‘ବେରବୋଇ’ର ରାଜନୈତିକ ସନ୍ଦେଶ

The Sakala Picture
Published On

‘ଭବିଷ୍ୟତ ବଂଶଧରମାନେ ହୁଏତ ବିଶ୍ୱାସ କରିବେ ନାହିଁ ଯେ ଏପରି ଜଣେ ଲୋକ ରକ୍ତ, ମାଂସର ଦେହ ଧରି ପୃଥିବୀରେ ବିଚରଣ କରୁଥିଲେ’- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ୧୯୩୯ରେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‌‌ଷ୍ଟାଇନ୍‌‌ଙ୍କର ଏହି ବକ୍ତବ୍ୟ ସଦା ପ୍ରାସଙ୍ଗିକ। ଏବେ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ରାଜନୀତି କରୁଥିବା ନେତା ଓ ସଂଖ୍ୟାଧିକ ପଦାଧିକାରୀଙ୍କ ଥାଟବାଟକୁ ଦେଖିଲେ ବର୍ତ୍ତମାନର ପିଢ଼ି ହୁଏତ ବିଶ୍ୱାସ କରିବେ ନାହିଁ ଯେ ୬୯ ବର୍ଷ ବୟସ୍କ ଗାନ୍ଧିଜୀଙ୍କ ସମେତ […]

‘ଭବିଷ୍ୟତ ବଂଶଧରମାନେ ହୁଏତ ବିଶ୍ୱାସ କରିବେ ନାହିଁ ଯେ ଏପରି ଜଣେ ଲୋକ ରକ୍ତ, ମାଂସର ଦେହ ଧରି ପୃଥିବୀରେ ବିଚରଣ କରୁଥିଲେ’- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ୧୯୩୯ରେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‌‌ଷ୍ଟାଇନ୍‌‌ଙ୍କର ଏହି ବକ୍ତବ୍ୟ ସଦା ପ୍ରାସଙ୍ଗିକ। ଏବେ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ରାଜନୀତି କରୁଥିବା ନେତା ଓ ସଂଖ୍ୟାଧିକ ପଦାଧିକାରୀଙ୍କ ଥାଟବାଟକୁ ଦେଖିଲେ ବର୍ତ୍ତମାନର ପିଢ଼ି ହୁଏତ ବିଶ୍ୱାସ କରିବେ ନାହିଁ ଯେ ୬୯ ବର୍ଷ ବୟସ୍କ ଗାନ୍ଧିଜୀଙ୍କ ସମେତ ସ୍ୱାଧୀନତା ଆନ୍ଦୋଳନର ଅଗ୍ରଗଣ୍ୟ ନେତାମାନେ ପୁରୀ ଜିଲ୍ଲାର ଡେଲାଙ୍ଗ ନିକଟବର୍ତ୍ତୀ ବେରବୋଇ ଗାଁ ଗହିରରେ ପତ୍ରକୁଡ଼ିଆରେ ମାର୍ଚ୍ଚ ମାସର ମୁଣ୍ଡଫଟା ଖରା ଓ ପ୍ରଚଣ୍ଡ ଗୁଳୁଗୁଳିରେ ବିନା ବିଜୁଳିରେ ମାଟି ମା’ କୋଳରେ ସପ୍ତାହେ କାଟି ଦେଶ ଗଠନର ନକ୍ସା ଆଙ୍କୁଥିଲେ ବୋଲି। ‘ଛୋଟ ମୋର ଗାଁଟି/ଭୂଗୋଳ ପୋଥି ପତରେ ପଛେ ନଥାଉ ତା’ର ନାଅାଁଟି’- କାଳଜୟୀ କବି ସଚ୍ଚି ରାଉତରାୟଙ୍କ ମର୍ମସ୍ପର୍ଶୀ ଏହି କବିତାର ପଂକ୍ତି ବାସ୍ତବରେ ବେରବୋଇ ଗାଁ ପ୍ରତି ପ୍ରଯୁଜ୍ୟ। ଭୂଗୋଳ ବହିରେ ସିନା ବେରବୋଇ ଗାଁର ନାଁ ନାହିଁ, କିନ୍ତୁ ଇତିହାସ ପୃଷ୍ଠାରେ କାଳକାଳ ପାଇଁ ଏହି ଗାଁର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ।

୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ବେରବୋଇ ଗାଁରେ ଚାଲିଥିଲା ଗାନ୍ଧୀ ସେବାସଂଘର ସପ୍ତାହବ୍ୟାପୀ ଐତିହାସିକ ବୈଠକ। ଏଥିରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ ଜେ.ବି କୃପାଳିନୀ, ମୌଲାନା ଅବୁଲ କାଲାମ୍‌‌ ଆଜାଦ, ଡା. ପ୍ରଫୁଲ୍ଲ ଚନ୍ଦ୍ର ଘୋଷ, ଯମୁନାଲାଲ ବଜାଜ୍‌‌, ଗୋବିନ୍ଦ ବଲ୍ଲଭ ପନ୍ଥ, ଆନାସାହେବ ସହସ୍ରବୁଦ୍ଧେ , କିଶୋରଲାଲ ମସ୍ରୁୱାଲା, ହୃଦୟନାଥ କୁଞ୍ଜ୍‌‌ରୁ, ମହାଦେବ ଦେଶାଇ, ପ୍ୟାରେଲାଲ, ଆର୍‌‌.ଆର୍‌‌ ଦିବାକର, କ୍ଷିତୀଶ୍‌‌ ରାୟ ଚୌଧୁରୀ, କାକା କାଲେଲ୍‌‌କରଙ୍କ ସମେତ ଦେଶର ଅଧିକାଂଶ ଅଗ୍ରଗଣ୍ୟ ନେତା ଯୋଗ ଦେଇଥିଲେ। ଗାନ୍ଧିଜୀଙ୍କ ଜୀବନସାଥୀ କସ୍ତୂରବା, ପୁଅ ମଣିଲାଲ, ବୋହୂ ଶୁଶୀଳା, ନାତି ଅରୁଣ ବି ଏହି ସମାବେଶରେ ସାମିଲ ହୋଇଥିଲେ। ଏହି ଅବସରରେ ଲକ୍ଷାଧିକ ଲୋକ ସୁଯୋଗ ପାଇଥିଲେ ଗାନ୍ଧିଜୀ ଓ ତାଙ୍କ ସତୀର୍ଥମାନଙ୍କ ସାମୂହିକ ଦର୍ଶନର।

ସ୍ୱାଧୀନୋତ୍ତର ଭାରତବର୍ଷରେ ତ୍ୟାଗ ପରିବର୍ତ୍ତେ ଭୋଗ ଓ ସେବା ନ କରି ନେବା ସଂଖ୍ୟାଧିକ ରାଜନେତାଙ୍କ ଭୂଷଣ ହୋଇଛି। ଏମାନଙ୍କ ରହଣି, ସୁରକ୍ଷା ଓ ଯାତାୟତ ଲାଗି ସ୍ଥଳବିଶେଷରେ ବିମାନ, ହେଲିକପ୍ଟରଠାରୁ କାର୍‌‌କେଡ୍‌‌ରେ ଡଜନ୍‌‌ ଡଜନ୍‌‌ ଦାମୀ ଗାଡ଼ି ଦେଖିବାକୁ ମିଳେ। ଏହାଛଡ଼ା ଆଭିଜାତ୍ୟ ସୁରକ୍ଷା ଲାଗି ଶହଶହ ପୁଲିସ ନିୟୋଜିତ ହେବା ସଙ୍ଗେ ସଙ୍ଗେ ନେତାମାନଙ୍କ ରହଣି ଲାଗି ରାଜଭବନରୁ ସରକାରୀ ଅତିଥିଭବନ ଓ ତାରକା ହୋଟେଲମାନଙ୍କରେ ବ୍ୟବସ୍ଥା ହୁଏ। ବର୍ତ୍ତମାନର ନେତାମାନଙ୍କ ଭୋଜନ ଓ ଜଳପାନ ଲାଗି ବି ବହୁ କିସମର ନାମୀଦାମୀ ଖାଦ୍ୟ ପରସା ଯାଏ। କିନ୍ତୁ ମହାମାନବ ମହାତ୍ମା ଗାନ୍ଧୀ ଓ ତାଙ୍କ ଅନୁଗାମୀ ସେ ସମୟର ସଂଗ୍ରାମୀମାନଙ୍କ କଥା ନିଆରା। ୧୯୩୮ ମସିହା ବେଳକୁ ବେରବୋଇ ପାଇଁ ବିଜୁଳି ଆଲୁଅ ନ ଥିଲା। ମାର୍ଚ୍ଚ ମାସର ଗୁଳୁଗୁଳି ଓ ଖରାରେ ଏହି ଜାତୀୟ ନେତାମାନଙ୍କର ରହଣି ଲାଗି ବେରବୋଇ ଗାଁ ଗହିରରେ ବାଉଁଶ ଖୁଣ୍ଟି ପୋତି ତିଆରି କରାଯାଇଥିଲା ପ୍ରାୟ ୪୦୦ କୁଡ଼ିଆ। ସମ୍ମିଳନୀ ପାଇଁ ଲୋକେ ଗାଁ ଗହିରରେ ଥିବା ନିଜନିଜ ଜମିରୁ ହିଡ଼ ଉଠାଇ ସମତୁଲ କରିଦେଇଥିଲେ। ଅସ୍ଥାୟୀ ପାଇଖାନା ବ୍ୟବହାର କରିବା ସହିତ ଗାନ୍ଧୀ, କସ୍ତୂରବା, ପଟେଲ, ପ୍ରସାଦ, ଆଜାଦ୍‌‌ଙ୍କ ସମେତ ନେତାମାନେ ସ୍ନାନ କରୁଥିଲେ ବେରବୋଇ ଗାଁର ବ୍ରହ୍ମେଶ୍ୱର ପୁଷ୍କରିଣୀରେ। ସମ୍ମିଳନୀ ସ୍ଥଳର ୧୦ ମାଇଲ୍‌‌ ଅଞ୍ଚଳ ମଧ୍ୟରେ ଉତ୍ପାଦିତ ଖାଦ୍ୟଶସ୍ୟ, ନଡ଼ିଆ, ପଇଡ଼, ଦୁଗ୍ଧ, ଘିଅ, ପନିପରିବା ବ୍ୟବହାର କରି ପରସା ଯାଉଥିଲା ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ। ଭୂମି ଉପରେ ବସି କଦଳୀ ପତ୍ରରେ ଏହି ନେତାମାନେ କରୁଥିଲେ ପଂକ୍ତି ଭୋଜନ।

ଏହି ସମ୍ମିଳନୀର ମୁଖ୍ୟ ଉଦ୍ୟୋକ୍ତା ଥିଲେ ପଣ୍ଡିତ କୃପାସିନ୍ଧୁ ହୋତା, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ମା’ ରମାଦେବୀ ପ୍ରମୁଖ। ସେତେବେଳର ଓଡ଼ିଶାର ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ, ଅନ୍ୟତମ ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‌‌ଗୋଙ୍କ ସମେତ ଅଧିକାଂଶ ବିଧାୟକ ଓ ଟାଣୁଆ ନେତା ଏଠି ସ୍ୱେଚ୍ଛାସେବକ ଭାବେ ନିୟୋଜିତ ହୋଇଥିଲେ। ଲିଙ୍ଗରାଜ ମିଶ୍ର, ରାଧାନାଥ ରଥ, ବିନୋଦ କାନୁନ୍‌‌ଗୋ, ରାଜକୃଷ୍ଣ ବୋଷ, ହରେକୃଷ୍ଣ ମହତାବ, ମନମୋହନ ଚୌଧୁରୀ, ମଦନମୋହନ ସାହୁ, ଅନ୍ନପୂର୍ଣ୍ଣା ମହାରଣା, ସୁନାମଣି ଦେବୀ, କିରଣଲେଖା ମହାନ୍ତି, ଗୋଦାବରୀ ଦେବୀ, ସତ୍ୟବାଦୀ ନନ୍ଦ, ଗୁଣନିଧି ମହାନ୍ତି, ବିଶ୍ୱନାଥ ପଟ୍ଟନାୟକ, କଣ୍ଡୁରି ଚରଣ ନାୟକ, ବୈକୁଣ୍ଠନାଥ ମହାନ୍ତିଙ୍କ ଭଳି ଉତ୍କଳର କୃତି ସନ୍ତାନମାନେ ଏହି ସମ୍ମିଳନୀରେ ଶ୍ରମଦାନ କରିଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ତ୍ରିରଙ୍ଗା ଝଣ୍ଡା ଉଡ଼ାଇ ଏହି ସମ୍ମିଳନୀ ୧୯୩୮ ମାର୍ଚ୍ଚ ୨୫ରେ ଉଦ୍‌‌ଘାଟନ କରିବା ପରେ ଗାନ୍ଧିଜୀ ଏକ କୃଷି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ। ବେରବୋଇରେ ଉତ୍କଳବାସୀ ଯେଭଳି ଚମତ୍କାର କୃଷି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ କରିଛନ୍ତି ସେଥିରୁ ସେମାନେ ନିଜ ରାଜ୍ୟକୁ ସମୃଦ୍ଧ କରିବା ପାଇଁ ସମର୍ଥ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିବା ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

ଏଠି ୭ ଦିନ ଧରି ଘମାଘୋଟ ଚର୍ଚ୍ଚା ଚାଲିଥିଲା ଦେଶର ସ୍ୱାଧୀନତା ଆନ୍ଦୋଳନ, ଆର୍ଥିକ ବିକାଶ, ଦରିଦ୍ରତମ ଲୋକଙ୍କ ଉତ୍‌‌ଥାନ, ଅସ୍ପୃଶ୍ୟତା ନିବାରଣ, ନିଶା ନିବାରଣ, ସାମ୍ପ୍ରଦାୟିକ ସଦ୍‌‌ଭାବ, ନାରୀ ଜାଗରଣ, ଖଦିର ପ୍ରସାର, କୁଟୀର ଶିଳ୍ପର ବିକାଶ, ମୌଳିକ ଶିକ୍ଷା, ସବୁହାତକୁ କାମ, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, କୃଷି, ଗୋ-ପାଳନ, ଗ୍ରାମୋତ୍‌‌ଥାନ, ସ୍ୱଦେଶୀ, ସ୍ୱାବଲମ୍ବନ, ରଚନାତ୍ମକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ। ଏଇ ନିପଟ ମଫସଲ ଗାଁକୁ ସେତେବେଳେ ଦେଶବିଦେଶର ଅଗ୍ରଣୀ ସାମ୍ବାଦିକମାନଙ୍କ ସୁଅ ଛୁଟିଥିଲା ସମ୍ମିଳନୀର ବିବରଣୀ ସହିତ ଗାନ୍ଧିଜୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରମାନ ପ୍ରକାଶ କରିବାକୁ।

ବେରବୋଇ ଗାଁର ଯେଉଁ ସ୍ଥାନରେ ଗାନ୍ଧିଜୀଙ୍କ ପତ୍ର କୁଡ଼ିଆ ଥିଲା ସେଠି ଏବେ ରହିଛି ତାଙ୍କ ପ୍ରତିମୂର୍ତ୍ତି। ଏହିଠାରେ ପରେ ମୌଳିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା ଯାହା ପରବର୍ତ୍ତୀ ସମୟରେ ସରକାରୀ ହାଇସ୍କୁଲର ରୂପ ନେଇଛି। ଏଇଠି କୃପାସିନ୍ଧୁ ହୋତା ପ୍ରତିଷ୍ଠା କରିଥିଲେ ସେବାକୁଟୀର। ପରବର୍ତ୍ତୀ ସମୟରେ ୧୯୪୨ ଆନ୍ଦୋଳନ କାଳରେ ଏହାକୁ ସରକାରୀ କଳ ପୋଡ଼ି ଦେଇଥିଲା। ସେଠି ଏବେ ଚାଲିଛି କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟର ମାତୃମଙ୍ଗଳ କେନ୍ଦ୍ର ଓ ବାଲବାଡ଼ି। ଏହି ସମ୍ମିଳନୀ ସମୟରେ ଭୁଲ୍‌‌ ବୁଝାମଣାବଶତଃ କସ୍ତୂରବା କିଛି ସହକର୍ମୀଙ୍କ ସହିତ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହି ଘଟଣାରେ ମର୍ମାହତ ହୋଇ ସତ୍ୟାଗ୍ରହୀ ଗାନ୍ଧୀ ବେରବୋଇରେ ବି ମୌନ-ଉପବାସ କରିଥିଲେ। ଏହି ସମୟରେ ପାରଳା ମହାରାଜା ଗାନ୍ଧିଜୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ। ବେରବୋଇ ଗାଁରେ ଅନୁଷ୍ଠିତ ସମ୍ମଳିନୀରେ ବି ମୃତ୍ୟୁଦଣ୍ଡ ଉଚ୍ଛେଦ ପାଇଁ ଗାନ୍ଧିଜୀଙ୍କ ପରାମର୍ଶକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏବେ ଯେଉଁ ସ୍ୱଚ୍ଛ ଭାରତ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ତାହାର ନାରା ବି ଏଇଠି ନିଜେ ଗାନ୍ଧିଜୀ ଦେଇଥିଲେ। ‘ସ୍ୱଚ୍ଛତା ଯେଉଁଠି, ଈଶ୍ୱର ସେଇଠି’ ବୋଲି ଉଲ୍ଲେଖ କରି ନିଜ ଅନ୍ତରର ସ୍ୱଚ୍ଛତା ସହିତ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶକୁ ସ୍ୱଚ୍ଛ ରଖିବାକୁ ସେ ଆହ୍ୱାନ ଦେଇଥିଲେ। ଏମିତି ବହୁ ଘଟଣାର ମୂକସାକ୍ଷୀ ବେରବୋଇ ଗାଁ ଗହିର।

ସ୍ୱାଧୀନତା ପରେ ଆଚାର୍ଯ୍ୟ ହରିହର ଥରେ ବେରବୋଇରେ କହିଥିଲେ, ‘ଏ ମାଟିରେ ଗାନ୍ଧିଜୀଙ୍କ ଚିନ୍ତାଧାରାର ମଞ୍ଜି ବୁଣାଯାଇଛି। ପାଣି ଦେଉଥିଲେ ଦିନେ ସେଥିରୁ ଚାରା ବାହାରି ମହାଦ୍ରୁମ ହୋଇପାରେ।’ ଆଜି ଆମ ରାଜ୍ୟ ଓ ଦେଶ ଯେଉଁ ବିଷାକ୍ତ ପରିବେଶ ଓ ସମୟ ଦେଇ ଗତି କରୁଛି ସେଥିରୁ ତା’କୁ ଉଦ୍ଧାର କରିବା ଲାଗି ଆଚାର୍ଯ୍ୟ ମହାଶୟଙ୍କ କଳ୍ପିତ ମହାଦ୍ରୁମକୁ ଖୋଜା ଚାଲିଛି। ଏ ପରିପ୍ରେକ୍ଷୀରେ ଯେଉଁ ସ୍ୱାଧୀନତା ପାଇଁ ଗାନ୍ଧିଜୀଙ୍କ ନେତୃତ୍ୱରେ ଲଢ଼େଇ ହୋଇଥିଲା ତା’ର ସ୍ୱରୂପ ଆଜି କ’ଣ ତାହା ସମୀକ୍ଷା କରିବାର ବେଳ ଆସିଛି। ଭଗତ୍‌‌ ସିଂହ, ଲକ୍ଷ୍ମଣ ନାୟକ, ବାଘାଯତୀନ୍‌‌, ରଘୁ ଦିବାକରଙ୍କ ଭଳି ଯେଉଁ ହଜାର ହଜାର ସଂଗ୍ରାମୀ ଦେଶ ମାତୃକା ପାଇଁ ସହିଦ ହେଲେ; ଇରମ୍‌‌, ଆମ୍‌‌କୋ ସିମ୍‌‌କୋ, ଖଇରାଡିହି, ତୁଡ଼ିଗଡ଼଼ିଆ, ଲୁଣିଆ, ତାଥିଲି, ପାପଡ଼ାହାଣ୍ଡି, କାଈପଡ଼ା, ନିମାପଡ଼ା ଆଦି ସ୍ଥାନରେ ଯେଉଁ ସଂଗ୍ରାମୀମାନେ ବ୍ରିଟିଶ୍‌‌ ଫୌଜର ଗୁଳି ଆଗରେ ଛାତି ପତାଇ ଦେଲେ; ବାଜି ରାଉତ ଭଳି ବୀର ଶିଶୁମାନେ ବଳିଦାନର କୀର୍ତ୍ତିସ୍ତମ୍ଭ ସ୍ଥାପନ କଲେ; ଲକ୍ଷ ଲକ୍ଷ ଦେଶପ୍ରେମୀ ଜେଲ୍‌‌ ବରଣ କଲେ। ସେମାନଙ୍କ ତ୍ୟାଗ ଓ ତପସ୍ୟାର ଯଜ୍ଞବେଦୀରୁ ଜନ୍ମ ନେଇଥିବା ସ୍ୱାଧୀନତାକୁ ସୁରକ୍ଷିତ ରଖିବା ଓ ବିକାଶିତ କରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ଏହାର ଗୋଟିଏ ମାତ୍ର ଉପଚାର ହେଉଛି ଗାନ୍ଧୀ-ଗୋପବନ୍ଧୁଙ୍କ ବିଚାର। ଏଥିପାଇଁ ବେରବୋଇ ଭଳି ତୀର୍ଥ ଭୂଇଁ କେବଳ ବତୀଘର ପରି ଆମକୁ ଚେତାଇ ଦେଉଛି। ଗାନ୍ଧୀ ସ୍ମାରକୀ ସମିତି ପାଉଁଶ ତଳର ନିଅାଁ ଭଳି ବେରବୋଇର ସ୍ମୃତିକୁ ବଞ୍ଚାଇ ରଖିଛି। କଷ୍ଟଲବ୍ଧ ସ୍ୱାଧୀନତାକୁ ସୁରକ୍ଷିତ ରଖି ସମୃଦ୍ଧି, ସ୍ୱାବଲମ୍ବୀ, ବିକଶିତ ଭାରତ ଗଠନ ପାଇଁ ଏଥିରେ ଅଗ୍ନି ପ୍ରଜ୍ଜ୍ୱଳନ ଲାଗି ସତ୍ୟ, ସେବା, ସଂଗ୍ରାମ ଓ ସମର୍ପଣ ଆଧାରରେ ଆମ ସମସ୍ତଙ୍କୁ କିଛି ନା କିଛି କରିବାକୁ ପଡ଼ିବ।

ପ୍ରହଲାଦ କୁମାର ସିଂହ
ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର