ସମ୍ଭାବ୍ୟ ଯୁଦ୍ଧ ପୂର୍ବ ଆତ୍ମସୁରକ୍ଷା ପ୍ରସ୍ତୁତି

The Sakala Picture
Published On

ପହଲଗାମ୍‌‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଇଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସହ ସମ୍ଭାବ୍ୟ ଯୁଦ୍ଧକୁ ନଜରରେ ରଖି ଭାରତର କେନ୍ଦ୍ର ସରକାର ନାଗରିକ ପ୍ରତିରକ୍ଷା ପ୍ରସ୍ତୁତିକୁ ମଜବୁତ କରିବା ନିମନ୍ତେ ବିଭିନ୍ନ ରାଜ୍ୟକୁ ମେ ୭ରେ ମକ୍‌‌ ଡ୍ରିଲ୍‌‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭ୍ୟାସ ଗ୍ରାମସ୍ତର ପର୍ଯ୍ୟନ୍ତ ହେବ ବୋଲି ଯୋଜନା କରାଯାଇଛି। ଏଥିରେ ଦେଶର ୨୪୪ଟି ବର୍ଗୀକୃତ ବେସାମରିକ ପ୍ରତିରକ୍ଷା ଜିଲ୍ଲାଗୁଡ଼ିକରେ ଅଭ୍ୟାସ ଆୟୋଜନ […]

ପହଲଗାମ୍‌‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ରୂପ ନେଇଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସହ ସମ୍ଭାବ୍ୟ ଯୁଦ୍ଧକୁ ନଜରରେ ରଖି ଭାରତର କେନ୍ଦ୍ର ସରକାର ନାଗରିକ ପ୍ରତିରକ୍ଷା ପ୍ରସ୍ତୁତିକୁ ମଜବୁତ କରିବା ନିମନ୍ତେ ବିଭିନ୍ନ ରାଜ୍ୟକୁ ମେ ୭ରେ ମକ୍‌‌ ଡ୍ରିଲ୍‌‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭ୍ୟାସ ଗ୍ରାମସ୍ତର ପର୍ଯ୍ୟନ୍ତ ହେବ ବୋଲି ଯୋଜନା କରାଯାଇଛି। ଏଥିରେ ଦେଶର ୨୪୪ଟି ବର୍ଗୀକୃତ ବେସାମରିକ ପ୍ରତିରକ୍ଷା ଜିଲ୍ଲାଗୁଡ଼ିକରେ ଅଭ୍ୟାସ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
‘ମକ୍‌‌ ଡ୍ରିଲ’ର ଅର୍ଥ ହେଉଛି ଜରୁରୀକାଳୀନ ପ୍ରତିକ୍ରିୟା ଓ ପ୍ରକ୍ରିୟାଗୁଡ଼ିକୁ ପରୀକ୍ଷା ଏବଂ ଅଭ୍ୟାସ କରିବା, ପ୍ରସ୍ତୁତିର ମୂଲ୍ୟାଙ୍କନ ଏବଂ ସଙ୍କଟକାଳୀନ ପରିସ୍ଥିତିରେ ପ୍ରଭାବଶାଳୀ ଭାବରେ ପ୍ରତିକ୍ରିୟା ଦେବା ନିମନ୍ତେ ବ୍ୟକ୍ତିମାନଙ୍କର ପ୍ରସ୍ତୁତିକୁ ବୃଦ୍ଧି କରିବା। ବିମାନ ଆକ୍ରମଣ ଚେତାବନୀ ପ୍ରଣାଳୀର ପ୍ରଭାବ ମୂଲ୍ୟାଙ୍କନ, ହଟଲାଇନ୍‌‌ କାର୍ଯ୍ୟକ୍ଷମ କରିବା, ଆଇଏଏଫ୍‌‌ ସହିତ ରେଡିଓ ଯୋଗାଯୋଗ ସଂଯୋଗ, ନିୟନ୍ତ୍ରଣ କକ୍ଷ ଏବଂ ଛାୟା କକ୍ଷର କାର୍ଯ୍ୟକାରିତା ପରୀକ୍ଷା କରିବା, ଶତ୍ରୁ ଆକ୍ରମଣ ଘଟଣାରେ ନିଜକୁ ରକ୍ଷା କରିବା ପାଇଁ ଛାତ୍ରମାନଙ୍କ ସମେତ ସାଧାରଣ ନାଗରିକଙ୍କୁ ପ୍ରତିରକ୍ଷା ଦିଗ ସମ୍ପର୍କରେ ତାଲିମ ଦେବା, ଯେକୌଣସି ଆକ୍ରମଣ ହେଲେ ନାଗରିକ ଏବଂ ପୁଲିସ ବାହିନୀ ଏକ ସ୍ଥାନାନ୍ତର ଯୋଜନା ପାଇଁ ତାଲିମ ନେବାର ବ୍ୟବସ୍ଥା ଏବଂ କ୍ରାସ୍‌‌ ବ୍ଲାକଆଉଟ୍‌‌ ପଦକ୍ଷେପ ପ୍ରଦାନ କରିବା ଏଥିରେ ଅନ୍ତର୍ଭୁକ୍ତ। ଏହାର ଲକ୍ଷ୍ୟ ହେଉଛି ଆତଙ୍କକୁ ହ୍ରାସ କରିବା, ଦ୍ୱନ୍ଦ୍ୱକୁ ଏଡ଼ାଇବା ଏବଂ ସଚେତନତା ଓ ପ୍ରସ୍ତୁତି ବୃଦ୍ଧି କରି ଜୀବନ ବଞ୍ଚାଇବା।

୧୯୭୧ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏୟାର ରେଡ୍‌‌ ଚେତାବନୀ ସାଇରନ୍‌‌ ବାଜିବା ବ୍ୟବସ୍ଥିତ ହୋଇଛି। ଯେତେବେଳେ ହମାସ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା ସେତେବେଳେ ଏହିପରି ସାଇରନ୍‌‌ ବାଜିବା ଜ୍ଞାତସାରକୁ ଆସିଥିଲା। ଉକ୍ତ ସାଇରନ୍‌‌ ମୂଳତଃ ସାଧାରଣ ନାଗରିକମାନଙ୍କୁ ବୋମା ମାଡ଼ ତଥା କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଏକ ନିରାପଦ ସ୍ଥାନରେ ଆଶ୍ରୟ ନେବା ନିମନ୍ତେ ଏକ ଚେତାବନୀ ଅଟେ। ଏତଦ୍‌‌ବ୍ୟତୀତ ଶତ୍ରୁପକ୍ଷର ବିମାନ ଆକ୍ରମଣରୁ ସୁରକ୍ଷା ପାଇଁ ଯୁଦ୍ଧ ସମୟରେ ସହରଗୁଡ଼ିକରେ ଲାଇଟ୍‌‌ ବନ୍ଦ କରିବାର ପ୍ରକ୍ରିୟାକୁ ‘ବ୍ଲାକଆଉଟ୍‌‌’ କୁହାଯାଏ। ଏହା ଜରୁରିକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ହେବା ନିମନ୍ତେ ସ୍ଥାନକୁ ଅନ୍ଧାର କରାଯିବା। ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳ, ଅନୁଷ୍ଠାନ ଅବା କୋଠାଗୁଡ଼ିକର ପ୍ରାରମ୍ଭିକ ଆବରଣ ପାଇଁ ବ୍ୟବସ୍ଥା କରାଯିବା ତଥା ଉକ୍ତ ପ୍ରତିଷ୍ଠାନଗୁଡ଼ିକରୁ ଦୃଶ୍ୟମାନ ଆଲୋକ ଏବଂ ଅନ୍ୟାନ୍ୟ ଚିହ୍ନଟଯୋଗ୍ୟ ସଙ୍କେତଗୁଡ଼ିକୁ ତୁରନ୍ତ ହ୍ରାସ କିମ୍ୱା ଦୂର କରିବା ପାଇଁ ଅଭ୍ୟାସ କରାଯାଏ। ସାଧାରଣତଃ, ରାତ୍ର ସମୟରେ ଶତ୍ରୁମାନଙ୍କ ଦ୍ୱାରା ବିମାନ ଆକ୍ରମଣରୁ ସୁରକ୍ଷା ଏହାର ଉଦ୍ଦେଶ୍ୟ। ନିକଟ ଅତୀତରେ, କ୍ୟାଣ୍ଟନମେଣ୍ଟ ବୋର୍ଡ ଏବଂ ଷ୍ଟେସନ କମାଣ୍ଡରଙ୍କ ତତ୍ତ୍ୱାବଧାନରେ ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ୩୦ ମିନିଟର ବ୍ଲାକଆଉଟ୍‌‌ ଅଭ୍ୟାସ କରାଯାଇଥିଲା। ନିର୍ଦ୍ଦେଶ ଅନୁଯାୟୀ ରାତି ୯ଟାରେ ସାଇରନ୍‌‌ ବାଜିବା ପରେ ଅଞ୍ଚଳର ସମସ୍ତ ଲାଇଟ୍‌‌ ବନ୍ଦ କରିଦିଆଯାଇଥିଲା। ଲାଇଟ୍‌‌ ଜଳୁଥିବା ଯାନଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ କୁହାଯାଇଥିଲା।

ସରକାରଙ୍କର ଏହି ମକ୍‌‌ଡ୍ରିଲ୍‌‌ର ଔପଚାରିକ ଘୋଷଣା ପରେ ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକମାନେ ସାମାନ୍ୟ ଭୟଭୀତ ହେବାର କିଛି ଭିଡିଓ ନଜରକୁ ଆସୁଛି। ବାସ୍ତବରେ ଏହା ଆତଙ୍କର ସଙ୍କେତ ନୁହେଁ। ସରକାର ଚାହାନ୍ତି ଯେ ଲୋକମାନେ ଏହାକୁ ଏକ ପ୍ରସ୍ତୁତି ଅଭ୍ୟାସ ଭାବରେ ଗ୍ରହଣ କରନ୍ତୁ। ଏହି ଡ୍ରିଲ୍‌‌ କର୍ତ୍ତୃପକ୍ଷ ଏବଂ ଜନସାଧାରଣ ଉଭୟଙ୍କୁ ସେମାନଙ୍କର ଭୂମିକାକୁ ଭଲ ଭାବରେ ବୁଝିବାକୁ ସୁଯୋଗ ପ୍ରଦାନ କରିଥାଏ। ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମର ଫଳାଫଳର ମୂଲ୍ୟାଙ୍କନ କରିବା ଏବଂ ଆବଶ୍ୟକ ହେଲେ ଏଥିରେ ଉନ୍ନତି ଆଣିବାର ଏହା ଏକ ପ୍ରକ୍ରିୟା।

ଉକ୍ତ ଡ୍ରିଲ୍‌‌ କିମ୍ୱା ବ୍ଲାକ୍‌‌ଆଉଟ୍‌‌ ସମୟରେ ସାଧାରଣ ନାଗରିକ ଶାନ୍ତ ରହିବା ସହ ସ୍ଥାନୀୟ ନିର୍ଦ୍ଦେଶାବଳୀ ପାଳନ କରିବା, ନିକଟରେ ପାଣି, ଔଷଧ ଓ ଟର୍ଚ୍ଚଲାଇଟ୍‌‌ ଭଳି ମୌଳିକ ଉପକରଣ ପ୍ରସ୍ତୁତ ରଖିବା ଉଚିତ। ସାମାଜିଜ ଗଣମାଧ୍ୟମରେ ଗୁଜବ କିମ୍ୱା ଅସମ୍ପୂର୍ଣ୍ଣ ଖବରକୁ ଗ୍ରହଣ ଏବଂ ବିତରଣ କରିବାରୁ ଦୂରେଇ ରହିବା ଜରୁରୀ। ଏଥିସହ ବିଦ୍ୟୁତ୍‌‌ କିମ୍ୱା ଇଣ୍ଟରନେଟ୍‌‌ କିଛିସମୟ ପାଇଁ ବନ୍ଦ ହୋଇଗଲେ ଭୟଭୀତ ନହେବା ଏବଂ ପରିସ୍ଥିତି ସମ୍ୱନ୍ଧରେ ଅଧିକ ସୂଚନା ପ୍ରାପ୍ତି ନିମନ୍ତେ ରେଡିଓ କିମ୍ୱା ସରକାରୀ ଚ୍ୟାନେଲଗୁଡ଼ିକ ଶୁଣିବା, ସ୍ଥାନୀୟ ପ୍ରଶାସନିକ ଅଧିକାରୀ କିମ୍ୱା ସେମାନଙ୍କ କାର୍ଯ୍ୟାଳୟ ଦ୍ୱାରା ଜନତାଙ୍କ ଉଦ୍ଦେଶ୍ୟରେ ହେଉଥିବା ଔପଚାରିକ ଘୋଷଣାକୁ ଗୁରୁତ୍ୱ ଦେବା ଏବଂ ସେଗୁଡ଼ିକୁ ସଠିକ ପାଳନ କରିବା, ସରକାରଙ୍କର ସମସ୍ତ ପଦକ୍ଷେପକୁ ନିଜର ସମର୍ଥନ ପ୍ରଦାନ କରିବା ସହ ତାଙ୍କର ପଦକ୍ଷେପ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା ଉଚିତ। ଏହାଦ୍ୱାରା ଶତ୍ରୁ ଆକ୍ରମଣରେ ଦେଶ କୌଣସି ଜଣେ ମଧ୍ୟ ନାଗରିକଙ୍କର କ୍ଷତି ହେବ ନାହିଁ ଏବଂ ସମସ୍ତେ ସୁରକ୍ଷିତ ରହିବେ।

ରାକେଶ ପଣ୍ଡା
ବନ୍ଦାଳୋ(କଟକ)ମୋ: ୯୩୩୭୮୯୭୬୫୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର