ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

Madhusudan Das Picture
Published On

ଓଡ଼ିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ମହାନ୍‌ ଜନନାୟକ ବିଜୁ ପଟ୍ଟନାୟକ । ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ ସେବାର ମୂର୍ତ୍ତିମନ୍ତ ପ୍ରତୀକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି ଜନ୍ମ ତିଥୀ । ଓଡ଼ିଶା ତଥା ଦେଶର ରାଜନୈତିକ ଇତିହାସରେ ଏକ ଅବିସ୍ମରଣୀୟ ଦିନ ହେଉଛି ମାର୍ଚ୍ଚ ୫ ତାରିଖ। ୧୯୧୬ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜନ୍ମ। ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ସେ ଏଭଳି ଜଣେ ବିଚକ୍ଷଣ ବ୍ୟକ୍ତିତ୍ବ; ଯାହାଙ୍କର ପ୍ରଭାବ ଓଡ଼ିଶା ରାଜନୀତିକୁ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ପ୍ରଭାବିତ କରିଥିଲା। 

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଏବଂ ଝାରସୁଗୁଡ଼ାରେ ଗ୍ରାମୀଣ ୱାଶ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେଉଛି ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ‘ନିର୍ମଳ’

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ । ବିଜୁ ବାବୁ ଥିଲେ ବରେଣ୍ୟ ବରପୁତ୍ର, ବିକାଶ ପୁରୁଷ, ବିପ୍ଳବୀ, ବୈମାନିକ, ବିଶ୍ୱସ୍ତରରେ ପରିଚିତ ବଳିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ, ବୈଚାରିକ ଓ ବୈଜ୍ଞାନିକ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ମଣିଷ। କଳିଙ୍ଗର ହୃତଗୌରବକୁ ଭଲ ପାଉଥିବା ମଣିଷ ଭାବରେ ସେ ସଦା ସର୍ବଦା ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଓଡ଼ିଶାର ପରିଚୟ ସୃଷ୍ଟି କରିବାର ସ୍ୱପ୍ନ ଦେଖୁଥିଲେ। 

ଆହୁରି ପଢ଼ନ୍ତୁ: ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା; ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ବିଜୁ ପଟ୍ଟନାୟକ ଥିଲେ ଅତ୍ୟନ୍ତ ଦରଦୀ ଓ ଦୁଃସାହସୀ। ରେଭେନ୍ସା କଲେଜରେ ପାଠ ପଢ଼ୁଥିବା ବେଳେ ୨ଜଣ ବନ୍ଧୁଙ୍କୁ ସାଙ୍ଗରେ ଧରି ସେ ଯେଭଳି କଟକରୁ ପେଶୱାର ପର୍ଯ୍ୟନ୍ତ ସାଇକଲ ଯାତ୍ରା କରିଥିଲେ ଏବଂ ପ୍ରାକ୍‌‌ ସ୍ୱାଧୀନତା କାଳରେ ଇଣ୍ଡୋନେସିଆ ଅଭିଯାନ କରିଥିଲେ ତାହା ଏବେ ବି ଏକ ରୋମାଞ୍ଚକର ଅଧ୍ୟାୟ ହୋଇ ରହିଛି। ପିଲାଦିନୁ ପାଇଲଟ୍‌‌ ହେବା ପାଇଁ ସଂକଳ୍ପ ନେଇଥିବା ବିଜୁବାବୁ ପରବର୍ତ୍ତୀ ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସରକାରଙ୍କ ରୟାଲ୍‌‌ ଇଣ୍ଡିଆନ୍‌‌ ଏୟାରଫୋର୍ସରେ ଜଣେ ଅଗ୍ରଣୀ ପାଇଲଟ୍‌‌ ଭାବେ ତାଙ୍କ ଦକ୍ଷତାର ପ୍ରତିପାଦନ କରିଥିଲେ। ଜାତିପ୍ରାଣ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ସୁପୁତ୍ର ବିଜୁବାବୁ ପାଇଲଟ୍‌‌ ଥିବା ସମୟରେ ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଅରୁଣା ଆସଫ୍‌‌ ଅଲ୍ଲୀ ଆଦି ସଂଗ୍ରାମୀମାନଙ୍କ ସହ ମିଶି ‘ଭାରତ ଛାଡ଼ ଆନ୍ଦୋଳନ’ ସମୟରେ କରିଥିବା ଦୁଃସାହସିକ କାର୍ଯ୍ୟ ପାଇଁ ଜେଲ୍‌‌ ଗଲେ। କଟକ ଜେଲ୍‌‌ରୁ କାରାମୁକ୍ତ ହେବା ପରେ ୧୯୪୬ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୁବାବୁ କେନ୍ଦ୍ର କଟକ ସଦର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେବେଠାରୁ ୧୯୯୭ ମସିହା ଅପ୍ରେଲ ୧୭ ତାରିଖରେ ତାଙ୍କ ଦେହାନ୍ତ ପର୍ଯ୍ୟନ୍ତ ନିର୍ବାଚନୀ ରାଜନୀତିରେ ଦୀର୍ଘ ୫୧ବର୍ଷ ଧରି ସେ ସକ୍ରିୟ ଥିଲେ। କେତେବେଳେ ବିଧାନସଭା ତ କେତେବେଳେ ରାଜ୍ୟସଭା ଏବଂ ଆଉ କେତେବେଳେ ସେ ଲୋକସଭାକୁ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହେଉଥିଲେ। କେତେବେଳେ ଏକାଧିକ ଆସନରୁ ହାରିଥିଲେ ତ ଆଉ କେତେବେଳେ ଏକାଧିକ କ୍ଷେତ୍ରରୁ ବି ନିର୍ବାଚିତ ହେଉଥିଲେ। ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର କେନ୍ଦ୍ରମନ୍ତ୍ରୀ ହିସାବରେ ତାଙ୍କର ଯେମିତି ଦକ୍ଷତା ଥିଲା, ତାହାଠାରୁ ଅଧିକ ଲୋକପ୍ରିୟତା ଥିଲା ବିରୋଧୀ ଦଳ ନେତା ହିସାବରେ। ଶାସନ କ୍ଷମତାରେ ଥାଆନ୍ତୁ କି ନ ଥାଆନ୍ତୁ ବିଜୁ ବାବୁ କିନ୍ତୁ ରହିଥିଲେ କୋଟି କୋଟି ଓଡ଼ିଆଙ୍କ ମନ ଓ ପ୍ରାଣରେ।

ଆହୁରି ପଢ଼ନ୍ତୁ: ରାସ୍ତାରେ କଥା ହେଉଥିବା ବେଳେ ଜବରଦସ୍ତି ବିବାହ କରାଇଦେଲେ ସ୍ଥାନୀୟ ଲୋକେ, ଉଭୟ ଥାନାରେ ଅଟକ

ଅସମ୍ଭବକୁ ସମ୍ଭବ କରିବା ସଂକଳ୍ପ ନେଇ ଅନଶ୍ଚିତତା ମଧ୍ୟରେ ନିଶ୍ଚିତତାକୁ ଖୋଜି ପାଇବା, ଅସୀମ ନୀଳ ଆକାଶରେ ସଫଳତାର ସ୍ୱପ୍ନ ଦେଖିବା, ଇତିହାସର ରୋମନ୍ଥନ କରି ଗୋଟାଏ ପୁରାତନ ଐତିହ୍ୟସମ୍ପନ୍ନ ଜାତିର ଦୀର୍ଘ ସୁଷୁପ୍ତିର ତନ୍ଦ୍ରା ତୁଟାଇବା ଏବଂ ସର୍ବୋପରି ଜୟ-ପରାଜୟକୁ ଖାତିର୍‌‌ ନ କରି କର୍ମଭୂମିରୁ ଯୁଦ୍ଧ ଭୂମି ପର୍ଯ୍ୟନ୍ତ ଯେ ସଂଗ୍ରାମ ଜାରି ରଖିଥିଲେ ସେ ହେଉଛନ୍ତି ଝଡ଼ର ଇଗଲ୍‌‌, ଧରଣୀର କୃଷ୍ଣସାର ଓ ମାଟିର ମୂର୍ତ୍ତିକାର ବିଜୁ ପଟ୍ଟନାୟକ। କିଏ ତାଙ୍କୁ ଅପବାଦରେ ପୋତି ପକାଇଲା କି ଆଉ କିଏ ତାଙ୍କୁ ପ୍ରବାଦ ପୁରୁଷ କହି ପ୍ରଶଂସା ଅଜାଡ଼ିଲା ସେଥିରେ ତାଙ୍କର କିଛି ଯାଏଆସ ନ ଥିଲା।

ପ୍ରଚଣ୍ଡ ସ୍ୱାଭିମାନୀ ବିଜୁ ପଟ୍ଟନାୟକଙ୍କ କୃତି ଓ କୀର୍ତ୍ତି କେବଳ ଚୌଦ୍ୱାରର ଓଟିଏମ୍‌‌, କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ରେଫ୍ରିଜରେସନ୍‌‌, କଳିଙ୍ଗ ଏୟାରୱେଜ୍‌‌, କଳିଙ୍ଗ ରିଫ୍ରାକ୍ଟରିଜ୍‌‌, ବଡ଼ବିଲ କଳିଙ୍ଗ ଆଇରନ୍‌‌ ୱାର୍କସ, କଳିଙ୍ଗ ସମ୍ବାଦପତ୍ର, ପାରାଦୀପ ବନ୍ଦର, ଏକ୍ସପ୍ରେସ୍‌‌ ହାଇୱେ, ଓଡ଼ିଶା ବିମାନ ପ୍ରଶିକ୍ଷଣ କେନ୍ଦ୍ର, ରିଜିଓନାଲ କଲେଜ୍‌‌ ଅଫ୍‌‌ ଏଜୁକେସନ୍‌‌, କଳିଙ୍ଗ ପୁରସ୍କାର, କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ, ସୁନାବେଡ଼ାର ମିଗ୍‌‌ ବିମାନ କାରଖାନା, ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ, ତାଳଚେରର ତାପଜ ବିଦ୍ୟୁତ୍‌‌ କେନ୍ଦ୍ର, ବାଲିମେଳା ଜଳବିଦ୍ୟୁତ୍‌‌ କେନ୍ଦ୍ର, ରାଉରକେଲା ଇଞ୍ଜିନିୟରିଂ କଲେଜ, ବୁର୍ଲାର ମେଡିକାଲ ଓ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱରର ସୈନିକ ସ୍କୁଲ ଓ ଆଞ୍ଚଳିକ ଗବେଷଣା କେନ୍ଦ୍ର, ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବଢ଼଼ାଇବା ଆଦିରେ ସୀମିତ ନୁହେଁ। ଇଣ୍ଡୋନେସିଆରୁ ସୋଭିଏତ୍‌‌ ରୁଷ, କାଶ୍ମୀରରୁ କାଶୀପୁର, ପେଶୱାରରୁ ସ୍ୱର୍ଗଦ୍ୱାର ଆଦି ବିଭିନ୍ନ ସ୍ଥାନରେ ସେ ଛାଡ଼ି ଯାଇଛନ୍ତି ତାଙ୍କର ଅଲିଭା ସ୍ମାରକୀ।

୧୯୬୧ ଜୁନ୍‌‌ ୨୩ ତାରିଖରେ ବିଜୁବାବୁ ଜବାହାରଲାଲ ନେହେରୁଙ୍କ ଆଗ୍ରହକ୍ରମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୧୯୬୩ ଅକ୍ଟୋବର ୨ ପର୍ଯ୍ୟନ୍ତ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ। ପୁଣି ୧୯୯୦ରେ ତାଙ୍କ ନେତୃତ୍ୱରେ ଜନତା ଦଳ ଓଡ଼ିଶାରେ ରେକର୍ଡ ସଂଖ୍ୟକ ୧୨୩ ଆସନ ହାସଲ କରିବା ପରେ ସେ ସେହିବର୍ଷ ମାର୍ଚ୍ଚ ୫ ତାରିଖରେ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୫ବର୍ଷରୁ ଊର୍ଦ୍ଧ୍ବ ସମୟ ସଫଳତାର ସହ କଟାଇଥିଲେ। ୧୯୭୫ର ଜରୁରୀ ପରିସ୍ଥିତି ସମୟରେ ଅନ୍ୟ ନେତାମାନଙ୍କ ସହ ବିଜୁବାବୁ କାରାରୁଦ୍ଧ ହୋଇଥିଲେ। ପରବର୍ତ୍ତୀ ସମୟରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସଂଯୋଜନାରେ ଜନତା ପାର୍ଟି ଗଠନ କରାଯିବାରେ ବିଜୁ ବାବୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୧୯୭୭ରେ କେନ୍ଦ୍ରରେ ଜନତା ପାର୍ଟି ସରକାର ଗଠନ କରାଯିବା ବେଳେ ବିଜୁବାବୁ ଥିଲେ କେନ୍ଦ୍ର ଖଣି ଓ ଇସ୍ପାତ ବିଭାଗର କ୍ୟାବିନେଟ୍‌‌ ମନ୍ତ୍ରୀ। ୧୯୯୭ରେ ତାଙ୍କର ଦେହାନ୍ତ ହେବା ବେଳକୁ ସେ ଥିଲେ ଆସ୍କାରୁ ନିର୍ବାଚିତ ଜନତା ଦଳ ସାଂସଦ।

୧୯୯୩ ମାର୍ଚ୍ଚ ୫ ତାରିଖରେ ଦେଇଥିବା ଭାଷଣରେ ସେ ଚୀନ୍‌‌ ଦାର୍ଶନିକ ତାଇଚୁନ୍‌‌ଙ୍କ ବାଣୀ ଉଦ୍ଧାର କରି କହିଥିଲେ, “ଯଦି ଆମେ କୌଣସି କାର୍ଯ୍ୟକୁ ତ୍ରୁଟିଶୂନ୍ୟ ଭାବେ କରିବାକୁ ବସିବା, ଆମକୁ ଅନନ୍ତ କାଳ ପାଇଁ ଅପେକ୍ଷା କରିବାକୁ ହେବ।’ ଆମ ହାତରେ ସମୟ ନାହିଁ। ବିଗତ ବର୍ଷମାନଙ୍କରେ ଅନେକ କିଛି ସୁଯୋଗ ଆମର ହାତଛଡ଼ା ହୋଇଛି। ତେଣୁ ଆମକୁ ସଂକଳ୍ପ ନେବାକୁ ହେବ- ବିଜ୍ଞତା, ଦୂରଦୃଷ୍ଟି, କରୁଣା ଓ ଉତ୍ତମ ବୁଝାମଣାକୁ ପୁଞ୍ଜିକରି ଆମେ ଆମ ନିଜ ସମସ୍ୟା ସମାଧାନର ରାସ୍ତା ବାହାର କରିବା। ଆଉଠାଏ ସେ କହିଥିଲେ, ‘ଆମେ ମହାନ୍‌‌ ପରମ୍ପରାର ଦାୟଦ। ମନୋଜ୍ଞ ଗିରିପୁଞ୍ଜ, ସୁନ୍ଦର ନଦୀଧାରା, ସୁଦୀର୍ଘ ବେଳାଭୂମି, ସମୃଦ୍ଧ ଅରଣ୍ୟ ସମ୍ପଦ ଓଡ଼ିଶାବାସୀଙ୍କ ପାଇଁ ଈଶ୍ୱରଙ୍କ ଉପହାର। ମୋ ରାଜ୍ୟବାସୀ, ମୋ ରାଜ୍ୟର ତରୁଣ ତରୁଣୀମାନେ ଆଗାମୀ ବର୍ଷମାନଙ୍କରେ ଏ ସବୁ ସମ୍ପଦର ବିନିଯୋଗ କରି ଏକ ସୁନ୍ଦର ଓଡ଼ିଶା ଗଠନ କରନ୍ତୁ।’ ଏକଦା ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ବିଜୁ ବାବୁଙ୍କୁ ଗ୍ରୀକ୍‌‌ ଉପକଥାର ସ୍ଫିଙ୍କ୍‌‌ସ ସହିତ ତୁଳନା କରି କହିଥିଲେ, ‘ସ୍ଫିଙ୍କ୍‌‌ସ ଯେପରି ଧ୍ୱଂସର ଶଯ୍ୟା ଭିତରୁ ଉଠି ପୁଣି ଆକାଶକୁ ଲମ୍ଫ ପ୍ରଦାନ କରେ, ବିଜୁବାବୁ ସେହିପରି ପରାଜୟର ଧୂଳିଶଯ୍ୟାରୁ ନୂଆ ଜନ୍ମଲାଭ କରି ପୁଣି ଉତ୍‌‌ଥାନର ଚୂଡ଼ା ଆଡ଼କୁ ମାଡ଼ି ଚାଲନ୍ତି।”

ସେ ଯେମିତି ଝଡ଼ ସୃଷ୍ଟି କରିବାକୁ ଭଲ ପାଆନ୍ତି ସେମିତି ଝଡ଼ ଭିତରେ ଉଡ଼ିବାକୁ ପସନ୍ଦ କରନ୍ତି। ତାଙ୍କ ବିସ୍ତୀର୍ଣ୍ଣ ହୃଦୟରେ ସଂକୀର୍ଣ୍ଣତାର ସ୍ଥାନ ନ ଥିଲା। ଏବେ ନେଇ ନେଇ ନେତା ହେବାର ପରମ୍ପରା ସାରା ଦେଶରେ ଚାଲିଥିବା ବେଳେ ସେ ତାଙ୍କ ରାଜନୈତିକ ଜୀବନରେ ଦେଇ ଦେଇ ନିସ୍ୱ ହୋଇଯାଇଛନ୍ତି। ଏହା ବଦଳରେ କିନ୍ତୁ ପାଇଛନ୍ତି ଅଜସ୍ର ଶ୍ରଦ୍ଧା, ସ୍ନେହ ଓ ସମ୍ମାନ। ସେ କେତେ ଲୋକପ୍ରିୟ ଥିଲେ ତାହାର ପ୍ରମାଣ ଦେଖିବାକୁ ମିଳିଥିଲା ୧୯୯୭ ଏପ୍ରିଲ ୧୭ ତାରିଖରେ ତାଙ୍କ ମହାପ୍ରୟାଣ ପରେ। ତାଙ୍କ ମରଶରୀରକୁ ଦିଲ୍ଲୀରୁ ଭୁବନେଶ୍ୱର ନବୀନ ନିବାସକୁ ଅଣାଯାଇ ସେଠାରୁ ପୁରୀର ସ୍ୱର୍ଗଦ୍ୱାରକୁ ନିଆଯିବା ବେଳେ ଯେପରି ଜନସମୁଦ୍ର ସୃଷ୍ଟି ହୋଇଥିଲା ଏବଂ ଦଳମତ ନିର୍ବିଶେଷରେ ବହୁ ଜାତୀୟ ନେତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ଓ ଆନ୍ତର୍ଜାତିକ ସ୍ତରରେ ଶୋକବ୍ୟକ୍ତ କରାଗଲା, ତାହା ଜାତି ଇତିହାସର କଥାବସ୍ତୁ। ଏବେ ବି ତାଙ୍କ ଅମ୍ଳାନ ସ୍ମୃତି ଓଡ଼ିଶାବାସୀଙ୍କ ମନରେ ଜୀବିତ ରହିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp