ଅସାଧୁ ବଜାର, ନିରୀହ ଉପଭୋକ୍ତା

The Sakala Picture
Published On

ଅସାଧୁ-ବିକ୍ରୟ ହେଉଛି ଗ୍ରାହକ ବା ଉପଭୋକ୍ତାକୁ ଅନ୍ଧାରରେ ରଖି ଜଣେ ଉତ୍ପାଦକ ବା ସେବା ପ୍ରଦାନକାରୀ ଚତୁରତାର ସହ ବା ଠକି ନିଜ ଉତ୍ପାଦ ବା ସେବାକୁ ବିକ୍ରୟ କରିବା ଏବଂ ଗ୍ରାହକଟିଏ ଉକ୍ତ ଦ୍ରବ୍ୟ ଓ ସେବାର ସତ୍ୟାସତ୍ୟ ଅନୁସନ୍ଧାନ ନ କରି ଗ୍ରହଣ କରିନେବା ବା କିଣି ନେବା ହେଉଛି ‘ଅପବ୍ୟୟ’। ବିଶେଷକରି ଆର୍ଥିକ ସେବା କ୍ଷେତ୍ରରେ ଜୀବନ ବୀମା ପଲିସିରେ ଏଭଳି ଅସାଧୁ-ବିକ୍ରୟ ଅଧିକ ହେଉଥିବା ଦେଖାଯାଏ। ଭାରତୀୟ ବୀମା ନିୟାମକ ଓ […]

ଅସାଧୁ-ବିକ୍ରୟ ହେଉଛି ଗ୍ରାହକ ବା ଉପଭୋକ୍ତାକୁ ଅନ୍ଧାରରେ ରଖି ଜଣେ ଉତ୍ପାଦକ ବା ସେବା ପ୍ରଦାନକାରୀ ଚତୁରତାର ସହ ବା ଠକି ନିଜ ଉତ୍ପାଦ ବା ସେବାକୁ ବିକ୍ରୟ କରିବା ଏବଂ ଗ୍ରାହକଟିଏ ଉକ୍ତ ଦ୍ରବ୍ୟ ଓ ସେବାର ସତ୍ୟାସତ୍ୟ ଅନୁସନ୍ଧାନ ନ କରି ଗ୍ରହଣ କରିନେବା ବା କିଣି ନେବା ହେଉଛି ‘ଅପବ୍ୟୟ’। ବିଶେଷକରି ଆର୍ଥିକ ସେବା କ୍ଷେତ୍ରରେ ଜୀବନ ବୀମା ପଲିସିରେ ଏଭଳି ଅସାଧୁ-ବିକ୍ରୟ ଅଧିକ ହେଉଥିବା ଦେଖାଯାଏ। ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣର କଟକଣା ସତ୍ତ୍ବେ ବୀମା କ୍ଷେତ୍ରରେ ଏଭଳି ଅସାଧୁ-ବିକ୍ରୟ ସଂଖ୍ୟା ବଢ଼଼ିବାରେ ଲାଗିଛି। ପ୍ରାଧିକରଣର ବାର୍ଷିକ ବିବରଣୀରୁ ପ୍ରାପ୍ତ ତଥ୍ୟ ଓ ସୂଚନା ଅନୁଯାୟୀ, ବୀମା କମ୍ପାନୀମାନଙ୍କ ବିରୁଦ୍ଧରେ ୨୦୨୨-୨୩ ରେ ଆସିଥିବା ମୋଟ ୧୨୭୩୭୮ଟି ଅଭିଯୋଗ ମଧ୍ୟରୁ ୨୬୧୦୭ଟି ବୀମା ଅସାଧୁ-ବିକ୍ରୟ ସମ୍ବନ୍ଧିତ। ସେହିପରି ରାଷ୍ଟ୍ରାୟତ୍ତ ଓ ଘରୋଇ ବୀମା କମ୍ପାନୀ ବିରୁଦ୍ଧରେ ଆସିଥିବା ଅଭିଯୋଗ ସଂଖ୍ୟା ଯଥାକ୍ରମେ ୨୯୭୮ ଓ ୨୬୧୦୭। ଏଥିରୁ ସ୍ପଷ୍ଟ ଯେ ଘରୋଇ ବୀମା କମ୍ପାନୀଗୁଡ଼ିକରେ ଅଧିକ ସଂଖ୍ୟାରେ ଜୀବନ ବୀମା ପଲିସିର ଅସାଧୁ-ବିକ୍ରୟ ହେଉଛି।

ଗ୍ରାହକମାନଙ୍କ ସୁବିଧା ପାଇଁ ଜୀବନ ବୀମା ପଲିସି ବ୍ୟାଙ୍କ ଶାଖା ମାଧ୍ୟମରେ ବିକ୍ରୟ କରାଯାଉଛି। ନୂଆ ଋଣ ହେଉ, ଲକର ଦେବା ଆଳରେ ହେଉ ବା ଅଧିକ ରିଟର୍ଣ୍ଣ ମିଳିବା ଆଶାର ମିଥ୍ୟା ପ୍ରତିଶ୍ରୁତି ଦେଇ ବୀମା ବିକ୍ରୟ କରାଯାଏ। ଗ୍ରାହକ ନିଜର ସଞ୍ଚିତ ଅର୍ଥକୁ ବ୍ୟାଙ୍କରେ ରଖିଥିବାରୁ ସ୍ୱାଭାବିକ ଭାବେ ବ୍ୟାଙ୍କ କର୍ମଚାରୀଙ୍କ ସହ ସମ୍ପର୍କକୁ ତିକ୍ତ କରିବାକୁ ଚାହେଁନି। ଏଣୁ ଅନେକ ସମୟରେ ବାଧ୍ୟ ହୋଇ ସେମାନଙ୍କର କହିବା ଅନୁଯାୟୀ ନିଜର ଜମା ଟଙ୍କା ନିବେଶ କରିଥାଏ। ପରେ ଜାଣିବାକୁ ପାଏ ଯେ ଜୀବନ ବୀମାରେ ଜରିଆରେ ତା’ର ସଞ୍ଚିତ ଜମା ଅର୍ଥକୁ ଉପଯୁକ୍ତ କ୍ଷେତ୍ରରେ ବିନିଯୋଗ କରାଯାଇନାହିଁ। ଜୀବନ ବୀମା ବିକ୍ରୟ କରିବା ଭୁଲ ନୁହେଁ। କିନ୍ତୁ ବିକ୍ରି ସମୟରେ ବୀମାର ଆବଶ୍ୟକତା, ବୀମାରେ ମିଳୁଥିବା ବିଭିନ୍ନ ସୁବିଧା, ବୀମାର ଭବିଷ୍ୟତ କିସ୍ତି ଦେବା ପାଇଁ ଗ୍ରାହକର ଆର୍ଥିକ ସାମର୍ଥ୍ୟ ଏବଂ ବୀମା ସମ୍ୱନ୍ଧିତ ସମସ୍ତ ତଥ୍ୟ ଓ ସର୍ତ୍ତ ପ୍ରାଞ୍ଜଳ ଭାବେ ଗ୍ରାହକକୁ ବୁଝାଇବା ଦରକାର।

ବ୍ୟାଙ୍କରେ ବୀମା ଅସାଧୁ-ବିକ୍ରୟର ମୁଖ୍ୟକାରଣଗୁଡ଼ିକ ହେଲା, ଅତ୍ୟଧିକ ବ୍ୟବସାୟିକ ଚାପ, କର୍ମଚାରୀଙ୍କୁ ପଦୋନ୍ନତିର ଆଶା, ବିଦେଶ ଭ୍ରମଣର ଲାଳସା ପରି ପ୍ରଲୋଭନ, କର୍ମଚାରୀଙ୍କ ଉପରେ ଅତ୍ୟଧିକ ଚାପ, ସେମାନଙ୍କୁ ଚାକିରିରୁ ବାହାର କରିଦେବାର ଧମକ ଆଦି ଜରିଆରେ ଆଗଧାଡ଼ିର କର୍ମଚାରୀଙ୍କ ଦ୍ୱାରା ଜୀବନ ବୀମା ବିକ୍ରୟ କରାଯାଉ ଥିବାରୁ ଏହାର ଅସାଧୁ-ବିକ୍ରୟ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବୀମାର ଅସାଧୁ-ବିକ୍ରୟ ଦ୍ୱାରା ଗ୍ରାହକକୁ କ୍ଷତି ସହିବାକୁ ପଡ଼େ ଏବଂ ଆର୍ଥିକ ବିକାଶରେ ବିଘ୍ନ ଘଟିଥାଏ। ସେହିପରି ବିଭ୍ରାନ୍ତିକର ବିଜ୍ଞାପନ ମାଧ୍ୟମରେ କୌଣସି ଏକ ଦ୍ରବ୍ୟ ବା ସେବାକୁ ଉଚ୍ଚ ମାନର ବୋଲି ଉପସ୍ଥପନା କରାଯାଏ ଓ ଫଳରେ ଗ୍ରାହକ ଏଥିପ୍ରତି ଆକୃଷ୍ଟ ହୋଇ ଅସାଧୁ-ବିକ୍ରୟର ଶିକାର ହୋଇଥାଏ।

ଅସାଧୁ-ବିକ୍ରୟକୁ ନେଇ ସୁନ୍ଦର କାହାଣୀଟିଏ ଅଛି। – ବିଞ୍ଚଣା ବିକିବା ପାଇଁ ଜଣେ ଲୋକ ସହରର ଗଳି କନ୍ଦିରେ ଡାକି ଡାକି ଚାଲିଥାଏ – ‘ଅଦ୍ଭୁତ ବିଞ୍ଚଣା, ଗୋଟିକୁ ଶହେ ଟଙ୍କା’। ବିକାଳିର ଡାକ ରାଜାଙ୍କ କାନରେ ପଡ଼ିଲା। ସେ ବିକାଳିକୁ ଡାକି ପଚାରିଲେ, ‘କ’ଣ ପାଇଁ ବିଞ୍ଚଣାର ମୂଲ୍ୟ ଶହେ ଟଙ୍କା?’ ବିକାଳି ହାତଯୋଡ଼ି କହିଲା, ‘ହଜୁର! ଏହି ବିଞ୍ଚଣାର ବିଶେଷତ୍ୱ ହେଲା ଏହା ଶହେ ବର୍ଷ ପର୍ଯ୍ୟନ୍ତ କାମ କରିବ।’ ରାଜା କହିଲେ, ‘ଠିକ ଅଛି, ତମ କଥାକୁ ବିଶ୍ୱାସ କରି ବିଞ୍ଚଣାଟିଏ ନେଉଛି। ଯଦି ଏହା ଶହେ ବର୍ଷ ଭିତରେ ଭାଙ୍ଗି ଯାଏ ତେବେ ତମର ମୁଣ୍ଡକାଟ ହେବ।’ ବିକାଳି ଶହେ ଟଙ୍କାରେ ରାଜାଙ୍କୁ ବିଞ୍ଚଣାଟି ବିକି ସେଠାରୁ ଚାଲିଗଲା। ସପ୍ତାହକ ଭିତରେ ବିଞ୍ଚଣାଟି ଭାଙ୍ଗିଗଲା। ରାଜାଙ୍କ ଆଦେଶ ଅନୁଯାୟୀ ବିଞ୍ଚଣା ବିକାଳିକୁ ରାଜାଙ୍କ ଆଗରେ ହାଜର କରାଗଲା। ରାଜା ବିଞ୍ଚଣା ବିକାଳିକୁ କହିଲେ, ‘ତମେ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଚଣା ବିକିଛ। ଶହେ ବର୍ଷ ବଦଳରେ ମାତ୍ର ଦିନ କେଇଟାରେ ବିଞ୍ଚଣାଟି ଭାଙ୍ଗିଗଲା। ଏଥିପାଇଁ ତମକୁ ମୃତ୍ୟୁଦଣ୍ଡ ଦିଆଯିବ।’ ବିକାଳି ନତମସ୍ତକ ହୋଇ କହିଲା, ‘ହଜୁର! ଏହା କେବେ ସମ୍ଭବ ନୁହେଁ। ବିଞ୍ଚଣାଟି ଶହେବର୍ଷରୁ ଅଧିକ ଦିନ ଚାଲିବ। ଦୟାକରି କୁହନ୍ତୁ, ବିଞ୍ଚଣାର ବ୍ୟବହାର କିପରି କରୁଥିଲେ?’ ବିଞ୍ଚଣାକୁ ହାତରେ ଧରି ଯେପରି ଘୂରାଯାଏ ଠିକ ସେହିପରି କରି ରାଜା ବିକାଳିକୁ ଦେଖାଇଲେ। ଏହାଦେଖି ବିକାଳି କହିଲା, ‘ହଜୁର! କ୍ଷମା କରିବେ। ଆପଣ ବିଞ୍ଚଣାଟିକୁ ଠିକ ଭାବରେ ବ୍ୟବହାର କରିନାହାନ୍ତି। ସେଥିପାଇଁ ଏହା ଦିନ କେଇଟାରେ ଭାଙ୍ଗିଗଲା। ବିଞ୍ଚଣାଟିକୁ ସ୍ଥିର ଭାବରେ ମୁଣ୍ଡ ଆଗରେ ଧରି ତା’ପରେ ନିଜ ମୁଣ୍ଡକୁ ଏପଟ ସେପଟ କରିବାକୁ ପଡ଼ିବ। ଏହାଦ୍ୱାରା ନିଜ ଦେହରେ ପବନ ବାଜିବା ସହ ବିଞ୍ଚଣାଟି ଶହେ ବର୍ଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିବ।’ ବିକାଳିର ଏପରି ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ। ଏହା ଅସାଧୁ-ବିକ୍ରୟର ଏକ ଜ୍ୱଳନ୍ତ ଉଦାହରଣ।

ଅପରପକ୍ଷରେ ଅପବ୍ୟୟକୁ ଆହୁରି ପ୍ରାଞ୍ଜଳ ଭାବେ ବୁଝିବାକୁ ହେଲେ – ଏକ ଦ୍ରବ୍ୟ ବା ସେବାର ଗୁଣାତ୍ମକ ମାନ ଓ ବ୍ୟାବହାରିକ ଦିଗ ପ୍ରତି ଧ୍ୟାନ ନଦେଇ ସେଗୁଡ଼ିକ କିଣିବା, ଅଦରକାରୀ ଜିନିଷ କିଣିବା, ଆବଶ୍ୟକଠାରୁ ଅଧିକ କିଣିବା, ବିଭିନ୍ନ ପ୍ରକାରର ଅଫରର ପ୍ରକୃତ ଲାଭ-କ୍ଷତିକୁ ଧ୍ୟାନ ନଦେଇ ସେଗୁଡ଼ିକ କିଣିନେବା, ନିଜକୁ ଅନ୍ୟମାନଙ୍କ ଆଗରେ ବଡ଼ ବୋଲି ଦେଖେଇହେବା ପାଇଁ କିଣିବା ଇତ୍ୟାଦି। ଏବେ ଏହି ଅପବ୍ୟୟକୁ ଖୋରାକ ଯୋଗାଉଛି କ୍ରେଡିଟ କାର୍ଡ ଓ ମାସିକିଆ କିସ୍ତିର ସୁବିଧା। ଅସାଧୁ-ବିକ୍ରିୟ, ଅପବ୍ୟୟ ଓ ପ୍ରେରଣା କ୍ରୟ(ଇମ୍ପଲ୍‌‌ସ ବାଇଂ) ଆର୍ଥିକ ବିକାଶରେ ପ୍ରତିବନ୍ଧକ ଆଣିଥାଏ। ପୂର୍ବ ପ୍ରସ୍ତୁତି ନଥାଇ ହଠାତ କୌଣସି ଜିନିଷ ପ୍ରତି ଆକର୍ଷିତ ହେବା ଓ ଏହାର ବ୍ୟବହାରିକ ଦିଗକୁ ଦୃଷ୍ଟି ନଦେଇ ଏହାକୁ କିଣିବା ହେଉଛି ପ୍ରେରଣା କ୍ରୟ।

ଅସାଧୁ-ବିକ୍ରୟ ସହିତ ଜଡ଼ିତ ଓ ପ୍ରୋତ୍ସାହିତ କରୁଥିବା ବ୍ୟାଙ୍କର ଉପରିସ୍ଥ ଅଧିକାରୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ଅସାଧୁ-ବିକ୍ରୟ ସଂଖ୍ୟା ହ୍ରାସ ପାଇପାରିବ। ଅପରପକ୍ଷରେ ଅପବ୍ୟୟ ଓ ପ୍ରେରଣା କ୍ରୟରୁ ନିଜକୁ ଦୂରେଇ ରଖିବା ପାଇଁ ନିଜ ମନ ଓ ଧନ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆର୍ଥିକ ବିଶାରଦମାନଙ୍କ ମତରେ ସପିଂମଲକୁ ଯିବା କମ କରିବା, କ୍ରେଡିଟ କାର୍ଡର ଯଥାସମ୍ଭବ କମ ବ୍ୟବହାର, ମାସିକ ବଜେଟ ପ୍ରସ୍ତୁତ କରି ସେହି ଅନୁସାରେ ବ୍ୟୟ କରିବା, ୫୦-୩୦-୨୦ର ନିୟମ ମାନି(ଆୟର ୫୦ ପ୍ରତିଶତ ଅତ୍ୟାବଶ୍ୟକ ଖର୍ଚ୍ଚ ପାଇଁ, ୩୦ ପ୍ରତିଶତ ବିଳାସପୂର୍ଣ୍ଣ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ବାକି ୨୦ ପ୍ରତିଶତ ଜରୁରୀ ଖର୍ଚ୍ଚ, ସଞ୍ଚୟ, ନିବେଶ ଓ ଜୀବନର ଭିନ୍ନ ଲକ୍ଷ୍ୟ ହାସଲ ଇତ୍ୟାଦି) ଚଳିଲେ ଅପବ୍ୟୟ ଓ ପ୍ରେରଣା କ୍ରୟରୁ ନିଜକୁ ଦୂରେଇ ରଖିହେବ। କୌଣସି ଜିନିଷ କିଣିବା ପୂର୍ବରୁ ନିଜକୁ କେତୋଟି ପ୍ରଶ୍ନ ପଚାରିବା ଦରକାର। ଯଥା – ଜିନିଷଟି ସଙ୍ଗେ ସଙ୍ଗେ କିଣିବା ନିତାନ୍ତ ଜରୁରୀ? ଜିନିଷର ବ୍ୟବହାର ଦୃଷ୍ଟିରୁ ଏହାର ନିର୍ଦ୍ଧାରିତ କିଣା ମୂଲ୍ୟ କ’ଣ ଯଥାର୍ଥ? କିଣିବାକୁ ଋଣର ଆବଶ୍ୟକ ପଡ଼ିବ କି? କ୍ରୟକୁ ଅଣଦେଖା କରାଯାଇ ପାରିବ ନାହିଁ କି? ଇତ୍ୟାଦି। ଏହି ପ୍ରଶ୍ନଗୁଡ଼ିକର ଉତ୍ତରକୁ ବିଶ୍ଳେଷଣ କରି ତଦନୁଯାୟୀ ସଠିକ ନିଷ୍ପତ୍ତି ନେଲେ ଅପବ୍ୟୟ ଓ ପ୍ରେରଣା କ୍ରୟରୁ ନିଜକୁ ଦୂରେଇ ରଖିହେବ। ପ୍ରତ୍ୟେକ ବ୍ୟକ୍ତି ପ୍ରକାରାନ୍ତରେ ନିଜର ଆର୍ଥିକ ସମୃଦ୍ଧି ଚାହେଁ। ଆୟର ସଦୁପଯୋଗ ବ୍ୟକ୍ତିର ଆର୍ଥିକ ସମୃଦ୍ଧିରେ ସହାୟକ ହୋଇଥାଏ। ଅପରପକ୍ଷରେ ଆୟର ଦୁରୁପଯୋଗ ବ୍ୟକ୍ତିକୁ ଆର୍ଥିକ ସଙ୍କଟ ମଧ୍ୟକୁ ଟାଣିନିଏ। ଗରିବ ହେଉ ଅବା ଧନୀ ଉଭୟଙ୍କର ଆର୍ଥିକ ସ୍ଥିତି ନିଜ ନିଜ ବ୍ୟୟର ଚରିତ୍ର ଉପରେ ନିର୍ଭର କରିଥାଏ।

ଅନନ୍ତ ଚରଣ ସ୍ୱାଇଁ
ଭୁବନେଶ୍ୱର, ମୋ: ୭୩୮୧୦୪୬୪୭୭

About The Author

ରାଶିଫଳ

ସମ୍ବନ୍ଧିତ ଖବର