ଠାକୁରଙ୍କ ଠିକଣା

The Sakala Picture
Published On

ଯୁଗେଯୁଗେ ଠାକୁରଙ୍କ ଠିକଣାକୁ ନେଇ ଆମ ସମାଜରେ ଦ୍ୱନ୍ଦ୍ୱ, ହିଂସା, ରକ୍ତପାତ ତଥା ବାକ୍‌‌ବିତଣ୍ଡା ଘଟି ଆସିଛି। କିଏ କୁହେ ମୁଁ ସ୍ୱୟଂ ଠାକୁରଙ୍କୁ ଦେଖିଛି ତ ଆଉ କିଏ କୁହେ ମୁଁ ଠାକୁରଙ୍କ ସତ୍ତାକୁ ଅନୁଭବ ଏବଂ ଉପଲବ୍‌‌ଧି କରିଛି। କିଏ ଠାକୁରଙ୍କୁ କେନ୍ଦ୍ର କରି ବିଭିନ୍ନ ନୀତି, ନିୟମ, ପ୍ରଥା ପରମ୍ପରାକୁ ଜାବୋଡ଼ି ଧରିଥାଏ ତ ଆଉ କିଏ ‘ଯଥା ଦେହେ ତଥା ଦେବେ’ ନ୍ୟାୟରେ ମଣିଷମାନଙ୍କ ମଧ୍ୟରେ ଦିବ୍ୟ ସତ୍ତା ବା ଠାକୁରଙ୍କ […]

ଯୁଗେଯୁଗେ ଠାକୁରଙ୍କ ଠିକଣାକୁ ନେଇ ଆମ ସମାଜରେ ଦ୍ୱନ୍ଦ୍ୱ, ହିଂସା, ରକ୍ତପାତ ତଥା ବାକ୍‌‌ବିତଣ୍ଡା ଘଟି ଆସିଛି। କିଏ କୁହେ ମୁଁ ସ୍ୱୟଂ ଠାକୁରଙ୍କୁ ଦେଖିଛି ତ ଆଉ କିଏ କୁହେ ମୁଁ ଠାକୁରଙ୍କ ସତ୍ତାକୁ ଅନୁଭବ ଏବଂ ଉପଲବ୍‌‌ଧି କରିଛି। କିଏ ଠାକୁରଙ୍କୁ କେନ୍ଦ୍ର କରି ବିଭିନ୍ନ ନୀତି, ନିୟମ, ପ୍ରଥା ପରମ୍ପରାକୁ ଜାବୋଡ଼ି ଧରିଥାଏ ତ ଆଉ କିଏ ‘ଯଥା ଦେହେ ତଥା ଦେବେ’ ନ୍ୟାୟରେ ମଣିଷମାନଙ୍କ ମଧ୍ୟରେ ଦିବ୍ୟ ସତ୍ତା ବା ଠାକୁରଙ୍କ ସତ୍ତା ଅନୁଭବ କରି ନିତିଦିନିଆ ଜୀବନକୁ ପରିଚାଳିତ କରିଥାଏ। କାହା ପାଇଁ ଠାକୁର ସାକାର ହୋଇଥିବା ବେଳେ ଆଉ କାହା ପାଇଁ ସିଏ ନିରାକାର। ଲିଙ୍ଗଭିତ୍ତିରେ କିଏ ଠାକୁର ଓ ଠାକୁରାଣୀଙ୍କୁ ଭିନ୍ନ ଭିନ୍ନ ଭାବେ ପୂଜା ଆରାଧନା କରୁଥିବା ବେଳେ ଆଉ କିଏ ଜଣେ ଠାକୁରଙ୍କ ମଧ୍ୟରେ ଉଭୟ ପୁରୁଷ ଓ ନାରୀଙ୍କ ଦିବ୍ୟ ସତ୍ତାଗୁଡ଼ିକୁ ଉପଲବ୍‌‌ଧି କରିଥା’ନ୍ତି। ପିତାମାତା, ଗୁରୁ, ଗୁରୁଜନମାନଙ୍କ ମଧ୍ୟରେ କିଛି ଲୋକ ଭଗବାନଙ୍କ ଦିବ୍ୟ ଶକ୍ତି ଅନୁଭବ କରୁଥିବା ବେଳେ ଅନ୍ୟ କିଛି ଲୋକ କୀଟ, ପତଙ୍ଗ, ତରୁ, ତୃଣ ଆଦି ସବୁରି ମଧ୍ୟରେ ତାଙ୍କୁ ଅନୁଭବ କରନ୍ତି। କିଛି ଦେବତା ଓ ଦେବୀମାନଙ୍କୁ କେବଳ ପୁରୁଷମାନେ ପୂଜା କରିବାର ଅଧିକାର ପ୍ରାପ୍ତ ହୋଇଥିବା ବେଳେ ଆଉକିଛି ଜାଗାରେ ନାରୀମାନେ ହିଁ ଉପାସନା କରିବା ପାଇଁ ସ୍ୱତନ୍ତ୍ର ନୀତିନିୟମ ରହିଛି। କିଛି ସ୍ଥାନରେ ପୂଜା କରିବା ପାଇ ନିର୍ଦ୍ଦିଷ୍ଟ ଜାତି, ଧର୍ମ ଓ ବର୍ଣ୍ଣର ଲୋକମାନଙ୍କୁ ଅଧିକାର ଦିଆଯାଇଥିବା ବେଳେ ଆଉ କିଛି ଯାଗାରେ ଉକ୍ତ କାର୍ଯ୍ୟ ପାଇଁ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ।

କିଛି ଲୋକ ନିଜର ଆକାଂକ୍ଷିତ ସାଂସାରିକ କାମନାଗୁଡ଼ିକୁ ପରିପୂର୍ଣ୍ଣ କରିବା ପାଇଁ ପୂଜା ଆରାଧନା କରୁଥିବା ବେଳେ ଆଉ କିଛି ଲୋକ ମୋକ୍ଷ ପଥର ପଥିକ ହେବା ପାଇଁ ପ୍ରାର୍ଥନା କରନ୍ତି। କାରଣ କାହା ପାଇଁ ଏ ମଣିଷ ଜୀବନ ଥରେ ମିଳିଛି ଏହାକୁ ଭରପୂର ଉପଭୋଗ କରିବା ଆବଶ୍ୟକ। କିଏ ଜାଣିଛି ମୃତ୍ୟୁ ପରେ କ’ଣ ହେବ? କିନ୍ତୁ ଅନ୍ୟ କିଛିଲୋକ ସଂସାରକୁ ଦୁଃଖାଳୟ ଭାବେ ମନେ କରି ଏଥିରୁ ତ୍ରାହି ପାଇବା ପାଇଁ ନିରନ୍ତର ଦିବ୍ୟସତ୍ତାଙ୍କୁ ଡାକିଥା’ନ୍ତି। ତା’ଛଡ଼ା ଆଉ କେବେ ନିଜର ପୁନର୍ଜନ୍ମ ନହେଉ ଭାବି ନିଜକୁ ବିଭୁସତ୍ତା ମଧ୍ୟରେ ହଜାଇ ଦେବା ପାଇଁ ଶ୍ରେୟସ୍କର ମନେ କରିଥା’ନ୍ତି।

ତେବେ ଯଦି ଏ ପର୍ଯ୍ୟନ୍ତ କେହି ଠାକୁରଙ୍କର ପ୍ରକୃତ ସ୍ୱରୂପ ଦେଖି ନାହାନ୍ତି ବା ଜାଣି ନାହାନ୍ତି ବା ସମସ୍ତଙ୍କ ପାଇଁ ସିଏ ଅଜଣା, ତା’ହେଲେ ଏଥିପାଇଁ ଏତେ ଝଗଡ଼଼ା କ’ଣ ପାଇଁ? ଯଦି ବିଶ୍ୱାସରେ ଠାକୁର ମିଳି ଥା’ନ୍ତି ତେବେ ତର୍କ କାହିଁକି? ଏହାର ଉତ୍ତର ହୁଏତ ଆମ କାହାରି ପାଖରେ ନାହିଁ। ସମସ୍ତେ ଜାଣନ୍ତି ନିର୍ବାଚନରେ ଜଣେ ପ୍ରାର୍ଥୀ ଜିଣିବ ଓ ଅନ୍ୟ ସମସ୍ତ ପ୍ରାର୍ଥୀ ହାରିବେ। ତେବେ ପ୍ରାୟ ସମସ୍ତ ପ୍ରାର୍ଥୀ ନିଜନିଜ ସାଧ୍ୟମତେ ଅଜଣାସତ୍ତାଙ୍କ କାହିଁକି ଶରଣ ପଶିଥା’ନ୍ତି? ଆଉ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜିଣିଥିବା ପ୍ରାର୍ଥୀ ଜଣଙ୍କ ଭଗବାନଙ୍କ ପାଖରେ ନିଜର କୃତଜ୍ଞତା ଜଣାଇ ନିଜର ମାନସିକ ପୂରଣ କରୁଥିବା ବେଳେ ଅନ୍ୟମାନେ ନିଜନିଜର ଭାଗ୍ୟ ଓ ଭଗବତ୍‌‌ ସତ୍ତା ପ୍ରତି ସନ୍ଦୀହାନ ହେଉଥିବାର ଦେଖାଯାଏ। ଆଉ ବେଳେବେଳେ ସେମାନେ ଭଗବାନଙ୍କର ଆଉ କିଛି ବିକଳ୍ପ ଇଚ୍ଛା ଥାଇପାରେ ମନେକରି ନିଜ ନିଜର ଭବିଷ୍ୟତ କର୍ମପନ୍ଥା ସ୍ଥିର କରିଥା’ନ୍ତି। ସେହିଭଳି କୌଣସି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ବା ତା’ର ପରିବାର ଅଦୃଶ୍ୟ ସତ୍ତା ଉପରେ କୃତଜ୍ଞତା ଜଣାଉଥିବା ବେଳେ ଅନ୍ୟମାନେ ଭଗବାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଭୁଲି ନଥା’ନ୍ତି। ସେଠାରେ ବିଭିନ୍ନ ଧର୍ମର ଜାତି, ବର୍ଣ୍ଣ ତଥା ଅଞ୍ଚଳର ଲୋକ ଥିଲେ ମଧ୍ୟ ସେଠାରେ ମୃତ୍ୟୁବରଣ କରୁଥିବା କିମ୍ବା ଆଘାତପ୍ରାପ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟତା ଥାଏ। ଯଦି ଏହି ଛୋଟିଆ ଘଟଣାଟିରେ କୌଣସି ଫରକ ନ ଥାଏ ତେବେ ଠାକୁରଙ୍କ ଠିକଣାକୁ ନେଇ ଏତେ ପାର୍ଥକ୍ୟ, ବିବିଧତା, ବିଭେଦତା, ଘୃଣା ଓ ଅସୁୟା କାହିଁକି? ଯଦି ସମସ୍ତ ଧର୍ମ ଏକ ସ୍ୱରରେ ଅହିଂସା ମନୁଷ୍ୟମାନଙ୍କର ପରମ ଧର୍ମ ବୋଲି ସ୍ୱୀକାର କରିଥା’ନ୍ତି ତେବେ ଧାର୍ମିକ ଭାବନା, ଚେତନା ତଥା କର୍ମ ମଧ୍ୟରେ ନେତିନେତି କାହିଁକି?

ଶେଷରେ ଏତିକି କୁହାଯାଇପାରେ ଠାକୁର ଯିଏବି ହୁଅନ୍ତୁ, ଯେଉଁଠି ବି ଥାଆନ୍ତୁ ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ସମାନତା, ଏକତ୍ୱ ତଥା ଉନ୍ନତି ପାଇଁ କାର୍ଯ୍ୟ କରିଥା’ନ୍ତି, ଯାହାକୁ ଆଧାର କରି ଆରିଷ୍ଟୋଟଲଙ୍କର ‘ପ୍ରାକୃତିକ ଅଧିକାର ତତ୍ତ୍ୱ’ ପର୍ଯ୍ୟବସିତ। ତାଙ୍କ ମତରେ ସମସ୍ତ ମଣିଷ ଈଶ୍ୱରଙ୍କ ସନ୍ତାନ। ତେଣୁ ସେମାନଙ୍କ ମଧ୍ୟରେ ବିଭେଦତା ଆଣିବା ଅସମୀଚୀନ। ତେଣୁ ସମସ୍ତଙ୍କୁ ସମାନ ଅଧିକାର ଦେବା ପାଇଁ ଶାସକମାନେ ପ୍ରୟାସ କରିବା ଜରୁରୀ। ଏହି ଆଧାରରେ ଶାସକମାନଙ୍କୁ ଈଶ୍ୱରତୁଲ୍ୟ ଜ୍ଞାନ କରୁଥିବା ପ୍ରଜାମାନଙ୍କୁ ମଧ୍ୟ ଯଦି ସମାନ ଅଧିକାର ମିଳିବା ସହିତ ଶାନ୍ତି, ସଦଭାବନା ଏକତା ବଜାୟ ରହିପାରିବ, ତା’ହେଲେ ସେଇଟା ହିଁ ଠାକୁରଙ୍କ ଶେଷ ଠିକଣା ବୋଲି କୁହାଯାଇପାରେ।

ଡ. ସୀତାକାନ୍ତ ତ୍ରିପାଠୀ
ଭଦ୍ରକ, ମୋ: ୯୭୭୮୭୬୪୩୯୪

About The Author

ରାଶିଫଳ

ସମ୍ବନ୍ଧିତ ଖବର