ସାତକୋଶିଆ କର୍ତ୍ତୃପକ୍ଷଙ୍କ ଅପାରଗତା: ପର୍ଯ୍ୟଟନ ମାନଚିତ୍ରରୁ ଲିଭିଯିବ ଟିକରପଡ଼ା !

Madhusudan Das Picture
Published On

ଅନୁଗୋଳ: ଅନୁଗୋଳ ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଟିକରପଡ଼ା ମହାନଦୀ କୂଳରେ ଥିବା ନେଚର କ୍ୟାମ୍ପକୁ ଚଳିତବର୍ଷ ବନ୍ଦ କରି ଦିଆଯାଇଛି। ଫଳରେ ଦେଶ ବିଦେଶରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି। ଏହାଛଡ଼ା ପରିଚାଳନା ପାଇଁ ନିୟୋଜିତ ହୋଇଥିବା ୨୦ଟି ପରିବାର ବେକାର ହୋଇଯାଇଛନ୍ତି। ଆଖପାଖ ଗ୍ରାମର ଯେଉଁମାନେ ରାସନ ସାମଗ୍ରୀ, କ୍ଷୀର ଓ ପନିପରିବା ଆଦି ଯୋଗାଇ ଜୀବିକା ନିର୍ବାହ କରୁଥିଲେ, ସେମାନେ ମଧ୍ୟ ହାତବାନ୍ଧି ବସିଛନ୍ତି। ସାତକୋଶିଆ ଗଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀ ପାଇଁ ସାରା ବିଶ୍ୱରେ ଥିବା ପରିଚୟ ହଜିଯିବାକୁ ବସିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସାତକୋଶିଆ ମହାନଦୀ ଗଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ। ଏଠାକାର ନୀଳ ଜଳରାଶି, ସବୁଜିମାରେ ଭରପୁର ପାହାଡ଼, ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀ, ଜଳଚର ପ୍ରାଣୀ ଓ ଭଳିକି ଭଳି ବନ୍ୟଜନ୍ତୁ ପ୍ରକୃତିପ୍ରେମୀଙ୍କୁ ବେଶ ଆକୃଷ୍ଟ କରେ। ସେଥିପାଇଁ ପ୍ରତିବର୍ଷ  ନଭେମ୍ୱର ମାସରୁ ଏପ୍ରିଲ ଯାଏ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥା’ନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ୨୦୦୫ରେ ମହାନଦୀ ପଠାରେ ପ୍ରକୃତି ନିବାସ କରାଯାଇଥିଲା। ଏଠାରେ ପର୍ଯ୍ୟଟକଙ୍କ ପାଇଁ ରହିବା, ଖାଇବା ଆଦି ସବୁ ସୁବିଧା ଥିଲା। କିନ୍ତୁ ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ୨୦୧୨ରେ ମହାନଦୀ ଘାଟ ଟିକରପଡ଼ାକୁ ଉଠାଇ ଅଣାଯାଇଥିଲା। ସେଠାରେ ୧୩ଟି ସୁବ୍ୟବସ୍ଥିତ ଟେଣ୍ଟ କରାଯାଇଥିଲା। ଟେଣ୍ଟ ମଧ୍ୟରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା। ଟିକରପଡା ଗ୍ରାମର ୨୦ଟି ପରିବାରକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଏଠାକୁ ପ୍ରତିବର୍ଷ ଶୀତଋତୁରେ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ଭଲ ରୋଜଗାର କରୁଥିଲେ। ଏଥିସହ ଆଖପାଖରେ ଥିବା ଗାଁର ଲୋକେ ମାଛ, ମାଂସ, କ୍ଷୀର, ପନିପରିବା ଓ ରାସନ ସାମଗ୍ରୀ ଯୋଗାଇ ରୋଜଗାର କରୁଥିଲେ। ପର୍ଯ୍ୟଟକ ମଧ୍ୟ ସ୍ଥାନୀୟ ଗାଇଡ୍‌ଙ୍କ ସହାୟତାରେ ଜଙ୍ଗଲ ଭ୍ରମଣ, ମୋଟର ବୋଟ ଯୋଗେ ନଦୀ ବିହାର କରୁଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

କିନ୍ତୁ ଚଳିତ ବର୍ଷ ସବୁ କିଛି ବଦଳିଯାଇଛି। ବନ ବିଭାଗ ଏଠାରେ ନେଚର କ୍ୟାମ୍ପକୁ ବନ୍ଦ କରିଦେଇଛି। ଫଳରେ ଶ୍ରୀହୀନ ହୋଇପଡିଛି ସାତକୋଶିଆ। ଅଞ୍ଚଳବାସୀଙ୍କଠାରୁ ନେଇ ପର୍ଯ୍ୟଟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟାଘ୍ର ପ୍ରକଳ୍ପ ନାଁରେ ସାତକୋଶିଆ ଭିତରୁ ଗୋଟିଏ ପରେ ଗୋଟିଏ ଗାଁ ସ୍ଥାନାନ୍ତର ହେଉଛି। ଆଗାମୀ ଦିନରେ ଟିକରପଡ଼ା ଗାଁ ସ୍ଥାନାନ୍ତର ପାଇଁ ବନ ବିଭାଗ ଯୋଜନା କରୁଥିବାରୁ ନେଚର କ୍ୟାମ୍ପ ବନ୍ଦ କରିଦେଇଥିବା ଜଣାପଡ଼ିଛି। ଗାଁର ଅଧିକାଂଶ ବାସିନ୍ଦା ଗାଁ ଛାଡ଼ିବାକୁ ଆଦୌ ରାଜି ନୁହନ୍ତି। ଏହାଛଡ଼ା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ବାଘ ଥାଇ ମଧ୍ୟ ଜନବସତି ଅଛି। ଇକୋ ଟୁରିଜିମ୍‌ ଚାଲିଛି। ତେଣୁ ସାତକୋଶିଆରେ କାହିଁକି ବନ୍ଦ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ସାତକୋଶିଆର ଟିକରପଡ଼ା ନେଚର କ୍ୟାମ୍ପ ଯୋଗୁଁ ଗାଁ କମିଟି, ରାଜ୍ୟ ସରକାର, ବନ ବିଭାଗ ସମସ୍ତେ ଲାଭବାନ ହେଉଥିଲେ। ଏହି ନେଚର କ୍ୟାମ୍ପରୁ ଆଦାୟ ଅର୍ଥରୁ ୨୦୧୨ରୁ ଚଳିତ ବର୍ଷ ମେ’ ସୁଦ୍ଧା ଟିକରପଡ଼ା ଗାଁ କମିଟିକୁ ୨୬ଲକ୍ଷ ୯୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିପରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ୪ଲକ୍ଷ ୫୦ ହଜାର ଟଙ୍କା, ରାଜ୍ୟ ସରକାରଙ୍କୁ ରାଜସ୍ୱ ବାବଦରେ ୨୨ ଲକ୍ଷ ୩୪ ହଜାର ଟଙ୍କା, ରାଜ୍ୟ ସରକାରଙ୍କ ଇକୋ ଟ୍ୟୁରିଜିମ ସେଲକୁ ୨୨ଲକ୍ଷ ୩୨ହଜାର ଟଙ୍କା ଦିଆଯାଇଛି। ଫଳରେ ଏହି ନେଚର କ୍ୟାମ୍ପ ଯୋଗୁଁ ସମସ୍ତେ ଲାଭବାନ ହୋଇଛନ୍ତି। କିନ୍ତୁ ବନ ବିଭାଗର ଅପାରଗତା ଯୋଗୁ ଏଭଳି ଏକ ନେଚର କ୍ୟାମ୍ପ ବନ୍ଦ ହୋଇଯାଇଛି। ସେଠାରେ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୧୩ଟି ସୁସଜ୍ଜିତ ଟେଣ୍ଟ ଏବେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ପକ୍କାଘର ଅବ୍ୟବହୃତ ହୋଇ ପଡ଼ି ରହିବା ସହ ଭୂତକୋଠି ପାଲଟିଛି। ଯେଉଁଠି ଶୀତଋତୁରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା, ସେଠାରେ ଏବେ ଖାଁ ଖାଁ। ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି। ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁ ସ୍ଥାନାନ୍ତର କରିବାକୁ ଯଦି ନେଚର କ୍ୟାମ୍ପ ବନ୍ଦ କରୁଛି ବନ ବିଭାଗ, ତେବେ ନିଜେ ପରିଚାଳନା ଦାୟିତ୍ୱ ନେଇ କାହିଁକି ଚାଲୁ କରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ସାତକୋଶିଆ ଡିଏଫଓ କୌଣସି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର