ମନୋରଞ୍ଜନ
ଯୁଦ୍ଧ ଓ ବାଣିଜ୍ୟ

ରାଷ୍ଟ୍ରର ଅର୍ଥନୀତିକୁ ପ୍ରଭାବିତ କରିଥାଏ ଉଭୟ ଯୁଦ୍ଧ ଓ ବାଣିଜ୍ୟ। ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ସହ ବାଣିଜ୍ୟିକ ସମ୍ପର୍କର ଧମକ ଦେଇ ଭାରତ ଓ ପାକିସ୍ତାନକୁ ନାଲିଆଖି ଦେଖାଇବା ଉକ୍ତି ପଛରେ ଯେ ଯଥାର୍ଥତା ନଥିବ ଏକଥା ନୁହେଁ। ଯୁଦ୍ଧ ବିରାମ ପୃଷ୍ଠଭାଗରେ ଥିବା ଏଭଳି ଏକ କାରଣକୁ ଖଣ୍ଡନ ଓ ଅସ୍ୱୀକାର କରି ହେବନି। ତେବେ କୂଟନୈତିକ ଆଚରଣ ଓ ଶାଳୀନତା ଦୃଷ୍ଟିରୁ ଟ୍ରମ୍ପ ନିଜଆଡ଼ୁ ଆଗୁଆ ଯୁଦ୍ଧ ବିରତି ଘୋଷଣା କରିବାକୁ ଆମେ ନୈତିକ […]
ରାଷ୍ଟ୍ରର ଅର୍ଥନୀତିକୁ ପ୍ରଭାବିତ କରିଥାଏ ଉଭୟ ଯୁଦ୍ଧ ଓ ବାଣିଜ୍ୟ। ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ସହ ବାଣିଜ୍ୟିକ ସମ୍ପର୍କର ଧମକ ଦେଇ ଭାରତ ଓ ପାକିସ୍ତାନକୁ ନାଲିଆଖି ଦେଖାଇବା ଉକ୍ତି ପଛରେ ଯେ ଯଥାର୍ଥତା ନଥିବ ଏକଥା ନୁହେଁ। ଯୁଦ୍ଧ ବିରାମ ପୃଷ୍ଠଭାଗରେ ଥିବା ଏଭଳି ଏକ କାରଣକୁ ଖଣ୍ଡନ ଓ ଅସ୍ୱୀକାର କରି ହେବନି। ତେବେ କୂଟନୈତିକ ଆଚରଣ ଓ ଶାଳୀନତା ଦୃଷ୍ଟିରୁ ଟ୍ରମ୍ପ ନିଜଆଡ଼ୁ ଆଗୁଆ ଯୁଦ୍ଧ ବିରତି ଘୋଷଣା କରିବାକୁ ଆମେ ନୈତିକ ବିଶୃଙ୍ଖଳା କହିପାରିବା। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଚୁକ୍ତିନାମା ଡିଜିଏମ୍ଓ ସ୍ତରରେ ହେଉଥିବା େବଳେ ନିଶ୍ଚୟ କିଛି ପ୍ରାକ୍ ସର୍ତ୍ତ ରହିବ। ତାହା କାହା ପାଇଁ କେତେଦୂର ଗ୍ରହଣୀୟ ସେନେଇ ଆମେରିକା ତ ଆଉ ସମାଧାନର ସୂତ୍ର ବାହାର କରିପାରିବନି! ତେଣୁ ଟ୍ରମ୍ପଙ୍କ ଘୋଷଣାକୁ ଜଣେ ଅପରିଣାମଦର୍ଶୀ ନେତୃତ୍ୱର ବାହାଦୂରୀ ବା ବାକ୍ଚାତୁରୀ କୁହାଯାଇପାରେ। ସେ ଯାହାହେଉ ଯୁଦ୍ଧ ଟଳିଯାଇଛି ଓ ବାଣିଜ୍ୟର ଦ୍ୱାର ଖୋଲିଯାଇଛି। ଜେନିଭା ବୁଝାମଣାରେ ଚୀନ୍ ସହ ବାଣିଜ୍ୟିକ ସମ୍ପର୍କର ଅଚଳାବସ୍ଥା ଦୂର ହୋଇଛି। ଆମେରିକାର ଆଭ୍ୟନ୍ତରୀଣ ବଜାରର ଚାପରେ ମୁଣ୍ଡ ନୋଇଁବାକୁ ବାଧ୍ୟ ହୋଇଛନ୍ତି ଟ୍ରମ୍ପ। ଯୁଦ୍ଧ ବିରାମ ପରେ ଆମ ବଜାର ମଧ୍ୟ ତେଜିଛି। ପୁଞ୍ଜି ବଜାର ସ୍ଥିତି ଓ ସୁନା ମୂଲ୍ୟ ହ୍ରାସରୁ ଏହି ସୂଚନା ମିଳିଛି। ବଜାର ଅର୍ଥନୀତିରେ ବାଣିଜ୍ୟର ଗୁରୁତ୍ୱ ଅଧିକ। ଆର୍ଥିକ ଶକ୍ତି ଓ ସାମର୍ଥ୍ୟର ପତିଆରାରେ ଆମେରିକା ଅତିରିକ୍ତ ବାଣିଜ୍ୟ ଶୁଳ୍କ ଦାବି କରି ଯେଉଁ ଅଚଳାବସ୍ଥା ସୃଷ୍ଟି କରିଥିଲା, ତାହା କ୍ରମେ ଅପସରି ଯାଉଥିବାର ପରିଲକ୍ଷିତ ହୋଇଛି। ଆମକୁ ଏଠାରେ କହିବାକୁ ପଡୁଛି ଯେ ବାଣିଜ୍ୟ କୌଣସି ପରିସ୍ଥିତିରେ ଏକପାଖିଆ ପ୍ରସଙ୍ଗ ନୁହେଁ। ବରଂ ଏହା ଦ୍ୱିପାକ୍ଷିକ କିମ୍ବା ବହୁପାକ୍ଷିକ। କ୍ରେତା ଓ ବିକ୍ରେତା ମଧ୍ୟରେ ବୁଝାମଣା ଅବଶ୍ୟମ୍ଭାବୀ।
ଆମେରିକା ଓ ଚୀନ ବିଶ୍ୱର ଦୁଇଟି ବୃହତ୍ ଅର୍ଥନୀତି। ପାରସ୍ପରିକ ନିର୍ଭରଶୀଳତାକୁ ବାଦ ଦେଇ ବାଣିଜ୍ୟକୁ ଗତିଶୀଳ କରାଯାଇପାରିବନି। ଅତିରିକ୍ତ ଶୁଳ୍କ ଦାବିକୁ ନେଇ ଦୁଇ ରାଷ୍ଟ୍ର ମଧ୍ୟରେ ଗତ ୩ ମାସ ଧରି ଚାଲିଥିବା ବିବାଦର ଅବସାନ ଘଟିଛି। ଆଗାମୀ ୯୦ ଦିନ ସକାଶେ ଦୁଇପକ୍ଷ ଆମଦାନି ଶୁଳ୍କ ହ୍ରାସ କରିବାକୁ ରାଜି ହୋଇଛନ୍ତି। ଜେନିଭାରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଦୁଇରାଷ୍ଟ୍ର ପରସ୍ପର ଉପରୁ ୧୧୫ ପ୍ରତିଶତ ଶୁଳ୍କ ହ୍ରାସ କରିଛନ୍ତି। ଏଥିମଧ୍ୟରେ କେବଳ ଚୀନ୍କୁ ବାଦ୍ଦେଇ ଆମେରିକା ଅନ୍ୟ ରାଷ୍ଟ୍ରଙ୍କ ସହ ଯଥାସମ୍ଭବ ବୁଝାମଣା କରିସାରିଛି। ଏବେ ଚୀନ୍ ଉପରେ ୩୦ ପ୍ରତିଶତ ଓ ଆମେରିକୀୟ ସାମଗ୍ରୀ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ ହେବ। ଏହି ଅତିରିକ୍ତ ଶୁଳ୍କକୁ କେନ୍ଦ୍ର କରି ଆମେରିକା ଓ ଚୀନ୍ ମଧ୍ୟରେ ବାର୍ଷିକ ହାରାହାରି ୬୧୦ ବିଲିୟନ ଡଲାରର କାରବାର ବାଧାପ୍ରାପ୍ତ ହୋଇଥିଲା। ରାଷ୍ଟ୍ରପତି ଟ୍ରମ୍ପଙ୍କ ଦୂରଦୃଷ୍ଟିବିହୀନ ଏକତରଫା ଅତିରିକ୍ତ ଶୁଳ୍କ ଦାବିର ପ୍ରଭାବରେ ସମଗ୍ର ବିଶ୍ୱରେ ବାଣିଜ୍ୟିକ କାରବାରରେ ଶିଥିଳତା ଓ ଅସ୍ଥିରତା ପରିଲକ୍ଷିତ ହୋଇଥିଲା। ଏହି କାରଣରୁ ଅର୍ଥନୈତିକ ମାନ୍ଦାବସ୍ଥା ଆଡ଼କୁ ସମଗ୍ର ବିଶ୍ୱ ଅଗ୍ରସର ହେଉଥିଲା। ତେଣୁ ବଜାରରେ ସ୍ଥିରତା ଫେରାଇ ଆଣିବା ସକାଶେ ଆମେରିକା ଓ ଚୀନ୍ ଶୁଳ୍କ ହାର ହ୍ରାସ ପାଇଁ ବାଧ୍ୟ ହୋଇଛନ୍ତି। ସେହିଭଳି ଭାରତ ଓ ଆମେରିକା ମଧ୍ୟରେ ବାର୍ଷିକ ବାଣିଜ୍ୟ କାରବାର ୧୨୯ ବିଲିୟନ ଡଲାର। ବାଣିଜ୍ୟ ଶୁଳ୍କ ବିବାଦ ଘେରରେ ଥିବାବେଳେ ଟ୍ରମ୍ପ ଯେ ଭାରତକୁ ନାଲି ଆଖି ଦେଖାଇନଥିବେ ଏ କଥା ନୁହେଁ। ହେଲେ ସେ ଯେ ଗୁମର ଖୋଲିଦେଇ ବିଶ୍ୱାସଘାତକତା କରିବେ ଏ କଥା କିଏ ଜାଣିଥିଲା?
ଆମେରିକା ଶୁଳ୍କ କଟକଣାର ପ୍ରତିକୂଳ ପ୍ରଭାବ ଆମ ବଜାରରେ ଅନୁଭୂତ ହେଉଥିବା ବେଳେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ‘ଅପରେସନ ସିନ୍ଦୂର’ ଏକ ଭୟଙ୍କର ଯୁଦ୍ଧର ପରିବେଶ ସୃଷ୍ଟି କରିଥିଲା। ସାମ୍ପ୍ରତିକ ଯୁଦ୍ଧରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ପ୍ରାଧାନ୍ୟ ଲାଭ କରିଥିବାରୁ ଖର୍ଚ୍ଚ ଆକାଶଛୁଆଁ ହୋଇଛି। ତେଣୁ ଯୁଦ୍ଧର ପ୍ରତିକୂଳ ପ୍ରଭାବ ରାଷ୍ଟ୍ରର ଅର୍ଥନୀତି ଉପରେ ପଡ଼ିବା ସ୍ୱାଭାବିକ। ସେୟାରବଜାର ଉପରେ ଏହି ଦୋହରା ମାଡ଼ ପଡ଼ିଥିବାରୁ କାରବାରରେ ନିଷ୍କ୍ରିୟତା ପରିଲକ୍ଷିତ ହୋଇଥିଲା। ଗୋଟିଏ ପକ୍ଷରେ ଯୁଦ୍ଧ ବିରାମ ଘୋଷଣା ଓ ଅନ୍ୟପକ୍ଷରେ ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧର ଅବସାନ ଏକ ସମୟରେ ଘଟିଥିଲା। ଏହି ପରିବର୍ତ୍ତନ ସ୍ଥିତିରେ ପ୍ରଥମ ସେୟାର ବଜାର କାରବାର ଆରମ୍ଭ ହୋଇଥିଲା ସୋମବାର। ଆରମ୍ଭରୁ ବଜାରରେ ଉଚ୍ଛାଳ ପରିଲକ୍ଷିତ ହୋଇଥିଲା। ଗତ ୪ବର୍ଷର ରେକର୍ଡକୁ ଅତିକ୍ରମ କରିଛି ସେନ୍ସେକ୍ସ। ପ୍ରଥମଦିନରେ ବିଏସ୍ଇ ସେନ୍ସେକ୍ସ ୩୦୦୦ ପଏଣ୍ଟ ଅତିକ୍ରମ କରିଥିବାରୁ ନିବେଶକ ୧୬ ଲକ୍ଷ କୋଟି ଟଙ୍କା ଲାଭାନ୍ୱିତ ହୋଇଛନ୍ତି। ପରବର୍ତ୍ତୀ ଦୁଇଦିନର କାରବାରରେ ସ୍ୱାଭାବିକ ଶିଥିଳତା ଅନୁଭୂତ ହୋଇଛି। ସବୁଠାରୁ ଅଧିକ ଲାଭବାନ ହୋଇଛି ଆଦାନୀଙ୍କ କମ୍ପାନୀ ସମୂହ। ଗୋଟିଏ ଦିନରେ ଏହି କମ୍ପାନୀ ୭୦ ହଜାର କୋଟି ଟଙ୍କା ଲାଭ କରିଛି। ସୋମବାର ସେନ୍ସେକ୍ସ ୨୯୭୫.୪୩ ପଏଣ୍ଟ ବୃଦ୍ଧି ପାଇ ୮୨୪୨୯.୯୦ ପଏଣ୍ଟ ଏବଂ ନିଫ୍ଟି ୯୧୬୭୦ ପଏଣ୍ଟ ବୃଦ୍ଧି ପାଇ ୨୪୯୨୪.୭୦ରେ ପହଞ୍ଚିଛି। ଆମେ ଏଠାରେ ଏହି ପରିସଂଖ୍ୟାନ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଲା ଅର୍ଥନୀତିରେ ଗତିଶୀଳତା ଓ ସ୍ୱାଭାବିକତା କିଭଳି ଫେରିଛି, ତାହା ଦର୍ଶାଇବା। ଏକଥା ସତ ଯେ ପୁଞ୍ଜି ବଜାରରେ ସକ୍ରିୟତା ପରିଲକ୍ଷିତ ହେଲେ ସୁନାରେ ନିବେଶ ହ୍ରାସ ପାଇବ। ତାହା ହିଁ ଆଜିର ବଜାର ସ୍ଥିତିରୁ ସ୍ପଷ୍ଟ ହୋଇଛି। ୧୦ ଗ୍ରାମ ପିଛା ସୁନା ମୂଲ୍ୟରେ ୩୦୦୦ ଟଙ୍କା ହ୍ରାସ ପାଇଛି। ବିବାହ ବଜାରରେ କ୍ରମାଗତ ସୁନାମୂଲ୍ୟ ବୃଦ୍ଧି ଲୋକଙ୍କୁ ଭାରାକ୍ରାନ୍ତ କରିଥିଲା। ଏହି ହ୍ରାସ ସେମାନଙ୍କୁ ଆଶ୍ୱସ୍ତି କରିଛି।
ଯୁଦ୍ଧ ବିରାମକୁ ନେଇ ରାଜନୈତିକସ୍ତରରେ ଆରମ୍ଭ ହୋଇଯାଇଛି ଆକ୍ଷେପ ଓ ପ୍ରତିଆକ୍ଷେପ। ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନରେ ଉଙ୍କି ମାରିଥିବା କେତେକ ସନ୍ଦେହ ଓ ପ୍ରଶ୍ନ ଅନୁତ୍ତରିତ ରହିଯାଇଥିଲେ ମଧ୍ୟ ସାମରିକ ବାହିନୀର ଉନ୍ନତ ରଣକୌଶଳ ଓ ନିର୍ଣ୍ଣାୟକ ଆକ୍ରମଣରେ ସଫଳତା ଦେଶବାସୀଙ୍କୁ ସନ୍ତୁଷ୍ଟ କରିଛି। ତେଣୁ ଦେଶର ଅର୍ଥନୀତି ବ୍ୟବସ୍ଥା ପ୍ରତି ଆସ୍ଥା ପ୍ରକଟ କରି ପୁଣି ଅଗ୍ରସର ହେବା ଆରମ୍ଭ କରିଛି। ରାଷ୍ଟ୍ରୀୟ ସଂହତି ଓ ଐକ୍ୟ ପ୍ରତି ସମଗ୍ର ଦେଶବାସୀ ଯେଉଁ ନିଷ୍ଠା ପ୍ରଦର୍ଶନ କରିଛନ୍ତି, ତାହାକୁ ଆଧାର କରି ସରକାରଙ୍କୁ ଏବେ ବିକାଶର ନୂଆ ନକ୍ସା ଟାଣିବାକୁ ହେବ।