ମନୋରଞ୍ଜନ
ଚଳିତ ନିର୍ବାଚନରେ ଏ.ଆଇ ର ସୀମିତ ପ୍ରଭାବ

ଭାରତରେ ଆରମ୍ଭ ହୋଇସାରିଥିବା ସାତପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ୨୦୨୪ ପ୍ରାକ-ନିର୍ବାଚନ ପ୍ରଚାର ଅଭିଯାନରେ କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବା ‘ଏଆଇ’ ବ୍ୟାପକ ବ୍ୟବହାର ହୋଇଥିଲା। କିନ୍ତୁ ଏହା ନିର୍ବାଚନରେ ଯେଉଁ ପ୍ରଭାବ ପକାଇବ ବୋଲି ଆକଳନ କରାଯାଇଥିଲା, ତାହା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେଉ ନ ଥିବା ଲକ୍ଷ୍ୟ କରାଯାଇଛି। ନିର୍ବାଚନୀ ପ୍ରଚାରରେ ଏଆଇ ଉପଯୋଗ ମୁଖ୍ୟତଃ ‘ଡିପ୍ଫେକ’ ବୈଷୟିକ କୌଶଳରେ ପ୍ରସ୍ତୁତ ନକଲି ଭିଡିଓ ଓ ଅଡିଓ ଅପପ୍ରଚାରର ମୁଖ୍ୟ ସାଧନ ହେବ ବୋଲି […]
ଭାରତରେ ଆରମ୍ଭ ହୋଇସାରିଥିବା ସାତପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ୨୦୨୪ ପ୍ରାକ-ନିର୍ବାଚନ ପ୍ରଚାର ଅଭିଯାନରେ କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବା ‘ଏଆଇ’ ବ୍ୟାପକ ବ୍ୟବହାର ହୋଇଥିଲା। କିନ୍ତୁ ଏହା ନିର୍ବାଚନରେ ଯେଉଁ ପ୍ରଭାବ ପକାଇବ ବୋଲି ଆକଳନ କରାଯାଇଥିଲା, ତାହା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେଉ ନ ଥିବା ଲକ୍ଷ୍ୟ କରାଯାଇଛି। ନିର୍ବାଚନୀ ପ୍ରଚାରରେ ଏଆଇ ଉପଯୋଗ ମୁଖ୍ୟତଃ ‘ଡିପ୍ଫେକ’ ବୈଷୟିକ କୌଶଳରେ ପ୍ରସ୍ତୁତ ନକଲି ଭିଡିଓ ଓ ଅଡିଓ ଅପପ୍ରଚାରର ମୁଖ୍ୟ ସାଧନ ହେବ ବୋଲି ଆଶଙ୍କା ନିର୍ବାଚନ ବର୍ଷ ଆରମ୍ଭରୁ ଘନୀଭୂତ ହୋଇଥିଲା। ବିଶ୍ୱ ଅର୍ଥନୀତି ମଞ୍ଚ ‘ୱାଲର୍ଡ ଇକନୋମିକ ଫୋରମ’ ପକ୍ଷରୁ ଡାଭୋସ୍ ଠାରେ ଆୟୋଜିତ ସମ୍ମିଳନୀରେ ପ୍ରକାଶିତ ‘ଗ୍ଳୋବାଲ ରିସ୍କ ରିପୋର୍ଟ ୨୦୨୪’ ଅନୁଯାୟୀ, ଆଗାମୀ ଦଶନ୍ଧିରେ ବିଶ୍ୱବ୍ୟାପୀ ସମସ୍ୟା ତାଲିକାରେ ବିସମ୍ୱାଦ(ମିସ ଆଣ୍ଡ ଡିସ-ଇନଫରମେସନ)କୁ ସର୍ବାଗ୍ରେ ସ୍ଥାନିତ କରାଯାଇଥିଲା। ବିସମ୍ୱାଦ ଦ୍ୱାରା ଆକ୍ରାନ୍ତ ରାଷ୍ଟ୍ର ତାଲିକାରେ ଭାରତ ଶୀର୍ଷ ସ୍ଥାନରେ ରହିଛି। କିନ୍ତୁ ବିଭିନ୍ନ ଉପାୟରେ ସମ୍ଭାବ୍ୟ ବିପଦକୁ ଏଡ଼ାଇ ଦିଆଯାଇ ପାରିଥିବା ଆଶ୍ୱସ୍ତିର ବିଷୟ।
ଏକ ସୂଚନା ଅନୁସାରେ ଭାରତରେ ସାଧାରଣ ନିର୍ବାଚନ ୨୦୨୪ରେ ଏଆଇ ଦୁରୁପଯୋଗ ଆଶଙ୍କା ଦୂର ହେବା ପଛରେ ଯେଉଁ ପ୍ରମୁଖ କାରଣ ରହିଛି, ତାହା ହେଉଛି ଏଆଇ ବୈଷୟିକ କୌଶଳ ପ୍ରଭାବଶାଳୀ ମାତ୍ରାରେ ବିକଶିତ ହୋଇପାରିନାହିଁ। ଆବଶ୍ୟକ ସଂଖ୍ୟକ ତାଲିମପ୍ରାପ୍ତ ବିଶେଷଜ୍ଞଙ୍କ ଅଭାବ ମଧ୍ୟ ଏଆଇ କ୍ଷେତ୍ରରେ ରହିଛି। ଅପରପକ୍ଷରେ ଯେଉଁ ସଂସ୍ଥାଗୁଡ଼ିକ ଏଆଇ କ୍ଷେତ୍ରରେ ଅଗ୍ରଣୀ, ସେମାନେ ନିର୍ବାଚନ ପ୍ରଚାର/ଅପପ୍ରଚାରରେ ସେତେଟା ମନୋନିବେଶ କରୁନାହାନ୍ତି। କାରଣ ପାଞ୍ଚବର୍ଷରେ ଥରେ ଆସୁଥିବା ନିର୍ବାଚନ ପାଇଁ ନିବେଶରୁ ବିଶେଷ ଆର୍ଥିକ ଲାଭ ସମ୍ଭବ ନୁହେଁ। ନିୟମିତ ଭାବେ ଯେଉଁ ନିର୍ଭରଶୀଳ ବ୍ୟାବସାୟିକ କାର୍ଯ୍ୟରେ ସେମାନେ ସମ୍ପୃକ୍ତ, ସେଥିରୁ ସାମୟିକ ଭାବେ ଓହରିବା ନିମନ୍ତେ ସେମାନେ ଅନିଚ୍ଛୁକ। ଏତଦ୍ବ୍ୟତୀତ ଦେଶର ପ୍ରଦ୍ୟୋଗିକ ଆଇନ ସଶକ୍ତ ଓ ଦଣ୍ଡବିଧାନ କଠୋର ଥିବା ହେତୁ ନିର୍ବାଚନ କାର୍ଯ୍ୟରେ ହାତ ଦେଇ ଆଇନଗତ ଜଞ୍ଜାଳରେ ପ୍ରତିଷ୍ଠିତ ସଂସ୍ଥାମାନେ ପଶିବାକୁ ଅମଙ୍ଗ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ଏବଂ ଟେକ କମ୍ପାନୀଗୁଡ଼ିକୁ ଡିପଫେକ ପ୍ରସାରଣରେ ସତର୍କ ରହିବା ନିମନ୍ତେ ତାଗିଦ ପ୍ରକାରନ୍ତେ ରାଜନୈତିକ ଅପପ୍ରଚାରରେ ଏଆଇ ଉପଯୋଗରେ ରୋକ ଲଗାଇବାରେ ସମର୍ଥ ହୋଇଥିବା ଅନୁମାନ କରାଯାଏ। ଫଳରେ ତଳସ୍ତରରେ ପ୍ରସ୍ତୁତ ନିର୍ବାଚନ ପ୍ରଚାର ବିଷୟବସ୍ତୁରେ ଏଆଇର ଯେଉଁ କାଁ ଭାଁ ଉପଯୋଗ ହେଉଛି ତାହା ଗୁଣାତ୍ମକ ଦୃଷ୍ଟିରୁ ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ଏଆଇ ପ୍ରଯୁକ୍ତି କୌଶଳ ପାଶ୍ଚାତ୍ୟ ସଭ୍ୟତା-କୈନ୍ଦ୍ରିକ ରୂପରେ ବିକାଶ ଲାଭ କରିଥିବା ହେତୁ ଭାରତୀୟ ସଂସ୍କୃତିରେ ଠିକ୍ ରୂପେ ଖାପ ଖାଇପାରୁନାହିଁ। ଉଦାହରଣସ୍ୱରୂପ, ଡିପଫେକ ବୈଷୟିକ କୌଶଳ ଉପଯୋଗରେ କୌଣସି ଭାରତୀୟ ବ୍ୟକ୍ତିର ମୁଖମଣ୍ଡଳର ନକଲ ପ୍ରସ୍ତୁତ କଲେ ସନ୍ତୋଷଜନକ ପ୍ରତିରୂପ ପ୍ରସ୍ତୁତିରେ ସମସ୍ୟା ଦେଖା ଦେଉଛି।
ନିର୍ବାଚନ ପ୍ରଚାରରେ ଏଆଇର ପ୍ରୟୋଗ ସ୍ଥାନୀୟ ଭୋଟରମାନଙ୍କୁ କେଉଁମାତ୍ରାରେ ପ୍ରଭାବିତ କରୁଛି, ତାହା ଚଳିତ ସାଧାରଣ ନିର୍ବାଚନରେ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରି ନାହିଁ। ଫଳରେ ରାଜନୈତିକ ଦଳ ଓ ପ୍ରର୍ଥୀମାନେ ଏଆଇ ପ୍ରଚାରକୁ ଭରସା କରିପାରୁନାହାନ୍ତି। ହୁଏତ ସାଧାରଣ ନିର୍ବାଚନ ୨୦୨୪ର ପ୍ରଚାର ଅଭିଯାନରେ ସୀମିତ ମାତ୍ରାରେ ଏଆଇ ପ୍ରୟୋଗର ଫଳାଫଳ ଭବିଷ୍ୟତ ନିର୍ବାଚନଗୁଡ଼ିକରେ ସମ୍ପ୍ରସାରଣରେ ସହାୟକ ହୋଇପାରେ। ମୁଖ୍ୟତଃ ଏଆଇ ବୈଷୟିକ କୌଶଳରେ ଭାରତ-କୈନ୍ଦ୍ରିକ ତଥ୍ୟାବଳୀ(ଡାଟାସେଟ) ଦ୍ୱାରା ତାଲିମପ୍ରାପ୍ତ ହେବା ପରେ ଡିପଫେକ ଉତ୍ପାଦ ପ୍ରସ୍ତୁତିରେ ଗୁଣାତ୍ମକ ବିକାଶ ସମ୍ଭବ।
ନିର୍ବାଚନ ପ୍ରଚାର ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଢେର ଅଧିକ ଥିବା ହେତୁ ଏଠାରେ ଅନଲାଇନ ଅପରାଧିକ କାରବାରରେ ବିପର୍ଯ୍ୟୟ ଆଶଙ୍କା ଅଧିକ। ଏହି କାରଣରୁ ସତର୍କତା ଜରୁରୀ। ଟେକ କମ୍ପାନୀ, ମୁଖ୍ୟତଃ ସୋସିଆଲ ମିଡିଆ ମଞ୍ଚ ମାଧ୍ୟମରେ ଡିପଫେକ ପ୍ରସାରଣ ସମ୍ଭାବନା ଅଧିକ ଥିବା କାରଣରୁ କୌଣସି ନକଲି ଅଡିଓ ବା ଭିଡିଓ ଚିହ୍ନଟ ହେବାର ୩୬ ଘଣ୍ଟା ମଧ୍ୟରେ ଅପସାରଣ ନିମନ୍ତେ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୧ରେ ପ୍ରକାଶିତ ନିୟମାବଳୀରେ ଏହି ଦିଗରେ ପର୍ଯ୍ୟାପ୍ତ ସତର୍କତାମୂଳକ ପଦକ୍ଷେପର ପ୍ରାବଧାନ ରହିଛି।
ବିଶ୍ୱବ୍ୟାପୀ ୬୦ରୁ ଊର୍ଦ୍ଧ୍ବ ରାଷ୍ଟ୍ରର ଅର୍ଦ୍ଧେକ ଜନସଂଖ୍ୟା ୨୦୨୪ରେ ନିର୍ବାଚନର ସମ୍ମୁଖୀନ ହେଉଥିବା ଏବଂ ପରିବର୍ତ୍ତିତ ପରିବେଶରେ ନିର୍ବାଚନ ପ୍ରଚାରରେ ସାମାଜିକ ଗଣମାଧ୍ୟମ ପ୍ରମୁଖ ମାଧ୍ୟମ ପାଲଟୁଥିବା ହେତୁ ଟେକ କମ୍ପାନୀଗୁଡ଼ିକ ସତର୍କତା ଅବଲମ୍ୱନ କରିଛନ୍ତି। ଭାରତୀୟ ନିର୍ବାଚନ ଅପପ୍ରଚାର କ୍ଷେତ୍ରରେ ଆଗୁଆ ଥିବା ଏବଂ ବିଶୃଙ୍ଖଳା ପୂର୍ବାନୁମାନ ଆଧାରରେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ କଠୋର ପଦକ୍ଷେପ ନେଇଥିଲେ। ଉଦାହରଣସ୍ୱରୂପ ୨୦୨୩ରେ ଅନୁଷ୍ଠିତ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ‘ୟୁଟ୍ୟୁବ’ ପକ୍ଷରୁ ୭୩ ଲକ୍ଷ ବିଜ୍ଞାପନ ଭିଡିଓ ହଟାଇ ଦିଆଯାଇଥିଲା। ତେଣୁ ୟୁଟ୍ୟୁବ ସହ ଫେସବୁକ ଓ ହ୍ୱାଟସଆପ ମଞ୍ଚରେ ପ୍ରଦର୍ଶିତ ଯେକୌଣସି ଭିଡିଓରେ ଏଆଇ ଉପଯୋଗ ହୋଇଥିଲେ ତାହା ସ୍ୱୀକାରୋକ୍ତି ମାଧ୍ୟମରେ ପ୍ରଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି। ଫେସବୁକ ପକ୍ଷରୁ ଓଡ଼ିଆ ସମେତ ୧୬ ଗୋଟି ଆଞ୍ଚଳିକ ଭାଷାରେ ନିଜସ୍ୱ ମଞ୍ଚରେ ପ୍ରଦର୍ଶିତ ପୋଷ୍ଟଗୁଡ଼ିକର ସତ୍ୟତା ପରଖିବା ନିମନ୍ତେ ବ୍ୟବସ୍ଥା(ଫାକ୍ଟଚେକ) ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।
ଅବଶ୍ୟ ନିର୍ବାଚନୀ ପ୍ରଚାରରେ ଏଆଇର ସମୁଚିତ ପ୍ରୟୋଗ କ୍ଷେତ୍ରରେ ପରୀକ୍ଷାନିରୀକ୍ଷା ଜାରି ରହିଛି। ଜାତୀୟ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଭାରତୀୟ ଜନତା ପାର୍ଟି ଏହି ଦିଗରେ ଆଗୁଆ ରହିଥିବା ଜଣାଯାଏ। ଡିସେମ୍ୱର ୨୦୨୩ରେ ବାରଣାସୀଠାରେ ଆୟୋଜିତ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ହିନ୍ଦୀ ଭାଷଣ ତତ୍କ୍ଷଣାତ ତାମିଲ ଭାଷାରେ ଅନୂଦିତ ହୋଇ ପ୍ରସାରଣର ବ୍ୟବସ୍ଥା କରାଯାଇଥିଲା। ଭାରତ ସରକାରଙ୍କ ଦ୍ୱାରା ବିକଶିତ ଏଆଇ ଅନୁବାଦ ପ୍ରଯୁକ୍ତି କୌଶଳ ‘ଭାଷୀଣୀ’ ଉପଯୋଗରେ ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଭାଷଣଗୁଡ଼ିକ ଓଡ଼ିଆ ସମେତ ବଙ୍ଗଳା, ତାମିଲ, ମାଲାୟାଲାମ୍ ଇତ୍ୟାଦି ଭାଷାରେ ଭାରତୀୟ ଜନତା ପାର୍ଟିର ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ। କଂଗ୍ରେସ ପକ୍ଷରୁ ଅନୁରୂପ ଭାଷଣ ଅନୁବାଦ ଉଦ୍ୟମ କରାଯାଉଥିବା ବେଳେ ପଶ୍ଚିମବଙ୍ଗରେ ସିପିଆଇ (ଏମ) ପକ୍ଷରୁ ସାମାଜିକ ଗଣମାଧ୍ୟମ ଭିଡିଓ ପ୍ରସ୍ତୁତି ଲାଗି ଏଆଇ ଉପଯୋଗ ହେଉଥିବା ଜଣାଇଥିଲା। ତେଲଙ୍ଗାନା ବିଧାନସଭା ନିର୍ବାଚନ ବେଳେ ୩୦ ନଭେମ୍ୱର ୨୦୨୩ ପ୍ରଭାତରେ ଭୋଟ ଗ୍ରହଣ ଆରମ୍ଭ ହେବା ପରେ ସାତସେକେଣ୍ଡ ବିଶିଷ୍ଟ ଏକ ଭିଡିଓ କ୍ଳିପ ଭାଇରାଲ ହୋଇଥିଲା। ସାମାଜିକ ଗଣମାଧ୍ୟମ ମଞ୍ଚ ‘ଏକ୍ସ’ ଓ ‘ହ୍ୱାଟସଆପ’ରେ ଶାସକ ଦଳର ମୁଖ୍ୟମନ୍ତ୍ରୀ ପ୍ରମୁଖ ବିରୋଧୀ ଦଳକୁ ଭୋଟ ଦେବା ଲାଗି ଅନୁରୋଧ କରିଥିବା ‘ଡିପଫେକ’ ପ୍ରସାରଣ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଦଳ ପକ୍ଷରୁ ଏହାର ପ୍ରତିବାଦ ବା ପ୍ରତିରୋଧ କରିବା ନିମନ୍ତେ ସମୟ ନଥିଲା। ଏହି ପୋଷ୍ଟଟି ପାଞ୍ଚ ଲକ୍ଷ ଦର୍ଶକ ଦେଖିଥିବା ହିସାବ କରାଯାଇଥିଲା। ସେହିପରି ଗୁଜରାଟରେ ନଭେମ୍ୱର ୨୦୨୩ ବିଧାନସଭା ନିର୍ବାଚନ ଅବସରରେ ପୁଷ୍କର-କୈନ୍ଦ୍ରିକ ‘ଦି ଇଣ୍ଡିଆନ ଡିପଫେକର’ ଏଜେନ୍ସି ମାଧ୍ୟମରେ ଶାସକ ମୁଖ୍ୟମନ୍ତ୍ରୀଙ୍କ ସ୍ୱର ନକଲ(କ୍ଳୋନ) କରାଯାଇ ଭୋଟରମାନଙ୍କ ନାମ ସମ୍ବୋଧନରେ ନିର୍ବାଚନୀ ବାର୍ତ୍ତା ‘ହ୍ୱାଟସଆପ’ ମଞ୍ଚରେ ବାର୍ତ୍ତା ଆକାରରେ ପ୍ରେରଣ କରାଯାଇଥିଲା। ସେହି ସଂସ୍ଥା ପକ୍ଷରୁ ସିକିମର ମୁଖ୍ୟମନ୍ତ୍ରୀଙ୍କ ‘ହାଲୋଗ୍ରାମ’ ପ୍ରତିଛବି ପ୍ରସ୍ତୁତ କରି ଏକାଦିକ୍ରମେ ଏକାଧିକ ସ୍ଥାନରେ ଭୋଟରଙ୍କୁ ଉଦବୋଧନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ୨୦୨୦ ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ନେତା ତଥା ଟେଲିଭିଜନ ତାରକା ମନୋଜ ତିୱାରୀଙ୍କ ହିନ୍ଦୀ ଭାଷଣ ଏଆଇ ଉପଯୋଗରେ ହରିଆଣା ଓ ଇଂରାଜୀ ଭାଷାକୁ ଅନୁବାଦ ତଥା ତାମିଲନାଡୁ ଡିଏମକେ ଯୁବ ସମାବେଶରେ ପରଲୋକଗତ ନେତା କରୁଣାନିଧିଙ୍କ ସାମ୍ପ୍ରତିକ ପ୍ରସଙ୍ଗରେ ଭାଷଣ ନିର୍ବାଚନୀ ପ୍ରଚାରରେ ଏଆଇ ଉପଯୋଗର ଉଲ୍ଲେଖନୀୟ ଉଦାହରଣ।
ଭାରତୀୟ ସାଧାରଣ ନିର୍ବାଚନ ପ୍ରଚାରରେ ଏଆଇ ଉପଯୋଗ ସୀମିତ ରହିବା ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ ଦେଶର ନିର୍ବାଚନ ପ୍ରଚାର କେନ୍ଦ୍ର ଓ ରାଜ୍ୟ ଉଭୟସ୍ତରରେ ବ୍ୟକ୍ତି-କୈନ୍ଦ୍ରିକ ହୋଇପଡ଼ିଛି। ଫଳରେ ରାଜନୈତିକ ଦଳଗୁଡ଼ିକର କେନ୍ଦ୍ରୀୟ କର୍ମକର୍ତ୍ତାଙ୍କ ନିଷ୍ପତ୍ତି ଉପରେ ନିର୍ବାଚନ ପ୍ରଚାର ନିର୍ଭର କରୁଛି। ଏହି କାରଣରୁ ଅପପ୍ରଚାର ପ୍ରସାର ମଧ୍ୟ ସତର୍କ ବଳୟରେ ରହୁଛି। ତୃଣମୂଳ ସ୍ତରରେ ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ-କୈନ୍ଦ୍ରିକ ପ୍ରଚାର ବିଷୟବସ୍ତୁର ସଂଖ୍ୟା କମ। ଏ କ୍ଷେତ୍ରରେ ଅପପ୍ରଚାରରେ ଡିପଫେକ ବ୍ୟବହାରର ଆଶଙ୍କା ରହିଛି। ତେବେ ପ୍ରସ୍ତୁତ ଊତ୍ପାଦଗୁଡ଼ିକର ଗୁଣବତ୍ତା ନିମ୍ନମାନର ରହୁଥିବା ହେତୁ ଅନେକ କ୍ଷେତ୍ରରେ କେବଳ ଆମୋଦଦାୟକ ଓ ହାସ୍ୟୋଦ୍ଦୀପକ ହେଉଛି। କୁହାଯାଉଛି ଯେ ତୃଣମୂଳ ସ୍ତର ନିର୍ବାଚନ ପ୍ରଚାରରେ ଗୋଟିଏ ପକ୍ଷ ଡିପଫେକ ପ୍ରସ୍ତୁତ କରି ପ୍ରସାର କରିବା ସଙ୍ଗେ ସଙ୍ଗେ ଅପରପକ୍ଷ ଅନୁରୂପ ଉତ୍ପାଦ ଛାଡ଼ିବ। ତେଣୁ ନିର୍ବାଚନର ଶେଷପର୍ଯ୍ୟାୟରେ ଡିପଫେକର ପ୍ରସାର ଘଟିପାରେ।
ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪