ଓଡ଼ିଆ ଭାଷାକୁ ଲୋକସଂସ୍କୃତିର ଅବଦାନ

The Sakala Picture
Published On

ଯାହା କୁହାଯାଏ ତାହା ଭାଷା। ଯାହା ଲେଖାଯାଏ ତାହା ସାହିତ୍ୟ। ଯାହା କୁହାଯାଏ ଏବଂ ଲେଖାଯାଏ ତାହା ଲୋକକଥା। ଲୋକକଥାର ଜନ୍ମଦାତା ଲୋକକଳା, ଯାହା ଭାଷା ଓ ସାହିତ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଉଭୟକୁ ରୁଦ୍ଧିମନ୍ତ କରେ। ଲୋକକଳାର ଲିଖିତ ସାହିତ୍ୟ କଥିତ ଭାଷାକୁ ମାର୍ଜିତ କରେ ଏବଂ କଥିତ ଭାଷାରେ ବ୍ୟବହୃତ ଶବ୍ଦାବଳୀ ଲିଖିତ ସାହିତ୍ୟକୁ ଆଦରଣୀୟ କରେ। ଓଡ଼ିଶାରେ ବିଭିନ୍ନ ଲୋକକଳା ଯଥା ଯାତ୍ରା, ଅଭିନୟ, ପାଲା, ଦାସକାଠିଆ, ଗୀତିନାଟ୍ୟ, କଣ୍ଢେଇ ନାଚ, […]

ଯାହା କୁହାଯାଏ ତାହା ଭାଷା। ଯାହା ଲେଖାଯାଏ ତାହା ସାହିତ୍ୟ। ଯାହା କୁହାଯାଏ ଏବଂ ଲେଖାଯାଏ ତାହା ଲୋକକଥା। ଲୋକକଥାର ଜନ୍ମଦାତା ଲୋକକଳା, ଯାହା ଭାଷା ଓ ସାହିତ୍ୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଉଭୟକୁ ରୁଦ୍ଧିମନ୍ତ କରେ। ଲୋକକଳାର ଲିଖିତ ସାହିତ୍ୟ କଥିତ ଭାଷାକୁ ମାର୍ଜିତ କରେ ଏବଂ କଥିତ ଭାଷାରେ ବ୍ୟବହୃତ ଶବ୍ଦାବଳୀ ଲିଖିତ ସାହିତ୍ୟକୁ ଆଦରଣୀୟ କରେ। ଓଡ଼ିଶାରେ ବିଭିନ୍ନ ଲୋକକଳା ଯଥା ଯାତ୍ରା, ଅଭିନୟ, ପାଲା, ଦାସକାଠିଆ, ଗୀତିନାଟ୍ୟ, କଣ୍ଢେଇ ନାଚ, ଚଇତି ଘୋଡ଼ା ନାଚ, ସୁଆଙ୍ଗ, କେନ୍ଦରା ଗୀତ, ଖଞ୍ଜଣି ଭଜନ, ଇତ୍ୟାଦି ପିଢ଼ି ପିଢ଼ି ଧରି ଓଡ଼ିଆ ସାହିତ୍ୟର ସୃଷ୍ଟି, ସ୍ଥିତି ଓ ବିକାଶରେ ଏକ ବଳିଷ୍ଠ ମାଧ୍ୟମ ହୋଇ ରହିଆସିଛି। ନିମ୍ନରେ ସେଥିରୁ କେତୋଟିର ଅବତାରଣା କରାଗଲା, ଯାହା ଏବେବି ଲୋକପ୍ରିୟ ହୋଇ ରହିଛି।
ଯାତ୍ରା: ଆଗେ ଯାତ୍ରା ବହିର ଲେଖକ ବା ନାଟ୍ୟକାରମାନେ ଅଳ୍ପଶିକ୍ଷିତ ହୋଇଥିଲେ ମଧ୍ୟ ସେମାନଙ୍କର କଥାବସ୍ତୁ ଚୟନ, ଶବ୍ଦ ସଂଯୋଜନା ଓ ସଂଳାପ ରଚନା ତଥା କଳାକାରମାନଙ୍କର ଆକର୍ଷଣୀୟ ଉଚ୍ଚାରଣ ଶୈଳୀ (ଡାଇଲଗ୍‌‌) ଏତେ ଉଚ୍ଚକୋଟୀର ଥିଲା ଯେ ଦର୍ଶକମାନେ ସେ ସବୁର ଅର୍ଥ ନ ବୁଝି ବି ଶୁଣୁ ଶୁଣୁ ମନେ ରଖି ଦେଉଥିଲେ ଏବଂ ନିତିଦିନିଆ କଥାବାର୍ତ୍ତାରେ ବ୍ୟବହାର କରୁଥିଲେ। ଉଦାହରଣ ସ୍ୱରୂପ, ‘କେ ଅଛରେ, ଦୌବାରିକ! ଅବିଳମ୍ୱେ ଅର୍ବାଚୀନେ ଅନ୍ଧକୂପେ କର ନିକ୍ଷେପଣ’, ‘ବିନା ଯୁଦ୍ଧେ ଦେବି ନାହିଁ ସୁଚ୍ୟଗ୍ର ମେଦିନୀ’, ‘ଧର ଅସ୍ତ୍ର, କର ରଣ’ ଇତ୍ୟାଦି।

ପାଲା: ପାଲାର ଗାୟକମାନେ ବି ପ୍ରାୟ ଉଚ୍ଚଶିକ୍ଷିତ ନ ଥିଲେ; କିନ୍ତୁ ଓଡ଼ିଆ ଓ ସଂସ୍କୃତ ସାହିତ୍ୟରେ ତଥା ପୁରାଣ ଶାସ୍ତ୍ରରେ ସେମାନଙ୍କର ଏତେ ଅଗାଧ ଜ୍ଞାନ ଥିଲା ଯେ ଉଚ୍ଚଶିକ୍ଷିତମାନେ ବି ତାଙ୍କ ବ୍ୟାଖ୍ୟା, ବିଶ୍ଲେଷଣ, ଉପସ୍ଥାପନାରେ ଚକିତ ହୋଇ ଯାଉଥିଲେ। ଏପରିକି ସେମାନଙ୍କର ଜ୍ଞାନଗରିମା ବିଷୟରେ ଜାଣିବା ପାଇଁ ଉତ୍କଳର ପ୍ରଜ୍ଞାପୀଠ ରେଭେନ୍ସା କଲେଜକୁ ସେମାନଙ୍କୁ ଆମନ୍ତ୍ରିତ କରାଯାଉଥିଲା। ଛୋଟ ଛୋଟ କଥା ଯଥା ନାରୀର କେଶବିନ୍ୟାସ ଭଳି ସାମାନ୍ୟ କଥାକୁ ବିଭିନ୍ନ ଶାସ୍ତ୍ର, ଗ୍ରନ୍ଥ ଓ କବିତାରୁ ଉଦ୍ଧୃତି ଓ ଉଦାହରଣମାନ ଦେଇ ସେମାନେ ଘଣ୍ଟା ଘଣ୍ଟା ଧରି ଏପରି ଢଙ୍ଗରେ ପରିବେଷଣ କରନ୍ତି ଯେ ଶୁଣୁଥିବା ଲୋକ ଚକିତ ହୋଇଯାନ୍ତି। ‘ଦିନେ ଝଞ୍ଜା ବଳେ ପତଙ୍ଗ ପଡ଼ିଲେ’ – ଅର୍ଥାତ୍‌‌ ଦିନେ ପବନ ଆଘାତରେ ପତଙ୍ଗଟିଏ ତଳେ ପଡ଼ି ଯିବାରୁ ତାକୁ ଖାଇବା ପାଇଁ ଗୋଟିଏ ବେଙ୍ଗ ଆସିଲା, ବେଙ୍ଗକୁ ଖାଇବା ପାଇଁ ସାପଟିଏ ଆସିଲା, ଏହିପରି କ୍ଷୁଦ୍ର ଘଟଣାଟିର ଆରମ୍ଭ ଓ ଶେଷ କିପରି ହେଲା ତା’ର ଦୀର୍ଘ ବର୍ଣ୍ଣନା ଏହାର ଅନ୍ୟ ଏକ ଉଦାହରଣ। ସେହିପରି ହାସ୍ୟୋଦ୍ଦୀପକ ଘଟଣା ଯଥା ଦାମ୍ପତ୍ୟ କଳହର ସହଜ ସମାଧାନ, ପଡ଼ୋଶୀ ଘରୁ କିଛି ଜିନିଷ ମାଗିବାର କୌଶଳ ଇତ୍ୟାଦିକୁ ସେମାନେ ଖୁବ୍‌‌ ସୁନ୍ଦର ଢଙ୍ଗରେ ବର୍ଣ୍ଣନା କରି ବାହା ବାହା ପାଆନ୍ତି। ପାଲା ଆରମ୍ଭ ଓ ଶେଷରେ ଆଶୁକବିର ପରିଚୟ ଦିଅନ୍ତି। ବାଦି ପାଲାରେ ପ୍ରଶ୍ନୋତ୍ତର ଛଳରେ ତାତ୍କାଳିକ ଜ୍ଞାନର ପରାକାଷ୍ଠା ଦେଖାନ୍ତି। ଯେପରି – ‘କିଏ ଦେଖି ମଲା, କିଏ ନ ଦେଖି ମଲା, କିଏ ଦେଇ ମଲା, କିଏ ନ ଦେଇ ମଲା, କିଏ ମାନି ମଲା, କିଏ ନ ମାନି ମଲା’ ଭଳି ପ୍ରଶ୍ନର ଉତ୍ତର ଖୋଜି ଖୋଜି ଜ୍ଞାନୀମାନେ ବି ଅସହାୟ ହୋଇ ପଡ଼ୁଥିଲା ବେଳେ ପାଲାଗାୟକମାନେ ତତ୍‌‌କ୍ଷଣାତ୍‌‌ ତା’ର ଉତ୍ତର ଦେଇ ଦିଅନ୍ତି।

ଗୀତିନାଟ୍ୟ: ଓଡ଼ିଆ ସାହିତ୍ୟକୁ ଗୀତିନାଟ୍ୟର ଅଶେଷ ଅବଦାନ ରହିଛି। ଏହାର କଥାବସ୍ତୁ ଯେପରି ଲୋକପ୍ରିୟ, ସଂରଚନା ଶୈଳୀ ଯଥା ରୂପ, ରସ, ଛନ୍ଦ, ଅଳଙ୍କାର, ଶ୍ଲେଷ, ଅନୁପ୍ରାସ, ଯମକ, ଯତିପାତ, ସ୍ୱର ସଂଯୋଜନା ସେହିପରି ଉପଭୋଗ୍ୟ। ସାହିତ୍ୟର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ।

ଘୋଡ଼ା ନାଚ: ଚଇତି ଘୋଡ଼ା ନାଚ ବା ଚଢ଼େୟା ଚଢ଼େୟାଣୀ ନୃତ୍ୟର ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଅତୁଳନୀୟ। ଏହି ଲୋକକଳା ମାଧ୍ୟମରେ ଛୋଟ ଘଟଣାଟିକୁ ସାହିତ୍ୟିକ ଢାଞ୍ଚାରେ କିପରି ଦୀର୍ଘକାୟ କରାଯାଏ, ତାହାର ଅନେକ ଦୃଷ୍ଟାନ୍ତ ମିଳେ, ଯେଉଁଥିରୁ ଗୋଟିଏ ହେଉଛି ଶ୍ରୀକୃଷ୍ଣ କୁବ୍‌‌ଜା ମିଳନ। କଂସକୁ ବଧ କଲା ପରେ ନିଜର କଥା ରକ୍ଷା କରି ପ୍ରଭୁ ଶ୍ରୀକୃଷ୍ଣ ଦିନେ ରାତିରେ କୁବ୍‌‌ଜା ଘରକୁ ଗଲେ। ଦରଜାରେ କରାଘାତ କଲାରୁ ଭିତରେ ଥାଇ ଜବାବ୍‌‌ ଦେଲା କୁବୁଜା – ‘କିଏ?’। – ‘ମୁଁ କୃଷ୍ଣ’ – ଉତ୍ତର ଦେଲେ ଶ୍ରୀକୃଷ୍ଣ। ‘କେଉଁ କୃଷ୍ଣ?, ଯାହାଙ୍କ ପାଇଁ ରାଧା ସବୁକିଛି ତ୍ୟାଗ କରିଥିଲେ ତାଙ୍କୁ ପରିତ୍ୟାଗ କରି ଦେଇଥିବା କୃଷ୍ଣ ତ? ସେଭଳି ଲୋକଙ୍କ ଉପରେ ମୋର ଭରସା ନାହିଁ।’ – ପ୍ରତ୍ୟୁତ୍ତର ଦେଲା କୁବ୍‌‌ଜା। ଶ୍ରୀକୃଷ୍ଣ ପୁଣି ନିଜର ଆଉ ଏକ ପରିଚୟ ଦେଇ କହିଲେ – ‘ମୁଁ ବାସୁଦେବ।’ କୁବ୍‌‌ଜା କହିଲା – ‘ବାସୁଦେବ?, ଯାହା ପାଇଁ ନିଜର ପିତାମାତା ବନ୍ଦୀ ହୋଇଥିଲେ? ମୋର ବନ୍ଦୀ ହେବାର ନାହିଁ।’ ‘ଆରେ ମୁଁ ପରା କାହ୍ନା।’ ଏଥର ଶ୍ରୀକୃଷ୍ଣଙ୍କ ଏହି ପରିଚୟରେ କୁବ୍‌‌ଜା କହିଲା – ‘କାହ୍ନା?, ଯିଏ ମାଆ ଭଳି କ୍ଷୀର ଖୋଉଥିବା ପୂତନାର ପ୍ରାଣ ଶୋଷି ନେଇଥିଲେ ? ତାଙ୍କୁ ମୁଁ ବିଶ୍ୱାସ କରିବି? ନା ନା।’ ଏହିପରି ଶ୍ରୀକୃଷ୍ଣ ନିଜର ଯେତେ ଯେତେ ନାମ ଉଚ୍ଚାରଣ କଲେ ପ୍ରତ୍ୟେକକୁ ଯୁକ୍ତି ଛଳରେ କାଟିଦେଲା କୁବ୍‌‌ଜା ଏବଂ ଶେଷରେ ଶ୍ରୀକୃଷ୍ଣଙ୍କୁ ଚାଲି ଯିବାକୁ କହିଲା। ଶେଷକୁ ମାୟାଧର ମାୟା ବିସ୍ତାର କରିଲେ, ‘ଆରେ ସୂର୍ପା! ମତେ ଚିହ୍ନି ପାରୁନୁ? ମୁଁ ପରା ତୋର ରାମ! ଜନସ୍ଥାନର ପଞ୍ଚବଟୀ କଥା ମନେ ପଡୁନି? ଭାଇ, ଭାର୍ଯ୍ୟା ସହିତ ସେଠାରେ ଥିଲା ବେଳେ ଆମର ଯେଉଁ ସାକ୍ଷାତ ହୋଇଥିଲା ସବୁ ଭୁଲି ଗଲୁ? ଯାହାଙ୍କୁ ଏତେ ଚାହୁଁଥିଲୁ ମୁଁ ସେଇ ବନବାସୀ ରାମ। ପୂର୍ବ ଜନ୍ମ କଥା ଟିକେ ମନେ ପକା ତ!’ ହଠାତ୍‌‌ କୁବ୍‌‌ଜାର ମାନସ ପଟରେ ଭାସି ଉଠିଲା ତା’ର ପୂର୍ବଜନ୍ମର ସଂକଳ୍ପ। ଆଉ ସମ୍ଭାଳି ପାରିଲାନି ସେ। ସେହି ମୁହୂର୍ତ୍ତରେ ଦରଜା ଖୋଲି ଦେଇ ପ୍ରଭୁଙ୍କୁ ଆଲିଙ୍ଗନ କରି ନିଜର ଦେହ, ମନ, ହୃଦୟ ସବୁ ସମର୍ପି ଦେଲା। ‘ଏତେ ଦିନ ପରେ ଏ ଦୁଃଖିନୀର କଥା ମନେ ପଡ଼ିଲା ପ୍ରଭୁ?’ – ଘର ଭିତରକୁ ନେଇ ତାଙ୍କ ବକ୍ଷରେ ଆପଣାକୁ ଲୋଟେଇ ଦେଲା।

ସେହିପରି ‘ନାଥ ସାହିତ୍ୟ’ରେ ବର୍ଣ୍ଣିତ ରାଧାଙ୍କର ଦୂତୀ ଭାବରେ ଯାଇଥିବା ବିଶାଖା କୃଷ୍ଣଙ୍କୁ ଭେଟି ସାରି ଫେରିବା ପରେ ତାଙ୍କ ଦେହରେ ପୁରୁଷସଙ୍ଗର ଲକ୍ଷଣଗୁଡ଼ିକୁ ଦେଖି ରାଧା ଯେତେବେଳେ ଗୋଟି ଗୋଟି କରି ତା’ର କାରଣ ପଚାରିଲେ ସେ ପ୍ରତ୍ୟେକକୁ ବିଶାଖା ଚତୁରତାର ସହ ଯେପରି ଭାବରେ ଖଣ୍ଡନ କରିଥିଲେ ସେ ବଚନିକା ଓଡ଼ିଆ ସାହିତ୍ୟରେ ଏକ ଅମୂଲ୍ୟ ରତ୍ନ ହୋଇରହିଛି। ତା’ ଛଡ଼ା ନାଥ(ଯୋଗୀ)ଙ୍କ ମୁହଁର ବୈରାଗ୍ୟ ବ୍ୟଞ୍ଜକ କେନ୍ଦରା ଗୀତ – ଭଜୁକିନା ରାମ ନାମରେ ଗୋବିନ୍ଦ ଭଜୁକିନା ରାମ ନାମ, ଭଜି ନ ପାରିଲେ କୁଳଚନ୍ଦ୍ରମାରେ ବାନ୍ଧି ନେବ କାଳ ଯମ’ କିଏ ବା ମନେ ନ ରଖିଛି? କଣ୍ଢେଇ ନାଚରେ ରାଧାକୃଷ୍ଣଙ୍କର ଲୌକିକ ଭାଷା – ‘ଖରାବେଳେ ମାଇଁ ଯାଇଥିଲ କାହିଁ ମୁହଁରୁ ବହୁଛି ଝାଳ, କି ଉତ୍ତର ଦେବ ପଚାରିଲେ ଘରେ କ୍ଷଣେ ମାତ୍ର ରହି ଭାଳ’। ଖଞ୍ଜଣି ଭଜନରେ – ‘ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା, ଅଠା କାଠି ପଞ୍ଜୁରୀରେ ନଦିଏ ଧରା’ କିମ୍ୱା ‘ଆରେ ସୁଖା ଖଡ୍‌‌ ଖଡ୍‌‌, ମିଛ ମାୟାରେ ପଡ଼ି ହେଉ ଲଡ୍‌‌ ବଡ୍‌‌ ଲଡ୍‌‌ ବଡ୍‌‌’, ଲୋକକଥାରେ – ଟୁଅାଁ ଟୁଇଁ କଥା, ବାଘ ମାମୁଁ କଥା, କଲୁରେଇ ବେଣ୍ଟ କଥା’ ଏବଂ ଲୋକଗୀତରେ – ରଜ ଦୋଳି ଗୀତ, କୁଅାଁର ପୁନେଇ ଗୀତ, ବିଭିନ୍ନ ଓଷା ବାର କଥା; ମେଳା ଯଥା ସାରଦା ମେଳା, ତ୍ରିନାଥ ମେଳା, ପଞ୍ଚାନନ ମେଳା ଇତ୍ୟାଦିଠାରୁ ବିଭିନ୍ନ ପ୍ରକାରର ବାହୁନା ସମ୍ୱଳିତ କାନ୍ଦଣା ଯାଏଁ, ନାନାବାୟା ଗୀତ – ‘ଧୋ ରେ ବାୟା ଧୋ, ଯୋଉ କିଆରୀରେ ଗହଳ ମାଣ୍ଡିଆ ସେଇ କିଆରିରେ ଶୋ’; ଡାମରା କାଉରେ ଡାମରା କାଉ ଉଁଚ ପରବତେ ବୋବାଉ ଥାଉ’ ତଥା ‘କହଲୋ ଶାରୀ କହରେ ଶୁଆ, କା ହାତରେ ଅଛି ନିଦା ଗୁଆ, ଠକ ଠକ ଠକରା ତିନିମୁଣ୍ଡ ଦଶ ଗୋଡ଼ କହି ଦବୁଟିରେ ମକରା’ ଭଳି ଧନ୍ଦାଗୀତ ଇତ୍ୟାଦି ପ୍ରତ୍ୟେକ ବିଭାବର ଓଡ଼ିଆ ସାହିତ୍ୟ ପ୍ରତି ଥିବା ଅବଦାନ କେତେ ମହାନ୍‌‌ ତାହା କେବଳ ଅନୁଭୂତିର କଥା।

ଏହିଭଳି ଏକ ଅନୁଭୁତି ହେଲା ଅନେକ ବର୍ଷ ତଳେ ନିରକ୍ଷର ମହିଳାମାନେ ବିଦେଶରେ ଥିବା ନିଜର ପତିଙ୍କ ନିକଟକୁ ଅନ୍ୟ ଦ୍ୱାରା ଲେଖାଉଥିବା ଚିଠିର ଏକ ଦୃଷ୍ଟାନ୍ତ – ‘ଜାଣିବ, ତୁମେ ଯେଉଁ ଗଛଟି ପୋତିଦେଇ ଯାଇଥିଲ ସେଥିରେ କସି ଧରିଛି(ଗର୍ଭବତୀ ହେବା)’ କିମ୍ୱା ‘ଶିଶିରେ କି ଫୁଟେ ଫୁଲ ବିନା ବରଷଣେ ଚିଠିରେ କି ଭୁଲେ ମନ ବିନା ଦରଶନେ’ ଇତ୍ୟାଦି।

ଏ ସମସ୍ତ ବିଭାବର ବୈଶିଷ୍ଟ୍ୟ ହେଲା ପ୍ରତ୍ୟେକେ ସାହିତ୍ୟ ଓ ଭାଷାର ପରସ୍ପର ପରିପୂରକ, ଯାହାର ପ୍ରଭାବ ଏତେ ଶକ୍ତିଶାଳୀ ଯେ ତାହା ଲିଖିତ ଭାଷାକୁ(ରିଟେନ୍‌‌ ଡାଇଲେକ୍ଟ୍‌‌) କଥିତ ଭାଷାରେ(କଲୋକାଲ୍‌‌ ଲାଙ୍ଗୁଏଜ୍‌‌) ଏବଂ କଥିତ ଭାଷାକୁ ଲିଖିତ ଭାଷାରେ ପରିଣତ କରିଦିଏ। ଉଭୟ ପ୍ରକାର ଭାଷାର ସମନ୍ୱୟ ହିଁ ଲୋକପ୍ରିୟ ସାହିତ୍ୟ।

ଅଲେଖ ଚନ୍ଦ୍ର ମିଶ୍ର
ଭୁବନେଶ୍ୱର, ମୋ: ୯୪୩୮୬୭୩୮୯୮

About The Author

ରାଶିଫଳ

ସମ୍ବନ୍ଧିତ ଖବର