ବର୍ଡର-ଗାଭାସ୍କର ଟ୍ରଫି: କମିନ୍ସ ଆସିବେନି, ସ୍ମିଥ୍‌‌ ଅଷ୍ଟ୍ରେଲିଆ ଅଧିନାୟକ

The Sakala Picture
Published On

ନୂଆଦିଲ୍ଲୀ : ପାରିବାରିକ କାରଣରୁ ସ୍ୱଦେଶ ଫେରିଯାଇଥିବା ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଏଠାରେ ଭାରତ ସହ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଇନ୍ଦୋରରେ ହେବାକୁ ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌‌ରେ ଖେଳିବାକୁ ଆସିପାରିବେ ନାହିଁ। ଏହା ଫଳରେ ସିନିୟର ଖେଳାଳି ଷ୍ଟିଭେନ୍‌‌ ସ୍ମିଥ୍‌‌ ମାର୍ଚ୍ଚ ୧ରୁ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବେ। ମାର୍ଚ୍ଚ ୯ରୁ ଅହମ୍ମଦାବାଦ୍‌‌ରେ ଖେଳାଯିବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ଲାଗି କମିନ୍ସ ଭାରତ ଫେରିଆସିଲେ ମଧ୍ୟ ସ୍ମିଥ […]

ନୂଆଦିଲ୍ଲୀ : ପାରିବାରିକ କାରଣରୁ ସ୍ୱଦେଶ ଫେରିଯାଇଥିବା ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଏଠାରେ ଭାରତ ସହ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଇନ୍ଦୋରରେ ହେବାକୁ ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌‌ରେ ଖେଳିବାକୁ ଆସିପାରିବେ ନାହିଁ। ଏହା ଫଳରେ ସିନିୟର ଖେଳାଳି ଷ୍ଟିଭେନ୍‌‌ ସ୍ମିଥ୍‌‌ ମାର୍ଚ୍ଚ ୧ରୁ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ନେତୃତ୍ୱ ନେବେ। ମାର୍ଚ୍ଚ ୯ରୁ ଅହମ୍ମଦାବାଦ୍‌‌ରେ ଖେଳାଯିବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ଲାଗି କମିନ୍ସ ଭାରତ ଫେରିଆସିଲେ ମଧ୍ୟ ସ୍ମିଥ ଏହି ମ୍ୟାଚ୍‌‌ରେ ଦଳର ନେତୃତ୍ୱ ନେବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି।

ଏହି ସିରିଜ୍‌‌ରେ ମୋଟ ୪ଟି ଟେଷ୍ଟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ମଧ୍ୟରୁ ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଅଷ୍ଟ୍ରେଲିଆ ପରାଜିତ ହୋଇ ୦-୨ରେ ପଛୁଆ ରହିଛି। ନୂଆଦିଲ୍ଲୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ କମିନ୍ସଙ୍କ ମା’ ଅବସ୍ଥା ଗୁରୁତର ହୋଇଥିଲା। ଫଳରେ ସେ ସ୍ୱଦେଶ ଫେରିଯାଇଥିଲେ। ଏବେ ତାଙ୍କ ମା’ଙ୍କ ଅବସ୍ଥାରେ କ୍ରମାଗତ ଅବନତି ହେଉଛି। ଏଭଳି ସମୟରେ କମିନ୍ସ ନିଜ ମା’ଙ୍କ ନିକଟରେ ରହିବାକୁ ଅନୁରୋଧ କରିଥିଲେ ଓ ତାହାକୁ କ୍ରିକେଟ ଅଷ୍ଟ୍ରେଲିଆ ଗ୍ରହଣ କରିନେଇଥିଲା। ଏହା ଫଳରେ ତାଙ୍କର ଇନ୍ଦୋର ଟେଷ୍ଟରେ ଖେଳିବା ସମ୍ଭବ ହୋଇ ପାରି ନଥିଲା। ଯାହା ଫଳରେ ଷ୍ଟିଭେନ୍‌‌ ସ୍ମିଥ୍‌‌ଙ୍କୁ ନେତୃତ୍ୱ ନେବାପାଇଁ କୁହାଯାଇଥିଲା। ବଲ୍‌‌ ଟାମ୍ପରିଂ ଅଭିଯୋଗରେ ତାଙ୍କୁ ଏକ ବର୍ଷ ବାସନ୍ଦ ବ୍ୟବସ୍ଥା କରାଯାଇଥିଲା। ଏହା ପରେ ସେ ଟେଷ୍ଟ ଦଳରେ ସାମିଲ ହୋଇଥିଲେ। ୨୦୨୧ରେ ବିବାଦୀୟ ପରିସ୍ଥିତିରେ ଟିମ୍‌‌ ପେନ୍‌‌ ଅଷ୍ଟ୍ରେଲିଆ ଅଧିନାୟକ ପଦରୁ ବିଦା ହେବା ପରେ କମିନ୍ସଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଥିଲା।

କମିନ୍ସ ନେତୃତ୍ୱ ନେବା ପରଠାରୁ ଇନ୍ଦୋର ଟେଷ୍ଟକୁ ମିଶାଇ ସ୍ମିଥ ତୃତୀୟଥର ଦଳର ନେତୃତ୍ୱ ନେବେ। ଅନ୍ୟପକ୍ଷରେ ଅନୁପସ୍ଥିତି ଲାଗି କମିନ୍ସ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କୁ ମା’ଙ୍କ ନିକଟରେ ରହିବାକୁ ସୁଯୋଗ ଦେଇଥିବାରୁ ସେ ନିଜ ସଂଗଠନକୁ ଧନ୍ୟବାଦ ଜଣାଇଥିଲେ। ‘ମା’ଙ୍କ ଏଭଳି ଅବସ୍ଥାରେ ମୁଁ ଭାରତ ନଫେରିବାକୁ ନିଷ୍ପତ୍ତି ନେଇଛି। ଏହି ସମୟରେ ମୁଁ ମୋ ପରିବାର ନିକଟରେ ରହିବାକୁ ଉଚିତ ମଣିଛି। ମୋତେ ଏଥିଲାଗି କ୍ରିକେଟ ଅଷ୍ଟ୍ରେଲିଆ ଓ ମୋର ସାଥିଖେଳାଳି ସହାୟତା ଦେଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି’ ବୋଲି କମିନ୍ସ କହିଥିଲେ।

ନୂଆଦିଲ୍ଲୀରେ ଖେଳାଯାଇଥିବା ଦିତୀୟ ଟେଷ୍ଟରୁ ଦୁଇ ଜଣ ଖେଳାଳି ବାଦ୍‌‌ ପଡ଼ିଛନ୍ତି। ଆଘାତ ଜନିତ କାରଣରୁ ଓପନର ଡେଭିଡ୍‌‌ ୱାର୍ଣ୍ଣର ଓ ଏବେ ମା’ଙ୍କ ଅସୁସ୍ଥତା ଯୋଗୁ କମିନ୍ସ ଇନ୍ଦୋରରେ ମାର୍ଚ୍ଚ ୧ରୁ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ଲାଗି ଉପଲବ୍ଧ ହେବେ ନାହିଁ। ଏଣୁ ଏମାନଙ୍କ ସ୍ଥାନରେ ଏବେ ଫିଟ୍‌‌ ଘୋଷିତ ହୋଇଥିବା ଅଲରାଉଣ୍ଡର କାମେରନ ଗ୍ରୀନ୍‌‌ ଓ ମିଚେଲ ଷ୍ଟାର୍କ ସେମାନଙ୍କ ସ୍ଥାନରେ ଖେଳିବେ ବୋଲି ଆଶା କରାଯାଉଛି। ଉଭୟ ଖେଳାଳି ଏଯାଏ ବର୍ଡର- ଗାଭାସ୍କର ଟ୍ରଫିରେ ଗୋଟିଏ ହେଲେ ମ୍ୟାଚ ଖେଳିନାହାନ୍ତି। କିନ୍ତୁ ମ୍ୟାଚ୍‌‌ ଲାଗି ଫିଟ୍‌‌ ଅଛନ୍ତି। ନୂଆଦିଲ୍ଲୀରେ ଭ୍ରମଣକାରୀ ଦଳ ମାତ୍ର ଜଣେ ପେସ୍‌‌ ବୋଲର କମିନ୍ସଙ୍କୁ ଖେଳାଇଥିଲା। ଏବେ ଗ୍ରୀନ୍‌‌ ଖେଳିଲେ ଦୁଇ ଜଣ ଫାଷ୍ଟ ବୋଲରଙ୍କୁ ନେଇ ଦଳ ଖେଳିପାରିବ ବୋଲି ଆଶା କରାଯାଉଛି। ବାଦ୍‌‌ ପଡ଼ିଥିବା ଓପନର ୱାର୍ଣ୍ଣରଙ୍କ ସ୍ଥାନରେ ଟ୍ରାଭିସ୍‌‌ ହେଡ୍‌‌ ଇନିଂସ ଓପନ କରିବେ। ଏହା ମଧ୍ୟରେ ୱାର୍ଣ୍ଣରଙ୍କ ସହ ଜୋଶ୍‌‌ ହାଜ୍‌‌ଲେଉଡ୍‌‌ ମଧ୍ୟ ସ୍ୱଦେଶ ଫେରିଯାଇଛନ୍ତି। ଦଳରେ ଖେଳିବାର ସମ୍ଭାବନା ନଥିବାରୁ ଆଷ୍ଟନ ଅଗରଙ୍କୁ ମଧ୍ୟ ଘରୋଇ କ୍ରିକେଟ ଖେଳିବାକୁ ସ୍ୱଦେଶ ଫେରାଇ ଦିଆଯାଇଛି। ଦଳର ୩ଜଣ ସ୍ପିନର ନାଥାନ ଲାୟନ, ଟଡ୍‌‌ ମର୍ଫି ଓ ମାଥ୍ୟୁ କୁନେମାନ ଏହି ସିରିଜ୍‌‌ର ଅବଶିଷ୍ଟ ମ୍ୟାଚ୍‌‌ ଖେଳିବେ। ଦଳ ଚାହିଁଲେ ଲେଗ୍‌‌ ସ୍ପିନର ମିଚେଲ ସ୍ୱିପସନଙ୍କୁ ମଧ୍ୟ ସୁଯୋଗ ଦେଇପାରେ।

About The Author

ରାଶିଫଳ