ମନୋରଞ୍ଜନ
ଅନଲାଇନ ଗେମିଂ ଓ ସକ୍ଷମ ସମାଜ ଗଠନର ମାର୍ଗ

ପ୍ରତ୍ୟେକ ପିତାମାତାଙ୍କ ଇଚ୍ଛା ଥାଏ ତାଙ୍କ ସନ୍ତାନଟି ଭଲ ପାଠପଢ଼଼ି ସମାଜରେ ପ୍ରତିଷ୍ଠିତ ହେଉ। ଯେତେବେଳେ ସେ ସନ୍ତାନଟିର ଅକାଳମୃତ୍ୟୁ ଘଟେ ସେତେବେଳେ ପାଦତଳୁ ମାଟି ଖସିଯାଏ। ଘଟୁଥିବା ଏହି ଦୁଃଖଦ ଘଟଣା ମଧ୍ୟରୁ ଅନଲାଇନ ଗେମ ଏବେ ଅଧିକ ଘାତକ ସାଜିଛି। ମଣିଷ ଜୀବନକୁ ଆନନ୍ଦ ଦେବା ସହିତ ଚଳଚଞ୍ଚଳ ଓ ସୁସ୍ଥ ରଖିବାର ମାର୍ଗ ଖେଳ। ମାତ୍ର ଅନଲାଇନ ଗେମ ଯୋଗୁଁଁ ଯୁବପିଢ଼ି ବିପଥଗାମୀ ହେବା ସହିତ ମୃତ୍ୟୁକୁ ଆବୋରି ନେଉଥିବା ଆମ ଦେଶ […]
ପ୍ରତ୍ୟେକ ପିତାମାତାଙ୍କ ଇଚ୍ଛା ଥାଏ ତାଙ୍କ ସନ୍ତାନଟି ଭଲ ପାଠପଢ଼଼ି ସମାଜରେ ପ୍ରତିଷ୍ଠିତ ହେଉ। ଯେତେବେଳେ ସେ ସନ୍ତାନଟିର ଅକାଳମୃତ୍ୟୁ ଘଟେ ସେତେବେଳେ ପାଦତଳୁ ମାଟି ଖସିଯାଏ। ଘଟୁଥିବା ଏହି ଦୁଃଖଦ ଘଟଣା ମଧ୍ୟରୁ ଅନଲାଇନ ଗେମ ଏବେ ଅଧିକ ଘାତକ ସାଜିଛି। ମଣିଷ ଜୀବନକୁ ଆନନ୍ଦ ଦେବା ସହିତ ଚଳଚଞ୍ଚଳ ଓ ସୁସ୍ଥ ରଖିବାର ମାର୍ଗ ଖେଳ। ମାତ୍ର ଅନଲାଇନ ଗେମ ଯୋଗୁଁଁ ଯୁବପିଢ଼ି ବିପଥଗାମୀ ହେବା ସହିତ ମୃତ୍ୟୁକୁ ଆବୋରି ନେଉଥିବା ଆମ ଦେଶ ପାଇଁ ଏକ ଆହ୍ୱାନ ନିଶ୍ଚୟ।
ଏହି ଅନଲାଇନ ଗେମର ନିଶା ଆମ ଯୁବପିଢ଼ିଙ୍କୁ ଏପରି ଗ୍ରାସିଛି ଯେ ଏଥିପାଇଁ ବାରଣ କରିବା କାରଣରୁ ଗତ ଫେବୃଆରୀ ମାସରେ ହରିୟାଣାର ଜଣେ ୧୫ ବର୍ଷର ବାଳକ ଆତ୍ମହତ୍ୟା କରିଥିଲେ। ଗତ ବର୍ଷ ଡିସେମ୍ୱର ମାସରେ ଭୁବନେଶ୍ୱରର ୨୨ ବର୍ଷୀୟ ଯୁବକ ଅନଲାଇନ୍ ଗେମିଂରେ ପ୍ରାୟ ୪ ଲକ୍ଷ ଟଙ୍କାର କ୍ଷତି ସହିବା ପରେ ଆତ୍ମହତ୍ୟା କରିଥିଲେ ଏବଂ ଅନଲାଇନ୍ ଗେମିଂ ପ୍ଲାଟଫର୍ମରୁ ୪ ଲକ୍ଷ ଟଙ୍କା ଜିତି ନପାରିବାରୁ ରାୟଗଡ଼଼ାର ଜନୈକା ୧୬ ବର୍ଷୀୟ ଝିଅ ଆତ୍ମହତ୍ୟା କରିଥିଲେ। ଏହା କେତୋଟି ଉଦାହରଣ ମାତ୍ର। ପ୍ରତିଦିନ ଅନଲାଇନ ଗେମର କୁପ୍ରଭାବରେ କିଛି ନା କିଛି ଅଘଟରର ଖବର ଆମେ ଗଣମାଧ୍ୟମରୁ ପଢ଼଼ି ବା ଶୁଣି କ୍ଷଣିକ ପାଇଁ ମନସ୍ତାପ କରୁ; କିନ୍ତୁ ପରିବର୍ତ୍ତୀ ସମୟରେ ଏହାର ଦୀର୍ଘ ପ୍ରଭାବ ସମ୍ପକରେ ଚିନ୍ତା କରିବାକୁ ଭୁଲି ଯାଉ। ଯଦି ଏହି ଧାରା ଜାରି ରହେ ତେବେ ଉନ୍ନତ ଭାରତର ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯାଇପାରେ।
ଅନଲାଇନ୍ ଜୁଆ ବା ଗେମିଂର ପ୍ରଭାବ ୧୯୯୦-୨୦୦୦ ଦଶକରେ ଇଣ୍ଟରନେଟ ଦ୍ୱାରା ଲୋକଲୋଚନକୁ ଆସିଥିଲା। ୧୯୯୪ମସିହାରେ ପ୍ରଥମ ଅନଲାଇନ୍ କାସିନୋ ଏବଂ ପରେପରେ ଖେଳ ଓ ଲଟେରୀକୁ ନେଇ ଅନଲାଇନରେ ବାଜି ପ୍ରଚଳନ ଆରମ୍ଭ ହୋଇଥିଲା। ୨୦୧୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ମାର୍ଟଫୋନ ଏବଂ ବିଭିନ୍ନ ଆପ୍ସ ଦ୍ୱାରା ମୋବାଇଲ ଗେମିଂ ବା ଅନଲାଇନ ଜୁଆ ଖେଳ ବୃଦ୍ଧି ପାଇବା ସହିତ ଏକ ବଡ଼ ବେପାରରେ ପରିଣତ ହୋଇ କୋଟି କୋଟି ନିରୀହ ଯୁବକଙ୍କୁ ଶିକାର କରିଚାଲିଛି। ପବ୍ଜି, ଫ୍ରିଫାୟାର, ଫୋର୍ନାଇଟ, କଲଅଫଡ୍ୱୁଟି, ଡ୍ରିମ୧୧, ଏମପିଏଲ୍, ୮ବଲପୁଲ, ଲୁଡୁ, କ୍ରିକେଟ, ରେସିଂ, ରମିସର୍କଲ, ୱାର୍ଲ୍ଡ ଅଫ ୱାରକ୍ରାଫ୍ଟ, ରୋବଲୋକ୍ସ ଇତ୍ୟାଦି ନାମରେ ଟଙ୍କାର ବାଜି ଲଗାଇ ଖେଳାଯାଏ। ଅନେକ ଯୁବକ/ଯୁବତୀ ପ୍ରତିଦିନ ଘଣ୍ଟା ଘଣ୍ଟା ଏହି ଖେଳରେ ମାତିଥା’ନ୍ତି ଏବଂ ନଖେଳି ପାରିଲେ ଅସ୍ଥିର କିମ୍ୱା ଚିଡ଼ଚିଡ଼ା ଅନୁଭବ କରନ୍ତି।
ଅନଲାଇନ୍ ଗେମ୍ ଯୋଗୁଁଁ ଅଧ୍ୟୟନ କିମ୍ୱା ବାସ୍ତବ ଜୀବନର କାର୍ଯ୍ୟରେ ଧ୍ୟାନ ଦେବା କଷ୍ଟକର ହୋଇଥାଏ। ବିଶେଷକରି ମନ ଭିତରେ ହିଂସାତ୍ମକ ଖେଳ, ହତାଶା, କ୍ରୋଧ କିମ୍ୱା ଆକ୍ରମଣାତ୍ମକ ଆଚରଣ ବୃଦ୍ଧି ପାଏ। ଖେଳଗୁଡ଼ିକ ଅନଲାଇନରେ ଖେଳାଯାଉଥିବାରୁ ପରସ୍ପର ମଧ୍ୟରେ ପ୍ରକୃତ ଭାବବିନିମୟ ହୋଇ ନଥାଏ। ଅତ୍ୟଧିକ ସମୟ ଖେଳରେ ବିତିବା ଯୋଗୁଁଁ ପିତାମାତା, ଶିକ୍ଷକ କିମ୍ୱା ବନ୍ଧୁମାନଙ୍କ ସହିତ ମିଶିବା, ପାଠପଢ଼଼ା, ଘରପାଇଁ କର୍ତ୍ତବ୍ୟ ଓ ଆତ୍ମଯତ୍ନ ପାଇଁ ଠିକ ସମୟ ମିଳିନଥାଏ। ମୋବାଇଲ ବା କମ୍ପ୍ୟୁଟର ପାଖରେ ବହୁତ ସମୟ ଧରି ବସି ରହିଲେ ଦୃଷ୍ଟିଶକ୍ତି ପ୍ରଭାବିତ ହୁଏ। ଓଜନ, ଥକ୍କା ପଣ ବୃଦ୍ଧିପାଇବା ସହିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ଅନଲାଇନ ଖେଳ ଅନାବଶ୍ୟକ ଖର୍ଚ୍ଚାନ୍ତ କିମ୍ୱା ଋଣଗ୍ରସ୍ତ କରାଇଥାଏ। ଫଳରେ ଯୁବକ/ଯୁବତୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ଆତ୍ମହତ୍ୟା, ହତ୍ୟା, ଚୋରୀ ଇତ୍ୟାଦି ଦ୍ୱାରା ନିଜର ସୁନ୍ଦର ଭବିଷ୍ୟତଟିକୁ ଜାଳିପୋଡ଼ି ନଷ୍ଟ କରିଥା’ନ୍ତି।
ଅନଲାଇନ ଗେମର କୁପ୍ରଭାବକୁ ଜାଣି ମଧ୍ୟ ଆମର ଯୁବ ସମାଜ ଏଥିରୁ ନିବୃତ ନହେବାର ବହୁତଗୁଡ଼ିଏ କାରଣ ରହିଛି। ଖବର କାଗଜ, ଟିଭି, ଇଣ୍ଟରନେଟ ମାଧ୍ୟମରେ ଏହି ଖେଳ ଦ୍ୱାରା ଉପକୃତ ହେଉଥିବା କିଛି ବ୍ୟକ୍ତିଙ୍କ ଫଟୋ, ସାକ୍ଷାତକାର ଇତ୍ୟାଦି ଅତି ଉକୃଷ୍ଟ ଢଙ୍ଗରେ ପ୍ରକାଶିତ ହୁଏ। ବସ୍ତୁବାଦୀ ଦୁନିଆରେ ସାମାଜିକ ଚାପ, ଚାକିରି ଅଭାବ, ଅସୁରକ୍ଷିତ ଭବିଷ୍ୟତ, ପ୍ରକୃତ ଶିକ୍ଷାର ଅଭାବ, ଦରଦାମ ବୃଦ୍ଧି, ସୌଖିନ ବସ୍ତୁପ୍ରତି ଲୋଭ, ବିଳାସପ୍ରିୟ ଜୀବନର ଇଚ୍ଛା, ବିନା କାମ ବା କମ କାମରେ ଅଧିକ ରୋଜଗାରର ମନୋବୃତ୍ତି ଇତ୍ୟାଦି ଦ୍ୱାରା ଯୁବକ/ଯୁବତୀମାନେ ନିଜ ଦାୟିତ୍ୱରୁ ଦୂରେଇ ଯାଆନ୍ତି। କମ ପରିଶ୍ରମ, ରାତାରାତି ବହୁତ ଅର୍ଥର ମାଲିକ ହେବାର ପ୍ରବଳ ଆଶାର ବଶବର୍ତ୍ତୀ ହୋଇ ଅନଲାଇନ ଗେମିଂ ନିୟନ୍ତ୍ରଣରେ ରହିଯାଇ ନିଜର ଦାୟିତ୍ୱବୋଧତାରୁ ଖସିଯିବାର ଏକ ସହଜ ଉପାୟ ବୋଲି ଭାବିନେଇଥା’ନ୍ତି। ଖେଳଗୁଡ଼ିକ ଏପରି ପ୍ରସ୍ତୁତ କରାଯାଇଥାଏ ଯେପରି ସବୁ ସମୟରେ ଜଣେ ଅନୁଭବ କରିବ ଯେ ଆଉଥରେ ଖେଳିଲେ ସେ ଜିତିଯିବ।
ଏବେ ପ୍ରଶ୍ନଉଠେ ଏହି ଭୟଙ୍କର ଅନଲାଇନ ଗେମର କୁପ୍ରଭାବରୁ ଆମେ କିପରି ନିବୃତ୍ତ ରହିବା ବା ଯୁବସମାଜକୁ କିପରି ରକ୍ଷାକରିବା। ପ୍ରତ୍ୟେକ ବ୍ୟକ୍ତିର ଜୀବନଗଠନର ଦାୟିତ୍ୱ ତା’ ନିଜ ହାତରେ ଥାଏ। ପିତାମାତା, ସମାଜ ସଂସ୍କାରକ, ଶିକ୍ଷକ, ସରକାର ବା ଅନ୍ୟମାନେ କେବଳ ପଥପ୍ରଦର୍ଶକ। ଯୁବ ସମାଜ ଯେତେବେଳ ସ୍ୱୟଂ ପରିବର୍ତ୍ତନକୁ ଆପଣେଇ ନପାରିବ ସେତେବେଳ ପର୍ଯ୍ୟନ୍ତ କେହି ଚାହିଁଲେ ବା ଲେଖିଲେ ବା ନିୟମ କଲେ କିଛି ଲାଭ ହେବନାହିଁ। ନିଜ ଭିତରେ ପରିବର୍ତ୍ତନ ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ ସର୍ବଦା ବ୍ୟକ୍ତିଗତ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରୁଥିଲେ। ମନୋବିଜ୍ଞାନୀ ୱିଲିୟମ୍ ଜେମ୍ସଙ୍କ ଭାଷାରେ ‘ମୋ ପିଢ଼ିର ସର୍ବଶ୍ରେଷ୍ଠ ଆବିଷ୍କାର ହେଉଛି ଜଣେ ମଣିଷ ତା’ର ମନୋଭାବର ପରିବର୍ତ୍ତନ କଲେ ହିଁ ତା’ର ଜୀବନକୁ ପରିବର୍ତ୍ତନ କରିପାରିବ।’
ତେବେ ଆମର କେତେଗୋଟି ଛୋଟ ଛୋଟ ପରାମର୍ଶ ହୁଏତ ଯୁବ ସମାଜକୁ କିଛିଟା ମାର୍ଗଦର୍ଶନ ଦେଇପାରି ଏକ ବୃହତ ପରିବର୍ତ୍ତନର ପଥପ୍ରଦର୍ଶକ ହୋଇପାରିବ। ପ୍ରଥମତଃ, ଅନଲାଇନ ଗେମ ଖେଳିବାକୁ ସମୟ ସୀମିତ କରିବା ପାଇଁ ଆଲାର୍ମ, ଟାଇମର୍, କିମ୍ୱା ବିଲ୍ଟ-ଇନ୍ ଫୋନ୍ ବା ଗେମ୍ ସେଟିଂସର ବ୍ୟବହାର କରିବା ସହିତ କୌଣସି ସ୍ଥାନୀୟ କ୍ଲବରେ ଯୋଗଦାନ, ସ୍ୱେଚ୍ଛାସେବା କିମ୍ୱା ଗୋଷ୍ଠୀ କାର୍ଯ୍ୟକଳାପ ଭାଗନେଇ ଖେଳପଡ଼ିଆରେ ଖେଳିବା, କଳା, ସଙ୍ଗୀତ, ପଠନ କିମ୍ୱା ବାହ୍ୟ କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଆଯାଇପାରିବ। ପରିବାର ଏବଂ ବନ୍ଧୁମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ସମୟ ବିତାଇବାର ଅଭ୍ୟାସ କରି ରୁଟିନ ମାଧ୍ୟମରେ ଅଧ୍ୟୟନ, ବ୍ୟାୟାମ, ଖାଦ୍ୟ, ଅଭ୍ୟାସ ଓ ବିଶ୍ରାମର ଏକ ସନ୍ତୁଳିତ ଦୈନିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଜରୁରୀ। ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଗେମିଂର ନକାରାତ୍ମକ ପ୍ରଭାବ ବିଷୟରେ ଅବଗତ ହେବା ସହିତ ତା’ଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯିବା ଉଚିତ। ଯଦି କେହି ନିଶାଗ୍ରସ୍ତ ଅନୁଭବ କରନ୍ତି, ତେବେ ବିନା ସଂକୋଚରେ ପିତାମାତା, ଶିକ୍ଷକ, ପରାମର୍ଶଦାତା କିମ୍ୱା ହେଲ୍ପଲାଇନର ସାହାଯ୍ୟ ମାଗନ୍ତୁ।
ଆଇଟି ଆଇନର ଧାରା ୬୯କ ଅନୁଯାୟୀ କୌଣସି ଆପ୍ସ ବା ୱେବସାଇଟ୍ ଯଦି କ୍ଷତିକାରକ କିମ୍ୱା ଅବୈଧ ତାକୁ ଆମେ ଅବରୋଧ କରି ପାରିବା। ତଦନୁସାରେ ଏଫଆଇଆର୍ ଦାଖଲ କରିପାରିବା। ଅନଲାଇନ୍ ଠକେଇ ପାଇଁ ଆଇଟି ଆଇନର ଧାରା ୬୬ଘ ଏବଂ ଗ୍ରାହକ ସୁରକ୍ଷା ଆଇନ ୨୦୧୯ ଇତ୍ୟାଦି ଦ୍ୱାରା ଆମେ ଭ୍ରମାତ୍ମକ କିମ୍ୱା କ୍ଷତିକାରକ ଖେଳ ପ୍ଲାଟଫର୍ମ ବିରୁଦ୍ଧରେ ଅଭିଯୋଗ ଦାଖଲ କରିପାରିବା। ଏ କ୍ଷେତ୍ରରେ ପିତାମାତା, ବିଦ୍ୟାଳୟ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଯଦିଓ ଏହା ଏକ ସିଧାସଳଖ ‘ଆଇନଗତ’ ପ୍ରକ୍ରିୟା ନୁହେଁ, ତଥାପି ଏହି କାର୍ଯ୍ୟଗୁଡ଼ିକ ଆଇନଗତ କାର୍ଯ୍ୟକୁ ସହାୟତା ଦେଇପାରିବ। ସ୍ୱେଚ୍ଛାସେବୀ ସଂଗଠନ ଏବଂ ନାଗରିକ ଗୋଷ୍ଠୀଗୁଡ଼ିକ ବିପଦପୂର୍ଣ୍ଣ ଖେଳଗୁଡ଼ିକୁ ନିଷେଧ କିମ୍ୱା ନିୟନ୍ତ୍ରଣ କରିବା ପାଇଁ ଜନସ୍ୱାର୍ଥ ମାମଲା ଦାଖଲ ସହିତ ସାଇବର କ୍ରାଇମ୍ ପୋର୍ଟାଲରେ ସୂଚିତ କରିପାରିବେ। ଅନଲାଇନ୍ ଗେମିଂ ବନ୍ଦ କରିବା ସମସ୍ତ ଖେଳକୁ ନିଷେଧ କରିବା ଆମର କାମ ନୁହେଁ ବରଂ କ୍ଷତିକାରକ ଏବଂ ନିଶାକର କର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଆମର କର୍ତ୍ତବ୍ୟ ହେବା ଜରୁରୀ।
ଭାରତରେ ଏହାର ସମାଧାନ କରିବା ପାଇଁ ଆଇନ, ନିୟମ ଏବଂ ଜନସାଧାରଣଙ୍କ ସହଯୋଗ, ବିଭିନ୍ନ ସଂସ୍ଥାର ସମୂହ ଯୋଗଦାନ ହେଉଛି ସବୁଠାରୁ ପ୍ରଭାବଶାଳୀ ମାର୍ଗ। ଏଗୁଡ଼ିକର ସମ୍ମିଶ୍ରଣରେ ଆମେ ଏକ ସୁସ୍ଥ ସମାଜର ପରିକଳ୍ପନା କରିପାରିବା। ଏଠାରେ ଜୋଏଲ୍ ଓଷ୍ଟିନଙ୍କ ମତକୁ ସ୍ମରଣ କରାଯାଇପାରେ ‘ଆପଣଙ୍କୁ କେବେ ବି ହତାଶ, ନିଶାଗ୍ରସ୍ତ, ଲଜ୍ଜିତ କିମ୍ୱା ଅଯୋଗ୍ୟ ଜୀବନଯାପନ ପାଇଁ ସୃଷ୍ଟି କରାଯାଇ ନଥିଲା। ଆପଣଙ୍କୁ ବିଜୟୀ ହେବା ପାଇଁ ସୃଷ୍ଟି କରାଯାଇଥିଲା।’ ପ୍ରତ୍ୟେକ ଜୀବନ ମୂଲ୍ୟବାନ – ଏହି ମନ୍ତ୍ରଟିକୁ ଯୁବପ୍ରାଣରେ ଭରିଦେଲେ ଆମେ ସେମାନଙ୍କ ସୁରକ୍ଷା ସହିତ ଏକ ସୁନ୍ଦର ସକ୍ଷମ ରାଷ୍ଟ୍ରର ପରିକଳ୍ପନା କରିପାରିବା।
ଡ.ବିମଳ ଷଡ଼ଙ୍ଗୀ
ଭୁବନେଶ୍ୱର, ମୋ: ୯୪୩୭୧୨୩୮୯୨