାହିତ ହୋଇ ପୋଖରୀ, ନାଳ, ନଦୀ ଓ ଭୂତଳ ଜଳରେ ମିଶିଯାଏ ଯାହା ଜଳ ପ୍ରଦୂଷଣର ମୁଖ୍ୟ କାରଣ। କୀଟନାଶକଗୁଡ଼ିକର ଅବଶିଷ୍ଟାଂଶ ଜୀବଜଗତକୁ କ୍ଷତି ପହଞ୍ଚାଏ ଏବଂ ଜୈବ ବିବିଧତାକୁ ନଷ୍ଟ କରେ। ଏହି ରାସାୟନିକ ପଦାର୍ଥଗୁଡ଼ିକ ଉପରେ ଅତ୍ୟଧିକ ନିର୍ଭରଶୀଳତା ବ୍ୟାପକ ଭାବରେ ପ୍ରାକୃତିକ ସମତୁଲତାକୁ ପ୍ରଭାବିତ କରେ।

ଏ ସବୁର ନିରାକରଣ ପାଇଁ ଜୈବିକ ଓ ପ୍ରାକୃତିକ କୃଷି ଭଳି ସୁରକ୍ଷିତ ତଥା ଚିରସ୍ଥାୟୀ କୃଷି ପଦ୍ଧତିକୁ ପ୍ରତ୍ୟାବର୍ତ୍ତନ କରିବା ଆବଶ୍ୟକ। ଆଧୁନିକ କୃଷିରୁ ଜୈବିକ କୃଷି ଆଡ଼କୁ ପ୍ରତ୍ୟାବର୍ତ୍ତନ କରିବା ହେଉଛି ରାସାୟନିକ ସାର ଓ କୀଟନାଶକ ଉପରେ ନିର୍ଭରଶୀଳତାକୁ ହ୍ରାସ କରି ସ୍ଥାୟୀ ଏବଂ ପରିବେଶ ଅନୁକୂଳ କୃଷି ପଦ୍ଧତିକୁ ଗ୍ରହଣ କରିବା। ଏହା ମାଟିର ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବ ଏବଂ ପରିବେଶ ପ୍ରଦୂଷଣକୁ ହ୍ରାସ କରିବ। ଏଥିସହିତ ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶକୁ ସୁଦୃଢ ଏବଂ ଚାଷକୁ ଅଧିକ ସୁଲଭ ଓ ଉତ୍ପାଦନକ୍ଷମ କରିପାରିବ। ଜୈବିକ କୃଷିର ପ୍ରମୁଖ ଉପାଦାନଗୁଡ଼ିକ ମଧ୍ୟରେ ଜିଆ ଖତ, ଗୋବର ଖତ, ଜୈବିକ ସାର, ମଲ୍‌‌ଚିଂ(ଆଚ୍ଛାଦ ଚାଷ), ମିଶ୍ରିତ ଫସଲ ଓ ଜୈବିକ କୀଟ ପରିଚାଳନା ଆଦି ଅନ୍ତର୍ଭୁକ୍ତ, ଯାହା ସବୁପ୍ରକାରର ଚାଷ ପାଇଁ ଏକ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ପଦ୍ଧତି ଅଟେ।

ଜୈବିକ କୃଷି ଚାରୋଟି ମୌଳିକ ନୀତି ଦ୍ୱାରା ପରିଚାଳିତ। ଏହା ମାଟି, ଉଦ୍ଭିଦ, ପ୍ରାଣୀଜଗତ ଓ ସମଗ୍ର ପୃଥିବୀର ସୁସ୍ଥତାର ଉନ୍ନତ୍ତି ଏବଂ ଏହାର ସଂରକ୍ଷଣ ଉପରେ ପର୍ଯ୍ୟବସିତ। ଏହା ଉଭୟ ପ୍ରାଣୀ ଓ ଉଦ୍ଭିଦ ଜଗତ ମଧ୍ୟରେ ସୁସମ୍ପର୍କ ଗଠନ କରିବା ସହ ପରିବେଶ ଏବଂ ଉନ୍ନତ ଜୀବନକୁ ସୁନିଶ୍ଚିତ କରେ। ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ଓ ପରିବେଶର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଦାୟିତ୍ୱପୂର୍ଣ୍ଣ ଓ ସତର୍କତା ମୂଳକ ଜୈବିକ କୃଷି ପରିଚାଳନା ଯଥେଷ୍ଟ ଗୁରୁତ୍ୱ ବହନ କରେ।

ଜୈବିକ କୃଷିର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ବ୍ୟବସ୍ଥା ସହିତ ସମନ୍ୱୟ ରକ୍ଷା କରିବା ଏବଂ ଉଚ୍ଚ ପୋଷାକଯୁକ୍ତ ଖାଦ୍ୟ ଉତ୍ପାଦନ କରିବା। ଏହା ମାଟିର ଉର୍ବରତାକୁ ବୃଦ୍ଧି ଓ ସଂରକ୍ଷଣ କରେ, ଯେତେ ସମ୍ଭବ ନବୀକରଣୀୟ ସମ୍ୱଳର ବ୍ୟବହାରକୁ ପ୍ରାଥମିକତା ଦିଏ। ଜୈବିକ କୃଷି ମାନବ ସଭ୍ୟତା ଓ ପୃଥିବୀ ପାଇଁ ଏକ ବରଦାନ ସଦୃଶ। ବର୍ତ୍ତମାନର ସୁରକ୍ଷିତ ଓ ପୁଷ୍ଟିକର ଖାଦ୍ୟର ବର୍ଦ୍ଧିତ ଚାହିଦା ପୂରଣ କରିବା ସହ ରପ୍ତାନି ବଜାରରେ ଏହାର ଚାହିଦା ବଢ଼଼ାଇ ଚାଷରୁ ଅଧିକ ଆୟ ସୃଷ୍ଟି କରାଯାଇପାରିବ।

ସୁରେନ୍ଦ୍ର ମେହେର
ଭୁବନେଶ୍ୱର, ମୋ: ୯୪୩୭୫୮୯୦୨୬

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର