ବନ ସଂରକ୍ଷଣର ସ୍ୱଦେଶୀ ଉପାୟ
ଜଙ୍ଗଲ ସୁରକ୍ଷା ପାଇଁ ପ୍ରାଚୀନ କାଳରେ ଲୋକମାନେ ‘ବନ ପଞ୍ଚାୟତ’ ଗଠନ କରିଥିଲେ। ଆଜି ଏହା ‘ଜଙ୍ଗଲ ସୁରକ୍ଷା ସମିତି’ ନାମରେ ପରିଚିତ। ଗାଁରେ କୃଷି ଓ ଜଙ୍ଗଲ ସୁରକ୍ଷା ପାଇଁ ‘ବନ ଚୌକିଦାର’ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଥିଲା। ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକମାନଙ୍କ ପାଇଁ ଜଙ୍ଗଲରୁ ଘାସ, କାଠ ଆଦି ବନଜାତ ନେବା ସକାଶେ ସ୍ୱତନ୍ତ୍ର ନିୟମ ଥିଲା। ବଣ, ପାହାଡ଼ ଘେରା ଆଦିବାସୀ ଗ୍ରାମଗୁଡ଼ିକରେ ଏହା ଆଜି ମଧ୍ୟ ଦେଖାଯାଉଛି। ଏବେ ବି ଆମଦେଶର […]
ଜଙ୍ଗଲ ସୁରକ୍ଷା ପାଇଁ ପ୍ରାଚୀନ କାଳରେ ଲୋକମାନେ ‘ବନ ପଞ୍ଚାୟତ’ ଗଠନ କରିଥିଲେ। ଆଜି ଏହା ‘ଜଙ୍ଗଲ ସୁରକ୍ଷା ସମିତି’ ନାମରେ ପରିଚିତ। ଗାଁରେ କୃଷି ଓ ଜଙ୍ଗଲ ସୁରକ୍ଷା ପାଇଁ ‘ବନ ଚୌକିଦାର’ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଥିଲା। ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକମାନଙ୍କ ପାଇଁ ଜଙ୍ଗଲରୁ ଘାସ, କାଠ ଆଦି ବନଜାତ ନେବା ସକାଶେ ସ୍ୱତନ୍ତ୍ର ନିୟମ ଥିଲା। ବଣ, ପାହାଡ଼ ଘେରା ଆଦିବାସୀ ଗ୍ରାମଗୁଡ଼ିକରେ ଏହା ଆଜି ମଧ୍ୟ ଦେଖାଯାଉଛି। ଏବେ ବି ଆମଦେଶର ଅନେକ ସ୍ଥାନରେ, ବିଶେଷକରି ଜଙ୍ଗଲ ରାସ୍ତାକଡ଼ରେ, କାଠ ନିର୍ମିତ ତରାଜୁ ଦେଖିବାକୁ ପାଇବା। ନିକଟସ୍ଥ ଜଙ୍ଗଲରୁ ଲୋକମାନେ ଘାସ, କାଠ ଆଦି ବନଜାତ ସଂଗ୍ରହ କରି ଆଣିବା ସମୟରେ ବନ ପଞ୍ଚାୟତ ଦ୍ୱାରା ନିଯୁକ୍ତ ବନ ଚୌକିଦାର ତାହାକୁ ଓଜନ କରନ୍ତି। ସମସ୍ତେ ବନ ଚୌକିଦାରକୁ ଶସ୍ୟ ରୂପରେ ପାଉଣା ଦେଉଥିଲେ। ଜୁନ୍ରୁ ସେପ୍ଟେମ୍ୱର ପର୍ଯ୍ୟନ୍ତ ଜଙ୍ଗଲରେ ନୂତନ ଘାସ ଏବଂ ଉଦ୍ଭିଦ ଜନ୍ମୁଥିବାରୁ ଏହାର ସୁରକ୍ଷା ପାଇଁ ଲୋକମାନେ ଗୃହପାଳିତ ପଶୁଙ୍କୁ ଘରେ ରଖି ଖାଇବା ବ୍ୟବସ୍ଥା କରୁଥିଲେ।
ଏସବୁ କଥା ଆଜିକାଲି ବିଦ୍ୟାଳୟରେ ଆଉ ପଢ଼଼ାଯାଉ ନାହିଁ। ଫଳସ୍ୱରୂପ ପରବର୍ତ୍ତୀ ପିଢ଼ିଙ୍କ ଦ୍ୱାରା ଆମ ପରିବେଶ ସୁରକ୍ଷା ଦିଗଟି ଉପେକ୍ଷିତ ହୋଇ ଚାଲୁଛି। ସେହି ସମୟରେ ବିଜ୍ଞାନର କୌଣସି ସିଦ୍ଧାନ୍ତ ଉପଲବ୍ଧ ନଥିଲା। ନା ଥିଲା ବହି କିମ୍ୱା କୌଣସି ଉନ୍ନତ ଯାନ୍ତ୍ରିକ କୌଶଳର ସୁବିଧା। ତଥାପି ପ୍ରାଚୀନ କାଳରୁ ମନୁଷ୍ୟ ଚାଷର ମହତ୍ତ୍ୱ ବୁଝି ଜଙ୍ଗଲ ସଂରକ୍ଷଣ ଆରମ୍ଭ କରିଥିଲା।
ବ୍ରିଟିଶମାନଙ୍କ ଭାରତ ଆଗମନ ପୂର୍ବରୁ ଜୀବିକା ନିର୍ବାହ ପାଇଁ ଭାରତୀୟମାନେ ଜଙ୍ଗଲ ସଂରକ୍ଷଣ ପ୍ରତି ଗୁରୁତ୍ୱ ଦେଉଥିଲେ। ୧୮୫୦ ପର୍ଯ୍ୟନ୍ତ ଫ୍ରେଡେରିକ୍ ୱିଲସନ୍ ନାମକ ଜଣେ ବ୍ରିଟିଶ ଯୁବକ ଗାଙ୍ଗେୟ ଉପତ୍ୟକାର ଉଦଗମ ସ୍ଥଳରେ ଅବସ୍ଥିତ ହର୍ଷିଲରେ ତତ୍କାଳୀନ ଟିହେରୀ ରାଜା ସୁଦର୍ଶନ ଶାହାଙ୍କ ଠାରୁ ମାତ୍ର ୪୦୦ଟଙ୍କାରେ ଏକ କ୍ଷୁଦ୍ର ଜଙ୍ଗଲର ପଟ୍ଟା କରାଇ ନେଇଥିଲେ। ସେହି ଜଙ୍ଗଲକୁ ସେ ଆଖିବୁଜି ନଷ୍ଟ କରି ଚାଲିଲେ। ଗାଙ୍ଗେୟ ଉପତ୍ୟକାର ବିଭିନ୍ନ ପ୍ରଜାତିର ମୂଲ୍ୟବାନ ବୃକ୍ଷ କାଟି ନଦୀ ପ୍ରବାହରେ ତାହାକୁ ହରିଦ୍ୱାରକୁ ଏବଂ ସେଠାରୁ ରେଳ ଲାଇନ ସ୍ଥାପନ ପାଇଁ କୋଲକାତାକୁ ପରିବହନ କରାଯାଇଥିଲା। ଏହାର ପ୍ରଚ୍ଛଦପଟରେ ୱିଲସନ ଅନେକ ବନ୍ୟଜନ୍ତୁଙ୍କୁ ମଧ୍ୟ ଶିକାର କରିଥିଲେ।
୧୮୨୩ରେ ଗାଁ’ର ସୀମା ନିର୍ଦ୍ଧାରଣ ହୋଇଥିଲା। ଏଥିସହ ଜଙ୍ଗଲ ଜମି ଉପରେ ଲୋକଙ୍କ ଅଧିକାରକୁ ସୀମିତ ରଖିବା ପାଇଁ ଉଦ୍ୟମ ଆରମ୍ଭ ହେଲା। ୧୮୬୫ରେ ବ୍ରିଟିଶମାନେ ପ୍ରଥମ ଜଙ୍ଗଲ ଅଧିନିୟମ ପ୍ରଣୟନ କରିଥିଲେ। ୧୮୭୭ରେ ଜଙ୍ଗଲର ସୀମା ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟାରେ ଚାଷ ଜମିକୁ ଛାଡ଼ି ବଳକା ସମସ୍ତ ଜମି ସଂରକ୍ଷିତ ଜଙ୍ଗଲ ଜମିରେ ପରିବର୍ତ୍ତିତ ହେଲା। ବ୍ରିଟିଶରମାନଙ୍କର ଏହି ନିୟମ ହେତୁ ଜଙ୍ଗଲ ଜମିରେ ଲୋକଙ୍କ ଅନଧିକାର ପ୍ରବେଶ ତଥା ଆତଯାତକୁ ଦଣ୍ଡନୀୟ ଅପରାଧ ରୂପେ ବିଚାର କରାଗଲା। ଏଥିପାଇଁ ନୀତି ପ୍ରଣୟନ ହୋଇଥିଲା। ଏହାକୁ ଜନବିରୋଧୀ ଦର୍ଶାଇ ଲୋକମାନେ ଇଂରେଜ୍ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆଇନକୁ ବିରୋଧ କରି ଲୋକମାନେ ଜଙ୍ଗଲରେ ନିଅାଁ ଲଗାଇଦେଲେ। ଏହି ଘଟଣା ୧୯୧୫ରୁ ୧୯୨୧ ମଧ୍ୟରେ ଘଟିଥିଲା। ଦିନକୁ ଦିନ ଲୋକଙ୍କ ଆକ୍ରୋଶ ବୃଦ୍ଧି ପାଇବା ସହିତ ସରକାର ବିରୋଧୀ ଆନ୍ଦୋଳନ ତୀବ୍ରତର ହେଲା। ଫଳରେ ବ୍ରିଟିଶ ସରକାର ଏକ ’ଅଭିଯୋଗ କମିଟି’ ଗଠନ କରି ସଂରକ୍ଷିତ ଜଙ୍ଗଲକୁ ‘ପ୍ରଥମ’ ଏବଂ ‘ଦ୍ୱିତୀୟ’ ଶ୍ରେଣୀ ଭାବରେ ବର୍ଗୀକରଣ କରିଥିଲେ। ଏଥିରେ ଲୋକମାନେ ନିଜ ଅଧିକାର ଫେରି ପାଇବାର ବ୍ୟବସ୍ଥା ରହିଲା।
୧୯୨୫ରେ ‘ଅଭିଯୋଗ କମିଟି’ର ସୁପାରିସ ଆଧାରରେ ମାଡ୍ରାସ ପ୍ରେସିଡେନ୍ସିର ‘ଗୋଷ୍ଠୀ ଜଙ୍ଗଲ’ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ତରାଖଣ୍ଡରେ ‘ବନ ପଞ୍ଚାୟତ’ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୧୯୩୧ରେ ବନ ପଞ୍ଚାୟତର ନିୟମାବଳୀ ପ୍ରସ୍ତୁତି ସହିତ ୧୯୩୨ରେ ଏହାର ଗଠନ ପ୍ରକ୍ରିୟା ଆରମ୍ଭ ହେଲା। ସେହି ସମୟରେ ଉତ୍ତରାଖଣ୍ଡର ରାଜସ୍ୱ ଗ୍ରାମ ସଂଖ୍ୟା ଥିଲା ୧୩, ୭୩୯। ଏହା ଅଧୀନରେ ପ୍ରଥମ ଓ ଦ୍ୱିତୀୟ ବର୍ଗର ସଂରକ୍ଷିତ ଜଙ୍ଗଲ ସହିତ ବନ ପଞ୍ଚାୟତ ଏବଂ ସାଧାରଣ ନାଗରିକଙ୍କ ସହଯୋଗରେ ନୂତନ ଜଙ୍ଗଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୭୬ରେ ଭାରତୀୟ ଜଙ୍ଗଲ ଅଧିନିୟମ ୧୯୨୭ର ଧାରା ୨୮ ଅନ୍ତର୍ଗତ ବନ ପଞ୍ଚାୟତ ନିୟମରେ ସଂଶୋଧନ କରାଯାଇ ରାଜସ୍ୱ ବିଭାଗକୁ କ୍ଷମତା ପ୍ରଦାନ କରାଗଲା। ଅରଣ୍ୟ ଉପରେ ନିର୍ଭରଶୀଳ ଲୋକେ ଏହି ସଂଶୋଧନକୁ ତୀବ୍ର ବିରୋଧ କରିଥିଲେ। ଏଥିଯୋଗୁଁଁ ତତ୍କାଳୀନ ଉତ୍ତରପ୍ରଦେଶ ସରକାର ୧୯୮୨ରେ ୧୯ ସଦସ୍ୟ ବିଶିଷ୍ଟ ‘ସୁଲତାନ ସିଂ ଭଣ୍ଡାରୀ କମିଟି’ ଗଠନ କରିଥିଲେ। କିନ୍ତୁ ଏହି କମିଟି ଦ୍ୱାରା ପ୍ରସ୍ତାବିତ ସଂଶୋଧନଗୁଡ଼ିକ ସ୍ୱୀକୃତି ପାଇ ନଥିଲା।
୧୯୯୭ ବେଳକୁ ସାରାଦୁନିଆରେ ଘରୋଇକରଣ, ଉଦାରୀକରଣ ଏବଂ ଜଗତୀକରଣର ଯୁଗ ଆରମ୍ଭ ହୋଇସାରିଥିଲା। ଏହି ସମୟରେ ବିଶ୍ୱବ୍ୟାଙ୍କ୍ ସହାୟତାରେ ‘ମିଳିତ ଜଙ୍ଗଲ ପରିଚାଳନା’ ଯୋଜନା କାର୍ଯ୍ୟକାରୀ ହେଲା। ଏଥିପାଇଁ ବନ ପଞ୍ଚାୟତ ନିୟମାବଳୀକୁ ସଂଶୋଧନ କରାଗଲା। ଏହା ଆଧାରରେ ବନ ପଞ୍ଚାୟତଗୁଡ଼ିକର ସ୍ୱାୟତ୍ତତା ରଦ୍ଦ ହୋଇଥିଲା। ସରକାରଙ୍କ ବନ ବିଭାଗର ତତ୍ତ୍ୱାବଧାନରେ ଏହା କାର୍ଯ୍ୟ କଲା, ଯାହା ଅନେକଙ୍କ ଅଧିକାରକୁ ପ୍ରଭାବିତ କରିଥିଲା। ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଅନୁସୂଚିତ ଜାତି ସହିତ ବଣ ମୂଲକରେ ବସବାସ କରୁଥିବା ସାଧାରଣ ଲୋକ ଏବଂ କାରିଗର ଶ୍ରେଣୀର ଲୋକ ନିଜ କାମଧନ୍ଦା ହରାଇଲେ। ଜୀବିକା ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଲା। ବର୍ତ୍ତମାନ କେବଳ ଉତ୍ତରାଖଣ୍ଡରେ ୧୨ ହଜାରରୁ ଊର୍ଦ୍ଧ୍ବ ବନ ପଞ୍ଚାୟତ ରହିଛି। ସରକାରୀ ନିୟମାବଳୀ ଅନୁଯାୟୀ ଏଗୁଡ଼ିକ ପରିଚାଳିତ। କିନ୍ତୁ ସେମାନେ ନିଜ ଅଞ୍ଚଳର ବନାଗ୍ନି ନିୟନ୍ତ୍ରଣରେ ସକ୍ଷମ ନୁହନ୍ତି। ପୂର୍ବପୁରୁଷ ଅମଳରୁ ରହିଆସିଥିବା ଜଙ୍ଗଲ ଓ କୃଷି ସଂରକ୍ଷଣର ପାରମ୍ପରିକ ନିୟମ ଉଚ୍ଛେଦ ଏହାର ପ୍ରମୁଖ କାରଣ। ଜଙ୍ଗଲ ସୁରକ୍ଷା ପାଇଁ ରହିଥିବା ପାରମ୍ପରିକ ବ୍ୟବସ୍ଥା ଉପେକ୍ଷିତ ହେତୁ ଫସଲକୁ ହାତୀ, ମାଙ୍କଡ଼ ଓ ବାରହା ପରି ବନ୍ୟଜନ୍ତୁଙ୍କ କବଳରୁ ସୁରକ୍ଷା ଦେବାରେ ମଧ୍ୟ ଲୋକେ ଆଜି ଅସମର୍ଥ।
ବୀରେନ୍ କୁମାର ଧଳ
ବୈପାରୀଗୁଡ଼ା(କୋରାପୁଟ),
ମୋ: ୯୪୩୮୧୦୪୮୫୭






