ବିଚାର ଅପେକ୍ଷାରେ ଆମ ରାଜ୍ୟର ୧୭ଲକ୍ଷ ଫୌଜଦାରୀ ମାମଲା, କଟକରେ ସର୍ବାଧିକ ୧ ଲକ୍ଷ ୬୮ ହଜାର

The Sakala Picture
Published On

ଭୁବନେଶ୍ୱର : ଲୋକଙ୍କୁ ନ୍ୟାୟ ଦେବାକୁ ସରକାର  ଗୁରୁତ୍ୱ ଦେଉଛନ୍ତି। ହେଲେ ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଗଡ଼ୁୁଛି। କୋର୍ଟ ରାୟ ଆସିବା ପୂର୍ବରୁ ମଧ୍ୟ ଅନେକ ପୀଡ଼ିତ ମୃତ୍ୟୁ ବରଣ କରୁଛନ୍ତି। କାରଣ ଗୋଟିଏ ମାମଲା ୧୫ରୁ ଅଧିକ ବର୍ଷ ଧରି ଚାଲିଥାଏ। ଏଭଳି ଘଟଣା ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି। ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ବୋଲି କୁହାଯାଉଥିବା ବେଳେ ବାସ୍ତବରେ ରାଜ୍ୟରେ ବିଚାର ପାଇଁ ପଡ଼ି ରହିଥିବା ମାମଲାରୁ କେତେ ତ୍ୱରିତ […]

ଭୁବନେଶ୍ୱର : ଲୋକଙ୍କୁ ନ୍ୟାୟ ଦେବାକୁ ସରକାର  ଗୁରୁତ୍ୱ ଦେଉଛନ୍ତି। ହେଲେ ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଗଡ଼ୁୁଛି। କୋର୍ଟ ରାୟ ଆସିବା ପୂର୍ବରୁ ମଧ୍ୟ ଅନେକ ପୀଡ଼ିତ ମୃତ୍ୟୁ ବରଣ କରୁଛନ୍ତି। କାରଣ ଗୋଟିଏ ମାମଲା ୧୫ରୁ ଅଧିକ ବର୍ଷ ଧରି ଚାଲିଥାଏ। ଏଭଳି ଘଟଣା ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି। ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ବୋଲି କୁହାଯାଉଥିବା ବେଳେ ବାସ୍ତବରେ ରାଜ୍ୟରେ ବିଚାର ପାଇଁ ପଡ଼ି ରହିଥିବା ମାମଲାରୁ କେତେ ତ୍ୱରିତ ନ୍ୟାୟ ମିଳୁଛି ଏଥିରୁ ସ୍ପଷ୍ଟ ଅନୁମେୟ। କାରଣ ରାଜ୍ୟରେ ବିଭିନ୍ନ କୋର୍ଟରେ ଏକ ଲକ୍ଷରୁ ଅଧିକ ମାମଲା ଶୁଣାଣି ଅପେକ୍ଷାରେ ପଡ଼ି ରହିଛି। ଏପଟେ ଥାନାରେ ଅପରାଧିକ ମାମଲା ବଢୁଥିବା ବେଳେ ସେପଟେ କୋର୍ଟରେ ରାୟ ଶୀଘ୍ର ଆସୁନଥିବାରୁ ନ୍ୟାୟ ପ୍ରଦାନରେ ବିଳମ୍ବିତ ହେଉଛି। କୋର୍ଟରେ ବିଚାରପତିଙ୍କ ଅଭାବ ପାଇଁ ମାମଲା ବର୍ଷ ବର୍ଷ ଧରି ବିଚାର ପାଇଁ ପଡ଼ିରହିଛି।

ମିଳିଥିବା ସୂଚନା ଅନୁସାରେ, ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଇନ୍‌ ଅଦାଲତଗୁଡିକରେ ପ୍ରାୟ ୧୭ଲକ୍ଷ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି। ଏହି ମାମଲାଗୁଡିକ ଭିତରୁ କେତେକ ୨୦/୩୦ ବର୍ଷର ପୁରୁଣା। ଗତ ଅଗଷ୍ଟ ଶେଷସୁଦ୍ଧା ୩୦ଟି ଯାକ ଜିଲ୍ଲାରେ ଥିବା ଅଦାଲତ ଗୁଡିକରେ ୧୬ ଲକ୍ଷ ୮୪ ହଜାର ୪୩୨ ଅପରାଧିକ ମାମଲା ବିଚାରାଧୀନ ଥିଲା। ଏଥିମଧ୍ୟରୁ ସର୍ବାଧିକ ଅପରାଧିକ ମାମଲା ରହିଛି କଟକ ଜିଲ୍ଲାରେ। କଟକ କୋର୍ଟରେ ୧ ଲକ୍ଷ ୬୮ ହଜାର ୪୮୩ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ତାହା ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା।

ଖୋର୍ଦ୍ଧାରେ ଗତ ଅଗଷ୍ଟ ଶେଷସୁଦ୍ଧା ୧ ଲକ୍ଷ ୬୮ ହଜାର ୪୩୮ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଗଞ୍ଜାମ କୋର୍ଟରେ ଏହି ସଂଖ୍ୟା ୧ଲକ୍ଷ ୧ ହଜାର ୯୯୮ ରହିଛି। ଏ କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ବାଲେଶ୍ୱର ରହିଛି। ସେଠାରେ ୧ଲକ୍ଷ ୧୦୫ ଟି ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସୁନ୍ଦରଗଡରେ ଏହି ସଂଖ୍ୟା ୯୨ ହଜାର ୪୪୫, ଅନୁଗୁଳ ଜିଲ୍ଲାରେ ୮୫ ହଜାର ୯୬୯, ଯାଜପୁରରେ ୮୫ ହଜାର ୧୫୫ ଓ ଅଗଷ୍ଟ ସ୍ଥାନରେ ଥିବା ସମ୍ୱଲପୁରରେ ବିଚାରାଧୀନ ଅପରାଧିକ ମାମଲା ସଂଖ୍ୟା ୮୦ ହଜାର ୫୬୦ରହିିଛି। ତେବେ ସବୁଠାରୁ କମ୍‌ ଅପରାଧିକ ମାମଲା ରହିଛି ଗଜପତି ଜିଲ୍ଲାରେ। ଏହି ଜିଲ୍ଲାରେ ଏଭଳି ମାମଲା ସଂଖ୍ୟା ଗତ ଅଗଷ୍ଟ ଶେଷସୁଦ୍ଧା ୮ହଜାର ୫୨୭ ଥିଲାବେଳେ ଦେବଗଡ ଭଳି ଛୋଟିଆ ଜିଲ୍ଲାରେ କିନ୍ତୁ ୧୮ ହଜାର ୯୭୯ଟି ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଥିଲା।

ମୋଟାମୋଟି ଭାବେ ସମଗ୍ର ରାଜ୍ୟରେ ଉଭୟ ବିଚାରାଧୀନ ଫୌଜଦାରୀ ଓ ଦେୱାନି ମାମଲା ସଂଖ୍ୟା ଗତ ଅଗଷ୍ଟ ଶେଷସୁଦ୍ଧା ୧୯ ଲକ୍ଷ ୯୭ହଜାର ୩୧୭ ରହିଥିଲା। ହାଇକୋର୍ଟ, ସୁପ୍ରିମକୋର୍ଟ ଓ ଅନ୍ୟାନ୍ୟ ଟ୍ରିବ୍ୟୁନାଲରେ ବିଚାର ପ୍ରତୀକ୍ଷାରେ ଥିବା ମାମଲାକୁ ମିଶାଇଲେ ଏହି ସଂଖ୍ୟା ପ୍ରାୟ ୨୩ଲକ୍ଷ ହେବ ବୋଲି କୁହାଯାଉଛି। ତହସିଲ ଠାରୁ ରାଜସ୍ୱ ପାର୍ଷଦଙ୍କ ପର୍ଯ୍ୟନ୍ତ ବିଭିନ୍ନ ରାଜସ୍ୱ କୋର୍ଟରେ ପଡି ରହିଥିବା ମାମଲା ସହିତ ଦୁର୍ନୀତି ନିବାରଣ ମାମଲାକୁ ମିଶାଇଲେ ରାଜ୍ୟରେ ସମସ୍ତ କିସମର ମାମଲା ପ୍ରାୟ ୨୮ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ବଢୁଥିବା ମାମଲା ସଂଖ୍ୟା ହ୍ରାସ ସହିତ ତ୍ୱରିତ ଫଏସଲା ପାଇଁ ଓଡିଶା ସରକାର ୨୦୧୧ ମସିହାରେ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଥିଲେ। ବିଭିନ୍ନ କାରଣରୁ ଏହି ନୀତି ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଏଭଳି ପରିସ୍ଥିତି ଲାଗି ରହୁଛି ବୋଲି ବରିଷ୍ଠ ଆଇନଜୀବୀ ମତ ଦେଇଛନ୍ତି। ମାମଲାର ଶୁଣାଣି ବିଳମ୍ବ ହେଉଥିବାରୁ ଲୋକେ କୋର୍ଟ ଏବଂ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡୁଛନ୍ତି।

About The Author

ସମ୍ବନ୍ଧିତ ଖବର