ମନୋରଞ୍ଜନ
କନ୍ୟାସନ୍ତାନ-ପରିବେଶ ଯତ୍ନର ଅନନ୍ୟ ଉଦାହରଣ

ଭାରତ କେବଳ ଏହାର ସୁନ୍ଦର ଦୃଶ୍ୟ ପାଇଁ ଜଣାଶୁଣା ନୁହେଁ, ଏଠାରେ ଲକ୍ଷ ଲକ୍ଷ ଅନନ୍ୟ ସ୍ଥାନର ନିଜସ୍ୱ କାହାଣୀ ଅଛି। ସେହିପରି ଏକ କାହାଣୀ ହେଉଛି ରାଜସ୍ଥାନର ପିପ୍ଲାଣ୍ଟ୍ରି ଗ୍ରାମର, ଯେଉଁଠି କନ୍ୟା ଜନ୍ମ ହେଲେ ଢୋଲ ନଗାଡ଼ା ବଜାଯାଏ ଏବଂ ୧୧୧ଟି ଗଛ ମଧ୍ୟ ଲଗାଯାଏ। ପିପ୍ଲାଣ୍ଟ୍ରି ହେଉଛି ଭାରତର ରାଜସ୍ଥାନ ରାଜ୍ୟର ରାଜସମନ୍ଦ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ଗାଁ। ୨୦୦୦ ଦଶକର ପ୍ରାରମ୍ଭରେ ଗାଁଟି ମୃତ୍ତିକା କ୍ଷୟ, ଜଳ ଅଭାବ, ଜନସଂଖ୍ୟା […]
ଭାରତ କେବଳ ଏହାର ସୁନ୍ଦର ଦୃଶ୍ୟ ପାଇଁ ଜଣାଶୁଣା ନୁହେଁ, ଏଠାରେ ଲକ୍ଷ ଲକ୍ଷ ଅନନ୍ୟ ସ୍ଥାନର ନିଜସ୍ୱ କାହାଣୀ ଅଛି। ସେହିପରି ଏକ କାହାଣୀ ହେଉଛି ରାଜସ୍ଥାନର ପିପ୍ଲାଣ୍ଟ୍ରି ଗ୍ରାମର, ଯେଉଁଠି କନ୍ୟା ଜନ୍ମ ହେଲେ ଢୋଲ ନଗାଡ଼ା ବଜାଯାଏ ଏବଂ ୧୧୧ଟି ଗଛ ମଧ୍ୟ ଲଗାଯାଏ।
ପିପ୍ଲାଣ୍ଟ୍ରି ହେଉଛି ଭାରତର ରାଜସ୍ଥାନ ରାଜ୍ୟର ରାଜସମନ୍ଦ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ଗାଁ। ୨୦୦୦ ଦଶକର ପ୍ରାରମ୍ଭରେ ଗାଁଟି ମୃତ୍ତିକା କ୍ଷୟ, ଜଳ ଅଭାବ, ଜନସଂଖ୍ୟା ହ୍ରାସ ସମେତ ଅନେକ ପରିବେଶ ଜନିତ ଓ ସାମାଜିକ ଆହ୍ୱାନର ସମ୍ମୁଖୀନ ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ ପିପ୍ଲାଣ୍ଟ୍ରି ଗ୍ରାମବାସୀ ଏକ ଅନନ୍ୟ ଉଦ୍ୟମ କରିଥିଲେ। ଗାଁରେ ଜଣେ କନ୍ୟା ଜନ୍ମ ନେଲେ ୧୧୧ଟି ଚାରା ଲଗାଇବା ଆରମ୍ଭ କଲେ। ଚାରାରୋପଣ ପଦକ୍ଷେପ ପଛରେ କେବଳ ପରିବେଶକୁ ଉନ୍ନତ କରିବା ଏବଂ ମାଟି କ୍ଷୟକୁ ମୁକାବିଲା କରିବା ନୁହେଁ, ବରଂ ଗ୍ରାମର ପ୍ରାକୃତିକ ସମ୍ପଦ ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଏକ ସାମୁଦାୟିକ ଉତ୍ତରଦାୟିତ୍ୱର ଭାବନା ସୃଷ୍ଟି କରିବାର ପ୍ରୟାସ ଥିଲା।
ପିପ୍ଲାଣ୍ଟ୍ରିରେ ଚାରାରୋପଣ ପଦକ୍ଷେପ ଗ୍ରାମ ଏବଂ ଏହାର ସମ୍ପ୍ରଦାୟ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଛି। ଏହା ସ୍ଥାନୀୟ ପରିବେଶକୁ ଉନ୍ନତ କରିବାରେ, ଜଳର ଉପଲବ୍ଧତା ବୃଦ୍ଧି କରିବାରେ ଏବଂ ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ପ୍ରାଣୀ ପ୍ରଜାତି ପାଇଁ ବାସସ୍ଥାନ ଯୋଗାଇବାରେ ସହାୟକ ହୋଇଛି। ପରିବେଶଗତ ଏବଂ ସାମାଜିକ ଲାଭ ସହିତ ପିପ୍ଲାଣ୍ଟ୍ରିରେ ଚାରାରୋପଣ ପଦକ୍ଷେପର ଅନେକ ଆର୍ଥିକ ଲାଭ ମଧ୍ୟ ହୋଇଛି। କାଠ ଓ ଉଦ୍ଭିଦ ଉତ୍ପାଦିତ ଜିନିଷ ବିକ୍ରୟ ମାଧ୍ୟମରେ ଗଛଗୁଡ଼ିକ ଗ୍ରାମବାସୀଙ୍କ ପାଇଁ ଆୟର ଏକ ଉତ୍ସ ଯୋଗାଇଛି। ସେମାନେ ଗ୍ରାମକୁ ପର୍ଯ୍ୟଟକମାନଙ୍କୁ ମଧ୍ୟ ଆକର୍ଷିତ କରିପାରୁଛନ୍ତି ଏବଂ ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିଛନ୍ତି। କିପରି ଏକ ଛୋଟ ସମ୍ପ୍ରଦାୟ ପରିବେଶଗତ ଏବଂ ସାମାଜିକ ଆହ୍ୱାନକୁ ମୁକାବିଲା ପାଇଁ ପଦକ୍ଷେପ ନେଇପାରିବ ଏବଂ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି କରିପାରିବେ ତାହାର ଅନ୍ୟନ୍ୟ ଓ ଅଭିନବ ଉଦାହରଣ ହେଉଛି ପିପ୍ଲାଣ୍ଟ୍ରି।
ଏହି କାର୍ଯ୍ୟକ୍ରମ ଗ୍ରାମର ପୂର୍ବତନ ସରପଞ୍ଚ ଶ୍ୟାମ ସୁନ୍ଦର ପାଲିୱାଲ ତାଙ୍କ ଝିଅ କିରଣଙ୍କ ସ୍ମୃତିରେ ଆରମ୍ଭ କରିଥିଲେ, ଯିଏ ୧୮ ବର୍ଷ ବୟସରେ ଜଳ ଅଭାବ ଯୋଗୁଁଁ ମୃତ୍ୟୁବରଣ କରିଥିଲେ। ଗାଁରେ କେବେ ବି ପାଣିର ଅଭାବ ନ ହେବା ପାଇଁ ଗାଁର ସବୁଜ ଆବରଣ ବୃଦ୍ଧି କରିବା ଏବଂ ସ୍ଥାନୀୟ ପରିବେଶକୁ ଉନ୍ନତ କରିବା ପାଇଁ ପାଲିୱାଲ ଚାରାରୋପଣ ଜରିଆରେ ସଂକଳ୍ପ ନେଇଥିଲେ। ପ୍ରତିବର୍ଷ ପିପ୍ଲାଣ୍ଟ୍ରିରେ ହାରାହାରି ପ୍ରାୟ ୬୦ ଜଣ ଝିଅ ଜନ୍ମ ହୁଅନ୍ତି ଏବଂ ଫଳସ୍ୱରୂପ ଚାରାରୋପଣ କାର୍ଯ୍ୟକ୍ରମ ଗ୍ରାମର ସବୁଜ ଆବରଣରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ପରିବେଶ ଓ ସମାଜ ଉପରେ ଅନେକ ସକାରାତ୍ମକ ପ୍ରଭାବ ପକାଇଛି। ରୋପଣ କରାଯାଇଥିବା ଚାରାଗୁଡ଼ିକ ଗାଁରେ ଜଳର ଉପଲବ୍ଧତା ବୃଦ୍ଧି କରିବାରେ ସାହାଯ୍ୟ କରିଛି। ମାଟିରେ ଆର୍ଦ୍ରତା ବଜାୟ ରଖିବା ଏବଂ ଅଧିକ ଆର୍ଦ୍ର ସୂକ୍ଷ୍ମ ଜଳବାୟୁ ସୃଷ୍ଟି କରିପାରିଛି। ୮୦୦ ଫୁଟ ତଳେ ଥିବା ଜଳସ୍ତର ମାତ୍ର ୫ ବର୍ଷ ମଧ୍ୟରେ ୧୫ ଫୁଟ ଉପରକୁ ଭୂମିସ୍ତରକୁ ଉଠି ପାରିଛି। ଏହି ପଦକ୍ଷେପର ଅଂଶ ଭାବରେ ରୋପଣ କରାଯାଇଥିବା ଚାରାଗୁଡ଼ିକ ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ପ୍ରାଣୀ ପ୍ରଜାତି ପାଇଁ ବାସସ୍ଥାନ ପ୍ରଦାନ କରିଛି, ଯାହା ଜୈବବିବିଧତା ବୃଦ୍ଧି ଓ ସୁରକ୍ଷାରେ ସହାୟକ ହୋଇଛି। ଚାରାରୋପଣ ଉଦ୍ୟମ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ମାଲିକାନା ଭାବନା ସୃଷ୍ଟି କରିବାରେ ସାହାଯ୍ୟ କରିଛି।। କାରଣ ସେମାନେ ଗଛଗୁଡ଼ିକର ଯତ୍ନ ଏବଂ ସୁରକ୍ଷା ପାଇଁ ସଚେତନ ରହୁଛନ୍ତି।
ଭାରତରେ ଝିଅମାନଙ୍କୁ ଏକ ବଡ଼ ସମସ୍ୟା ବୋଲି ବିଚାର କରାଯାଏ। କାରଣ ସମାଜ ପୁଅ ସନ୍ତାନ ପ୍ରତି ଅତିଷ୍ଠ ଓ ବ୍ୟାକୁଳ ଏବଂ ଯୌତୁକ ପ୍ରଥା ଯୋଗୁଁଁ ଝିଅମାନଙ୍କୁ ଆର୍ଥିକ ବୋଝ ବୋଲି ବିବେଚନା କରନ୍ତି। କିନ୍ତୁ ପିପ୍ଲାଣ୍ଟ୍ରିରେ ୧୧୧ ଚାରାରୋପଣ ସଂକଳ୍ପ ଓ କାର୍ଯ୍ୟକ୍ରମ ଝିଅମାନଙ୍କ ପ୍ରତି ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିଛି, ଯାହା ଫଳରେ ଗାଁର ସାମାଜିକ ଗତିଶୀଳତାରେ ପରିବର୍ତ୍ତନ ଆସି ପାରିଛି। ପିପ୍ଲାଣ୍ଟ୍ରି ଗ୍ରାମ ପରିବେଶଗତ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଦେଶରେ ଏକ ଉଦାହରଣ ପାଲଟିଛି ଏବଂ ‘ଓଏସିସ୍’ ମାନ୍ୟତା ମଧ୍ୟ ମିଳିଛି। ପିପ୍ଲାଣ୍ଟ୍ରିର ଏହି ଉଦ୍ୟମ ଦେଖାଇ ଦେଇଛି ଯେ, ଛୋଟ ଏକ ସମୁଦାୟ ମଧ୍ୟ ଏକ ମିଳିତ ପ୍ରୟାସ ଦ୍ୱାରା ବଡ଼ ପରିବର୍ତ୍ତନ ଆଣିପାରିବ। ଏହି ଅନନ୍ୟ ସାମୂହିକ ଅଭ୍ୟାସ କେବଳ ଜୀବନର ଉତ୍ସବର ପ୍ରତୀକ ନୁହେଁ, ବରଂ ପରିବେଶ ଏବଂ କନ୍ୟାସନ୍ତାନ ଉଭୟକୁ ପାଳନ ଏବଂ ସୁରକ୍ଷା ଦେବାର ପ୍ରତିଜ୍ଞା ଭାବରେ ମଧ୍ୟ କାର୍ଯ୍ୟ କରୁଛି।
ପରିବାରମାନେ ସେମାନଙ୍କ ଝିଅମାନଙ୍କୁ ପାଳନ କରିବା ସହିତ ଲଗାଇଥିବା ଚାରାଗୁଡ଼ିକର ଯତ୍ନ ନେବାର ଦାୟିତ୍ୱ ଗ୍ରହଣ କରନ୍ତି, ଗଛର ବୃଦ୍ଧି ଏବଂ ଝିଅମାନଙ୍କ ସଶକ୍ତୀକରଣ ମଧ୍ୟରେ ଏକ ଗଭୀର ସମ୍ପର୍କ ସ୍ଥାପନ କରନ୍ତି। ସଂରକ୍ଷଣ ଏବଂ ଲିଙ୍ଗ ସମାନତା ପାଇଁ ସାମଗ୍ରିକ ଦୃଷ୍ଟିକୋଣ ଗାଁକୁ ସ୍ଥାୟୀ ଜୀବନ ଏବଂ ସାମାଜିକ ପ୍ରଗତିରେ ପରିଣତ କରିଛି। ପରିବାରର ସଦସ୍ୟମାନେ ଗଛଗୁଡ଼ିକ ଫଳବାନ ହେବା ପର୍ଯ୍ୟନ୍ତ ସେମାନଙ୍କର ଯତ୍ନ ନେବାକୁ ସଂକଳ୍ପବଦ୍ଧ ହୋଇଛନ୍ତି। ରକ୍ଷା ବନ୍ଧନ ଉତ୍ସବରେ ଝିଅମାନେ ରାଖୀ ଗଛରେ ବାନ୍ଧିଥା’ନ୍ତି, ଯାହା ଭାଇଭଉଣୀ ଭାବରେ ଅପାର ପ୍ରେମ ଏବଂ ସୁରକ୍ଷାର ପ୍ରତୀକ ହୋଇ ରହିଛି।
ଏହି ସଂକଳ୍ପ ଯୋଗୁଁଁ ପିପ୍ଲାଣ୍ଟ୍ରିରେ ନିମ, ଶୀଶମ, ଆମ୍ୱ, ଆମଳା, ଆଲୋଭେରା ସମେତ ପ୍ରାୟ ଚାରି ଲକ୍ଷରୁ ଅଧିକ ଗଛ ସମୃଦ୍ଧ ହୋଇପାରିଛି। ଏହି ସବୁଜ ବିପ୍ଳବ କେବଳ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ ନାହିଁ ବରଂ ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଜୈବ ବିବିଧତା ସଂରକ୍ଷଣରେ ମଧ୍ୟ ଯୋଗଦାନ ଦେଇଛି।
ମିନାକ୍ଷୀ ଦ୍ୱିବେଦୀ
ଗୁରୁଗ୍ରାମ, ମୋ: ୭୯୭୮୦୮୨୮୩୪