ମନୋରଞ୍ଜନ
କୁମାର-କୁମାରୀ ପର୍ବତର ସାଂସ୍କୃତିକ ସୌରଭ

ପ୍ରାକୃତିକ ରୂପଲାବଣ୍ୟଭରା ଓଡ଼ିଶାର ମଧ୍ୟ- ପୂର୍ବାଞ୍ଚଳରେ ଅବସ୍ଥିତ କୁମାର-କୁମାରୀଗିରି ଯୁଗଳ ସଂପ୍ରତି ଆମ ରାଜଧାନୀ ଭୁବନେଶ୍ୱର ମହାନଗର କେନ୍ଦ୍ରାଞ୍ଚଳରେ ଖଣ୍ଡଗିରି ଓ ଉଦୟଗିରି ନାମରେ ବିଦ୍ୟମାନ। ଏହି ଦୁଇଟି ଅନୁଚ୍ଚ ପର୍ବତ ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ ଓ ସଂସ୍କୃତିର ସ୍ମୃତି ବହନ କରି ସଂପ୍ରତି ବୃକ୍ଷବିହୀନ ପାହାଡ଼ ସ୍ୱରୂପରେ ଦୃଶ୍ୟମାନ। ଜୈନକୀର୍ତ୍ତି ବିମଣ୍ଡିତ ଖଣ୍ଡଗିରିର ଉଚ୍ଚତା ପ୍ରାୟ ୪୪ ମିଟର ଓ ଐତିହ୍ୟ ସୁରଭିତ ଉଦୟଗିରିର ଉଚ୍ଚତା ପ୍ରାୟ ୩୪ ମିଟର। ଶତାବ୍ଦୀ ଶତାବ୍ଦୀ ଧରି ଅରଣ୍ୟ, […]
ପ୍ରାକୃତିକ ରୂପଲାବଣ୍ୟଭରା ଓଡ଼ିଶାର ମଧ୍ୟ- ପୂର୍ବାଞ୍ଚଳରେ ଅବସ୍ଥିତ କୁମାର-କୁମାରୀଗିରି ଯୁଗଳ ସଂପ୍ରତି ଆମ ରାଜଧାନୀ ଭୁବନେଶ୍ୱର ମହାନଗର କେନ୍ଦ୍ରାଞ୍ଚଳରେ ଖଣ୍ଡଗିରି ଓ ଉଦୟଗିରି ନାମରେ ବିଦ୍ୟମାନ। ଏହି ଦୁଇଟି ଅନୁଚ୍ଚ ପର୍ବତ ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ ଓ ସଂସ୍କୃତିର ସ୍ମୃତି ବହନ କରି ସଂପ୍ରତି ବୃକ୍ଷବିହୀନ ପାହାଡ଼ ସ୍ୱରୂପରେ ଦୃଶ୍ୟମାନ। ଜୈନକୀର୍ତ୍ତି ବିମଣ୍ଡିତ ଖଣ୍ଡଗିରିର ଉଚ୍ଚତା ପ୍ରାୟ ୪୪ ମିଟର ଓ ଐତିହ୍ୟ ସୁରଭିତ ଉଦୟଗିରିର ଉଚ୍ଚତା ପ୍ରାୟ ୩୪ ମିଟର। ଶତାବ୍ଦୀ ଶତାବ୍ଦୀ ଧରି ଅରଣ୍ୟ, ଔଷଧୀୟ ବୃକ୍ଷ ଓ ନିର୍ଝରିଣୀ ପରିଶୋଭିତ ଏହି ଗିରିଦ୍ୱୟ ରାଜଧାନୀର କଳେବର ପ୍ରସାରଣରେ ବର୍ତ୍ତମାନ ଏକ ଲୋକପ୍ରିୟ ଐତିହ୍ୟ କୀର୍ତ୍ତି କ୍ଷେତ୍ରରେ ରୂପାନ୍ତରିତ ହୋଇଛି। ପ୍ରାଚୀନ ସମୟରେ ପୁରାଣ ପ୍ରସିଦ୍ଧ ଏକାମ୍ରକ୍ଷେତ୍ରର ମଧ୍ୟଭାଗରେ ବହୁ ଶାଖାପ୍ରଶାଖା ସମନ୍ୱିତ ଏକ ଅତି ବିଶାଳ ଆମ୍ର ବୃକ୍ଷ ରହିଥିଲା। ‘ଏକାମ୍ର ଚନ୍ଦ୍ରିକା’ରୁ ଜଣାଯାଏ –
ଏକାମ୍ର ବୃକ୍ଷସ୍ତତ୍ରାସୀତ୍ ପୁରାକଳ୍ପେ ତପୋଧନାଃ,
ତସ୍ୟେକ ନାମ୍ନା ତତ୍ କ୍ଷେତ୍ରମେକାମ୍ରକମିତି ସ୍କୃତମ୍।
ସେହି ଆମ୍ରବୃକ୍ଷର ମୂଳରେ ସ୍ଫଟିକ ଓ ବୈଦୁର୍ଯ୍ୟ ମଣି ଉଦ୍ଭାସିତ ତଥା ଊର୍ଦ୍ଧ୍ବଦେଶ ପଦ୍ମରାଗ ମଣି ବିମଣ୍ଡିତ ତ୍ରିଭୁବନେଶ୍ୱର ଲିଙ୍ଗ ବିରାଜମାନ ଥିଲେ, ଯାହା ସଂପ୍ରତି ଲିଙ୍ଗରାଜ ନାମରେ ଖ୍ୟାତ। ଚକ୍ରାକାରରେ ସୁବିସ୍ତୃତ ସେହି ଆମ୍ରବୃକ୍ଷର ପୂର୍ବ ପାର୍ଶ୍ବଶାଖା ଭାବକୁଣ୍ଡଳେଶ୍ୱର, ଉତ୍ତରପାର୍ଶ୍ବ ଶାଖା ବଲହାଦେବୀ, ଦକ୍ଷିଣପାର୍ଶ୍ବ ଶାଖା ବହିରଙ୍ଗେଶ୍ୱର ଓ ପଶ୍ଚିମପାର୍ଶ୍ବ ଶାଖା ଖଣ୍ଡଗିରି ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ତଥା ପଞ୍ଚମ ଶାଖା ଊର୍ଦ୍ଧ୍ବକୁ ପ୍ରଳମ୍ବିତ ହୋଇଥିଲା –
ଖଣ୍ଡାଚଳ ସମାସାଦ୍ୟ ଯତ୍ରାସ୍ତେ କୁଣ୍ଡଳେଶ୍ୱର
ଆସାଦ୍ୟ ବଳହା ଦେବୀଂ ବହିରଙ୍ଗେଶ୍ୱରାବଧି
କ୍ଷେତ୍ରମେତତ୍ ସମାଦିଷ୍ଟଂ ଚକ୍ରକାରଂ ଶୁଭଂ ମୁନେ।
ଏହି କାରଣରୁ ଏକାମ୍ରକ୍ଷେତ୍ରର ଅନ୍ୟ ନାମ ଚକ୍ରକ୍ଷେତ୍ର। ସେହି ଚକ୍ରକ୍ଷେତ୍ରର ପଶ୍ଚିମସୀମାରେ ଅବସ୍ଥିତ ଗିରିଦ୍ୱୟ ‘କୁମାରଗିରି’ ଓ ‘କୁମାରୀଗିରି’ ନାମରେ ଐତିହାସିକ ପ୍ରସିଦ୍ଧ ଲାଭ କରିଥିଲା। ଦେବସେନାପତି କାର୍ତ୍ତିକେୟଙ୍କ ନାମ କୁମାର। ସେହି କୁମାର ବା ସ୍କନ୍ଧଙ୍କ ନାମରେ ନାମିତ ସ୍କନ୍ଧଗିରି ଅପଭ୍ରଂଶରେ ଖଣ୍ଡଗିରି ନାମରେ ପରିଚିହ୍ନିତ। ସୋମବଂଶୀ ରାଜା ଉଦ୍ୟୋତକେଶରୀଙ୍କ ରାଜତ୍ୱରେ ଅର୍ଥାତ ଦଶମ ଶତାବ୍ଦୀରେ ଖୋଦିତ ଏକ ଶିଳାଲେଖରେ ପ୍ରଥମେ ଖଣ୍ଡଗିରି ନାମ ପରିଦୃଷ୍ଟ ହୁଏ। କୁମାର ପର୍ବତର କିଞ୍ଚିତ ପୂର୍ବରେ କୁମାରୀ ପର୍ବତର ଅବସ୍ଥିତ, ଯାହା ସଂପ୍ରତି ଉଦୟଗିରି ନାମ ବହନ କରିଅଛି। ପ୍ରାଚୀନ ସଂସ୍କୃତ ଗ୍ରନ୍ଥ ‘ସ୍ୱର୍ଣ୍ଣାଦ୍ରି ମହୋଦୟ’ରେ ଏହି ଗିରିଦ୍ୱୟ ଖଣ୍ଡାଚଳ ଓ ଉଦୟାଚଳ ନାମରେ ମଧ୍ୟ ନାମିତ।
କୁମାର-କୁମାରୀ ଯୁଗ୍ମ ଗିରିର ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱ ଅବର୍ଣ୍ଣନୀୟ। ଜୈନଧର୍ମର ପ୍ରବର୍ତ୍ତକ ବା ଆଦିତୀର୍ଥଙ୍କର ହେଉଛନ୍ତି ପାର୍ଶ୍ବନାଥ। ଏହି ମହାତ୍ମା ବୈଦିକ କାଳୀନ। ଜୈନ ଭଗବତୀ ସୂତ୍ର ଓ କ୍ଷେତ୍ର ସମାସରୁ ଜଣାଯାଏ ସେ ଅଙ୍ଗ, ବଙ୍ଗ ଓ କଳିଙ୍ଗରେ ଜୈନଧର୍ମ ପ୍ରଚାର କରିଥିଲେ। ଖଣ୍ଡଗିରି ଓ ଉଦୟଗିରି ପାର୍ଶ୍ବନାଥଙ୍କ ତପସ୍ଥଳୀ ଥିଲା ଏବଂ ସର୍ବଭାରତୀୟ ସ୍ତରରେ ବୈଦିକ ଯୁଗରୁ ଏହା ଜୈନତୀର୍ଥ ରୂପେ ପ୍ରସିଦ୍ଧି ଲାଭ କରିଥିଲା। ପାର୍ଶ୍ବନାଥଙ୍କ ଦେହାବସାନ ପରେ କଳିଙ୍ଗବାସୀ ତାଙ୍କର ଏକ ପ୍ରତିମୂର୍ତ୍ତି ଖଣ୍ଡଗିରିରେ ପୂଜା କରୁଥିଲେ। ‘କଳିଙ୍ଗଜିନ’ ନାମରେ ଖ୍ୟାତ ସେହି ମୂର୍ତ୍ତି ଥିଲା କଳିଙ୍ଗର ଜାତୀୟ ସ୍ୱାଭିମାନର ପ୍ରତୀକ। ମଗଧର ନନ୍ଦରାଜା ଖ୍ରୀପୂ ଚତୁର୍ଥ ଶତାବ୍ଦୀରେ ସେହି ‘କଳିଙ୍ଗଜିନ’ ମୂର୍ତ୍ତିକୁ ପାଟଳୀପୁତ୍ର ନେଇଯାଇଥିଲେ। ତିନିଶହ ବର୍ଷ ପରେ ଖ୍ରୀପୂ ପ୍ରଥମ ଶତାବ୍ଦୀରେ କଳିଙ୍ଗ ସମ୍ରାଟ ଖାରବେଳ, ମଗଧ ସମ୍ରାଟ ବୃହସ୍ପତି ମିତ୍ରଙ୍କୁ ପରାସ୍ତ କରି ମହାସମାରୋହରେ ‘କଳିଙ୍ଗଜିନ’ ମୂର୍ତ୍ତିକୁ ଫେରାଇ ଆଣିଥିଲେ। ଆଦିତୀର୍ଥଙ୍କର ପାର୍ଶ୍ବନାଥଙ୍କଠାରୁ ଆରମ୍ଭ କରି ପ୍ରାୟ ସବୁ ତୀର୍ଥଙ୍କର ଖଣ୍ଡଗିରିକୁ ପବିତ୍ର ଜୈନପୀଠର ମାନ୍ୟତା ପ୍ରଦାନ କରିଥିଲେ। ଶତାବ୍ଦୀ ଶତାବ୍ଦୀ ଧରି ଖଣ୍ଡଗିରି ଜୈନ ଅର୍ହତମାନଙ୍କର ସାଧନାସ୍ଥଳୀ ଭାବରେ ପ୍ରସିଦ୍ଧି ଲାଭ କରିଥିଲା। ହରିଭଦ୍ର, ଆବଶ୍ୟକସୂତ୍ରର ଟୀକାରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଜୈନ ଧର୍ମର ଶେଷତୀର୍ଥଙ୍କର ମହାବୀରଙ୍କ ପିତା କଳିଙ୍ଗ ରାଜାଙ୍କର ବନ୍ଧୁ ଥିଲେ ଏବଂ କଳିଙ୍ଗ ରାଜା ମହାବୀରଙ୍କୁ ତାଙ୍କ ରାଜ୍ୟରେ ଧର୍ମ ପ୍ରସାର କରିବା ନିମିତ୍ତ ଆମନ୍ତ୍ରଣ କରିଥିଲେ। ହାତୀଗୁମ୍ଫା ଶିଳାଲିପିରେ ମହାବୀରଙ୍କ କଳିଙ୍ଗ ଆଗମନ ଓ କୁମାରୀ ପର୍ବତରେ ଜୈନଧର୍ମ ପ୍ରଚାର କରିଥିବାର ସ୍ପଷ୍ଟ ସୂଚନା ମିଳେ। ଜୈନଗ୍ରନ୍ଥ ଉତ୍ତରାଧ୍ୟୟନ ସୂତ୍ର ଅନୁସାରେ ମହାବୀରଙ୍କ ସମୟରେ ଅର୍ଥାତ ଖ୍ରୀପୂ ଷଷ୍ଠ ଶତାବ୍ଦୀରେ କଳିଙ୍ଗ ସୁବିଖ୍ୟାତ ଜୈନଭୂମି ଥିଲା। ତୀର୍ଥଙ୍କର ମହାବୀର କଳିଙ୍ଗ ଆଗମନ କରି କୁମାରୀ ପର୍ବତରେ ଅବସ୍ଥାନ ପୂର୍ବକ ଜୈନବାଣୀ କଳିଙ୍ଗବାସୀଙ୍କ ଉଦ୍ଦେଶ୍ୟରେ ପରିବେଷଣ କରିଥିଲେ। ହାତୀଗୁମ୍ଫା ଶିଳାଲିପିରେ ଉତ୍କୀର୍ଣ୍ଣ ‘ବିଜୟ ଚକ୍ରପ୍ରବର୍ତ୍ତନ’କୁ ଏହି ଘଟଣାର ପ୍ରାମାଣିକ ତଥ୍ୟରୂପେ ଗ୍ରହଣ କରାଯାଇଥାଏ। ମହାବୀରଙ୍କ ଧର୍ମବାଣୀ ପ୍ରଚାରରେ ଉଦ୍ବୁଦ୍ଧ ହୋଇ ତତ୍କାଳୀନ କଳିଙ୍ଗାଧିପତି ତଥା ରାଜ୍ୟବାସୀଗଣ ଜୈନଧର୍ମକୁ କଳିଙ୍ଗର ରାଜକୀୟ ଧର୍ମ ଭାବରେ ସମ୍ମାନ ପ୍ରଦାନ କରିଥିଲେ। ମହାବୀର କୁମାର ପର୍ବତରେ ଧର୍ମ ପ୍ରସାର କରିଥିବା ହେତୁ ଏହି ଗିରି ସର୍ବଭାରତୀୟ ସ୍ତରରେ ଏକ ପବିତ୍ର ଜୈନତୀର୍ଥ ରୂପେ ପ୍ରସିଦ୍ଧି ଲାଭ କରିଥିଲା ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ଜୈନସନ୍ନ୍ୟାସୀ ଓ ଅର୍ହତଗଣ ଏଠାରେ ଆସି ନିବାସ କରୁଥିଲେ।
ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ମହାମେଘବାହନ ଖାରବେଳ କଳିଙ୍ଗର ସମ୍ରାଟ ହେଲେ। ଖାରବେଳ ଓ ତାଙ୍କର ପରିବାରବର୍ଗ ଜୈନ ଧର୍ମାବଲମ୍ବୀ ଥିଲେ। ତାଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ସେ ମଗଧ ବିରୁଦ୍ଧରେ ସଫଳ ଯୁଦ୍ଧ ଅଭିଯାନ କରି ଅପହୃତ ‘କଳିଙ୍ଗଜିନ’ ଫେରାଇ ଆଣିଥିଲେ। ‘କଳିଙ୍ଗଜିନ’କୁ ଏକ ବିରାଟ ଶୋଭାଯାତ୍ରାରେ ଫେରାଇ ଆଣି ସେ ମହୋତ୍ସବ କରାଇ କୁମାରୀ ପର୍ବତରେ ପୁନଃପ୍ରତିଷ୍ଠା କରାଇଥିଲେ। ତାଙ୍କ ରାଜତ୍ୱର ତ୍ରୟୋଦଶ ବର୍ଷରେ ଜୈନ ସନ୍ନ୍ୟାସୀମାନଙ୍କ ସାଧନା, ପୂଜା ଓ ନିବାସ ନିମିତ୍ତ ସେ ଖଣ୍ଡଗିରି ଓ ଉଦୟଗିରିରେ ବହୁ ଗୁମ୍ଫା ଖୋଳାଇଥିଲେ। ଖଣ୍ଡଗିରିରେ ଖୋଳାଯାଇଥିବା ଗୁମ୍ଫାମାନଙ୍କ ମଧ୍ୟରେ ତତୋଆ ଗୁମ୍ଫା, ଅନନ୍ତ ଗୁମ୍ଫା, ତେନ୍ତୁଳି ଗୁମ୍ଫା, ଖଣ୍ଡଗିରି ଗୁମ୍ଫା, ଧ୍ୟାନ ଗୁମ୍ଫା, ନବମୁନି ଗୁମ୍ଫା, ବାରଭୂଜା ଗୁମ୍ଫା, ତ୍ରିଶୁଳ ଗୁମ୍ଫା, ଅମ୍ବିକା ଗୁମ୍ଫା ଓ ଏକାଦଶୀ ଗୁମ୍ଫା ପ୍ରଭୃତି ପ୍ରଧାନ। ଉଦୟଗିରିରେ ଖୋଳା ଯାଇଥିବା ଗୁମ୍ଫାମାନଙ୍କ ମଧ୍ୟରେ ରାଣୀଗୁମ୍ଫା, ବାଜାଘର ଗୁମ୍ଫା, ଛୋଟ ହାତୀଗୁମ୍ଫା, ପାତାଳପୁରୀ ଗୁମ୍ଫା, ଅଳକାପୁରୀ ଗୁମ୍ଫା, ଜୟବିଜୟ ଗୁମ୍ଫା, ପଣସ ଗୁମ୍ଫା, ଠାକୁରାଣୀ ଗୁମ୍ଫା, ଗଣେଶ ଗୁମ୍ଫା, ଜମ୍ବେଶ୍ୱର ଗୁମ୍ଫା, ବ୍ୟାଘ୍ର ଗୁମ୍ଫା, ସର୍ପ ଗୁମ୍ଫା, ଧାନଘର ଗୁମ୍ଫା, ହରିଦାସ ଗୁମ୍ଫା, ଜଗନ୍ନାଥ ଗୁମ୍ଫା ଓ ରୋଷେଇ ଗୁମ୍ଫା ପ୍ରଭୃତି ମୁଖ୍ୟ। ଏହିସବୁ ଗୁମ୍ଫା ଖାରବେଳ, ତଦୀୟ ରାଣୀଗଣ, ପୁତ୍ରଗଣଙ୍କ ଦ୍ବାରା ଓ ପରବର୍ତ୍ତୀ କାଳରେ ଖୋଦିତ। ଏହି ଗୁମ୍ଫାଗୁଡ଼ିକ ଖାରବେଳଙ୍କ ଚାରିତ୍ରିକ ମହନୀୟତାର ପ୍ରତୀକ। ଉଦୟଗିରି ଓ ଖଣ୍ଡଗିରିରେ ଖୋଦିତ ଗୁମ୍ଫାରାଜି ଶ୍ରେଷ୍ଠ ଜୈନକୀର୍ତ୍ତି ଭାବରେ ସାରା ଭାରତବର୍ଷରେ ସୁବିଦିତ। ଉଦୟଗିରିରେ ୪୪ଟିି ଓ ଖଣ୍ଡଗିରିରେ ୧୯ଟି ଗୁମ୍ଫା ଦେଖିବାକୁ ମିଳେ। ଏହି ଗୁମ୍ଫାମାନଙ୍କ ସ୍ଥାପତ୍ୟ ଓ କଳା ଭାସ୍କର୍ଯ୍ୟ ପୂର୍ବ ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ସର୍ବଭାରତୀୟ ସ୍ତରରେ କଳିଙ୍ଗ ସ୍ଥାପତ୍ୟ ଖ୍ରୀଷ୍ଟପୂର୍ବ କାଳରୁ ପ୍ରସିଦ୍ଧିଲାଭ କରିଥିଲା। ଏହି ସ୍ଥାପତ୍ୟ ଅଗଣିତ ପରିବ୍ରାଜକ, ଦର୍ଶକ, ଐତିହାସିକ, ଗବେଷକ ଓ ଧର୍ମାତ୍ମାମାନଙ୍କୁ ଆକୃଷ୍ଟ କରିଆସିଛି। ଉଦୟଗିରିର ଗୁମ୍ଫାଗୁଡ଼ିକ ସମ୍ମୁଖରେ ପ୍ରଶସ୍ତ ପ୍ରାଙ୍ଗଣ ରହିଛି, ଯାହା ମୁକ୍ତ ନାଟ୍ୟମଞ୍ଚ ଭାବରେ ବ୍ୟବହୃତ ହେଉଥିଲା। ଖଣ୍ଡଗିରି ଗୁମ୍ଫା ଦ୍ୱିତଳ ବିଶିଷ୍ଟ। ଯହିଁରେ ପତିତପାବନ ମୂର୍ତ୍ତି ଉତ୍କୀର୍ଣ୍ଣ। ନବମୁନି ଗୁମ୍ଫାରେ ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀର ଏକ ଶିଳାଲିପି ରହିଛି ଏବଂ ଏଥିରେ ଜୈନମୁନି ଶୁଭଚନ୍ଦ୍ରଙ୍କର ନାମ ରହିଛି। ଏକ ପ୍ରକୋଷ୍ଠରେ ଚବିଶ ଜୈନ ତୀର୍ଥଙ୍କର ଏବଂ ଶାସନଦେବୀମାନଙ୍କର ପ୍ରତିମୂର୍ତ୍ତି ଖୋଦିତ। ଅନନ୍ତ ଗୁମ୍ଫାରେ ଜୈନଧର୍ମର ସ୍ୱସ୍ତିକ ଓ ତ୍ରିଶୂଳ ଆଦି ସାତଟି ପବିତ୍ରଚିହ୍ନ ଖୋଦିତ। ଏହି ଗୁମ୍ଫାର ବାହାର କାନ୍ଥରେ ଲକ୍ଷ୍ମୀ, ରଥାରୁଢ଼ ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର ଖଚିତ ଆକାଶ, ପଶୁ, ପକ୍ଷୀ, ମିଥୁନ ଓ ପକ୍ଷଯୁକ୍ତ ଗନ୍ଧର୍ବମାନଙ୍କର ମୂର୍ତ୍ତି ରହିଛି।
ଖଣ୍ଡଗିରି ଓ ଉଦୟଗିରି କେବଳ ଜୈନସନ୍ନ୍ୟାସୀଙ୍କର ତପସ୍ଥଳୀ ନଥିଲା; ବିଭିନ୍ନ ସମୟରେ ବହୁ ଅନ୍ୟ ସାଧୁସନ୍ଥ ଏହି ପବିତ୍ର ଗିରିଦ୍ୱୟରେ ସାଧନାରତ ଥିଲେ। ସନ୍ଥ ଅରକ୍ଷିତ ଦାସ ଏଠାରେ ସାଧନାରତ ଥିଲେ ତଥା ଏଠାରେ ତାଙ୍କର ପାଦୁକାଶ୍ରମ ରହିଛି। ମହିମାସ୍ୱାମୀ କେବଳ ଜଳପାନ କରି ଖଣ୍ଡଗିରିରେ ବାରବର୍ଷ ସାଧନା ପୂର୍ବକ ‘ନୀରାହାରୀ ଗୋସାଇଁ’ ନାମରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ସ୍ମୃତିରେ ଏଠାରେ ‘ମହିମାଶ୍ରମ’ ପ୍ରତିଷ୍ଠିତ। ବ୍ରହ୍ମଲୀନ ଫଳାହାରୀ ବାବାଙ୍କ ସ୍ମୃତିରେ ଖଣ୍ଡଗିରିରେ ‘ଶ୍ରୀନୃସିଂହ ମଠ’ ରହିଛି। ବାବା ଶ୍ରୀ ଆନନ୍ଦସ୍ୱରୂପ ଏଠାରେ ‘ତପୋବନ ଆଶ୍ରମ’ ପ୍ରତିଷ୍ଠା କରିଛନ୍ତି। କ୍ଷମାନିଧି ବାବାଙ୍କ ପ୍ରତିଷ୍ଠିତ ‘କୋଚିଳାମଠ’, କୃଷ୍ଣଚନ୍ଦ୍ର ଦାସଙ୍କ ‘ଅନାଦି ଆଶ୍ରମ’, ଅକ୍ଷୟଦେବ ଦାସଙ୍କ ପ୍ରତିଷ୍ଠିତ ‘ନିତ୍ୟାନନ୍ଦ ସେବାଶ୍ରମ’ ପ୍ରଭୃତି ଏହି ଗିରିତୀର୍ଥର ମହିମା ବୃଦ୍ଧି କରିଛି। ଖଣ୍ଡଗିରିର ପାଦଦେଶ ଜାଗମରାଠାରେ ଶ୍ରୀମତ୍ ଶାନ୍ତଚୈତନ୍ୟଜୀଙ୍କ ପ୍ରତିଷ୍ଠିତ ‘ଯୋଗବେଦାନ୍ତ ଆଶ୍ରମ’ ଓ ବାବା ଅକ୍ଷୟ ଦାସଙ୍କ ପ୍ରତିଷ୍ଠିତ ‘ଖଣ୍ଡୁଆଳ ମଠ’ ବିଦ୍ୟମାନ। ଏତଦ୍ଭିନ୍ନ ଶ୍ରୀଅଭିରାମ ପରମହଂସଙ୍କ ‘ଶାନ୍ତି ଆନନ୍ଦାଶ୍ରମ’ ଓ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମଧ୍ୟ ଖଣ୍ଡଗିରିର ଗୌରବବୃଦ୍ଧି କରିଅଛି। ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଶତବାର୍ଷିକୀ ଉପଲକ୍ଷେ ଖଣ୍ଡଗିରିଠାରେ ପ୍ରାଚୀନ ଗୁରୁକୁଳ ଢାଞ୍ଚାରେ ଏକ ବାଳକ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇ ପ୍ରଖ୍ୟାତ ଉଚ୍ଚବିଦ୍ୟାଳୟର ମର୍ଯ୍ୟାଦାରେ ଅଧିଷ୍ଠିତ। ଜୈନଧର୍ମାବଲମ୍ବୀମାନେ ପ୍ରତିବର୍ଷ ମାଘ ସପ୍ତମୀ ଦିନ ଖଣ୍ଡଗିରିଠାରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥା’ନ୍ତି। ସେହି ସ୍ମୃତିରେ ଅଦ୍ୟାବଧି ଏଠାରେ ସାତଦିନ ବ୍ୟାପୀ ମାଘମେଳା ଅନୁଷ୍ଠିତ ହେଉଛି। ଏହି ମେଳାରେ ସକଳ ସଂପ୍ରଦାୟର ସାଧୁସନ୍ଥ ଏକତ୍ରିତ ହୋଇ ବିଶ୍ୱଶାନ୍ତି ଯଜ୍ଞ କରିଥାଆନ୍ତି। ବହୁ ସାଧୁ ସନ୍ଥ ମହାତ୍ମା ଓ ସାହିତ୍ୟିକ ସ୍ୱ ସ୍ୱ ରଚନାରେ ଖଣ୍ଡଗିରିର ମହିମା ବାଖ୍ୟାନ କରିଯାଇଛନ୍ତି। ତନ୍ମଧ୍ୟରେ ବାରଙ୍ଗ ଦାସଙ୍କ ‘ବ୍ରହ୍ମକୁଣ୍ଡଳୀ’, ଅରକ୍ଷିତ ଦାସଙ୍କ ‘ମହୀମଣ୍ଡଳ ଗୀତା’, ରାଧାଚରଣ ନାୟକଙ୍କ ‘ରସ ରାମାୟଣ’ ଓ ମହାମହୋପାଧ୍ୟାୟ ବାମଦେବ ରଥଶର୍ମାଙ୍କ ‘ଖଣ୍ଡାଚଳ ମହାତ୍ମ୍ୟ’ ପ୍ରଭୃତି ବିୋଷ ପାଠକୀୟ ଆଦୃତି ଲାଭ କରିଅଛି।
କୁମାର-କୁମାରୀ ଯୁଗଳ ପର୍ବତ ବୈଦିକ ଯୁଗରୁ ଆମ ଗୌରବୋଜ୍ଜ୍ୱଳ ଐତିହ୍ୟ ଓ ସଂସ୍କୃତିର ମୂକସାକ୍ଷୀ। ଏହି ଐତିହ୍ୟ କ୍ଷେତ୍ରର ସାଂସ୍କୃତିକ ସୌରଭର ପ୍ରାମାଣିକ ଦଲିଲ ରୂପେ, ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ବିଦ୍ୟମାନ। ଏହି ଐତିହାସିକ ଶିଳାଲେଖରୁ ଓଡ଼ିଆ ଭାଷାର ପ୍ରାଚୀନତା ଓ ଶାସ୍ତ୍ରୀୟତାର ସନ୍ଦେଶ ଉପଲବ୍ଧ। ସମ୍ପ୍ରତି ଏହା ଭାରତର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବରେ ଉଦ୍ଘୋଷିତ। ଏହାର ପାଦଦେଶରେ ଗୋଟିଏ ଡାକବଙ୍ଗଳା ଏବଂ ଗୋଟିଏ ଧର୍ମଶାଳା ସ୍ଥାପିତ ହୋଇଅଛି। ସମ୍ପ୍ରତି ଏହି ଗିରିଦ୍ୱୟର ଚତୁଃପାର୍ଶ୍ବରେ ବ୍ୟାପକ ଜନବସତି ସ୍ଥାପନ ଏହାର ଶାନ୍ତ ଓ ନୈସର୍ଗିକ ପରିବେଶକୁ ବ୍ୟାହତ କରୁଛି। ସ୍ଥାନୀୟ ପ୍ରଶାସନ ଦ୍ବାରା ଏହି ଗିରିଦ୍ୱୟରେ ବ୍ୟାପକ ଔଷଧୀୟ ଓ ପୁଷ୍ପୋଦ୍ୟାନ ପ୍ରତିଷ୍ଠା, ହାତୀନିଶୁଣି, ଲଳିତାକୁଣ୍ଡ, ଆକାଶ ଗଙ୍ଗା ପ୍ରଭୃତି ପ୍ରାଚୀନ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକର ଯଥାଯଥ ଜୀର୍ଣ୍ଣୋଦ୍ଧାର ହୋଇ ପାରିଲେ ଏହା ଅନ୍ତର୍ଜାତୀୟ କ୍ଷେତ୍ରରେ ଅଧିକ ସ୍ୱତନ୍ତ୍ର ଆସନ ଅଳଙ୍କୃତ କରିପାରିବ।
ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର
ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨