ମହିଳା ବିକାଶ ପାଇଁ ସଶକ୍ତ ସଂକଳ୍ପ; ‘ମିଶନ୍‌‌ ଶକ୍ତି’ ପାଇଁ ନବୀନ ପ୍ରତିଶ୍ରୁତି

The Sakala Picture
Published On

ଅନେକବର୍ଷ ଧରି ‘ମିଶନ ଶକ୍ତି’ ଓଡ଼ିଶା ସରକାରଙ୍କର ଏକ ପ୍ରମୁଖ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଭାବେ ରାଜ୍ୟରେ ତଥା ସାରା ଦେଶରେ ବହୁଳଭାବେ ଆଦୃତ। ରାଜ୍ୟର ଲୋକପ୍ରିୟ ମୁଖିଆ ନବୀନ ପଟ୍ଟନାୟକଙ୍କ ମାନସ ସନ୍ତାନ ‘ମିଶନ ଶକ୍ତି’ ଆରମ୍ଭ ହୋଇଥିଲା ୨୦୦୧ ମାର୍ଚ୍ଚ ୮ ତାରିଖ ‘ଆନ୍ତର୍ଜାତିକ ମହିଳା ଦିବସ’ ଅବସରରେ। ଏହାର ଲକ୍ଷ୍ୟ ଥିଲା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନ ଗଠନ କରି ରାଜ୍ୟର ନାରୀମାନଙ୍କୁ ରୋଜଗାର ମାଧ୍ୟମରେ ସଶକ୍ତ କରିବା। ସମଗ୍ର ଦେଶରେ ଏହା […]

ଅନେକବର୍ଷ ଧରି ‘ମିଶନ ଶକ୍ତି’ ଓଡ଼ିଶା ସରକାରଙ୍କର ଏକ ପ୍ରମୁଖ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ଭାବେ ରାଜ୍ୟରେ ତଥା ସାରା ଦେଶରେ ବହୁଳଭାବେ ଆଦୃତ। ରାଜ୍ୟର ଲୋକପ୍ରିୟ ମୁଖିଆ ନବୀନ ପଟ୍ଟନାୟକଙ୍କ ମାନସ ସନ୍ତାନ ‘ମିଶନ ଶକ୍ତି’ ଆରମ୍ଭ ହୋଇଥିଲା ୨୦୦୧ ମାର୍ଚ୍ଚ ୮ ତାରିଖ ‘ଆନ୍ତର୍ଜାତିକ ମହିଳା ଦିବସ’ ଅବସରରେ। ଏହାର ଲକ୍ଷ୍ୟ ଥିଲା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନ ଗଠନ କରି ରାଜ୍ୟର ନାରୀମାନଙ୍କୁ ରୋଜଗାର ମାଧ୍ୟମରେ ସଶକ୍ତ କରିବା। ସମଗ୍ର ଦେଶରେ ଏହା ଥିଲା ଏ ଧରଣର ଅଭିନବ ଯୋଜନା। ଓଡ଼ିଶାରେ ‘ମିଶନ ଶକ୍ତି’ର ସଫଳତା ଆଧାରରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଏଭଳି କାର୍ଯ୍ୟକ୍ରମକୁ ଉତ୍ସାହିତ କଲେ ଏବଂ କେନ୍ଦ୍ର ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ‘ମିଶନ ଶକ୍ତି’କୁ ରଖାଗଲା। ‘ମହିଳା ସଶକ୍ତୀକରଣ’ ପାଇଁ ବିଜେଡି ସରକାର ଆରମ୍ଭ କରିଥିବା ଏହି ଅଭିନବ ରୋଜଗାର କାର୍ଯ୍ୟକ୍ରମ ଦୁଇଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ସଫଳତାର ସହ ଅତିକ୍ରମ କଲାଣି। ୨୦୦୧-୦୨ରେ ରାଜ୍ୟରେ ୪୧, ୪୭୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସ୍‌‌ଏଚ୍‌‌ଜି ଥିବାବେଳେ ୨୦୨୦-୨୧ରେ ଏହା ୧୪ ଗୁଣ ବୃଦ୍ଧି ପାଇ ୬, ୦୨, ୦୧୩ ରେ ପହଞ୍ଚିଥିଲା। ‘ମିଶନ ଶକ୍ତି’ର ଏହି ବୈପ୍ଳବିକ ବୃଦ୍ଧି ଦ୍ୱାରା ଛ’ଲକ୍ଷରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀର ୭୦ ଲକ୍ଷରୁ ଅଧିକ ମା’ମାଉସୀମାନଙ୍କୁ କାମ ଓ ବହୁବିଧ ରୋଜଗାର ମିଳିପାରିଛି। ସେମାନେ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବା ସହିତ ମହିଳା ସଶକ୍ତୀକରଣ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି।

‘ମିଶନ ଶକ୍ତି’ ମାଧ୍ୟମରେ ଏସ୍‌‌ଏଚ୍‌‌ଜିଗୁଡ଼ିକ ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଛନ୍ତି। ଏମାନେ ଗୋଷ୍ଠୀଭିତ୍ତିକ ସଂସ୍ଥାଗୁଡ଼ିକର ଦକ୍ଷତା ବଢ଼଼ାଇବା ସହିତ ଜୀବନଜୀବିକାକୁ ସୁଦୃଢ଼ କରୁଛନ୍ତି। ଏସ୍‌‌ଏଚ୍‌‌ଜି ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ବଜାର ସୁବିଧା ଯୋଗାଣ, ସେମାନଙ୍କୁ ବିନା ସୁଧରେ ସରକାରୀ ଋଣ ଯୋଗାଣ, ଆର୍ଥିକ ପ୍ରତିଷ୍ଠାନ ସହିତ ଏସ୍‌‌ଏଚ୍‌‌ଜିର ସଂଯୋଗ ସ୍ଥାପନ, ଅଭାବୀ ମହିଳାଙ୍କୁ ଋଣ ଯୋଗାଣ, ଠିକ୍‌‌ ସମୟରେ ଋଣ ଓ ସୁଧ ଅସୁଲ କରି ମୂଳଋଣ ବ୍ୟାଙ୍କକୁ ଫେରସ୍ତ, ସଞ୍ଚୟ ଅଭ୍ୟାସ ବୃଦ୍ଧି ଏବଂ ସର୍ବୋପରି ମହିଳାମାନଙ୍କ ମଧ୍ୟରେ ସାମାଜିକ ଓ ଆଇନଗତ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଆଦି କାମ କରାଯାଉଛି। ସତକଥା କହିଲେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ‘ମିଶନ ଶକ୍ତି’ ମହିଳା ସଶକ୍ତୀକରଣ ଓ ଅର୍ଥନୀତିକ ବିକାଶ କ୍ଷେତ୍ରରେ ଏକ ବିଶାଳ ନିରବ ବିପ୍ଳବ ସୃଷ୍ଟି କରିଛି। ଓଡ଼ିଶାର ମହିଳା ସମାଜ ପାଇଁ ମିଶନ ଶକ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ ବହୁମୁଖୀ ମହିଳା ସଶକ୍ତୀକରଣର ବତୀଘର ଭଳି ଆଦର୍ଶ ସୃଷ୍ଟି କରିପାରିଛି।

ଗଣତନ୍ତ୍ରରେ ଭଲ ଯୋଜନାଟିଏ ସରକାର କାର୍ଯ୍ୟକାରୀ କରି ତାହାକୁ ଆଗକୁ ବଢ଼଼ାଇଲେ ଏବଂ ନିୟମିତ ପ୍ରୋତ୍ସାହନ ଦେଲେ ସେଥିସହିତ ସମ୍ପୃକ୍ତ ହିତାଧିକାରୀଙ୍କର ସରକାରଙ୍କ ପ୍ରତି ଦରଦ ଓ ସମର୍ଥନ ରହେ। ସେଥିପାଇଁ ୨୦୦୧ ପରଠାରୁ ‘ମିଶନ୍‌‌ ଶକ୍ତି’ର ସଭ୍ୟାମାନେ ଶାସକ ବିଜେଡି ଦଳର ଏକ ଦୃଢ଼ ସମର୍ଥକ ଭାବେ ଉଭା ହୋଇ ଆସିବା ସ୍ୱାଭାବିକ। ଆପଣ କଳନା କରନ୍ତୁ ୭୧ ଲକ୍ଷରୁ ଅଧିକ ସଦସ୍ୟ ଓ ତାଙ୍କର ପରିବାରବର୍ଗ, ଯେଉଁମାନେ ‘ମିଶନ ଶକ୍ତି’ ମାଧ୍ୟମରେ ଉପକୃତ ହେଉଛନ୍ତି, ମର୍ଯ୍ୟାଦାର ସହ ବଞ୍ଚି ରୋଜଗାର ସୁବିଧା ପାଉଛନ୍ତି ସେମାନେ ବିଜେଡି ସରକାର ଓ ତାହାର ମୁଖ୍ୟ ନବୀନବାବୁଙ୍କ ପାଖରେ କୃତଜ୍ଞ ନ ହେବେ କାହିଁକି? ଏତେ ଲୋକଙ୍କୁ କର୍ମନିଯୁକ୍ତି ଓ ରୋଜଗାର ଯୋଗାଇବା ଏକ ଅସାଧାରଣ ଘଟଣା। ବିଶେଷକରି, ସମାଜରେ ମହିଳା ବର୍ଗ ପାଇଁ ସମ୍ମାନସୂଚକ ଓ ଅର୍ଥ ଉପାର୍ଜନର ରାସ୍ତା ଯୋଗାଇ ଦେବା କେବଳ ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାର ପାଇଁ ଆଶ୍ୱସ୍ତିକର ବିଷୟ ନୁହେଁ, ବରଂ ସାରା ସମାଜ ଓ ରାଜ୍ୟ ପାଇଁ ସୁଶାସନର ବାର୍ତ୍ତାବହ ହୋଇଥାଏ। ରାଜନୈତିକ ଇଚ୍ଛାଶକ୍ତି ଓ ସ୍ୱତନ୍ତ୍ର ଆଗ୍ରହ ଦ୍ୱାରା ‘ମିଶନ ଶକ୍ତି’ ରାଜ୍ୟରେ ଏକ ସଫଳ ଯୋଜନାରେ ପରିଣତ ହୋଇଛି, ଏଥିରେ ସନ୍ଦେହ ନାହିଁ। ତେଣୁ ନିର୍ବାଚନ ସମୟରେ ହେଉ କିମ୍ବା ଯେକୌଣସି ଅନ୍ୟ ସମୟରେ ହେଉ ଏଭଳି ରାଜ୍ୟବ୍ୟାପୀ ଜନମଙ୍ଗଳ କାର୍ଯ୍ୟକ୍ରମର ଯେତେ ପ୍ରଶଂସା କଲେ ତାହା ଯଥେଷ୍ଟ ନୁହେଁ।

ନିର୍ବାଚନ ଆସିଲେ ସବୁଦଳ ନିଜ ନିଜର ଇସ୍ତାହାର ପ୍ରକାଶ କରି କ୍ଷମତାକୁ ଆସିଲେ ଲୋକଙ୍କୁ କ’ଣ ଦେବେ ଓ ସେମାନଙ୍କ ପାଇଁ କ’ଣ କରିବେ, ତାହା ପ୍ରକାଶିତ କରନ୍ତି। ଏଭଳି ସଂକଳ୍ପ ପତ୍ର ମାଧ୍ୟମରେ ବିଭିନ୍ନ ବିରୋଧୀ ଦଳ ରାଜ୍ୟରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଶାସନ ସହିତ ଜଡ଼ିତ ନଥିବାରୁ ଅନେକ ଉଦ୍‌‌ଘୋଷଣା ସ୍ୱପ୍ନଗୁନ୍ଥା ପୁଷ୍ପମାଳା ଭଳି ରଙ୍ଗୀନ୍‌‌ ତଥା ହାଲ୍‌‌କା ପ୍ରତୀୟମାନ ହୁଏ। ଏତଦ୍‌‌ବ୍ୟତୀତ ଅନ୍ୟବହୁ ଘୋଷଣା ଶାସକ ଦଳର ନିନ୍ଦାଗାନ ଓ ତ୍ରୁଟିବିଚ୍ୟୁତି ସୂଚିତ କରିବାରେ ବିନିଯୋଗ କରାଯାଏ। ଏଭଳି କ୍ଷେତ୍ରରେ ଦୁଇ ଦଶନ୍ଧିରୁ ଅଧିକ ସ୍ଥିର ଶାସନ ପ୍ରଦାନ କରିଥିବା ସାମଗ୍ରିକ ବିକାଶ ଓ ଜନମଙ୍ଗଳ ଭିତ୍ତିକ ରାଜନୈତିକ ଦଳ ଯେଉଁ ନିର୍ବାଚନୀ ଘୋଷଣା କରନ୍ତି ତାହା ଅଧିକାଂଶ ତଥ୍ୟ, ସତ୍ୟ, ସେବା ଓ ଅଭିଜ୍ଞତା ଆଧାରିତ ହୁଏ। ସେହି ଭିତ୍ତିଭୂମିରେ ନିର୍ବାଚନ ଇସ୍ତାହାରରେ କରାଯାଇଥିବା ପ୍ରତିଜ୍ଞା ସବୁ ବାସ୍ତବଧର୍ମୀ ତଥା ସମ୍ଭାବ୍ୟ ଲକ୍ଷ୍ୟର ରଙ୍ଗ ନିଏ। ତଦନୁସାରେ ଏଥର ବିଜେଡିର ନିର୍ବାଚନ ଇସ୍ତାହାରରେ ଯେଉଁସବୁ ଦୂରଗାମୀ ପ୍ରତିଜ୍ଞା ଓ ପ୍ରତିଶ୍ରୁତି ରହିଛି ସେଥିମଧ୍ୟରେ ‘ମିଶନ୍‌‌ ଶକ୍ତି’କୁ ଆସନ୍ତା ଦଶନ୍ଧିରେ ଆହୁରି ବିକଶିତ ଓ ରୂପାନ୍ତରିତ କରିବା ପାଇଁ ଅନେକ ଗୁରୁତ୍ୱ ଦିଆଯାଇଛି। ଏଥର ଗୋଟିଏ ବଡ଼ ପ୍ରତିଶ୍ରୁତି ହେଲା ‘ମିଶନ ଶକ୍ତି’ର ମା’ମାନଙ୍କୁ ରାଜ୍ୟ ସରକାର ପେନ୍‌‌ସନ୍‌‌ ଦେବେ। ଏହାଫଳରେ ପ୍ରାୟ ୭୧ ଲକ୍ଷ ମା’ ଓ ଭଉଣୀ ଉପକୃତ ହେବେ। ଦୀର୍ଘ ଚବିଶ ବର୍ଷ ଧରି କାମ କରି ଆସୁଥିବା ‘ମିଶନ ଶକ୍ତି’ର ସଭ୍ୟମାନଙ୍କୁ ସ୍ୱୟଂ ସହାୟିକା ସ୍ତରରୁ ଲଘୁ ଓ କ୍ଷୁଦ୍ର ଉଦ୍ୟୋଗୀ ରୂପାନ୍ତରିତ ଓ ଉନ୍ନୀତ କରାଇବା ଆଉ ଏକ ବଡ଼ ପ୍ରତିଶ୍ରୁତି। ତା’ଛଡ଼ା ପ୍ରତ୍ୟେକ ‘ମିଶନ ଶକ୍ତି’ ସଦସ୍ୟାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ସଂକ୍ଷେପରେ କହିଲେ ‘ମିଶନ ଶକ୍ତି’ର ମା’ମାନଙ୍କ ପାଇଁ ଏହା ବିଜେଡିର ଏକ ଚମତ୍କାର ସଂକଳ୍ପ ଓ ଅନନ୍ୟ ଉପହାର। ଏହାଦ୍ୱାରା ସମ୍ପୃକ୍ତ ମା’ଭଉଣୀମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିବ। ସେମାନେ କେବଳ ଆତ୍ମନିର୍ଭରଶୀଳ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବେ ନାହିଁ, ସେମାନଙ୍କର ସାମାଜିକ ଦାୟିତ୍ୱବୋଧ ମଧ୍ୟ ବଢ଼଼ିବ।

ବିଜେଡି ଇସ୍ତାହାରରେ ଏଥର ଆଉ କେତେକ ଭଲ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି। ଉପଭୋକ୍ତାମାନଙ୍କୁ ମାସିକ ୧୦୦ ୟୁନିଟ୍‌‌ ପର୍ଯ୍ୟନ୍ତ ମାଗଣା ବିଜୁଳି, ‘ନୂଆ ଓ’ ଛାତ୍ରବୃତ୍ତି ପରିମାଣ ବୃଦ୍ଧି, ଯୁବବର୍ଗଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍‌‌, ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟ ପାଇଁ ୧୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ନିର୍ମାଣ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଠିକା କର୍ମଚାରୀ, ସରକାରୀ କର୍ମଚାରୀ ଓ ମଧ୍ୟବିତ୍ତ ବର୍ଗଙ୍କୁ ସାମିଲ ଇତ୍ୟାଦି। ନବୀନବାବୁ କଥା ଅପେକ୍ଷା କାମରେ ଅଧିକ ବିଶ୍ୱାସ କରନ୍ତି। ସେ ଥରେ ଯେଉଁ ସଂକଳ୍ପ ନିଅନ୍ତି, ତାହାକୁ ଅଚିରେ ଯେ ପୂରଣ କରନ୍ତି ଏ ଅଭିଜ୍ଞତା ଓଡ଼ିଶାବାସୀଙ୍କର ରହିଛି। ଏଥର ନିର୍ବାଚନରେ ସେ ‘ମିଶନ ଶକ୍ତି’ର ମହିଳା, ଯୁବବର୍ଗ, ସାଧାରଣ ଜନତାଙ୍କ ସୁଖ ସୁବିଧା ପାଇଁ ଯେଉଁ ସଂକଳ୍ପ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଛନ୍ତି, ତାହା ସ୍ୱାଗତଯୋଗ୍ୟ। ନିର୍ବାଚନରେ ସଫଳତା ପାଇଁ ଆସନ୍ତା ସମୟ ପାଇଁ ନିଆଯାଇଥିବା ପ୍ରତିଶ୍ରୁତି ଜନାଦେଶକୁ ଯେତିକି ପ୍ରଭାବିତ କରେ, ବିଗତ ଶାସନ କାଳମାନଙ୍କରେ ରାଜନୈତିକ ଦଳର କାର୍ଯ୍ୟର ରେକର୍ଡ ସମ ପରିମାଣରେ ଭୋଟରମାନଙ୍କୁ ପ୍ରଭାବିତ କରେ। ଓଡ଼ିଶାର ବହୁ ପ୍ରଶଂସିତ ‘ମିଶନ୍‌‌ ଶକ୍ତି’ କାର୍ଯ୍ୟକ୍ରମ ଏହିଭଳି ଏକ ଯୁଗ ପ୍ରବର୍ତ୍ତକ ଅଭିଯାନ। ସମକାଳୀନ ଓଡ଼ିଶାର ଅନେକଗୁଡ଼ିଏ ‘ସ୍ମାର୍ଟ’ ପରିଚୟ ମଧ୍ୟରେ ‘ମିଶନ ଶକ୍ତି’ ଅନ୍ୟତମ। ଶାସକ ବିଜେଡି ଦଳର ସଦ୍ୟତମ ନିର୍ବାଚନ ଇସ୍ତାହାରରେ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ପାଇବା ଦ୍ୱାରା ‘ମିଶନ୍‌‌ ଶକ୍ତି’ ଆଧୁନିକ ଓଡ଼ିଶା ବିକାଶର ଏକ ବିଶିଷ୍ଟ ଅକ୍ଷପଥ ହୋଇ ଉଭା ହେବ।

About The Author

ରାଶିଫଳ

ସମ୍ବନ୍ଧିତ ଖବର