ଗୃହଋଣ ପରିଶୋଧ: ଦ୍ୱନ୍ଦ୍ବ ଓ ସମାଧାନ

The Sakala Picture
Published On

ଧନୀ ଗରିବ ସଭିଏଁ ନିଜର ଘର ଖଣ୍ଡେ ପାଇଁ ସ୍ୱପ୍ନ ଦେଖିଥା’ନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ସ୍ୱପ୍ନ ସାର୍ଥକ ହୋଇଥାଏ। ସହଜରେ ମିଳୁଥିବା ଗୃହ ଋଣ ଏବଂ ତା’ସହିତ ଜଡ଼ିତ ସୁବିଧାସୁଯୋଗ ଘର କିଣିବା ପାଇଁ ଅନେକଙ୍କୁ ପ୍ରୋତ୍ସାହିତ କରେ। ଗୃହ ଋଣରେ ସୁଧ ହାର ଅନ୍ୟ ଋଣଗୁଡ଼ିକ ତୁଳନାରେ ଅପେକ୍ଷାକୃତ କମ୍‌‌। ଏହି ଋଣର ଅବଧି ମଧ୍ୟ ଲମ୍ୱା। ଋଣକର୍ତ୍ତାର ପସନ୍ଦ ଅନୁସାରେ ଗୃହଋଣରେ ସୁଧ ନିର୍ଦ୍ଧାରିତ(ଫିକ୍ସଡ୍‌‌) ହାର କିମ୍ୱା ଭାସମାନ(ଫ୍ଲୋଟିଂ) ହାରରେ ସ୍ଥିର କରାଯାଏ। […]

ଧନୀ ଗରିବ ସଭିଏଁ ନିଜର ଘର ଖଣ୍ଡେ ପାଇଁ ସ୍ୱପ୍ନ ଦେଖିଥା’ନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ସ୍ୱପ୍ନ ସାର୍ଥକ ହୋଇଥାଏ। ସହଜରେ ମିଳୁଥିବା ଗୃହ ଋଣ ଏବଂ ତା’ସହିତ ଜଡ଼ିତ ସୁବିଧାସୁଯୋଗ ଘର କିଣିବା ପାଇଁ ଅନେକଙ୍କୁ ପ୍ରୋତ୍ସାହିତ କରେ। ଗୃହ ଋଣରେ ସୁଧ ହାର ଅନ୍ୟ ଋଣଗୁଡ଼ିକ ତୁଳନାରେ ଅପେକ୍ଷାକୃତ କମ୍‌‌। ଏହି ଋଣର ଅବଧି ମଧ୍ୟ ଲମ୍ୱା। ଋଣକର୍ତ୍ତାର ପସନ୍ଦ ଅନୁସାରେ ଗୃହଋଣରେ ସୁଧ ନିର୍ଦ୍ଧାରିତ(ଫିକ୍ସଡ୍‌‌) ହାର କିମ୍ୱା ଭାସମାନ(ଫ୍ଲୋଟିଂ) ହାରରେ ସ୍ଥିର କରାଯାଏ। ନିର୍ଦ୍ଧାରିତ ସୁଧ ହାର ଗୃହ ଋଣର ସମ୍ପୂର୍ଣ୍ଣ ଅବଧି ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହେ। ଏଣୁ ନିର୍ଦ୍ଧାରିତ ମାସିକ ଦେୟ(ମନ୍‌‌ଥଲି ଇନଷ୍ଟାଲ୍‌‌ମେଣ୍ଟ)ରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ଯେଉଁମାନେ ବଜାରରେ ହେଉଥିବା ପରିବର୍ତ୍ତନଠାରୁ ଦୂରେଇ ରହିବାକୁ ଚାହାନ୍ତି ସେମାନେ ନିର୍ଦ୍ଧାରତ ସୁଧ ହାର ବାଛିଥା’ନ୍ତି। ଅନ୍ୟପକ୍ଷରେ ଭାସମାନ ସୁଧହାର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ରେପୋ ରେଟ୍‌‌ ଆଧାରିତ ବ୍ୟାଙ୍କଗୁଡ଼ିକର ଋଣ ନୀତି ଉପରେ ନିର୍ଭର କରେ। ରେପୋ ରେଟ ହେଉଛି ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଦେଉଥିବା ଋଣ ଉପରେ ସୁଧ ହାର। ମୁଦ୍ରାସ୍ଫୀତି ଓ ବଜାରରେ ତରଳତା(ଲିକ୍ୱିଡିଟି)କୁ ନିୟନ୍ତ୍ରଣ କରିବା ପାଇଁ ଆର.ବି.ଆଇ ରେପୋ ରେଟ ସ୍ଥିର କରେ। ରେପୋ ରେଟରେ ପରିବର୍ତ୍ତନ ସହିତ ଗୃହ ଋଣରେ ଭାସମାନ ସୁଧ ହାର ମଧ୍ୟ ବଦଳି ଥାଏ। ସୁଧ ହାର ବଢ଼଼ିଲେ କିମ୍ୱା କମିଲେ ନିର୍ଦ୍ଧାରିତ ମାସିକ ଦେୟରେ ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ହୋଇଥାଏ। ନିର୍ଦ୍ଧାରିତ ମାସିକ ଦେୟକୁ ଅପରିବର୍ତ୍ତିତ ରଖିବାକୁ ହେଲେ ଋଣର ଅବଧିରେ ପରିବର୍ତ୍ତନ କରାଯାଏ।

ଗୃହ ଋଣର ଅଗ୍ରୀମ ଦେୟ ବା ପ୍ରିପେମେଣ୍ଟ କରିବା ଏକ ଜଣାଶୁଣା ପ୍ରଥା। ଏହା ଋଣଗ୍ରହୀତାଙ୍କୁ ସୁଧ ଖର୍ଚ୍ଚ କମ୍‌‌ କରିବାରେ ସାହାଯ୍ୟ କରେ ଏବଂ ଋଣର ମିଆଦି କମ୍‌‌ କରିବାରେ ସହାୟକ ହୋଇଥାଏ। ଘର ଋଣର ପ୍ରିପେମେଣ୍ଟ କରିବା ପାଇଁ ଅନେକ ବିକଳ୍ପ ଉପଲବ୍ଧ ଅଛି, ଯାହା ଋଣଗ୍ରହୀତାଙ୍କୁ ସେମାନଙ୍କର ଆର୍ଥିକ ସ୍ଥିତି ଏବଂ ଲକ୍ଷ୍ୟ ଅନୁଯାୟୀ ବାଛିବାର ସୁଯୋଗ ଦେଇଥାଏ। ବିକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ସମ୍ପୂର୍ଣ୍ଣ ଋଣ ପରିଶୋଧ। ସମ୍ପୂର୍ଣ୍ଣ ଋଣର ପ୍ରିପେମେଣ୍ଟ ଅର୍ଥ ହେଉଛି ସମ୍ପୂର୍ଣ୍ଣ ଋଣ ପରିମାଣର ଅବଶିଷ୍ଟ ରାଶି ଏକାସମୟରେ ପରିଶୋଧ କରିବା। ଏହି ବିକଳ୍ପ ପ୍ରାୟତଃ ଯେତେବେଳେ ଋଣଗ୍ରହୀତା ପାଖରେ ପର୍ଯ୍ୟାପ୍ତ ରାଶି ଥାଏ ଏବଂ ସେ ଋଣରୁ ମୁକ୍ତି ପାଇବାକୁ ଚାହାନ୍ତି, ସେତେବେଳେ ବ୍ୟବହାର କରାଯାଏ। ଏହାଦ୍ୱାରା ଋଣରୁ ଶୀଘ୍ର ମୁକ୍ତି ମିଳେ। ସୁଧ ଖର୍ଚ୍ଚ କମ୍‌‌ ହୋଇଥାଏ। ଏହି ବିକଳ୍ପଟିକୁ ବାଛିଲେ ଋଣ ପରିଶୋଧ ପାଇଁ ଏକକାଳୀନ ବଡ଼ ରାଶି ଦରକାର। କେତେକ ବ୍ୟାଙ୍କ ଋଣ ପ୍ରିପେମେଣ୍ଟ ପାଇଁ ବକେୟା ରାଶି ଉପରେ କିଛି ଦେୟ ନେଇଥା’ନ୍ତି। ଏହି ବିକଳ୍ପକୁ ଚୟନ ସମୟରେ ଏ ସମ୍ପର୍କିତ ସମସ୍ତ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଆଂଶିକ ପରିଶୋଧ ବା ପ୍ରିପେମେଣ୍ଟ ଅର୍ଥ ହେଉଛି ଋଣର ଅବଶିଷ୍ଟ ରାଶିର ଏକ ଅଂଶ ପରିଶୋଧ କରିବା। ଏହି ବିକଳ୍ପ ପ୍ରାୟତଃ ଯେତେବେଳେ ଋଣଗ୍ରହୀତା ପାଖରେ ଅତିରିକ୍ତ ରାଶି ଥାଏ, କିନ୍ତୁ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିବା ସମ୍ଭବ ନୁହେଁ, ସେତେବେଳେ ବ୍ୟବହୃତ ହୋଇଥାଏ। ଆଂଶିକ ପରିଶୋଧ ଫଳରେ ଋଣର ମୂଳଧନ କମ୍‌‌ ହୋଇଯାଏ, ସୁଧ ଖର୍ଚ୍ଚ କମ୍‌‌ ହୁଏ ଏବଂ ପ୍ରିପେମେଣ୍ଟ ପାଇଁ ଅଧିକ ରାଶିର ଆବଶ୍ୟକ ହୁଏ ନାହିଁ। ଅଗ୍ରୀମ ଋଣ ପରିଶୋଧ ହେତୁ ବକେୟା ଋଣ ରାଶି କମ ହୋଇଯାଏ। ପରିଶୋଧ ପାଇଁ ଋଣ କର୍ତ୍ତା ପାଖରେ ଆଉ ଦୁଇଟି ବିକଳ୍ପ ଥାଏ। ଗୋଟିଏ ବିକଳ୍ପ ହେଉଛି ନିର୍ଦ୍ଧାରିତ ମାସିକ ଦେୟକୁ ଅପରିବର୍ତ୍ତିତ ରଖି ଋଣର ଅବଧି କମେଇବା। ଅନ୍ୟ ବିକଳ୍ପଟି ହେଉଛି ଋଣର ଅବଧି ଅପରିବର୍ତ୍ତିତ ରଖି ନିର୍ଦ୍ଧାରିତ ମାସିକ ଦେୟକୁ କମେଇବା।

ଅଗ୍ରୀମ ପରିଶୋଧ କଲା ପରେ ବକେୟା ଋଣ ପରିଶୋଧ ପାଇଁ ମନରେ ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୁଏ। କେଉଁ ବିକଳ୍ପଟି ଋଣକର୍ତ୍ତା ପାଇଁ ପ୍ରଯୁଜ୍ୟ ତାହା ଏକ ଉଦାହରଣରୁ ବୁଝିହେବ। ମନେକରାଯାଉ ଋଣରାଶି ହେଉଛି: ଟ୫୦ ଲକ୍ଷ। ସୁଧ ହାର: ୮%, ଋଣ ଅବଧି ୨୦ ବର୍ଷ(୨୪୦ ମାସ)। ନିର୍ଦ୍ଧାରିତ ମାସିକ ଦେୟ: ଟ ୪୧୮୨୨। କୋଡ଼ିଏ ବର୍ଷରେ ସୁଧ ଓ ମୂଳ ମିଶି ୧ କୋଟି ୩୭ ହଜାର ଟଙ୍କା ପରିଶୋଧ କରିବାକୁ ହେବ। ଏଥିରୁ ମୂଳଧନ ବାଦ ଦେଲେ ଋଣ ଉପରେ କେବଳ ସୁଧ ହେଉଛି ଟ୫୦ .୩୭ ଲକ୍ଷ। ତିନି/ଚାରି ବର୍ଷ ପରେ ୫ ଲକ୍ଷ ଟଙ୍କା ଏକକାଳୀନ ଜମା କରି ମାସିକ ନିର୍ଦ୍ଧାରିତ ଦେୟ ଅପରିବର୍ତ୍ତିତ ରଖିଲେ ନିର୍ଦ୍ଧାରିତ ଅବଧିର ପାଖାପାଖି ୩୮ ମାସ ପୂର୍ବରୁ ଋଣଟି ସମ୍ପୂର୍ଣ୍ଣ ପରିଶୋଧ ହୋଇଯିବ। ଏହାଦ୍ୱାରା ଋଣ ଉପରେ ପୂର୍ବାପେକ୍ଷା ଟ୧୨ .୦୯ ଲକ୍ଷ କମ୍‌‌ ସୁଧ ଲାଗିବ। ଋଣରୁ ଶୀଘ୍ର ମୁକ୍ତି ମଳିବ। ମନରେ ଶାନ୍ତି ଆସିବ। ଉକ୍ତ ଋଣର ଅବଧି ଅପରିବର୍ତ୍ତିତ ରଖି ନିର୍ଦ୍ଧାରିତ ମାସିକ ଦେୟ ହ୍ରାସ କରିବା ବିକଳ୍ପକୁ ବାଛିଲେ, ମାସିକ ଦେୟ ହେବ ଟ୩୭, ୩୮୧। ଏହା ପୂର୍ବ ମାସିକ ଦେୟଠାରୁ ଟ୪, ୪୪୧ କମ। ସମ୍ପୂର୍ଣ୍ଣ ଋଣ ପରିଶୋଧ କରିବା ପରେ ପୂର୍ବାପେକ୍ଷା ୪ .୧୮ ଲକ୍ଷ ଟଙ୍କାର କମ୍‌‌ ସୁଧ ଲାଗିବ। ମାସିକ ଦେୟ ହ୍ରାସ ହେତୁ ଋଣ ପରିଶୋଧର ଚାପ କମିଯିବ। ନଗଦ ପ୍ରବାହ ବଢ଼଼ିବ ଏବଂ ଖର୍ଚ୍ଚ ପାଇଁ ପାଖରେ ଅଧିକ ଅର୍ଥ ରହିବ। ଫଳରେ ବିଭିନ୍ନ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ପାଣ୍ଠି ଆବଣ୍ଟନ ଓ ପାଣ୍ଠି ପରିଚାଳନା ସୁବିଧା ହୋଇପାରିବ।

ପ୍ରତ୍ୟେକ ବ୍ୟାଙ୍କର ପ୍ରିପେମେଣ୍ଟ ସମ୍ୱନ୍ଧରେ ସ୍ୱତନ୍ତ୍ର ନିୟମ ଥାଏ। ଋଣଗ୍ରହୀତା ପ୍ରିପେମେଣ୍ଟ କରିବା ପୂର୍ବରୁ ବ୍ୟାଙ୍କର ନିୟମ ଜାଣିବା ଜରୁରୀ। ଫଳରେ ପ୍ରିପେମେଣ୍ଟ ବା ଅଗ୍ରୀମ ପରିଶୋଧ ସମ୍ୱନ୍ଧୀୟ ସଠିକ ତଥ୍ୟ ମିଳିବା ସହ ଅନାବଶ୍ୟକ ଜୋରିମାନାକୁ ଏଡ଼ାଇ ହେବ। ଗୃହ ଋଣର ପ୍ରିପେମେଣ୍ଟ କରିବା କିଛି ନୂଆ କଥା ନୁହେଁ। ଏହାଦ୍ୱାରା ଋଣଗ୍ରହୀତାଙ୍କୁ ସୁଧ ଖର୍ଚ୍ଚ କମ୍‌‌ ଲାଗେ। ଋଣର ମିଆଦୀ କମ୍‌‌ କରିବା, ମାସିକ ଦେୟକୁ ହ୍ରାସ କରିବା ଭଳି ବିକଳ୍ପ ମଧ୍ୟ ରହିଛି, ଯାହା ଋଣଗ୍ରହୀତାଙ୍କୁ ସେମାନଙ୍କର ଆର୍ଥିକସ୍ଥିତି ଏବଂ ଲକ୍ଷ୍ୟ ଅନୁଯାୟୀ ବିକଳ୍ପ ବାଛିବାର ସୁଯୋଗ ଦେଇଥାଏ। ପ୍ରିପେମେଣ୍ଟ କରିବା ପୂର୍ବରୁ ଏ ସମ୍ୱନ୍ଧିତ ବ୍ୟାଙ୍କର ନିୟମ, ଟିକସ ବ୍ୟବସ୍ଥା ଏବଂ ଆର୍ଥିକ ପରାମର୍ଶଦାତାଙ୍କ ମତାମତ ସଠିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ। ଅଗ୍ରୀମ ଦେୟର ଦୁଇ ବିକଳ୍ପ ମଧ୍ୟରୁ ନିର୍ଦ୍ଧାରିତ ମାସିକ ଦେୟକୁ ଅପରିବର୍ତ୍ତିତ ରଖିବା ହେଉଛି ବୁଦ୍ଧିମାନର କାମ। ଏଥିରେ ଋଣର ଅବଧି କମିଯାଏ। ଋଣରେ ଅନ୍ୟ ବିକଳ୍ପ ଅପେକ୍ଷା ସୁଧ ଖର୍ଚ୍ଚ କମ୍‌‌ ହୋଇଥାଏ। ସାଧାରଣତଃ, ଗୃହ ଋଣରେ ସୁଧ ହାର କମ ଥାଏ। ଋଣର ଅଗ୍ରୀମ ଦେୟ ପରିବର୍ତ୍ତେ ସେହି ରାଶିକୁ ବଜାରରେ ଅଧିକ ଦରରେ ଖଟାଇ ପାରିଲେ ସେଥିରୁ ମିଳୁଥିବା ଲାଭ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥାଏ। ଏଣୁ ଗୃହ ଋଣର ଅଗ୍ରୀମ ଦେୟ ପଇଠ ସମୟରେ ବିଭିନ୍ନ ବିକଳ୍ପକୁ ଭଲ ବାବରେ ବିଚାର କରିବା ଆବଶ୍ୟକ।
(ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ)

ଅନନ୍ତ ଚରଣ ସ୍ୱାଇଁ

ଭୁବନେଶ୍ୱର, ମୋ: ୭୩୮୧୦୪୬୪୭୭

About The Author

ରାଶିଫଳ

ସମ୍ବନ୍ଧିତ ଖବର