ରୋଗ ଉପଶମରେ ସୂର୍ଯ୍ୟକିରଣ

The Sakala Picture
Published On

ଆମ ପୃଥିବୀର ଜୀବଜଗତ ସକଳ ପ୍ରାଣଶକ୍ତି ଓ ଚଳତ୍‌ ଶକ୍ତିର ଆଧାର ସୂର୍ଯ୍ୟାଲୋକ ଏବଂ ତାହାର ରଶ୍ମିର ରଙ୍ଗ ଉପରେ ନିର୍ଭର କରିଥାଏ। ଆଲୋକ ରଶ୍ମିର ଆବଶ୍ୟକତା ଆମ ମଣିଷମାନଙ୍କ ପାଇଁ ମଧ୍ୟ ସେତିକି ରହିଛି, ଯେତିକି ବୃକ୍ଷଲତା ପାଇଁ। ସେହିପରି ମାନବ ଶରୀରରେ ରାସାୟନିକ ପଦାର୍ଥଗୁଡ଼ିକର ସନ୍ତୁଳନ ବଜାୟ ରଖିବା ଏବଂ ନିରୋଗ ରହିବା ପାଇଁ ସୂର୍ଯ୍ୟର ରସବର୍ଣ୍ଣୀ କିରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ବ୍ରତପୋ ଥେରାପି, କଲର୍‌‌ ହିଲିଂ, କିଟୋନ୍‌‌ଥେରାପି ଆଦି ବିଭିନ୍ନ […]

ଆମ ପୃଥିବୀର ଜୀବଜଗତ ସକଳ ପ୍ରାଣଶକ୍ତି ଓ ଚଳତ୍‌ ଶକ୍ତିର ଆଧାର ସୂର୍ଯ୍ୟାଲୋକ ଏବଂ ତାହାର ରଶ୍ମିର ରଙ୍ଗ ଉପରେ ନିର୍ଭର କରିଥାଏ। ଆଲୋକ ରଶ୍ମିର ଆବଶ୍ୟକତା ଆମ ମଣିଷମାନଙ୍କ ପାଇଁ ମଧ୍ୟ ସେତିକି ରହିଛି, ଯେତିକି ବୃକ୍ଷଲତା ପାଇଁ। ସେହିପରି ମାନବ ଶରୀରରେ ରାସାୟନିକ ପଦାର୍ଥଗୁଡ଼ିକର ସନ୍ତୁଳନ ବଜାୟ ରଖିବା ଏବଂ ନିରୋଗ ରହିବା ପାଇଁ ସୂର୍ଯ୍ୟର ରସବର୍ଣ୍ଣୀ କିରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ବ୍ରତପୋ ଥେରାପି, କଲର୍‌‌ ହିଲିଂ, କିଟୋନ୍‌‌ଥେରାପି ଆଦି ବିଭିନ୍ନ ନାମରେ ନାମିତ ହୋଇଛି।

ଋଗ୍‌‌ବେଦ (୧/୫୦/୫୨)ରେ ଉଲ୍ଲେଖ ରହିଛି ଯେ, ସୂର୍ଯ୍ୟ କିରଣ ଦ୍ୱାରା ହୃଦ୍‌‌ରୋଗ ଓ ପାଣ୍ଡୁ ରୋଗରୁ ଆରୋଗ୍ୟ ଲାଭ ହୋଇଥାଏ। ସେହିଭଳି ଅଥର୍ବ ବେଦର ଋଚା ୯/୮ ଅନୁସାରେ ପ୍ରାତଃକାଳର ସୂର୍ଯ୍ୟକିରଣ ଅନେକ ପ୍ରକାର ବ୍ୟାଧିକୁ ଦୂର କରିଥାଏ। ‘ଦି ସ୍ପେକ୍ଟ୍ରୋକ୍ରୋମୋମେଟ୍ରି ଏନସାଇକ୍ଲୋପେଡ଼ିଆ’ ନାମକ ପ୍ରସିଦ୍ଧ ବିଶ୍ୱକୋଷରେ ପ୍ରବୀଣ ଚିକିତ୍ସା ବିଜ୍ଞାନୀ ଡ. ପି. ଗେଟିୟାଲି ସୂର୍ଯ୍ୟ ଚିକିତ୍ସାର ସିଦ୍ଧାନ୍ତ ଏବଂ ବିଭିନ୍ନ ପ୍ରକାର ରଙ୍ଗ କିଭଳି ବିଭିନ୍ନ ରୋଗ ଉପରେ ପ୍ରଭାବ ପକାଇଥାଏ, କିଭଳି ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଲାଭରେ ସହାୟକ ହୋଇଥାଏ, ତାହା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନୀ ହିପ୍ପୋକ୍ରେଟସ୍‌‌ ସୂର୍ଯ୍ୟକିରଣ ଦ୍ୱାରା ରୋଗୀମାନଙ୍କ ଚିକିତ୍ସା କରୁଥିବା ଜଣାଯାଏ। ତ୍ରୟୋଦଶ ଶତାବ୍ଦୀରେ ଡେନମାର୍କର ସୁପ୍ରସିଦ୍ଧ ଚିକିତ୍ସକ ଡ. ନାଈ ଫିସେନ୍‌‌ ବିସ୍ତୃତ ଗବେଷଣା କରି ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ସୂର୍ଯ୍ୟରଶ୍ମି ଦ୍ୱାରା ମାରାତ୍ମକ ରୋଗଗୁଡ଼ିକୁ ନିୟନ୍ତ୍ରଣ କରିବା ସମ୍ଭବ। ସେ ମଧ୍ୟ ସୂର୍ଯ୍ୟରଶ୍ମି ଉପଯୋଗରେ ଅନେକ ଯକ୍ଷ୍ମାରୋଗୀଙ୍କୁ ଆରୋଗ୍ୟ କରିପାରିଥିଲେ। ଆମେରିକାର ଡ. ଜନ୍‌‌ ଡନ୍‌‌ ବର୍ଣ୍ଣ ସୂର୍ଯ୍ୟରଶ୍ମୀ ଉପଚାରରେ ଯକ୍ଷ୍ମା ଭଳି ମାରାତ୍ମକ ରୋଗର ଜୀବାଣୁକୁ ନଷ୍ଟ କରିବାରେ ସଫଳ ହୋଇଥିଲେ। ଡ.ରୋଲୋୟର୍‌‌, ଡ. ଆର. ଡି. ଷ୍ଟକର୍‌‌, ଡ. ଏ.ଓ.ଇଭ୍‌‌ସ, ଡ. ବେବିଟ୍‌‌ଙ୍କ ଭଳି ପ୍ରସିଦ୍ଧ ଚିକିତ୍ସା ବିଜ୍ଞାନୀ ସୂର୍ଯ୍ୟରଶ୍ମି ଚିକିତ୍ସା କ୍ଷେତ୍ରରେ ଗଭୀର ଅଧ୍ୟୟନ, ଅନୁସନ୍ଧାନ ଏବଂ ଏହାକୁ ଆଧାର କରି ଅନେକ ଜଟିଳ ଓ ଅସାଧ୍ୟ ରୋଗର ସଫଳ ଚିକିତ୍ସା କରିବାର ସୂତ୍ର ଉଦ୍‌‌ଭାବନ କରିଥିଲେ। ଡ. ଜେମ୍ସ କୁକ୍‌‌, ଏ.ବି.ଗାର୍ଡେନ୍‌‌, ଏଚ୍‌‌.ଜି.ୱେଲ୍ସ ଆଦି ସୁବିଖ୍ୟାତ ମନୀଷୀଗଣ କ୍ରୋମୋଥେରାପି ଆଧାରିତ ଅନେକ ନୂତନ ତଥ୍ୟ ଆବିଷ୍କାର କରିବା ସହ ଏହା ରୋଗ ପ୍ରତିରୋଧୀ ବୋଲି ପ୍ରମାଣିତ କରିଛନ୍ତି।

ସୂର୍ଯ୍ୟ ଚିକିତ୍ସାର ସିଦ୍ଧାନ୍ତ ଅନୁସାରେ, ଯେଉଁ ପଞ୍ଚଭୂତକୁ ନେଇ ମଣିଷ ଶରୀର ଗଠିତ, ସେଗୁଡ଼ିକର ନିଜସ୍ୱ ରଙ୍ଗ ଏବଂ ପ୍ରଭାବ ରହିଛି। ଏହି ସମସ୍ତ ତତ୍ତ୍ୱ ସୂର୍ଯ୍ୟକିରଣରେ ସୂକ୍ଷ୍ମ ରୂପରେ ବିଦ୍ୟମାନ। ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗରେ ବିଭିନ୍ନ ରଙ୍ଗ ଏକ ରାସାୟନିକ ସମ୍ମିଶ୍ରଣ ରୂପେ ରହିଥିବା ଆୟୁର୍ବିଜ୍ଞାନ ସମ୍ମତ। ଏହି ରଙ୍ଗଗୁଡ଼ିକର ଉଣା-ଅଧିକ ହେବା ହିଁ ହେଉଛି ଅସୁସ୍ଥତାର କାରଣ। ବିଖ୍ୟାତ ବୈଜ୍ଞାନିକ ମେରୀ ଏଣ୍ଡରସନ୍‌‌ ନିଜ କଳାକୃତି ‘କଲର୍‌‌ ହିଲିଂ’ରେ ଦର୍ଶାଇଛନ୍ତି ଯେ, ସୂର୍ଯ୍ୟକିରଣରେ ସନ୍ନିହିତ ରଙ୍ଗଗୁଡ଼ିକ ହିଁ ଜୀବନର ଆଧାର।

ବିଖ୍ୟାତ ଚିକିତ୍ସାବିଜ୍ଞାନୀ ଡ. ୱିଲିୟମ୍‌‌ ବେନ୍‌‌ହେମ୍‌‌ ଏନୋଙ୍କ ମତାନୁଯାୟୀ, ମାନବ ଶରୀର ରଙ୍ଗର ପିଣ୍ଡ, ଯାହାର ପ୍ରତ୍ୟେକ କୋଷରୁ ରଙ୍ଗୀନ ଶକ୍ତି ତରଙ୍ଗ ସ୍ଫୁରିତ ହେଉଥାଏ। ଏହି ଶକ୍ତି ତରଙ୍ଗର ସୌର ଶକ୍ତି ସହ ଏକ ଘନିଷ୍ଠ ଆଦାନ-ପ୍ରଦାନ ପ୍ରକ୍ରିୟା ଜାରି ରହିଥାଏ। ଯେତେବେଳେ ସେଥିରେ କୌଣସି ବାଧା ସୃଷ୍ଟି ହୁଏ, ଶାରୀରିକ, ମାନସିକ ଏବଂ ଭାବନାତ୍ମକ ଅସୁସ୍ଥତା ଜନ୍ମ ନିଏ ଏବଂ ସେହି ରଶ୍ମି ଦ୍ୱାରା ହିଁ ଉପଚାର କରିହୁଏ। ନୀଳ ରଙ୍ଗର ଆଲୋକ ରଶ୍ମି ଦ୍ୱାରା ଝାଡ଼ା, ସଂଗ୍ରହଣୀ, ଆମାଶୟ, କାଶ, ଶ୍ୱାସ, ମୂତ୍ର ବିକାର, ଜ୍ୱର, ମୁଣ୍ଡବ୍ୟଥା, ପ୍ରମେହ ଆଦି ଏବଂ ଲାଲ ରଙ୍ଗର ଆଲୋକ ରଶ୍ମି ଦ୍ୱାରା ସମସ୍ତ ପ୍ରକାର ବାୟୁଦୋଷ ଏବଂ ବାତରୋଗର ନିରାକରଣ ସମ୍ଭବ। ସବୁଜ ରଙ୍ଗ ଦ୍ୱାରା ଚର୍ମରୋଗ ଓ ବ୍ୟଥାଗୁଡ଼ିକର ଚିକିତ୍ସା କରାଯାଇପାରେ।

ସୂର୍ଯ୍ୟାଲୋକ ଚିକିତ୍ସା ବିଜ୍ଞାନ ଅନୁସାରେ ଲାଲ, ହଳଦିଆ ଏବଂ ନୀଳ – ଏହି ତିନୋଟି ହେଉଛି ମୁଖ୍ୟ ରଙ୍ଗ। ଅନ୍ୟ ସମସ୍ତ ରଙ୍ଗ ଏହି ତିନୋଟିର ବିଭିନ୍ନ ଅନୁପାତରେ ମିଶ୍ରଣ ଦ୍ୱାରା ସୃଷ୍ଟି ହୋଇଥାଏ। ଏଥିରୁ ଲାଲ ରଙ୍ଗର ଆଲୋକ ରଶ୍ମିର ପ୍ରୟୋଗ ରକ୍ତ ବିକାର, ଗଣ୍ଠିବାତ, ପକ୍ଷାଘାତ, ଫୁଲା, ଦରଜ ଆଦିର ଉପଶମ ପାଇଁ ଏବଂ ଚର୍ମରୋଗଗୁଡ଼ିକର ଚିକିତ୍ସା ପାଇଁ କରାଯାଇଥାଏ। ରକ୍ତର ଅଭାବ, ଉଦାସୀନତା, ନିରାଶା ଭଳି ପରିସ୍ଥିତିରେ ଲାଲ ରଙ୍ଗର ବସ୍ତ୍ର ପରିଧାନ କଲେ ଏବଂ ଲାଲ ରଙ୍ଗର ବସ୍ତୁଗୁଡ଼ିକ ବ୍ୟବହାର କଲେ ଲାଭ ହୋଇଥାଏ। ଲାଲ ରଙ୍ଗ ମଧ୍ୟ ଉତ୍ତେଜନା ସୃଷ୍ଟିକାରୀ ହୋଇଥିବା ଯୋଗୁଁଁ ଏହାର ବ୍ୟବହାର ସାବଧାନତାର ସହ କରାଯିବା ଉଚିତ।

ଅଜୀର୍ଣ୍ଣ, ପାଚନ ପ୍ରକ୍ରିୟାରେ ଅସନ୍ତୁଳନତାକୁ ଦୂର କରିବା ପାଇଁ ହଳଦିଆ ରଙ୍ଗର ରଶ୍ମି ଉପକାରୀ ସାବ୍ୟସ୍ତ ହୋଇଥାଏ। କଫ, ଜ୍ୱର, କୁଣ୍ଡିଆ ଆଦି ବ୍ୟାଧି ପାଇଁ ଶରୀରରେ ଜମା ହୋଇ ରହିଥାଏ। ଏସବୁକୁ ଶରୀରରୁ ବାହାର କରିବାରେ ହଳଦିଆ ରଙ୍ଗ ବିଶେଷ ଉପଯୋଗୀ ହୋଇଥିବା ଦେଖାଯାଇଛି। ସେହିପରି ମୁଣ୍ଡବ୍ୟଥା, ଚକ୍ଷୁ ରୋଗ, ଅନିଦ୍ରା, ଉଚ୍ଚ ରକ୍ତଚାପ, ଉତ୍ତେଜନା ଭଳି ଉଷ୍ମତା ପ୍ରଧାନ ରୋଗର ନୀଳ ରଙ୍ଗ ଦ୍ୱାରା ଚିକିତ୍ସା କରାଯାଇଥାଏ। ଅଂଶୁଘାତ, ବ୍ରଣ, ବିଷାକ୍ତ କୀଟ ଦଂଶନର ଉପଚାର ପାଇଁ ନୀଳ ରଙ୍ଗର କନାକୁ ପାଣିରେ ଓଦା କରି ପୀଡ଼ିତ ସ୍ଥାନକୁ ଆଚ୍ଛାଦିତ କରିବା ଦ୍ୱାରା ଶୀତଳତା ଅନୁଭୁତ ହୋଇଥାଏ। ଶୁଷ୍କ କାଶ, ଶ୍ୱାସ ରୋଗରେ ମଧ୍ୟ ଏହି ବର୍ଣ୍ଣର ବ୍ୟବହାର ଦ୍ୱାରା ଆରାମ ମିଳିଥାଏ।

ଲାଲ ଓ ହଳଦିଆ ରଙ୍ଗର ମିଶ୍ରଣରେ ସୃଷ୍ଟି ହେଉଥିବା ନାରଙ୍ଗୀ ରଙ୍ଗ ପ୍ରାଣ ସମ୍ବର୍ଦ୍ଧନ ଓ କ୍ୟାଲସିୟମ୍‌‌ ବିଶୋଷଣ ପାଇଁ ଲାଭଦାୟକ। ଆଂଟି-ସ୍ପାସ୍ମୋଡିକ୍‌‌ ଗୁଣ ଯୋଗୁଁଁ ଏହା ମାଂସପେଶୀ ସମସ୍ୟା ଦୂର କରିବା ସହ ଅଗ୍ନାଶୟ ଓ ପ୍ଳିହାକୁ ସକ୍ରିୟ କରିଥାଏ ଏବଂ ବୃକ୍‌‌କକୁ ସକ୍ରିୟ ଓ ସୁସ୍ଥ ରଖିଥାଏ। ଫୁସ୍‌‌ଫୁସ୍‌‌କୁ ଶକ୍ତିଶାଳୀ, ନାଡ଼ିର ଗତିକୁ ତୀବ୍ର ଓ ରକ୍ତଚାପକୁ ନିୟନ୍ତ୍ରିତ କରିବାରେ ନାରଙ୍ଗୀ ରଙ୍ଗ ବ୍ୟବହାର କରାଯାଇଥାଏ। ବାଇଗଣୀ ରଙ୍ଗ ଲାଲ ଏବଂ ନୀଳ ରଙ୍ଗର ମିଶ୍ରଣ ଫଳରେ ସୃଷ୍ଟି ହୋଇଥାଏ। ଯନ୍ତ୍ରଣା ଲାଘବ ସହ ଏହି ରଶ୍ମୀ ଜ୍ୱରର ଉପଶମ ଏବଂ ଶିରାପ୍ରଶିରାକୁ ସଚଳ କରିବା ପାଇଁ ଉପଯୁକ୍ତ। କମଳା ରଙ୍ଗ ମସ୍ତିଷ୍କର ସେରେବ୍ରମ୍‌‌ ଅଂଶକୁ ପ୍ରଭାବିତ କରି ଥାଇମସ୍‌‌ ନାମକ ଅନ୍ତଃସ୍ରାବୀ ଗ୍ରନ୍ଥୀକୁ ଉତ୍ତେଜିତ କରିଥାଏ ଏବଂ ମଣିଷର ବାମନ ଦୋଷକୁ ଦୂର କରିଥାଏ। ସେହିଭଳି ଲାଲ ଓ ବାଇଗଣୀ ରଙ୍ଗର ସମ୍ମିଶ୍ରଣ ଏଡ୍ରିନାଲ୍‌‌ ଗ୍ରନ୍ଥୀ ଓ ହୃତ୍‌‌ପିଣ୍ଡକୁ ଶକ୍ତି ପ୍ରଦାନ କରିଥାଏ ଏବଂ ବୃକକ୍‌‌ ସମ୍ବନ୍ଧୀୟ ରୋଗର ଚିକିତ୍ସା ଓ ଭାବନାତ୍ମକ ସ୍ଥିରତା ପାଇଁ ବ୍ୟବହୃତ ହୁଏ। ସୂର୍ଯ୍ୟରଶ୍ମି ଚିକିତ୍ସା ବିଜ୍ଞାନୀ ସୋଲେନ୍‌‌ଙ୍କ ଭାଷାରେ ସୂର୍ଯ୍ୟଙ୍କର ସପ୍ତବର୍ଣ୍ଣୀ କିରଣରେ ଯେତେ ରୋଗନାଶକ କ୍ଷମତା ରହିଛି ସଂସାରର କୌଣସି ପଦାର୍ଥ କିମ୍ବା ଔଷଧରେ ସେତେ ନାହିଁ। କେବଳ ଆବଶ୍ୟକତା ରହିଛି ଏହାକୁ ଉଚିତ ଉପାୟରେ ବ୍ୟବହାର କରିବାର।

ଯୁଗଳ କିଶୋର ପଣ୍ଡା
(ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ, ଆକାଶବାଣୀ)
ମୋ: ୯୪୩୭୩୦୩୮୨୪

About The Author

ରାଶିଫଳ

ସମ୍ବନ୍ଧିତ ଖବର