ମନୋରଞ୍ଜନ
ଇରାନ୍ ଉପରେ ଇସ୍ରାଏଲ୍ର ପ୍ରତିଆକ୍ରମଣ: ବିଗୁଡୁଛି ପଶ୍ଚିମ ଏସିଆ ସ୍ଥିତି, ବିଶ୍ୱକୁ ବିପଦ

ମଧ୍ୟପ୍ରାଚ୍ୟରେ ଏକ ବଡ଼ଧରଣର ଯୁଦ୍ଧକୁ ଏଡ଼ାଇ ଦେବାର ଯେଉଁ ସମ୍ଭାବନା ଦେଖା ଦେଇଥିଲା, ତାହା ବିଫଳ ହେବାକୁ ଯାଉଥିବା ମନେହେଉଛି। ନିଜ ଉପରେ ଇରାନର ଆକ୍ରମଣର ପ୍ରତିଶୋଧ ନେବାକୁ ଶୁକ୍ରବାର ସକାଳୁ ଇସ୍ରାଏଲ୍ ପାଲଟା ଆକ୍ରମଣ କରିଛି। ଏହି ଲଢ଼େଇକୁ ଭୀଷଣ ଯୁଦ୍ଧର ରୂପ ନ ଦେବା ପାଇଁ ଆମେରିକା ଓ ତାହାର ମିତ୍ର ରାଷ୍ଟ୍ରମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଇସ୍ରାଏଲ୍ର ଏକନମ୍ବର ମିତ୍ର ତଥା ସମର୍ଥକ ଆମେରିକାର ଚାପ ସତ୍ତ୍ବେ ତେଲ ଆଭିଭ ପକ୍ଷରୁ […]
ମଧ୍ୟପ୍ରାଚ୍ୟରେ ଏକ ବଡ଼ଧରଣର ଯୁଦ୍ଧକୁ ଏଡ଼ାଇ ଦେବାର ଯେଉଁ ସମ୍ଭାବନା ଦେଖା ଦେଇଥିଲା, ତାହା ବିଫଳ ହେବାକୁ ଯାଉଥିବା ମନେହେଉଛି। ନିଜ ଉପରେ ଇରାନର ଆକ୍ରମଣର ପ୍ରତିଶୋଧ ନେବାକୁ ଶୁକ୍ରବାର ସକାଳୁ ଇସ୍ରାଏଲ୍ ପାଲଟା ଆକ୍ରମଣ କରିଛି। ଏହି ଲଢ଼େଇକୁ ଭୀଷଣ ଯୁଦ୍ଧର ରୂପ ନ ଦେବା ପାଇଁ ଆମେରିକା ଓ ତାହାର ମିତ୍ର ରାଷ୍ଟ୍ରମାନେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଇସ୍ରାଏଲ୍ର ଏକନମ୍ବର ମିତ୍ର ତଥା ସମର୍ଥକ ଆମେରିକାର ଚାପ ସତ୍ତ୍ବେ ତେଲ ଆଭିଭ ପକ୍ଷରୁ ଏହି ଯେସା କୁ ତେସା ନୀତି ଅନୁସରଣ କରାଯାଇଛି। ଏଥିସହିତ ଦୁଇଦେଶ ମଧ୍ୟରେ ଦଶନ୍ଧି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ଛାୟା ଯୁଦ୍ଧ ଏବେ ପ୍ରତ୍ୟକ୍ଷ ଯୁଦ୍ଧରେ ପରିଣତ ହେବାକୁ ଯାଉଛି।
ଏକଦା ମିତ୍ର ଥିବା ଦୁଇ ରାଷ୍ଟ୍ର ଏବେ ଶତ୍ରୁତା ଆଚରଣ କରିବା ପଛରେ ରହିଛି ହମାସ ଓ ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ଏବଂ ସେଠାରେ ଚାଲିଥିବା ଏକାଧିପତ୍ୟ। ଏହାପଛରେ ଇରାନର ଇସଲାମ ଭ୍ରାତୃଭାବ କାର୍ଯ୍ୟ କରୁଛି ଏବଂ ଆରବର ଇସଲାମୀୟ ରାଷ୍ଟ୍ରମାନେ ସେହି ଦେଶକୁ ଭିତିରି ସମର୍ଥନ କରୁଛନ୍ତି। ଏକଦା ଇରାକ ରାଷ୍ଟ୍ରପତି ସଦ୍ଦାମ ହୁସେନ ଇରାନ ଉପରେ ଆକ୍ରମଣ କରିବା ପରେ ଚାଲିଥିବା ଲମ୍ବା ଲଢ଼େଇ ସମୟରେ ତେହେରାନ୍କୁ ଇସ୍ରାଏଲ୍ ସାମରିକ ଓ ଅନ୍ୟାନ୍ୟ ସହାୟତା ଯୋଗାଉଥିଲା। ଏବେ ସେଠାରେ ମୌଳବାଦୀ ଶାସନ ବ୍ୟବସ୍ଥାରେ ସମୀକରଣ କେବଳ ବଦଳି ନାହିଁ, ଇରାନ ମଧ୍ୟ ପାକିସ୍ତାନ, ଚୀନ୍, ରୁଷିଆ ଓ ଉତ୍ତରକୋରିଆ ଆଦି ରାଷ୍ଟ୍ରଙ୍କ ସହାୟତାରେ ଆଣବିକ କାର୍ଯ୍ୟକ୍ରମ ଚଳାଇଛି। ଏଥିରେ ଧନୀ ଆରବ ରାଷ୍ଟ୍ରଙ୍କର ଗୁପ୍ତ ଅର୍ଥ ସହାୟତା ରହିଛି। ଇରାନର ଆଣବିକ କାର୍ଯ୍ୟକ୍ରମ ପଛରେ ରହିଛି ପରମାଣୁ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବା। ପାକିସ୍ତାନ ପରେ ଇରାନର ଏହି ପ୍ରୟାସକୁ ଅନେକ ସମରିକ ବିଶେଷଜ୍ଞ- ‘ଇସଲାମିକ ବମ୍-୨’ ଭାବେ ଦେଖୁଛନ୍ତି। ସେମାନଙ୍କ ମତରେ ଇରାନ ଗୁପ୍ତରେ ପରମାଣୁ ଅସ୍ତ୍ର ହାସଲ କରିଛି ଏବଂ ଆରବ ଅଞ୍ଚଳର ନୂଆ ନେତା ଓ ରକ୍ଷାକର୍ତ୍ତା ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହୁଁଛି। ଇସ୍ରାଏଲ ସହିତ ବଳ କଷିବା ଅର୍ଥ ନିଜର ସାମରିକ ସାମର୍ଥ୍ୟକୁ ପରଖିବା ବୋଲି ଇରାନର ଏହି କାମକୁ ସାମରିକ ବିଶେଷଜ୍ଞ ମତ ଦେଉଛନ୍ତି। ଶୁକ୍ରବାର ଇସ୍ରାଏଲ ଯେଉଁ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ କରିଥିଲା ଇରାନ ତାହାକୁ ସଫଳତାର ସହିତ ପ୍ରତିହତ କରିଥିବା ଦାବି କରୁଛି। ଦୁଇ ପକ୍ଷଙ୍କର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା (ଏୟାର ଡିଫେନ୍ସ ସିଷ୍ଟମ) ଯେ ଠିକ୍ଠାକ୍ ଅଛି, ତାହା ଏହି ଆକ୍ରମଣ ଓ ପ୍ରତିଆକ୍ରମଣରୁ ସ୍ପଷ୍ଟ ହୋଇଯାଉଛି। ସୂଚନାଯୋଗ୍ୟ, ଇରାନ ପ୍ରଥମେ ଯେଉଁ ଆକ୍ରମଣ କରିଥିଲା ତାହାର ୯୫ ଶତାଂଶ କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ଇସ୍ରାଏଲ ପଣ୍ଡ କରିଦେଇଥିଲା। ସାମରିକ ବିଶେଷଜ୍ଞଙ୍କ କହିବା କଥା ଯେ ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା ଓ ଏୟାର ଡିଫେନ୍ସ ସିଷ୍ଟମ ଇରାନଠାରୁ ଶକ୍ତିଶାଳୀ। ଏଥିରେ ଆମେରିକା ଇସ୍ରାଏଲ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଉଛି। ଦ୍ୱିତୀୟତଃ ଇସ୍ରାଏଲ୍ର ‘ଆଇରନ୍ ସିଲ୍ଡ’ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ସୁଦୃଢ଼ ଏବଂ ଉନ୍ନତ। ଏହି ପ୍ରତିରକ୍ଷା ବଳୟ ଭେଦ କରି ଗଣସଂହାରକାରୀ ଅସ୍ତ୍ର ଇସ୍ରାଏଲ ମାଟିରେ ପ୍ରବେଶ କରିବା ପ୍ରାୟ ଅସମ୍ଭବ।
ଇସ୍ରାଏଲ୍ ମଧ୍ୟ ଗୁପ୍ତରେ ଆଣବିକ ଅସ୍ତ୍ରଶସ୍ତ୍ରର ଅଧିକାରୀ ଏବଂ ତା’ପାଖରେ ଅନେକ ଆଣବିକ ବୋମା ଓ ଏହି ବୋମାଖଚିତ କ୍ଷେପଣାସ୍ତ୍ରମାନ ରହିଛି। ଏ ସବୁର ପ୍ରୟୋଗ କୌଶଳ ମଧ୍ୟ ତାରକା ଯୁଦ୍ଧ ପଦ୍ଧତିରେ ତେଲ ଆଭିଭ ହାସଲ କରିଛି। ତା’ପାଖରେ କିଛି ଆଣବିକ କ୍ଷେପଣାସ୍ତ୍ର ରହିଛି, ଯାହା ଅତିବଡ଼ ବିପର୍ଯ୍ୟୟ ନ ଘଟାଇ ନିର୍ଦ୍ଦିଷ୍ଟ ସହରର ବଛା ବଛା ସ୍ଥାନ ଉପରେ ପ୍ରୟୋଗ କରିହେବ। ଇସ୍ରାଏଲ୍ର ଯେଉଁ ୱାର କ୍ୟାବିନେଟ୍ ବସିଥିଲା ସେଥିରେ ତେହେରାନ୍କୁ ଉଚିତ ଜବାବ ଦେବାକୁ ନିଷ୍ପତ୍ତି ନିଆଯାଇଛି। ହମାସ୍ ସହିତ ଲଢ଼େଇ କରି କ୍ଳାନ୍ତ ହୋଇଥିବା ଇସ୍ରାଏଲ ଇରାନର ଏହି ଦୁଃସାହସକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହୁଙ୍କୁ କ୍ଷମତା ଦେଇଛି। ଇସ୍ରାଏଲ ମଧ୍ୟ ତାହାର ପରମ ମିତ୍ର ଆମେରିକାକୁ ଜଣାଇ ଦେଇଛି ଯେ ଆଉ ସଂଯମ ରକ୍ଷା ସମ୍ଭବ ନୁହେଁ। ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ ହେବ। ଇସ୍ରାଏଲ ଆହୁରି ମଧ୍ୟ ନିଷ୍ପତ୍ତି ନେଇଛି ଯେ ପ୍ରଥମେ ଇରାନର ଆଣବିକ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ହେବ। ଇରାନର ଇଶଫାହାନ ପ୍ରଦେଶରେ ଦେଶର ଅଧିକାଂଶ ଆଣବିକ କେନ୍ଦ୍ର ଅବସ୍ଥିତ। ସେଥିରେ ନାଟାନ୍ଜ ସହର ଅନ୍ତର୍ଭୁକ୍ତ, ଯେଉଁଠି ଇରାନର ୟୁରାନିୟମ ତେଜସ୍କରଣ କେନ୍ଦ୍ର ରହିଛି। ଅପରପକ୍ଷେ ଇରାନ ଇସ୍ରାଏଲର ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ନିଜର ଏୟାର ଡିଫେନ୍ସ ସିଷ୍ଟମକୁ କ୍ରିୟାଶୀଳ କରିଛି।
ପଶ୍ଚିମ ଏସିଆରେ ଏବେ ‘ଅହଂ’ ଅଧିକ କାମ କରୁଛି। ଏହି ଭୂଖଣ୍ଡର ପ୍ରକୃତ ଶକ୍ତିଶାଳୀ ଦେଶ କିଏ ହେବ, ତାହା ପ୍ରମାଣିତ କରିବାକୁ ଅହଙ୍କାରର ଲଢ଼େଇ ଆରମ୍ଭ ହୋଇଯାଇଛି। ଆରବରେ ସବୁଦୃଷ୍ଟିରୁ ଇରାନ ଏବେ ଏକ ଉନ୍ନତ ଦେଶ ଭାବେ ଆତ୍ମପ୍ରକାଶ କରିଥିଲେ ମଧ୍ୟ ଏହା ଇସ୍ରାଏଲର ମୁକାବିଲା କରିବାକୁ ସଫଳ ହେବ ନାହିଁ। ଇରାନ୍ର ଆଣବିକ କାର୍ଯ୍ୟକ୍ରମକୁ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧ କରୁଥିବା ବେଳେ ଇସ୍ରାଏଲ ଉପରେ ଆକ୍ରମଣ ପରଠାରୁ ତେହେରାନ ବିରୋଧରେ ଅଧିକାଂଶ ପାଶ୍ଚାତ୍ୟ ରାଷ୍ଟ୍ର କଟକଣା ଜାରି କଲେଣି। ଏହି ସମୟରେ ରୁଷିଆ ନିଜେ ୟୁକ୍ରେନ ଯୁଦ୍ଧରେ ବ୍ୟସ୍ତ। ଚୀନ ଓ ଉତ୍ତରକୋରିଆ ଆପଣା ସ୍ୱାର୍ଥ ଦୃଷ୍ଟିରୁ ତେହେରାନ୍କୁ ସିଧାସଳଖ ସାହାଯ୍ୟ କରିବାକୁ ଅନାଗ୍ରହୀ। କେବଳ ସେତିକି ନୁହେଁ, ଆରବର ଅଧିକାଂଶ ରାଷ୍ଟ୍ର ନିଜର ତୈଳ କାରବାର, ଆନ୍ତର୍ଜାତିକ ଅର୍ଥ ବଜାରରେ ଲଗେଇଥିବା ବିପୁଳ ପୁଞ୍ଜି ଓ ଆମଦାନୀ ବାଣିଜ୍ୟର ସୁରକ୍ଷା ପାଇଁ ଇରାନକୁ ଖୋଲା ସମର୍ଥନ ଦେବାକୁ ପ୍ରସ୍ତୁତ ନୁହନ୍ତି।
ଇରାନର ବଡ଼ ସମ୍ବଳ ତୈଳ। ଯଦି ଯୁଦ୍ଧ ହୁଏ ଏବଂ ଇସ୍ରାଏଲ ଏହାର ତୈଳଖଣି ଓ ଆଣବିକ କେନ୍ଦ୍ରକୁ ନିଶାଣ କରେ, ତେବେ ତେହେରାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବ। ଏବେ ତ ତା’ବିରୋଧରେ ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରମାନେ ଅର୍ଥନୈତିକ ବାସନ୍ଦ ନୀତି ଲାଗୁ କରି ସାରିଲେଣି। ସେଠି ଏବେ ଯେଉଁ ଅବସ୍ଥା, ତାହାକୁ ରୋକିବାକୁ ବୋଧହୁଏ ପଛଦ୍ୱାର କୂଟନୀତି ସଫଳ ହେବ ନାହିଁ। ଏହା ବିଶ୍ୱଯୁଦ୍ଧ ନ ହେଲେ ବି ଏକ ବଡ଼ଧରଣର ଯୁଦ୍ଧର ରୂପ ନେଇପାରେ। ଏହାର ପ୍ରଭାବ ବିଶ୍ୱର ତୈଳ, ଖାଦ୍ୟ, ପଣ୍ୟ କାରବାର ଓ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବା ନିଶ୍ଚିତ। ଭାରତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବ। ଏହି ଉତ୍ତେଜନା ଫଳରେ ବିଶ୍ୱ ତୈଳ ବଜାର ଉପର ମୁହାଁ। ଏହା ଫଳରେ ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଅଧିକ ଖରାପ ହେବ। ଇସ୍ରାଏଲ ମଧ୍ୟ ଆର୍ଥିକ ଓ ସାମରିକ ଦୃଷ୍ଟିରୁ ପ୍ରଚୁର କ୍ଷତି ସହିବ। ତଥାପି ତା’ପାଇଁ ଏହା ସ୍ଥିତି ରକ୍ଷାର ପ୍ରଶ୍ନ ହୋଇଥିବାରୁ ସେ ଆକ୍ରମଣରୁ ଓହରିବ ନାହିଁ। ବିଶ୍ୱ ପାଇଁ ପ୍ରକୃତରେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ।