ବଢ଼ିଲା ବିମାନବନ୍ଦର ସୁରକ୍ଷା ଚିନ୍ତା, ସୁରକ୍ଷା ମାନଦଣ୍ଡ ପୂରଣ କରୁନାହାନ୍ତି ଅହମଦାବାଦ ସମେତ ଅନେକ ବିମାନବନ୍ଦର
ନୂଆଦିଲ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣା ପରେ ସାରା ଦେଶରେ ବିମାନ ଯାତ୍ରୀଙ୍କ ସୁରକ୍ଷା ଚିନ୍ତା ବୃଦ୍ଧି ପାଇଛି। ଏ ଦିଗରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପଦକ୍ଷେପ ନେଇ ସୁରକ୍ଷା ଯାଞ୍ଚ ମଧ୍ୟ ନିର୍ଦ୍ଦେଶ ଦେଇଛି। ଏପରି ସମୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅହମଦାବାଦ ସମେତ ଅନେକ ବିମାନବନ୍ଦର ମୌଳିକ ସୁରକ୍ଷା ମାନଦଣ୍ଡ ପୂରଣ କରୁନାହିଁ ବୋଲି ଜଣାପଡ଼ିଛି। ଡିଜିସିଏ ନିୟମ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ର ଦାବି ଏବଂ ୨୦୧୯ର […]
ନୂଆଦିଲ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣା ପରେ ସାରା ଦେଶରେ ବିମାନ ଯାତ୍ରୀଙ୍କ ସୁରକ୍ଷା ଚିନ୍ତା ବୃଦ୍ଧି ପାଇଛି। ଏ ଦିଗରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପଦକ୍ଷେପ ନେଇ ସୁରକ୍ଷା ଯାଞ୍ଚ ମଧ୍ୟ ନିର୍ଦ୍ଦେଶ ଦେଇଛି। ଏପରି ସମୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅହମଦାବାଦ ସମେତ ଅନେକ ବିମାନବନ୍ଦର ମୌଳିକ ସୁରକ୍ଷା ମାନଦଣ୍ଡ ପୂରଣ କରୁନାହିଁ ବୋଲି ଜଣାପଡ଼ିଛି। ଡିଜିସିଏ ନିୟମ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ର ଦାବି ଏବଂ ୨୦୧୯ର ପର୍ଯ୍ୟବେକ୍ଷଣ ରିପୋର୍ଟ ଥିବା ସତ୍ତ୍ବେ ପୁଣି ବିମାନ ଦୁର୍ଘଟଣା ହୋଇଥିଲା। ଏହାକୁ ନେଇ ଅବଷ୍ଟାକଲ ଲିମିଟେସନ ସରଫେସ (ଓଏଲଏସ) ପକ୍ଷରୁ କୁହାଯାଇଛି ଯେ ରନୱେର ଆଖପାଖରେ ସ୍ଥାୟୀ ନିର୍ମାଣ କିମ୍ବା ଆବାସିକ କୋଠା ରହିବା ଅନୁଚିତ। କିନ୍ତୁ ଅହମଦାବାଦ ବିମାନବନ୍ଦରରେ ଏ ସବୁ ସୁରକ୍ଷା ମାନଦଣ୍ଡ ପାଳନ ହୋଇନାହିଁ। ଏଥିରେ ସ୍ପଷ୍ଟ ହେଉଛି ଯେ ବିମାନ ଦୁର୍ଘଟଣା କେବଳ ଯାନ୍ତ୍ରିକ ନ ଥିଲା, ସଂସ୍ଥାଗତ ଏବଂ ପ୍ରଶାସନିକ ସ୍ତରର ମଧ୍ୟ ବିଫଳତା ଥିଲା।
ଏଏଆଇ ୨୦୧୮ରେ ଅହମଦାବାଦ ବିମାନବନ୍ଦରରେ ବଫର ଜୋନ ନିର୍ମାଣ କରିବା ଲାଗି ଗୁଜରାଟ ସରକାରଙ୍କୁ ୨୯.୭୯ ଏକର ଜମି ମାଗିଥିଲା। ଏହାକୁ ମଞ୍ଜୁରି ମଧ୍ୟ ମିଳିଥିଲା। କିନ୍ତୁ ଜମି ମିଳିବା ପ୍ରକ୍ରିୟା ଏବେ ବି ଜାରି ରହିଛି। କାରଣ ଏହି ଅଞ୍ଚଳରେ ୩୫୦ ପରିବାର ରହୁଛନ୍ତି। ଏମାନଙ୍କୁ ହଟାଇବା ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ। ଦେଶରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବଢୁଛି। କିନ୍ତୁ ରନୱେ ସେଫ୍ଟି, ବଫର ଜୋନ ଏବଂ ଓଏଲଏସ ଭଳି ମୌଳିକ ଭିତ୍ତିଭୂମି ସମସ୍ୟା ବଡ଼ ଅବହେଳାର କାରଣ ପାଲଟିଛି। ଡିଜିସିଏର ଏରୋଡ୍ରମ ଇନ୍ସ୍ପେକ୍ଟର ହାଣ୍ଡବୁକ୍ ଏବଂ ସିଭିଳ ଆଭିଏସନ ରିକ୍ବାରମେଣ୍ଟ (ସିଏଆର) ଅନୁଯାୟୀ ପ୍ରତ୍ୟେକ ରନୱେ ଶେଷରୁ ୯୦ରୁ ୨୪୦ ମିଟର ପର୍ଯ୍ୟନ୍ତ ରନୱେ ଆଣ୍ଡ ସେଫ୍ଟି ଏରିଆ (ରେସା) ହେବା ଜରୁରୀ। ଡିଜିସିଏର ବାର୍ଷିକ ଇନସ୍ପେକ୍ସନ ରିପୋର୍ଟ ଏବଂ ଏୟାରପୋର୍ଟ ଇନଫ୍ରାଷ୍ଚ୍ରକ୍ଚର ପ୍ରୋଜେକ୍ଟର ଅଧ୍ୟୟନରୁ ଜଣାପଡ଼ିଛି ଯେ ଦେଶର ଅନେକ ବିମାନବନ୍ଦରରେ ରେସା, ଓଏଲଏସ କିମ୍ବା ଜମି ଅଧିଗ୍ରହଣ ଭଳି ମୌଳିକ ମାନଦଣ୍ଡ ପୂରଣ କରିପାରିନାହାନ୍ତି। ତ୍ରିଭେନ୍ଦ୍ରମ, କୋଏମ୍ବାଟୁର, ମହୀଶୂର ଏବଂ ମାଙ୍ଗାଲୁରୁ ଭଳି ସହରରେ ରନୱେ ସମ୍ପ୍ରସାରଣ କିମ୍ବା ସୁରକ୍ଷା ଜୋନ୍ ପାଇଁ ମଗା ଯାଇଥିବା ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏଭଳି ଭାବେ ଗ୍ବାଲିୟର ରନୱେ ପ୍ରସ୍ତାବ ଦୀର୍ଘ ବର୍ଷ ହେଲା ଅଟକି ରହିଛି।
ହିସାରରେ ଉଡ଼ାଣ ଆରମ୍ଭ ହୋଇସାରିଲାଣି। କିନ୍ତୁ ଟ୍ୟାକ୍ସି-ୱେ ଏବଂ ରନୱେ ନିକଟରେ ଓଏଲଏସ ସମ୍ବନ୍ଧିତ ସମସ୍ୟା ଜାରି ରହିଛି। କୁଶିନଗରରେ ଟର୍ମିନାଲ ସହିତ ଆପ୍ରୋଚ ପାଥ୍ ଏବଂ ରନୱେ ସୁଧାର ଅଧାରେ ରହିଛି। ସିମ୍ଲା ରନୱେ କେବଳ ୧୧୮୯ ମିଟର ଲମ୍ବା। ପାହାଡ ଯୋଗୁଁ ଏଠାରେ ରେସା ମଧ୍ୟ ସମ୍ଭବ ନୁହେଁ। ରନୱେର ମଧ୍ୟ ସମ୍ପ୍ରସାରଣ ହୋଇପାରିବ ନାହିଁ। ସେହିପରି ଜୈସାଲମେରରେ ରନୱେକୁ ଉଭୟ ବେସାମରିକ ଏବଂ ସାମରିକ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି। କିନ୍ତୁ ରନୱେ ସମ୍ପ୍ରସାରଣର କୌଣସି ଯୋଜନା ନାହିଁ। ସେହିପରି କୃଷକଙ୍କ ବିରୋଧ ଯୋଗୁଁ ପୁନେରେ ପ୍ରସ୍ତାବିତ ପୁରନ୍ଦର ବିମାନବନ୍ଦର କାର୍ଯ୍ୟ ଅଟକି ରହିଛି। ପାଟନା ବିମାନବନ୍ଦରକୁ ଚାରିପଟୁ ଜନବସତି, ରେଳ ଲାଇନ ଏବଂ ଚିଡିଆଖାନା ଘେରି ରହିଛି। ଏଠାରେ ରେସା ଉପଯୋଗୀ ହୋଇପାରିବ ନାହିଁ। ରନୱେ ମଧ୍ୟ ସମ୍ପ୍ରସାରଣ ହୋଇପାରିବ ନାହିଁ। ଏଭଳି ସ୍ଥଳେ ଗମ୍ଭୀର ସୁରକ୍ଷା ବିପଦ ସୃଷ୍ଟି ହୋଇପାରେ।






